STORYMIRROR

sudarsan mahapatra

Horror

3  

sudarsan mahapatra

Horror

ଏଇ ତ ଜୀବନ

ଏଇ ତ ଜୀବନ

3 mins
139

   ପୁଅକୁ ହଷ୍ଟେଲରେ ଛାଡିବା କେତେ ଦିନ ଆଗରୁ ସ୍ୱାତୀ ଖୁବ୍ ବ୍ୟସ୍ତ ହୋଇ ପଡିଥିଲେ। ଅସଲ କଥା ହେଲା କୋଡିଏ ବର୍ଷ ଧରି କେବେ ବାହାରେ ରହିନଥିବା ପିଲା କେମିତି ହଷ୍ଟେଲରେ ରହିବ ଭାବି ସେ ମନେ ମନେ ଚିନ୍ତିତ ଥିଲେ। ଏମିତିକି ଥରେ ଦୁଇ ଥର ସେ ବିଷୟ ଆଲୋଚନା କରୁ କରୁ ଆଖିରେ ଲୁହ ଟଳମଳ ହେଉଥିଲା।

  ଏମିତି ବ୍ୟସ୍ତ ନହେବାକୁ ପତ୍ନୀଙ୍କୁ ମୋର ବୁଝାଇବାଟା ନିରର୍ଥକ ଥିଲା। -" ତୁମେ ତ ତାକୁ କୌଣସି କାମ କରିବାକୁ କେବେ ଦେଲନି। ପାଠପଢା ଛଡା ଆଉ କିଛି ବି ଜାଣିଲାନି।ନା ବଜାର ସଉଦା ନା ଆଉ କିଛି। ନିଜ ଲୁଗାପଟା ତ ଦିନେ ସଫା କଲାନି। କେମିତି ଚଳିବ ସେଠି। ସବୁ ତୁମରି ଦୋଷ।" ଓଲଟା ମୋ ଉପରେ ଅଭିଯୋଗ ବାଢି ବସିଲେ ସେ। ମୁଁ ଚୁପ୍ ରହିବାକୁ ଉଚିତ୍ ମନେ କଲି। ବୁଝି ପାରୁଥିଲି ଗୋଟିଏ ମାଆର ହୃଦୟକୁ..!!

   ଗତକାଲି ପୁଅକୁ ହଷ୍ଟେଲରେ ଛାଡିବାକୁ ଯାଇଥିଲୁ ଦୁହେଁ। ଫେରିଲା ବେଳକୁ ସ୍ୱାତୀଙ୍କର ଚୁପି ଚୁପି କାନ୍ଦକୁ ବି ସେଠାରେ ସମସ୍ତେ ଯେମିତି ଉପଭୋଗ କରୁଥିଲେ। ହଷ୍ଟେଲ ଓ୍ବାର୍ଡେନ ଠାରୁ ଆରମ୍ଭ କରି ରୁମ୍ ମେଟ୍ ପର୍ଯ୍ୟନ୍ତ ଆମ ଆଡେ ହିଁ ଚାହିଁଥିଲେ ବୋଲି ମୁଁ ବୁଝି ପାରୁଥିଲି। ହେଲେ ମୁଁ ନାଚାର ଥିଲି। ପ୍ରକୃତରେ କହିବାକୁ ଗଲେ ମୁଁ ବି ତା ପାଇଁ ଖୁବ୍ ବ୍ୟସ୍ତ ଥିଲି। ପ୍ରାୟ ସମୟ ଥଣ୍ଡା ଜନିତ ରୋଗ ଯଥା କାଶ, ଶ୍ୱାସରେ ସେ ଆକ୍ରାନ୍ତ ହୁଏ। ଏମିତି ସବୁ ଭାବନା ସବୁକୁ ମନରେ ରଖି, -ପଢାପଢିରେ ମନ ଦେବୁ, ଠିକ୍ ସମୟରେ ଖିଆପିଆ କରିବୁ, ସର୍ବୋପରି କିଛି ଅସୁବିଧା ହେଲେ ତୁରନ୍ତ ଜଣାଇବୁ ଆଦି କଥା କହି ତା ଠାରୁ ବିଦାୟ ନେଲୁ।

   ଆଜି ଘର ଖାଲି ଖାଲି ଲାଗୁଛି। ପୁଅର ଷ୍ଟଡି ରୁମକୁ ଆସିଲି ତ ଆଖିରେ ପଡିଲା ଟେବୁଲ କ୍ୟାଲେଣ୍ଡର ଉପରେ। ନେବାକୁ ଭୁଲି ଯାଇଛି। ନୂଆବର୍ଷରେ ପୁଅର ଅନୁରୋଧ ଥାଏ ଏଇ କ୍ୟାଲେଣ୍ଡର ପାଇଁ। ଦିନଟିଏ ଗଡିଗଲେ ସେ ସେଇ ତାରିଖରେ ଛକିଟିଏ ମାରେ। କେବେ କେବେ କ'ଣ ସବୁ ଛୋଟ ଛୋଟ କରି ସାଙ୍କେତିକ ଚିହ୍ନ ଦିଏ। କେତେବେଳେ ସେ ଏସବୁ କରେ କେଜାଣି? ମୁଁ ରାତି ଦଶଟା ବେଳକୁ ଶୋଇବାକୁ ଯିବା ବେଳକୁ ସିଏ ପଢ଼ିସାରି ଶୋଇବାକୁ ଯାଏ ପ୍ରାୟ ତିନିଟାରେ। ଉଠିବ ପୁଣି ସକାଳ ନଅଟା। ଯେତେ କହିଲେ ବି ସେଇ ଏକା କଥା। ଏଇଟା ତା'ର ଅଭ୍ୟାସରେ ପରିଣତ ହୋଇ ଯାଇଛି ଚାରି ବର୍ଷ ଧରି। ଏବେ କ'ଣ କରିବ ସେ। ରୁମ୍ ମେଟ୍ ମାନେ ଯଦି ଅଶାନ୍ତି ହୁଅନ୍ତି ! ବ୍ୟତିବ୍ୟସ୍ତ ହୋଇ ପଡିଲି।

-" ଏସବୁ ତୁମରି ଦୋଷ। ପୁଅ ଆଉ ଟିକିଏ ଶୋଇଥାଉ। ଠିକ୍ ନିଦ ନହେଲେ ତା ଦେହ ଖରାପ ହେବ। ସକାଳୁ ଉଠି ନିଜେ ତ ଆସ୍ତେ ଆସ୍ତେ କାମ କରିବ, ଆଉ କାହାକୁ ଶବ୍ଦ ଟିକେ ବି କରିବାକୁ ଦେବନି। ଟିକିଏ କାଶିଲେ ବି ମୋତେ ପରା ଆକଟ କର ତୁମେ!" ଏସବୁ କଥା ସ୍ୱାତୀଙ୍କୁ କହିଲା ବେଳକୁ ସେ ମୋତେ ପ୍ରବୋଧନା ଦେବାକୁ ଚେଷ୍ଟା କରୁଥିଲେ।

   - "ତୁମେ ତ ପୁଅକୁ ହଷ୍ଟେଲରେ ଛାଡି ଆସିଲ। ଏବେ ମୋବାଇଲରେ କେମିତି ଗ୍ୟାସ୍ ବୁକ୍ କରିବ ? କେମିତି ଇଲେକ୍ଟ୍ରି ବିଲ୍ ଅନଲାଇନ୍ ରେ ଦେବ ? ତୁମେ ତ ଶିଖି ପାରିଲନି ଏତେ ଦିନ ପର୍ଯ୍ୟନ୍ତ।" ମୋତେ ଅନ୍ୟମନସ୍କ କରାଇବାକୁ ବୋଧହୁଏ ଏକଥା କହିଲେ ସ୍ୱାତୀ। ମୁଁ ଯେ ସେସବୁ ଜାଣେ ଏବଂ କେବଳ ପୁଅ ସହିତ କିଛି ସମୟ କାଟିବାକୁ କିଛି ନଜାଣିବାର ଛଳନା କରେ, କହିବାକୁ ଇଛା ହେଲାନି ସେଇ ମୁହୂର୍ତ୍ତରେ। କାଳେ ମୋର ଦୁର୍ବଳତା ସ୍ୱାତୀ ଜାଣିଦେବେ !!!

- "ତୁମେ କହୁଥିଲ ପରା ମୋ ପୁଅ କିଛି କାମ କରେନା। କିଛି ଜାଣେନା ! ଏବେ କ'ଣ କହୁଛ ନିଜକୁ ପଚାର ।" ଏମିତି ସବୁ କଥା ଭିତରେ ସମୟ ଅତିବାହିତ କରିବାକୁ ବୋଧହୁଏ ଚେଷ୍ଟା କରୁଥିଲୁ ଆମେ ଦୁହେଁ। ପ୍ରକୃତରେ ପୁଅର ଫୋନକୁ ଅପେକ୍ଷା କରି ରହିଥିଲୁ ଅନେକ ଧୈର୍ଯ୍ୟ ଧରି।

   ଆମକୁ ଆଶ୍ଚର୍ଯ୍ୟ କରି ପୁଅର ଫୋନ୍ ଆସିଲା ଠିକ୍ ସାତଟା ବେଳକୁ।ଫୋନ୍ ଉପରକୁ ଯେମିତି ଝାମ୍ପି ପଡିଲେ ସ୍ୱାତୀ। " ଏତେ ଶୀଘ୍ର କାହିଁକି ଉଠିଲୁ ?ରାତିରେ ନିଦ ହେଲାନି କି? " ଏତିକି କଥାରେ ସ୍ୱାତୀଙ୍କ ଆଖିରେ ଲୁହ ଜମାଟ ବାନ୍ଧୁଛି ବୋଲି ମୁଁ ଜାଣି ପାରିଲି। ହେଲେ ପୁଅ ସହିତ କଥାବାର୍ତ୍ତା କଲା ଭିତରେ ତାଙ୍କ ମୁହଁରେ ଉକୁଟି ଉଠୁଥିବା ହସ ଦେଖି ମୁଁ ଆଶ୍ୱସ୍ତି ଅନୁଭବ କଲି। ମନେ ପଡିଲା କେତେ ଦିନ ଧରି ପୁଅକୁ କାନେ କାନେ କହି ଆସିଥିବା ସେଇ କଥା।" ତୁ ମୋ ପାଖକୁ ଫୋନ ନକଲେ ବରଂ ଚଳିବ, ହେଲେ ସୁବିଧା ଦେଖି ତୋ ମାମା ପାଖକୁ ଯେମିତି ଫୋନ୍ କରିବାକୁ ଭୁଲି ନଯାଉ !" 

  ପୁଅ ସହିତ କଥା ହେଉ ହେଉ ସ୍ୱାତୀ ଆସି କହିଲେ - "ଯାହା ହେଉ ତା'ର ଗୋଟିଏ ପିଲା ସହିତ କାଲି ହିଁ ସାଙ୍ଗ ହୋଇ ଯାଇଛି" । 

-" ଶୁଭ ! ସେ ପିଲାଟି ପୁଅ ନା ଝିଅ ?" ସ୍ୱାତୀଙ୍କ ଠାରୁ ଫୋନ୍ ଛଡ଼େଇ ଆଣି ପୁଅକୁ ପଚାରିଲି ହସିଲା ସ୍ୱରରେ।

-" ସେମିତି କୁହନି। ମାମା ମୋତେ ବାଡେଇ ପକେଇବ। ତାପରେ ମୁଁ ତ ଆଜି ପ୍ରଥମ କ୍ଲାସ କରିବାକୁ କଲେଜ ଯିବି ।" ହସି ହସି ଉତ୍ତର ଫେରେଇଲା ପୁଅ।

  ମୋଟାମୋଟି ଆମେ ସମସ୍ତେ ସହଜ ହେବାକୁ ଚେଷ୍ଟା କରୁଥିଲୁ ସାଧ୍ୟମତେ...!!!!



Rate this content
Log in

Similar oriya story from Horror