Chinmaya Kumar Nayak

Tragedy

3  

Chinmaya Kumar Nayak

Tragedy

ପାଗେଳି -୧

ପାଗେଳି -୧

3 mins
232



'ପାଗେଳି ଆଲୋ ଏ ପାଗେଳି', ଆରେ ୱାର୍ଡ ମେମ୍ବର ବାବୁ ଆସିଛନ୍ତି। କୁଆଡ଼େ ଗଲା କେଜାଣି, ଯାଇ ସେଇ ପୋଖରୀ କୂଳରେ ବସିଥିବ ଆଉ ପାଣିକୁ ଟେକା ପକଉଥିବ ପରା। ଭାରି ହୀନିକାପାଳୀଟେ। ତା ଜୀବନରେ କଣ ଏମିତି ହେବାର ଥିଲା।ହେ ଭଗବାନ! ସତରେ ତୁମେ ବଡ଼ ନିଷ୍ଠୁର। 


ଏଇ ପରା କାଲି ପରି ଲାଗୁଛି। ଅବଶ୍ୟ ଦୁଇ ବରଷ ବିତିଗଲାଣି କିନ୍ତୁ ସେ ଦିନଗୁଡ଼ାକ ଆଖି ଆଗରେ ନାଚି ଯାଉଛି। ଏଇ ପାଗେଳି ଗାଁ କୁ ବୋହୁ ହୋଇ ଆସିଥିଲା। ତା ନାଁ କାହାର ମନେ ନାହିଁ କିନ୍ତୁ କାହ୍ନା ତାକୁ ପାଗେଳି ବୋଲି ଡାକେ। ହସି ଉଠୁଥିଲା ତାର ସୁନାର ସଂସାର। ଘରଟା ଯେମିତି କୁରୁଳି ଉଠୁଥିଲା। ବରଷେ ନ ପୁରୁଣୁ ଭଗବାନ କୋଳରେ ପୁଅଟିଏ ଦେଇ ଖୁସିଟାକୁ ବହୁଗୁଣିତ କରିଦେଲେ। ଦୁହେଁ ହସି ହସି ବାଡ଼ିରେ ମିଶି କେତେ କଣ ଫୁଲ, ଫଳ, ପନିପରିବା ସବୁ ଗଛ ଲଗାନ୍ତି। ଘଣ୍ଟା ଘଣ୍ଟା ଧରି ବାଡ଼ି ପଛରେ ଥିବା ପୋଖରୀରେ କେତେ କଣ ଗପନ୍ତି ଚହଲା ପାଣିରେ ମୁହଁ ଦେଖନ୍ତି। ସତରେ ରାଧାକୃଷ୍ଣ ଯୋଡ଼ି। କେଇଜଣ ସହି ପାରନ୍ତି ନାହିଁ। ଘରକୁ ପଶି ଆସିଲେ ଲାଗେ ଯେମିତି ସାକ୍ଷାତ ଲକ୍ଷ୍ମୀ ବିଜେ କରିଛନ୍ତି। ଛୁଆଟିକୁ ଧରି ତିନିହେଁ ସ୍ୱର୍ଗସୁଖରେ ଦିନ କାଟୁଥିଲେ। କିନ୍ତୁ ସେ ଖୁସି ବେଶିଦିନ ରହିଲାନି। କାହା ନଜର ଲାଗିଲା କେଜାଣି ଚାହୁଁ ଚାହୁଁ ଦୁଃଖର ଏକ କାଳବୈଶାଖୀ ମାଡ଼ିଆସି ଧୂଳିସାତ କରିଦେଲା ହସର ମହଲଟିକୁ। ପାଗେଳିର ସ୍ୱାମୀ କାହ୍ନାର ଗାଁ ବଜାରରେ ଗୋଟେ ବଡ଼ ତେଜରାତି ଦୋକାନ। ଖୁବ ଭଲ ବେପାର ହୁଏ। କିନ୍ତୁ କି ଗୋଟେ ବିଦେଶୀ ମହାମାରୀ ଆସିଲା କେଜାଣି ହାଟ ବଜାର, ଗାଡ଼ି ମଟର ସବୁ ବନ୍ଦ ହୋଇଗଲା। ସମସ୍ତେ ମୁହଁ ଲୁଚେଇ ଯିଏ ଯାହା ଘରେ। କାହ୍ନା ବି ତା ପରିବାର କୁ ନେଇ ମହା ଆନନ୍ଦରେ ଦିନ କାଟୁଥାଏ। କିନ୍ତୁ ହଠାତ ଦିନେ ରାତିରେ କାହ୍ନାକୁ ଭୀଷଣ ଜ୍ଵର। କିଏ ଦଳେ ଆସିଲେ କଣ ଗୋଟେ ନାକରେ ପାଟିରେ କାଠିଟେ ପୁରେଇ ନେଇ ଚାଲିଗଲେ ଓ କହିଗଲେ ତାକୁ ଗୋଟିଏ ଘରେ ଅଲଗା ରହିବାକୁ। ତା ପରଦିନ ଦୁଇଜଣ ଆସି ଗୋଟେ ଗାଡ଼ିରେ ନେଇ କାହ୍ନାକୁ ମେଡ଼ିକାଲ ଚାଲିଗଲେ। ଯାଉ ଯାଉ କାହ୍ନା କହିଗଲା, "ପାଗେଳି ଲୋ ମନ ଦୁଃଖ କରିବୁନି,ଜଗନ ତତେ ଲାଗିଲା, ଏ ଘର, ବଗିଚା, ବାଡ଼ି, ପୋଖରୀ, ଆମ ଦୋକାନ ସବୁ ତତେ ଲାଗିଲା। ମୁଁ ଜାଣେ ତୁ ପାରିବୁ। ହଁ ପାସବୁକ ଟା ଆଲମାରିରେ ଅଛି। ମୁଁ ଖୁବ ଶୀଘ୍ର ସୁସ୍ଥ ହୋଇ ଫେରିଆସିବି। ମୋର କଣ ହେବ ? ତୁ ପରା ଅଛୁ, ମୁଁ କୁଆଡେ ଯିବି। ମୁଁ ଫେରିବି ନିଶ୍ଚୟ ଫେରିବି, ବ୍ୟସ୍ତ ହେବୁନି।" ପାଗେଳି କିଛି ବୁଝି ପାରୁ ନଥାଏ, ସେ ଯେମିତି ମୁକ ପାଲଟି ଯାଇଛି। ଲୋକେ କୁହାକୁହି ହଉଥାନ୍ତି, ତାକୁ କୁଆଡ଼େ କରୋନା ହୋଇଛି। ୱାର୍ଡ ମେମ୍ବର ଆସି ପାଗେଳିକୁ ବୁଝେଇ ଦେଇ ଗଲେ ସେ ୧୪ ଦିନ ରହି ଫେରି ଆସିବ, 'ତୁ ବ୍ୟସ୍ତ ହ ନା' । ପାଗେଳି ସେମିତି ଦାଣ୍ଡ ପିଣ୍ଡାରେ ବସି ଏକ ଲୟରେ କେତେ ସମୟ ଯେ ଚାହିଁ ରହିଛି ସେ ନିଜେ ବି ଜାଣେନା। ସେଇ ଦିନଠୁ ତା ଜହ୍ନ ପରି ମୁହଁଟାରେ ଗ୍ରହଣ ଲାଗିଛି ଯେ ଲାଗିଛି। କିନ୍ତୁ କିଏ ଜାଣିଥିଲା ଯେ ଏ ଗ୍ରହଣଟା ଚନ୍ଦ୍ରଗ୍ରହଣ ପରି ଦଣ୍ଡେ କି ଘଡ଼ିଏ ପାଇଁ ନୁହେଁ, ବିଚାରି ପାଗେଳିର ପୁରା ଜୀବନଟାକୁ ଗ୍ରାସ କରିଯିବ ବୋଲି ! ସମୟର ଚକରେ ଏମିତି କେତେବେଳେ ଯେ ହଠାତ ଗଣ୍ଠି ପଡିଯିବ ଓ କାହାକୁ ଗଣ୍ଠିଲି ବାନ୍ଧିବାକୁ ପଡ଼ିବ, ସେ କଥା କାହାକୁ ବି ଜଣା ନଥାଏ। ସପ୍ତାହେ ପରେ ଖବର ଆସିଲା କି କାହ୍ନା ମେଡିକାଲରେ ଚାଲିଗଲା। କରୋନା ପାଇଁ ମେଡ଼ିକାଲ ବାଲାଏ ନେଇ ତାକୁ ନେଇ ପୋଡ଼ିଦେଲେ।


ହେଇ ପରା ଏଇଠି ବସିଛି। 'ଆଲୋ ମା ପାଗେଳି ଆସିଲୁ ଆସିଲୁ, ପାଖକୁ ଆ। ସେ ପଛକୁ ବୁଲି ଚାହିଁଲା ଓ ପୁଣି ମୁହଁ ଫେରେଇ ନେଲା। ଆଲୋ ୱାର୍ଡ ମେମ୍ବର ଆସିଛନ୍ତି ପରା, ତୋତେ କଣ କହିବେ। ସେ ନିର୍ବିକାର, ନିଷ୍ପନ୍ଦ। କାହ୍ନା ଆଉ ନାହିଁ ଲୋ, ସେ ସବୁଦିନ ପାଇଁ ଚାଲିଯାଇଛି। ତା'ର ସଂସ୍କାର ସରିଯାଇଛି। ବାକି ସବୁ ଶୁଦ୍ଧିକ୍ରିୟା କାମ ଆମେ ସମସ୍ତେ ମିଳିମିଶି କରିନେବା। ସେ ପୁଣି ବୁଲି ଚାହିଁଲା ଓ ତା ଓଠରେ ଏକ ତାଛଲ୍ୟର ହସ ଥିଲା। ଆରେ ଏ କଣ, ପାଗେଳି ଟା ନା କଣ ? ସ୍ୱାମୀ ମରିବା ଖବର ଶୁଣି କିଏ କଣ ହସେ ? ଘର ଭିତରୁ ଜଗନର କାନ୍ଦ ଶୁଭିଲା। ପାଗେଳି ଦଉଡି ଗଲା ଓ ପୁଅକୁ କୋଳକୁ ନେଇ ଗେଲ କରି ପକାଉଥାଏ, ମୋ ଧନଟା ଉଠିପଡ଼ିଲା କି ? ଜାଣିଲୁ ମୋ ନାଁ ସିନା ପାଗେଳି କିନ୍ତୁ ଏ ଗାଁ ଲୋକ ଗୁଡ଼ାକ ପାଗଳ ହେଇଯାଇଛନ୍ତି। କହୁଛନ୍ତି ତୋ ବାପା କୁଆଡେ ଚାଲିଗଲେ। ଆରେ ମୁଁ କଣ ଜାଣିନି ସେ ଚାଲିଯାଇଛନ୍ତି। ଏଇ ଗଲା ରବିବାର ପରା ମୋ ଆଖି ଆଗରେ ଗାଡ଼ିରେ ବସି ଗଲେ, ଆଉ ମତେ କହିଯାଇଛନ୍ତି ଖୁବ ଶୀଘ୍ର ଫେରିବେ ବୋଲି। ଆଉ ଏମାନେ କଣ ୟାଡୁ ସାଡୁ କହି ମୋ ମୁଣ୍ଡ ଖରାପ କରୁଛନ୍ତି। ହଉ ଚାଲେ ମୁଁ ତତେ ଖୁଆଇ ଦେବି। ବାପା ଫେରିଲା ବେଳକୁ କେତେ ଖେଳନା ଆଣି ଆସିବେ। ହଁ ଡେରି ହେଇପାରେ, କିନ୍ତୁ ସେ ଫେରିବେ। ହଁ ସେ କହି ଯାଇଛନ୍ତି ମାନେ ସେ ଫେରିବେ, ନିଶ୍ଚୟ ଫେରିବେ। ଆଉ ଆମେ ଆମ ପୋଖରୀ କୂଳରେ ବସି ଚହଲା ପାଣିରେ ମୁହଁ ଦେଖିବା। ହଁ ହଁ ତୁ ବି ଯିବୁ। ଆ ଲୋ ମୋ ଧନ ଟା। ଧୋ ରେ ବାଇଆ ଧୋ, ଯେଉଁ କିଆରୀରେ ଗହଳ ମାଣ୍ଡିଆ ସେଇ କିଆରୀରେ ଶୋ।



Rate this content
Log in

Similar oriya story from Tragedy