ABhimanyu Panda

Tragedy Inspirational

3  

ABhimanyu Panda

Tragedy Inspirational

ଦୁର୍ବୁର୍ତ୍ତ

ଦୁର୍ବୁର୍ତ୍ତ

10 mins
375



ପୁରା ଗାଁ ଟା ଯାକରେ ଶୋକର ଛାୟା । ଏଇ କାଲି ରାତିର କଥା ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଗାଁ ର ଦୁଇଜଣ ଯୁବକ ଅସମୟରେ ମୃତ୍ୟୁବରଣ କରିଛନ୍ତି । ଯୁବକ ନୁହନ୍ତି ତ କୈଶୋରାବସ୍ଥାର ଶେଷ ସମୟ । ନିଶ ଦାଢ଼ି ବି ଉଠିନି ଭଲରେ  କଅଁଳ ଦୁବ ପରି ଖାଲି ଯାହା ଟିକେଟିକେ କଳା ପଡ଼ିଛି ସେ ନାକ ତଳ ଆଉ ଥୋଡ଼ିରେ ବିରାଡ଼ି ନିଶ ଭଳି ଗୋଟି ଗୋଟିକିଆ କୋମଳ କେଶ କେଇଟା ଲମ୍ବିଛି । ଖରାଦିନେ ପରିବେଶ ସହିତ ସଂଘର୍ଷ କରି ଜମିରେ ଏ ବେଣା ବୁଦା ଯେମିତି ବଞ୍ଚିରହେ ଗାଲରେ ତାଙ୍କର ବୁଦି ବୁଦିକିଆ ଦାଢ଼ି । 


ଯାହାବି ହଉ ସେମାନେ ସେମାନଙ୍କ ମା’ର ନୟନ ପିତୁଳା ଥିଲେ ବାପାଙ୍କର ଆଶା ଆଉ ଏ ଦେଶର ଭବିଷ୍ୟତ ମଧ୍ୟ । ଏବେ କିନ୍ତୁ ସମସ୍ତଙ୍କ ପାଇଁ ସେମାନେ ଅତୀତ । ମା ଆଉ ଅପେକ୍ଷା କରିବନି ତାଙ୍କ ଫେରିବାକୁ ବାପା ଆଉ ସେମାନଙ୍କ ଭବିଷ୍ୟତ ନିର୍ମାଣକୁ ନେଇ ବ୍ୟସ୍ତ ହେବେନି । 


ଗାଁରେ ଆଜି ଖାଲି ଠାଏ ଠାଏ ପୁଞ୍ଝାଏ ଲେଖା ବସି ସେ ଦୁର୍ଘଟଣାରେ ଜୀବିତ ଥିବା ଅନ୍ୟଜଣଙ୍କ ପାଇଁ ଚିନ୍ତିତ ହେବା ସଙ୍ଗେ ସଙ୍ଗେ ତାର ଆରୋଗ୍ୟ ପାଇଁ ଈଶ୍ୱରଙ୍କୁ ପ୍ରାର୍ଥନା ମଧ୍ୟ କରୁଛନ୍ତି । କହିବାକୁ ଗଲେ ଗାଁର ଗଛ ପତ୍ର ବି କାନ୍ଦୁଛି । ପିଲାମାନଙ୍କର ଏମିତି ଅସମୟ ବିୟୋଗରେ ଶତୃ ଆଖିରେ ମଧ୍ୟ ଲୁହ । ଜୀବିତ ଥିବା ପିଲାଟି ବିଷୟରେ ସେମିତି କିଛି ଭଲ ଖବର ବି ନାହିଁ । ଡାକ୍ତର କହୁଛନ୍ତି ପିଲାଟିର ମୁଣ୍ଡରେ ଗଭୀର ଆଘାତ ଲାଗିଛି । ସେ କୋମାରେ ଅଛି, ଯେ ପର୍ଯ୍ୟନ୍ତ ତାର ହୋସ ନ ଆସିଛି କିଛି କହି ହବନି । ଗାଁ ଟା ପୁରା ନିରବୀ ଯାଇଛି । ମୃତ ପିଲାମାନଙ୍କର ଅଭିଭାବକ ମାନଙ୍କର ଅବସ୍ଥା ନକହିଲେ ଭଲ । 


ଏମିତିରେ ପୁଞ୍ଝାଏ ଅଧା ବୟସର ଲୋକ ମନ୍ଦିର ବେଢ଼ାରେ ବସି ସେହି ପିଲାମାନଙ୍କ ବିଷୟରେ କଥା ହେବା ସଙ୍ଗେ ସଙ୍ଗେ ସେମାନେ ଦୁର୍ଘଟଣାର ଶିକାର ହେଇଥିବା କାରଣ ବିଷୟରେ ଗଭୀର ଭାବେ ଆଲୋଚନାରେ ବ୍ୟସ୍ତ । ସେଇ ନିର୍ଦ୍ଦିଷ୍ଟ ସ୍ଥାନରେ ଏଇଟା ପ୍ରଥମ ଦୁର୍ଘଟଣା ନୁହେଁ । ଗତବର୍ଷ ମଧ୍ୟ ଆର ଗାଁ ର ସେ ନିଧି ମାଷ୍ଟ୍ରଙ୍କର ଗୋଟିଏ ବୋଲି ପୁଅର ସେଇ ସ୍ଥାନରେ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା । ନିଧି ମାଷ୍ଟ୍ର ତ ସେଇଦିନ ଠାରୁ ଅର୍ଦ୍ଦ ପାଗଳ ଅବସ୍ଥାରେ । ତା ପୂର୍ବରୁ ବି ଏମିତି ଆହୁରି କେତେଜଣ ସେହି ନିର୍ଦ୍ଦିଷ୍ଟ ସ୍ଥାନରେ ଦୁର୍ଘଟଣାର ଶିକାର ହେଇ ଆର ପାରିକୁ ଚାଲିଗଲେଣି । 


ଏକଥା ନୁହେଁ ଯେ ଗ୍ରାମବାସୀ ସେ ଦୁର୍ଘଟଣାର କାରଣ ବିଷୟରେ ଅଜଣା ଅଛନ୍ତି । ସମସ୍ତେ ଜାଣିଛନ୍ତି କାହାପାଇଁ ଏ ଦୁର୍ଘଟଣା ଘଟୁଛି ହେଲେ କେହିକେବେ ସେ ଦୁର୍ଘଟଣା ଘଟାଉଥିବା ଆରୋପୀକୁ ଜୋର କରି କିଛି କହିନାହାଁନ୍ତି । ଏଥର କିନ୍ତୁ ଅସହ୍ୟ । ଏକାଥରକେ ତିନି ତିନିଟା ଜୀବନ ! ତାର ଅତ୍ୟାଚାର ଆଉ ସହି ହେବନି । ଗହନ ବିଚାର ବିମର୍ଶ ପରେ ସେ ଅଧା ବୟସ୍କ ଲୋକ ମାନେ ଏକ ସ୍ୱରରେ ନିଷ୍ପତି ନେଲେ କାଲି ସକାଳେ ସମସ୍ତଙ୍କ ଉପସ୍ଥିତିରେ ଦୁର୍ଘଟଣା ଘଟାଉଥିବା ସେ ଦୁର୍ବୁର୍ତ୍ତକୁ ହତ୍ୟା କରାଯିବ । ତାର କୌଣସି କଥା ଶୁଣାଯିବନି । ନିଶ୍ଚିହ୍ନ କରିଦିଆଯିବ ତାର ଅସ୍ତିତ୍ୱକୁ । ସେମାନଙ୍କ ମଧ୍ୟରୁ ଜଣକୁ ଦାୟିତ୍ୱ ଦିଆଗଲା  ସେ ଗାଁରେ ପ୍ରତ୍ୟେକ ଘରେ ବୁଲି ସେମାନେ ନେଇଥିବା ନିଷ୍ପତିକୁ ଜଣେଇଦେବାପାଇଁ । ଆଉ ଯଥା ସମୟରେ ଦୁର୍ଘଟଣା ଘଟାଉଥିବା ସେହି ଦୁର୍ବୁର୍ତ୍ତ ନିକଟରେ ଉପସ୍ଥିତ ହେବାପାଇଁ । 


ସେଦିନ ରାତିସାରା ଗାଁ ଟା ଯାକ ଲୋକଙ୍କ ଆଖିକୁ ନିଦ ନାହିଁ । ଆବାଳ ବୃଦ୍ଧବନିତା ସମସ୍ତଙ୍କ ଆଖିରେ ପ୍ରତିଶୋଧର ବହ୍ନି । ଚିହ୍ନଟ ଦୁର୍ବୁର୍ତ୍ତକୁ ରାତି ପାହିଲେ ସମବେତ ଭାବେ ହତ୍ୟା କରିବେ । ଧମନୀରେ ରକ୍ତ ସଞ୍ଚାରର ବେଗ ବଢ଼ି ଯାଇଛି । ନିଶ୍ୱାସ ଖରତର , ଛାତିରେ ଅଦମ୍ୟ ସାହସ , ସତେ ଯେମିତି ବଢ଼ିଲା ନଈ  ଫୁଲିଉଠୁଛି ଖର ନିଶ୍ୱାସର ତାଳେ ତାଳେ । ନାଁ କୁ ମାତ୍ର ବିଛଣାରେ ପଡ଼ିରହି ଅପେକ୍ଷା କରିଛନ୍ତି ସକାଳର ଆଗମନକୁ । 


ରାତି ପାହିଲା । ନିଜ ନିଜର ନିତ୍ୟକର୍ମ ସାରି ଜଣେ ଜଣେ ଏକାଠି ହେଉଛନ୍ତି ମା ବାଈ ଠାକୁରାଣୀଙ୍କ ପାଖରେ । ଗାଁର ଅଧିଷ୍ଠାତ୍ରୀ ଦେବୀ । ଯୁଦ୍ଧକୁ ଯିବା ପୂର୍ବରୁ ମାଆଙ୍କର ଆଶୀର୍ବାଦ ନିହାତି ଆବଶ୍ୟକ । ପ୍ରତ୍ୟକ୍ଷ ଠାକୁରାଣୀ ଡାକିଲେ ଓ କରେ । ଏ ଗ୍ରାମବାସୀ ତାର ପିଲାଛୁଆ । ବର୍ଷକୁ ଦୁଇଥର ଆମିଷ ଭୋଗ ଲଗାଯାଏ ମାଙ୍କ ପାଖରେ । ପ୍ରତିଟି ପୂଜା ପର୍ବକୁ ଗ୍ରାମବାସୀ ମାନେ ଠାକୁରାଣୀଙ୍କ ନାଁ ରେ ପାଳନ କରନ୍ତି । ସେ ପଣା ହେଉ କି ରାମ ନବମୀ । କୃଷ୍ଣ ଜନ୍ମର ନିଶି ଅଭିନୟ ବି ଏଇ ଠାକୁରାଣୀଙ୍କ ମନ୍ଦିର ସାମ୍ନାରେ ଥିବା ଖାଲି ଜାଗାରେ ପାଳିତ ହୁଏ । ମା ବି ନିଜ ସନ୍ତାନ ମାନଙ୍କୁ ଘଣ୍ଟ ଘୋଡ଼ାଇ ରଖିଛନ୍ତି । ଗାଁର ପୁରୁଖା ମାନେ ମାଙ୍କର ଅନେକ ଗୁଣ ବଖାଣନ୍ତି ଆଜିକାଲିକା ପିଲାଙ୍କ ଆଗରେ । କେମିତି ଆଖପାଖ ଦଶ ଖଣ୍ଡ ଗାଁରେ ହଇଜା ପଶି ଗୋଟା ଗୋଟା ପରିବାର ଖାଇଯାଇଛି ହେଲେ ମା ବାଈ ଠାକୁରାଣୀଙ୍କ ସଜଗତାରୁ ଏ ଗାଁକୁ ହଇଜା କେମିତି ପଶି ପାରିନଥିଲା। ଆହୁରି ମା କେମିତି ନିଜର ସନ୍ତାନ ମାନଙ୍କୁ ରକ୍ଷା କରିବାକୁ କୁରୁପ ବସନ୍ତ ରୋଗକୁ ତ୍ରିଶୁଳ ଧରି ଗୋଡେଇ ଥିଲେ ଆଦି । 


ଜଣ ଜଣ କରି ଆସୁ ଆସୁ ପୁରା ଗାଁ ଏକାଠି ହେଇ ସାରିଲାଣି ଠାକୁରାଣୀଙ୍କ ମନ୍ଦିର ଆଗରେ ଥିବା ଖାଲି ଜାଗାରେ । ସମସ୍ତେ ଯୋଦ୍ଧା ବେଶରେ , ସମସ୍ତଙ୍କ ହାତରେ ହତିଆର । କିଏ ଖଡ୍ଗ ଧରିଛିତ କିଏ ପୁଣି ଫାର୍ସା କାହା ହାତରେ କୋଦାଳତ କାହା ହାତରେ ପୁଣି ଚକ୍ ଚକ୍ କରୁଥିବା କଟୁରୀ । ଖାଲି ହାତରେ କେହିବି ନାହାଁନ୍ତି । ମହିଳାମାନେ ବି ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହେଇ ଆସିଛନ୍ତି । ନବେ ବର୍ଷିଆ ମଧୁଆ ଜେନା ହାତରେ ବି ତେଲ ପିଆ ଠେଙ୍ଗା । ଯମ ବୋଧେ ତାକୁ ନେବାପାଇଁ ଦୂତ ପଠେଇ ସାରିବଣୀ । ଅଧାବାଟରେ ହେଇଥିବେ  ହେଲେ ମରଣକୁ ଭ୍ରୁକ୍ଷେପ ନକରି ମଧୁଆ ଜେନା ବୀର ହୁଙ୍କାର ଦଉଛି । ମଧୁଆର ରଣହୁଙ୍କାରରେ ଯୁବକ ମାନେ ତେଜିୟାନ ହେଇ ଉଠୁଛନ୍ତି । ଯୁଦ୍ଧ ପୂର୍ବରୁ ବିଜୟ ଘୋଷ ଦେଉଛନ୍ତି । ସମସ୍ତେ ଏକାଠି ହେଲାପରେ ସର୍ବ ସମ୍ମତି କ୍ରମେ ଚାଲିଲେ ସେଇ ନିଷ୍ଠୁର ଦୁର୍ବୁର୍ତ୍ତ ନିକଟକୁ  ।


ଶେଷ କରିଦେବେ ତାର ଜୀବନ ଲୀଳା । ଯାହାକୁ ଗ୍ରାମବାସୀମାନେ ଦୁର୍ବୁର୍ତ୍ତ ବୋଲି କହୁଥିଲେ , ସେ କିନ୍ତୁ ନିର୍ଭୀକ , ନିର୍ବିକାର ଓ ନୀରବରେ ଦଣ୍ଡାୟମାନ । ନା ଗ୍ରାମବାସୀଙ୍କ ସହିତ ଯୁଦ୍ଧ କରିବାକୁ ନିଜକୁ ପ୍ରସ୍ତୁତ କରିଛି ନା ପରାଜୟ ଭୟରେ ଶରଣ ପଶିବାକୁ ରାଜି ଅଛି  । ମନରେ କେବଳ ଗୋଟିଏ କ୍ଷୋଭ ତାର କେହି ଟିକେ ଥଣ୍ଡା ମୁଣ୍ଡରେ ତା ପକ୍ଷ ବି ଶୁଣନ୍ତା,ତାପରେ ଗ୍ରାମବାସୀମାନେ ନିଜର ନିଷ୍ପତି ନିଅନ୍ତେ । ହେଲେ ବର୍ତ୍ତମାନ ପରିସ୍ଥିତିରେ ସେଇଟା ବି ସମ୍ଭବ ନୁହେଁ । ତା ସପକ୍ଷରେ କେହିଜଣେ ବି ଏ ଗାଁରେ ଥିବାର ସେ ଦେଖୁନି । ତେଣୁ ନିରବୀ ଯାଇଛି । ତାର ଛତ୍ରଛାୟା ତଳେ ରହି ଜୀବନ ଯାପନ କରୁଥିବା ଜୀବମାନେ ବି ଗ୍ରାମବାସୀମାନଙ୍କର ଏତାଦୃଶ୍ୟ ବ୍ୟବହାର ଦେଖି ସହମୀ ଯାଇଛନ୍ତି । ସେମାନେ ଶେଷ ପର୍ଯ୍ୟନ୍ତ ଗ୍ରାମବାସୀ ସମ୍ବୋଧିତ ସେଇ ଦୁର୍ବୁର୍ତ୍ତର ସମର୍ଥନ କରିବାକୁ ନିଷ୍ପତ୍ତି ନେଇଥିଲେ ମଧ୍ୟ ଯୁଦ୍ଧ ଭୂମିରେ ତାର ରକ୍ଷାର୍ଥେ ଅବତୀର୍ଣ୍ଣ ହେବାକୁ ଅସମର୍ଥ । 


ଗ୍ରାମବାସୀମାନେ ପହଞ୍ଚିଗଲେ ସେଇ ତଥାକଥିତ ଦୁର୍ବୁର୍ତ୍ତ ନିକଟରେ । ବୀର ଦର୍ପରେ ଯୁଦ୍ଧ ଭୂମିକୁ ହକାରିଲେ ସେଇ ଦୁର୍ବୁର୍ତ୍ତକୁ । ହେଲେ ସେ ନୀରବ ପୂର୍ବ ଭଳି ଶାନ୍ତ କାନ୍ତ ନିଶ୍ଚଳ । ମରଣ ଖାତାରେ ନାଁ ଲେଖାଇ ଆସିଥିବା ମଧୁଆ ଜେନା ଆଉ ସମ୍ଭାଳି ପାରିଲାନି । ଜୀବନର ଶେଷ ସମୟରେ କିଛି ପୁଣ୍ୟ କାମ କରି ଗାଁ ଲୋକଙ୍କ ମୁଖରେ ଦୁଇ/ଚାରି ପିଢ଼ି ଅମର ରହିବାକୁ ତା ମନରେ ପ୍ରବଳ ଆକାଂକ୍ଷା ଲହରୀ ମାରିବାକୁ ଲାଗିଲେ । ଡେଇଁ ପଡ଼ି ହାତରେ ଧରିଥିବା ସେ ତେଲପିଆ ଠେଙ୍ଗାରେ ଶକ୍ତ ପାହାର ଗୋଟେ ଦେଲା ସେଇ ଦୁର୍ବୁର୍ତ୍ତକୁ । 


ସେ ଦୁର୍ବୁର୍ତ୍ତ ଏବେବି ନୀରବ  ତିଳେମାତ୍ର ପ୍ରତିବାଦ କଲାନାହିଁ । ମଧୁଆ ଜେନା କିନ୍ତୁ ତା କାର୍ଯ୍ୟରେ ଲାଗି ରହିଥାଏ । ମନେ ମନେ ଭାବୁଥାଏ ଏଇ ଯୁଦ୍ଧ ଭୂମିରେ ଯଦି ତାର ମୃତ୍ୟୁ ଘଟେ ଲୋକ ମୁଖରେ ସେ ବୀର ହେଇଯିବ । ଆସିଥିବା ଅନ୍ୟ ଯୋଦ୍ଧା ମାନେ ସଜ ହେଉଥାନ୍ତି । କିଏ ନିଜର ଖୋସଣୀ ଜବର କରୁଥାଏ ତ କିଏ ମୁଣ୍ଡର ପଗଡ଼ିକୁ ଭିଡ଼ି ବାନ୍ଧୁଥାଏ । ଦ୍ଵିତୀୟ ପଂକ୍ତିର ନବ ଯୁବକ ଯୋଦ୍ଧାମାନେ ତାଙ୍କ ପଛକୁ ଥାଇ ଯୁଦ୍ଧ ପୂର୍ବରୁ ବିଜୟ ଘୋଷରେ ମଗ୍ନ । ଆଖିରେ ତାଙ୍କର ନିଆରା ଚମକ  ଏତେ କମ ବୟସରୁ କିଛି ସମାଜ ମଙ୍ଗଳ କାର୍ଯ୍ୟରେ ସେମାନେ ଯୋଗ ଦେଇଥିବାରୁ  ତାଙ୍କର ଗୋଡ଼ ତଳେ ଲାଗୁନଥାଏ । 


ସେପଟେ ଯୁଦ୍ଧର ମଙ୍ଗୁଆଳ ଅର୍ଥାତ ସେନାପତି ସୁଦର୍ଶନ ନିଜର ଫାର୍ସାରେ ଧାର ଧରେଇ ସାରି ସେଇ ଦୁର୍ବୁର୍ତ୍ତ ଉପରେ ଜୋରଦାର ପ୍ରହାର କରିଦେଲା । ସୁଦର୍ଶନ ତାର ଫାର୍ସା ଓ ତାର ପାରିଲା ପଣିଆ ବିଷୟରେ ଗ୍ରାମବାସୀଙ୍କୁ ଏକ ନମୁନା ଦେଖାଇଲା ମାତ୍ର । ନୀରବରେ ନିର୍ବିକାର ଭାବେ ଠିଆ ହେଇଥିବା ସେଇ ଦୁର୍ବୁର୍ତ୍ତ ଦେହରୁ ଝରି ଆସିଲା ରକ୍ତର ଧାର । ତାର ଆଶ୍ରିତ ମାନେ ତ୍ରାହି ତ୍ରାହି ଡାକ ଦେଲେ । ହେଲେ ସେ ଏବେବି ହସୁଛି । ଦେହରୁ ରକ୍ତ ସିନା ଝରିଯାଉଛି ହେଲେ ଆଖିରୁ ଲୁହ ଝରାଉନି ସେ । ସୁଦର୍ଶନର ଫାର୍ସା ପ୍ରହାରରେ ଗ୍ରାମବାସୀ ମାନେ ସୁଦର୍ଶନକୁ ଉତ୍ସାହିତ କରିବା ସଙ୍ଗେ ସଙ୍ଗେ ନିଜେ ଅତି ଉତ୍ସାହିତ ହେଇଯାଇଥିଲେ । ରଣ ହୁଙ୍କାରରେ କମ୍ପି ଯାଇଥିଲା ଚାରିଦିଗ । ଆଖପାଖ ପାଞ୍ଚଖଣ୍ଡ ଗାଁର ଲୋକଙ୍କୁ ଶୁଭିଯାଉଥିଲା ଏମାନଙ୍କ ରଣ ହୁଙ୍କାର । ସମବେତ ଭାବେ ସେଇ ଦୁର୍ବୁର୍ତ୍ତକୁ ଆକ୍ରମଣ କରିବା ପୂର୍ବରୁ ଘରଘର ଶବ୍ଦ କରି ଗୋଟେ ମୋଟର ସାଇକେଲ ଅଟକିଗଲା ସେଇ ଜନସମବେତ ନିକଟରେ । 


ଗ୍ରାମର ସବୁଠୁ ବୟସ୍କ ବ୍ୟକ୍ତି ଜଣକ ନିଜ ଅଣନାତି ମାନଙ୍କ ସହିତ ଚିକିତ୍ସା ପାଇଁ ଡାକ୍ତରଖାନା ଯିବା ବାଟରେ ଗ୍ରାମବାସୀଙ୍କର ଏ ଘୋଷିତ ଯୁଦ୍ଧ ଦେଖି ଅଟକି ଯାଇଥିଲେ । ତାଙ୍କୁ ଦେଖିବା ମାତ୍ରେ ପଶରୀ ଯାଇଥିଲା ନୀରବତା । ସମସ୍ତେ ସେ ବୟସ୍କ ଲୋକଙ୍କୁ ମୁଣ୍ଡିଆ ମାରି ତାଙ୍କୁ ବସିବାକୁ କହିଲେ । ଦୁଇ ନାତି ତାଙ୍କ ହାତଧରି ସେ କ୍ଷୀଣ ବୃଦ୍ଧଙ୍କୁ ବସାଇଦେଲେ । ଭିଡ଼ ଭିତରୁ ଯୁଦ୍ଧର ମଙ୍ଗୁଆଳ ସୁଦର୍ଶନ ଆଗକୁ ଆସି ସେଇ ବୃଦ୍ଧଙ୍କ ନିକଟରେ ସେଇ ଦୁର୍ବୁର୍ତ୍ତ ବିଷୟରେ ସମସ୍ତ ବୃତାନ୍ତ ବଖାଣୀ ଦେଇ ନୀରବ ରହିଲା । ସୁଦର୍ଶନ ପାଖରୁ ସମସ୍ତ ବିବରଣୀ ଶୁଣିଲା ପରେ ବୃଦ୍ଧ ଜଣକ ଦୀର୍ଘନିଶ୍ୱାସ ପକାଇ ନୀରବ ରହିଲେ । ସମସ୍ତେ ଏକ ଧ୍ୟାନରେ ସେ ବୃଦ୍ଧଙ୍କ ମୁହଁରୁ କିଛି ଶୁଣିବାପାଇଁ ଅପେକ୍ଷା ରତ । 


ବୃଦ୍ଧ ଜଣକ ବି କମ ଲୋକ ନୁହଁନ୍ତି  । ସେ ଜଣେ ସ୍ୱାଧୀନତା ସଂଗ୍ରାମୀ । ଖାଲି ତାଙ୍କ ଗାଁରେ ନୁହେଁ  ସେ ଅଞ୍ଚଳରେ ଲୋକମାନେ ତାଙ୍କ ନାଁ କୁ ଅନେକ ସମ୍ମାନ ଦିଅନ୍ତି । ସେ ଅଞ୍ଚଳର ପରିଚୟ ସେ । କହିବା ଆରମ୍ଭ କଲେ ଥଙ୍ଗଥଙ୍ଗ ହେଇ । 


ଆରେ ଏ ସୁଦୁରିଆ କାହାକୁ ମାରିବାକୁ ଆସିଛୁ ! ଏଇଠି କଣ ତୋର ଫାର୍ସା ଚାଳନା ଅନୁଭବର ପ୍ରଦର୍ଶନ କରିବୁ ? ଆରେ ଏ ବିଶିଆ ଭଲ କଟୁରୀଟାଏ ତ ହାତରେ ଧରିଛୁ ! ମୁଣ୍ଡରେ ଠେକା ଶଳା ଯେମିତି ଗଜପତି କାଞ୍ଚି ବିଜୟକୁ ବାହାରିଛନ୍ତି। ତୋ ବାଡ଼ିରେ ତ ସରୀସୃପ ଘର କରି ରହିଲେଣି । ଦିନରେ ବି ଲୋକ ଡରିଲେଣି । ତୋ ବାପ ଥିଲାବେଳେ କେତେ ଦରବ ସେ ମାଟିରୁ ତିଆରି କରୁଥିଲା । ନାନା ଫସଲରେ ବର୍ଷସାରା ସେ ବାଡ଼ି ଯେମିତି ହସିଉଠୁଥିଲା । ଶଳା ଅକର୍ମା ଆସିଲା ଯୁଦ୍ଧ କରିବାକୁ । 


ସାଆନ୍ତେ ତମେ ଜାଣିନ ଏ ଦୁର୍ଦାନ୍ତ ଅପରାଧୀ କଥା  ଆଜି ଆମେ ସମସ୍ତେ ମିଶି ....... କିଏ ସେ ? ବୟସ୍କ ବୃଦ୍ଧ ଜଣକ ଝପଟି ପଡ଼ିଲେ ସେ ଶବ୍ଦ ଆସୁଥିବା ଦିଗକୁ । କିଏ ସେ କହିଲା କିଏ ସେ ? ତା ମୁହଁ ଟିକେ ଦେଖାଅ ମତେ । 


ବିଶିଆ କହି ପକେଇଲା କକେଇ ଏଇ ଆମ ଗଦା ମଉସାଙ୍କ ନାତି । ଶଳା ପାତିଆ ହଲରା , କାଲିକା ଛୁଆ ଗାଲରୁ କୋରି ଆଣିଲେ ଚାମଚାଏ ମାଉଁସ ବିବାହାରିବନି, ମେଞ୍ଚଡ଼ ଖଣ୍ଡେ, ବେଙ୍ଗ ଭଳି ଫୁକୁର ଫୁକୁର ହେଇ ଡେଇଁ ପଡ଼ୁଛି । ଚୁପ ଶଳା । ଏତିକି ଚଢ଼ା ଗଳାରେ କହୁକହୁ ବୃଦ୍ଧ ଜଣକ ଜୋରରେ କାସି ଉଠିଲେ ଲହଡ଼ା କାସରେ ବୃଦ୍ଧ ଜଣକ ଅସହଜ ହେଇଯାଇଥିଲେ । ସାଷ୍ଟମ ହେଲା ବେଳକୁ ବୃଦ୍ଧଙ୍କ ଆଖିରେ ଆଖିଏ ଲୁହ  ଖାଲି ଆଖିରେ ନୁହେଁ କେଇବୁନ୍ଦା ତଳେ ପଡ଼ିଛି ତ ଝରିବାକୁ ଉଦ୍ୟତ ହେଉଥିବା ଆଉ କେଇବୁନ୍ଦାକୁ କାନ୍ଧରେ ପଡ଼ିଥିବା ଗାମୁଛା ସାହାଯ୍ୟରେ ଥରଥର ହାତରେ ପୋଛି ଦେଲେ । ଚମଡ଼ା ଭିତରେ ଲୁଚିଯାଇଥିବା ଆଖିକୁ ଟେକି ଗ୍ରାମବାସୀ ଅପରାଧୀ କହୁଥିବା ସେ ନିର୍ବିକାର ଜୀବକୁ ଟିକେ ଭଲରେ ଦେଖିବାକୁ ଚେଷ୍ଟା କଲେ । ତାପରେ ପୁଣି କହିବା ଆରମ୍ଭ କଲେ...  

ଆରେ ଏ ବିଶିଆ... ଏ ସୁଦୁରିଆ ଯାହାକୁ ତମେମାନେ ଦୁର୍ବୁର୍ତ୍ତ ଆଉ ଅପରାଧୀ ବୋଲି କହି ହତ୍ୟାକାରିବାକୁ ଆସିଛ , ଜାଣିଛ ତାର ଇତିହାସ ଜାଣିଛ ତାର ବିଶାଳତା ? ମୋ ଜେଜେ କୁହନ୍ତି ୟାର ନାଁ ଟା ଲଣ୍ଡା ହେଲେ ବର୍ଷକ ବାରମାସ କେବେବି ଲଣ୍ଡା ହୁଏନି  ସଦା ସବୁଜ । ମୋ ଜେଜେଙ୍କୁ ତାଙ୍କ ଜେଜେ ମଧ୍ୟ ସେଇଆ କହିକି ଯାଇଛନ୍ତି । ଯେତେବେଳେ ରାସ୍ତାଘାଟର ସୁବିଧା ନଥିଲା ପଥିକ ମାନଙ୍କର ଭିଡ଼ କେବେବି କମେନି  ସବୁବେଳେ କେହିନା କେହି ପଥକ୍ଳାନ୍ତ ପଥିକ ନିଜର କ୍ଳାନ୍ତି ମେଣ୍ଟାଇବାକୁ ଆଶ୍ରୟ ନେଇଥାଏ । ଆରେ ଏ ଗଦେଇ ନାତି  ଜାଣିଛୁ ସବୁଦିନ ଉପରଓଳି ପରା ଚାରି/ପାଞ୍ଚ ପୁଞ୍ଝା ଲେଖାଏଁ ତାସ ପାଲି ଧରି ବସି ଯାଉଛ ତାରି ଚାରିପାଖରେ । 


କେବେ ମନା କରିଛି ସେ ? କୁହ ଚୁପ କାହିଁକି ଏବେ ? ଆରେ ଏ ସୁଦୁରିଆ ପ୍ରତିବର୍ଷ ଗାଁରେ ଯଜ୍ଞ ସମୟରେ ତୁ ନିଜେ ଚଢ଼ିକି ଡାଳ ପାଲା ସବୁ ହାଣି କାମରେ ଲଗାଉଛୁ । ସେ ଯାଇଛି କେବେ ତୋ ସାଙ୍ଗରେ ଯୁଦ୍ଧ କରିବାକୁ ? କେବେ ତୋ ହାତରୁ ତୋ ଟାଙ୍ଗିଆ ଛଡ଼େଇ ନେଇଛି କହ ? ଆହୁରି ତୁ ଓଲଟି ତାର ଛାଇରେ ତୋର ଶ୍ରମ କ୍ଳାନ୍ତି ମେଣ୍ଟେଇଛୁ ଘଣ୍ଟା ଘଣ୍ଟା । ଦେଖତ ଗଛରେ କେମିତି ନାଲି ନାଲି ଫଳ ଭର୍ତ୍ତି ହେଇଛି  ଚଢ଼େଇ ମାନେ କେମିତି ଆନନ୍ଦରେ ଏ ଡାଳରୁ ସେ ଡାଳକୁ ଖୁସିରେ ଡେଇଁ ଡେଇଁ ବୁଲୁଛନ୍ତି । କେତେକ ବସାବନ୍ଧି ରହିଗଲେଣି ତା ଦେହରେ କେଉଁ କାଳରୁ  କାହାକୁ ମନା କରିଛି ସେ । ସତେ କେଡ଼େ ବିଶାଳ ତାର ବକ୍ଷ ! ଏତିକି କହୁକହୁ ନୀଳମଣି ସାଆନ୍ତଙ୍କର ଗଳା ଭରି ଆସିଲା । ଭରା ଗଳାରେ କହିଲେ  ଶୁଣ ସମସ୍ତେ ଖାଲି ମୁଁ ନୁହେଁ  ମୋ ସାଙ୍ଗରେ ଏ ଲଣ୍ଡା ବରଗଛ ମଧ୍ୟ ସ୍ବାଧୀନତା ସଂଗ୍ରାମରେ ଭାଗ ନେଇଛି ।


ତାରି ଛାଇରେ କେତେକେତେ ମୂଲ୍ୟବାନ ନିଷ୍ପତି ସବୁ ନିଆଯାଇଛି ଏକଥା ତମେ କେମିତି ଜାଣିବ ? ସେ ଅନେକ ଐତିହର ମୁକସାକ୍ଷୀ । ଆରେ ଏତିକି ଜାଣିପାରୁନ ଅନେଶ୍ୱତ ମସିହାର ପ୍ରଲୟଙ୍କାରୀ ବାତ୍ୟାରେ ଆମ ଗାଁର ରକ୍ଷା ପ୍ରାଚେରୀ ଏଇ ଲଣ୍ଡା ବରଗଛ ସାଜିଥିଲା । ବାତ୍ୟାର ତାଣ୍ଡବକୁ ଏକାଏକା ମୁକାବିଲା କରି ସୁରକ୍ଷିତ ରଖିଥିଲା ସମଗ୍ର ଗ୍ରାମବାସୀଙ୍କୁ । ଆଖପାଖର ଗାଁର ଅବସ୍ଥା ସବୁ ଦେଖିଛକି ନାହିଁ ? 


ଗ୍ରୀଷ୍ମ ଅପରାହ୍ଣରେ ପାଳିତ ପଶୁମାନେ କେମିତି ଆସି ଲମ୍ବ ହେଇ ଏଇ ଗଛର ଛାଇରେ ଶୋଇଯାନ୍ତି ତମେ ସବୁ ଦେଖିପାରିନକି ? ଆରେ ଏ ରଙ୍କ ତୁ କହୁନୁ କାହିଁକି ! ଚୁପ ହେଇ ଠିଆ ହେଇଛୁଯେ ? ତୋର ପରା ଛେଳି , ମେଣ୍ଢା , ଗାଇଗୋରୁ ପଲେ ଅଛନ୍ତି ,ଗଲାସନ ପରା ମୁଁ ଦେଖିଛି ତୁ ସବୁଦିନ ଖରାବେଳେ ତୋର ସେ ପାଳିତ ପଶୁମାନଙ୍କ ପାଇଁ ଏଇ ଗଛମୂଳେ ପିଇବା ପାଣିର ବ୍ୟବସ୍ଥା କରୁ ଆଉ ନିଜେ ଏଇ ଗଛ ଛାଇରେ ଚିତପଟାଙ୍ଗ ହେଇ ଶୋଇଯାଉ ।


ଆମ ଗାଁର ଦୁଇଜଣ ଜୁଆନ ପିଲାଙ୍କର ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ । ହେଲେ ସେମାନଙ୍କ ଦୁର୍ଘଟଣାରେ ଏ ଲଣ୍ଡା ନାମଧାରୀ ଚିର ସବୁଜ ଗଛଟିର କଣ ଦୋଷ ? ସେ କଣ ତାର ସ୍ଥାନ ପରିବର୍ତ୍ତନ କରି ସେମାନଙ୍କ ଆଗକୁ ଆସିଥିଲା ? କମ ବୟସର ପିଲାମାନଙ୍କ ହାତରେ ଫଟଫଟିଆ ଆଉ ତା ସାଙ୍ଗକୁ ନିଶାଦ୍ରବ୍ୟର ସହଜ ସୁଲ୍ଲଭତା ଏଇ ଦୁର୍ଘଟଣାର ମୁଖ୍ୟ କାରଣ । 


ଏତିକିରେ ଆର ଗାଁର ନିଧି ମାଷ୍ଟ୍ରେ ଲୋକଙ୍କ ଗହଣରେ ଥାଇ ନୀଳମଣି ସାଆନ୍ତେଙ୍କ କଥା ସବୁ ଶୁଣୁଥିଲେ , ଆଉ ତାଙ୍କ କଥା ଶେଷ ହେବାପରେ କହି ଉଠିଲେ । ସାଆନ୍ତେ ମୁଁ ଆପଣଙ୍କ କଥାରେ ଏକମତ  ନିଧିମାଷ୍ଟ୍ରେଙ୍କ କଥାଶୁଣି ଗାଁଟା ଯାକ ଲୋକ ହାଁ ଟା କରି ତାଙ୍କ ଆଡ଼କୁ ଚାହିଁଲେ  ଗଲାସନ ଏଇ ଗଛ ସହିତ ଦୁର୍ଘଟଣା ଘଟି ତାଙ୍କର ଗୋଟିଏ ବୋଲି ପୁଅ ଆରପାରିକୁ ଚାଲିଯାଇଛି ।


ନିଧି ମାଷ୍ଟ୍ରେ କହିଲେ ସାଆନ୍ତେ, ଗତବର୍ଷ ମୋ ପୁଅ ପେଟେ ମଦ ପିଇ ବେପରୁଆ ଭାବେ ଗାଡ଼ି ଚଳେଇ ଏଇ ଗଛସହିତ ପିଟିହେଇ ମୃତ୍ୟୁବରଣ କଲା  ସେ ସିନା ନିଶାସକ୍ତ ହେଇ ଆରପାରିକୁ ଚାଲିଗଲା ହେଲେ ଆମ ସ୍ୱାମୀ/ସ୍ତ୍ରୀ ଦିଜଣକୁ ବଞ୍ଚି ଥାଉ ଥାଉ ମାରିଦେଇଗଲା । ହେଲେ ତାର ମୃତ୍ୟୁରେ ଏ ଲଣ୍ଡା ବରଗଛର କିଛିବି ଦୋଷ ନାହିଁ । ଏଥିରେ ନିଶା ଆଉ ଆମ ଭଳି ଅଭିଭାବକ ମାନେ ହିଁ ମୁଖ୍ୟତଃ ଦାୟୀ । 


ରାସ୍ତା ସେପାଖକୁ ଅନେକ ପଡ଼ିଆ ଜାଗା ଲାଗିଛି ଗଛକୁ ନକାଟି ଆମେ ସରକାରଙ୍କ ଅନୁଦାନକୁ ଅପେକ୍ଷା ନକରି ଯଦି ରାସ୍ତାଟିକୁ ଓସାରିଆ କରିଦେବା ତାହେଲେ ଏ ସମସ୍ୟାର ସ୍ଥାୟୀ ସମାଧାନ ହେଇଯାନ୍ତା ,, ନିଧି ମାଷ୍ଟ୍ରଙ୍କ କଥାକାଟି ନୀଳମଣୀ ସାଆନ୍ତେ କହିଲେ , ଥାଉ ମାଷ୍ଟ୍ରେ ଥାଉ ଏ ମୂର୍ଖ ମାନଙ୍କୁ ଏକଥା ମୁଁ କେତେବାର କହିସାରିଲିଣି , ସେବେଳ ଆଉ ଅଛି ବୟୋଜ୍ୟେଷ୍ଠ ମାନଙ୍କ କଥାକୁ ଅଗ୍ରାଧିକାର ଦେଇ ତାଙ୍କ କହିବା କଥାକୁ କାମରେ ଲଗେଇବାକୁ । ଏମାନେ ସମସ୍ତେ ଜଣେ ଜଣେ ମାଗଣା ଖିଆ ଦୁର୍ବୁର୍ତ୍ତ । ଏ ଆଖପାଖ ଅଞ୍ଚଳର ମୋ ସମସାମୟିକ ସମସ୍ତେ ଚାଲିଗଲେଣି ମୁଁ ଶୁଖିଲା ପତ୍ରଟିଏ ପରି ହଲୁଛି ଯାହା  କେତେବେଳେ ଯେ ଝଡ଼ି ପଡ଼ିବି  ବସିଲେ ଉଠିବା କଷ୍ଟ । ଏମାନଙ୍କ ସାଙ୍ଗରେ ଗପୁଗପୁ ହେଇ ମୋର ଦମା ଉଠିଲାଣି । ତିନିଦିନ ହେଲାଣି କଫ ଭିଡ଼ିଛି ଯେ ଆଜି ଡାକ୍ତରଙ୍କ ପାଖକୁ ପିଲାମାନେ ନେଉଥିଲେ ଔଷଧ ଆଣିବା ପାଇଁ । ଭାବିଥିଲି ଏଇ ଲଣ୍ଡା ବର ଗଛକୁ ଦେଖିଦେଖି ତାରି ଆଗରେ ମୋ ଦିନ ସରିବ । ହେଲେ ଏ କାଳଗିଳା ମାନେ ସେତକ ବି କରେଇ ଦେବେନି । ଆରେ କୁଆଡ଼େ ଗଲ ଆରେ ରାମ ,କୃଷ୍ଣ ଚାଲବାପା ଡାକ୍ତର ଖାନାକୁ ଯିବା । ଏତିକି କହୁକହୁ ନୀଳମଣି ସାଆନ୍ତଙ୍କ ଆଖିରୁ ଦୁଇଟୋପା ଲୁହ ଝରି ଆସିଲା । 


ସମଗ୍ର ଗ୍ରାମବାସୀ ନୀରବ  ଚିନ୍ତାମଗ୍ନ  ଅନୁତପ୍ତ । ଏଣେ ସେ ଗଦେଇ ମଉସାଙ୍କ ଜୁଆନ ନାତି ରାସ୍ତା ପ୍ରଶସ୍ତିକରଣରେ ଏକା ଏକା ଲାଗିଗଲାଣି  । ସୁଦୁରିଆ ଜୋର ଗୋଟେ ରଡ଼ି ମାରି କହି ଉଠିଲା ଚାଲରେ ସମସ୍ତେ  ଆଜି ଆମର ଏ ଗାଁ ରାସ୍ତାକୁ ସହରଠାରୁ ବି ଅଧିକ ଓସାରିଆ କରିବା  । ଆଉ ଆମ ଗାଁର ପରିଚୟ ଏ ଲଣ୍ଡା ବରଗଛ ଉପରେ କେବେବି ଆଞ୍ଚ ଆସିବାକୁ ଦବାନି । ସମସ୍ତେ ମିଳିତ ହେଇଗଲେ ରାସ୍ତା ନିର୍ମାଣରେ । 


ଗଛରେ ବସା ବାନ୍ଧି ରହିଥିବା କାଉ,କୋଇଲି,  ହଳଦୀ ବସନ୍ତ, ବଗ ଆଦି ନାନା ପକ୍ଷୀ ନାନା ତାନରେ ଆଉ ନାନା ଭଙ୍ଗୀରେ ଗାଇବାକୁ ଲାଗିଲେ ଅଭୟ ସଙ୍ଗୀତ । ଗୁଣ୍ଡୁଚି ମୂଷା ଟିଏ ଗଛମୂଳେ ତିଆରି ହେଇଥିବା ପହଣ୍ଡ ଉପରେ କିଚିରିମିଚିରି କରି ଖାଲି କୁଦ ମାରୁଥାଏ , ସତେ ଯେମିତି ନୀଳମଣି ସାଆନ୍ତଙ୍କୁ ଧନ୍ୟବାଦ ଅର୍ପଣ କରୁଛି । ଏସବୁ କଥା ଚୁପଚାପ ଶୁଣୁଥିବା ଲଣ୍ଡା ବରଗଛ ତାଦେହରେ ସୁଦର୍ଶନ ଦେଇଥିବା ଟାଙ୍ଗିଆ ଚୋଟର କ୍ଷତକୁ ଭୁଲିଯାଇ  ରାସ୍ତା କାମରେ ମାତିଥିବା ଗ୍ରାମବାସୀଙ୍କ ଉଦେଶ୍ୟରେ ଖୋଲିଦେଲା ସୁଲୁସୁଲିଆ ପବନର ପେଡ଼ି । ନୀଳମଣି ସାଆନ୍ତଙ୍କ ଆଖିରେ ଆଜି ପୁନର୍ବାର ସ୍ବାଧୀନତାର ଚମକ । ତାଙ୍କ ଆଖିରୁ ପୁଣି ଝରି ଆସିଲା ଦୁଇଧାର ଲୁହ  ତାହା ଅନୁଶୋଚନାର ଲୁହ ନଥିଲା ତାହା ଥିଲା ଖୁସିର ଲୁହ  ତାହା ଥିଲା ଆତ୍ମତୃପ୍ତିର ଲୁହ । 


Rate this content
Log in

Similar oriya story from Tragedy