PRANATI MAHAPATRA

Inspirational

3  

PRANATI MAHAPATRA

Inspirational

ଏଥିପାଇଁ ଦାୟୀ କିଏ

ଏଥିପାଇଁ ଦାୟୀ କିଏ

7 mins
543



ସର୍ବ ଧର୍ମ ସମନ୍ଵୟର ଦେଶ ମୋ ଭାରତ। ବାରମାସରେ ତେର ଓଷାବ୍ରତ ଏଠାରେ ପାଳନ ହୁଏ।ଏଠାରେ ହିନ୍ଦୁ ମୁସଲମାନ ମାନଙ୍କ ମଧ୍ୟରେ ଖୁବ୍ ସୁନ୍ଦର ଭାଇଚାରାର ସମ୍ପର୍କ ଥାଏ।ତାଜିଆ ବାହାରିଲେ ହିନ୍ଦୁ ଭାଇଟିଏ ଯୋଗଦିଏ ସେ ଉତ୍ସବ ରେ ତ ଶ୍ରୀରାମ ନବମୀ, ଦଶହରାରେ ମାଆ ଦୁର୍ଗା ଙ୍କର ମୂର୍ତ୍ତି ନିର୍ମାଣ କରେ ମୁସଲମାନ ଭାଇ।ସେହିଭଳି ଆଜି ହେଉଛି ପବିତ୍ର ଦୀପାବଳି।ସହରର ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ବସିଛି ବାଣ ବଜାର। ହଜାର ହଜାର ଟଙ୍କା ଫୋପାଡ଼ି ଦେଇ ଆଜି ବାରୁଦ ତିଆରି ବିଷାକ୍ତ ବିସ୍ଫୋରକ ଦ୍ରବ୍ଯ ପୋଡ଼ି କିଏ କେତେ ଆନନ୍ଦ ଅନୁଭବ କରିବେ।


ଆଜି ପୁଣି ବଡ଼ବଡୁଆଙ୍କୁ ପିଣ୍ଡଦାନ କରାଯାଏ।ବିଶ୍ଵାସ କରାଯାଏ କି ଆଜିର ଦିନରେ ବଡ଼ବଡୁଆ ଅର୍ଥାତ ନିଜ ନିଜ ଘରର ପିତୃପୁରୁଷ ଗଣ ଆସିଥାନ୍ତି, ନିଜ ପୁତ୍ର,ପ୍ରପୌତ୍ର ଇତ୍ୟାଦି ଙ୍କୁ ଶୁଭାଶ୍ରିବାଦ ଦିଅନ୍ତି କି ତାଙ୍କ ବଂଶ ଉଜ୍ଜଳ ହେଉ।କୂଳର ମାନମହତ ରହୁ।କୂଳରେ ଜ୍ୟୋତିସ୍ମାନ ସନ୍ତାନ ଜନ୍ମଗ୍ରହଣ କରି କୂଳ ଉଜ୍ଜଳ କରନ୍ତୁ।ଏହା ବିଶ୍ୱାସ ରହିଛି।ସେଥିପାଇଁ ଶୁଦ୍ଧପୂତ ହୋଇ ଘରର ମୁରବି ମାନେ ବିଭିନ୍ନ ପ୍ରକାର ଆୟୋଜନ କରନ୍ତି।ବିଭିନ୍ନ ପ୍ରକାର ଫଳ,ଛତୁଆ,ଗୁଡ଼,ଘିଅ ରେ ଏକ ଭୋଗ ପ୍ରସ୍ତୁତ କରାଯାଏ।ପଣସ ପତ୍ରକୁ ସୁନ୍ଦର ଭାବରେ ଠୋଲା କରି ,ତା ମଧ୍ୟରେ ସେ ଭୋଗ ରଖି ,ପିପାକାଠି ମୁଣ୍ଡରେ ତୁଳାବତୀ ଦେଇ,ଶୁଦ୍ଧ ଗୁଆଘିଅ ମାରି ଜଳାଇବା ପରେ ବ୍ରାହ୍ମଣ ଦ୍ଵାରା ସାତପୁରୁଷଙ୍କୁ ପିଣ୍ଡଦାନ କରାଯାଏ।

ବଡ଼ବଡ଼ ମାଟିଦୀପ ରେ ଜଡାତେଲ ଦେଇ ଘରର ସବୁ ଦୁଆରେ, ତୁଳସୀ ଗଛ ମୂଳରେ, ଦାଣ୍ଡ ଦୂଆରେ ଇତ୍ୟାଦି ସବୁଆଡେ ଦୀପ ଜଳାଇ ଆଲୋକ ମୟ କରାଯାଏ।ରାତ୍ର ବାର ଘଟିକାରେ ସାଇଭାଇ ମିଶି ସାହିର ମଧ୍ୟ ଭାଗର ଲମ୍ବା ଲମ୍ବା ପିପାକାଠି ଜଳାଇ ଥାନ୍ତି।ଆଉ ଉଚ୍ଚ ସ୍ଵରରେ ପିତୃପୁରୁଷଙ୍କୁ ଆବାହନ କରି କହନ୍ତି,

ବଡ଼ବଡୁଆ ହୋ ଓ ଓ

ଆଲୁଅରେ ଆସ,

ଅନ୍ଧାରରେ ଯାଅ,

ଗଙ୍ଗା ଯାଅ,ଯମୁନା ଯାଅ,

ଗୋଦାବରୀ ଯାଅ

ସରସ୍ଵତୀ ଯାଅ,

ଗୟା ଯାଅ।

ମଝି ଦାଣ୍ଡରେ ଗଡ଼ଗଡ଼ ହେଉଥାଅ।ଆମ ସଭିଙ୍କୁ ଆଶୀର୍ବାଦ ଦିଅ।

ସମସ୍ତେ କୁଶଳ ମଙ୍ଗଳେ ଥାଆନ୍ତୁ।ବଡ଼ବଡୁଆ ହୋ ଓ ଓ।


ଏ ତ ଥିଲା ଦୀପାବଳି ପାଳନର ଉଦ୍ଦେଶ୍ୟ, ମହତ୍ତ୍ଵ।ଆମ ବାପା ଗୋସିବାପା ଏଭଳି ପାଳନ କରନ୍ତି।ଯାହା ଆମେ ଦେଖିଛୁ।



ଆଲୋକର ପର୍ବ ତଥା ଆନନ୍ଦ ଉଲ୍ଲାସର ମହାପର୍ବ ଦୀପାବଳି ଅମାବାସ୍ୟା ଖୁବ୍ ଧୁମଧାମରେ ସାରା

ସହର ବହୁତ ରାତିଯାଏ ପାଳନ କରି

ବିଳମ୍ବିତ ରାତିରେ ନିଦ୍ରା ଦେବୀ କୋଳରେ ଶାନ୍ତି ରେ ଶୋଇଥାନ୍ତି ସମସ୍ତେ।କିଏ କେତେ ପ୍ରକାର ବିସ୍ଫୋରକ ,ଆକାଶ ବେଲୁନ,ବିରାଟ ବଡ଼ବଡ଼ ବାଣ,ଯାହାକି ପୃଥିବୀ ଫାଟି ଗଲା ଭଳି ଶବ୍ଦ କରେ,ସେହିସବୁ ବାଣ ଆଣି ଫୁଟାଇ ଥାନ୍ତି।କେଉଁଠି କେଉଁଠି ଜିଲ୍ଲାପାଳ ଘୋଷଣା କରିଛନ୍ତି ଶବ୍ଦ ଥିବା ବାଣ କେହି ଫୁଟାଇ ପାରିବେ ନାହିଁ ବୋଲି।ହେଲେ ସେଥିପ୍ରତି ବୋଧହୁଏ କାହାର ଖାତିରି ନ ଥାଏ।ଲୁଚିଛପି ବି ବାଣ ଫୁଟା ଚାଲିଲା।ବଡ଼ବଡୁଆଙ୍କୁ ପିଣ୍ଡଦାନ ଇତ୍ୟାଦି ବି ହେଲା।ପ୍ରଦୀପ ପ୍ରଜ୍ଜଳନ କରି ଲୋକମାନେ ସାରା ସହରକୁ ଆଲୋକ ମୟ କରିଦେଇଛନ୍ତି।ଚାଇନା ଲାଇଟରେ ସାରା ସହର ଝଲମଲ ହେଉଥାଏ।ଯେତେ ଚାଇନା ଜିନିଷ ପତ୍ର ବର୍ଜନ ର ନାରା ଛୁଟିଲେ କଣ ହେବ,ଆମେ ଯଦି ନିଜେ ସଚେତନ ନ ହେବା ସରକାର କଣ ଘରଘର ବୁଲି ଚେକ୍ କରି ସଚେତନ କରେଇବେ।

ଗୋଟିଏ ଲୋକଛଟା ଅଛି ଯେ-

ମୋତେ ଯେତେ ମାଠିବୁ ମାଠ୍

ମୁଁ ସେଇ ଦରପୋଡା କାଠ୍।

କୁକୁର ଲାଙ୍ଗୁଡ କୁ ବାରବର୍ଷ ନଳରେ ପୁରେଇଲେ ସେ ଯେଉଁ ବଙ୍କା କୁ ସେଇ ବଙ୍କା।ଆମ ଅବସ୍ଥା ବି ଠିକ ସେଇୟା।ଏଠି କହିବ କାହାକୁ ଅବା ଶୁଣିବ କିଏ?

ସବୁ ଅଳିଆ ତ ଟାଣିଟୁଣି ଆଣି ନିଜ ମୁଣିରେ ସମସ୍ତେ ଭର୍ତ୍ତି କରୁଛନ୍ତି।ନିଜ ଘର ସଫାକରି ଅଳିଆ ଆବର୍ଜନା କୁ ରାସ୍ତା ଉପରେ, ନାଳ ଭିତରେ ପକେଇବେ।ପରିବେଶ ପରିସ୍କାର ରହିବ ବା କେମିତି।

ସମସ୍ତେ ତ ଏଠି ନିଜ ହାତେ ଚଉଦ ପାଆ।

ନିଜକୁ ନିଜେ ଜଣେ ଜଣେ ବିଜ୍ଞ,ଗୁଣୀ, ଜ୍ଞାନୀ ବୋଲି ଲମ୍ବା ଲମ୍ବା ସାର୍ଟିଫିକେଟ ଧରି ବୁଲୁଛନ୍ତି।ଆଉ ବୁଝେଇବା କାହାକୁ।ଯାହାକୁ କହିବାକୁ ବାହାରିବ ଆଗେ ନିଜ ଗାଲରେ ନିଜେ ଢୋ ଢା କରି ଚାପୁଡା ଖାଇବା ପରିସ୍ଥିତି ହେବ।ସେଥିପାଇଁ କିଛି ମୂରବୀ ତୁଲ୍ୟ ଲୋକ ସବୁବେଳେ ଯେମିତି ପାଟିରେ ତାଲା ଦେଇଥାନ୍ତି।ରାତି ସାରା ଢୋ ଢା,ଭିତରେ ଆକାଶ, ପାତାଳ,ପୃଥିବୀ କମ୍ପୁଥାଏ।ଯେତେ ଯେତେ ଟଙ୍କା ନିଆଁରେ ପାଉଁଶ କରି ଦେଉଥାନ୍ତି ,ଯଦି ନିରବେ, ନିଶ୍ଚଳେ ଚିନ୍ତା କରି ଥାନ୍ତେ କି ଏଇ ଟଙ୍କା ଯଦି ଗରୀବ ଗୁରୁବାଙ୍କୁ ଦେଇଥାନ୍ତେ, ଅବଶ୍ୟ କିଛି ଦିନ ସେମାନଙ୍କ ପେଟ ଚିନ୍ତା ରହି ନ ଥାନ୍ତା।କି କାହାକୁ ଯଦି ବାସସ୍ଥାନ ଅବା ଥଇଥାନ କରିବାର ନିଷ୍ପତ୍ତି ନେଇଥାନ୍ତେ କେତେ କଲ୍ୟାଣ ନ ପାଇଥାନ୍ତେ।କିଏ ବୁଝୁଛି ଏ କଥା।ସମସ୍ତେ ତ ଠୋ ଠା, ଢୋ ଢା ରେ ବ୍ୟସ୍ତ।



ବଡି ସକାଳୁ ସକାଳୁ ରାଧୁ ମାଆ ଡକା ପକେଇଲା,ରେ ମୋ ସଂସାର ଭାସିଗଲା ରେ।କିଏ ଟିକେ ମୋତେ ସାହାଯ୍ୟ କର।ଖୁବ୍ ବଡ଼ ପାଟିରେ ପାଗେଳି ଭଳି ଏମିତି କହୁଥାଏ।


ମୁଁ ବି ନିଘୋଡ଼ ନିଦରେ ଶୋଇଥାଏ।କାରଣ ଦୀପାବଳି ପାଇଁ ନିକଟରେ ଥିବା ଏକ ଭିନ୍ନକ୍ଷମ ବିଦ୍ୟାଳୟରେ ଆମେ ୧୨ଜଣ ସାଙ୍ଗ ମିଶି ସେଠାକାର ପିଲାମାନଙ୍କୁ ସୁସ୍ଵାଦୁ ଭୋଜନ ପାଇଁ ନିଜ ହାତରେ ରୋଷେଇ କରି ଖାଇବାକୁ ଦେଲୁ।ମାଟିଦୀପ ଆଣି ବିଦ୍ୟାଳୟ ସାରା ଆଲୋକ ମୟ କଲୁ।ଏବଂ ଶେଷରେ ସେହି ପିଲାମାନଙ୍କୁ ନେଇ ଏକ ଭଜନ ସନ୍ଧ୍ୟାର ଆୟୋଜନ କରି ବିଳମ୍ବିତ ରାତିରେ ଫେରିଥିଲୁ।ଆମେ ସେଠାକାର ପିଲାମାନଙ୍କୁ ନୂତନ ବସ୍ତ୍ର ସହ ଶୀତବସ୍ତ୍ର ପ୍ରଦାନ କରି ଆସିଥିଲୁ।ଥକ୍କା ରେ ମୁଁ ଶୋଇ ଯାଇଥାଏ।।ମାଆ ମୋର ମୋତେ ସେତେବେଳକୁ ତିନି ତିନି ଥର ଡାକି ଗଲାଣି।ମୁଁ ନ ଉଠିବାରୁ ମୋ ମାଆ ମୋତେ ଟାଣି ଘୋଷାଡି ଉଠେଇଲା।ଆଉ ଯୋରରେ ଗାଳି ଦେବା ଭଙ୍ଗୀରେ କହିଲା,ଆରେ ଅଭି ,ଆରେ ଉଠ ରେ।ସେ ରାଧୁ ମାଆ କାହିଁକି ଏମିତି ବିକଳ ହୋଇ ଡାକୁଛି, ଟିକେ ଯାଇ ଦେଖି ଆସେ।

ଗୋଟିଏ ସ୍ଥାନରେ ରହିଛନ୍ତି ଯେତେବେଳେ ଅନ୍ୟର ବିପଦ ଆପଦରେ ସମସ୍ତେ ସମସ୍ତଙ୍କୁ ତ ସାଧ୍ୟମତେ ସାହାଯ୍ୟ ସହଯୋଗ କରିବା ନା।

ଟିକେ ଯାଆ,ଦେଖି ଆସେ କଣ ହୋଇଛି। ଏସବୁ କଥା ମାଆ ମୁହଁରୁ ଶୁଣି ଧଡକିନା ବିଛଣାରୁ ଉଠି ବସିଲି।ବେସିନରେ ମୁହଁ ହାତ ଧୋଇ ବାହାରି ଗଲି ରାଧୁ ଘରକୁ।

ସେଠାରେ ଦେଖିଲି ରାଧୁର ବାପାଙ୍କ ଦେହ ଅତ୍ୟନ୍ତ ଖରାପ।

ରାଧୁ ମାଆ ଙ୍କୁ ଖୁଡି ବୋଲି ଡାକେ।ପଚାରିଲି ଖୁଡୀଙ୍କୁ।

ଖୁଡୀ ,ଦାଦାଙ୍କ ର କଣ ହୋଇଛି।ଖୁଡୀ କହିଲେ, କଣ କହିବିରେ ବାପ,ରାତି ଦୁଇଟା ରୁ ତ ଦେହ କଣ ହେଉଛି ହେଉଛି ଯେ,ଖାଲି ଛାତି ମୁଣ୍ଡ କହି ଯନ୍ତ୍ରଣା ପାଉଛନ୍ତି।ଏଇ ରାତି ୪ଟା ପାଖରୁ ବେଶୀ ହେଉଛି।ତାଙ୍କୁ ଟିକେ ଡାକ୍ତରଖାନା ନେଇ ଯାଆନ୍ତୁ ପୁଅ।କଣ କରିବି ,ତାଙ୍କ ଯନ୍ତ୍ରଣା ଆଉ ସହି ପାରୁନି।ପୁଅ ତ ନାହିଁ।ବିଦେଶରେ ପାଠ ପଢୁଛି।କିଏ ଅଛି ଯେ ମୋର ବୋଲି ନିଜର।ତୁମ ମାନଙ୍କୁ ତ ମୋର ନିହାତି ଆପଣା ଠୁ ଆପଣାର ଭାବେ।ପୁଅ ବଦଳି ତ ତୁ ମୋର ପୁଅ। ଏ ବାପକୁ ଟିକେ ଚାହାଁ ରେ ବାପା।ମେଡ଼ିକାଲ ଟିକେ ନେଇ ଯା।ମୋ ବାପ,ମୋ ଧନ।ମୋ ଦୁଃଖ ଟିକେ ଶୁଣ।


ଏସବୁ ଶୁଣିବା ଭିତରେ ମୁଁ ଶହେ ଆଠ ଆମ୍ବୁଲାନ୍ସ କୁ ଫୋନ କରି ସାରିଥାଏ।

ଆମ୍ବୁଲାନ୍ସ ଆସି ଦଶ ମିନିଟ ଭିତରେ ପହଞ୍ଚି ଗଲା।ଦାଦାଙ୍କ ସହ ଖୁଡୀ ଆମ୍ବୁଲାନ୍ସ ରେ ବସିଲେ।ମୁଁ ଘରକୁ ଆସି ପ୍ୟାଣ୍ଟ ସାର୍ଟ ପିନ୍ଧି ଆଉ କିଛି ଟଙ୍କା ନେଇ ତାଙ୍କ ପଛେ ପଛେ ବାଇକରେ ଗଲି ଡାକ୍ତରଖାନା।ସେଠାରେ ବି ଅଭାବନୀୟ ପରିସ୍ଥିତି ମୋ ଆଖିରେ ପଡିଲା।ଗତକାଲି କଣ ହୋଇଛି କେଜାଣି ବହୁତ ରୋଗୀଙ୍କ ଭିଡ଼।ମେଡିସିନ ଓ୍ଵାର୍ଡରେ ଗୋଟିଏ ବି ବେଡ଼ ନାହିଁ।ତଳେ ଲୋକମାନେ ଶୋଇଥାନ୍ତି ଓ ସାଲାଇନ୍ ବି ଲାଗିଥାଏ।ସେମାନେ ସେମିତି ତଳେ ଶୋଇବା ଅବସ୍ଥାରେ ଡାକ୍ତର ବାବୁ ଆସି ଚିକିତ୍ସା କରୁଥାନ୍ତି।ମେଡ଼ିସିନ, ଇଞ୍ଜେକସନ ଆଦି ଯାହା କୁ ଯାହା ଦରକାର ଲେଖି ଦେଇ ଯାଉଥାନ୍ତି।ଓଃ ସେ କି କରୁଣ ଦୃଶ୍ୟ।ମନେ ମନେ ଭାବିଲି ଏ ଯାଗାରେ ଯଦି କିଛି ଦିନ ମଣିଷ ରହିଯିବ, ତେବେ କେବେବି ଆଉ ନିଜ ନିଜ ମଧ୍ୟରେ କଳିଗୋଳ, ମାନ,ମନାନ୍ତର କରିବନି।କାରଣ ଯମ ଯନ୍ତ୍ରଣା ଠାରୁ କୌଣସି ଗୁଣରେ କମ୍ ନୁହେଁ ସେ ଜାଗା।

ମୁଁ ଯାଇ ସିଧା ଡ଼ାକ୍ତର ବାବୁଙ୍କ ଗୋଡ଼ ଧରିନେଲି।

ଯାହା ହେଉ ଦାଦାଙ୍କର ଗୁରୁତର ଅବସ୍ଥା ଦେଖି ଡାକ୍ତର ବାବୁ ଆଇସିୟୁ ଭିତରକୁ ନେଇଗଲେ।ଦୀର୍ଘ ସମୟ ପରୀକ୍ଷା ନିରୀକ୍ଷା କରି କରି ବାହାରକୁ ଆସି ଖବର ଦେଲେ ଯେ,ଏ ବାବୁଙ୍କର ହାର୍ଟ, କିଡନୀ ଏମିତି ଅନେକ ପରୀକ୍ଷା ଦରକାର।ଶୀଘ୍ର ଏସବୁ କରି ରିପୋର୍ଟ ଆଣ ଆଉ ବ୍ଲଡ ବି ଟେଷ୍ଟ କରିଆଣ।ଏ ପେସେଣ୍ଟକୁ ବ୍ଲଡ ଦରକାର।ଏ ସାଲାଇନ୍ଓ ଇଞ୍ଜେକସନ କିଣି ଆଣ।ଯାହା ହେଉ ଦୌଡାଦୌଡି କରି ଏଠୁ ସେଠୀକୁ,ସେଠୁ ଏଠିକୁ କରି ସବୁ ପରୀକ୍ଷା କରାଇଲୁ।


ରାଧୁ ତ ବାହାରେ ରହି ପଢାପଢି କରୁଥାଏ।

ଗୋଟିଏ ବୋଲି ପୁଅ। ଦାଦା ରେଳ ବିଭାଗରେ ଚାକିରୀ କରୁଥିଲେ।ଖୁବ୍ ଦୟାଳୁ ଓ ପରୋପକାରୀଓ ଅମାୟିକ ବ୍ୟକ୍ତି।ଦୁଇମାସ ହେଲା ଅବସର ନେଇ ଘରେ ରହୁଛନ୍ତି।ଘର ଆଖପାଖ ସବୁବେଳେ ପରିସ୍କାର ପରିଛନ୍ନ କରୁଥାନ୍ତି।ଫାଙ୍କା ଜାଗା ଦେଖିଲେ କୋଡି କୋଦାଳ ଧରି ବୃକ୍ଷ ରୋପଣ କରୁଥାନ୍ତି।କେମିତି ପରିବେଶ ପ୍ରଦୂଷଣ ହେଉଛି ସେ ବିଷୟରେ ଘଣ୍ଟା ଘଣ୍ଟା ଧରି ଲୋକ ମାନଙ୍କୁ ବୁଝାନ୍ତି।ନାଳ ନର୍ଦ୍ଦମା ସଫାକରିବାକୁ ଆଗଭର ହୋଇ ବାହାରି ପଡ଼ନ୍ତି।

ଡାକ୍ତରଖାନାରେ ରହିବାର

ତିନି ଚାରି ଦିନ ହୋଇଗଲାଣି, ତାଙ୍କ ପାଖରେ ଖୁଡିଙ୍କ ସହ ମୁଁ ବି ରହିଥାଏ।କେତେବେଳେ କଣ ଆବଶ୍ୟକ ହେବ,ଏ ବୟସ୍କ ଲୋକ କେମିତି କଣ କରିବେ ସେଥିପାଇଁ ମୁଁ ତାଙ୍କ ପାଖେ ପାଖେ ରହୁଥାଏ।ଖୁଡୀ ଖାଲି ବ୍ୟସ୍ତ ହେଉଥାନ୍ତି।କେତେ ଦିଅଁକୁ ମାନସିକ କରୁଥାନ୍ତି।କେମିତି ଦାଦାଙ୍କ ଆରୋଗ୍ୟ ହେବ ସେଥିପାଇଁ।ଦୁଇଦିନ ପରେ ଦାଦା ଆଇସିୟୁ ରୁ ବାହାରି ବେଡ଼ରେ ରହିଲେଣି । ତାଙ୍କ ବେଡ଼ ପାଖାପାଖି ଆଉ ଦୁଇଜଣ ବୁଢ଼ୀ ବି ରହିଥିଲେ।ସେମାନଙ୍କ ଅବସ୍ଥା ବି ଶୋଚନୀୟ।ଏହି ଏହି କିଛି ସମୟ ମଧ୍ୟରେ ଦୁଇଜଣ ଲୋକଙ୍କ ମୃତ୍ୟୁ ବି ଆମେ ଆଖି ଆଗରେ ଦେଖିଲୁଣି।


ସେସବୁ ଦେଖି ଦେଖି ମୋତେ ବି ବଡ଼ ବ୍ୟସ୍ତ ଲାଗୁଥାଏ।କାରଣ ଅତି ନିକଟରୁ ମୁଁ କେବେବି କାହାର ନିହତର ଦୃଶ୍ୟ ଆଖି ଆଗରେ ଦେଖି ନ ଥିଲି।।ଦାଦା ଡ଼ଇ ଏସବୁ ଦେଖି ବଡ଼ ବ୍ୟସ୍ତ ହେଉଥାନ୍ତି।ଆମେ ଖାଲି ତାଙ୍କୁ ଏଣୁ ତେଣୁ କହି କଥା ବୁଲେଇ ଦେଉଥିଲୁ।ହେଲେ ମୋ ଭିତରେ ଭିତରେ ଖାଲି କାନ୍ଦ କାନ୍ଦ ହୋଇଯାଉଥାଏ ମୁଁ।ଆଖିରେ ଲୁହ ଜକେଇ ଆସୁଥାଏ।

କଣ କରିହେବ।ପୁଅ ରାଧୁକୁ ବାରମ୍ବାର ଖୋଜୁଥାନ୍ତି।ପିଲାଟା କୂଳରେ ଲାଗି ପାରିଲା ନାହିଁ ବୋଲି ଅନୁତାପ କରୁଥାନ୍ତି।ଏହା ମଧ୍ୟରେ ଛଅଦିନ ହୋଇ ଯାଇଥିଲା।


ହେଲେ ଛଅଦିନ ଦିନ ସକାଳ ସାଢେ଼ ଆଠଟା ବେଳକୁ ଦାଦା ଆଉ କିଛି କଥାବାର୍ତ୍ତା କଲେ ନାହିଁ।ଖୁଡୀ ଡାକ୍ତରଙ୍କୁ ଡାକ ପକେଇଲେ।

ଡାକ୍ତର ଖାନାରେ କିଏ ବା କାହାକଥା ଶୁଣୁଛି।ସଭିଏଁ ତ ଏକା ନାଆରେ।

ମୁଁ ଚା ପିଇବାକୁ ବାହାରକୁ ପଳେଇ ଆସି ଥିଲି।ଚା ପିଇସାରି ଦଶ ପନ୍ଦର ମିନିଟ ଭିତରେ ଫେରି ଆସିଲି।ଦେଖିଲି ଯେ ଖୁଡୀ ଖାଲି କାନ୍ଦୁଥାନ୍ତି।ମୁଁ ଡାକ୍ତର, ନର୍ସ ଏମାନଙ୍କୁ ଖୋଜୁଥାଏ।ଜଣେ ସାର୍ ଙ୍କୁ ଦେଖି ଡାକି ଆଣିଲି।ସେ ଦାଦାଙ୍କୁ ଦେଖି ମୃତ ବୋଲି ଘୋଷଣା କଲେ।

ହେଲେ କାରଣ ପଚାରିବାରୁ ସେ ଦାଦାଙ୍କ ସବୁ ପ୍ରେସକ୍ରିପସନ ଦେଖି ଯାହା କହିଲେ ,ମୋ ମୁଣ୍ଡ ଗୋଳମାଳ ହୋଇଗଲା।

ଖୁଡି ପଚାରିଲେ ସାର୍, ଏ କାହିଁକି କଥା କହୁ ନାହାଁନ୍ତି।

ଡାକ୍ତର- ମାଉସୀ ସେ ଆଉ କେବେବି କଥା କହିବେ ନାହିଁ।ସେ ଆଉ ନାହାଁନ୍ତି।ଗତ ଦୀପାବଳିର ଶବ୍ଦ ପ୍ରଦୂଷଣ, ବାୟୁ ପ୍ରଦୂଷଣ ଯୋଗୁଁ ଏହି ଡାକ୍ତରଖାନାରେ ବାରଜଣ ଏହି ବୟସର ବ୍ୟକ୍ତି ଚାଲିଗଲେଣି।ହାର୍ଟ 

ଷ୍ଟ୍ରୋକ ମୁଖ୍ୟ କାରଣ।ବିଷାକ୍ତ ବାୟୁ, ଉଚ୍ଚ ଶବ୍ଦ ପ୍ରଦୂଷଣ ହିଁ ଏମାନଙ୍କ ଜୀବନ ହାନିର କାରଣ।ଏମାନେ ହେଲେ ବୟସ୍କ।ଛୋଟ ପିଲା ଓ ଏ ବୟସର ଲୋକମାନଙ୍କ ପାଇଁ ଏଭଳି ପରିବେଶ ବହୁତ କଷ୍ଟଦାୟକ।


ବିଷାକ୍ତ ବାୟୁ ଆମ ଶରୀର ପାଇଁ କେତେ ହାନିକାରକ ତାକୁ କେହି ବୁଝି ପାରୁ ନାହାଁନ୍ତି।ବିଶୁଦ୍ଧ ଅମ୍ଳଜାନ ଅଭାବରୁ ସବୁ ସମସ୍ୟା ହୁଏ।ତା ପରେ ଏବେ ଯେଉଁ ବିସ୍ଫୋରକ ସାମଗ୍ରୀ ଆସୁଛି ବଜାରକୁ, ବୟସ୍କ ଲୋକମାନେ ସେସବୁ ସହ୍ୟ କରି ପାରନ୍ତି ନାହିଁ।ଯାହା ଫଳରେ ସେମାନଙ୍କ ହାର୍ଟ ଷ୍ଟ୍ରୋକ ହୁଏ।

ଏଇ ଦେଖନ୍ତୁ, ଡ଼ାକ୍ତରଖାନାରୁ ପ୍ରତ୍ୟେକ ଦିନ ଗାଡ଼ି ଗାଡ଼ି ଆବର୍ଜନା ବାହାରୁଛି।ସେସବୁ ଯଦି ପରିସ୍କାର ପରିଛନ୍ନ ନ ହୁଏ, ତେବେ ପରିବେଶ ପ୍ରଦୂଷଣ ତ ନିହାତି ହେବ।

ଡାକ୍ତର ବାବୁ ପ୍ରାଞ୍ଜଳ ଭାବରେ ବୁଝାଇବା ପରେ ଆଉ କିଛି ପଚାରିବାକୁ ନ ଥାଏ।ଡିସଚାର୍ଜ କାଗଜ ଖଣ୍ଡିକ ଧରି ଘରକୁ ଫେରିଲୁ।

ବହୁତ ଭଲ ଲୋକ ଥିଲେ ଦାଦା।ସେଥିପାଇଁ ସମସ୍ତେ ତାଙ୍କ ପାଇଁ ଲୁହ ଗଡାଉଥାନ୍ତି।

ଏପଟେ ଜଣେ ମାଉସୀ ଆସି ଖବର ଦେଲେ କି ,ଖୁଡୀଙ୍କର ଗୁହାଳରେ ଥିବା ଦୁଇଟି ଦୁହାଁଳିଆ ଗାଈ ବି ଯନ୍ତ୍ରଣାରେ ଛଟପଟ ହେଉଛନ୍ତି।

କଣ କରିବି, ମୋ ସାଙ୍ଗ ଶ୍ୟାମରଞ୍ଜନ କୁ କହିଲି କି ,ପଶୁଡାକ୍ତରଙ୍କୁ ଡାକି ଆଣିବା ପାଇଁ।ସେ ସଙ୍ଗେ ସଙ୍ଗେ ସାଇକେଲ ଧରି ପଶୁ ଡ଼ାକ୍ତରଖାନା ଗଲା।

ଏପଟେ ଶବ ସଂସ୍କାର ପାଇଁ ପାଖ ପଡୋଶୀ ଲାଗି ପଡିଲେ।

ମୁଁ ରାଧୁ ପାଖକୁ ଫୋନ କଲି କି ଯଥାଶୀଘ୍ର ଘରେ ପହଞ୍ଚି ବାକୁ।ତୋ ବାପା ଙ୍କ ଦେହ ବହୁତ ଅସୁସ୍ଥ କହି।


ସେପଟେ ପଶୁଡାକ୍ତରଙ୍କୁ ଧରି ଶ୍ୟାମରଞ୍ଜନ ପହଞ୍ଚିଲା।ଏପଟେ ଦାଦାଙ୍କ ପାଖରୁ ଉଠି ଗୁହାଳରେ ପହଞ୍ଚିଲି।ଦୁଇଟା ଗାଈ ତଳେ ପଡି ଛଟପଟ ହେଉଥାନ୍ତି।ଭିଏସ ସେମାନଙ୍କୁ ପରୀକ୍ଷା କଲେ। ଗତ ଦୁଇତିନି ହେବ ଗାଈମାନେ ଅତ୍ୟଧିକ ମାତ୍ରାରେ ପଲିଥିନ ଖାଇଥିବାରୁ ସେମାନଙ୍କ ପାକସ୍ଥଳୀରେ ଯନ୍ତ୍ରଣା ହେଉଛି ବୋଲି ମତବ୍ୟକ୍ତ କଲେ।ସେମାନଙ୍କ ର ଅପରେସନ ଆବଶ୍ୟକ।ପାକସ୍ଥଳୀ ଭିତରେ ପଲିଥିନ, ଛିଣ୍ଡା କପଡ଼ା ଇତ୍ୟାଦି ରେ ପାକସ୍ଥଳୀ ପୂର୍ଣ୍ଣ।ଏଭଳି କହିବା ଭିତରେ ଗୋଟିଏ ଗାଈର ମୃତ୍ୟୁ ହୋଇଗଲା।ଅନ୍ୟ ଗାଈଟିକୁ କିଛି ଲୋକ ମିଶି ଏକ ଗାଡ଼ିରେ ଡାକ୍ତରଖାନାକୁ ନିଆଗଲା।

ସେଠାରେ ପହଞ୍ଚି ଅପରେସନର ବ୍ୟବସ୍ତା କରାଯିବା ସମୟରେ ବି ମୃତ୍ୟୁ ହୋଇଗଲା।ଡାକ୍ତର ବାବୁଙ୍କ ସମେତ ଉପସ୍ଥିତ ଲୋକେ ବହୁତ ମନସ୍ତାପ କଲେ।

ଡାକ୍ତର ବାବୁ କହିଲେ କି,

ଦୀପାବଳିରେ ଆସିଥିବା ବହୁତ ମିଠା ପ୍ୟାକେଟ ଓ ଅନ୍ୟାନ୍ୟ ଖାଦ୍ୟପେୟ ସବୁର ପଲିଥିନ କୁ ଗାଇଗୋରୁ ମାନେ ଭୋକ ବିକଳରେ ଖାଇ ଦେଇ ଥାନ୍ତି ଏମିତି ରେ ବି ଅନ୍ୟାନ୍ୟ ଦିନ ମାନଙ୍କରେ ବି ପଲିଥିନ ଭିତରେ ଥିବା ଖାଦ୍ୟକୁ ଆମେମାନେ ବାହାରେ ଫିଙ୍ଗି ଦେଇଥାଉ।

ସେସବୁ ଗାଈଗୋରୁ, ଛେଳି ମେଣ୍ଢା, କୁକୁର ବିଲେଇ ଖାଇଦିଅନ୍ତି।ସେଥିପାଇଁ ସେମାନେ ଅକାଳ ମୃତ୍ୟୁ ମୁଖରେ ପଡ଼ନ୍ତି।

ସେଥିପାଇଁ ଆମେ ଲୋକମାନେ ହିଁ ସଚେତନ ହେବା ଦରକାର।


ଏଥର ବିଚାର ଆପଣଙ୍କର।ଅକାଳ ମୃତ୍ୟୁ ପାଇଁ ଦାୟୀ କିଏ ?

ଆମ ମାନଙ୍କର ଟିକିଏ ଟିକିଏ ଅସାବଧାନତା ପାଇଁ କେତେ କ୍ଷତି ହେଉଛି।କ୍ଷଣିକ ସୁଖର ବଶବର୍ତ୍ତୀ ହୋଇ ନିଜକୁ ନିଜେ କେଉଁ ସ୍ତରରେ ପହଞ୍ଚି ଯାଉଛେ।


ସତରେ ଏଥିପାଇଁ ଦାୟୀ କିଏ?







Rate this content
Log in

Similar oriya story from Inspirational