ଦୁର୍ଗା: ତିନୋଟି ରୂପ
ଦୁର୍ଗା: ତିନୋଟି ରୂପ
(ପ୍ରଥମ ରୂପ)
ଦଶହରା ପାଇଁ ଆମେ ସମସ୍ତେ ଗାଁରେ ପହଞ୍ଚିଥିଲୁ। ପ୍ରତିବର୍ଷ ପୂଜାରେ ଗାଆଁକୁ ଯିବା ନିଶ୍ଚିତ। ବାପା ବୋଉ ଆମମାନଙ୍କର ବାଟ ଚାହିଁ ବସିଥାନ୍ତି। ତିନି ପୁଅ ବୋହୁ, କେଉଁ ବର୍ଷ ଝିଅ ଜୋଇଁ ଆଉ ନାତି ନାତୁଣୀମାନଙ୍କୁ ନେଇ ଆମ ଘର କୋଳାହଳରେ ଫାଟିପଡେ ଯେମିତି। ସେ ଖୁସି ନିଆରା। ସବୁ ପିଲାଙ୍କ ପାଇଁ ନୂଆ ଜାମା ପ୍ୟାଣ୍ଟ ବି ବାପା କିଣି ରଖିଥାନ୍ତି।ସେଥର ପୂଜାରେ ସକାଳୁ ସକାଳୁ ମୋ ଚାରି ବର୍ଷର ଝିଅ 'ବିଜୟା' ନୂଆ ଡ୍ରେସ୍ ପିନ୍ଧିବ ବୋଲି ଜିଦି କଲା। ଗାଧୁଆ ପାଧୁଆ କରି ଆଉ ଟିକିଏ ପରେ ପିନ୍ଧିବୁ ବୋଲି ତାକୁ ବୁଝାଗଲା।ପାଞ୍ଚ ମିନିଟ୍ ପରେ ଶୁଭିଲା ଦୁଲ୍ କରି ଗୋଟିଏ ଶବ୍ଦ। ସମସ୍ତେ ସେଇ ଆଡକୁ ଦୌଡିଲେ।ଆଲଣା ସହ ଝିଅ ପଡିଥିଲା ତଳେ ଆଉ ହାତରେ ଥିଲା ତା'ର ନୂଆ ଡ୍ରେସ୍। ସେଇଦିନଠାରୁ ବାପାଙ୍କ ଦତ୍ତ ନୂଆ ନାଁ ' ଦୁର୍ଗା ' ତା'ର ଡାକ ନାମ ହୋଇଗଲା। ବାପା ଏବେ ନାହାନ୍ତି ହେଲେ ତାଙ୍କର ଗେହ୍ଲା ନାତୁଣୀ 'ଦୁର୍ଗା' ପୂଜା ଆସିଲେ ଜେଜେଙ୍କୁ ଖୁବ୍ ଝୁରେ...!!!
( ଦ୍ୱିତୀୟ ରୂପ)
ଭାଇଙ୍କର ବାହାଘର ବେଳକୁ ଆମ ଘର ସମ୍ପୂର୍ଣ୍ଣ କୋଠାଘରରେ ପରିଣତ ହୋଇନଥିଲା। ଆଟୁ ଥିବା ମାଟିଘର ଦୁଇ ବଖରା ସାମ୍ନାକୁ ଥିଲା। ପୂଜା ଛୁଟିରେ ଭଣଜା ଭାଣିଜୀ ପୋଡପିଠା ଖାଇବେ ବୋଲି ଇଚ୍ଛା ପ୍ରକାଶ କଲେ। ବୋଉ ପୋଡପିଠା ତିଆରି କରିବାର ସରଞ୍ଜାମ ସବୁ ଯୋଗାଡିବାରେ ଲାଗି ପଡିଲା । ସାନଭାଇ ସେଥିରେ ବୋଉକୁ ସାହାଯ୍ୟ କଲା। ମୁଁ ବାହାରିଗଲି କଦଳୀ ପତ୍ର କାଟିବାକୁ। ଭାଇ ଆମର ସାଙ୍ଗମାନଙ୍କ ସହିତ ଖୁସି ଗପରେ ମସଗୁଲ୍ ଥିଲେ। ଏତିକି ବେଳକୁ ଆଣ୍ଠୁ ଉପରେ ଶୁଭିଲା ଧଡଧାଡ ଶବ୍ଦ। ସେଠି କିଏ କେମିତି ପଶିଲା ବୋଲି ସମସ୍ତେ ଉଦବିଗ୍ନ । ଆଟୁ ଉପରୁ ଘଷି କେତେ ଫଡା ତଳକୁ ଫୋପାଡି ହସି ହସି ଶିଡିଦେଇ ତଳକୁ ଆସିଲେ ଆମ ନୁଆ ଭାଉଜ। ସେଇଦିନଠାରୁ "ଦୁର୍ଗା ମା" ନାମରେ ଆମେ ଏ ପର୍ଯ୍ୟନ୍ତ ଚିଡେଇ ଆସିଛୁ ଭାଉଜଙ୍କୁ।ତାଙ୍କ ମୁହଁରେ କିନ୍ତୁ ସଦା ସର୍ବଦା ଉକୁଟୁଥାଏ ସତେଜ ହସ ।
( ତୃତୀୟ ରୂପ )
ଦୁର୍ଗାପୂଜା ଉପଲକ୍ଷେ ବୋଉ ହାତ ତିଆରି ବିଭିନ୍ନ ପିଠାପଣା ଖାଇବାକୁ ଆମ ସମସ୍ତଙ୍କର ଲାଳସା। ସେଥିରେ ପୁଣି ନାତି ନାତୁଣୀମାନଙ୍କର ଜେଜେ ମା'ଙ୍କ ପାଖରେ କେତେ ପ୍ରକାର ଅଳି। ସେତେବେଳକୁ ବୋଧହୁଏ ସମସ୍ତେ ଭୁଲିଯାଉ, ବୋଉ ସତୁରୀ ବର୍ଷ ଟପି ସାରିଲାଣି ବୋଲି। ଦୁର୍ବଳ ଶରୀରରେ ବୋଉ ପାଖରେ କିନ୍ତୁ ଷାଠିଏ ପଉଟି ପରଷି ଦେବାର ଅସୀମ ଉଚ୍ଛ୍ୱାସ। କେତେବେଳେ ଚୁଲି ମୁଣ୍ଡରେ ତ କେତେବେଳେ ପିଠା ତିଆରି କରିବାରେ, କେତେବେଳେ ନଡ଼ିଆ କୋରିବାରେ ତ କେତେବେଳେ ଖିରି ଆଉଟିବାରେ, କେତେବେଳେ ଯାଇଁ ବାସନ ମାଜୁଥିବ ତ କେତେବେଳେ ପରିବା କାଟିବାକୁ ପନିକି ପାଖରେ ଥିବ ବୋଉ । ଚାରିଆଡେ ଖାଲି ବୋଉ ଆଉ ବୋଉ। ଯେମିତି ବୋଉମୟ ଏ ଦୁନିଆ। ବୋଉ ଆମର ପାଲଟିଯାଏ ଦଶଭୁଜା ମା' ଦେବୀ ଦୁର୍ଗା,ଏଇ ପାର୍ବଣ ଋତୁରେ...!!!
