STORYMIRROR

suchismita Panda

Inspirational

3  

suchismita Panda

Inspirational

ଦୁର୍ଘଟଣା

ଦୁର୍ଘଟଣା

4 mins
386

    ବଡ ଅଜବ ପରିସ୍ଥିତି ଭିତରେ ଫସିଗଲି । ଖବର ପାଇବା ପରେ ତର ତର ହୋଇ ଅଫିସରୁ ବାହାରି ଆସିଥିଲେ ମଧ୍ୟ ମଝି ରାସ୍ତାରେ ରହିଯାଇ ଡେରି କରିଚାଲିଲି । ଅନ୍ୟ ସଭିଙ୍କ ପରି ଚୁପ୍ ଚାପ୍ ରାସ୍ତା ପାରି ହୋଇ ଚାଲିଯିବାକୁ କେଜାଣି କାହିଁକି ବିବେକ ସହମତି ଜଣାଇ ନଥିବାରୁ ମୋତେ ଡେରି ହେଲା । ଏବଂ ସେଇ ଡେରିର ପରିଣତି ମୋ ଜୀବନର ଗତି ହିଁ ପରିବର୍ତ୍ତନ କରିଦେବ ଏକଥା ସେତେବେଳେ ମୋ ଧାରଣାରେ ନଥିଲା ।

    କଲିକତା ସହର । ଓଡିଶାର ପଡୋଶୀ ଥିବାରୁ କଥାବାର୍ତ୍ତା, ଖାଦ୍ୟ ପେୟ ଭିତରେ ବିଶେଷ ପରିବର୍ତ୍ତନ ନଥିଲା । ତା ସହ ମୀରା ମଧ୍ୟ ଭାରି ଗହଳି ଚହଳି ପ୍ରିୟ । ନୂଆଁ ନୂଆଁ ଆମେ ସେଠିକୁ ଯାଇଥାଉ ସତ ହେଲେ ସେ ତାଙ୍କ ଆପଣେଇ ନେବା ଗୁଣକୁ ପ୍ରସାରିତ କରି ପ୍ରାୟ ଲୋକଙ୍କ ଠାରେ ସଂପର୍କ ଗଢି ସାରିଥାନ୍ତି । ତେଣୁ ହିଁ ଆମକୁ ସେଠି ରହିବାକୁ କିଛି ଅସୁବିଧା ହୋଇ ନଥିଲା । 

    ବାହାଘରକୁ ବର୍ଷେ ବିତିଯାଇଥାଏ । କଲିକତାର ଚାକଚକ୍ୟ ଭରା ଦୁନିଆକୁ ଆପଣେଇ ନେଇ ଆମେ ମଧ୍ୟ ବେଶ୍ ଚକଚକ ହୋଇ ଚମକୁଥାଉ । ମୀରା ଗୋଟିଏ ପାଖ ସ୍କୁଲରେ ଯୋଗଦେଇ ତାଙ୍କ ଅତିରିକ୍ତ ସମୟକୁ ବିତଉଥାନ୍ତି । ଦିନେ ମୁଁ ଅଫିସରୁ ଫେରି ଦେଖେ ମୀରା ସବୁଦିନ ପରି ବେଶୀ ଖୁସି ନଥିଲା ପରି ଦେଖାଯାଉଥିଲେ । ଖାଇବା ଟେବୁଲରେ ମଧ୍ୟ ସେଇ ନିରାଶା ଦେଖି କାରଣ ପଚାରେ । ମୀରା ପ୍ରଥମେ ତ ରାଜି ନଥିଲେ କିଛି କହିବା ପାଇଁ କିନ୍ତୁ ପରେ ଆଖିରେ ଲୁହ ଧରି କହିଲେ ବିଚାର ନକରି ମଧ୍ୟ ଠାକୁରଙ୍କ କୃପା ହୋଇଛି ବୋଧହୁଏ । ମୁଁ ବୁଝି ପାରେନି । ସେ ପୁଣି କହନ୍ତି ତାଙ୍କ ଜୀବନର ଏକଲାପଣକୁ ଦୂର କରିବା ପାଇଁ ପ୍ରଭୁ ତାଙ୍କ କୋଳେ କୁନି ସନ୍ତାନଟିଏ ଆଣିଦେବାକୁ ସ୍ଥିର କରିଛନ୍ତି । ଅର୍ଥାତ୍ ମୁଁ ମାଆ ହେବାକୁ ଯାଉଛି ।

    ମୀରାଙ୍କ କଥାରେ ଥିବା ଦରଦ ମୋତେ ଭାବବିହ୍ବଳ କରିଦିଏ । ସେ ମାଆ ହେବାକୁ ଯାଉଛନ୍ତି ମାନେ ବାପା ଡାକେ ଘର ଖେଳି ଉଠିବ। ଏତେ ଦିନ ମୁଁ ଛୋଟ ଶିଶୁଟିଏ ହୋଇ ଯେଉଁ ଅଳି ଅଝଟ କରୁଥିଲି ସେଇ ସବୁ ବନ୍ଦ କରି ବଡ ହେବି । ମୋ ଆଗେ ମୋରି ହିଁ ସନ୍ତାନର ଅଝଟପଣ ଭିତରେ ପୁରୁଣା ଦିନ କାଟିବ ।

    ବହୁତ ଖୁସିରେ ନାଚିଉଠେ । ମୀରା କିନ୍ତୁ ସେଇ ଛଳ ଛଳ ଆଖିରେ ଭୟ ମିଶ୍ରିତ କଣ୍ଠରେ ପଚାରି ବୁଝନ୍ତି ଯେ ମୁଁ ଏଇ ନିଷ୍ପତ୍ତିରେ ରାଜି ଅବା ବିରୋଧୀ । ମୋ ଖୁସି ସହମତି ଜାଣି ସେ ମଧ୍ୟ ଭାରି ଖୁସିରେ ବାପା ମାଆ ଭାଇ ଭଉଣୀ ସଭିଙ୍କୁ ଜଣାଇ ଦେଇଥାନ୍ତି । ଆମ ଖୁସି ଦେଖି ସଭିଙ୍କ ଖୁସି କହିଲେ ନସରେ ।

    ତିନି ମାସ ବିତିଯାଇଥାଏ । ମାଆଙ୍କ କଥା ଅନୁସାରେ ସକାଳୁ ସବୁଦିନ ପଇଡ ପାଣିଠୁ ଆରମ୍ଭ କରି କାଜୁ, କିସମିସ ସହ ପେଟେ ଜଳଖିଆ ମୋ ଆଗେ କରିବା ପରେ ଯାଇ ମୁଁ ଅଫିସ ଯାଏ । ରାସ୍ତାରେ ତାଙ୍କୁ ଛାଡିଦିଏ ସ୍କୁଲରେ । ଏମିତି ଜୀବନରେ ଦିନ ସବୁ ବଢି ବଢି ଚାଲିଛି । ଧୀରେ ଧୀରେ ମୀରାଙ୍କ ଶରୀରରେ ପରିବର୍ତ୍ତନ ଆସିବାରେ ଲାଗିଛି । ଏକାକୀ ରହିବା ଠିକ୍ ହେବନି ଭାବି ବାପା ମାଆ କଲିକତା ଆସିଯାଇଛନ୍ତି । ସବୁ ପ୍ରକାରର ଯତ୍ନରେ କଦାପି କୌଣସି ଅବହେଳା ହେଉ ନଥାଏ । 

    ସବୁଦିନ ପରି ସେଦିନ ମଧ୍ୟ ମୁଁ ଯାଏ ଅଫିସ । ମୀରା ତ ଏଇ ଭିତରେ ସ୍କୁଲଠୁ ଛୁଟି ପାଇ ଘରେ ଥାଆନ୍ତି । ଚିନ୍ତା ଶୂନ୍ୟ ଥାଇ କାମ କରୁଥିବା ବେଳକୁ ଥରକୁ ଥର ମୋବାଇଲ ବାଜି ଉଠେ । ବାପାଙ୍କ ଲଗାତାର ଫୋନ୍ ଦେଖି ମନରେ ପଶିଆସେ ଯାବତୀୟ ଭାବନା । ହେଲେ ସେଇ ଭାବନା ଯେ ସତ ଥିଲା ସେକଥା ବୁଝେ ବାପାଙ୍କ ଠାରୁ ଦୁର୍ଘଟଣା ବିଷୟରେ ଶୁଣିବା ପରେ । ଗାଧୋଇ ଫେରୁଥିବା ବେଳେ ମୀରା ପଡିଯାଇ ଆଘାତ ପାଇଛନ୍ତି ତା ସହ ତାଙ୍କ ଚେତାଶୂନ୍ୟ ଅବସ୍ଥାରେ ଡାକ୍ତରଖାନା ନିଆଯାଉଛି । ପାଖ ପଡିଶାଙ୍କ ସାହାଯ୍ୟରେ ସବୁକିଛି ସଂଗେ ସଂଗେ କରାଯାଉଛି । 

    ବାପାଙ୍କ କଥା ଶୁଣି ମୁଁ ଆଉ ଅଫିସରେ ନରହି ବାହାରି ଯାଏ ଡାକ୍ତରଖାନାକୁ । ଅଧା ବାଟ ଯିବା ପରେ ଦେଖେ ରାସ୍ତା ମଝିରେ ରକ୍ତାକ୍ତ ଅବସ୍ଥା ପଡିଛି ଏକ ଗାଇ । ପାଖେ ତାର କଅଁଳ ଶିଶୁ ବିକଳ ହୋଇ ଗେଲ କରୁଥାଏ । ସତେ ଯେମିତି ମାଆକୁ କହୁଥାଏ ଉଠ ମାଆ ଉଠ ଆମେ ଯିବା ହେରି । ହେଲେ ମାଆ ଦେହେ ଶକ୍ତି କାଇଁ ଯେ ସେ ଉଠିବ । ମୋତେ ସେଇ ଚିତ୍ରପଟ୍ଟ ଅଟକେଇ ଦିଏ । ମୀରାଙ୍କ ଅବସ୍ଥା, ମୋ ସନ୍ତାନର ଅବସ୍ଥା ଗୁରୁତର ଥିବା ଜାଣି ମଧ୍ୟ ମୋ ପାଦ ବଢେନି ଆଗକୁ । ବାପାଙ୍କୁ ମୀରାଙ୍କ ପାଖେ ରହିବାକୁ କହି ମୁଁ ଲାଗିପଡେ ଗାଇକୁ ବଞ୍ଚାଇବାରେ । ସଂଗେ ସଂଗେ ଡାକ୍ତରଙ୍କୁ ଫୋନ୍ କରି ତାକୁ ଚିକିତ୍ସା କରିବାର ବ୍ୟବସ୍ଥା କରେ ।

  ମୀରା ଓ ମୁଁ ଏକାଠି ସଂଗ୍ରାମ କରୁଥାଉ । ସେ ସେଠି ଆମ ପରିବାର ପାଇଁ ସଂଗ୍ରାମ କରୁଥିବା ବେଳେ ମୁଁ ଲାଗିଥାଏ ଗୋଟେ ବାଳୁତ ଶିଶୁକୁ ମାଆର କୋଳ ଫେରାଇ ଦେବା ପାଇଁ । ଏଇ ଭିତରେ ସେଇ ବାଳୁତ ଶିଶୁଟି ପ୍ରଥମେ ଯେଉଁ ଡରିଯାଇ ଟିକେ ଘୁଞ୍ଚିଯାଇଥାଲା ଏବେ ପାଖରେ ଠିଆ ହୋଇ କେତେବେଳେ ମାଆକୁ ଗେଲ କରୁଥାଏ ତ ଆଉ କେତେବେଳେ ମୋ ହାତକୁ ଚାଟୁଥାଏ । 

    ଗାଇର ଚିକିତ୍ସା ସହ ମୁଁ ବୁଝୁଥାଏ ମୀରାଙ୍କ କଥା । ବାପାଙ୍କ ଫୋନ ଆସିଲା ପରେ ଟିକେ ଶାନ୍ତି ଲାଗେ ଯେ ମୀରାଙ୍କ ଚେତା ଫେରି ଆସିଥାଏ । ଅନ୍ୟ ପଟେ ଗାଇ ମଧ୍ୟ ଠିକ୍ ହେବ ବୋଲି ଆଶା ସଂଚାରି ଯାଏ ମନେ । ପ୍ରାୟ ଅଧ ଘଣ୍ଟା ବିତି ନଥାଏ ଠିକ୍ ରୂପେ ହଠାତ୍ ଗାଇଟି କିଛି ସମୟ ପାଇଁ ଛଟପଟ ହୋଇ ଛାଡିଦିଏ ଶେଷ ନିଃଶ୍ୱାସ । ମୁଁ ଏଇ ଦାରୁଣ ଦୁଃଖ ଦେଖି ସହି ପାରୁ ନଥାଏ । ମନ ହେଉଥାଏ ଭୋ ଭୋ କାନ୍ଦିବି ହେଲେ ତଥାପି ଧୈର୍ଯ୍ୟ ଧରି ସମ୍ଭାଳି ଥାଏ ନିଜକୁ ତା ସହ ସେଇ ବାଳୁତ ମାତୃହରା ଶିଶୁକୁ । ଠିକ୍ ସେଇ ସମୟରେ ହିଁ ବାପାଙ୍କ ଫୋନ୍ । ଅନେକ ପ୍ରକାରର ପ୍ରଚେଷ୍ଟା ପରେ ମଧ୍ୟ ମୀରା ତଥା ଶିଶୁ ଉଭୟଙ୍କୁ ବଞ୍ଚିବାବା ସମ୍ଭବ ହୋଇନାହିଁ । 

   ଏତକ ଶୁଣିବା ପରେ ଆଉ ଧୈର୍ଯ୍ୟ ବାନ୍ଧି ରଖି ନପାରେ । ସେଇ ମାତୃହରା ଶିଶୁକୁ ଜାବୁଡି ଧରି ରାସ୍ତା ମଝିରେ ଚିତ୍କାର କରି କାନ୍ଦିଉଠେ । ଶୂନ୍ୟ ଜୀବନରେ ଆଉ କେହି ନିଜର ଥିବା ଜଣା ପଡୁନଥାଏ । ସେଇ ଶିଶୁକୁ ଛାଡି ଆସିବାକୁ ସାହାସ ମଧ୍ୟ ନଥାଏ । ସେଠୁ ସ୍ଥିର କରେ ତାକୁ ରଖିବି ସବୁଦିନ । ସେଠୁ ନେଇଯାଏ କିଛି ଦିନ ଜଣେ ବନ୍ଧୁକୁ ଦାୟିତ୍ୱ ଦିଏ । ମୀରାଙ୍କ ସମସ୍ତ କାର୍ଯ୍ୟ ସାରିଫା ପରେ ସେଠି କିଣିଥିବା ଘରଟି ବିକ୍ରି କରି ଗୋଟିଏ ବଡ ଖୋଲା ପଡିଆ କିଣେ । ସେଠି ନିଜ ପାଇଁ ଏବଂ ସେଇ କୁନି ଶିଶୁ ମୟୂରୀ ପାଇଁ ଘର ତିଆରି ହୁଏ । ଚାକିରୀ ବ୍ୟତୀତ ଜୀବନରେ ଗାଇଙ୍କ ସହ ସମୟ ବିତେଇ ଦିନ, ମାସ, ବର୍ଷ ବିତେଇଚାଲେ । ସବୁ କିଛି ହରେଇବା ପରେ ପାଇଥିବା ନୂଆଁ ସଂସାରରେ ନିଜେ ମଧ୍ୟ ହଜିଯାଏ ଆଜୀବନ । 



Rate this content
Log in

Similar oriya story from Inspirational