Chinmaya Kumar Nayak

Abstract Tragedy

3.9  

Chinmaya Kumar Nayak

Abstract Tragedy

ପରୀ

ପରୀ

3 mins
180



ଶରତର ତୋଫା ଜହ୍ନର କିରଣରେ ସବୁ ଯେମିତି ରୂପେଲି ଦିଶୁଥାଏ। ମେଘ ଗୁଡ଼ାକ ତୁଳା ପରି ଦେହକୁ ଛୁଇଁ ଯାଉଥାନ୍ତି। କେଉଁଠୁ ମଲ୍ଲୀ, ଚମ୍ପାର ବାସ ଭାସି ଆସୁଥାଏ। ଚାରିଆଡେ ଆଲୁଅ ଓ ଆଲୁଅ, ଧଳା ଆଉ ଧଳା। ପରୀମାନେ ଉଡ଼ି ବୁଲୁଥାନ୍ତି ଗୀତ ଗାଇଗାଇ। ସେ ଯେ କେମିତି ଏ ପରୀ ରାଇଜକୁ ଆସିଲା ଜାଣିନାହିଁ। ସୋହିନୀକୁ ଆଶ୍ଚର୍ଯ୍ୟ ଲାଗୁଥାଏ। କିନ୍ତୁ ଆନନ୍ଦରେ ମନ ପୁରି ଉଠୁଥାଏ। ଅଚାନକ ଅନେକ ପରୀମାନେ ଆସି ତାକୁ ବେଢ଼ିଗଲେ। ତା ପେଟକୁ ଆଉଁସି ପକେଇଲେ। କଣ ନିଜ ନିଜ ଭିତରେ ଆଲୋଚନା କଲେ ଓ ଫେରିଗଲେ। ବିସ୍ମୟରେ ସୋହିନୀ କିଛି ବୁଝି ପାରୁନଥାଏ। ତା ଦେହ ମନ ପ୍ରାଣ ଶିହରି ଉଠୁଥାଏ। ହଠାତ ଏକ ସୁସଜ୍ଜିତ ବିମାନରେ ଏକ ଅନିନ୍ଦ୍ୟ ସୁନ୍ଦରୀ ପରୀଟିଏ ଆସି ପହଞ୍ଚିଲେ। ତାଙ୍କ ଦେହରୁ ବି ଯେମିତି ଜ୍ୟୋତି ସବୁ ତରଳ ହୋଇ ବହି ଯାଉଥାନ୍ତି। ସେ ଏକ ଗୋଲାକାର ଉଜ୍ଜ୍ୱଳ ଜିନିଷଟିଏ ବଢ଼ାଇଦେଲେ ସୋହିନୀ ଆଡ଼କୁ। ସୋହିନୀ ସମ୍ମୋହିତ ହୋଇ ହାତ ବଢ଼ାଇଦେଲା ଓ ସମ୍ଭ୍ରମତାର ସହିତ ଧରି ପକାଇଲା କିନ୍ତୁ ହାୟ, ହଠାତ ସେ ଗୋଲାକାର ଉଜ୍ଜ୍ୱଳ ପେଣ୍ଡୁଟି ତଳେ ପଡ଼ି ଫାଟିଗଲା। ସୋହିନୀର ନିଦ ଭାଙ୍ଗିଗଲା। ଦେହସାରା ଝାଳ। ସେ ସ୍ୱପ୍ନକୁ ବୁଝିବା ଆଗରୁ ଅସହ୍ୟ ଯନ୍ତ୍ରଣାରେ ବ୍ୟତିବ୍ୟସ୍ତ ହୋଇ ପଡ଼ିଲା। 

ବାପା ଓ ବୋଉ ଆମ୍ବୁଲାନ୍ସ ଡାକି ହସ୍ପିଟାଲ ନେଇଗଲେ। ନର୍ମାଲ ଡେଲିଭରି ହୋଇ ସୋହିନୀ ଏକ ଝିଅକୁ ଜନ୍ମ ଦେଲା। ସେ ଆନନ୍ଦରେ କୁରୁଳି ଉଠୁଥାଏ ଓ ଗତ ରାତ୍ରିର ସ୍ୱପ୍ନ କଥା ଭାବୁଥାଏ କିନ୍ତୁ କିଛି ବୁଝିପାରୁ ନଥାଏ। କିନ୍ତୁ ହାଠାତ କୁନି ଝିଅଟିର ଶରୀର ଅସୁସ୍ଥ ହେବାକୁ ଲାଗିଲା। ଡାକ୍ତର କହିଲେ, ବ୍ୟସ୍ତ ହେବାର କିଛି କାରଣ ନାହିଁ ଦିନେ ଦୁଇଦିନରେ ଠିକ ହୋଇଯିବ। ସୋହିନୀର ଟେଲିଫୋନ ବାଜୁଥାଏ, କିଏ ଲକ୍ଷ୍ମଣ ବୋଧ ହୁଏ ହଁ ତ ଆଉ। ସେପଟୁ ଲକ୍ଷ୍ମଣ ଖୁସିରେ ଫାଟିପଡୁଥାଏ। ' ଆରେ ମୁଁ ଦେଖିସାରିଲିଣି, ତାର ରୋହିଣୀ ନକ୍ଷତ୍ର, ବୃଷ ରାଶି। ଜାଣିଛ କୃଷ୍ଣଙ୍କର ଜନ୍ମ ମଧ୍ୟ ଏହି ରାଶି ନକ୍ଷତ୍ରରେ ହୋଇଥିଲା,ତା ନାଁ ଆମେ ଶ୍ରୀରାଧା ଦେବା, ଡାକ ନାଁ ପରୀ, ନା କଣ କହୁଛ ? ଆଉ ଶୁଣ, ଆମ ଘର ଆଗରେ ଯେଉଁ କୃଷ୍ଣଚୂଡ଼ା ଗଛ, ସେଇଠି ତା ପାଇଁ ଦୋଳି ବନ୍ଧା ହେବ ସେ ସେଠି ଦୋଳି ଖେଳିବ। ଆମ ପରୀ ଆମ ଆଗଣାରେ ଖେଳିବନି ଉଡିବ ... ହା ହା ହା .... 


ଟେଲିଫୋନ ଏପଟେ ସୋହିନୀ, ଲକ୍ଷ୍ମଣର ଖୁସିକୁ ବେଶ ଅନୁଭବ କରି ପାରୁଥାଏ। ଲକଡାଉନ ନ ଥିଲେ ସେ ଆଜି ଏଠି ଥାନ୍ତେ, ସେପଟେ କିନ୍ତୁ ଲକ୍ଷ୍ମଣର କଥା ସରି ନଥାଏ, କେତେ କଣ ଆଶା, ସ୍ୱପ୍ନ ସେ ଅନର୍ଗଳ ଗପିଚାଲିଥାଏ। ସମସ୍ତେ ଖୁସି ଥାଆନ୍ତି। ଝିଅର ଅବସ୍ଥାରେ ସୁଧାର ଆସୁଥାଏ। କିନ୍ତୁ ପରଦିନ ଡାକ୍ତରଙ୍କର କଥାରେ ଦମ୍ଭ ନଥିଲା। ଦେଖିବା କଣ ହେଉଛି କହି ଚାଲିଗଲେ। 


ତିନି ଦିନ ହୋଇଗଲାଣି। ଏ କଥା ଲକ୍ଷ୍ମଣଙ୍କୁ ଜଣାଯାଇ ନାହିଁ। ସେଦିନ ରାତି ପାହିବା ପରେ କିନ୍ତୁ ଆଉ ଆଖି ଫିଟି ନଥିଲା ଝିଅର। ଓଃ କାନ୍ଦି ପାରୁ ନଥାଏ ସୋହିନୀ, ସେ ସ୍ୱପ୍ନ କଥା ଭାବୁଥାଏ। ସୋହିନୀର ଟେଲିଫୋନ ବାଜି ଉଠିଲା। ହଁ ତୁମେ ଫୋନ ରଖ, ଆମେ ଘରକୁ ଯାଇ କଥା ହେଉଛୁ କହି ସୋହିନୀ ଫୋନ ରଖି ଛୁଆଟିଏ ପରି କାନ୍ଦି ଉଠିଲା। ସେ ସ୍ୱପ୍ନ କଥା ତ ଆଖି ଆଗରେ ନାଚି ଉଠୁଥାଏ। ସେ ଯେମିତି ନିଜକୁ ଦୋଷୀ ଭାବୁଥାଏ। କାହିଁକି କେଜାଣି ସେ ପେଣ୍ଡୁକୁ ଧରି ପାରିଲା ନାହିଁ !


ସୋହିନୀର ଏକା ଜିଦ ତା ଝିଅକୁ ସେଇ କୃଷ୍ଣଚୂଡ଼ା ଗଛମୂଳେ ସମାଧି ଦିଆଯିବ, ସେୟା ହିଁ ହେଲା। ପୁଣି ଟେଲିଫୋନ ବାଜି ଉଠିଲା। 'ଆରେ ତୁମେ କଣ କାନ୍ଦୁଛ, ଓଃ ଖୁସିରେ, ମୁଁ ଜାଣେ ପରା, ଆଉ ଝିଅ କେଉଁଠି ?

-ଝିଅ ଶୋଇଛି, କେଉଁଠି ଜାଣ ? ତୁମ କୃଷ୍ଣଚୂଡ଼ା ଗଛ ତଳେ। ନିଜ କୋହକୁ ଚାପି ରଖି କହିଲା ସୋହିନୀ। 

- ଆରେ ଆରେ କଣ ଏବେଠୁ, ହଉ ହଉ ନେଇଯାଅ ଘରକୁ ଆଉ ଟିକେ ବଡ଼ ହୋଇଯାଉ ସେଠି ଶୋଇବ। ମୁଁ ତା ପାଇଁ ସେଠି ଗୋଟେ ଛୋଟ ଘରଟିଏ ତୋଳିଦେବି ଯେ। 

ଆଉ କଣ କହି ଚାଲିଥାନ୍ତି ଲକ୍ଷ୍ମଣ , ସୋହିନୀ ଶୁଣିପାରୁ ନଥାଏ । ଆଉ କେତେ ମିଛ କହିବ ଯେ ଭାବୁଥାଏ ସବୁ ସତ ସତ କହିଦେବ ବୋଲି କିନ୍ତୁ ତାକୁ ଯେମିତି କେହି ଜଣେ ଭିଡ଼ି ଧରୁଥାଏ ନ କହିବାକୁ। ଟେଲିଫୋନ କଟିଲା ପରେ ଲଥ କରି ସେ ବସି ପଡ଼ିଲା ସେ ଚାନ୍ଦିନୀ ଉପରେ।


Rate this content
Log in

Similar oriya story from Abstract