ଦୁଇ ବନ୍ଧୁଙ୍କ କାହାଣୀ
ଦୁଇ ବନ୍ଧୁଙ୍କ କାହାଣୀ


ପାହାଡ କଡରେ ମାନପୁର ନାମକ ଏକ ଛୋଟ ଗାଁ ଥିଲା। ଏହି ଗାଁରେ ରହୁଥିଲେ ଦୁଇ ବନ୍ଧୁ କାଳିଆ ଓ କୁରୁପା। ଥରେ ଏକ ଦୁର୍ଘଟଣାରେ ଉଭୟଙ୍କର ପିତା ମାତା ଓ ପରିବାର ଲୋକଙ୍କର ମୃତ୍ଯୁ ହୋଇଗଲା। ଫଳରେ ସେମାନେ କେବଳ ଅନାଥ ହେଲେ ତାହା ନୁହେଁ ବରଂ ବେସାହାରା ମଧ୍ଯ ହୋଇଗଲେ।ଉଭୟ ପିଲା ଦୁଃଖରେ ଭାଙ୍ଗି ପଡିଲେ। କିଛି ଦିନ ପର୍ଯ୍ଯନ୍ତ ଗାଁର ଲୋକମାନେ ସେମାନଙ୍କ ଦୁଃଖରେ ଦୁଃଖିହୋଇ ସେମାନଙ୍କୁ ଖାଇବାକୁ ଦେଲେ। ସେମାନଙ୍କର ଭଲମନ୍ଦ ବୁଝିଲେ। ମାତ୍ର କଥାରେ ଅଛି ମାଗି ଆଣିଥିବା ତୁଣ ସୋଡକେ। କିଛିଦିନ ପରେ ଗାଁ ଲୋକ ମାନେ ସେମାନଙ୍କୁ ଖାଇବା ଦେବା ବନ୍ଦ କରିଦେଲେ। ଧିରେଧିରେ ଗାଁ ଲୋକ ମାନଙ୍କର ବ୍ଯବହାର ସେମାନଙ୍କ ପ୍ରତି ରୁକ୍ଷ ହେବାକୁ ଆରମ୍ଭ କଲା। ଗାଁ ଲୋକମାନଙ୍କ ମଧ୍ଯରେ ଏପରି ପରିବର୍ତ୍ତନ ଲକ୍ଷ କରି ଉଭୟ କାଳିଆ ଓ କୁରୁପା ନିଜ ପେଟ ପୁରାଇବା ପାଇଁ କିଛି କାମ କରିବାକୁ ଚିନ୍ତା କଲେ।
ସେମାନେ ଗାଁରେ ଅନେକଙ୍କ ଘରକୁ ଯାଇ ନିଜ ନିଜର ସାମର୍ଥ ଅନୁସାରେ କାମ ଖୋଜିବାକୁ ଲାଗିଲେ। ମାତ୍ର ଭାଗ୍ଯର ବିଡମ୍ବନା ଉଭୟଙ୍କୁ କୌଣସି ଘରେ କିଛିବି କାମ ମିଳିଲାନି। ଶେଷରେ ସେମାନେ ନିରାଶ ହୋଇ ନିଜ ନିଜ ଘରକୁ ଫେରିଗଲେ। ପରଦିନ ସକାଳେ ଦୁଇ ବନ୍ଧୁ ଚିନ୍ତାକଲେ କି ସେମାନେ ନିକଟରେ ଥିବା ପାହାଡକୁ ଯାଇ ଭଲଭଲ ପଥର ଭାଙ୍ଗି ତାକୁ ବିକି ନିଜ ନିଜର ପେଟ ପୁରାଇବେ। ସେହି ଦିନ ଠାରୁ ଦୁଇ ବନ୍ଧୁ ସାଙ୍ଗ ହୋଇ ପାହାଡ ଉପରକୁ ଯାଆନ୍ତି ଓ ସେଠାରେ ଭଲଭଲ ପଥର ବାଛି ତାକୁ ଭାଙ୍ଗନ୍ତି ଓ ବିକି ଯେଉଁ ପଇସା ମିଳେ ସେଥିରେ ଆରାମରେ ଚଳି ଯାଆନ୍ତି।
ଦିନେ ପାହାଡ ଉପରେ ପଥର ଭାଙ୍ଗୁ ଭାଙ୍ଗୁ ପାଖରେ ଥିବା ଏକ ଖାଇକୁ କାଳିଆ ଖସିପଡିଲା। କୁରୁପା ତାକୁ ବହୁତ ଖୋଜିଲା ମାତ୍ର ପାଇଲା ନାହିଁ। ତେଣୁ ସେ ଭାବିଲା ବାପା ମାଆଙ୍କୁ ହରେଇବା ଭଳି ନିଜ ବନ୍ଧୁ କାଳିଆକୁବି ସେ ଆଜି ହରେଇଦେଲା। ତେଣୁ ସେ ସେଠାରେ ବସି କାନ୍ଦିବାକୁ ଲାଗିଲା।କିଛି ସମୟ ପରେ ଖାଇ ଭିତରୁ କୁରୁପାକୁ କେହିଜଣେ ଡାକୁଥିବାର କୁରୁପା ଶୁଣିଲା। କୁରୁପା ବୁଝିଗଲା ଯେ ତାର ଅତିପ୍ରିୟ ବନ୍ଧୁ କାଳିଆ ତାକୁ ସାହାଯ୍ଯ ପାଇଁ ଡାକୁଛି। ତେଣୁ ସେ କାଳ ବିଳମ୍ବ ନକରି ଖାଇ ଭିତରକୁ ଦେଖିବାକୁ ଚେଷ୍ଟା କଲା। ସେ ଦେଖିଲା କାଲିଆ ପଥର ଉପରେ ଚଢି ଚଢି ବହୁତ ଉପରକୁ ଆସି ସାରିଲାଣି। ତେଣୁ କୁରୁପା ନିଜର ହାତ ବଢାଇ ତାକୁ ଉପରକୁ ଟାଣିଆଣିଲା ଓ କହିଲା ମୁଁ ତ ଭାବିଥିଲି ଯେ ମୁଁ ତତେ ସବୁଦିନ ପାଇଁ ହରେଇଦେଲି ବୋଲି। କାଳିଆ କହିଲା ନାଁ ବନ୍ଧୁ ମୁଁ ଏତେ ଶିଘ୍ର ତୁମକୁ ଛାଡି କୁଆଡେ ବି ଯିବିନି। ହଁ ମୁଁ ତୁମକୁ ଗୋଟେ କଥା କହିବି କିନ୍ତୁ ଏକଥା ତୁମେ କାହାକୁବି କହିବନି। କୁରୁପା କହିଲା ମୋର ତୁମ ଛଡା ଆଉ କିଏ ଅଛିଯେ ମୁଁ କାହାକୁ କହିବି। କାଳିଆ କହିଲା ଠିକ୍ ଅଛି ଏବେ ମନଦେଇ ଶୁଣ ଏଇ ଖାତ ଭିତରେ ବହୁତ ସୁନା, ରୁପା ଓ ମୂଲ୍ଯବାନ ପଥର ତଥା ଧାତୁ ରହିଛି। ତେଣୁ କାଲିଠାରୁ ପ୍ରତିଦିନ ଆମ ଭିତରୁ ଜଣେ ସେଇ ଖାଇ ଭିତରକୁ ଯିବ ଆଉ ଅଳ୍ପ ଅଳ୍ପ ପରିମାଣର ମୂଲ୍ଯବାନ ବସ୍ତୁ ଆଣିବ। ପରେ ତାହା ଆମେ ଉଭୟଙ୍କ ମଧ୍ଯରେ ବାଣ୍ଟ କରି ନେଇଯିବା। କୁରୁପା କହିଲା ଠିକ୍ ଅଛି। ପରଦିନ ପୂର୍ବ ଯୋଜନା ଅନୁସାରେ ପ୍ରଥମେ କାଳିଆ ଖାତ ଭିତରକୁ ଗଲା। କିଛି ସମୟପରେ ଖାଇ ଭିତରୁ ଡାକ ଦେଲା କୁରୁପା ହାତ ବଢେଇ ତାକୁ ଉପରକୁ ଆଣିଲା ଓ କାଳିଆ ସାଙ୍ଗରେ ଆଣିଥିବା ବସ୍ତୁକୁ ଉଭୟ ସମାନ୍ ବାଣ୍ଟ କରି ନେଲେ। ପରଦିନ କୁରୁପା ଖାଇ ଭିତରକୁ ଗଲା ସେହିପରି ଉପରକୁ ଆସି ସାଙ୍ଗରେ ଆଣିଥିବା ବସ୍ତୁକୁ ଭାଗକରି ଉଭୟ ନେଇ ଘରକୁ ଯାଆନ୍ତି। ଏମିତି ଅନେକ ଦିନ ଧରି ଚାଲିଲା। ମାତ୍ର ପାଖରେ କିଛି ପରିମାଣର ଧନ ହୋଇଯିବାରୁ କୁରୁପା ଧିରେଧିରେ ଅଳସୁଆ ହୋଇଗଲା। ସେ ଆଉ ଆଗଭଳି ସବୁଦିନ ପଥର କାଟିବାକୁ କାଳିଆ ସହ ପାହାଡ ଉପରକୁ ଗଲା ନାହିଁ। ତେଣୁ ଯେଉଁ ଦିନ କୁରୁପା କାଳିଆ ସହ ଯାଏ ସେଦିନ ଉଭୟଙ୍କ ମଧ୍ଯରୁ ଜଣେ ଖାଇ ଭିତରକୁ ଯାଇ ସୁନା,ରୁପା, ହୀରା ଆଣେ ଏବଂ ତାକୁ ଉଭୟ ବାଣ୍ଟକରି ନିଅନ୍ତି। ଅନ୍ଯଦିନ ମାନଙ୍କରେ କାଳିଆ ପାହାଡ ଉପରକୁ ଯାଇ ପଥର ଭାଙ୍ଗି ବିକେ।
କିଛି ଦିନ ପରେ କୁରୁପା ବାହା ହୋଇଗଲା। ତାର କିଛି ଦିନ ପରେ କାଳିଆ ମଧ୍ଯ ବାହାହୋଇଗଲା। ଉଭୟ ପୂର୍ବଭଳି ସେଇ ଖାଇରୁ ପ୍ରାପ୍ତ ଧନ ନେଇ ବହୁତ ଆନନ୍ଦରେ ନିଜର ଦିନ ଅତିବାହିତ କଲେ। ମାତ୍ର କେହି କାହାର ସ୍ତ୍ରୀ କୁ ଖାଇରୁ ମିଳୁଥିବା ଗୁପ୍ତ ଧନ ବିଷୟରେ କିଛି କହି ନଥିଲେ। ଦିନେ ଖାଇରୁ ଗୁପ୍ତଧନ ଧରି ଘରକୁ ଫେରୁଥିବା ସମୟରେ କୁରୁପାର ସ୍ତ୍ରୀ କୁରୁପାକୁ ଦେଖିଦେଲା। ତେଣୁ ସେ ସେହି ଗୁପ୍ତ ଧନ ବିଷୟରେ ଜାଣିବାକୁ କୁରୁପାକୁ ଅନେକ ପ୍ରଶ୍ନ କଲା। ମାତ୍ର କୁରୁପା କିଛି ନକହି ନୀରବ ରହିଲା। ସ୍ତ୍ରୀ କିନ୍ତୁ ଅନେକ ରଣ ନିୟମ ପକାଇ ମଧ୍ଯ ଗୁପ୍ତ ଧନ ବିଷୟରେ କୁରୁପା ଠାରୁ କିଛି ନଜାଣିପାରି ଶେଷରେ ଅଭିମାନ କରି ମୁଁହଁକୁ ଫୁଲେଇ ବସିଲା। କିଛି ସମୟ ପରେ ବାହାନା କରି ବଡ ପାଟିରେ କାନ୍ଦିଲା ଆଉ କହିଲା ତୁମେ ମତେ ଭଲ ପାଉନ ସେଥିପାଇଁ ମତେ କହୁନ। ମୁଁ ଯାଉଛି ମୋ ବାପ ଘରକୁ ପଳେଇବି। ଶେଷରେ ବାଧ୍ଯ ହୋଇ କୁରୁପା ତା' ସ୍ତ୍ରୀକୁ ଉକ୍ତ ଖାୁଇ ବିଷୟରେ ସବୁ କଥା କହିଲା। ଯେହେତୁ କୁରୁପାର ସ୍ତ୍ରୀ ଗୋଟିଏ ଲୋଭି ପ୍ରକୃତିର ଲୋକ ଥିଲା ତେଣୁ ସେ ମନେ ମନେ ଚିନ୍ତା କଲା ଯଦି କୌଣସି ଉପାୟରେ କାଳିଆ ରାସ୍ତାରୁ ହଟିଯିବ ତାହେଲେ ସେ ଗୁପ୍ତ ଖାଇ ଓ ଗୁପ୍ତ ଧନ ସମ୍ପୂର୍ଣ୍ଣରୁପେ କୁରୁପାର ହୋଇଯିବ। କଥାରେ ଅଛି ପାଖରେ ଶୁଏ, କାନରେ କୁହେ। ତା କଥା କି କେବେ ଅନ୍ଯଥା ହୁଏ? ସେହିପରି ପ୍ରତ୍ଯକ ଦିନ ରାତି ଶୋଇବା ବେଳେ କୁରୁପାର ସ୍ତ୍ରୀ କୁରୁପାକୁ କାଳିଆକୁ ମାରି ସମସ୍ତ ଗୁପ୍ତ ଧନକୁ ନିଜର କରିବାପାଇଁ ପବର୍ତ୍ତାଇବାକୁ ଆରମ୍ଭ କଲା। ଧିରେଧିରେ କୁରୁପାର ମଧ୍ଯ ଲୋଭ ବଢିଲା।
ଦିନେ କାଳିଆ ଖାଇ ଭିତରୁ ଡକ ଦେଲା। କିନ୍ତୁ କୁରୁପା ହାତ ନବଢାଇ ତା ଉପରକୁ ବଡ ବଡ ପଥର ପକାଇବାକୁ ଆରମ୍ଭ କଲା। ପଥର ପଡିବାର ଦେଖି କାଳିଆ ପଥର ସନ୍ଧିରେ ଲୁଚିଗଲା। କିଛି ସମୟ ପରେ କୁରୁପା କାନ୍ଦି କାନ୍ଦି ଯାଇ କାଳିଆର ସ୍ତ୍ରୀକୁ କହିଲା ପାହାଡ ଉପରୁ ଖାଇକୁ ଖସି କାଳିଆ ମରିଗଲା। କାଳିଆର ସ୍ତ୍ରୀ ଏ କଥା ଶୁଣି ବହୁତ କାନ୍ଦିଲା। ମାତ୍ର ରାତି ବେଳକୁ କାଳିଆ ଅନ୍ଯ ଏକ ଗିରିପଥ ଦେଇ ଘରେ ପହଞ୍ଚିଲା। ଓ ସେ ଗୁପ୍ତ ଖାଇ,ଗୁପ୍ତ ଖାଇରେ ଥିବା ଗୁପ୍ତ ଧନ ଓ ଶେଷରେ କୁରୁପା ତା ସହ କରିଥିବା ବିଶ୍ୱାସଘାତ ସମ୍ପର୍କରେ ସବୁକଥା କହିଲା। ଉଭୟ ରାତାରାତି ସେ ଘର ଛାଡି ଅନ୍ଯତ୍ର ରହିବାକୁ ଚାଲିଗଲେ। ଗାଁ ଲୋକମାନେ ଭାବିଲେ କାଳିଆ ମରିଯିବାରୁ ତା ସ୍ତ୍ରୀ ଘରଛାଡି ନିଜ ବାପ ଘରକୁ ଚାଲିଯାଇଛି। କାଳିଆ ଉକ୍ତ ଗିରିପଥ ଦେଇ ଖାଇର ନିମ୍ନ ଭାଗରେ ପହଞ୍ଚି ଆବଶ୍ଯକ ଧନ ସାଙ୍ଗରେ ଆଣି ଚଳୁଥାଏ।
କିଛିଦିନ ପରେ କୁରୁପା ନିଜ ସ୍ତ୍ରୀକୁ ସାଙ୍ଗରେ ନେଇ ପାହାଡ ଉପରକୁ ଗଲା। ସ୍ତ୍ରୀକୁ କହିଲା ମୁଁ ଖାଇ ଭିତରକୁ ଯାଉଛି ଯେତେବେଳେ ଡାକିବି ହାତ ବଢେଇ ମତେ ଉପରକୁ ଟାଣିବ। ଏହା କହି କୁରୁପା ଖାଇ ଭିତରକୁ ଗଲା। କିଛି ସମୟ ପରେ ଖାଇ ଭିତରୁ ନିଜ ସ୍ତ୍ରୀକୁ ଡାକ ପକାଇଲା। ତା ସ୍ତ୍ରୀବି କୁରୁପାକୁ ଉପରକୁ ଆଣିବା ପାଇଁ ହାତ ବଢାଇଲା। ମାତ୍ର ଏହି ସମୟରେ ସେଠାରେ ଏକ ଜଙ୍ଗଲି ହାତୀପଲ ପହଞ୍ଚି କୁରୁପାର ସ୍ତ୍ରୀକୁ ଶୁଣ୍ଢରେ ଧରି ଖାଇ ଭିତରକୁ ଫିଙ୍ଗିଦେଲେ। ଓ ଉପରୁ ବଡ ବଡ ପଥର ତାଙ୍କ ଉପରକୁ ପକେଇବାକୁ ଆରମ୍ଭ କଲେ। ଖାଇରେ ପଡି ଉଭୟ କୁରୁପା ଓ ତା' ସ୍ତ୍ରୀର ହାତ ଭାଙ୍ଗିଗଲା ଏବଂ ମୁଣ୍ଡ ଫାଟିଗଲା। ସେମାନେ ଆଉ ଉପରକୁ ଚଢି ନପାରି ସେଠାରେ ପଡି ରହିଲେ।ମାତ୍ର ସେଦିନ କାଳିଆର ଦେହ ଭଲ ନଲାଗିବାରୁ ସେ ଗୁପ୍ତ ଧନ ପାଇଁ ଆସିନଥିଲା। ପରଦିନ କାଳିଆ ଗିରିପଥଦେଇ ଗୁପ୍ତ ଧନ ଆଣିବାକୁ ଗଲା । ସେଠାରେ କୁରୁପା ଓ ତା' ସ୍ତ୍ରୀର ଏପରି ଅବସ୍ଥା ଦେଖି ତାଙ୍କୁ ସାଙ୍ଗରେ ନିଜ ଘରକୁ ନେଲା। କାଳିଆ ଓ ତା ସ୍ତ୍ରୀ ମିଶି କୁରୁପା ଓ ତା ସ୍ତ୍ରୀର ସେବା କରିବାକୁ ଲାଗିଲେ। କିଛିଦିନ ପରେ ଉଭୟ ସୁସ୍ଥ ହେଲେ ଓ ନିଜ କଲା କର୍ମ ପାଇଁ କ୍ଷମା ମାଗିବା ସହ ଅନେକ ଲଜ୍ଜିତ ମଧ୍ଯ ଅନୁଭବ କଲେ। କୁରୁପାର ସ୍ତ୍ରୀ ମଧ୍ଯ ନିଜର ଲୋଭକୁ ନିୟନ୍ତ୍ରଣ କରିବାକୁ ପ୍ରତିଜ୍ଞା କଲା ଏବଂ ଦୁଇ ବନ୍ଧୁ ପୂର୍ବପରି ପୁଣି ଏକାଠି ଖୁସିର ସହିତ ଜୀବନ ଅତିବାହିତ କଲେ।