puspanjali das

Inspirational

3  

puspanjali das

Inspirational

ଦୃଢତା

ଦୃଢତା

5 mins
208



    ସାମାନ୍ୟ ଅନ୍ୟମନସ୍କ ହୋଇ ଚା'କପ୍ ଟିରେ ଓଠ ଲଗାଉ ଲଗାଉ କାନ୍ଥ ଘଣ୍ଟାଟିରେ ସମ୍ପୂର୍ଣ୍ଣାର ଆଖି ପଡିଯାଇଥିଲା।ସମୟ ଦେଖିଦେଇ ଚମକି ପଡିଥିଲା!କପ୍ ଟିକୁ ଟେବୁଲ ଉପରେ ରଖିଦେଇ,ଭଲକରି ଆଉଥରେ ସମୟଟା ଦେଖିପକାଇ ଵ୍ୟସ୍ତ ହୋଇ ପଡ଼ିଲା।ଆରେ,ଏତେ ସମୟ ହୋଇଗଲାଣି ଅଥଚ ରୋଲି କଲେଜରୁ ଫେରିନି!ଆଜି ତା'ର ସ୍ନାତ୍ତକତ୍ତୋରର ପରୀକ୍ଷା ଫଳ ବାହାରିବାର ଥିବାରୁ ବ୍ୟସ୍ତ ହୋଇ କଲେଜ ଯାଇଥିଲା ହେଲେ ଏତେ ସମୟ କେବେହେଲେ କଲେଜରେ ଫଳ ବାହାରିବା ଦିନ ନ ରହିଥିବାରୁ ସମ୍ପୂର୍ଣ୍ଣାର ଵ୍ୟସ୍ତତା ବଢିଯାଇଥିଲା।ବଡ଼ଝିଅ ରୋଲିର ବିବ୍ରତ ମୁହଁଟି ବାରମ୍ବାର ମନ ଭିତରକୁ ପସି ଆସୁଥିଲା।ଥଣ୍ଡା ହୋଇଯାଇଥିବା ଚା'ଟି ଢକ ଢ଼କ କରି ଏକା ନିଶ୍ଵାସରେ ପିଇଦେଇ ତର୍ ତର୍ ହୋଇ ଶାଢ଼ୀ ବଦଳାଇ ରିକ୍ସା ଟିଏ ଡାକି କଲେଜ ଅଭିମୁଖେ ବାହାରି ପଡ଼ିଲା!ଅନେକ ଦ୍ବନ୍ଦ୍ୱ ଓ ଆଶଙ୍କାରେ ମନ ଭିତରଟା ତା'ର ଛଟପଟ ହୋଇ ଯାଉଥିଲା।ରିକ୍ସାରୁ ଓହ୍ଲାଇ ଚିର ପରିଚିତ ରେଭେନ୍ସା କଲେଜରେ ପାଦ ଦେଉ ଦେଉ ମନ ଭିତରକୁ ସତେ ଯେମିତି ନିଜର ପୁରୁଣା ଦିନର ସ୍ମୃତି ଗୁଡିକ ପୁଣି ଫେରି ଆସିବାକୁ ଠେଲାପେଲା ହୋଇ ଯାଉଥିଲେ..।

      ହେଲେ, ମା' ର ଆଖି ପ୍ରଥମେ ଖୋଜିପକାଇଥିଲା ରୋଲିକୁ । ସେଇ ଅଳ୍ପ କେତୋଟି ପିଲାଙ୍କ ଭିତରୁ...ତା'କୁ ନ ପାଇ ଅବଶ୍ୟ ବ୍ୟସ୍ତତା ତାର ବଢିଯାଇଥିଲା ତଥାପି ଧୈର୍ଯ୍ୟ ଧରି ନୂଆ ତିଆରି ହୋଇଥିବା ସେଭେନ ପିଲାର ଆଡକୁ ଆଗେଇ ଯାଇଥିଲା।ମନ ଓ ପାଦ ଉଭୟେ ଯେମିତି ତାକୁ ରୋଲିର ଉପସ୍ଥିତି ସେଇଠି ବୋଲି ସୂଚାଇ ଦେଉଥିଲେ!ସତକୁ ସତ ସେଇଠି ଚୁପଚାପ ବସିଥିବା ରୋଲିକୁ ଦେଖି ଯଦିଓ ସେ ସାମାନ୍ୟ ଆଶ୍ବସ୍ତ ହୋଇଥିଲା ହେଲେ ତା'ଶୁଖିଲା ମୁହଁ ଟି ଯେ ଅନେକ କିଛି ଜଣାଇ ଦେଇଥିଲା!ନିଜକୁ ଧୈର୍ଯ୍ୟ ହରା ନ କରାଇ ସେ ରୋଲି ପାଖକୁ ଯାଇ,ତା'ମୁଣ୍ଡକୁ ଆଉଁସି ଦେଇ ପାଖରେ ତାର ବସିପଡି କହି ପକାଇଲା-ଆରେ,କଣ ହେଲା,କମ ମାର୍କ ରହିଲା ତ?ଜୀବନରେ ଉଠା ପକା, ତଳ ଉପର ତ ଲାଗିରହିବ!ଏତେ ବ୍ୟସ୍ତ କାହିଁକି?ଏଠି କାହିଁକି ବସିଛୁ ଚାଲେ ଘରକୁ...ମତେ ଆଜି ଏତେ ବର୍ଷ ପରେ ଏକୁଟିଆ ଏଠିକି ଆଣି ,ପୁଣି କଲେଜ ଷ୍ଟୁଡେଣ୍ଟ କରେଇ ଦେଲୁ!!

         ଏଥର ରୋଲିର କାନ୍ଦ ଆଉ ଅଟକି ରହି ନ ଥିଲା,ସମ୍ପୂର୍ଣ୍ଣାର ବେକରେ ହାତ ଦୁଇଟି ଗୁଡେଇ ଭେଁ କରି କାନ୍ଦି ପକେଇଲା!ଆଉ ଅସ୍ପଷ୍ଟ ସ୍ୱରରେ କହି ପକାଇଲା-ତୁ କାହିଁକି ଏକା ଆସୁଥିଲୁ ଯେ?ମୁଁ ଆଉ ଟିକେ ପରେ ଯାଇ ନ ଥାନ୍ତି!ମୋ ମନ ଭଲ ଲାଗିଲା ନି ଏଇଠି ଏକୁଟିଆ ବସି ଭାବୁଥିଲି-କାହିଁକି ଏତେ କମ ମାର୍କ ରହିଲା!କଣ ଏବେ କରିବି!ରିପିଟ କରିବାକୁ ପୁଣି ପଡିବ!ମୋର ଆଉ ଧୈର୍ଯ୍ୟ ନାହିଁ।ଦେହ ଖରାପ ଯୋଗୁଁ ବି ଦୁଇଥର ଅସୁବିଧା ହୋଇ ରିପିଟ କରି ସାରିଛି।ଆଉ ପାରିବିନି!ତୋ' ଭଳି ମୋର କାହିଁକି ଧୈର୍ଯ୍ୟ ରହୁନି ବୋଉ??ଏତେ ଏକାଗ୍ରତା କି ପାଠପଢ଼ାରେ ଜିଦ୍ଦି ରହୁନି,ତୋ ଭଳି କାହିଁକି ମୁଁ ହେଇ ପାରୁନି?

         ଏତକ କଥାରେ ସମ୍ପୂର୍ଣ୍ଣାର ଭାବନାର ଖିଅଟା ଯେମିତି ବହୁ ବର୍ଷ ତଳକୁ ଚାଲି ଯାଇଥିଲା-ପୋଷ୍ଟ ଗ୍ରାଜୁଏସନର ପ୍ରଥମ ବର୍ଷ ସେମିଷ୍ଟର ଆରମ୍ଭ ପୂର୍ବରୁ ଭାଇରାଲ ଫିଭରରେ ପଡି ଯୋଉଦିନ ହସ୍ପିଟାଲାଇଜ ହୋଇଥିଲା, ସେଦିନ ତା'ବୋଉ ଯିଏ ତାଙ୍କ ଘରର ମେରୁଦଣ୍ଡ ଥିଲା ସମସ୍ତଙ୍କର ଶକ୍ତି ଓ ସାହସର ଉତ୍ସ ଥିଲା ,ମୁହଁରେ ତାର ବୋଳି ହୋଇଯାଇଥିଲା ନିରାଶା ର ରଙ୍ଗ!ଯେତେବେଳେ ଡାକ୍ତର କହିଦେଇଥିଲେ କିଛି ମେଡ଼ିସିନ ନାହିଁ କେବଳ ବରଫ ଭିତରେ ଦିନେ ଦୁଇଦିନ ରଖିବାକୁ ପଡିବ ସତେ ଯେମିତି ବୋଉର ସବୁ ଶକ୍ତି ତକ ସେଇ କଥା କେଇପଦ ପୋଛି ନେଇଥିଲା!ଯଦିଓ ସେଦିନ ସେ ଗୋଟାଏ ମୁହୂର୍ତ୍ତ ତା'ପାଖରୁ କୁଆଡେ ଯାଇନଥିଲା,ହେଲେ ମୁହଁଟିରେ ତାର ଜୀବନ ଟିକିଏ ଥିଲା ଭଳି ଜମା ଲାଗୁନଥିଲା!ତଥାପି,ବାପା ଓ ଘରର ଅନ୍ୟ ସମସ୍ତଙ୍କୁ ସାହସ ଦେଇ ଭାଗ୍ୟ ସାଙ୍ଗରେ ଯେମିତି ଲଢେଇ କରିବାକୁ ପ୍ରସ୍ତୁତ ହୋଇ ଯାଇଥିଲା।ଶେଷରେ ରୋଗକୁ ହରାଇ ତାକୁ ସୁସ୍ଥ କରି ଆଠ ଦିନ ପରେ ଘରକୁ ଫେରାଇ ଆଣିଥିଲା!ହେଲେ ଡାକ୍ତରଙ୍କର କଥା କିନ୍ତୁ ତା'ହୃଦୟ ଭିତରେ ଗାର ହୋଇ ରହିଯାଇଥିଲା-"ସମ୍ପୂର୍ଣ୍ଣା ଆଉ ପାଠ ପଢିପାରିବନି!"କେମିତି ତାକୁ ଜଣାଇବ ସେକଥା ର ବାଟ ଅବଶ୍ୟ କିଛି ଦିନ ପର୍ଯ୍ୟନ୍ତ ପାଇ ନ ଥିଲା କିନ୍ତୁ ସମ୍ପୂର୍ଣ୍ଣାର ପାଠପଢ଼ା ପ୍ରତି ଆଗ୍ରହ ଓ ପୁଣି ପଢ଼ା ପଢ଼ି ଆରମ୍ଭ କରିବାର ଜିଦ୍ଦିରେ ବାଧ୍ୟ ହୋଇ ତାକୁ ଜଣାଇଥିଲା!

        ସମ୍ପୂର୍ଣ୍ଣାର ଏବେ ବି ସେଦିନର କଥା ସବୁ ସ୍ପଷ୍ଟ ହୋଇ ମନେ ପଡ଼ୁଛି-ବୋଉର କଥାର ପ୍ରତିକ୍ରିୟାରେ ସେ ସିଧା ସିଧା ଶୁଣାଇଦେଇଥିଲା ଯେ -ସ୍ନାତ୍ତକୋତ୍ତର ର ସବୁ ସେମିଷ୍ଟର ସେ ଯେମିତି ହେଲେ ଦେବ।ଅଳ୍ପ ପଢିଲେ ମଧ୍ୟ ସେସବୁ ବନ୍ଦ କରିବନି। ହେଲେ,ସେତକ ଯେ ତା'ପାଇଁ ଘାତକ ସାଧ୍ୟ ହେବ ଏକଥା କେମିତି ତାକୁ ବୁଝାଇବ ବୋଲି ବୋଉକୁ ଆଉ କିଛି ଦିନ ଲାଗିଯାଇଥିଲା!ଯେତେବେଳେ ସମ୍ପୂର୍ଣ୍ଣା ଏକଥା ଜାଣିବାକୁ ପାଇଥିଲା ସେତେବେଳେ ତା'ମନ୍ତବ୍ୟ ଥିଲା-ପରୀକ୍ଷା ନ ଦେଲେ ସିଏ ଆତ୍ମହତ୍ୟା କରିଦେବ!ଯଦିଓ ଜାଣିଥିଲା ଏକଥାରେ ଘରେ ସମସ୍ତେ ମର୍ମାହତ ହେବେ ତଥାପି ପଢିବାର ଜିଦ୍ଦି ଓ କିଛି କରିବାର ଇଛା ଟା ଏତେ ପ୍ରବଳ ଓ ଦୃଢ଼ ଥିଲା ଯେ ସବୁକିଛି ଭୁଲିଯାଇଥିଲା ।ଏମିତି କି ବାପମାଙ୍କର ପିଲାଙ୍କ ନିରାପତ୍ତା ଯେ କେତେ ମହତ୍ୱପୂର୍ଣ୍ଣ ଏକଥା ମଧ୍ୟ ତା'ମୁଣ୍ଡରେ ଟିକିଏ ବି ପସି ନ ଥିଲା!ଆଉ ସେସବୁକୁ ବୟସର ଚପଳାମି ଭାବି ସେଦିନ ସମସ୍ତେ ତା'ଜିଦ୍ଦି ଆଗରେ ହାରି ଯାଇଥିଲେ।ଆଉ ଅଳ୍ପ ପଢ଼ାପଢ଼ି କରି ଦୁଇଟି ସେମିଷ୍ଟର ଦେଇଥିଲା,କିନ୍ତୁ ପୁଣି ବର୍ଷଟିଏ ପରେ ସେଇ ଭାଇରାଲ ଫିଭରର ଶିକାର ହୋଇ ସେଇ ପରିସ୍ଥିତିର ସମ୍ମୁଖୀନ ହୋଇଥିଲା । ଅଳ୍ପ କିଛିଦିନ ପାଇଁ ବାକ୍ ଶକ୍ତି ମଧ୍ଯ ହରାଇ ବସିଥିଲା!ଡାକ୍ତରଙ୍କ ର ତାଗିଦ୍ ଥିଲା ଯେ ,ଏମିତି ଆଉ ଥରେ ହେଲେ,ହୁଏତ ସେମାନେ ବି କିଛି କରିପାରିବେନି!ପୁଣି ଘରକୁ ଫେରି କିଛିଦିନ ପରେ ସେଇ ନାଟକର ପୁନରାବୃତ୍ତି ହୋଇଥିଲା!ଏଥର କିନ୍ତୁ ନିଜ ଚେଷ୍ଟାରେ ସମ୍ପୂର୍ଣ୍ଣା କିଛି କରିପାରିନଥିଲା !ଗୋଟିଏ ପୃଷ୍ଠା ପଢୁ ପଢୁ ମୁଣ୍ଡକୁ ଧରିକି ବସି ପଡୁଥିଲା ଆଉ ଆଖିର ଲୁହରେ ପୃଷ୍ଠାଟି ଭିଜାଇ ଦେଉଥିଲା!କଲେଜ ଜୀବନର ପ୍ରିୟ ବାନ୍ଧବୀ ଆଗେଇ ଆସିଥିଲା ତା'ପାଖକୁ ସାହାଯ୍ୟର ହାତ ବଢ଼ାଇ ଅନେକ ନୋଟସ୍ କରି,ତାକୁ ପ୍ରାଣପଣେ ଅକୁଣ୍ଠ ଚିତ୍ତରେ ଯୋଗାଇ ଦେଇଥିଲା ହେଲେ ସେସବୁକୁ ମଧ୍ୟ ପଢ଼ିବାର କ୍ଷମତା ହରାଇ ବସିଥିଲା ସମ୍ପୂର୍ଣ୍ଣା!

     ତଥାପି ହାରିଯାଇନଥିଲା ସେ,ଭାଗ୍ୟ ସାଙ୍ଗରେ ଲଢେଇ କରିବା ଛାଡି ନ ଥିଲା!ତା'ର ଅସହ୍ୟ କଷ୍ଟ ଓ ଅସାଧ୍ୟ ସାଧନା ଦେଖି ତା'ବଡ଼ ଭାଇ ଆଗେଇ ଆସିଥିଲା..ତାକୁ ନୋଟସ୍ ସବୁ ପଢି ଶୁଣାଇବାକୁ ଧୀରେ ଧୀରେ ଚେଷ୍ଟା କରିଥିଲା ଆଉ ଥରୁଟିଏ ଲେଖାଏଁ ଶୁଣି ସମ୍ପୂର୍ଣ୍ଣା ପୁଣି ପରୀକ୍ଷା ଦେବାକୁ ବାହାରିପଡିଥିଲା।ଘରର ସମସ୍ତେ କେବଳ ଠାକୁରଙ୍କୁ ଡାକିବା ଛଡା ଆଉ କିଛି କରିପାରୁ ନ ଥିଲେ!ଅବଶ୍ୟ ତା' ଅଧ୍ୟାପିକାଟିଏ ହେବାର ସ୍ୱପ୍ନଟି ତା'ପାଖରୁ ଯେମିତି ଦୁରେଇ ଦୁରେଇ ଯାଉଥିଲା 60%ପାଇବାର ଆଶାଟା ମଉଳି ଯାଇଥିଲା,ହେଲେ ତା'ବଡ଼ ଭାଇଙ୍କ ପରି ଅଧ୍ୟାପକଟିଏ ହେବାକୁ ଯେ ତାକୁ ଅତି କମରେ 55%ରଖିବାକୁ ପଡିବ,ଏ ଆଶା ଟି ହୃଦୟର କୋଉ କୋଣରେ କିନ୍ତୁ ଲୁଚି ରହିଯାଇଥିଲା!

       ଜୀବନର ପ୍ରତ୍ୟେକ ପାହାଚରେ ଭଗବାନ ତାକୁ ପାଠ ପଢାର ପରୀକ୍ଷା ସାଙ୍ଗରେ ନିଜ ହିସାବରେ ଯେମିତି ପରୀକ୍ଷା ସବୁ କରିଚାଲିଥିଲେ!ମ୍ୟାଟ୍ରିକ୍ ପରୀକ୍ଷା,ତା'ଜୀବନ ର ପ୍ରଥମ ପାହାଚରେ ୧୦୪°ଜ୍ୱରରେ ସିକ୍ ବେଡ଼ରେ ପକାଇ ଦେଲେ ହେଲେ ସେ ଲଢେଇରେ ,ଘରେ ବାହାରେ ସମସ୍ତଙ୍କୁ ଚମକାଇ ଦେଇ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇ ପାହାଚଟି ଚଢି ଯାଇଥିଲା।ସେଥିପାଇଁ ବୋଧେ ଆଇ.ଏ,ବି.ଏ ସବୁଥିରେ ଆଉ ଟିକିଏ ଟିକିଏ ଅଧିକା ଅସୁବିଧାର ସମ୍ମୁଖୀନ କରାଇଥିଲେ । ଆଉ ପାଠ ପଢାର ଶେଷ ପାହାଚରେ ଅସାଧ୍ୟ ପରିସ୍ଥିତିର ସମ୍ମୁଖୀନ କରାଇଥିଲେ!ଯଦିଓ ରେଭେନ୍ସା କଲେଜର ମାଟି ଗୋଡିରେ ଗଢ଼ା ହୋଇଥିବା ତା'କଲେଜ ଜୀବନର ଆରମ୍ଭ (ପ୍ରଥମ ବର୍ଷ କଳା)ଓ ଶେଷ(ଷଷ୍ଠ ବର୍ଷ ଇତିହାସ)ସବୁକିଛି ବାଧା ବିଘ୍ନକୁ ଧୀରେ ଧୀରେ ଡେଇଁ ଯାଉଥିଲା!ହେଲେ ଶେଷ ଲଢେଇରେ ,ତା'ଜୀବନର ଲକ୍ଷ୍ୟ ହିଁ ଦୁରେଇ ଯାଉଥିଲା ଏକଥା ଭାବି ଭାବି ଅବଶ୍ୟ ବେଳେବେଳେ ଭାଙ୍ଗି ପଡ଼ୁଥିଲା କିନ୍ତୁ ପୁଣି ନିଜକୁ ଦୃଢ଼ କରିବାକୁ ଭୁଲୁ ନ ଥିଲା!ସତେ ଯେମିତି ଭଗବାନଙ୍କର ତା'ଉପରେ ଦୟା ଆସିଯାଇଥିଲା କି ତା'ମନବଳକୁ ଆଉ ଭାଙ୍ଗି ବାକୁ ଇଛା ନ କରି ସ୍ନାତ୍ତକୋତ୍ତର ପରୀକ୍ଷାର ଫଳ ବି ଠିକ 55%ହୋଇ ବାହାରିଥିଲା।ଆଉ ସେତକ ମାର୍କ ବି ସମ୍ପୂର୍ଣ୍ଣାକୁ ପ୍ରଥମ ଦଶ ଜଣଙ୍କ ଭିତରେ ରହିବାର ଆନନ୍ଦ ସେଦିନ ଦେଇଥିଲା!ହାରିବା ଓ ଜିତିବାର ମାପକାଠିରେ ବହୁତ ପଛରେ ପଡ଼ିଥିଲେ ବି ମନ ତା'ର ଆତ୍ମସନ୍ତୋଷରେ ଭରି ଯାଇଥିଲା!ଆଖିରୁ ଆନନ୍ଦାଶ୍ରୁ ତା'ର ବହି ଯାଇଥିଲା, ଭଗବାନଙ୍କୁ ମନେ ମନେ ଶତ ଧନ୍ୟବାଦ ନ ଜଣାଇ ରହି ପାରିନଥିଲା!!

       ହଠାତ୍ ରୋଲିର ହାତର ସ୍ପର୍ଶରେ ଭାବନା ରାଜ୍ୟରୁ ସେ ଫେରି ଆସିଥିଲା ।ତା'ହାତ ଧରି ଉଠାଉ ଉଠାଉ କହିପକାଇଲା-ଭଗବାନ ଗୋଟିଏ ବାଟ ବନ୍ଦ କରିଦେଲେ ଆଉ ପାଞ୍ଚ ଟା ବାଟ ଖୋଲି ଦିଅନ୍ତି ,ନିଶ୍ଚୟ କିଛି ଭଲ ବାଟ ତୋ ପାଇଁ ଖୋଲି ଦେବେ ଦେଖିବୁ!ସମ୍ପୂର୍ଣ୍ଣାର ହାତ ଧରି ଉଠୁ ଉଠୁ ରୋଲିର ମୁହଁରେ ଆଶ୍ୱାସନା ମିଶା ଆତ୍ମବିଶ୍ବାସର ରଙ୍ଗଟି ଯେମିତି ସାମାନ୍ୟ ବୋଳି ହୋଇ ଯାଇଥିଲା!!

            

          


Rate this content
Log in

Similar oriya story from Inspirational