ଆଜି ସାବିତ୍ରୀ ଅମାବାସ୍ୟା ଭଳି ଦିନରେ ସ୍ତ୍ରୀ ଲୋକଟି ବେକରୁ ସୁନାହାର ଛିନତାଇ କରି ଆଣିବା ପାପବୋଧରେ ଆଖିକୁ ନିଦ ଆସୁ ଆସୁ ଯମପୁର ପହଁଞ୍ଚି ଗଲେ ବିବେକ. ଭାବିଲେ ମାଆ ମୋର କେତେ କାନ୍ଦିବ, ସ୍ତ୍ରୀ ମୋର ମୁଣ୍ଡ କୋଡ଼ି କଚାଡି ପଡିବ. ଏତିକି ବେଳକୁ ସେ ଦେଖିଲେ ଚିତ୍ରଗୁପ୍ତ ପାଞ୍ଜି ଦେଖି କହୁଥିଲେ ତୁମେ ତ ସ୍ୱର୍ଗକୁ ଯିବାକଥା. ଚମକି ପଡିଲେ ବିବେକ. ଜୀଵନ ସାରା ଚୋରୀ କରୁ କରୁ ମାଆ ଓ ସ୍ତ୍ରୀଙ୍କୁ ମଧ୍ୟ ଚୋରୀ କରିଆଣିଛନ୍ତି ସେ. ପୁଣି ମାଆ ଓ ସ୍ତ୍ରୀଙ୍କୁ ଲୁଚାଇ ଚୋରୀ କରିଆସୁଛନ୍ତି ଏଯାବତ. ପୁଣି ଆଜି ଭଳି ଦିନରେ, ସ୍ତ୍ରୀ ଲୋକଟି ବେକରୁ ସୁନାହାର ଛିଣ୍ଡେଇ ଆଣିବା ଭଳି ଅପରାଧରେ ତାଙ୍କୁତ ଗରମ ତେଲ କଡେଇରେ ପକାଇ ଦେବା କଥା ବା ତାଙ୍କୁ ଜାଳି ପୁଣ୍ୟ ଅର୍ଜ୍ଜନ କରିଥିବା ଲୋକଙ୍କ ଖାଦ୍ୟ ପ୍ରସ୍ତୁତ କରିବା କଥା. ସେମିତି ନକରି ଚିତ୍ରଗୁପ୍ତ କଣ ଏମିତି କହୁଛନ୍ତି ଯେ ତାଙ୍କର ନର୍କ ଗତି ନୁହେଁ ବରଂ ସ୍ୱର୍ଗପ୍ରାପ୍ତି!
ଗୋଡ଼ ଧରି କ୍ଷମା ମାଗିଲେ ବିବେକ. ଜୀଵନ ସାରା ଭୁଲ ଭାଲ କରିଆସୁଥିବା ଲୋକଟାର ଗୁପ୍ତ ପଞ୍ଜିକା ଠିକକରି ପଢି ଶାସ୍ତି ବିଧାନ କରିବାକୁ ନେହୁରା ହେଉଥିବା ବିବେକଙ୍କୁ ଚିତ୍ରଗୁପ୍ତ କହିଲେ ଏହି ତ ତୁମର ବଡ଼ପଣ ଓ ଉଡାରତା. ତୁମେ ଦୁଇ ଦୁଇଟା ଅଭାଗା ସ୍ତ୍ରୀ ଲୋକଙ୍କ ପାଇଁ ଦରଜା ବନି ମଧ୍ୟ ନିଜକୁ ପାପୀ କହୁଛ!ତୁମ ପ୍ରାରବ୍ଧ କର୍ମ ଫଳ ଭୋଗିବାକୁ ଯାଇ ତୁମେ ଅନାଥ ଓ ପେଟ ପୋଷିବାର ଏକମାତ୍ର ପଥ ଓ ପାଥେୟ ତୁମର ଚୋରୀ ସତ ହେଲେ ଆବଶ୍ୟକତା ଠାରୁ ଅଧିକ ତ କେଵେ ତୁମେ ଚୋରୀ କରିନ!ସେଦିନ ପୁଅ ବୋହୁଙ୍କୁ ଦୁର୍ଘଟଣାରେ ହରାଇ ବୁଢ଼ୀମାଆ ଜୀଵନ ହାରିବାକୁ ଯାଉଥିବା ବେଳେ ତୁମେ ହିଁ ତା ପଥ ଓଗାଳି ତାଙ୍କୁ ନୂଆ ଦିଶା ଦେଖାଇ ନିଜ ମାଆ ବନେଇ ରଖି ଥିଲ. ପୁଣି ଦିନ କେଇଟା ନଯାଉଣୁ ମାଆର ପୁଅ ଵନିଯିବାର ପୁଣ୍ୟ ପାଉ ନପାଉଣୁ ସେଦିନ ରାସ୍ତାରେ ଚୋରୀ କରିବାକୁ ଛକି ରହିଥିଲା ବେଳେ ବରବଧୂଙ୍କ କାର ଦୁର୍ଘଟଣା ଗ୍ରସ୍ତ ହେବା ପରେ ଗାଡି ଭିତରେ ଥିବା ବର ମରିଯାଇଥିଲା ଓ କନ୍ୟାଟି ଭୋ ଭୋ ହୋଇ ନିଜକୁ ଅଲକ୍ଷଣୀ କହି କାନ୍ଦୁଥିବା ବେଳେ ତୁମେ ହିଁ କନ୍ୟାକୁ ବରି ନେଇ ବିବେକର ଵିଵେକୀପଣିଆକୁ ସାବ୍ୟସ୍ତ କରିଦେଲ. କୋଉଦିନ ବି ନିଜ ପତ୍ନୀଙ୍କୁ ମାଆ ତୁମର ନିଜର ନୁହଁନ୍ତି ବୋଲି କହିନାହଁ କାରଣ ତୁମେ ଚୋର ହେଲେବି ଡର ତୁମର କାଳେ ତୁମ ସ୍ତ୍ରୀ ସତ ଜାଣିଲେ ମାଆକୁ ହତାଦର କରିବାକୁ ସାହାସ କରିବ.ଏତେସବୁ ପରେ ତୁମେ କେମିତି ନିଜକୁ ପାପୀ ବିଚାରୁଛ!
ଆଜି ସାବିତ୍ରୀ ଦିନରେ ଏକ ସ୍ତ୍ରୀ ଲୋକ ବେକରୁ ସୁନାହାର କାଟି ଆଣି ଖୁବ ଦୋଷୀ ମୁଁ ମହାଭାଗ.ମତେ ଯମଦଣ୍ଡ ରୂପେ ନର୍କକୁଣ୍ଡରେ ନିକ୍ଷେପ କରନ୍ତୁ କହିଲା ବେଳେ ଚିତ୍ରଗୁପ୍ତ କହିଲେ ଅନେକ ନିରାଶ୍ରୟ ଲୋକଙ୍କ ଦରଜା ସାଜିଥିବା ଵ୍ୟକ୍ତିର ମୃତ୍ୟୁ ନାହିଁ କହି ଚିତ୍ରଗୁପ୍ତ କହିଲେ ଫେରିଯାଅ ଯୁବକ, ଆହୁରି ଅନେକ କାମ ବାକି ପଡିଛି ତୁମର ତ ନିଦ ମଳ ମଳ ଆଖିରେ ବିବେକ ଦେଖିଲେ ସ୍ତ୍ରୀ ଗୋଡ଼ ଧରି କାନ୍ଦୁଛନ୍ତି ଆଉ କହୁଛନ୍ତି ଆଜି ପରା ଦିନରେ ତୁମେ ମତେ ନକଲି ସୁନାହାର ଦେଇ ଠକିଛ. ସେଇଥିପାଇଁ ତ ନର୍କକୁ ନଯାଇ ପୁଣି ଫେରିଛି ତୁମ ପାଖକୁ. ଏଥର ବିବେକ ନିଜ ବାହୁ ବଳରେ କିଛି ଆରବ୍ଧ କରିବାକୁ ବାହାରିବା ବେଳେ ମାଆ ବୋହୁକୁ, ତୁ ମୋର ସାବିତ୍ରୀ ବୋଲି କହି ଗେଲ କରିବା ଦେଖି ବିବେକ ବିବ୍ରତ ହୋଇ ଭାବୁଥିଲେ ସତରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା ନା କଣ!ମୃତ୍ୟୁ ପ୍ରକୃତରେ ଚୋରୀର ହୋଇଥିଲା ଚୋରର ନୁହେଁ ବୋଲି ନିଜେ ବିବେକ ଅନୁଭବ କରି ମେହନତ କରିବା ଆରମ୍ଭ କରିଦେଇଥିଲେ କାରଣ ଖାଲି ମାଆ କି ସ୍ତ୍ରୀ ନୁହଁନ୍ତି ବରଂ ଅନେକ ନିରାଶ୍ରୟ ଲୋକଙ୍କ ଆଶ୍ରୟ ଥିଲେ ସେ.