STORYMIRROR

Gayatri Singh

Romance Inspirational Others

4  

Gayatri Singh

Romance Inspirational Others

ଏମିତି ସାଥି ଟିଏ

ଏମିତି ସାଥି ଟିଏ

9 mins
381


ରାତି ସାରା ଆଖି କୁ ନିଦ ନାହିଁ । କେତେବେଳେ କାନ୍ଥ ଘଂଟା କୁ ତ କେତେବେଳେ କାନ୍ଥରେ ଟଙ୍ଗା ଯାଇଥିବା ଫଟୋ ସବୁ କୁ ଦେଖି ଦେଖି ରାତି ପାହିଗଲା । ବେଡ୍‌ରେ ପଡିରହି ଖାଲି ଏପଟ ସେପଟ ହେଉଛି । ଘରେ ଜାଣିଲେ କଣ କହିବେ । ସେ ତ ତା ନିଜକୁ ବୁଝାଇ ନେଇଛି ଆଉ ଜୀବନକୁ ସହଜ କରି ନେଇଛି । ଜୀବନ କୁ ଯେତିକି ସହଜ ମନେ କରିବ ବଂଚିବା ପାଇଁ ସେତିକି ସରଳ ହୋଇଯିବ । ଏ କଥା ସେ ସ୍ଥିର କରି ନେଇଛି । ହେଲେ କେମିତି ବୁଝାଇବ ସେ ଅନୁପ କୁ । ତା ପ୍ରେମ କୁ ସେ ପ୍ରତ୍ୟାଖ୍ୟାନ କଲା ପରେ ବି ସେ ବାରମ୍ବାର ତା ମୁହଁରୁ ହଁ ଶୁଣିବା ପାଇଁ ଅପେକ୍ଷା କରି ରହିଛି । କଣ କହି କେମିତି ବୁଝାଇବ ତାକୁ, ତା ପାଖରେ ଭାଷା ନାହିଁ । ଅନୁପ ତାଙ୍କ ଘର ପାଖ ରୁମ୍ ରେ ରହେ । କେତେ ଜଣ ପିଲା ମିଶି ମେସ କରି ରୁହନ୍ତି । କିଏ ଷ୍ଟୁଡେଂଟ ତ କିଏ ଜବ କରେ ଆଉ କିଏ ଜବ ପାଇଁ ପ୍ରିପାରେସନ କରେ ।


ଅନୁପ ମଧ୍ୟ ସେହି ମେସ୍ ରେ ରହି ବ୍ୟାଙ୍କ ପି.ଓ ର ପ୍ରସ୍ତୁତି କରୁଥିଲା । ସେ କଲେଜ ଗଲାବେଳେ ପ୍ରାୟତଃ ଦେଖେ ଅନୁପ ତାକୁ କଥା କୁହା ଆଖିରେ ଚାହୁଁଛି । ଯେମିତ କିଛି କହିବ । ଇଂଲିସ ଅନର୍ସ ରଖି ବି.ଏ ପାସ୍ କରିବା ପରେ ଅଧ୍ୟାପିକା ହେବା ଲକ୍ଷ୍ୟ ନେଇ ପି.ଜି ରେ ଆଡମିଶନ କଲା । ଏମିତି କଲେଜ ଯିବା ଆସିବା ରେ ଅନୁପ ସହିତ ତାର ଦେଖା ହୁଏ । ଦିନେ ଦିନେ ରାସ୍ତା ରୁ ଅଟୋ ରିଜର୍ଭ କରି ଦୁହେଁ ଫେରନ୍ତି । ହେଲେ କେହି କାହା ସହିତ କଥାବାର୍ତା କରନ୍ତି ନାହିଁ । ପରିଚିତ ହେବା ପରେ ଦୁହିଁଙ୍କର ସିମୀତ କଥା । ତାକୁ ଲାଗେ ଅନୁପ ବି ଯେମିତି ବେଶୀ କଥା କହିବାକୁ ଭଲ ପାଆନ୍ତି ନାହିଁ । ଏମିତି ବାରମ୍ବାର ଯିବା ଆସିବା ଭିତରେ ଦୁହିଁଙ୍କ ମଧ୍ୟରେ ବନ୍ଧୁତା ର ଖିଅ ଟିଏ ଯୋଡି ହୋଇଯାଇଛି । ହେଲେ ଆଜି ଅନୁପ ବନ୍ଧୁତା ରୁ ଦୁଇ ପାଦ ଆଗେଇ ଯାଇଥିଲେ । ଭଦ୍ର ଓ ନମ୍ରତାର ସହ କହିଥିଲେ ତୁମେ ମୋ ଜୀବନସାଥି ହେବା ପାଇଁ ପସନ୍ଦ କରିବ କି? ତା’ର ଯେମିତି ଦେହ ହାତ ଥରି ଯାଇଥିଲା । ସେ ଚୁପଚାପ ଅଟୋ ରୁ ଓହ୍ଲାଇ ଆସିଥିଲା । ଦୁଇ ଦିନ ପର୍ଯ୍ୟନ୍ତ କଲେଜ ଗଲା ନାହିଁ । ଘରେ ପଚାରିଲେ ଉତ୍ତର ଦେଲା ଦେହ ଭଲ ଲାଗୁନି । ଯେଉଁଦିନ କଲେଜ ବାହାରିଲା ଅନୁପ ଯେମିତି ତାକୁ ଚାହିଁ ରହିଥିଲା ।


ଚିତ୍ରା ମୋ ପ୍ରଶ୍ନର କିଛି ଉତର ଦେଲନି । ତୁମ ନୀରବତା କୁ ମୁଁ କଣ ବୁଝିବି । ସେ ସ୍ପଷ୍ଟ ଭାବରେ ମନା କରିଦେଲା ‘ନା’ । ଏହା ସମ୍ଭବ ନୁହେଁ । ହେଲେ କାହିଁକି ଚିତ୍ରା । ମୁଁ ବେକାର ହୋଇ ରହିବିନି, ଏବର୍ଷ ନିହାତି ଭାବରେ ବ୍ୟାଙ୍କ ପି.ଓ କ୍ୱାଲିଫାଏ କରିଯିବି । ତୁମକୁ କଥା ଦେଉଛି, ତାପରେ ତୁମେ ରାଜି ତ? ଚିତ୍ରା ଅନୁପ ମୁହଁ କୁ ଚାହିଁ ପାରୁ ନଥିଲା । ଶୀଘ୍ର ଶୀଘ୍ର ପାଦ ଆଗକୁ ବଢାଇ ସେଠାରୁ ଚାଲିଗଲା । ପଛରୁ କିନ୍ତୁ ତାକୁ ଏତିକି ଶୁଭିଛି, ହଉ ଜଏନ କରି ସାରିବା ପରେ ତୁମ ଘରକୁ ପ୍ରସ୍ତାବ ନେଇ ଯିବି । ଅନୁପ ର କଥା ସବୁ ତା କାନରେ ବାଜି ବାହାରି ପଡୁଥିଲା । ନା କେବେ ବି ସମ୍ଭବ ନୁହେଁ । ଘରେ ଏମିତି ତା ପାଇଁ ସମସ୍ତଙ୍କ ମନ ଖରାପ । ଆଗକୁ କେହି ନଦେଖେଇଲେ ବି ସେ ସମସ୍ତଙ୍କ ମନ ପଢିପାରେ । ଘରେ ତା ବିଷୟରେ ଚର୍ଚ୍ଚା ହେଲେ ବାପା ସ୍ପଷ୍ଟ କହି ଦିଅନ୍ତି, ତା ପାଇଁ କେହି ଚିନ୍ତା କରନି ସେ ଭଲ ପଢୁଛି ତା କ୍ୟାରିଅର ସେ ନିଜେ ଗଢିବ । ତା ଭବିଷ୍ୟତ କେବଳ ତା’ର । ନିଷ୍ପତି ବି ତାର ।


ଅନୁପ ଯେଉିଦିନ ଚାକିରୀ ପାଇଲା ଅଫିସ ଅର୍ଡର ଆଣି ତାକୁ ଦେଖାଇଲା । ଖୁସିରେ ଚିତ୍ରା ତାକୁ ଅଭିନନ୍ଦନ ଜଣାଇଲା । ଅନୁପ ତାକୁ ନିଜ ହାତରେ ମିଠା ଖୁଆଇଦେଲା । ଚିତ୍ରା ଆଖିରୁ ଲୁହ ଝରିପଡିଲା । ଏତେ ସ୍ନେହ ଏତେ ପ୍ରେମର ମୁଁ ଯୋଗ୍ୟ ନୁହେଁ ଅନୁପ । ହେଲେ କାହିଁକି ଚିତ୍ରା, ତୁମକୁ ଜୀବନସାଥି ଭାବରେ ପାଇଲେ ମୁଁ ନିଜକୁ ଭାଗ୍ୟମାନ ମନେ କରିବି । ଚିତ୍ରା ଆଖିରୁ ଖାଲି ଲୁହର ଧାରା । ନା ଅନୁପ ସମ୍ଭବ ନୁହେଁ କହି ଦ୍ରୁତ ବେଗରେ ସେଠାରୁ ଚାଲିଗଲା । କଣ କରିବ କଣ ନାଇଁ ଭାବି ଭାବି ଚିତ୍ରାର ମୁଣ୍ଡ କଣ ହେଇଯାଉଛି । ନା’ ସେ କିଛି ଦିନ ପାଇଁ ଆଉ ବାହାରକୁ ଯିବନି । ତା ଠାରୁ ଦୂରେଇ ରହିଲେ ସେ ଆପେ ଭୁଲିଯିବ । କାହାର ଜୀବନ ବରବାଦ କରିବା ପାଇଁ ତାର କୌଣସି ଅଧିକାର ନାହିଁ । ସେ କେମିତି କହିବ କେମିତି ବୁଝାଇବ ଅନୁପ କୁ । ଚିତ୍ରା ସହିତ ଦେଖା ନ ହେବାରୁ ଅନୁପ ବ୍ୟସ୍ତ ହୋଇ ପଡିଲା ।


ସକାଳ ପାହିଲେ ସେ ଯିବ ଜଏନିଂ ପାଇଁ । ଆଉ ଏ ଜାଗା ସହିତ ତାର କୌଣସି ସମ୍ପର୍କ ରହିବ ନାହିଁ । ଯିବା ପୂର୍ବରୁ ଚିତ୍ରା ସହିତ ଦେଖା ହେବା ଟା ତା ପାଇଁ ଅତ୍ୟନ୍ତ ଜରୁରୀ । ଚିତ୍ରା ର ମତ ନେଇ ସାରିବା ପରେ ହିଁ ସେ ଘର ଲୋକଙ୍କୁ ପ୍ରସ୍ତାବ ପାଇଁ ପଠାଇବ । ଯଦି ତା’ର ଇଚ୍ଛା ନାହିଁ ତା’ହେଲେ ଜବରଦସ୍ତ କରିବା ଟା ଠିକ ହେବ ନାହିଁ । ଭାବିବି ଚିତ୍ରା ମୋ ଭାଗ୍ୟରେ ନାହିଁ । ଏହା ଚିନ୍ତା କରି ଅନୁପ ଚିତ୍ରା ଘରେ ପହଂଚି ଗଲା । କେହି ଦେଖିବା ପୂର୍ବରୁ ଚିତ୍ରା ର ନଜର ପ୍ରଥମେ ଅନୁପ ଉପରେ ପଡିଲା । ଘର ଭିତରେ ଅନୁପ କୁ ଦେଖି ଚିତ୍ରା ଗୋଟା ଝାଳ ରେ ବୁଡି ସାରିଲାଣି । କାଳେ ପ୍ରସ୍ତାବ ନେଇ ଆସିଥିବ ଆଉ ଏସବୁ ଜାଣିଲେ ଘର ଲୋକଙ୍କ ପ୍ରତିକ୍ରିୟା କଣ ହେବ ସେ ସହଜରେ ବୁଝି ପାରୁଥିଲା । ଚିତ୍ରା ଶୀଘ୍ର ଶୀଘ୍ର ତାକୁ ବାହାରକୁ ନେଇ ପ୍ରଶ୍ନ କଲା କଣ ହେଲା କାହିଁକି ଆସିଛ?

ଦେଖ ଚିତ୍ରା ମୁଁ କାଲି ସକାଳୁ ଚାଲିଯାଉଛି । ତୁମର ହଁ ଶବ୍ଦ ଶୁଣିବା ପାଇଁ ଏଠିକି ଆସିଛି । ଆଉ ଯଦି ନାଁ ତାହେଲେ ପ୍ଲିଜ ତାର କାରଣ ଟା ମଧ୍ୟ କହିବ । ଚିତ୍ରାର ପାଦ ତଳୁ ଯେମିତି ମାଟି ଖସି ଯାଉଛି । ଆଖିରେ ଲୁହ ଦେହ ସାରା ଝାଳ, କାନ୍ଦି କାନ୍ଦି ହାତ ଯୋଡି କହିଲା କେମିତି ବୁଝାଇବି ତୁମକୁ, ମୋତେ କ୍ଷମା କର ମୁଁ ତୁମକୁ କିଛି କହି ପାରିବିନି । ହେଲେ କାହିଁକି ଚିତ୍ରା ମୁଁ କଣ ତୁମ ପାଖରେ ଏତେ ଅଯୋଗ୍ୟ । ନା ନା ଅନୁପ ତୁମେ ନୁହଁ, ମୁଁ ଅଯୋଗ୍ୟ । ମୁଁ ଯୋଗ୍ୟ ନୁହେଁ ତୁମ ପାଇଁ, ତୁମ ପାଇଁ ନୁହେଁ କି କୌଣସି ପୁରୁଷ ପାଇଁ ନୁହେଁ । ମୁଁ ଏ ପର୍ଯ୍ୟନ୍ତ ମ୍ୟାଚର ହେଇନି.....ମୁଁ ଆଜି ଯାଏଁ ଫୁଟି ପାରିନି ସେମିତ କଢି ଟିଏ ହୋଇ ରହିଛି । ବହୁତ ଡାକ୍ତର ଙ୍କୁ ଦେଖା ହେଇଥିଲା । କିଛି ସୁଫଳ ହେଲାନି । ବହୁତ ଚେକଅପ ପରେ ନିରାଶ ହେବାରୁ ଘରେ ସମସ୍ତେ ଚୁପଚାପ ହୋଇ ରହିଲେ । ଧିରେ ଧିରେ ପରିସ୍ଥିତି ସ୍ୱାଭାବିକ ହେବା ପରେ ମୋତେ ସମସ୍ତେ ଏଥି ପ୍ରତି ଧ୍ୟାନ ନଦେଇ ନିଜ କ୍ୟାରିଅର କଥା ଚିନ୍ତା କରିବା ପାଇଁ କହିଲେ । ଏକା ନିଶ୍ୱାସରେ ଏତେ ଗୁଡାଏ କଥା ତଳ ମୁହାଁ ହୋଇ ଚିତ୍ରା କହିଗଲା ।


କିଛି ସମୟର ନୀରବତା ପରେ ଚିତ୍ରା ଅନୁପ ମୁହଁକୁ ଚାହିଁଲା । ଅନୁପ ଥିଲା ସହଜ ସରଳ । ଯେମିତ କିଛି ହୋଇନାହିଁ । ଏସବୁ କଥା ତାଙ୍କୁ ଆଦୌ ପ୍ରଭାବିତ କରିନାହିଁ । ତାଙ୍କ ମୁହଁ ରେ କୌଣସି ଦୁଃଖ ବିଷାଦ ର ଚିହ୍ନ ବର୍ଣ୍ଣ ନଥିଲା । ହସି ଦେଇ କହିଲେ ବାସ୍ ଏତିକି, ସରିଲା ତୁମ କଥା । ଏବେ ମୁଁ କହିବି, ତାପରେ ବି ତୁମେ ମୋର ପ୍ରଥମ ଆଉ ଶେଷ ପସନ୍ଦ । ‘ମୋର ବଧୂ ନୁହେଁ ବନ୍ଧୁ ଟିଏ ଦରକାର’ । ସାରା ଜୀବନ ପାଶେ ପାଶେ ରହି ଦୁଃଖ ସୁଖ ବାଂଟୁଥିବା ସାଥି ଟିଏ ଦରକାର । ମୁଁ ତୁମକୁ ଜୀବନ ସାରା ଏମିତି ବନ୍ଧୁ ଭାବରେ ମୋ ପାଖରେ ଦେଖିବାକୁ ଚାହେଁ । ଏଥିରେ ତୁମର କିଛି ଆପତି ଅଛି । ତୁମର ସବୁ ସମସ୍ୟା କୁ ମୋ ଉପରେ ଛାଡିଦିଅ । ଆମେ ମିଶି ଏହାର ସମାଧାନ କରିବା । ସତରେ ସେଦିନ ସେ ହାରିଯାଇଥିଲା ପ୍ରେମ ଆଉ ଭଲପାଇବା ପାଖରେ । ଗୋଟିଏ ପୁରୁଷ ନୁହେଁ ଦେବତା ପାଖରେ । ଲଥ୍ କରି ବସି ପଡିଥିଲା ଅନୁପ ର ପାଦ ପାଖରେ । ପାଦ ଦୁଇଟି ଧରି ଖାଲି କାନ୍ଦିବାକୁ ଲାଗିଲା । ଏ କଣ କରୁଛ ଚିତ୍ରା କହି ଅନୁପ ତାକୁ ଛାତିରେ ଚାପି ଧରିଥିଲା । ମୋତେ ହସି କି ବିଦାୟ ଦିଅ । କାଲି ମୋର ଜଏନିଂ ଅଛି । ତୁମର ହସ ହିଁ ମୋ ସଫଳତା ର ପ୍ରଥମ ସୋପାନ । ମଥାରେ ଧିରେ ଚୁମ୍ବନ ଟିଏ ଦେଇ ତା ଠାରୁ ବିଦାୟ ନେଲା । ଏ ଭିତରେ ଚିତ୍ରା ଘରେ ସବୁ କଥା ଜଣାଇ ଦେଇଥିଲା । କିଛି ଦିନ ପରେ ଅନୁପ ର ଘର ଲୋକ ପ୍ରସ୍ତାବ ନେଇ ତାଙ୍କ ଘରକୁ ଆସିଲେ । କାଳେ କେତେବେଳେ ପାଟିରୁ କିଛି ବାହାରିବ ସେଥିପ୍ରତି ଖୁବ ସତର୍କ ଥିଲେ ଅନୁପ, ଉଭୟ ପରିବାର ପାଇଁ । କାରଣ ଅନୁପ ନିଜ ବାପା ମା କୁ ଚିତ୍ରା ବିଷୟରେ କିଛି ଜଣାଇ ନଥିଲେ । ଯାହା ହେଉ ସତର୍କତାର ସହିତ ଝିଅ ଦେଖା ପର୍ବ ସରଗଲା । ହେଲେ ଯିବା ପୂର୍ବରୁ ଚିତ୍ରା ର ଜେଜେମା କିଛି କଥା କହିବା ପାଇଁ ଚାହୁଁଥିଲେ । ହେଲେ ଅନୁପ ସବୁ ସମ୍ଭାଳି ନେଲେ । ଘରେ ବାହାଘର କଲେ ସାହି ପଡିଶା ବନ୍ଧୁ ବାନ୍ଧବ ଙ୍କ ବିଭିନ୍ନ କଥା ପ୍ରଶ୍ନକୁ ଏଡେଇବା ପାଇଁ ସୀମିତ ଲୋକ ଙ୍କୁ ନେଇ ବାହାରେ ବାହାଘର କରିବା ପାଇଁ ପ୍ରସ୍ତାବ ଦେଲେ ଅନୁପ । ଏଥିରେ ଉଭୟ ପରିବାର ରାଜି ଥିଲେ ।


ଚିତ୍ରା ର ପରିବାର ରାଜି ହେବା ସ୍ୱାଭାବିକ କଥା । ଆଉ ଅନୁପ ର ପରିବାର ଭଲ ଭାବେ ଜାଣନ୍ତି ତାଙ୍କ ପୁଅ କୁ । ସେ ଖୁବ ସରଳ ଆଉ ଗମ୍ଭୀର ବେଶୀ ଭିଡ ଜମାଇ ସେଖାଇ ହେବା ପ୍ରକୃତି ତାର ଜମାରୁ ନାହିଁ । ଉଭୟ ପରିବାର ଆଉ କିଛି ବନ୍ଧୁ ବର୍ଗ ଙ୍କୁ ନେଇ ବାହାଘର ସରିଗଲା । ଖୁସିରେ ତାଙ୍କର ଦାମ୍ପତ୍ୟ ଜୀବନ କଟି ଚାଲିଲା । ଏ ଭିତରେ ଚିତ୍ରା କଲେଜ ରେ ଅଧ୍ୟାପିକା ର ଚାକିରି ମଧ୍ୟ ପାଇ ସାରିଛି । ଉଭୟ ପତି ପତ୍ନୀ ଯୋଡି ଙ୍କର ବନ୍ଧୁତା କୁ ନେଇ ସମସ୍ତେ ବହୁତ ପ୍ରଶଂସା କରନ୍ତି । ଏମିତି ବାହାଘର ର ଦୁଇ ବର୍ଷ ବିତିଗଲାଣି । ଅନୁପ ର ବାପା ମା ଚାହୁଁଥିଲେ ନାତି ନାତୁଣୀ ସୁଖ । ଅନୁପ ତାଙ୍କର ଗୋଟିଏ ପୁଅ । ପୁଅ ବୋହୁ ଚାକିରୀ କୁ ଚାଲିଗଲେ ଘରେ ବାପା ମା ଏକୁଟିଆ । ଘରକୁ ପିଲା ଟେ ଆସିଗଲେ ତା ସହିତ ସମୟ ବିତାଇ ବାକି ଜୀବନ ସରିଯିବ । ଦିନେ ଶାଶୁ ଚିତ୍ରାକୁ ପାଖରେ ବସାଇ କହିଲେ ମା ରେ ତୁମେ ଦୁହେଁ ଗଲା ପରେ ଆମେ ଏକୁଟିଆ ହେଇ ଯାଉଛୁ । ଏବେ ପିଲା ପିଲି କଥା ଟିକେ ଚିନ୍ତା କର । ତୁ ତୋର କଲେଜ ଯା, ଆମେ ତା କଥା ବୁଝିବୁ । ତୋର କିଛି ଅସୁବିଧା ହେବ ନାହିଁ । ଚିତ୍ରା ସବୁ ଶୁଣେ କେବେ ହସି ଦିଏ, କେବେ ଚୁପ୍ ରୁହେ । ଶାଶୁ ଙ୍କ ଠାରୁ ବାରମ୍ବାର ଏ କଥା ଶୁଣିବା ପରେ ତାର ମନ ଦୁଃଖ ହୁଏ । କାହାର ଆଶା ଆଉ ଭାବନାରେ ଆଘାତ ଦେଇଥିବାରୁ ନିଜକୁ ଦୋଷୀ ଦୋଷୀ ଲାଗେ । ସେ କଣ ବା କରିପାରିବ! ଅନୁପ କୁ କୁହେ । ଅନୁପ ବୁଝାଏ ।ବାପା ମା ଆମ ଠାରୁ ଏ ସବୁ ଆଶା କରିବା ସ୍ୱାଭାବିକ କଥା । ଏଥିରେ କିଛି ନୂତନତ୍ୱ ନାହିଁ । ତୁମେ ଚିନ୍ତା କର ନାହିଁ । ଏହାର ସମାଧାନ ଖୁବ ଶୀଘ୍ର ବାହାରିଯିବ । ମୁଁ ଭଲ ଚିନ୍ତା ଟିଏ କରିଛି, ଯାହା ସମସ୍ତଙ୍କ ପାଇଁ ମଙ୍ଗଳ ହେବ ।


ହଠାତ୍ ଦିନେ ସଂଧ୍ୟା ରେ ଅନୁପ ଶୀଘ୍ର ଅଫିସ ରୁ ଆସି କହିଲେ ମା ଚିତ୍ରା ର ଦେହ ଭଲ ନାହିଁ । ମୁଁ ତାକୁ ଟିକେ ଡାକ୍ତର ପାଖକୁ ନେଇ ଯାଉଛି । ଚିତ୍ରା ବୁଝି ପାରିଲାନି । ତା’ଦେହ ଖରାପ କାଇଁ ନା ତ । ଅନୁପ ମୁହଁ କୁ ଚାହିଁ ସେ ଚୁପ ରହିଲା । ଦୁହେଁ ବାହାରି ଗଲେ । ଅନୁପ ତା ସହକର୍ମୀ ପାଖକୁ ନେଇଗଲେ । ତାଙ୍କ ସ୍ତ୍ରୀ ପ୍ରେଗନେଂଟ ଥିଲେ । ସେଠାରେ ଅନୁପ ସବୁକଥା ଚିତ୍ରା କୁ ବୁଝାଇ ଦେଲେ । ମୋ ସହକର୍ମୀ ର ସ୍ତ୍ରୀ ଆମ ପାଇଁ ଏ ପିଲା କୁ ଜନ୍ମ ଦେବ । ହେଲେ ଜଣେ ମା ତା ପିଲା କୁ ଆମକୁ କାହିଁକି ଦେବ ତା କୋଳ ଶୂନ୍ୟ କରି । ତାର ଆଗରୁ ପୁଅ ଟିଏ ଅଛି । ଆମର ପିଲାଟିଏ ଦରକାର କହିବାରୁ ସେ ସେକେଣ୍ଡ ଇସ୍ୟୁ ପାଇଁ ଖୁସିରେ ରାଜି ହେଇଗଲା । ସେ ମୋର କେବଳ ସହକର୍ମୀ ନୁହେଁ ମୋର ବନ୍ଧୁ ଆଉ ଶୁଭଚିନ୍ତକ । ଚିତ୍ରା ମନରେ ଦ୍ୱନ୍ଦ ରହିଯାଉଥିଲା । ଆମ ପାଇଁ ସେ ମାନସିକ ଶାରୀରିକ କଷ୍ଟ ପାଇବେ । ପିଲା ଜନ୍ମ ପରେ ସେ ପିଲା କୁ ଚିତ୍ରା ହାତରେ ଟେକି ଦେବେ ବୋଲି କଥା ଦେଇଛନ୍ତି । ସେ ଯାହା ହେଉ ଉଭୟ ଘରକୁ ଫେରିଲେ । ଉଭୟ ଙ୍କୁ ଦେଖି ମା ଚେୟାର ରୁ ଉଠି ଆସିଲେ । କଣ ହେଲା ଚିତ୍ରା ର, ଡାକ୍ତର କଣ କହିଲେ । ଅନୁପ ହସି ହସି କହିଲେ ତୋ ପାଇଁ ଖୁସି ଖବର । ଚିତ୍ରା ମା ହେବାକୁ ଯାଉଛି । ଆଉ ତୁ ଜେଜେମା । କେତେ ସନ୍ତର୍ପଣରେ ଅନୁପ ମିଛ କଥା ସବୁ କହିଗଲେ । ଅନୁପ ଙ୍କୁ ସବୁ କଥାରେ ସମର୍ଥନ ଦେବା ଆଉ ଚୁପ ରହିବାଟା କେତେ ଦୂର ଠିକ ଆଉ ଭୂଲ ସେ ବୁଝି ପାରୁ ନଥିଲା । ଏ ସବୁ ଭାବି ଦେଲେ ତାର ମୁଣ୍ଡ ଗୋଳମାଳିଆ ହେଇ ଯାଉଥିଲା । କଣ କରିବ ଅନୁପ ର ସବୁ କଥାରେ ତାକୁ ଚୁପ ରହିବାକୁ ପଡିବ । ତାଙ୍କର ଭଲ ପାଇବାକୁ ତଉଲିବା ପାଇଁ ଦୁନିଆରେ ବୋଧେ କୌଣସି ମାପଯନ୍ତ୍ର ନାହିଁ ।


କିଛିଦିନ ପରେ ପୁଣି ଡାକ୍ତର ଦେଖାଇବା ବହାନାରେ ଚିତ୍ରାକୁ ପୁଣି ବାହାରକୁ ନେଇଗଲେ । ଘରକୁ ଫେରି ମାଆ କୁ କହିଲେ ଡାକ୍ତର କହିଛନ୍ତି ଚିତ୍ରାର ବେଡ ରେଷ୍ଟ ଦରକାର । ଏ’ଠି ରହିଲେ ତୁ ହଇରାଣ ହେବୁ, ସେ ତାଙ୍କ ଘରକୁ ଚାଲିଯାଉ । ସେଠି ସମସ୍ତେ ଅଛନ୍ତି,ତାର ଦେଖା ଶୁଣା କରିପାରିବେ । ଡେଲିଭରି ପରେ ଆସିବ । ଅନୁପ ର ପ୍ରତ୍ୟେକ କଥାରେ ଚିତ୍ରା ବାଧ୍ୟ ଶିଶୁ ଟିଏ ପରି ସମର୍ଥନ କରି ଚାଲିଥାଏ । ତା ପାଇଁ ଏତେ ମିଛ ଏତେ ବାହାନା ସମସ୍ତଙ୍କ ସହିତ କରିଚାଲିଛନ୍ତି । ତାକୁ ଏସବୁ ଭଲ ଲାଗୁ ନଥିଲେ ବି ଅନୁପ ର ଭଲ ପାଇବା ପାଖରେ ଏ ସବୁ ତୁଚ୍ଛ । ଦିନ କୁ ଦିନ ସେ ଅନୁପ ପାଖରେ ଋଣୀ ହେଇ ଯାଉଛି । କେଉଁ ଜନ୍ମ ର ପୂଣ୍ୟ କର୍ମ ରୁ ସେ ଦେବତା ଙ୍କୁ ପାଇଛି । ଅନୁପ, ଚିତ୍ରା କୁ ତାଙ୍କ ଘରେ ଛାଡି ଦେଇ ସମସ୍ତ ବିଷୟ ବୁଝାଇ ଦେଲେ । ହଠାତ୍ ଦିନେ ଅନୁପ ର ମା ବାହାରିଲେ ବୋହୁ କୁ ଦେଖିବା ପାଇଁ,ଡେଲିଭରି ସମୟ ପାଖେଇ ଆସିଲାଣି ମତେ ବୋହୁ ପାଖକୁ ନେଇଯା । ହେଲେ ଖୁବ ସର୍ନ୍ତପଣ ର ସହିତ ଅନୁପ କଥା କୁ ଆଡେଇ ଦେଲେ । ପିଲା ଜନ୍ମ ହେଲେ ତୋ ପାଖକୁ ଆସିବ । ତୋ ପିଲା ତୋ ପାଖରେ ସବୁଦିନ ରହିବ ।ବ୍ୟସ୍ତ ହଅନା । ସହକର୍ମୀ ସ୍ତ୍ରୀ ର ଭଲରେ ଡେଲିଭରି ହୋଇଗଲା । ଯୋଗ କୁ ତାର ଦୁଇଟି ଜାଆଁଳା ଝିଅ ଜନ୍ମ ନେଲେ । ଗୋଟିଏ ଚିତ୍ରା କୁ ଦେଇ ଅନ୍ୟଟି ନିଜ ପାଖରେ ରଖିଲା । ତାର ଏହି ମହାନତା ଗୁଣ ପାଇଁ ବୋଧେ ତାର କୋଳ ଶୂନ୍ୟ ରହିଲା ନାହିଁ ।


ଏବେ ଉଭୟ ପରିବାର ରେ ଖୁସିର ଲହରୀ । ଚିତ୍ରା ପିଲା କୁ କୋଳେଇ ଅନୁପ ସହିତ ଘରେ ଆସି ପହଂଚିଗଲା । ଘରକୁ ଲକ୍ଷ୍ମୀ ଆସୁଥିବା ଖୁସିରେ ତା’ସ୍ୱାଗତ ପାଇଁ ଅନେକ ଆୟୋଜନ କରି ସାରିଥିଲେ ଅନୁପ ଙ୍କ ମାଆ । ତାଙ୍କର ଖୁସି ଦ୍ୱିଗୁଣିତ ହୋଇଯାଇଥିଲା । ଚିତ୍ରା ଗାଡି ରୁ ତଳେ ପାଦ ଦେଉ ଦେଉ ଅନୁପ ଙ୍କ ମାଆ ଆସି ଉଭୟ ମାଆ ଛୁଆ କୁ କୋଳେଇ ନେଲେ । ଚିତ୍ରା ଆଖିରୁ ଖାଲି ନୀରବରେ ଆନନ୍ଦାଶ୍ରୁ ବହି ଚାଲିଥିଲା । ସଂସାର ରେ ଏତେ ଭଲ ମଣିଷ ଅଛନ୍ତି, ତା ଆଖି ଆଗରେ ସବୁ ଘଟିଯାଉଛି ।ସତରେ କଣ ସେ ଭାଗ୍ୟବତୀ, ଏତେ ସୁଖ ଥିଲା ତା ଭାଗ୍ୟରେ । ତା’ହେଲେ କାହିଁକି ସେ କଢିଟିଏ ହୋଇ ରହିଗଲା । ଅନୁପ ମଣିଷ ନୁହଁନ୍ତି ଦେବତା । ତାକୁ ଲାଗିଲା ସେହି କଢି ଟି ଦେବତା ଙ୍କ ଠାରେ ଲାଗି ହେବା ପରେ ଯେମିତି ଫୁଲ ହୋଇ ଫୁଟି ସାରିଛି । 



Rate this content
Log in

Similar oriya story from Romance