STORYMIRROR

Panchanan Jena

Inspirational

4  

Panchanan Jena

Inspirational

ଦର୍ପଣ ଦର୍ଶନ

ଦର୍ପଣ ଦର୍ଶନ

13 mins
263


ବାର୍ଷିକ ପରୀକ୍ଷା ୨୦୨୨ର ବେଳ । ଠିକ୍ ମନେ ପଡୁନି ତାରିଖ । କରେ।ନା ମହାମାରୀ ଯୋଗୁଁ ମଇ ମାସର ଦ୍ଵିତୀୟ ସପ୍ତାହରେ ପରୀକ୍ଷା ତାରିଖ ପ୍ରକାଶ ପାଇଲା ପରେ ନୋଟିସ ବୋର୍ଡରେ ଉଦ୍ଧବ ଭାଇ ଲଗଭ ଲଗଭ ନାହିଁ ନ ଥିବା ଭିଡ଼ ପିଲା ମାନଙ୍କ ଭିତରେ ଇତିହାସ ସ୍ନାତକୋତ୍ତର ଶିକ୍ଷକ ପଞ୍ଚାନନ ଜେନା ସାର୍ ଖବରକାଗଜ ଷ୍ଟାଣ୍ଡରୁ ଦୈନିକ " ସମାଜ" ପଢୁ ପଢୁ ନଜରରେ ପଡିଲା । ସାର୍ କିନ୍ତୁ ଅନ୍ୟ ଏକ ବୈଶିଷ୍ଟ୍ୟ ଦେଖି ଚକିତ ଆଚମ୍ବିତ ବିଷ୍ଫାରିତ ହୋଇ ଗଲେ ପରି ହୃଦବୋଧ ହେଉଥିଲା ।


କଥା କ'ଣ କି , ସପ୍ତମ ଶ୍ରେଣୀରେ ଜବାହର ନବୋଦୟ ବିଦ୍ୟାଳୟ , ସରାଙ୍ଗ, ଢ଼େଙ୍କାନାଳରେ ପଢନ୍ତି ଦୁଇ ଯାଆଁଳା ଭାଇ -- ରାମ ପ୍ରସାଦ ସାହୁ ଓ ଲକ୍ଷ୍ମଣ ପ୍ରସାଦ ସାହୁ କଙ୍କଡାହାଡ଼ ବ୍ଳକର । ଭାଗ୍ୟର ବିଡ଼ମ୍ବନା କହିଲେ ଅତ୍ୟୁକ୍ତି ହେବ , ରାମ ପ୍ରସାଦ ସୁସ୍ଥ ସବଳ ସୁନ୍ଦର ସୁଠାମ ସୁଦର୍ଶନ ହେଲେ ହେଁ ଲକ୍ଷ୍ମଣ ପ୍ରସାଦ ଦିବ୍ୟାଙ୍ଗ ବିକଳାଙ୍ଗ ପୋଲିଓରେ ଆକ୍ରାନ୍ତ ପାଦ ଦୁଇ ଅବଶ ସର୍ବାଙ୍ଗ । ନୀଳଗିରି ଜୁନିୟର ହାଉସରେ ଦୁଇ ଭାଇ ପାଖାପାଖି ରହନ୍ତି । ମୁଁହର ଆକାର ଆଉ ବାଳ କୁଣ୍ଢେଇବାର ପ୍ରକାରରୁ ଉଭୟଙ୍କୁ ଚିହ୍ନିବା କାଠିକର ପାଠ । ପରନ୍ତୁ କ ରୁ କ୍ଷ ପର୍ଯ୍ୟନ୍ତ ସବୁ କାର୍ଯ୍ୟରେ ରାମ ପ୍ରସାଦ ବିନା ସଂଙ୍କୋଚରେ ବଡ଼ ଭାଇ ଭାବରେ ଦାୟିତ୍ଵ ତୁଲେଇ ଚାଲିଥାଏ । ମୋଜା ପିନ୍ଧେଇବା , ଯୋତା ପଲିସ୍ କରି ଗଳେଇବା ଇତ୍ୟାଦି କାର୍ଯ୍ୟଠାରୁ ଆରମ୍ଭ କରି ହୁଇଲ ଚେୟାରରେ ବିଦ୍ୟାଳୟକୁ ନେବା- ଆଣିବା , କ୍ଲାସ ରୁମ୍ କୁ ନେବା -ଆଣିବା , ଡାଇନିଙ୍ଗ ହଲରୁ ଥାଳିରେ ଘୋଡେଇ ଖାଦ୍ୟ ଆଣିବା ଇତ୍ୟାଦି ଅଗଣିତ ଛୋଟ ବଡ଼ କାମକୁ ଉପଭୋଗ କରୁଥିଲା ମାତ୍ରାରେ ନିଜ କାମ କରିବା ସାଥେ ସାଥେ କରି ଚାଲିଥାଏ । ପାଠରେ ବି ଦୁହେଁ ୮୦ ଶତାଂଶ ଉପରେ ମାର୍କ ରଖନ୍ତି । ଆମ ବିଦ୍ୟାଳୟରେ ତାଙ୍କ ଦୁଇ ଭାଇଙ୍କ ଅନାବିଳ ସ୍ନେହ ତଥା ପାରସ୍ପରିକ ଭଲପାଇବାର ଉଦାହରଣ ସବୁରି ମୁଁହରେ । ପ୍ରଂଶସଭାଜନ ଦୁଇ ଭାଇର ଜୀବନ ଚାରଣ ହଷ୍ଟେଲ ଜୀବନ ।


କିନ୍ତୁ ସେଦିନ ଅଭାବନୀୟ ଅତୁଳନୀୟ ଦୃଶ୍ୟ ଜେନା ସାରଙ୍କ ଦୃଷ୍ଟିରେ ପଡିଲା । କାନ୍ଧରେ ବସେଇଛି ରାମ ପ୍ରସାଦ ଲକ୍ଷଣ ପ୍ରସାଦକୁ । ପତଳା ଲମ୍ବା ଭାଇ କାନ୍ଧରେ ବସିଛି ମୋଟା ଗେଡ଼ା ୭୫ କେଜିର ଭୁରକୁଣ୍ଡା ଭାଇ ନୋଟିସ୍‌ ବୋର୍ଡ଼ ଆଗରେ ହସୁଛି ସରାଗରେ । ଏକା ସଂଗରେ ଦେଖୁଛନ୍ତି ପଢୁଛନ୍ତି ଭିଡ଼ ଠେଲି ପେଲି । କି ଉତ୍ସାହ ? କି ଫୁର୍ତ୍ତି ? ଅଫୁରନ୍ତ ଅନାବିଳ ଭାତୃଭାବର ଯୁଗଳବନ୍ଦୀ ଦେଖୁଥିଲେ ଖାଲି ଜେନା ସାର୍ ନୁହଁନ୍ତି ସମଗ୍ର ବିଦ୍ୟାଳୟର ସମବେତ ଛାତ୍ର ଛାତ୍ରୀ ସକଳ । ତାଳି ମାରି ଚାଲିଥିଲେ ଆଉ ସାବାସି ଦେଉଥିଲେ ହସି ହସି ।

କ୍ଷମା କରିବେ , ଗୋଟିଏ ପ୍ରଶ୍ନ ତୀର ଭଳି ଜେନା ସାରଙ୍କ ମନ ମସ୍ତିସ୍କକୁ ବାରମ୍ଵାର ଝୁଣି ପକାଉ ଥିଲା ।

କମ ଓଜନର ରାମ ପ୍ରସାଦ ବେଶି ଓଜନର ଲକ୍ଷଣ ପ୍ରସାଦକୁ ଭଠେଇ କାନ୍ଧରେ ବସେଇଲା କେମିତି ?

୨୦ କିମ୍ବା ୨୫ କେଜି ଅଧିକ ଲାଗୁଛି ଲକ୍ଷଣ । ୪୫ କି ୫୦ କେଜି ବୋଧେ ହେବ ରାମ । କେମିତି ଟେକି ପାରିଲା ? କେମିତି କାନ୍ଧ ଉପରେ ନେଇ ବସେଇଲା ?


ଓହୋ ! ଜେନା ସାର୍ ଙ୍କ ମଥାଟା ପୂରା ଗୋଳମାଳ । ଏମିତି କେମିତି ହେବ ? ଯମା ହେବନି । ଲକ୍ଷଣ ସିନା ରାମର ଓଜନ ଟା କାନ୍ଧରେ ପକେଇ ଥେଇ ଥେଇ କରି ପାରନ୍ତା ? ପୁରା ଘେରେ ଘିରି ଘିରି କରି ସ୍କୁଲ ସାରା ଫେରା ମାରି ପାରନ୍ତା । କିନ୍ତୁ ପୋଲିଓ ପରା ଲକ୍ଷ୍ମଣର ଗୋଡ଼ ଦୁଇଟାକୁ ନହ ନହକା କଙ୍କି ଭଳିଆ ଦୁର୍ବଳ କରି ଦେଇଛି । ଯିଏ ନିଜେ ଠିଆ ହେଇ ପାରୁନି , କମର ସଳଖି ପାରୁନି , ଦି - ଚାରି ପାହୁଣ୍ଡ ଚାଲି ପାରୁନି , ନିଜେ ନିର୍ମୁଳିଲତା ପରି ଅନ୍ୟର ସାହାରା ସାହଚର୍ଯ୍ୟରେ ଜୀବନଚର୍ଯ୍ୟା ଠୁଁ ଜୀବନଯାତ୍ରା ସବୁ କାମ ପାରୁନି , କ'ଣ ନା ରାମ ପ୍ରସାଦକୁ ଟେକିବ ଆଉ କାନ୍ଧରେ ବସେଇବ ବୁଲେଇବ ! ! ଲାଗୁଛି ବାଇମୁଣ୍ଡିର ବାରବାଟି ଚାଷ ।

ଧେତ୍‌ : କେମିତିକା କଥା ସିଏ ଭାବୁଛନ୍ତି କେଜାଣି ? ଜେନା ସାର୍ ହାତେ ଜିଭ ବାହାରକୁ କାଢି ପକେଇଲେ । ମଥାରେ ମୃଦୁ କରାଘାତ କରୁ କରୁ ଏପଟ ସେପଟ ଚାହିଁ ଷ୍ଟାଫ କମନଗୁମ୍ ରାସ୍ତା ଧରିଲେ । ଯାହା ହେଉ ପାଗଳାମି ବାଚାଳାମିଟା ଧରା ପଡିବା ଆଗରୁ ରହିଗଲା । ମଣିଷଟା ବଂଚିଗଲା । ଜୟ ଜଗନ୍ନାଥ ସ୍ଵାମୀ , ନୟନ ପଥଗାମୀ ଭବ ତୁମେ । 


ବାର୍ଷିକ ଖେଳକୁଦ ପ୍ରତିଯୋଗିତାର ଆୟୋଜନ ଚାଲିଥାଏ । ଅର୍ନ୍ତସଦନୀୟ ଭଲିବଲ୍‌ ପ୍ରତିଯୋଗିତା ଜୁନିଅର ବର୍ଗରେ ନୀଳଗିରି ପୁଅ ଦଳ ସହ ସିଞ୍ୱାଲିକ ପୁଅ ଦଳର ହେବାର ଥାଏ ଅପରାହ୍ନ ଚାରି ଘଟିକା ସମୟରେ । ଖେଳ ଶିକ୍ଷକ ଅଶୋକ କୁମାର ମହାନ୍ତି ସଦନୀୟ ରଙ୍ଗୀନ ଟି-ସାର୍ଟ ପିନ୍ଧି ଆସିବାକୁ କହିଥାନ୍ତି । ସମବେତ ପାଞ୍ଚ ସହରୁ ଅଧିକ ଛାତ୍ରଛାତ୍ରୀ ନାଲି-ନୀଳ-ହଳଦିଆ-ସବୁଜ ରଙ୍ଗରେ ରଙ୍ଗାୟିତ ପୋଷାକ ପିନ୍ଧି ଖେଳାଳୀମାନଙ୍କ ମନୋବଳ ବଢେଇବାକୁ ସଜବାଜ ହୋଇ ସଦନୀୟ ସଂରକ୍ଷିତ ସ୍ଥାନରେ ଉପବେଷ୍ଟିତ ହୋଇଥାନ୍ତି କେଉଁ ଏକ ରଙ୍ଗିନ ରଙ୍ଗୋଲିର ଭ୍ରମ ସୃଷ୍ଟି କରି ।


ଶିକ୍ଷକ- ଶିକ୍ଷିକା ମାନଙ୍କ ପାଇଁ ମଧ୍ୟ ବିଶେଷ ନାଲି ଚୌକିର ବର୍ତ୍ତୁଳାକାର ବ୍ୟବସ୍ଥା କରାଯାଇଥାଏ । ହାସ୍ୟରୋଳ ତଥା ଅନ୍ୟାନ୍ୟ କଥାବର୍ତ୍ତୀରେ ହଠାତ୍‌ ଭଟ୍ଟା ଆସି ଗଲା ପିଇଟି ମହାନ୍ତି ସାରଙ୍କ ହୁଇସିଲ୍‌ ଶବ୍ଦରେ । ଜଣାଗଲା ଖେଳ ଆରମ୍ଭ ହେବାକୁ ଯାଉଛି । ଟସ୍ ହେବ । ପ୍ରିନସ୍ ପାଲ ମ୍ୟାଡ଼ାମ ଶ୍ରୀମତୀ ପ୍ରତିମା ମିଶ୍ର କଏନ କୁ ଉପରକୁ ଉଚ୍ଛାଳିଦେଲେ । ସମବେତ କରତାଳିରେ ଖେଳ ପଡ଼ିଆ ନୁହଁ ସମଗ୍ର ଗଗନ ପବନ ପ୍ରକମ୍ପିତ । ଦଳେ ଚଢ଼େଇ ପାଖ କଦମ୍ବ ଗଛରୁ ଫଡ଼ ଫଡ଼ କରି ଉଡି ଚାଲିଲେ ନୁହେଁ ଦୈଡ଼ି ପଳେଇଲେ ଆକାଶର ଅଗଣାକୁ କରତାଳିର ଆତଙ୍କିତ ସମବେତ ଶବ୍ଦଗୁଞ୍ଜନର ଆତସବାଜି ପ୍ରଦର୍ଶନରେ । ଦୁଇ ସଦନର ପ୍ରତିଭାଗୀ ଖେଳାଳୀଙ୍କ ମୁଁହରେ ଶାନ୍ତି ପ୍ରଶାନ୍ତିର ଚାରୁଛଟା ତପ୍ତରୌଦ୍ରର ବାଦଶାହି ଦାଦାଗିରିକୁ ସୁଖାନ୍ତକ ହର୍ଷଣମୁଖର ପରିବେଶରେ ପରିବର୍ତ୍ତନ କରି ସାରିଥିଲା ।


ଚୌକିରେ ବସିଥିବା ଇତିହାସ ଶିକ୍ଷକ ଜେନା ସାର୍ କିନ୍ତୁ ଆଉ କିଛି ବିନ୍ଦୁରେ ବ୍ୟସ୍ତ ଥିଲେ । କମର୍ସ ଶିକ୍ଷକ ସମୀର ସିଂହ ସାର୍ ଙ୍କ ସହିତ ଛଡିଶଗଡ଼ର ବିସ୍ମୟ ବାଳକ ରାହୁଳ ସାହୁ କେମିତି ୮୦ ଫୁଟ ତଳେ ବୋଉୱେଲରେ ଖସି ପଡ଼ିଥିବା ବେଳେ ଢେଙ୍କାନାଳ ମାଟିର ଗର୍ବ ଗୌରବ ଇନସ୍ପେକଟର ମହାବୀର ସିଂହଙ୍କ ଟିମ୍ କେମିତି ଆଧୁନିକ ଯାନ୍ତ୍ରିକ କୌଶଳ ମାଧ୍ୟମରେ ପାଞ୍ଚଦିନ ପରେ ବଂଚେଇ ପାରିଲେ ଦୀର୍ଘ ୧୦୯ ଘଣ୍ଟାର ରେସକ୍ୟୁ ଅପରେଶନ ପରେ , ସେହି ଲୋମହର୍ଷଣ ରୋମାଞ୍ଚଭରା କାହାଣୀ ଅନବରତ ମୁଖାରବିନ୍ଦରୁ ଝରି ପଡ଼ୁଥିଲା ----" ଦଣ୍ଡେ ନିମିଷେ ଥିଲେ ପ୍ରାଣ , ନେଇ ନ ପାରେ ଜନ୍ତୁ ରାଣ "। 

କପୋଥକଥନ ମାଧ୍ୟମରେ ଛତିଶଗଡ଼- ଢ଼େଙ୍କାନାଳର ସଂପର୍କ ସେତୁ ବିଷୟରେ ତାର୍କିକ ମାର୍ମିକ ଚୁମ୍ବକୀୟ ଉଦ୍ଧୃତି ଦେବାକୁ ଆଦୌ ଭୁଲୁ ନ ଥିଲେ ସମୀର ବାବୁ ।


କାରଣ ଦୀର୍ଘ ୧୨ ବର୍ଷ ଯାକ ରାୟପୁର ନବୋଦୟରେ ସଫଳତାର ସହିତ କାର୍ଯ୍ୟ ସଂପାଦନ କରି ସରାଙ୍ଗ ନବୋଦୟକୁ ସ୍ଥାନାନ୍ତରିତ ହୋଇଛନ୍ତି ସମୀର ବାବୁ । ତାଙ୍କ ଆଖି ଆଗରେ ଛତିଶଗଡ଼ ରାଜ୍ୟର ଜନ୍ମ , ରାଜଧାନୀ ନୂଆ ରାୟପୁର ସହରର କଳେବର ବୃଦ୍ଧି , ଉନ୍ନତି ପ୍ରଗତିର ବିଜବପନ ମଧ୍ୟ ହେଇଛି ଇତ୍ୟାଦି ଇତ୍ୟାଦି ବିଷୟରେ ପ୍ରସାରଣ ପ୍ରଚାରଣ କରିବାକୁ କୁଣ୍ଠାବୋଧ କରନ୍ତି ନାହିଁ ।


ପିଇଟି ମହାନ୍ତି ସାର୍ ଙ୍କ ଲମ୍ବା ହୁଇସିଲ ଶବ୍ଦ ମଧ୍ୟ ସମୀର ସାରଙ୍କୁ ତାଙ୍କ ଧାରାବିବରଣୀରୁ ଶାନ୍ତ କ୍ଷାନ୍ତ କରନ୍ତେ ସମସ୍ତେ ଖେଳପଡ଼ିଆରେ ଅନୁଷ୍ଠିତ ଟସ୍ ପ୍ରତି ଦୃଷ୍ଟି ନିକ୍ଷେପ କଲେ । ବାଚନିକ ଆମୋଦ ଆଳାପରୁ ଅଳ୍ପ ତ୍ରାହି ମିଳିଲା ସମବେତ ଭବଦୀୟ ସମାଗମକୁ ।


ଜେନା ସାର୍ କିନ୍ତୁ ଅନ୍ୟ ଏକ ଦିଗ ପ୍ରତି ଗଭୀର ରେଖାପାତ କରି ଚାଲିଥିଲେ । ଅନତି ଦୂରରେ ହୁଇଲ୍‌ ଚେୟାରରେ ବସିଥିବା ଦିବ୍ୟାଙ୍ଗ ବାଳକ ଲକ୍ଷ୍ମଣ ପ୍ରସାଦ ସାହୁ ଉପରେ ଦୃଷ୍ଟି ନିକ୍ଷେପ କରିଥିଲେ । କେତେ ସୁନ୍ଦର ମୁଖମଣ୍ଡଳ । ମଥାରେ ଶୋଭା ପାଉଛି ଝଙ୍କାଏ କଳା ମଚମଚ ବାଳ । ଗୋରା ତକ ତକ ଚେହେରା ନୀଳଗିରୀ ସଦନୀୟ ନୀଳ ଟି-ସାର୍ଟ ରେ ବେଶ ମାନୁଛି । କମର ତଳକୁ ଚାହିଁ ପାରୁ ନାହାନ୍ତି ଜେନା ସାର୍ । ନଳ ପରି ପତଳା ଦୁଇଟି ଲମ୍ବା ଲମ୍ବା ଗୋଡ଼ ଓହଳି ପଡିଛି ଶକ୍ତିହୀନ ବଳସାରଶୂନ୍ୟ ଭାବରେ । ମନରେ କ୍ଷୋଭର ତାଣ୍ଡବ । ମଗଜରେ ବିଦ୍ରୋହର ସ୍ଫୁଲିଙ୍ଗ । ଭଗବାନଙ୍କ ସୃଷ୍ଟିରେ ଏମିତି ବିଡ଼ମ୍ବନା କାହିଁକି ? ବିଶ୍ଵନିୟନ୍ତାଙ୍କର ଦରବାରରେ ଏପରି ଅପରିଣାମଦର୍ଶିତା ଆଦୌ ଶୋଭନୀୟ ନୁହେଁ ? କି ଅଭିଶାପ ପାଇଥିବ କିଏ କହିବ ? ବହେ ଗାଳି ଦେବାକୁ ମନେ ମନେ ସଜବାଜ ହେଇ ସାରିଥିଲେ ଜଗତର ନାଥ ଜଗନ୍ନାଥଙ୍କୁ । ସମୀର ସାରଙ୍କ ଭୂଲ ବଶତଃ କହୁଣୀ କ୍ଷେପଣ ଫଳରେ ପ୍ରକୃତିସ୍ଥ ହେଲେ ଜେନା ସାର୍ ଏବଂ ଏକ ଅପମାନ ସୂଚକ ବିରାଟ ଅପରିଣାମଦର୍ଶିତ ଯୋଗରୁ ବର୍ତ୍ତିଗଲେ କହିଲେ ସମ୍ୟକ ବାଚନିକ ଶ୍ରେଷ୍ଠତା ହେବ ।

ଜୟ ଜଗନ୍ନାଥ ସ୍ଵାମୀ -- ---- -- -


ଭଲିବଲ୍ ଖେଳର ମଧ୍ୟ।ନ୍ତର I ସ୍ଥାନ ପରିବର୍ତ୍ତନର ସୂଚନା ମିଳିସାରିଥାଏ । ନୀଳଗିରି ସଦନରୁ ପ୍ରତିନିଧିତ୍ଵ କରୁଥିବା ରାମ ପ୍ରସାଦ ପାଣି ବୋତଲରୁ ପାଣି ପିଇବା ବାହାନାରେ ଲକ୍ଷ୍ମଣ ସହିତ କେଇପଦ ସମ୍ବାଦ କରିନେଇ କରମର୍ଦ୍ଦନ କରି କୋର୍ଟ ମଧ୍ୟକୁ ପ୍ରବେଶ କରୁଥାଏ । ଅପୂର୍ବ ଶିହରଣ ଖେଳି ଯାଉଥାଏ ଲକ୍ଷ୍ମଣର ତନୁ ବଲ୍ଲରୀରେ । ସ୍ଵର୍ଗୀୟ ସୁଷମାରେ ମୁଖମଣ୍ଡଳ ଦ୍ଵିଗୁଣିତ ଲାଗୁଥାଏ । ଅନ୍ୟ ପିଲାମାନଙ୍କ ପରି ଲକ୍ଷ୍ମଣ ମଧ୍ୟ କରତାଳି ମାରି ହସୁଥାଏ । ଲାଗୁଥାଏ ସେହି କେଇଟି ମୁହୁର୍ତ୍ତ ସେ ଦିବ୍ୟାଙ୍ଗ ନୁହେଁ , ସେ ବିକଳାଙ୍ଗ ନୁହେଁ , ସେ ସେହି କଷ୍ଟଦାୟକ ଦୁର୍ବଳ ପରିଚାୟକ ପରିସ୍ଥିତିକୁ ବିସ୍ମରି ସାରିଛି । ଏହି ସବୁ ନୈସର୍ଗିକ ସୁଧାମୃତ ପାନ କରି ପାରୁଛି ଲକ୍ଷ୍ମଣ କେବଳ ତା' ଭାଇ ରାମର ସ୍ଵାର୍ଥ ରହିତ ସେବାଶୁଶୃଷା ପାଇଁ , ସାହାଯ୍ୟ ସହାନୁଭୂତି ପାଇଁ । ଭାଇ-ଭାଇ ମଧ୍ୟରେ 

ଏତାଦୃଶ ମହତପଣିଆ କଥା ଭାବି ଚାଲିଥିଲେ ଜେନା ସାର୍ । ପୁରାଣ ବର୍ଣ୍ଣିତ ରାମ- ଲକ୍ଷ୍ମଣ, ରାମ-ଭରତ ଇତ୍ୟାଦିଙ୍କ ସହିତ ତୁଳନା କରି ଚାଲିଥାନ୍ତି ମନେ ମନେ । ବେଳେ ବେଳେ ତର୍କ ଦିଅନ୍ତି ରାମ ପ୍ରସାଦର ଅନାବିଳ କାର୍ଯ୍ୟ ସଂପାଦନ ଓ ଯମଜ ଦ୍ଭାତୃସ୍ନେହ ଏ ଘୋର କଳିକାଳରେ ସଂପାଦନ କରି ପୁରାଣ ବର୍ଣ୍ଣିତ କପୋଳ କଳ୍ପିତ ଚରିତ୍ରମାନଙ୍କ ଠାରୁ କେଉ ପାଦ ଆଗରେ ରହିବାକୁ ଯୋଗ୍ୟତମ ବ୍ୟକ୍ତି ପୁଙ୍ଗବ । ମନରେ ଅହେତୁକ କୌତୁହଳ ସୃଷ୍ଟି ହୁଏ ସାର୍ ଙ୍କର । ରାମ ପ୍ରସାଦ ସହ ଦୁଇ ଚାରିପଦ ନିରୋଳା ବାର୍ତ୍ତାଳାପ କରିବାକୁ ମାନସ ପଟଳରେ ମୃଦୁ ଅଭୀପ୍ସା ଜାଗେ । ହଉ ହେଲା ! ଜୟ ଜଗନ୍ନାଥ ସ୍ଵାମୀ ---


କେତେଦିନ ପରେ ରାତ୍ରି ଭୋଜନ ସାରି ଅନ୍ୟ ଜଣେ ସାଙ୍ଗ ପାଇଁ ଔଷଧ ପାଇଁ ରାମ ପ୍ରସାଦ ସାହୁ ପ୍ରାୟ ଯାଇ ଫେରୁଥିଲା ନର୍ସ ମ୍ୟାଡ଼ାମଙ୍କ କ୍ଵାଟର ଆଡୁ । ଆର ପିଲାକୁ ହଷ୍ଟେଲକୁ ପ୍ରେରଣ କରି , ଜେନା ସାର୍ ରାମ ପ୍ରସାଦକୁ ପାଖ ବେଞ୍ଚରେ ବସିବାକୁ ଅଙ୍ଗୁଳି ନିର୍ଦ୍ଦେଶ କରନ୍ତେ ବାଧ୍ୟ ଶିଶୁ ପରି ନ ବସି ହାତ ପଛକୁ କରି ଛଡ଼ା ହେଲା ।

ଦୈନିକ ଏକା ଭଳିଆ କାମ କରି କରି ତୋ ଭାଇ ପାଇଁ ତୋତେ ହାଲିଆ ଲାଗେନି କି ? ତୁ ପାଠ ପଢିବାକୁ ସମୟ ପାଉ କେତେବେଳେ ? ତୁ ଯେତେବେଳେ ଲକ୍ଷ୍ମଣକୁ ନିତ୍ୟକର୍ମ କରିବାକୁ ବାଥରୁମ ଭିତରକୁ ନେଉ, ତୋତେ କେମିତି ଲାଗୁଥିବ ? ସରମରେ ମରିଯାଉଥିବ ଦୁଇ ଭାଇ । ତୋତେ ଏତେ ଧୌର୍ଯ୍ୟ ଶକ୍ତି କିଏ ଦେଲା ? ତୋତେ କ'ଣ କେବେ ବି ରାଗ ଲାଗେନା ! କେବେ ତୁମ ଦୁଇ ଜଣଙ୍କ ଭିତରେ ମାଡଗୋଳ ବା କଥା କଟାକଟି ହେଇଛି କି ? ତୁ ତ ପତଳା ପିଲାଟେ । ତୋର ଏତେ ବଳ ଆସେ କେଉଁଠାରୁ ଯେ ତୁ ତୋ ଠାରୁ ୨୦ କେଜି ଓଜନିଆ ଭାଇକୁ ବିନା ପରିଶ୍ରମରେ ଆପେ ଆପେ କାନ୍ଧରେ ବସେଇ ନେଉ ? କେମିତି ସମ୍ଭବ ଏ ଅସମ୍ଭବ ? କହିଲୁ ପୁଅ ରାମ ପ୍ରସାଦ । ମୋ ମନରେ ବହୁତ ଦିନରୁ ଜମାଟ ବାନ୍ଧି ବସିଛି ଯେମିତି ବିକ୍ରମାଦିତ୍ୟ ପିଠିରେ ବେତାଳ ଲାଭ ହେଲା ପରି ।


ଲାଗୁଥିଲା ବହୁ ଦିନରୁ ପୁଞ୍ଜିଭୂତ ପ୍ରଶ୍ନମାଳ ସବୁ ଗୋଟିଏ ପରେ ଗୋଟିଏ ବନ୍ଧୁକର ନଳ ଭିତରୁ ଫଟା ଫଟ୍ ଗୁଳି ଫୁଟିବା ପରି ଜେନା ସାରଙ୍କ ମୁଁହରୁ ଅନବରତ ଏମିତି ସେମିତି ଅନର୍ଗଳ ଚାଲିଥିଲା । ଛାତ୍ର ରାମ ପ୍ରସାଦ ସବୁ ସ୍ଥିର ସୁବିର ଚିତ୍ତରେ ଅବିଚଳିତ ମୁଦ୍ରାରେ ଶୁଣୁଥାଏ । ତଳକୁ ମୁଣ୍ଡପୋତି ସବୁ ଶୁଣୁଥାଏ ।

 ବହେ ଗପି ଗପି ଜେନା ସାର୍ ଶାନ୍ତ ପଡିଗଲେ । କ୍ଷାନ୍ତ ହେଲେ ମଧ୍ୟ । ମନ ମଧ୍ୟରେ ବହୁ ଦିନରୁ ଗଚ୍ଛିତ ଷ୍ଟକ ସରିଗଲା ବୋଧେ । ଗୁଳ୍ମ ଗୁଳିଆ ପାଗ ଯୋଗୁଁ ମୁଁହ ସିନା ବିଶ୍ରାମ ନେଲା କିନ୍ତୁ ଡାହାଣ ହାତ କପାଳରୁ ଝାଳ ପୋଛୁଥିଲା ଯନ୍ତ୍ରଚାଳିତ ରୋବଟ ପରିକା ।

ଧିର ସନ୍ତର୍ପଣରେ କଇଁଛ ଖୋଳପା ଭିତରୁ ମୁଁହ କାଢିବା ପରି ରାମ ପ୍ରସାଦ ଧିରେ ଧିରେ ମୁଣ୍ଡ ଉପରକୁ ଉଠେଇଲା । ଜେନା ସାରଙ୍କ ଆଖିରେ ଆଖି ମିଶେଇଲା ।

 " ପ୍ରଥମେ ଧନ୍ୟବାଦ ଦେଉଛି ଆପଣଙ୍କୁ ସାର୍ । ସହସ୍ର ସାଧୁବାଦ ଜଣାଉଛି ଆପଣଙ୍କ ଭଳିଆ ଜଣେ ଦରଦୀ ମହାମାନବଙ୍କୁ ସାର୍ ।ଆମ ନବୋଦୟ କ୍ୟମ୍ପସରେ ସାତ ସହ ଲୋକେ ଦୈନିକ ଆତଯାତ । କାହାରି ପାଖରୁ ମୁଁ ଏପରି ଶୁଣିନି ସାର୍ । ଆପଣ ସର୍ବାଦୌ ପ୍ରଥମ । ତେଣୁ ସର୍ବପ୍ରଥମ ସାଦର ସମାଦର ମାନବତାର ଓଳଗି ଦଣ୍ଡବତ ଭୂମିଷ୍ଠ ପ୍ରଣାମ ଆପଣଙ୍କୁ ।


କୁହନ୍ତୁ ଆପଣ ! ତୃତୀୟ ଶ୍ରେଣୀ ଯାଏ ସୁସ୍ଥ ସବଳ ଭାଇ ସହ ଖେଳି ଖେଳି ବଢିଛି ମୁଁ l କେତେ ମିଛି ମିଛିକା ମାଡ଼ ଗୋଳ , ଖେଳ କୁଦ ତଥା ହଟ୍ଟଗୋଳ । ଘରେ ଆମ ଦୁଇ ଭାଇଙ୍କର କେଳେଙ୍କାରୀ ପାଇଁ ଅଦାଲତ ବସିଥାଏ । ସେହି ସୁନେଲି ସମୟ ଯେ କ୍ଷଣସ୍ଥାୟୀ ହେବ ମୁଁ କେବେ କଳ୍ପନା କରି ନ ଥିଲି ।


 ହଠାତ୍ ଲକ୍ଷ୍ମଣର ପାଦ ପତଳା ହେବାକୁ ଲାଗିଲା । ଜଣା ପଡିଲା ପୋଲିଓ ଆକ୍ରାନ୍ତ ମୋ ଭାଇ । କେତେ ଡାକ୍ତର କେତେ ଡାକ୍ତରଖାନା ଦୈଡ଼ି ଦୈଡ଼ି ନୟାନ୍ତ ଖର୍ଚାନ୍ତ ହେଲେ ପରିବାର । କାରଣ ଛୋଟବେଳେ ମୁଁ କୁଆଡେ ବେଶି ମା' କ୍ଷୀର ଖାଇ ଦେଉଥିଲି । ଲକ୍ଷ୍ମଣ ଭାଗକୁ କିଛି ମିଳୁ ନ ଥିଲା । ତେଣୁ ରୋଗ ପ୍ରତିରୋଧକ ଶକ୍ତି ଲକ୍ଷଣ ଭିତରେ କମି କମି ଯିବାରୁ ତାକୁ ସମୟ କ୍ରମେ ପୋଲିଓ କୀଟାଣୁ- ବୀଜାଣୁ ଗ୍ରସିତ କରିଦେଲେ । ସେ ବିଛଣାରେ ଚବିଶ ଘଣ୍ଟିଆ ପଡି ରହିଲା ଶୋଇ ରହିଲା । ତା ରୁମକୁ ଗଲେ ଲୁହ ଆପେ ଆପେ ଝରି ପଡ଼ିଲା । ମୋତେ ଲାଗିଲା ସୁଖର ଦିନ ସବୁ ସରିଗଲା ଆମ ପରିବାର ପାଇଁ ।


ଘରକୁ ଆସୁଥିବା ଆତ୍ମୀୟ ସୋଦର ବନ୍ଧୁବାନ୍ଧବ ମାନେ ମୋର ଜିଦ୍ଖୋରିଆ ଗୁଣ ଯୋଗୁଁ ଲକ୍ଷ୍ମଣର ଆଜିର ଅବସ୍ଥା ଭୋଗ କରୁଛିର ଚାପା ଗୁଞ୍ଜରଣ ମୋତେ କଷ୍ଟ ଦେଉଥାଏ । ମୋତେ ଜଣେ ଆତତାୟୀର ଆସନରେ ବସେଇ ଥାଏ । ନିଜକୁ ବହୁତ ଖରାପ ଲାଗୁଥାଏ । 


ବାପାଙ୍କୁ ଏ ବିଷୟରେ ପଚାରିଲେ ସେ ବାଆଁରେଇ ଦିଅନ୍ତି । ବୋଉକୁ କହିଲେ ସେ ଆହୁରି ପାଖକୁ ଉଟାରି ନିଅନ୍ତି , ଗେଲ କରନ୍ତି , ଆହୁରି ବେଶି ସ୍ନେହ କରନ୍ତି , କପାଳରେ ଅସଂଖ୍ୟ ଚୁମା ଆଙ୍କି କହନ୍ତି - ତୁ ପରା ମୋ ରଜାପୁଅ । କୌଶଲ୍ୟା ମାଆର କୋଳନନ୍ଦନ ରାମ । ମୋ ଗେଲବସର ଅଙ୍କରତନ ପରା ତୁ । ସେ ସବୁ ବିଧିର ବିଧାନ । କପାଳ ଲିଖନ । ତୁ ବଡ଼ ହେଲେ ବେଶି ପାଠ ପଢିଲେ ଆପେ ଆପେ ବୁଝି ପାରିବୁ । ବଳେ ବଳେ କଳା ଠାକୁର ତୋ ମଗଜରେ ପୁରେଇ ଦେବେ ସେଇ ଅଛିଣ୍ଡା ସୂତାଖିଅ । ବୁଝିଲୁ ପୁଅ ! ସେହି ଜଗନ୍ନାଥଙ୍କ ସବୁ ଭିଆଣ ପରା ।


ଏମିତି ଅନେକ ଅଜବ ମନଭୁଲାଣିଆ ଗେଲବସରିଆ ବାକ୍ୟ ଚାତୁରୀରେ ଆଦର-ସାଦରରେ ମୋତେ ବୁଝାଇ-ସୁଝାଇ ଦେଉଥିଲେ ଶୁଏଇ ଦେଉଥିଲେ ।


 କିନ୍ତୁ ସାର୍ ! ମୋ ବ୍ୟାକୁଳିତ ମନ ଉତ୍ତର ଖୋଜୁଥିଲା । ପ୍ରାୟଶ୍ଚିତ ପନ୍ଥାର ସନ୍ଧାନ ପାଇଁ ଦିନୁ ଦିନ ଶୋଚନାରେ ବୁଡ଼ି ରହୁଥିଲା । ମୁଁ ସେହି ନୀଳାଚଳିଆ ନୀଳକନ୍ଦରିଆ ଗଳାମାଳିଆ ବାଙ୍କଚୁଳିଆ ଭକ୍ତବତ୍ସଳିଆ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଦପଦ୍ମରେ ମନଧ୍ୟାନ ଲଗେଇ ଠାକୁର ଘରେ ଧ୍ୟାନ ମୁଦ୍ରାରେ ଘଣ୍ଟା ଘଣ୍ଟା ବିତେଇ ବାକୁ ଚେଷ୍ଟା କଲି । ମା' ଉଠିବା ଆଗରୁ ଫୁଲ ଚାଙ୍ଗୁଡିଏ ଥୋଇଲି । ଅନ୍ୟନ୍ୟ ସାଜ ସରଞ୍ଜାମରେ ହାତ ବାଣ୍ଟିଲି । ବିଭୁମୟ ହୋଇ ସକାଳୁ ସଞ୍ଜରେ ଭଜନ ଜଣାଣ ଗାଇଲି । ଜଗନ୍ନାଥଙ୍କ ଚରଣାରବିନ୍ଦରେ ନିଜକୁ ସମର୍ପି ଦେଲି ଆପେ ଆପେ ।


ମୋ ଚପଳମତି ମନରେ ଉଙ୍କି ମାରିଲା ଦିନେ ସମାଧାନର ଚଇତାଳି । ମନରୁ ଆପେ ଆପେ ନିର୍ଗତ ହେଲା ଗୁରୁମନ୍ତ୍ର । ଯଦି ମୁଁ ଲକ୍ଷ୍ମଣର ଦାୟିତ୍ଵ ମୁଣ୍ଡେଇ ନିଏ , ତା'ର ସୁଖ ଦୁଃଖରେ ବଡ଼ ଭାଇର ଦାୟିତ୍ଵ ଆଜୀବନ ପାଳନ କରିବାକୁ ଭୀଷ୍ମ ପ୍ରତିଜ୍ଞା କରିନିଏ , ସମୁଚିତ ପ୍ରାୟଶ୍ଚିତ ହେବ ବୋଧେ । ଲକ୍ଷ୍ମଣର ଅଧିକାର ମୋର ଅଗୋଚରରେ ଅଜାଣତରେ ମୁଁ ଛଡେଇ ନେଇଛି , ଲୁଟି ନେଇଛି ତା'ର ଦୈବିକୃପା , ଚଳୁ କରି ପିଇ ଯାଉଛି ସୁଧା ମୃତ । ଯାହା ପାଇଁ ମୋ ଜୀବନର ପ୍ରାଣବିନ୍ଦୁ ମୋର ହୃଦସ୍ପନ୍ଦନ ଲକ୍ଷଣ ଆଦି ପଙ୍ଗୁ । 


ମୁଁ ଯଦି ଭାଇ ହୋଇ ତାର ଦୁଃଖ ଦୁର୍ଦ୍ଦିନରେ ଆଶାବାଡି ନ ହେବି, ଗୋଟିଏ ମା' ପେଟରୁ କେଇ ମିନିଟ ଅନ୍ତରରେ ଜନ୍ମ ନେଇ ଯଦି ଭାଇର ଅସହାୟତା ବେଳେ ମେହିଖୁଣ୍ଡ ପରି ଦମ୍ଭ ନ ଦେବି , ଆଉ କଣ ସାହିର ହରିଆ ପୁରିଆ କରିବେ । ମୋ ଭାଇ କଣ ନିର୍ମୁଳୀ ଲତା ପରି ବିନା ଅବଲମ୍ବନରେ ଅକାଳରେ ବଣମଲ୍ଲୀ ପରି ଝରିଯିବ ? ନାଁ ସାର୍ । କଦାପି ନୁହଁ ! 


ସେହି ଜଗନ୍ନାଥଙ୍କ ଦୈବି କରୁଣମୃତ ବଳରେ ମୋତେ ସାହସ ମିଳିଛି ସାର୍ । ମୋତେ ଦମ୍ଭ ଦେଇଛନ୍ତି ସେହି ଅଗତିର ଗତି ।ସାମର୍ଥ୍ୟ ପାଇଛି ତାଙ୍କ ପଦ ସେବାରୁ । ମୁଁ ଲକ୍ଷ୍ମଣ ଭଳିଆ ଓଜନିଆକୁ ଉଠେଇବାକୁ କାନ୍ଧେଇବାକୁ କୋଳେଇବାକୁ କିଏ ? ମୁଁ ଛାର ପତଳା ଲମ୍ବା କେତେ ଦୁର୍ବଳିଆ ଦେଖୁ ନାହାନ୍ତି ଆପଣ । ମୋର ବଳ ପ୍ରେରଣା ସେଇ ଜଗନ୍ନାଥ । ତାଙ୍କୁ ସୁମରଣା କରି ମୁଁ ଆପେ ଆପେ ଉଠେଇ ପାରିଥିଲି ଯେମିତି ହନୁମାନ ଗନ୍ଧମାର୍ଦ୍ଦନ ପାହାଡ଼କୁ ଉପାଡି ଉଡେଇ ଭିଡେଇ ଅଳ୍ଳେଶରେ ନେଇ ଆସିଥିଲା ରାମାୟଣ ଯୁଗରେ । ମୁଁ କିଏ ଏ ସବୁ ଅସମ୍ଭବକୁ ସମ୍ଭବ କରିବା , ବିସ୍କୟକୁ ସତ୍ୟର ଝଲକ ଦେଖେଇବା ।

କେଉଁ ବର୍ଣ୍ଣଭିଟା- ହରଲିକସ - କମ୍ପଲାନ୍‌ - ପେଡିଆସିଓର- ବୁଷ୍ଟ ପିଇଲେ ଏମିତି ବାହୁବଳୀ ବଳ ଆସିବନି କେବେ ? ସବୁ ସେହି ବିଶିକେଶନ ଶଙ୍କଟମୋଚନଙ୍କ କରିସ୍କା ।

ହଠାତ୍ ରାତି ୯ ଘଟିକାର ସାଇରନ୍ ବାଜି ଉଠିଲା । ସଦନରେ ରାତ୍ରୀ ପ୍ରେୟାର ଓ ରାତ୍ରୀ ଉପସ୍ଥାନରେ ସମୟ । ନମସ୍କାର ଆଉ ଥରେ କହି ଶୁଭ ରାତ୍ରୀର ଶବ୍ଦ ଶୁଣେଇ ରାମ ପ୍ରସାଦ ଜେନା ସାରଙ୍କ ପାଖରୁ ବିଦାୟ ନେଉଥିଲା ଆଉ ନୀଳଗିରୀ ସଦନାଭିମୂଖେ ଅଗ୍ରସର ହେଲା । ତା ମୁଣ୍ଡରେ ସୁକଲ୍ୟାଣ ମୁଦ୍ରାରେ ହାତକୁ ଛୁଇଁ କହୁଥିଲେ - ସାବାସ୍ ପୁଅ । ତୁମେ ବଂଶ - ଦେଶର ଗର୍ବ । ତୁମେ ତୁମ ବାପା- ବୋଉର ଗୌରବ । ଖୁସିରେ ଥା ଆଉ ତ୍ୟାଗ ଓ କରୁଣାର ପ୍ରଭାବରେ ପରିବେଶକୁ ଆଲୋକିତ କରୁ ଥା ।


ପୁଣି ତାକୁ ଚାହିଁ ଚାହିଁ ଜେନା ସାର୍ ଭାବୁଥିଲେ ବିସ୍ମୟ୍ ବାଳକ ରାମ ପ୍ରସାଦର ବିଭୁବତ୍ସଳତା । ଚପଳ ଛନ୍ଦ ବୟସରେ ସେ ଯେଉଁ କାର୍ଯ୍ୟ କରିବାର ଗୁରୁ ଦାୟିତ୍ଵ ନିଜର କୁନି କୁନି କାନ୍ଧରେ କାନ୍ଧେଇ ଚାଲିଛି ଜୀବନର ବଡ଼ ଦାଣ୍ଡରେ , ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିବାକୁ ଲାଗିଲେ କି ସେ ଏଇମିତି ଘଣ୍ଟ ଘୋଡେଇ ରଖିଥାନ୍ତୁ ଅନାବିଳ ଭାତୃସ୍ନେହର ମନ୍ଦାକିନୀ ଧାରା । ସାଧୁ ରାମ ପ୍ରସାଦ ସାଧୁ ।


ଜେନା ସାର୍ ଗମ୍ଭୀର ମୁଦ୍ରାରେ କ୍ଵାଟରରେ ପହଁଥିଲେ । ଗୁମ୍ ସୁମ୍ ଚୁପ୍ ଚାପ୍ । ରାତ୍ରୀ ଭୋଜନ ତିନି ଖଣ୍ଡ ରୋଟି ସନ୍ତୁଳା ଖାଇ ସଅଳ ଶେଯ ଶୁଙ୍ଘିଲେ । ଘରେ ସମସ୍ତେ ଏକ ଆରେକକୁ ଆଶ୍ଚର୍ଯ୍ୟ ଚକିତ ମୁଦ୍ରାରେ ଆଖିରେ ଇଶାରାରେ କହୁଥିଲେ -- କି ହେଲା କି ଆଜି , ନୟନ ମୁଦିଲା ସର୍ବାଗ୍ରେ ଆଜି , ବିଛଣା ଉପରେ ଶୋଇଲେ ପାଜି ।" ମା" ଲୋ ମଲି କହି ସହଧର୍ମିଣୀ ରୋଷେଇ ଘରେ ପଶିଗଲେ ।

ଜେନା ସାର୍ ସିନା ସହଳ ସହଳ ଶୋଇବାକୁ ଗଲେ , ଆଖି ବୁଜିଲେ କିନ୍ତୁ ନିଦ କାହିଁ ? ନିଦ୍ରା ଦେବୀ ଆଜି ଫେରାର୍ । 

ଗୋଟିଏ କଥା କେବଳ ମନ କକ୍ଷରେ ଅନବରତ ଘୁରି ବୁଲୁଥାଏ । ବକଟେ ପିଲାଟେ ୧୧ କିମ୍ଵା ୧୨ ବର୍ଷର ହେବ ରାମ ପ୍ରସାଦ । କିନ୍ତୁ ଚିନ୍ତା ଚେତନା ବୟସ୍କ ଜ୍ଞାନୀଗୁଣୀ ମନୀକ୍ଷୀ ମାନଙ୍କ ପରି । ଉଚ୍ଚଶିକ୍ଷିତ ହୋଇ ମଧ୍ୟ , ଶିକ୍ଷା ବିଭାଗରେ ଶିକ୍ଷକ ପଦ ମଣ୍ଡନ କରିଥିଲେ ମଧ୍ୟ ବେକାର ବେରୋଜଗାର ଗାଁରେ ଥିବା ସାନ ଭାଇ ପାଇଁ ଏତେ ଅନ୍ୟାୟ ଅପରିଣାମଦର୍ଶି କେମିତି ହୋଇ ପାରିଲେ ? ଛାତ୍ର ରାମ ପ୍ରସାଦ ସହିତ ଯେତେ ଥର ନ୍ୟାୟ ନୈତିକତାର ତରାଜୁରେ ନିଜକୁ ତଉଲୁଥିଲେ , ନିଜକୁ ହେୟ ଅନୁଧେୟ ଆପାଙ୍କକ୍ତେୟ ପାଉଥିଲେ । ତ୍ୟାଗ ବଦଳରେ ତୀରସ୍କାର , ବଳିଦାନ ବଦଳରେ ଗାଳିଦାନ, ସ୍ନେହ ବଦଳରେ ସ୍ଵାର୍ଥ ପାଇଁ ସେ ନିଜର ଅତି ଆପଣାର ସାନ ଭାଇ ପାଖରେ ଛୋଟ ହେବ। କୁ ଲାଗୁଥିଲେ । ଟଙ୍କା ପଇସା ଜୀବନର ସବୁ କିଛି , ଜମି ବାତି କୋଠା ଘରର ମାର୍ବଲ ଲଗା ବିଳାସ ବ୍ୟସନ ସବୁ କିଛି ଭାବୁଥିବା ଜେନା ସାର୍ ଆଜି ଏକ ଶକ୍ତ ଚଟକଣିଆ ଖାଇଛନ୍ତି । ବିବେକର ଚାବୁକ ପ୍ରହାର ତାଙ୍କୁ ଦର୍ପଣ ଦର୍ଶନ କରେଇଛି । ସେ ଆଉ କୋହ ସମ୍ବରଣ କରି ପାରିଲେନି ସମ୍ଭାଳି ପାରିଲେନି । ତତଲା ଲୁହ ଆଜି ବୋଲ ମାନିଲାନି । କୂଳ ଲଂଘି ଝରି ଗଲା ତକିଆ ଭିଜେଇ ଦେଲା ।


 ମନେ ପଡି ଯାଉଥିଲା ସାନ ଭାଇ କୁନାର ଆଦର ଓ ସମ୍ମାନ । କେବେ ପାଟି ଫିଟାଏ ନି ଯେତେ ଗାଳି କଲେ ବି । ପାଠ ରେ ଟିକେ ଦୁର୍ବଳ । ମ୍ୟାଟ୍ରିକ ପାସ କରି ପାରିଲାନି । ତିନି ତିନି ଥର ଦେଇ ବି ପରୀକ୍ଷା ବୈତରଣୀ ପାର କରି ପାରିଲାନି । କଣ ହେଲା ସେଠୁ । ଘର କଥା ବୁଝେ । ବାପା - ବୋଉ ତା' ପାଖରେ ଶେଷ ସମୟରେ ଶେଷ ନିଶ୍ଵାସ ନେଲେ । ତିନି ଏକର ଚାଷ ଜମି କେନାଲ କୁଳିଆ କଥା ବୁଝେ । ତିନି ଫସଲିଆ । ବାଡ଼ିରେ ପାନ ବରଜ ବସେଇଛି , ପହଣା ଗଡ଼ିଆ ଚାରୋଟି ଖୁଳେଇଛି , ନଡ଼ିଆ ଗୁଆ ଶହେ ଶହେ ଲଗେଇଛି । ଶାଗ ପରିବା ବର୍ଷ ସାରା । ତେଲ - ଲୁଣ- ଲୁଣି ମାଛ ଛଡ଼ା କିଛି କିଣେନା | କେତେ ପ୍ରକାର କଦଳୀ ବାଡି ସାରା - ପାଟିଆ, କାଠିଆ, ଖଣ୍ଡିଚିନି, ମଞ୍ଜିଆ, ସିଙ୍ଗାପୁରି । ଫୁଲ ଫଳରେ ଘର ଅଗଣା ମସଗୁଲ । ଆମ୍ବ ପଣସ ନଡିଆ ବେଲ ଖାଇବ ଯେତେ ବାଣ୍ଟିବ ସେତେ ବିକିବ ତେତେ । ସତରେ ସୁଖୀ କି' ଏ ? 


ତାର ଭଲ ଗୁଣ ସବୁ ଗୋଟି ଗୋଟି ହୋଇ ଆଖି ଆଗରେ ନାଚି ଚାଲିଲେ । ସାନ ଭାଇ କୁନା ଓ ସାନ ବୋହୁ ଚୁନୀ କେମିତି ଲାଗି ପଡ଼ନ୍ତି ଆମ ସତ୍କାରରେ ଆମେ ସପରିବାର ଘରକୁ ଖରାଛୁଟିରେ କିମ୍ଵା ଦଶହରା ଛୁଟିରେ ଗଲେ । ନଅ ତିଅଣ ଅଠର ଭଜା ଖାଇ ଖାଇ ଆଠ ଦଶ କଲେ। ଓଜନିଆ ହୋଇ ଆସୁ ପ୍ରତ୍ୟେକ ଥର । କେବେ କିଛି ପଇସା ଟଙ୍କା ମାଗିଥିବାର ମନେ ପଡୁ ନ ଥିଲା ଜେନା ସାରଙ୍କର । ସେ ଦି ବଦାନ୍ୟତାର ଆଳରେ ପୁତୁରା ଝିଆରୀଙ୍କ ହାତରେ କିଛି ହାତଗୁଞ୍ଜା ଉତ୍କଳୀୟ ପରଂପରାର ଦ୍ବାହି ଦେଇ ବି ନେଇ ପାରି ନାହାନ୍ତି ମନରୁ କାଢି ହୃଦୟରୁ ବାଢ଼ି । ସେହି ପରି ଓ ପିଣ୍ଡୁର ପାଣ୍ଡରା ମୁଖମଣ୍ଡଳ ନୁଖୁରା ବାହୁରି ବାଳ ଦିଶିଗଲା ।


ମାତ୍ର ବାପାଙ୍କ ଦଶାହ କର୍ମ ପରେ ମୋର ଏକା ଜିଦ୍‌ ଘରଡିହ ଜମିବାଡି ଭାଗ ହେବ । କାରଣ ଭୁବନେଶ୍ଵରରେ ଗୋଟେ ପ୍ଲଟ୍ ଓ ଫ୍ଲାଟ୍ କରିବାକୁ ଟଙ୍କା ଦରକାର । ମାମୁଁ, ପିଉସା , ମଉସା କାହାରି କଥା ଶୁଣି ନ ଥିଲି । ମା' ବଂଚି ଥାଉ ଥାଉ ମୋର ସ୍ଵାର୍ଥନ୍ଵେସୀ ସହରୀ ମାନସିକତା ଯୋଗୁଁ ଗାଁର ସବୁ ସଂପର୍କ ତୁଟି ଦେଇ ଆସିଥିଲି ।

ସତରେ କେତେ ଅପଦାର୍ଥ ଅପଗଣ୍ଡ ରୁଗଣ ଶିଳାଖଣ୍ଡ ମୁଁ ଯେ । ସହରୀ ଚାକଚକ୍ୟର ଐନ୍ଦ୍ର ଜାଳିକ ମାୟାଞ୍ଜନର ଆଢୁଆଳରେ ରହି ରକ୍ତ ସଂପର୍କ ସଂବଧମାନଙ୍କୁ କୀଟପତଙ୍ଗ ପରି ବ୍ୟବହାର କାହିଁକି କେଜାଣି କରି ଆସୁଥିଲି ? କ୍ଷଣିକ ଅହଁକାର ଅହମିକାର ବୃଢିଆଣି ଜାଲରେ ଫସି ଯାଇଥିଲି କ୍ଷଣିକ ସହରୀ ମଣିଷର ମୁଖା ପିନ୍ଧି । ଧିକରେ ଜୀବନ ! ହାଏରେ ଏ ମନ !


ପୂର୍ବ ଦିଗରେ ସିନ୍ଦୁରା ଫାଟିନି । ଜେନା ସାର୍

ସକାଳୁ ସକାଳୁ ଫୋନ କରୁଥିଲେ --- ହ୍ୟାଲୋ କୁନା ! ମୁଁ ଆଜି ଧଭଳିରେ ଘରକୁ ଯାଉଛି । ତୁ ଟିକେ ବସ୍ତା ଷ୍ଟେସନ ପଳେଇ ଆସିବୁ ୪.୩୦ ବେଳକୁ ବୁଝିଲୁ । 

ଆଉ ଶୁଣ ! ବ୍ୟସ୍ତ ହେବୁନି । ମୋର ଭାଇ ଭାଗ ଦରକାର ନାହିଁ , ମୋର ଭାଇ ଦରକାର , ଭାଇପଣିଆ ଦରକାର , ସୁନା ଭାଇର ଅନାବିଳ ଭଲ ପାଇବା ଦରକାର । ମୋତେ କ୍ଷମା କରିଦେବୁ । ବୁଢ଼ାଟେ ହେଇ ଥା " ।

ଆର ପଟୁ -- ଭାଇ ---ଦ୍ଭା--- ଇ---ଇ---ଇ ର କ୍ରନ୍ଦନ ଭରା କିରି ଅସ୍ପଷ୍ଟ ଶବ୍ଦ ପଦ ଜେନା ସାର୍ ନୁହେଁ ସମସ୍ତଙ୍କୁ ନୈସର୍ଗିକ ଆନନ୍ଦାଶ୍ରୁରେ ଅନୁରଣିତ କରୁଥିଲା । ଜୟ 

ଜଗନ୍ନାଥ ସ୍ଵାମୀ , ନୟନପଥ ଗାମୀ ଭବ ତୁମେ ର ଜୟ ଜୟକାର କଲେ।ନୀର ଶ୍ରୀଜଗନ୍ନାଥ ମନ୍ଦିରରୁ ଶୁଭୁଥିଲା ଶନୈ ଶନୈ ।   



Rate this content
Log in

Similar oriya story from Inspirational