Sachidananda Kar

Romance

3  

Sachidananda Kar

Romance

ଏକାନ୍ତ ଗୋପନୀୟ

ଏକାନ୍ତ ଗୋପନୀୟ

3 mins
186


       ଦିନେ ଠିକ୍ ନିଶାର୍ଦ୍ଧରେ ସେ ଗୋଟିଏ ସ୍ୱପ୍ନ ଦେଖିଲା । 

       ସ୍ୱପ୍ନରେ ତା' ପାଖକୁ ଆସିଲା ସୁନ୍ଦରୀ ଝିଅଟିଏ । 

       ଚମକିପଡି ଝିଅଟିକୁ ଚାହିଁଲା ସେ । 

       ମୁର୍କି ମୁର୍କି ହସୁଥିଲା ଝିଅଟି । ଚାହିଁ ରହିଥିଲା ଖୁବ୍ ସ୍ନିଗ୍ଧ ଚାହାଣୀରେ । 

       ଏତିକିବେଳେ ଝିଅଟିର ଚିକ୍କଣ କଳା ଲମ୍ବା ଖୋଲା ଚୁଟି ଉପରେ ତା'ର ନଜର ପଡିଲା । ଝିଅଟିକୁ ସେ କହିଲା -”ମୋର ଜଣେ ସହପାଠିନୀଙ୍କର ଥିବା ଲମ୍ବା ଚୁଟି ଦେଖିଥିଲି । ହେଲେ ତୁମ ଚୁଟି ତ ତାଙ୍କ ଠାରୁ ବେଶୀ ଲମ୍ବା ଆଉ ଚିକ୍କଣ । ତୁମ ଚୁଟିର କଳା ରଙ୍ଗ ଆଗରେ ତାହା କିଛି ନୁହେଁ ।”

       ଏତେ ଶ୍ରଦ୍ଧା ! ଏତେ ଆବେଗ ! ଏତେ ମମତା ! ଝିଅଟି ଖୁସି ଦିଶିଲା ଖୁବ୍ । 

       ହଳଦୀବସନ୍ତର ଦେହ ପରି ଦେହ । ମନଟା ବେଶ୍ ସ୍ୱଚ୍ଛ, ସୁନ୍ଦର ଜଣାପଡୁଛି । ଏମିତି ଝିଅକୁ ବାହା ହେଲେ ତ ଆୟୁ ବଢିଯିବ । ସବୁ ରାତି ମଧୁରାତି ହେବ । ସେ ଭାବିଲା ଓ ସଙ୍ଗେସଙ୍ଗେ ତାକୁ ପଚାରିଲା -”ମତେ ବିବାହ କରିବ ?”

       -”ମତେ ଯିଏ ବିବାହ କରିବ,ବାସର ରାତିରେ ମୋ ସହିତ ପ୍ରଥମ ମିଳନ ପରେ ହିଁ ତା'ର ମୃତ୍ୟୁ ହେବ । ଏଥିରେ ତୁମେ ରାଜି ତ ?”ଝିଅଟି ମୃଦୁ ହସି କହିଲା । 

       -”ମୃତ୍ୟୁ ! ମୃତ୍ୟୁକୁ ଡରେ ନାହିଁ । ମୁଁ ତୁମକୁ ଚାହେଁ । “କହିଲା ସେ । ସାମାନ୍ୟତମ ଆଶ୍ଚର୍ଯ୍ୟର ଚିହ୍ନ ନଥିଲା ତା' ମୁହଁରେ । ସଙ୍ଗେସଙ୍ଗେ ତା' ସହିତ ଏନଗେଜମେଣ୍ଟର ଆଶା ନେଇ ସେ ହୀରା ମୁଦିଟିଏ ଖୋଜିଲା । ମୁଦିଟି ଆଣି ଝିଅର ଚମ୍ପାଫୁଲିଆ ଆଙ୍ଗୁଠିରେ ପିନ୍ଧାଇଲା ବେଳକୁ ଝିଅଟି କୁଆଡ଼େ ଅନ୍ତର୍ଦ୍ଧ୍ୟାନ ହୋଇଗଲା । ତା'ର ସ୍ୱପ୍ନ ଭାଙ୍ଗିଗଲା ସେତିକିରେ । ସେ ଉଠି ବସିଲା । ସ୍ୱପର ସୁନ୍ଦରୀ ଝିଅଟିକୁ ନେଇ ମନେମନେ କେତେ କ'ଣ ଭାବିବାକୁ ଲାଗିଲା । 

        ଯୁବା ବୟସ । ମନ ଉଚ୍ଛନ୍ନ ହେଲା । ତା'ପରେ ଆଉ ତାକୁ ସମ୍ଭାଳେ କିଏ !

        ସେତେବେଳେ ସହରକୁ ଜଣେ ସାଧୁ ଫକୀର ଆସିଥାନ୍ତି । ପ୍ରେମ,ବିବାହ,ବିଚ୍ଛେଦ, ବିବାଦ,ବ୍ୟବସାୟ,ଚାକିରୀ ଆଦି ବିଷୟରେ ପରାମର୍ଶ ଦେଉଥାନ୍ତି । ପରଦିନ ଯାଇ ତାଙ୍କ ପାଖରେ ପହଞ୍ଚିଲା ସେ । ପଚାରିଲା -”ବାବା ! ମୋର ବାହାଘର କେବେ ଓ କେମିତି ଝିଅ ସହିତ ହେବ ଟିକେ କୁହନ୍ତୁ ତ,ପ୍ଲିଜ୍ । “

        ସାଧୁ ପ୍ରଥମେ ତା'ର କପାଳକୁ ଚାହିଁଲେ । ପରେ ହସିଦେଇ କହିଲେ -”ଲମ୍ବା ଲମ୍ବା ଚୁଟି ଥିବ, ଚନ୍ଦ୍ର ପରି ମୁହଁ ହୋଇଥିବ, ଆଖି ହୋଇଥିବ ନୀଳ ନୀଳ, ଓଠ ହୋଇଥିବ ଡାଳିମ୍ବ ମଞ୍ଜି ରଙ୍ଗର, ଦେହ ହୋଇଥିବ ମଖମଲିଆ, ରଙ୍ଗ ଚମ୍ପାଫୁଲିଆ - ଏମିତି ଝିଅ ସହିତ ଖୁବ୍ ଶୀଘ୍ର ତୁମର ବାହାଘର ହେବ । ତେବେ ତୁମ କପାଳ କହୁଛି, ବାସର ରାତିରେ ତା' ସହିତ ମିଳନ ପରେ ତୁମର ମୃତ୍ୟୁ ଯୋଗ ଅଛି । “

        ମୃତ୍ୟୁ ଯୋଗ ! ଆଶ୍ଚର୍ଯ୍ୟ ହେଲା ସେ । ଗତରାତିର ସ୍ୱପ୍ନକୁ ମନେପକାଇ ବହେ ଡରିଗଲା । ଆଦୌ ଖୁସି ହୋଇ ପାରିଲାନି । ବରଂ ଆତଙ୍କିତ ହୋଇ ପୁଣି ପଚାରିଲା -”କିଛି କ'ଣ ଉପାୟ ନାହିଁ ଏଥିପାଇଁ ?”

         -”ଅଛି । ଆସ, ଉପାୟଟି ମୁଁ ତୁମ କାନ ପାଖରେ ବତାଇଦେବି । କେବେ ଅନ୍ୟ ଆଗରେ ଖୋଲିବନି । ତା' ହେଲେ ହୁଏତ ତୁମର ମୃତ୍ୟୁ ଯୋଗ ଟଳି ଯାଇପାରେ । “ସାଧୁ କହିଲେ । 

        ଖୁସିରେ ଉଚ୍ଛୁଳି ଉଠିଲା ସେ । ସାଧୁ ବାବା ତା' କାନ ପାଖରେ ତାକୁ ଉପାୟଟି ବତାଇଦେଲେ । ସେ ନିଶ୍ଚିନ୍ତରେ ଘରକୁ ଫେରିଲା । 

        ସତକୁ ସତ ସେଦିନ ସେହିପରି ଗୋଟିଏ ଝିଅର ପ୍ରସ୍ତାବ ଆସିଲା । ସେଇ ପ୍ରସ୍ତାବଟିକୁ ଆନନ୍ଦରେ ଗ୍ରହଣ କଲା ସେ ଓ ସେଇ ଝିଅଟିକୁ ବାହା ହୋଇଗଲା । 

        ବାସର ରାତି । ସଜବାଜ ହୋଇ ବାସର ଶେଯରେ ବସିଥିଲା ଝିଅଟି । ତା' ପାଖକୁ ଆସିଲା ସେ । ତା' ସହିତ ମିଶିବା ଆଗରୁ ତାକୁ ଧୀରେ କହିଲା -”ଜଣେ ସାଧୁ ମତେ କହିଛନ୍ତି, ଆଜି ରାତିରେ ତୁମ ସହିତ ମିଶିବା ପରେ ମୃତ୍ୟୁ ଯୋଗ ପାଇଁ ମୋର ବାଟ ଫିଟିଯିବ ।“

        ଝିଅଟି ହଠାତ୍ ଡରିଗଲା । କହିଲା -”ଆଜି ମୋ ସହିତ ମିଶିବ ବୋଲି ଲକ୍ଷେ ଚମ୍ପାଫୁଲରେ ତୁମେ ସଜେଇଛ ଏ ଶେଯ । ତେବେ କାହିଁକି ଏପରି କରୁଥିଲ ? ମତେ ତ ଏବେ ଏ ଫୁଲ ଶେଯ କଣ୍ଟକିତ ମନେ ହେଉଛି । “

        -”ହେଲେ ସେଥିରୁ ମୁକ୍ତି ପାଇବାର ବାଟ ବି ସାଧୁ ବାବା ବତାଇଛନ୍ତି । ତୁମେ ବ୍ୟସ୍ତ ହେବା ଦରକାର ନାହିଁ ।“ ସେ ଆଶ୍ୱାସନା ଦେବା ସ୍ୱରରେ କହିଲା । 

        -”ସତରେ ନା କ'ଣ !”କହିଲା ଝିଅଟି । ଲାଜ ଲାଜ ହସିଲା । ବାସର ରାତିର ମିଳନ ପାଇଁ ସବୁଜ ସଙ୍କେତ ଦେଲା । 

        ନିର୍ଭୟରେ ସେଦିନ ଚମ୍ପାଫୁଲ ଶେଯରେ ଝିଅଟି ସହିତ ବାସର ରାତି ପାଳିଲା ସେ । 

        -”ଆଶ୍ଚର୍ଯ୍ୟ ! ତୁମର ମୃତ୍ୟୁ ଯୋଗ କଟିଗଲା କେମିତି ?”ପରଦିନ ତାକୁ ହସିଦେଇ ପଚାରିଲା ଝିଅଟି । 

        -”ପତ୍ନୀ ପାଇଁ ସ୍ନେହ, ଶ୍ରଦ୍ଧା ଓ ଭଲପାଇବା ପୁରୁଷର ଆୟୁ ବଢାଏ । ତୁମ ପରି ପତ୍ନୀକୁ କେମିତି ବା ସେସବୁରୁ ବଞ୍ଚିତ କରି ପାରିଥାନ୍ତି ! ସେଇ କାରଣରୁ ମୋର ମୃତ୍ୟୁ ଯୋଗ କଟିଗଲା ବୋଲି ଜାଣ । “ସେ ହସିଦେଇ ନିଃଶଦ୍ଦରେ କହିଲା । ପରେ ଅନ୍ୟ ପ୍ରସଙ୍ଗ ଆଡ଼କୁ ଚାଲିଗଲା । 

        ଖୁସି ଦିଶୁଥିଲା ଝିଅଟି । ସେକଥା ଭୁଲି ଯାଇ ଖୁସି ଖୁସିରେ ତା' ସହିତ ଅନ୍ୟ କଥା ସବୁ ହେଲା । 

       ସାଧୁ ବାବାଙ୍କୁ ମନେମନେ ଧନ୍ୟବାଦ ଓ କୃତଜ୍ଞତା ଜଣାଉଥିଲା ସେ । 

       ସୁସ୍ଥ, ସୁନ୍ଦର, ନିରୁପଦ୍ରବ ଓ ମୃତ୍ୟୁ ଯୋଗ ଟାଳି ପାରୁଥିବା ଦାମ୍ପତ୍ୟ ଜୀବନର ବୀଜମନ୍ତ୍ର କେଉଁ ପୁରୁଷ ଅନ୍ୟ କାହାକୁ କହେ କ'ଣ ! ତେଣୁ ସେଦିନ ଝିଅଟିକୁ ସେ ତାହା କହି ପାରି ନଥିଲା ଆଉ ଅନ୍ୟ କହାକୁ ଆଜି ବି । 



Rate this content
Log in

Similar oriya story from Romance