Kanan Bala Nayak

Inspirational

3  

Kanan Bala Nayak

Inspirational

~~~ଏକଲା ଚଲୋରେ~~~

~~~ଏକଲା ଚଲୋରେ~~~

6 mins
11.8K


ପୁରୁଷ ପ୍ରଧାନ ସମାଜରେ କଣ ନାରୀକୁ ସ୍ବପ୍ନ ଦେଖିବା ମନା? ନାଁ ନାରୀର ସ୍ବପ୍ନବି ପୁରୁଷର ତଥାକଥିତ ମର୍ଯ୍ୟାଦାର ଶିକୁଳୀରେ ବନ୍ଧା. ଭାବି ଚାଲିଥିଲେ ଓଡିଶା ହାଇକୋର୍ଟର ପ୍ରଖ୍ୟାତ ଆଡଭୋକେଟ ମିତ୍ରା ମହାପାତ୍ର.  ମିତ୍ରା ଓଡିଶା ହାଇକୋର୍ଟରେ ପ୍ରାକ୍ଟିସ କରିବାର ବାରବର୍ଷ ହେଲାଣି. ଲକ୍ଷେ ଦୋଷୀ ପଛେ ଖଲାସ ହୋଇ ଯାଆନ୍ତୁ କିନ୍ତୁ ଜଣେ ନିର୍ଦୋଷୀ ଦଣ୍ଡ ନ ପାଉ. ଏଇ କଥାକୁ ସେ ତାଙ୍କ ବୃତ୍ତି ଗତ ଜୀବନରେ ଅକ୍ଷରରେ ଅକ୍ଷରରେ ପାଳନ କରନ୍ତି.ତେଣୁ ସମ୍ପୁର୍ଣ୍ଣ ରାଜ୍ୟରେ ତାଙ୍କର ଏକ ଅନନ୍ୟ ପରିଚୟ. ନ୍ଯାୟ ର ଅନ୍ୟ ଗୋଟିଏ ନାଁ କହିଲେ ଲୋକେ ମିତ୍ରା ମହାପାତ୍ରଙ୍କୁ ହିଁ ବୁଝନ୍ତି. ସେଥିପାଇଁ ରାଜ୍ୟର ଦୂର ଦୂରନ୍ତରୁ ଲୋକ ମାନେ ଅନେକ ଭରସା ନେଇ ତାଙ୍କ ପାଖକୁ ଦୌଡି ଆସନ୍ତି.  କିନ୍ତୁ ଏଇ ଥରର ଡିଭୋର୍ସ କେଶଟା ମିତ୍ରାଙ୍କ ମନରେ ଗୋଟିଏ ଆଶଙ୍କାର ବାଦଲ ସୃଷ୍ଟି କରିଛି. ପୀଡିତା ଝିଅକୁ ସେ ନ୍ଯାୟ ଦେବାରେ ସମର୍ଥ ହେବେ ତ? ତେବେ ମିତ୍ରାଙ୍କର ଏଇ ଆଶଙ୍କା ନିଜ ଯୋଗ୍ଯତା ଉପରେ ସନ୍ଦେହ ଯୋଗୁଁ ସୃଷ୍ଟି ହୋଇଛି ତାହା ନୁହଁ, ସନ୍ଦେହ ସୃଷ୍ଟି କରିଛି ଦୀର୍ଘ କୋଡ଼ିଏ ବର୍ଷ ତଳେ ଛାଡି ଆସିଥିବା ନିଜର ଅତୀତ. ପୋଲିସ ଇନିସପେକ୍ଟର ଉମାକାନ୍ତ ମହାପାତ୍ରଙ୍କର ଏକମାତ୍ର ଅଲିଅଳି କନ୍ଯା ହେଉଛନ୍ତି ମିତ୍ରା. ମିତ୍ରା ସବୁ ବେଳେ ନିଜକୁ ପୁଅ ଭଳି ସଜାଇବାକୁ ଭଲ ପାଆନ୍ତି. ପୁଅ ଙ୍କ ଭଳି ପେଣ୍ଟ ସାର୍ଟ ପିନ୍ଧନ୍ତି.ଗଛ ଚଢନ୍ତି, ସାଇକେଲ ଚଲାନ୍ତି , ପାଣିରେ ପହରନ୍ତି. ଆଉ କେହି ପଚାରିଲେ କହନ୍ତି ମୁଁ ମୋ ବାପାଙ୍କ ଭଳି ପୋଲିସ ଇନିସପେକ୍ଟର ହେବି ପରା. କ୍ରମେ ମିତ୍ରା ବଡ଼ ହେଲେ. ବି. ଏ. ପାସ୍ କରି ସାରିବା ପରେ ଏଲ୍. ଏଲ୍. ବି ରେ ମଧ୍ୟ ଭଲ ନମ୍ବର ରଖି ପାସ୍ କଲେ.  ନିଜର ପୋଲିସ ଇନିସପେକ୍ଟର ହେବାର ସ୍ବପ୍ନକୁ ସାକାର କରିବା ପାଇଁ ପରୀକ୍ଷା ମଧ୍ୟ ଦେଲେ ଆଉ ଲିଖିତ ପରୀକ୍ଷାରେ ଉତ୍ତୀର୍ଣ୍ଣ ମଧ୍ୟ ହେଲେ. କିନ୍ତୁ ସେ ସମୟରେ ମହିଳା ମାନଙ୍କର ପୋଲିସ ଚାକିରିରେ ଯୋଗ ଦେବାଟାକୁ ସମାଜ ସେତେଟା ଭଲ ଦୃଷ୍ଟିରେ ଦେଖୁ ନଥିଲା. ତେଣୁ ମିତ୍ରାଙ୍କ ମାଆଙ୍କର ଏକ ଜିଦି ତାଙ୍କ ଝିଅ ପୋଲିସ ଚାକିରିରେ ଯୋଗ ଦେବନାହିଁ. କହିଲେ ଝିଅ ପିଲାଟା, ଆଜି କାଲି ବେଳ କାଳ ଭଲ ନାହିଁ. କେତେ ବେଳେ କେଉଁ କଥା. ମିତ୍ରାଙ୍କ ବାପା ଯେହେତୁ ନିଜେ ପୋଲିସ ଚାକିରିରେ ଥିଲେ, ସେ ପୋଲିସ ଚାକିରିରେ ନାରୀ ମାନଙ୍କର ସ୍ଥିତିକୁ ଭଲ ଭାବରେ ହୃଦୟଙ୍ଗମ କରିଥିଲେ. ତେଣୁ ସେ ମଧ୍ୟ ତାଙ୍କ ମାଆଙ୍କ ଜିଦି ଆଗରେ ମୁଣ୍ଡ ନୁଆଁଇ ଦେଇଥିଲେ. ଫଳରେ ମିତ୍ରାଙ୍କର ପୋଲିସ ହେବା ସ୍ବପ୍ନଟା ସବୁଦିନ ପାଇଁ ସ୍ବପ୍ନ ହୋଇ ରହିଯାଇଥିଲା.ଠିକ୍ ସେଇ ସମୟରେ ଏମିତି ଏକ ଘଟଣା ଘଟିଲା ଯାହା ମିତ୍ରାଙ୍କ ଜୀବନର ଗତି ପଥକୁ ସମ୍ପୁର୍ଣ୍ଣ ଭାବରେ ଓଲଟ ପାଲଟ କରି ରଖି ଦେଇଥିଲା. ମିତ୍ରାଙ୍କର ଜେଜେମାଆ ଉଚ୍ଚ ରକ୍ତଚାପ ଯୋଗୁଁ ହଠାତ୍ ଶଯ୍ୟାଶାୟୀ ହୋଇଗଲେ. ଆଉ ନାତୁଣୀର ବିଭାଘର ଦେଖିବା ପାଇଁ ତାଙ୍କ ବାପାଙ୍କୁ ବ୍ୟସ୍ତ କରି ପକାଇଲେ.  ମିତ୍ରାଙ୍କ ଅନିଚ୍ଛା ସତ୍ତ୍ବେ ତାଙ୍କର ବିବାହ ଅଧ୍ଯାପକ ପ୍ରଶାନ୍ତଙ୍କ ସହ ହୋଇ ଯାଇଥିଲା. ପୋଲିସ ପୋଶାକ ପିନ୍ଧି ଚୋର ମାନଙ୍କୁ ଶାସ୍ତ୍ରି ଦେବାର ସ୍ବପ୍ନ ଦେଖୁଥିବା ମିତ୍ରା ଯେ ବିବାହ ପରେ ନିଜେ ବନ୍ଦୀ ସାଜି ଯିବେ, ଏକଥା ସ୍ବପ୍ନରେ ସୁଦ୍ଧା ଭାବି ନଥିଲେ. ଶାଶୁଘରେ ପାଦ ଦେଉ ଦେଉ ମିତ୍ରାଙ୍କ ଉପରେ ଅକଥନୀୟ ଅତ୍ଯାଚାର ଆରମ୍ଭ ହୋଇଯାଇଥିଲା. ମିତ୍ରା କୁଆଡେ ସ୍ବାମୀ ପ୍ରଶାନ୍ତଙ୍କର ପସନ୍ଦ ନ ଥିଲେ. ପରିବାରର ଚାପରେ ପଡି ସେ ମିତ୍ରାଙ୍କୁ ବିବାହ କରିଥିଲେ.ବିବାହ ପୂର୍ବରୁ ତାଙ୍କର ଅନ୍ୟ ଜଣେ ନାରୀଙ୍କ ସହ ସମ୍ପର୍କ ଥିଲା. ପ୍ରଶାନ୍ତ ସବୁଦିନ ରାତିରେ ମଦ୍ୟପାନ କରି ଘରକୁ ଫେରନ୍ତି ଆଉ ମିତ୍ରାଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ଆରମ୍ଭ କରି ଦିଅନ୍ତି. ଆଉ ନିଆଁ ଉପରେ ଘିଅ ଢ଼ାଳିବା କାମ କରନ୍ତି ତାଙ୍କ ଯାଆ ରଶ୍ମିତା. କଥାରେ ଅଛି ପରା ବନ ପୋଡି ଗଲେ ସିନା ସମସ୍ତେ ଦେଖନ୍ତି ମନ ପୋଡି ଗଲେ ଦେଖୁଛି କିଏ. ତେଣୁ ଛାତିର ଲୁହକୁ ଆଖିରେ ମାରି ସବୁ ଦୁଃଖ ଯନ୍ତ୍ରଣାକୁ ସହ୍ଯ କରିନିଅନ୍ତି ମିତ୍ରା . ଭାବନ୍ତି ପ୍ରଶାନ୍ତଙ୍କର ଦିନେ ନା ଦିନେ ପରିବର୍ତ୍ତନ ହେବ, ଆଉ ମିତ୍ରା ତାଙ୍କ ହୃଦୟରେ ନିଜ ପାଇଁ ସ୍ଥାନଟିଏ ତିଆରି କରିବା ପାଇଁ ସକ୍ଷମ ହେବେ.  ଆଶାକୁ ନେଇ ତ ସବୁବେଳେ ମଣିଷ ବଞ୍ଚେନା. କିନ୍ତୁ ଗତଥର ପରି ଏଥର ମଧ୍ୟ ମିତ୍ରାଙ୍କର ଆଶା ଆଶାରେ ରହିଯାଇଥିଲା. ମିତ୍ରାଙ୍କ ଉପରେ ଅତ୍ୟାଚାର କମିବା ପରିବର୍ତ୍ତେ ଦିନକୁ ଦିନ ବଢିବାରେ ଲାଗିଲା. ଏବେ ମାନସିକ ସହିତ ଶାରୀରିକ ଅତ୍ଯାଚାର ମଧ୍ୟ ଆରମ୍ଭ ହୋଇଗଲା.  ମିତ୍ରାଙ୍କର ସବୁ ଧୈର୍ଯ୍ୟର ବନ୍ଧ ସେଇଦିନ ଭାଙ୍ଗି ଯାଇଥିଲା ଯେଉଁଦିନ ମିତ୍ରା ଜାଣିବାକୁ ପାଇଥିଲେ ପ୍ରଶାନ୍ତଙ୍କର ପୂର୍ବତନ ପ୍ରେମିକା ଆଉ କେହି ନୁହଁ, ତାଙ୍କ ଭାଉଜ ରଶ୍ମିତା. ଆଉ ଉଭୟଙ୍କ ମଧ୍ୟରେ ଏବେ ମଧ୍ୟ ସମ୍ପର୍କ ଅଛି.ଆଉ ଯାହାକୁ ସେ ପ୍ରଶାନ୍ତଙ୍କ ଝିଆରୀ ବୋଲି ଭାବୁଥିଲେ ସେ ପ୍ରଶାନ୍ତ ଓ ରଶ୍ମୀତାଙ୍କ ପ୍ରେମର ସନ୍ତକ.  ଏତେ କଥା ଜାଣିବା ପରେ ମିତ୍ରାଙ୍କ ମୁଣ୍ଡ କାମକରିବା ବନ୍ଦ କରି ଦେଇଥିଲା. ସେ ଆତ୍ମହତ୍ଯା କରିଦେବେ ବୋଲି ଭାବୁଥିବା ସମୟରେ, ତାଙ୍କ ବାପାଙ୍କ କଥା ତାଙ୍କର ମନେ ପଡିଥିଲା. ବାପା ସବୁ ବେଳେ କହନ୍ତି ଏ ଜୀବନର ପାଦେ ପାଦେ ଅନିଶ୍ଚିତତା ଭରି ରହିଛି. କେତେ ବେଳେ କେଉଁ ବିପଦ ଆସିବ କହି ହେବ ନାହିଁ. ତେଣୁ ସବୁ ବିପଦ ଆପଦକୁ ଧୈର୍ଯ୍ୟର ସହ ମୁକାବିଲା କରିବୁ. କେବେ ବି ଧୈର୍ଯ୍ୟ ହରା ହେବନି . ଆଉ କଷ୍ଟ କୁ ଡରି କେବେବି ଆତ୍ମହତ୍ଯା କରିବୁ ନାହିଁ. ଏ ଜୀବନ ଈଶ୍ବରଙ୍କ ଦାନ, ତାକୁ ନେବାର ଅଧିକାର ମଧ୍ୟ କେବଳ ତାଙ୍କର ଅଛି. ତାଙ୍କର ଅପମାନ କେବେ କରିବୁ ନାହିଁ. ଜୀବନରେ ଯଦି କେବେବି ଏକୁଟିଆ ଅନୁଭବ କରିବୁ ତେବେ ବିଶ୍ବକବି ରବିନ୍ଦ୍ର ନାଥ ଟାଗୋରଙ୍କ ପ୍ରସିଦ୍ଧ ସଙ୍ଗୀତ '' ଯଦି ତୋର ଡାକ୍ ଶୁନି କେଉ ନ ଆସେ ତବେ ଏକଲା ଚଲୋରେ''କୁ ମନେ ପକାଇବୁ. ବାପାଙ୍କ କଥାକୁ ମନେ ପକାଇ ମିତ୍ରା ଆତ୍ମହତ୍ୟା କରିବାର ଇଚ୍ଛାକୁ ମନ ଭିତରୁ କାଢି ଫୋପାଡି ଦେଇଥିଲେ. ଆଉ ଏକ ମୁହାଁ ହୋଇ ପ୍ରଶାନ୍ତଙ୍କ ଘର ଛାଡି ଚାଲି ଆସିଥିଲେ. କୁଆଡେ ଯିବେ କଣ କରିବେ ଭାବୁ ଭାବୁ ତାଙ୍କ ଗାଁ କୁ ଯାଉଥିବା ବସରେ ଯାଇ ବସି ଯାଇଥିଲେ. ଶାଶୁଘର ଛାଡି ବାପାଙ୍କ ଘରେ ରହିବାରୁ ନାନା ଲୋକ ନାନା କହି ଥିଲେ. କେତେକ ତ ସ୍ବାମୀ ପରିତ୍ୟକ୍ତା କହି ଅପବାଦ ମଧ୍ୟ ଦେଇଥିଲେ. ଏ ସମାଜର ଲୋକଙ୍କର ଗୋଟେ ଅଦ୍ଭୁତ ନିୟମ. କାହାର ଦୁଃଖ ସମୟରେ ଛିଡା ହୋଇ ତାର ଦୁଃଖ ଦୂର କରିବା ପାଇଁ ଚେଷ୍ଟା ତ କରନ୍ତି ନାହିଁ ବରଂ କଟୁ କଥା କହି ତାର ଦୁଃଖକୁ ଦ୍ବି ଗୁଣିତ କରନ୍ତି. ମିତ୍ରାଙ୍କ ବାପା କିନ୍ତୁ ଏଥର ମିତ୍ରାଙ୍କୁ ପୂର୍ଣ୍ଣ ମାତ୍ରାରେ ସହଯୋଗ କଲେ . କେହି କିଛି କହିଲେ କହନ୍ତି, ମୋ ଝିଅ ମୋ ଘରେ ଅଛି ଆପଣ ମାନଙ୍କୁ କାହିଁକି ଯନ୍ତ୍ରଣା ହେଉଛି. ମିତ୍ରା କିନ୍ତୁ ବାପା ମାଆ ଙ୍କର ପରିଣତ ବୟସରେ ଆଉ ତାଙ୍କ ଉପରେ ବୋଝ ହେବାପାଇଁ ଚାହୁଁ ନଥିଲେ. ତେଣୁ ସେ ନିଜ ପାଇଁ ଏକ କର୍ମ ସଂସ୍ଥାନ ଯୋଗାଡ଼ କରିବା ପାଇଁ ଲାଗି ପଡିଲେ. କିନ୍ତୁ ସ୍ବାମୀ ପରିତ୍ୟକ୍ତା ର ଛିଟା ଟା ଛାଇ ଭଳି ଏଠି ମଧ୍ୟ ତାଙ୍କ ପଛେ ପଛେ ଲାଗି ରହିଲା. ଅନେକ ଚେଷ୍ଟା କରି ନିରାଶ ହେଲା ପରେ, ହଠାତ୍ ରାସ୍ତାରେ ମିତ୍ରାଙ୍କର ଜଣେ ପୁରୁଣା ବନ୍ଧୁଙ୍କ ସହ ଦେଖା ହେଲା. ମିତ୍ରାଙ୍କ ଠାରୁ ସବୁ ଶୁଣି ସେ କହିଲେ, ମୋ ମାମୁଁ ଜଣେ ଆଡଭୋକେଟ. ସେ ହାଇକୋର୍ଟରେ ପ୍ରାକ୍ଟିସ କରନ୍ତି. ତୁ ତ ଓକିଲାତି ପାସ କରିଛୁ. ତାଙ୍କ ପାଖରେ ରହି କାମ ଶିଖିବୁ କହ, ମୁଁ ତାଙ୍କ ସହ କଥା ହେବି. ମିତ୍ରାଙ୍କୁ ଅନ୍ଧାର ଭିତରେ କ୍ଷୀଣ ଆଲୋକ ରଶ୍ମିଟିଏ ଦେଖାଦେଲା.  ତାର ସପ୍ତାହେ ପରେ ମିତ୍ରା ଆଡଭୋକେଟ ରବିନ୍ଦ୍ର ଗିରିଙ୍କ ଜୁନିଅର ଭାବରେ କାର୍ଯ୍ୟରେ ଯୋଗଦାନ କଲେ. ମିତ୍ରାଙ୍କ ପାଖରେ ଆଉ ଗୋଟିଏ ସମସ୍ଯା ଦେଖାଦେଲା କଟକ ସହରରେ ହଠାତ୍ ଘରଟିଏ କେଉଁଠୁ ପାଇବେ. ତା ଛଡା ଏକୁଟିଆ ଜଣେ ସ୍ବାମୀ ପରିତ୍ୟକ୍ତା ସ୍ତ୍ରୀ ଲୋକକୁ ଘର ଦେବାପାଇଁ କେହି ରାଜି ହେଲେନି. ସେ ସମୟରେ ଆଡଭୋକେଟ ରବିନ୍ଦ୍ରଙ୍କ ସ୍ତ୍ରୀ ଅନୁପମା କହିଲେ ତୁମେ ଚାହିଁଲେ ଗୋଟେ ସର୍ତ୍ତରେ ଆମ ଆଉଟ୍ ହାଉସରେ ରହି ପାରିବ. ମିତ୍ରା କହିଲେ ମୁଁ ଆପଣଙ୍କର ସବୁ ସର୍ତ୍ତରେ ରାଜି. ଅନୁପମା କହିଲେ ତୁମକୁ ଘର କାମରେ ମୋତେ ସାହାଯ୍ୟ କରିବାକୁ ପଡିବ.  ସେ ଦିନ ପାଖରୁ ମିତ୍ରା ଆଡଭୋକେଟ ରବିନ୍ଦ୍ରଙ୍କ ଘରେ ରହିଲେ. ସକାଳେ ଘର କାମ କରନ୍ତି ଆଉ ଦିନରେ ଓକିଲାତି ଶିଖନ୍ତି. ଗୋଟେ ପୋଲିସ ଅଫିସର ର ଝିଅ ହୋଇ ଦରକାର ପଡିଲେ ରବିନ୍ଦ୍ର ବାବୁଙ୍କ ଅଇଁଠା ବାସନ ମଧ୍ୟ ମାଜିଲେ.ଏ ବିଷୟରେ ମିତ୍ରା କିନ୍ତୁ ନିଜ ବାପା ମାଆଙ୍କୁ କିଛି ଜଣାନ୍ତି ନାହିଁ କାରଣ ଏ ସବୁ କହି ସେ ତାଙ୍କୁ ଚିନ୍ତାଗ୍ରସ୍ତ କରିବାକୁ ଚାହୁଁ ନଥିଲେ. ତେଣୁ ଏକଲା ଚଲୋ ନୀତିକୁ ଅବଲମ୍ବନ କରି ଜୀବନର ପାଦେ ପାଦେ ଆସୁଥିବା ଝଡ଼ ଝଞା କୁ ଧୈର୍ଯ୍ୟର ସହ ଅତିକ୍ରମ କରୁଥିଲେ. ମିତ୍ରାଙ୍କ ବ୍ଯବହାର ପାଇଁ ଅତିଶୀଘ୍ର ସେ ରବିନ୍ଦ୍ରଙ୍କ ପାଖକୁ ଆସୁଥିବା ଲୋକଙ୍କର ବିଶ୍ବାସ ଭାଜନ ହୋଇ ଗଲେ. ଆଉ ନିଜର ପରିଶ୍ରମ ଓ ନିଷ୍ଠା ବଳରେ ଖୁବ୍ ଶୀଘ୍ର ସବୁ କାମ ମଧ୍ୟ ଶିଖି ଗଲେ ଓ ନିଜର ଚେମ୍ବର ଟିଏ ମଧ୍ୟ ଖୋଲିଲେ.  ମିତ୍ରା ଯେଉଁଦିନ ନିଜର ଚେମ୍ବର ଖୋଲିଲେ ତାଙ୍କ ବାପା କହିଲେ ପୋଲିସ ଅଫିସର ହୋଇ ଚୋର ଧରିବାର ସ୍ବପ୍ନ ଦେଖୁଥିଲୁ, ଏବେ ନିର୍ଦୋଷୀ ମାନଙ୍କୁ ନ୍ଯାୟ ଦେବୁ. କେବେବି ଅନ୍ଯାୟର ସାଥ୍ ଦେବୁନି. ଆଜି ବି ମିତ୍ରା ବାପାଙ୍କ କଥାକୁ ଅକ୍ଷରରେ ଅକ୍ଷରରେ ପାଳି ଚାଲିଛନ୍ତି. ଆଉ ଜଣେ ଦକ୍ଷ ଓ ସଚ୍ଚୋଟ ଆଡଭୋକେଟ ହିସାବରେ ଖୁବ୍ ଅଳ୍ପ ସମୟରେ ସାରା ରାଜ୍ୟରେ ନାଁ କରି ପାରିଛନ୍ତି.   ନିଜ ଅତୀତ ଭିତରେ ମିତ୍ରା ବୁଡି ଯାଇ ଥିବା ବେଳେ ହଠାତ୍ ତାଙ୍କ ଭାବନାରେ ବ୍ୟାଘାତ ଦେଇ ତାଙ୍କ ଜୁନିୟର ପିଲାଟା କହିଲା ମାଡାମ ରାତି ଅନେକ ହେଲାଣି, ଏ ଥଣ୍ଡାଟାରେ ବସି କଣ ଭାବୁଛନ୍ତି. କାଲିର କେଶ ପାଇଁ ପ୍ରସ୍ତୁତ ହେବେନି କି?ତା କଥା ଶୁଣି ମିତ୍ରା ଷ୍ଟଡି ରୁମ୍ କୁ ଯିବାକୁ ଉଦ୍ଯତ ହେଲେ, ଆଉ ଗୁଣୁ ଗୁଣୁ ହୋଇ କହିଲେ ହଁ ଆହୁରି ଅନେକ କାର୍ଯ୍ୟ କରିବାକୁ ବାକି ଅଛି. ଅତୀତ କୁ ଝୁରିବା ପାଇଁ ମୋ ପାଖରେ ସମୟ କାହିଁ? ଆଉ ଠିକ୍ ସେଇ ସମୟରେ ପାଖ ଏକ ଘରୁ ଶୁଣା ଯାଉଥିଲା ବିଶ୍ବ କବି ରବିନ୍ଦ୍ର ନାଥଙ୍କର ସେଇ ପ୍ରସିଦ୍ଧ ସଙ୍ଗୀତ "ଯଦି ତୋର ଡାକ ଶୁନି କେଉ ନ ଆସେ ତବେ ଏକଲା ଚୋଲରେ" .........


Rate this content
Log in

Similar oriya story from Inspirational