STORYMIRROR

puspanjali das

Inspirational

3  

puspanjali das

Inspirational

ଦୁର୍ଗା ମା

ଦୁର୍ଗା ମା

5 mins
278


ବିଜୟାଦଶମୀର ଚଳଚଞ୍ଚଳ ପରିବେଶରେ ଲୋକାରଣ୍ୟ ମଣ୍ଡପ ପାଖରେ ସେଦିନ ଇଶା ଜୋତା ରଖିବାକୁ ଜାଗା ଟିକେ ଖୋଜୁ ଖୋଜୁ ,ହଠାତ୍ ଜଣେ ବୃଦ୍ଧାଙ୍କୁ ଝୁଣ୍ଟି ପଡିଥିଲା।ହାତରେ ଭୋଗ ଡାଲାଟିକୁ ସମ୍ଭାଳୁ ସମ୍ଭାଳୁ ବୃଦ୍ଧାଙ୍କର କାନ୍ଧରେ ଆର ହାତଟି ତାର ପଡିଯାଇଥିଲା। ସ୍ମିତହାସ୍ୟରେ ବୃଦ୍ଧା ଜଣକ ତା'ର ହାତଟିକୁ ଥାପୁଡ଼େଇ ଦେଇ ଭୋଗ ଡାଲାଟିକୁ ସମ୍ଭାଳି ନେଇଥିଲେ। ନିଜକୁ ସଜାଡି ନେଇ ଇଶା ବୃଦ୍ଧାଙ୍କୁ ତାର କୃତଜ୍ଞତା ଜଣାଇବାକୁ ଆଖି ବୁଲାଇଲା ବେଳକୁ ବୃଦ୍ଧା ଜଣକ ବାଡ଼ି ଖଣ୍ଡକ ସାହାଯ୍ୟରେ ସାମାନ୍ୟ ଆଗକୁ ଚାଲିଯାଇଥିଲା। ଇଶା କିନ୍ତୁ ତାଙ୍କୁ କୃତଜ୍ଞତା ନ ଜଣାଇ ଛାଡିବାକୁ ପ୍ରସ୍ତୁତ ନ ଥିଲା! ପଛରେ ଗୋଡ଼ାଇ ଯାଇ ତାଙ୍କୁ ମା'ବୋଲି ସମ୍ବୋଧନ କରି ଡାକି ଦେଇଥିଲା। ସେଇ 'ମା' ଡାକଟିରେ ବୃଦ୍ଧା ଜଣକ ହୁଏତ ନିଜକୁ ମୁକୁଳେଇ ପାରି ନଥିଲେ,ଟିକେ ଅଟକି ଯାଇ ବୁଲିପଡ଼ି ଚାହିଁ ଦେଇଥିଲେ ଓ ସେଇ ସ୍ମିତହାସ୍ୟରେ ମୁଣ୍ଡଟିକୁ ହଲାଇ କିଛି ସ୍ୱଗତୋକ୍ତି କରିଥିଲେ।

             ଏଥର ଇଶା ନିଜକୁ ସହଜ କରିନେଇ କୃତଜ୍ଞତା ଜଣାଇଥିଲା ଯେ–ତା'ର ପୂଜା ଡାଲାଟିକୁ ସମ୍ଭାଳି ନ ଥିଲେ,ତାର ସବୁ ପରିଶ୍ରମ ନିରର୍ଥକ ହେଇଯାଇଥାନ୍ତା ହୁଏତ ତା'ହାତ ତିଆରି ଭୋଗ ସାମଗ୍ରୀ ସେ ମା'ଙ୍କ ପାଖରେ ପୂଜା କରିପାରିନଥାନ୍ତା! ଏତକ ଏକା ନିଶ୍ଵାସରେ କହିପକାଇ ବୃଦ୍ଧାଙ୍କ ମୁହଁକୁ ଭଲକରି ଯେତେବେଳେ ଦେଖିଥିଲା ସେତେବେଳେ ତାଙ୍କର ଲୁହ ଢ଼ଳ ଢଳ ଆଖିଦୁଇଟି ତାକୁ ଯେମିତି ଅନେକ କିଛି କହିଯାଉଥିଲା! ଭଦ୍ର ପରିବାରର ପରି ଦିଶୁଥିଲେ କିନ୍ତୁ ଗଳିତ ଚର୍ମର ହାତରେ ତାଙ୍କର ପୁରୁଣା ରସ କଂସା ଖଣ୍ଡକ ଯେମିତି ଅନ୍ୟ କିଛି କାହାଣୀ କହୁଥିଲା! ଅନୁସନ୍ଦିଷ୍ଣୁ ଇଶାର ମନରେ ଅଗଣିତ ପ୍ରଶ୍ନ ଯେମିତି ଉଙ୍କି ମାରୁଥିଲା! ପୂଜାର ସମୟ ଗଡିଯିବ କହି ବୃଦ୍ଧା ଜଣକ ଇଶାର ପ୍ରଶ୍ନିଳ ଆଖିକୁ ଏଡାଇ ଯିବାକୁ ଚାହିଁଥିଲେ,ହେଲେ,ତା'ର ସେଇ 'ମା' ଡାକଟି ସତେ ଯେମିତି ଗୋଡ଼ରେ ଶିକୁଳି ଲଗାଇ ଦେଇଥିଲା!

            ଇଶାର ଅନୁରୋଧରେ ପାଖ ଅଧଭଙ୍ଗା ପାଚେରୀ ଉପରେ ଅଣ୍ଟା ସଳଖି ବାଡିଟିର ସାହାଯ୍ୟ ନେଇ ବସିପଡି, ଅପେକ୍ଷା କରିଥିଲେ ସେ ଇଶାର ପୂଜା ଶେଷ ହେବା ପର୍ଯ୍ୟନ୍ତ।କିଛି ସମୟ ପରେ ଇଶା ଚାଲିଆସିଥିଲା ବୃଦ୍ଧାଙ୍କ ପାଖକୁ ଆଖିରେ ଅନେକ ପ୍ରଶ୍ନ ଓ ମନରେ ଅନେକ ଉଦବେଗ ନେଇ।କାହିଁକି କେଜାଣି ଇଶା ନିଜର ପରିବାରକୁ ସେତେବେଳେ ପୁରାପୁରି ଭୁଲିଯାଇଥିଲା କେତୋଟି ମୁହୂର୍ତ୍ତ ପାଇଁ! ପାଖରେ ବସିପଡି ବୃଦ୍ଧାଙ୍କ ମୁହଁକୁ ଏକ ସ୍ନେହଭରା ଚାହାଣୀରେ ଅନାଇ ରହିଥିଲା କିଛି ସମୟ କ'ଣ ପଚାରିବ ହୁଏତ ଠିକ କରିପାରୁନଥିଲା ଏତିକି ବେଳେ ନୀରବତା ଭାଙ୍ଗି ବୃଦ୍ଧା ଜଣକ ଗଡି ଆସୁଥିବା ଲୁହତକକୁ ପୋଛି ପକାଇ ଆରମ୍ଭ କରିଥିଲେ–କାହିଁକି ମତେ 'ମା' ଡାକିଲୁ ରେ? ମୁଁ ତ ଅଭାଗୀଟା,ମା ଡାକ ଶୁଣିବାକୁ ଭାଗ୍ୟ ମୋର କାହିଁ?ଏତିକି କଥାରେ ଏତେ ଅଭିମାନ ଓ ଦୁଃଖ ଭରି ରହିଥିଲା ଯେ ଇଶା କଣ କହିବ ହଠାତ୍ କିଛି ବୁଝି ପାରି ନଥିଲା।କେବଳ ଏତିକି କହିପକାଇଥିଲା ଯେ–ତମେ ତ ମୋର ମା ବୟସର ମୋ ମା କୁ ମୁଁ ଦଶବର୍ଷ ହବ ହରାଇଛି ତା' ଛଡା ଆଜି ଏ ଦଶହରା ଟାରେ ମା' ଙ୍କର ପୂଜା ଚାରିଆଡେ ହେଉଥିଲା ବେଳେ 'ମା' ଡାକଟା ମୋ ମୁହଁରୁ ମନକୁ ବହାରିଆସିଥିଲା।

           ବୃଦ୍ଧା ଜଣକ ନିଜ କୋହକୁ ସମ୍ଭାଳି ନେଇ ଇଶାର ମୁହଁକୁ ଏକ ଲୟରେ ଚାହିଁ ରହିଲେ ଆଉ ଧିରେ କହିଉଠିଥିଲେ–ମୋ ଜ୍ୟୋତି!!ଏତିକି କଥାରେ ଇଶା ଯଦିଓ କିଛି ବୁଝି ପାରି ନଥିଲା ତଥାପି ଜ୍ୟୋତି କିଏ ବୋଲି ଜିଜ୍ଞାସୁ ଦୃଷ୍ଟିରେ ପଚାରିଦେଇଥିଲା।ଏଥର ବୃଦ୍ଧାଙ୍କର ସମଗ୍ର ଶରୀର ସାମାନ୍ୟ ଥରି ଉଠିଥିଲା ହୁଏତ ଅନେକବେଳୁ ସମ୍ଭାଳି ରଖିଥିବା କୋହର ପ୍ରଭାବ ଥିଲା।ଥର ଥର କଣ୍ଠରୁ ବାହାରି ଆସିଥିଲା-ମୋ ଅଲିଅଳି ଝିଅ,ଯାହାକୁ ଜନମ ଦେବାକୁ କେତେ ଦେବଦେବୀଙ୍କୁ ମୁଁ ପୂଜା କରିଥିଲି । ବର୍ଷ ବର୍ଷ ଧରି ତେବେ ଯାଇ ତାକୁ ପାଇଥିଲି।ଜୀବନର ଅପରାହ୍ଣରେ ପାଇଥିବା ଝିଅଟି ପ୍ରତି ବୃଦ୍ଧାଙ୍କର ଅନାବିଳ ସ୍ନେହ ଦେଖି ଇଶାର କୌତୁହଳ ଆଉଟିକେ ବଢିଯାଇଥିଲା, ପଚାରିପକେଇଥିଲା–ଜ୍ୟୋତି ଏବେ କୋଉଠି ମା?

       ଏଇ କଥା ପଦକରେ ବୃଦ୍ଧା ଜଣକ ସାମାନ୍ୟ ଅପ୍ରସ୍ତୁତ ହୋଇଯାଇଥିଲେ,ଇଶା ପାଖକୁଟିକେ ଘୁଞ୍ଚିଆସି ମୁହଁଟିକୁ ତା'କାନ ପାଖକୁ ନେଇଆସି ଅତି ସନ୍ତର୍ପଣ ରେ କହିପକାଇଥିଲା-ସେକଥା ମୁଁ ଠିକକରି କହିପାରିବିନି ଲୋ ଝିଅ।ଏ ରାକ୍ଷସ ଗୁଡ଼ାକଙ୍କ ପାଖରୁ ବହୁତ ଦୂରରେ ଅଛି ମୋ ଝିଅ।ତା' ବାପ ବଞ୍ଚି ଥାଉ ଥାଉ ତାକୁ ନୂଆ ଜନମ ଦେଇ ଦେଇଥିଲା।କେଇ ବରଷ ହେଲା ତାକୁ ଦେଖିନି ଏ ପୋଡା ଆଖିଦୁଇଟା ହେଲେ ମନ ମୋର ଖୁସି ଅଛି ଯେ ଯୋଉଠି ବି ଥାଉ ତା' ସଂସାରରେ ଭଲରେ ଅଛି ମୋ ଝିଅ।ମଝିରେ ମଝିରେ ଖବର ପାଏ ସେ ଭଲ ଅଛି ବୋଲି ସେତକ ସମ୍ବଳ କରି ମୁଁ ଜୀବନ ଧରିଛି ଲୋ ଝିଅ! ଏଥର ଇଶାର କୌତୁହଳ ବଢିଯାଇଥିଲା, ବୃଦ୍ଧା ଜଣଙ୍କୁ ପଚାରିପକାଇଥିଲା ତମ ଝିଅ ଅଛି ଅଥଚ ତମେ ଏମିତି....ଇଶା ର କଥାକୁ କାଟି ବୃଦ୍ଧା ଜଣକ କହିଉଠିଥିଲେ–ନାଇଲୋ ଝିଅ, ମୋ ଜ୍ୟୋତି ମତେ ଭାରି ଭଲପାଏ।ମୁଁ ପରା ତାକୁ ରାଣ ଦେଇ ମନା କରିଛି ଏ ଅଲକ୍ଷଣା ଗାଁ କୁ ଆସିବାକୁ।ମୁଁ ମରିଗଲେ ବି ସେ ଆସିବନି ବୋଲି ତାକୁ ମୁଣ୍ଡ ଛୁଆଇଁ ଶପଥ କରାଇଥିଲି।

            ଏଥର ବୃଦ୍ଧା ଜଣକ ଇଶାର କୌଣସି ପ୍ରଶ୍ନକୁ ଅପେକ୍ଷା ନ କରି କହିଚାଲିଥିଲେ ସତେ ଯେମିତି ନିଜ ଭିତରର ଅନେକ ଦିନରୁ ଲୁଚି ରହିଥିବା ଆଗ୍ନେୟଗିରି ରୁ ଲାଭା ଉଦ୍ଗିରଣ ହେଇଯାଉୁଥିଲା–ସେଦିନ ବି ଥିଲା ଏଇ ବିଜୟାଦଶମୀ ମଣ୍ଡପ ବୁଲାସାରି ଆମେ ତିନି ଜଣ-ତା'ବାପ,ଜ୍ୟୋତି ଆଉ ମୁଁ ହାଲିଆ ହୋଇ ଶୋଇବାକୁ ଯାଉଥିଲୁ ଏତିକି ବେଳେ ଲାଇନ ଟା ଚାଲିଗଲା ଗରମରେ କବାଟ ଅଧା ଖୋଲା କରିକି ଟିକିଏ ପବନ ଆସିବା ଆଶାରେ ମୁଁ ଦୁଆର ମୁହଁରେ ବସିପଡିଲି । ଦଲକାଏ ପବନ ବି ପସିଆସିଥିଲା ଘର ଭିତରକୁ, ତା ସାଙ୍ଗରେ ଦୁଇଟା ଚଉକସିଆ ଭେଣ୍ଡିଆ ବି ପସିଆସିଥିଲେ ଘର ଭିତରକୁ। କିଏ କିଏ କହୁ କହୁ ମୋ ବୁଢାକୁ ଘୋଷାଡ଼ି ନେଇ ବାନ୍ଧିପକାଇଲେ ଆଗ ତାପରେ ମତେ ଧକ୍କାଟାଏ ଦେଇ ମୋ ଜ୍ୟୋତି ପାଖକୁ ମାଡିଗଲେ। ମୋ ମୁଣ୍ଡରେ କିଛି ପସିଲାନି ଲୋ ଝିଅ, ହେଲେ ଏତିକି ତ ଜାଣି ପାରିଥିଲି ଯେ ତାଙ୍କ ଉଦେଶ୍ୟଟା ମନ୍ଦ ଥିଲା ବୋଲି। ଆଗକୁ ପଛକୁ ନ ଭାବିକି ଦଉଡି ଗଲି ସେମାନଙ୍କୁ ଘୋଷାଡ଼ି ପକେଇବାକୁ। ହେଲେ ମୋ ବଳ କ'ଣ ସେମାନଙ୍କୁ ବଳେଇଲା! ମତେ ବିଧା,ଗୋଇଠା ମାରି ମାରି ମୋ ଦେହ ଶିଝାଇ ଦେଲେ ଆଉ ଜ୍ୟୋତିକୁ ଟଣା ଓଟରା କରିବାକୁ ଲାଗିଲେ।ଜଣେ ତା'ପାଟି ବନ୍ଦ କରିଥାଏ ଆଉ ଜଣେ ତାକୁ ଟାଣୁଥାଏ। କ'ଣ କହିବିଲୋ ଝିଅ ସେକଥା ଦେଖିବା ଆଗରୁ ମୋ ମୂର୍ଦ୍ଧନିଟା କାହିଁକି ଫାଟି ଗଲାନି ବୋଲି ଭାବୁ ଭାବୁ କୋଉଠୁ ସିଂହର ବଳ ଆସିଲା କେଜାଣି ପାଖରେ ପଡ଼ିଥିବା ପନିଖିଟା ଉଠେଇ ଗୋଡେଇ ଗଲି ଜଣକୁ ଚୋଟେ ବି ପକେଇଲି।ମୋର ଏ ଚଣ୍ଡି ରୂପ ଦେଖି ଭେଣ୍ଡିଆ ଦୁଇଟା ଟିକିଏ ଡରିଗଲେ ଆଉ ସେତିକିବେଳେ ଲାଇନ ଟା ବି ଆସିଗଲା।ଜ୍ୟୋତିକୁ ମୋର ଛାଡିଦେଲେ ହେଲେ ବୁଢ଼ାକୁ ଆଉ ମତେ ଚେତାବନୀ ଦେଇକି ଗଲେ ଯେ ସେମାନେ ତାକୁ ଛାଡିବେନି ଆଉ ଦିନେ ଦେଖିନେବେ।ମୋ ଦେହମୁଣ୍ଡ ଗୋଟାପଣ ଥରୁଥାଏ ବହୁତ କଷ୍ଟ ରେ ମା ଝିଅ ବୁଢ଼ାକୁ ଖୋଲି ଦେଲୁ। ସେତେବେଳେ ସିନା ଚଣ୍ଡୀରୂପ ଧରି ଘଉଡ଼ାଇ ଦେଇଥିଲି ସେ ରାକ୍ଷସ ଗୁଡାଙ୍କୁ ହେଲେ ତାଙ୍କ ମାଡ଼ରେ ମୋ ଅଣ୍ଟା ଆଉ ସିଧା ହେଇପାରିଲନି। ଚାରିମାସ କାଳ ବିଛଣାରେ ପଡିରହିଲି। କେତେ ଔଷଦ ପତର ଦେଇ ମୋ ଝିଅ ଆଉ ବୁଢ଼ା ବଞ୍ଚେଇ ଦେଲେ। ତାପରେ ଖୁବ ତର ତର ରେ ମୋ ଝିଅ ପାଇଁ ବରଘର ଖୋଜିବସିଲୁ ଦୂର ଗାଁ ରୁ।ମୋ ଜ୍ୟୋତି ବହୁତ ସୁନ୍ଦର ଲୋ ଝିଅ।ତାକୁ ନେଇ ମୋ ମାମୁଁ ଘର ଗାଁ ରେ ବହାକରି ଦେଇ ଆସିଲୁ।ଏ ଗାଁ ର ରାକ୍ଷସ ଗୁଡାକଙ୍କ ଦାଉରୁ ମୋ ଜ୍ୟୋତି ରକ୍ଷା ପାଇଗଲା।

        ବୃଦ୍ଧାଙ୍କର କଥା ସରୁନଥିଲା କହିଚାଲିଥିଲେ... ବୁଢ଼ା ବୁଢ଼ୀ ଦୁଇଜଣ ବାଡ଼ିରେ ଶାଗ ମୁଗ ଲଗେଇ ଓ ଆମ୍ବ ,ବରକୋଳି ବିକିରି କରି କଷ୍ଟେମଷ୍ଟେ ଚଳି ଯାଉଥିଲୁ ହେଲେ ସେ ମହାବାତ୍ୟାଟା ମତେ ନିଉଛୁଣା କରି ଆମ୍ବଗଛ, ବରକୋଳି ଗଛ ସାଙ୍ଗରେ ମୋ ବୁଢ଼ା ଟାକୁ ବି ନେଇଗଲା! ଏବେ ଖାଲି ଏ ଅଛମର ଦେହଟାକୁ ବଞ୍ଚେଇବାକୁ ଏଇ ବାଡ଼ି ଖଣ୍ଡକ ଧରି ବାର ଦୁଆରେ ହାତପତେଇ ବାକୁ ପଡ଼ୁଛି।ଭାରି ସରମ ଲାଗୁଛି ଲୋ ଝିଅ ଏ ପୋଡା ପେଟ ଚାଖଣ୍ଡ କର ଦାଉ ସହିବା ବି ଭାରି କଷ୍ଟକର।କାହିଁକି ଦଇବ ଏ ଜୀବନ ଟାକୁ ନେଇଯାଉନି ସବୁବେଳେ ଭାବୁଛି ହେଲେ ବିଧାତା ର ଧାରେଗାର ଥିବାଯାଏ ତ ମତେ ଏମିତି ଘାଣ୍ଟି ହେବାକୁ ପଡିବ!!

                 ଏତକ କହିସାରିଲା ବେଳକୁ ବୃଦ୍ଧା ଜଣକ ଯେମିତି ପୁରା ହାଲିଆ ହୋଇଯାଇଥିଲେ! ଇଶାର ମନଟା ବି ଯେମିତି ଭାରି ଭାରି ହେଇଯାଇଥିଲା ଘରକୁ ଯିବାକୁ ଉଠୁ ଉଠୁ ପଚାରି ଦେଇଥିଲା ତାଙ୍କ ନାଁ ଟା ଉତ୍ତରରେ ବୃଦ୍ଧାଙ୍କ ମୁହଁରୁ 'ଦୁର୍ଗା' ଶୁଣିପାରି, ତା'ଭାବନାଟା ଲମ୍ବିଯାଇଥିଲା ସେଇ ପୋଷ୍ଟଟି ଉପରକୁ ଯୋଉଠି ଲେଖାଥିଲା–ପ୍ରତିମାରେ ନାହାନ୍ତି ଦୁର୍ଗା, ପ୍ରତି 'ମା'ରେ ଅଛନ୍ତି ଦୁର୍ଗା! କେତେ ସତ କଥାଟିଏ ସତେ!!


Rate this content
Log in

Similar oriya story from Inspirational