ଧୂପ
ଧୂପ
ଏଇ ରଜ ବେଳକୁ ନବେ ବର୍ଷ ପୁରିବ ଶ୍ୟାମ ମାଷ୍ଟ୍ରେଙ୍କୁ |ତଥାପି ନିଜେ ଆଶା ବାଡ଼ିଖଣ୍ଡକ ଧରି ଚାଲବୁଲ କରିପାରୁଛନ୍ତି |ବହୁତ ଧର୍ମ ପରାୟଣ ଲୋକ |ଭଗବାନଙ୍କ ଉପରେ ଗଭୀର ବିଶ୍ୱାସ ମନ ଭିତରେ |ଏବେ ବି ସକାଳ ସଞ୍ଜରେ ଘଣ୍ଟେ ଲେଖାଏଁ ଠାକୁର ଘରେ ବସନ୍ତି ଧ୍ୟାନରେ |ତାଙ୍କ ଘରେ ପୁଅ ବୋହୂମାନେ କିନ୍ତୁ ତାଙ୍କର ଏଇ କାମକୁ ପସନ୍ଦ କରନ୍ତିନି |ଶ୍ୟାମ ମାଷ୍ଟ୍ରେ ସବୁ ଜାଣନ୍ତି, କିନ୍ତୁ କାହାକୁ କିଛି କହନ୍ତି ନାହିଁ |ବୋହୂମାନେ ତ ସନ୍ଧ୍ୟାରେ ଚଉଁରା ମୂଳେ ଦୈନିକ ସଞ୍ଜ ବତୀଟିଏ ବି ଜାଳୁ ନାହାଁନ୍ତି |ଠାକୁରଙ୍କୁ ପୂଜା କରିବା ଦୂରର କଥା, ଦିନବାର ବି ମାନୁ ନାହାଁନ୍ତି, ସବୁ ବାରରେ ଆଇଁଷ ମିଳିଲେ ଖାଇଦେବେ, କିଛି ବାରଣ ନାହିଁ |ଖାଲିଯାହା ଓଷାବାର ପଡିଲେ ସାଜସଜ୍ଜା ହୋଇ ଠାକୁର ଭକ୍ତିରେ ଗଦଗଦ ହୋଇ ଯାଆନ୍ତି |ଏସବୁ ଦେଖି ମନେ ମନେ ହସନ୍ତି ଶ୍ୟାମମାଷ୍ଟ୍ରେ |
ନିଛାଟିଆ ଖରାବେଳଟାରେ ଘରପାଖ ଆମ୍ବଗଛ ଛାଇରେ ବସିଥିଲେ ହରିମାଷ୍ଟ୍ରେ |ଖାଇସାରି ଶୋଇବାକୁ ଟିକେ ଚେଷ୍ଟା କରିଥିଲେ, କିନ୍ତୁ ଆଗଭଳି ଆଉ ନିଦ ହେଉନି ତାଙ୍କୁ |ଘର ଭିତରେ ଆଉ ଗରମରେ ରହିପାରିଲେନି, ପଳାଇ ଆସିଲେ ବାହାରକୁ, ଏଇ ଆମ୍ବଗଛ ଛାଇକୁ |ହାତରେ ମାଳାର ମୁଣି, ମୁଣି ଭିତରେ ହାତର ଆଙ୍ଗୁଠିରେ ମାଳା ଗଡି ଚାଲିଛି, ଠାକୁରଙ୍କ ନାମ ବି ଚାଲିଛି ମନ ଭିତରେ |ତାରି ଭିତରେ ଭାବୁଥିଲେ ଶ୍ୟାମମାଷ୍ଟ୍ରେ, ଏଇ ଜୀବନ ଭିତରେ ସବୁସିଏ ଦେଖି ସାରିଲେଣି, କୁଆଡେ ଗଲା ସେଇ ଦିନ ସବୁ |ପୁରାଣଶାସ୍ତ୍ରରେ ଲେଖା ଅଛି,ଆଗକାଳରେ ମୁନୀଋଷିମାନେ ବଣ ଜଙ୍ଗଲରେ ରହି ଠାକୁରଙ୍କୁ ତପସ୍ୟା କରୁଥିଲେ |ସଂସାରର ମଙ୍ଗଳ କାମନା କରି ଯଜ୍ଞ କରୁଥିଲେ, ଯାହା ଫଳରେ ବାୟୁମଣ୍ଡଳ ଶୁଦ୍ଧ ହେଵା ସହିତ ବର୍ଷା ମଧ୍ୟ ହେଉଥିଲା |ଲୋକମାନେ ଭଲ ଫସଲ ଉତ୍ପାଦନ କରିପାରୁଥିଲେ, ଅରଣ୍ୟ ମଧ୍ୟ ବୃଦ୍ଧିପ୍ରାପ୍ତ ହେଉଥିଲା |ସମୟକ୍ରମେ ଧିରେ ଧିରେ ଯଜ୍ଞାଦି କାର୍ଯ୍ୟ ବିଲୁପ୍ତ ହେବାରେ ଲାଗିଲା |ତା ପରେ ସମାଜରେ ଗୃହକର୍ତ୍ତାମାନେ ଘରେ ଘରେ ହୋମ କରୁଥିଲେ ପରିବାରର ମଙ୍ଗଳ କାମନା କରି, ସେ ବି ଆଉ ଆଜିକାଲି ନାହିଁ |ମନେ ଅଛି ତାଙ୍କର, ତାଙ୍କ ମାଆ ସନ୍ଧ୍ୟାରେ ଦୈନିକ ତୁଳସୀ ମୂଳରେ ସଞ୍ଜବତୀ ଦିଏ, ସେଥିପାଇଁ ସନ୍ଧ୍ୟା ପୂର୍ବରୁ ସେ ପ୍ରସ୍ତୁତିରେ ଲାଗିଯାଏ |ବାପାଙ୍କର ଚିରିଯାଇଥିବା ଧଳା ଧୋତିକୁ ମାଆ ସଫା କରି ରଖିଥାଏ, ସେଇଥିରୁ ଖଣ୍ଡେ ଚିରି ବଳିତା ଟିଏ ପ୍ରସ୍ତୁତ କରେ, ପୁଣି ସେଇ ବଳିତାକୁ ଗୁଆଘିଅରେ ବୁଡାଇ ଦୀପରେ ସଜାଇ ନେଇ ତୁଳସୀ ମୂଳରେ ଅଗ୍ନି ସଂଯୋଗ କରି ଆଳତୀ କରେ |ପରିବାର ର ମଙ୍ଗଳ ମନାସେ |କେବଳ ତାଙ୍କ ଘରେ ନୁହେଁ, ସମସ୍ତଙ୍କ ଘରେ ସନ୍ଧ୍ୟାରେ ସଞ୍ଜବତୀ ଜଳେ |ବହୁତ ଭଲ ଲାଗୁଥିଲା ଏସବୁ ଦେଖି ସେତେବେଳେ |ଆଜିକାଲି ସେସବୁ ରୀତିନୀତି ଆଉ ନାହିଁ |କାହାଘରେ କେମିତି ବଜାରରେ ମିଳୁଥିବା ଧୂପ କିଣିଆଣି ଚଉଁରା ମୂଳେ ଗୋଟେ ନିଆଁ ଲଗାଇ ପୋତି ଦେଉଛନ୍ତି, ହେଲେ ଘିଅ ବତୀରେ ଯେଉଁ ଲାଭ, ଧୂପକାଠିଟିଏ କେଉଁଠୁ ଦେବ |ଠାକୁର ଘରେ ବି ସକାଳେ କଣ ସଞ୍ଜରେ କଣ, ସେଇ ଧୂପକାଠିଟିଏ |ପୁଣି ଯଦି ମନେ ପଡିଲା ଧୂପ ଲାଗିବ, ନହେଲେ ନାହିଁ |ଗାଁ ମନ୍ଦିରରେ ବି ସେଇ ଏକlକଥା |ପୂଜା ପାର୍ବଣରେ ଖୋଜାହେଉଛି ବାସ ଧୂପ, ଯେଉଁଟା କି ବିଷାକ୍ତ ଦ୍ରବଣରେ ତିଆରି |ରଜନୀଗନ୍ଧା, ମଲ୍ଲୀ, ଚମ୍ପା ଆଦି କେତେ ସୁଗନ୍ଧିର ଧୂପ ମିଳୁଛି ବଜାରରେ |ହେଲେ ଘିଅବତୀ ଭଳି ତାହା କେବେ ବି ବାୟୁକୁ ଶୁଦ୍ଧ କରିପାରିବ ନାହିଁ |ମନ ଭିତରେ ଭାବlନ୍ତର ସୃଷ୍ଟି ହେଉଥିଲା ଶ୍ୟାମମାଷ୍ଟ୍ରଙ୍କର |ଭାବୁଥିଲେ ସେ ଦିନ କଣ ଆଉ ଫେରିବ !ମନ ଭିତରେ ଏକ ଶୂନ୍ୟତା ଅନୁଭବ କରୁଥିଲେ ସିଏ |
ମୁଣ୍ଡ ଉପରୁ ବହୁତ ତଳକୁ ଖସିଯାଇଥିଲେ ସୂର୍ଯ୍ୟ ସେତେବେଳକୁ |ବାଡ଼ିଖଣ୍ଡକ ସାହାରାରେ ଉଠି ଛିଡାହେଲେ ଶ୍ୟାମ ମାଷ୍ଟ୍ରେ |ଶୋଷ ଲାଗିଲାଣି, ଘରମୁହାଁ ହେଲେ ସିଏ |
