ଦଶହରାରେ ଶୁଭପକ୍ଷୀ ଭଦଭଦଳିଆ
ଦଶହରାରେ ଶୁଭପକ୍ଷୀ ଭଦଭଦଳିଆ
ଦଶହରାରେ ଶୁଭପକ୍ଷୀ ଭଦଭଦଳିଆ
==================
ଭାରତରେ ଅନେକ ପକ୍ଷୀଙ୍କୁ ଭଗବାନଙ୍କ ସ୍ୱରୂପଭାବେ ଗ୍ରହଣ କରାଯାଇଛି l ସେହି ପକ୍ଷୀଙ୍କ ମଧ୍ୟରେ ଭଦଭଦଳିଆ ଅନ୍ୟତମ l ଭଦଭଦଳିଆ ପକ୍ଷୀକୁ ହିନ୍ଦୀଭାଷାରେ ନୀଳ କଣ୍ଠ ଓ ସଂସ୍କୃତରେ ଭରଦ୍ୱାଜ ବୋଲି କୁହା ଯାଇଥାଏ l ଆମେ ସଭିଏଁ ଜାଣୁ ସାଗର ମନ୍ଥନ ସମୟରେ ଭଗବାନ ଶିବ କାଳକୂଟ ହଳାହଳ ପାନକରି ଏ ସଂସାରକୁ ରକ୍ଷା କରି ଥିଲେ l ହଳାହଳ ଶିବଙ୍କ କଣ୍ଠଦେଶରେ ରହି ଯିବାରୁ ତାହା ନୀଳବର୍ଣ୍ଣ ଧାରଣ କରିଥିଲା l ଭଗବାନ ଶଙ୍କରଙ୍କର ତେଣୁ ନାମ ହେଲା ନୀଳକଣ୍ଠ l ସେହି ନୀଳକଣ୍ଠ ନାମରୁ ଭଦ ଭଦଳିଆ ପକ୍ଷୀ ଭଗବାନ ଶିବଙ୍କ ଅବତାର ଭାବେ ଅଭିହିତ ହୋଇଥାଏ l କେହି କେହି ଏହାକୁ ମହାମୁନି ଭରଦ୍ୱାଜଙ୍କ ସ୍ୱରୂପ ବୋଲି କହିଥାନ୍ତି l
ହିନ୍ଦୀଭାଷାଭାଷୀ ଅଞ୍ଚଳରେ ଏକ ଲୋକକଥା ଅଛି, " ନୀଲକଣ୍ଠ, ତୁମ ନିଲେ ରହିୟୋ l ଦୁଧଭାତ କା ଭୋଜନ କରିୟୋ, ହମାରୀ ବାତ ପ୍ରଭୁ ରାମ ସେ କହିୟୋ"l ଏହାରି ମଧ୍ୟରେ ରାମାୟଣର କଥା ଲୁଚି ରହିଛି l ରାମାୟଣ କାହାଣୀରୁ ଜଣା ଯାଏ, ପ୍ରଭୁ ଶ୍ରୀରାମ ଦଶାନନ ନିଧନ ପୂର୍ବରୁ ଶୁଭ ପକ୍ଷୀ ଭଦ ଭଦଳିଆଙ୍କ ଦର୍ଶନ କରିଥିଲେ l ଏଣୁ ଶ୍ରୀରାମଙ୍କ ଆଶୀର୍ବାଦରୁ ଭଦଭଦଳିଆ ପକ୍ଷୀଙ୍କ ଦର୍ଶନ ଶୁଭ ଦାୟକ ବୋଲି ଗ୍ରହଣ କରାଯାଏ l ବିଶେଷକରି
ଦଶହରାଦିନ ଏହି ପକ୍ଷୀକୁ ଦେଖିବା, ବହୁତ ଶୁଭ l ଦଶହରା ଦିନ ଏହାଙ୍କ ଦର୍ଶନରେ ସର୍ବବିଘ୍ନ ଦୂରହୋଇ ମନୁଷ୍ୟ ସୌଭାଗ୍ୟ ପ୍ରାପ୍ତ ହୋଇଥାଏ l ଧନ ଧାନ୍ୟ ଲାଭ ସହିତ ମନୁଷ୍ୟର ଭାଗ୍ୟ ଖୋଲି ଯାଏ ବୋଲି ବିଶ୍ୱାସ ରହିଛି l
ସମଗ୍ର ଏସିଆ ମହାଦେଶ ଭଦ ଭଦଳିଆର ବାସ ସ୍ଥାନ l ପରିବେଶ ନଷ୍ଟ ହେବା ଫଳରେ ଏମାନଙ୍କ ବଂଶ ଲୋପ ପାଇବାରେ ଲାଗିଛି l ଭଦଭଦଳିଆ ଆମ ଓଡ଼ିଶାର ରାଜ୍ୟ ପକ୍ଷୀ, ଏହା ମଧ୍ୟ କର୍ଣ୍ଣାଟକ ତେଲେଙ୍ଗାନା ତଥା ଆନ୍ଧ୍ରପ୍ରଦେଶର ରାଜ୍ୟ ପକ୍ଷୀ l ବିଜ୍ଞାନରେ ନୀଳକଣ୍ଠ ପକ୍ଷୀକୁ chordata aves ଶ୍ରେଣୀଭୁକ୍ତ କରାଯାଇଛି l ଜୀବବିଜ୍ଞାନରେ ଭଦ ଭଦଳିଆ ପକ୍ଷୀର ନାମ Coracias benghalensis l
ଏହାର ଶାରୀରିକ ଗଠନ ମାଛରଙ୍କା ଚଢ଼େଇ କିମ୍ବା ପାରାର ଶାରୀରିକ ଗଠନ ସଦୃଶ l ଏହାର ମୁଣ୍ଡ ପାରା ଠାରୁ ବଡ଼ ଓ ଶକ୍ତ, ଥଣ୍ଟଟି ଓଜନିଆ ଓ ମୁନିଆ l ପେଟପାଖର ରଙ୍ଗ ଧୂସର,ଲାଞ୍ଜ ଇଷତ ନୀଳ,ଡେଣା ଦୁଇଟି ନିଳ ଓ ଏଥିରେ କଳା ରଙ୍ଗର ପଟାପଟା ଦାଗ ଥାଏ l ଦେହ ତୁଳନାରେ ଏହାର ଲାଞ୍ଜ ଦେଖିବାକୁ ଛୋଟ ଏବଂ ଆୟତାକାର l ପିଠି ପାଖଟି ଚଉଡ଼ା l ଆମୋଦ ଦାୟକ ଉଡ଼ିବା ଶୈଳୀ ଯୋଗୁଁ ଏମାନେ ଲୋକ ପ୍ରୀୟ l ଘିରି ଘିରି ହୋଇ ବୁଲିବା,ତଳୁ ଉପରକୁ ରକେଟ ପରି ଉଡ଼ି ଯିବା, ଉପରୁ ତଳକୁ ଖସିବା ସମୟରେ ମୁଣ୍ଡଟିକୁ ଲମ୍ବାଇ ଉଡ଼ିବା, ଚିତ୍ପଟମାରିବା, ଡାହାଣରୁ ବାମକୁ ଏବଂ ବାମରୁ ଡାହାଣକୁ କଡ଼େଇକଡ଼େଇ ଉଡ଼ିବା ଆଦି ନାନା ପ୍ରକାର ଉଡ଼ିବାଶୈଳୀ ଏହି ପକ୍ଷୀ ଆପଣାଇ ଥାଏ l
ଶାନ୍ତ କୋଳାହଳଶୂନ୍ୟ ପଡ଼ିଆ ଏମାନଙ୍କର ପ୍ରିୟ ବାସସ୍ଥାନ l ଏମାନେ ଏକା ଏକା ରହିବା ପାଇଁ ଭଲ ପାଆନ୍ତି l ଚୁପ୍ ଚାପ୍ ବସିଥାନ୍ତି l ଶିକାର ପାଇଲେ ଝପଟି ପଡ଼ନ୍ତି l ବିଭିନ୍ନ ପ୍ରକାରର ପୋକ ଜୋକ, କୀଟ, ପ୍ରଜାପତି, ଏଣ୍ଡୁଅ, ବେଙ୍ଗ, ଝିଟିପିଟି, ମୂଷା ଏମାନଙ୍କ ପ୍ରିୟ ଖାଦ୍ୟ l
ଦୁର୍ଗାପୂଜା ସମୟରେ ଆଗରୁ ଚଢ଼େଇଆ ମାନେ ପଲ୍ଲୀ ଅଞ୍ଚଳରେ ଏହି ପକ୍ଷୀକୁ ଦେଖାଇ ପଇସା ରୋଜଗାର କରୁ ଥିଲେ l ଲୋକେ ବିଶ୍ୱାସ କରନ୍ତି, ଭରଦ୍ୱାଜ ପକ୍ଷୀକୁ ଦେବୀପୂଜା ସମୟରେ ଦର୍ଶନ କଲେ ଶୁଭହୁଏ l ନାନା ଅମଙ୍ଗଳ ଏବଂ ଅଶୁଭ ଦୂର ହୋଇଥାଏ l ଭଦ ଭଦଳିଆ ପକ୍ଷୀ ପରକୁ ପୂର୍ବେ ପୂଜାକରି ପୁରାଣପୃଷ୍ଠା ଭିତରେ ଦାଗ ହିସାବରେ ବ୍ୟବହାର କରାଯାଉଥିଲା l ଗାଁ ଗହଳିରେ ପିଲାମାନେ ଆଗ କାଳରେ ଭଦ ଭଦଳିଆକୁ ଦେଖିଲେ କହୁଥିଲେ, ଶୁଭ ଭଦ ଭଦଳିଆ ଭାଇ ନମସ୍କାର' l ଏହି ଭଦଳିଆ ପକ୍ଷୀ ହିଁ ମହା ଭାରତ ଯୁଦ୍ଧରେ ଭରତିଆ ପକ୍ଷୀ ଯାହା ଭକ୍ତ କବି ଦୀନକୃଷ୍ଣ ଦାସ ଲେଖିଛନ୍ତି :-
କୁରୁ ସଭା ତଳେ ଦ୍ରୌପଦୀ ଚିନ୍ତିଲା
କୋଟି ବସ୍ତ୍ର ଦିଆଇଲେ ତ l
ଭାରତ ଯୁଦ୍ଧରେ ଭରତିଆ ପକ୍ଷୀ
ଘଣ୍ଟ ଘୋଡ଼ାଇ ରଖିଲେ ତ,
ନାହିଁ ନାହିଁତ ଜଗବନ୍ଧୁ ପରି ଜଣେ ସାମନ୍ତ ll
ଆଦିକବି ଶାରଳାଦାସ ମହାଭାରତ ଭୀଷ୍ମ ପର୍ବରେ ଭଦଭଦଳିଆ ପକ୍ଷୀ ବିଷୟରେ ଲେଖିଛନ୍ତି :-
ଶୂନ୍ୟେ ଉଡୁଥିଲା ଭଦଭଦଳିଆ ପକ୍ଷୀ l
ଉତ୍ତରଦିଗେ ଦେଖିଲା
ଦେବୀ ଯେ କାମାକ୍ଷୀ ll
କବି ଭରତିଆ ପକ୍ଷୀ ଉପାଖ୍ୟାନରେ କହିଛନ୍ତି, ଏ ପକ୍ଷୀ ତା ପୂର୍ବ ଜନ୍ମରେ ସତ୍ୟ ଯୁଗରେ ଶ୍ୱେତକଳ୍ପ ବୋଲି ଜଣେ ରାଜା ଥିଲା l ସେ ଇନ୍ଦ୍ର, କୁବେରଙ୍କ ଅଭିଶାପରୁ ଏହି ପକ୍ଷୀଜନ୍ମ ପାଇଥିଲା ଏବଂ କଥା ଥିଲା ସେ ଦ୍ୱାପରଯୁଗରେ କୁରୁକ୍ଷେତ୍ର ଯୁଦ୍ଧବେଳେ ଭଗବାନଙ୍କ ହାତରେ ମୁକ୍ତି ଲାଭ କରିବ l ତାହା ହିଁ ହୋଇ ଥିଲା l ପିତୃ ବାକ୍ୟ ଲଙ୍ଘନ କରି ଏହା ପକ୍ଷୀ ଜନ୍ମ ପାଇଥିଲା ବୋଲି ଶାରଳା ଦାସ ମହାଭାରତରେ ଉଲ୍ଲେଖ କରିଛନ୍ତି l
ପିତାର ବାକ୍ୟ ଲଙ୍ଘିଲେ ଯହୁଁ ଚାରିପୁତ୍ରେ l
ଭରତିଆ ନାମ ବହି ରହିଲେ ଯୁଗାନ୍ତେ ll
!!! ଜୟ ମାଆ ଦୁର୍ଗେ ଦୁର୍ଗତିନାଶିନୀ !!!
🙏🙏🙏
ଅର୍ଜୁନୀ
----------
ଅର୍ଜୁନୀ ଚରଣ ବେହେରା
ମୋ -7693091971
