Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.
Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.

Jenaarundhati 1991

Inspirational

4.9  

Jenaarundhati 1991

Inspirational

ଦରଦଭରା କେଇ ପଦ

ଦରଦଭରା କେଇ ପଦ

7 mins
590


ସ୍ନେହର ଆଦ୍ୱିକ୍

        ମୋର ସ୍ନେହ ନେବୁ । ଏବେ ତୁ ମାତ୍ର ଦେଢ ବର୍ଷର । ତୁ ଯେତେବେଳେ ଏସବୁକୁ ପଢିବୁ, ଆଶା କରେ ସବୁ ବୁଝି ପାରିବାର ବୟସ ତୋର ନିଶ୍ଚିତ ଭାବେ ହୋଇଥିବ । ତୋର ମୋ ପେଟରେ ବଢିବାଠୁ ନେଇ ଆଜି ପର୍ଯ୍ୟନ୍ତ ଅନେକ ସମସ୍ୟାକୁ ମୁଁ ମୁକାବିଲା କରିଛି । ଏସବୁ ସମସ୍ୟାରେ ଯଦି କିଏ ବେଶି ସାଥ୍ ଦେଇଛନ୍ତି ତେବେ ସେମାନେ ହେଉଛନ୍ତି ତୋ ଅଜା, ଆଈ, ମାମୁଁ ଏବଂ ମାଉସୀ ।  

   ପାପା ତୋର ତାଳଚେରରେ ରୁହନ୍ତି । ମୁଁ ଯେହେତୁ ଚାକିରି କରୁଛି ତେଣୁ ମୁଁ ପାପାଙ୍କଠୁ ଦୂରରେ ରହେ । ପାପା ସପ୍ତାହରେ ଗୋଟିଏ ଦିନ ପାଇଁ ଆସନ୍ତି । ଯେବେ ବି ଆସନ୍ତି ବହୁତ ଯତ୍ନ ନିଅନ୍ତି ମୋର । ସେ ଗଲା ପରେ ମୁଁ ପୁରା ଏକୁଟିଆ ।  

      ତୁ ଯେତେବେଳେ ମୋ ପେଟରେ ଥିଲୁ ରକ୍ତସ୍ରାବ ହେବାରୁ, ଡାକ୍ତର କହିଲେ ୧୭ ଦିନର ବେଡ୍ ରେଷ୍ଟ୍ ପାଇଁ, ନହେଲେ ମିସ୍ କ୍ୟାରେଜର ବହୁତ ଚାନସେସ୍ ଅଛି । ମୁଁ ଡାକ୍ତର ଙ୍କ କଥା ମାନି ଅଫିସ ନଯାଇ ଘରେ ରହିଲି । ମୋତେ, ବହୁତ ଜଣ କହିଲେ ମୁଁ ମିଛରେ ଅଭିନୟ କରୁଛି । ଏହି ବହୁତ ଜଣରେ କେବଳ ତୋର ଘର ଲୋକ ହିଁ ସାମିଲ୍ ଥିଲେ । ଯିଏ ଅନ୍ୟମାନଙ୍କୁ କହୁଥିଲେ କି ରକ୍ତସ୍ରାବ ମ, ଓନଲି ୱାନ୍ ଡ୍ରପ୍ ଅଫ୍ ବ୍ଲଡ୍ । ତା ପରେ ଅଫିସ୍ ଗାଡିରେ ନ ଯାଇ କେତେ ଦିନ ତୋ ମାମୁଁ ମୋତେ କାରରେ ନେଇ ଅଫିସ୍ ଛାଡିଲା । ତା ପରେ ମାମୁଁ ଗାଡି ଖରାପ ହେଇଯିବାରୁ ଅଜା ତୋର ନୂଆ ସ୍କୁଟିଟେ କିଣି ଦେଲେ ମାମୁଁଙ୍କୁ, କେବଳ ମୋତେ ଅଫିସ୍ ଛାଡିବା ପାଇଁ । ମାମୁଁ ତୋର ମୋତେ ଅଫିସ୍ ଛାଡିବା ପାଇଁ କୋଲକାତାରୁ ନିଜର ଚାଟାର୍ଡ ଫାଇନାଲ୍ ପଢା ଛାଡିକି ଆସିଲା । କାରଣ ଅଜାଙ୍କର କଡା ତାଗିଦ୍ ଥିଲା ଯେ ଆଜି ନହେଲେ ବି କାଲି ପଢି ନେବୁ, ହେଲେ ଭାଇର ଭଉଣୀ ପାଇଁ ଥିବା କର୍ତ୍ତବ୍ୟକୁ ପାଳନ କରିବାର ଏ ସୁଯୋଗ ସବୁବେଳେ ମିଳିବ ନାହିଁ । ସେ ବି ଖୁସି ଖୁସି ନିଜ ସ୍ୱପ୍ନକୁ ଛାଡି ତୋ ମା' ସେବା ପାଇଁ ଆସିଯାଇଥିଲା ।  

     ମୁଁ ସେତେବେଳେ ମାନସିକ ଚାପର ଶିକାର ହୋଇଥିଲି, ସବୁବେଳେ ମାମୁଁ ତୋର ବୁଝାଏ ଦିଦି କାହା କଥା ନ ଶୁଣି ତୋ ପିଲା କେମିତି ଭଲରେ ଭଲରେ ଦୁନିଆକୁ ଆସିବ ସେ ଚିନ୍ତା କରେ । ମୁଁ ତୋ ସାଥିରେ ସବୁବେଳେ ଅଛି । କ'ଣ ଅସୁବିଧା ହେଲେ ଯେତେବେଳେ ଫୋନ୍ କରିବୁ ମୁଁ ସେତେବେଳେ ଆସି ପହଞ୍ଚିଯିବି । ମାମୁଁ ତୋର ବହୁତ ଭଲ ଆମିଷ ରୋଷେଇ କରି ଖୁଆଏ ମୋତେ । ତୋ ମାମୁଁର ସାଙ୍ଗ ଆଦି ମାମୁଁ, ସେ ବି ବହୁତ ଭଲ । ସେ ବି ମୋ ନିଜ ଭାଇ ପରି ଅନେକ ଯତ୍ନ ନେଇଛି । ଯେତେବେଳେ ମାମୁଁ ନ ରୁହେ ସେତେବେଳେ ସେ ଅଫିସ୍ ନେଇ ଯାଏ ଆଉ ଆଣେ ବି । ବେଳେବେଳେ ସେମାନଙ୍କୁ ବହୁତ ସମୟ ଧରି ଅପେକ୍ଷା କରିବାକୁ ପଡେ । ବିଲକୁଲ ରାଗନ୍ତିନି ତୋ ମାମୁଁମାନେ ।  

     ତୋର ସୁନୁ ମାମା(ମାଉସୀ) ସେ ବ୍ୟାଙ୍କରେ ଚାକିରି କରେ, ହେଲେ ବି ସବୁ ଶନିବାର ମୋ ଯତ୍ନ ନେବା ପାଇଁ ଆସେ । କିଛି କାମ କରିବାକୁ ଦିଏନାହିଁ । ମୋ ଡ୍ରେସ ଧୋଇ ଦିଏ, ମୋତେ ଭଲ ଭଲ ଜିନିଷ ଖୁଆଏ । ଜୁସ୍ ତିଆରି କରି ପିଆଏ । ସେ ବି ମୋର ବହୁତ ଯତ୍ନ ନେଇଛି ଠିକ୍ ତୋ ଆଈ ପରି ।  

    ତୋ ପେଟରେ ଥିବା ସମୟରେ ମୋତେ ହାଡଫୁଟି ହେଇଗଲା । ସେହି ସମୟରେ ତୋର ପାପା ମୋର ବହୁତ ଯତ୍ନ ନେଇଛନ୍ତି । ଡାକ୍ତରମାନେ ଡରେଇ ଦେଲେ କହିଲେ ଭିନ୍ନକ୍ଷମ ଛୁଆ ଜନ୍ମ ହେବ । ସେହି ସମୟରେ ଭଗବାନଙ୍କ ଉପରେ ଭରସା କରିବା ଛଡା ଆଉ କିଛି ଉପାୟ ନଥିଲା । ସେହି ଭଗବାନଙ୍କ ଦୟାରୁ ମୋର ଗୋଟିଏ ସୁନ୍ଦର କୁନି ପୁଅ ଜନ୍ମ ହେଲା ।  

    ତୋ ଜନ୍ମ ହେବାର ଠିକ୍ କିଛି ଦିନ ପୁର୍ବରୁ ମୋର ହିମୋଗ୍ଲୋବିନ ୬ ହେଇଗଲା । ଡାକ୍ତର କହିଲେ ୫ ଦିନ ହସପିଟାଲରେ ରହିବାକୁ । ସୁନୁ ମାମା ଆସି ରହିଲା ମୋତେ ଜଗିକି ଅଫିସ୍ ବନ୍ଦ କରି ବାକି ଆଉ ଯିଏ ବି ଆସିଲେ ସବୁ ଫର୍ମାଲିଟି ପାଇଁ । ପାପା ବି ଆସିଥିଲେ । ପାପା ତୋର ବହୁତ ଶାନ୍ତ । କାହାକୁ କିଛି କହିପାରନ୍ତି ନାହିଁ ସିନା ସବୁ ବୁଝନ୍ତି । ଆଇରନ୍ ସୁକ୍ରୋଜ ୨୦୦ ମିଲି ଦୁଇଟା ଡୋସେଜ୍ ଚଢିଲା ପରେ ମୋର ଆଇରନ୍ କଣ୍ଟେଣ୍ଟ୍ ୪୦୦ ହେଇଗଲା । ହିମୋଗ୍ଲୋବିନ ବଢିକି ୭.୫ ହେଲା । ଆଉ ମୁଁ ହସପିଟାଲରୁ ଘରକୁ 

ଆସିଲି ।  

     ବେଳେବେଳେ ମୁଁ ପୁରା ଏକୁଟିଆ । ଯେହେତୁ ପାପା ଦୂରରେ, ମୋ ଘର ଲୋକ କେହି ନଆସିଲେ ମୁଁ ଏକଦମ୍ ଏକା । ବହୁତ ଡର ଲାଗେ, ହେଲେ ସେହି ସମୟ ସବୁକୁ ମୁଁ ଠାକୁର ଘରେ ବସି ବିତେଇ ଦିଏ । ଅବଶ୍ୟ ମୋର ଖରାପ ସମୟ ସବୁରେ ଠାକୁର ମୋତେ ଲୋକମାନଙ୍କୁ ଚିହ୍ନେଇ ଦେଲେ । ଛଳନାର ମୁଖା ପିନ୍ଧା ଲୋକମାନଙ୍କୁ ମୋତେ ଚିହ୍ନେଇ ଭବିଷ୍ୟତକୁ ମୋତେ ସଚେତନ କରେଇଦେଲେ । ଆଉ ଏବେ ମୁଁ ତୋତେ କରଉଛି ।   

     ମୋତେ ଯେତେବେଳେ ଶୁଣିବାକୁ ପଡିଲା ତୁ ତ ସବୁ କଷ୍ଟ ସହି ଯାଉଛୁ ତେଣୁ ସହିଯା ହେଲେ ତୋ ପାପାଙ୍କୁ କିଛି ନ ଜଣେଇବା ପାଇଁ, କାରଣ ସେ ମୋ ଚିନ୍ତା କରି ଦେହ ଖରାପ କରିଦେଉଛନ୍ତି । ମୁଁ ଭାବିଲି ବାରେ ମତଲବି ଦୁନିଆ ବାହା ହେଲାପରେ ମୋ ସ୍ୱାମୀକୁ ମୋ କଷ୍ଟ ଜଣେଇବିନି କାଳେ ତାଙ୍କର ଦେହ ଖରାପ ହେଇଯିବ, ଆଉ ମୁଁ ଆଉ ମୋ ଘର ଲୋକ ତ ଠିକା ନେଇଛୁ ସବୁ କରିବାକୁ ।  

     ଏତେ ସବୁ ବାଧା ବିଘ୍ନ ସତ୍ତ୍ୱେ ମୋର ଅଂଶ ମାନେ ତୁ ଅଗଷ୍ଟ ମାସ ୧୭ ତାରିଖ, ତୁଳା ରାଶି, ସଂକ୍ରାନ୍ତି, ଶୁକ୍ରବାର ରାତି ୧.୩୩ରେ ଜନ୍ମ ନେଲୁ, ତା ବି ନର୍ମାଲ୍ ଡେଲିଭରିରେ । ରାତିରେ ବାରଟା ପରେ ଜନ୍ମ ହେଇଥିବାରୁ ଡାକ୍ତରମାନେ ତୋର ଜନ୍ମ ତାରିଖକୁ ୧୮.୮.୨୦୧୮ କରିଦେଲେ । ପାପାଙ୍କ ଖୁସି ଆଉ କହିଲେ ନସରେ । ତୋ ପାପା ତୋ ଡ୍ରେସ୍ କିଣିବାକୁ ଯିବେ ବୋଲି ମୋ ଖାଇବା ବି ଆଣିବା ଭୁଲିଗଲେ । ଆଈ ଖାଲି ଡାକ୍ତରମାନଙ୍କୁ ଦେଖୁଥାଏ । ହସପିଟାଲରେ କିଏ କାଳେ ତୋତେ ବଦଳାଇ ଦେବ । ଏସବୁ ଦେଖି ଡାକ୍ତର କହିଲେ ମାଉସୀ ତୁମର ନାତି ହେଇଛି । ଆଜି ଏହି ହସପିଟାଲରେ ଗୋଟିଏ ହିଁ ଛୁଆ ହେଇଛି । କେହି ଚାହିଁଲେ ବି ବଦଳେଇ ପାରିବେନି ।  

    ମୁଁ ମ୍ୟାଟରନିଟି ଲିଭରେ ଥାଏ । ମା' ହେବା ପରେ ଶରୀରରେ ଅନେକ ପରିବର୍ତ୍ତନ ଏବଂ ସେ ସବୁ କଷ୍ଟଦାୟକ ହେଲେ ମା' ହେବାର ଖୁସି ଅଲଗା ପ୍ରକାର । ମୁଁ ପୋଷ୍ଟପାର୍ଟମ୍ ଡିପ୍ରେସନକୁ ବହୁତ ମ୍ୟାନେଜ୍ କରିଲି । ମ୍ୟାଟରନିଟି ଲିଭ୍ ସରିଲା, ସେତେବେଳେ ମୁଁ ଯେହେତୁ ପ୍ରାଇଭେଟ ଚାକିରି କରୁଥାଏ ତେଣୁ ମୁଁ ତୋତେ ନେଇ ଅଫିସ୍ ପ୍ରାୟ ମାସେ ଯାଇଛି । ଆଈ ବି ଯାଏ ଆମ ସହ । ତୋତେ ସେ ରଖେ ପୁରା ସକାଳ ୭ ଟାରୁ ୩ଟା । ମଝିରେ ମଝିରେ ତୋତେ ଆସି ଦେଖି ଦେଇ ଫିଡିଂ କରେଇ ପୁଣି ଯାଏ । ଛୋଟ ଖଟଟିରେ ଆଈ ତୋତେ ସେମିତି ଧରି ବସିଥାଏ । ୭ଟା ବେଳ ଅଫିସ୍ ଯୋଗୁଁ ତୋତେ ସକାଳ ୬ଟା ସୁଦ୍ଧା ଗରମ ପାଣିରେ ପୋଛି, ଘର ପାଇଁ ଖାଇବା ତିଆରି କରି ଯିବାକୁ ପଡେ । ଜାନୁଆରୀ ମାସର ସେ ହାଡଭଙ୍ଗା ଶୀତରେ ୪ ମାସ ୧୫ ଦିନ ଛୁଆଟିକୁ ଧରି ଯେତେବେଳେ ମୁଁ ଆଉ ମୋ ମା' ଅଫିସ୍ ଯାଉ ସମସ୍ତେ ଆଶ୍ଚର୍ଯ୍ୟ ହୁଅନ୍ତି ।  

    ଫେବୃଆରୀ ମାସରୁ ଆଈ କହିଲା ତୁ ଏକା ଅଫିସ୍ ଯା । ସେ ଟିକିଏ କାନ୍ଦିବ ତୋତେ ଖୋଜିକି । ତା' ପରେ ତା'ର ଅଭ୍ୟାସରେ ପଡିଯିବ । ମୁଁ ପ୍ରଥମ ଦିନ ତୋତେ ଛାଡିକି ଅଫିସ୍ ଗଲି ତୁ ଏତେ କାନ୍ଦିଲୁ ଯେ ମୋ ଖାଇବା ସବୁ ପକେଇ ଦେଇ ମୁଁ ଅଟୋ ରିଜର୍ଭ କରି ଦଉଡିଲି । ହେଲେ ମାନିବାକୁ ପଡିବ ତୋତେ । ତା'ର ପରଠୁ ତୁ କେବେ କାନ୍ଦିନୁ । ଆଈ ପାଖେ ଆରାମରେରହିଲୁ । ହେଲେ ଅସୁବିଧା ସେତେବେଳେ ଉପୁଜିଲା ଯେତେବେଳେ ସୁନୁ ମାମାର ବାହାଘର ଏପ୍ରିଲରେ ହେବ ବୋଲି ସ୍ଥିର ହେଲା । ଆଈ ଆସିବ ସବୁ ବୁଝିବା ପାଇଁ । ମୁଁ ଭାବିଲି ଏଥର ଚାକିରି ଗଲା । ତୋ ମାମୁଁ ଘର ଲୋକଙ୍କୁ ଛାଡି ଦେଲେ ଆଉ ଅନ୍ୟମାନଙ୍କର ମନ୍ତବ୍ୟ ପ୍ରାଇଭେଟ ଚାକିରି ତ ଛାଡି ଦିଅ । ଛୁଆ ବଡ ହେଲେ କରିବ । ବହୁତ ଭାବିବା ପରେ ଯେଉଁ ଦିନ ଛାଡିବି ବୋଲି ଭାବିଲି ଖବର ଆସିଲା ଓଡିଶା ଷ୍ଟାଫ୍ ସିଲେକ୍ସନ କମିଶନରେ ହେଇଯାଇଛି । ସରକାରୀ ଚାକିରି ହେଇଗଲା ହେଲେ ତୁ କାହା ପାଖେ ରହିବୁ । ଯିଏ ଆଗରୁ କହୁଥିଲେ ସରକାରୀ ଚାକିରି ହେଇଥିଲେ ଆମେ କ'ଣ ରଖିନଥାନ୍ତୁ ସେମାନେ ଏବେ ସରକାରୀ ଚାକିରି ଦେଖି କହୁଥିଲେ କି ନିଜ ଛୁଆ ନିଜେ ମ୍ୟାନେଜ୍ କରିବ ନା, ଆମେ ବି ତ କରିଥିଲୁ । ସେ ଯାହା ହେଉ ଆଈ ମ୍ୟାନେଜ୍ କଲା ସବୁକିଛି ।  

      ତା'ର ପରେ ମୁଁ ଭାବିଲି ସୁନୁ ମାମାର ବାହାଘର ପରେ ଅଜା ଖାଇବା ପିଇବା ବୁଝିବ କିଏ? ତାଙ୍କର ଚାକିରି ବି ସରିନି । ତେଣୁ ମୁଁ ମା' ସଙ୍ଗେ ତୋତେ ନେଇ ଚାଲି ଆସିଲି ହୋଲି ଦିନରେ ତୋ ମାମୁଁ ଘର କୋଣାର୍କକୁ । ଏହି ଚିଠି ଲେଖିବା ତାରିଖର ଠିକ୍ ବର୍ଷକ ପୂର୍ବରୁ । କାରଣ ମୋ ପୋଷ୍ଟିଂ ଭୁବନେଶ୍ୱରରେ । କୋଣାର୍କରୁ ଭୁବନେଶ୍ୱରର ଦୂରତା ୬୫କି.ମି. । ପ୍ରତିଦିନ ମୁଁ ବସ୍ରେ ଯାଏ ଏବଂ ଆସେ ଅଫିସ୍ । ଆମ କୋଣାର୍କକୁ ବସ୍ର ଏତେ ସୁବିଧା ଆଜିକା ତାରିଖରେ ନାହିଁ । ପ୍ରାୟ ସମୟ ମୁଁ ବସ୍ର ଫାଟକ ପାଖରେ ଓହଳିକି ଆସେ । ବେଳେ ବେଳେ ବସ୍ ନ ମିଳିଲେ ୨,୩ ଟା ଅଟୋ ବଦଳେଇ ଯେତିକି ଦୂର ଆସେ । ତା'ର ପରେ ଅଜା ଆସନ୍ତି ମୋତେ ଆଣିବାକୁ । ସବୁଦିନ ଅଜା ବସ୍ ଷ୍ଟାଣ୍ଡରେ ଛାଡିବେ ଆଉ ଆସିବେ ନେବା ପାଇଁ । ଏତେ ସବୁ କଲା ପରେ ବି ଅଜା ଟିକିଏ ବି ରାଗନ୍ତିନି । ପଚାରିଲେ ମୋତେ କହିବେ ଏସବୁ କୁଆଡେ ତାଙ୍କର କର୍ତ୍ତବ୍ୟ । ବାହା ଦେଲା ପରେ କେଉଁଠି ବାପା ମାଆଙ୍କର ଝିଅ ପାଇଁ ବେଶୀ ରେସପନସିବିଲିଟି ବଢିଯାଏ । ତୋ ଅଜା ଙ୍କର ଚିନ୍ତା ଧାରା ସବୁଠାରୁ ନିଆରା । ବାଟସାରା ଖାଲି ତୋରି ବିଷୟରେ ଗପୁଥିବେ । କୁକୁ ଆଜି ହସିଲା । କୁକୁ ଆଜି ଆଣ୍ଠେଇବା ଆରମ୍ଭ କଲା ଇତ୍ୟାଦି ଇତ୍ୟାଦି । ଭାରି ଭଲ ଲାଗେ ଯେତେବେଳେ ନିଜ ଘରେ ନିଜ ସ୍ଥାନ ଟି ବିବାହ ପରେ ବି ପୁର୍ବ ଅବସ୍ଥାରେ ସେମିତି ସ୍ଥିର ଥାଏ ।  

   ଆଈ ରାତି ୪ ଟାରୁ ଉଠି ସବୁ କରେ । ମୋ ଖାଇବାଠୁ ଆରମ୍ଭ କରି ତୋ ପର୍ଯ୍ୟନ୍ତ । ତା ଧୈର୍ଯ୍ୟକୁ ମାନିବାକୁ ପଡିବ । ଦୀର୍ଘ ୧୪ ଘଣ୍ଟା ତୋତେ ସେ ରଖେ । ମୁଁ ଯେବେ କୁହେ ମା' ମୁଁ ମୋ ପୁଅକୁ ସମୟ ଦେଇପାରୁନି । ବଡ ହେଲା ପରେ ସେ ମୋତେ କ'ଣ ଭାବିବ । ମା' କୁହେ ନିଜ ଛୁଆକୁ ଭଲପାଇବାର ମାନେ ନୁହେଁ ତା ପାଖରେ ୨୪*୭ ରହିବା । ବେଳେବେଳେ ନିଜ ଛୁଆର ସୁରକ୍ଷିତ ଭବିଷ୍ୟତ ପାଇଁ ତା'ର ମା'କୁ ଦୂରରେ ରହିବାକୁ ପଡେ । ତୁ ଏତେ କଷ୍ଟ କରୁଛୁ । ପ୍ରତ୍ୟେକ ଦିନ ୧୩୦ କି. ମି. ଯାତ୍ରା ତା ବି ପ୍ରାୟ ସମୟ ଠିଆ ହୋଇ, ଏତେ ସହଜ ନୁହେଁ ।  

   ଏସବୁ ମୋର ବର୍ତ୍ତମାନର ପରିସ୍ଥିତି । ଧନରେ ତୋ ମା' ଯେହେତୁ କର୍ମଜୀବୀ ମା' ତେଣୁ ଆଗକୁ ତୁ ଭାବିବୁନି ମା' ତୋତେ ସମୟ ଦେଉନି । ତୁ ଏ ଚିଠି ପଢିବା ବେଳକୁ ବଡ ହେଇଯାଇଥିବୁ । ଏସବୁ ପଢ଼ି ମୋ ପାଇଁ ତୋର ସମ୍ମାନ ନ ବଢୁ ପଛକେ ହେଲେ ତୋ ପାଇଁ ମୋର ସମୟର ଅଭାବ ତୋ ମନରେ ମୋ ପାଇଁ କି ରାଗ କି ଘୃଣା ସୃଷ୍ଟି ନକରୁ । ମୁଁ ତୋତେ ମୋ ଜୀବନଠୁ ବି ଅଧିକ ଭଲପାଏ । ତୋତେ ଗୋଟିଏ ଭଲ ଜୀବନ ଦେବା ପାଇଁ ମୁଁ ସବୁବେଳେ ଚାହେଁ । ଏସବୁ ମୋର ବ୍ୟର୍ଥ ନଯାଉ ଯେମିତି । ମୋର ତ୍ୟାଗକୁ ତୋର ମନେରଖିବାର ଆବଶ୍ୟକ ତା ନାହିଁ ବୋଲି ତୁ ଭାବିପାରୁ, ହେଲେ ମୁଁ ଭାବୁଛି ମୋର ଏତେସବୁ ଦୁଖ ଯେଉଁମାନେ ଦେଖିଛନ୍ତି ତାଙ୍କୁ ତୁ ଯାଇ ପଚାରିବୁ ସେ କହିବେ ଯେ ତାକୁ ତୁ ମନେରଖି ଚାଲିଲେ ଭବିଷ୍ୟତରେ ଭଲ ମଣିଷ ଟିଏ ହେବୁ । ତୁ ଅର୍ଥର ଅଭାବ ଭବିଷ୍ୟତରେ ଅନୁଭବ ନକରିପାରୁ ହେଲେ ମୁଁ ଆଶା କରୁଛି କି ତୋ ଜନ୍ମ ଠାରୁ ଆଜି ପର୍ଯ୍ୟନ୍ତ ମୋର ସମସ୍ତ ଦୁଖକୁ ଅନୁଭବ କରି ଗୋଟିଏ ସଂସ୍କାରୀ ଏବଂ ଆଦର୍ଶ ପୁତ୍ର ଭାବେ ନିଜକୁ ପ୍ରମାଣ କରିବୁ । ତୋ ପାଇଁ ଏତେ ସବୁ କରିଥିବା କର୍ତ୍ତବ୍ୟ ଆଉ ଭଲପାଇବାକୁ ଯେମିତି ଭୁଲିନଯାଉ । ମୁଁ ତୋର ଜନ୍ମ କଲା ମା' ଆଉ ଆଈ ତୋର ପାଳିତା ମା', ଏସବୁକୁ ଯେମିତି ନଭୁଲୁ । ଅଜା, ମାମୁଁ ଆଉ ସୁନୁ ମାମା ପ୍ରତି ତୋର ଅନେକ କର୍ତ୍ତବ୍ୟ ଅଛି । ତାଙ୍କର କର୍ତ୍ତବ୍ୟ ସବୁକୁ ସେ ସୁଚାରୁ ରୂପେ ପାଳନ କରିସାରିଛନ୍ତି ।  

   ଅନେକ ବାପା, ମା' ନିଜର ଦୁଃଖ କଷ୍ଟକୁ ଜଣାନ୍ତି ନାହିଁ । ଯଦି ନଜଣେଇବ ସେମାନେ ସେ ସବୁର ମୂଲ୍ୟ ବୁଝିପାରିବେନି ।  

ମୁଁ ଜଣେ ଅଲଗା ସ୍ୱଭାବର ମା' । ମୁଁ ଚାହୁଁଛି ମୋ ପୁଅ ସବୁ ଜାଣିବାର ଆବଶ୍ୟକତା ରହିଛି । ଭଲ ମନ୍ଦର ଫରକ ନ ଜାଣିଲେ ବଞ୍ଚିବ କେମିତି? ଏଠି ରଙ୍ଗ ବୋଳା ସଂପର୍କକୁ ପରଖି ନପାରିଲେ ଏସବୁରୁ ମୁକ୍ତ ହେବ କେମିତି? ଆଶା କରେ ଧନ ତୁ ସବୁକୁ ବୁଝି ଜଣେ ଆଦର୍ଶ ମଣିଷଟିଏ ହୋଇ ଜୀବନ ପଥରେ ଆଗେଇଯିବୁ । ଏଠି ଅନେକ ସମୟରେ ଶକ୍ତ ହେବାକୁ ପଡିପାରେ, ତେଣୁ ସେ ସବୁକୁ ଗ୍ରହଣ କରିବୁ । ସବୁ ବାପା, ମା'ଙ୍କ ପରି ଆମେ ବି କର୍ତ୍ତବ୍ୟ କରିଛୁ ଏହା ଭାବି ସବୁକୁ ଅଣଦେଖା କରିବୁନି । ଏହା ମୋର ଆଶା ଏବଂ ବିଶ୍ୱାସ ।  

                  ଇତି ତୋର

                     ମା' ସ୍ନେହା । 

    



Rate this content
Log in

More oriya story from Jenaarundhati 1991

Similar oriya story from Inspirational