STORYMIRROR

sumita behera

Classics

2  

sumita behera

Classics

ଧର୍ମ ପୋଖରୀ

ଧର୍ମ ପୋଖରୀ

2 mins
263

    ପ୍ରତିଦିନ ବଡବାବୁ ଧର୍ମ ପୋଖରୀରେ ବୁଡ଼ ପକାନ୍ତି। ଦାନ ଧର୍ମ କରି କାହିଁ କେତେ ପୂଣ୍ୟ କମାନ୍ତି। ପ୍ରାୟତଃ ଘରେ କିଛି ନା କିଛି ହୋମ ଯଜ୍ଞ ଚାଲିଥାଏ। ଗରିବଗୁରୁବାଙ୍କ ମନ ଜାଣି ଖାଦ୍ୟ ବସ୍ତ୍ର ଦାନ କରନ୍ତି। ପ୍ରତିଦିନ ମନ୍ଦିର ନିଶ୍ଚୟ ଯାଆନ୍ତି। ଲୋକେ କୁହନ୍ତି, ଏମିତି ପୂଣ୍ୟାତ୍ମା କେଜାଣି ତାଙ୍କ ପରେ ଆଉ ଜନ୍ମ ନେବେ କି ନାଇଁ ଏ ପୃଥିବୀରେ


   ବିଧବା ଆଶ୍ରମର ସେ ଭଗବାନ। ବିଚାରୀମାନଙ୍କୁ ବହୁତ ଦିଅନ୍ତି। ଖାଦ୍ୟ, ପୋଷାକଠୁ ଆରମ୍ଭ କରି ବହୁତ କିଛି। ସବୁ ସୁବିଧା ଅସୁବିଧା ବୁଝନ୍ତି ତା' ବଦଳରେ ଯଦି ତାଙ୍କଠୁ ଦେହସୁଖ ପାଆନ୍ତି ତେବେ ତାକୁ ସେ ଖରାପ କାହିଁକି ମନେ କରିବେ ? ଯଦି ଏହାକୁ କେହି ପାପ ବୋଲି କେହି କୁହେ, ତେବେ ତାକୁ କାଟିବା ପାଇଁ ଦାନ ଦେଇ ପୂଣ୍ୟ ତ ପାଉଛନ୍ତି ସେଥିପାଇଁ ବୋଧେ ସେ ନିତି ଧର୍ମ ପୋଖରୀରେ ବୁଡ଼ ପକାନ୍ତି


   ଶ୍ୱଶୁରଙ୍କର ଏତେ ବଡ଼ ଘରବାଡି, ସେଇଟା ପୁଣି ରାଜଧାନୀର ଦାମୀ ସ୍ଥାନରେ। ସେଥିପାଇଁ ଶ୍ୱଶୁରଙ୍କ ପରେ ଶାଶୁଙ୍କୁ ଫୁସୁଲେଇ ଶଳା ଘରୁ ଏକ ପ୍ରକାରର ଅପହରଣ କରି ନେଇ ଆସିବା ତାଙ୍କ ପାଇଁ କିଛି ବି ଭୁଲ ନୁହେଁ। ହଁ, ଶାଶୁଙ୍କର ଟଙ୍କାସବୁ ଉଠେଇ ନେଇ ନିଜ ନାମରେ କରେଇ ନେବାକୁ ପାପ ବୋଲି ଯଦି କୁହାଯାଏ, ସେଇ ପାପର କ୍ଷୟ ପାଇଁ ତ ସେ ନିତି ଧର୍ମ ପୋଖରୀରେ ବୁଡ଼ ପକାନ୍ତି


   ବଡବାବୁ ସିଏ ଅଫିସର। ସବୁ ନିୟମ କାନୁନ ତାଙ୍କୁ ଜଣା। ଟିକେ ଏପଟ ସେପଟ କରି କୋଟି କୋଟି ଟଙ୍କାର ସମ୍ପତ୍ତି ତାଙ୍କ ନିଜ ନାମରେ କରେଇ ପାରିଲେ, ତାକୁ ଯଦି ପାପ କୁହାଯାଏ , ତେବେ ସେହି ପାପର କ୍ଷରଣ ପାଇଁ ତ ନିତି ଧର୍ମ ପୋଖରୀରେ ବୁଡ଼ ପକାନ୍ତି


  ବଡ଼ବାବୁଙ୍କର ଘନିଷ୍ଠ ବନ୍ଧୁ ଏତେ ବଡ଼ ହସ୍ପିଟାଲର ମାଲିକ। ତାଙ୍କୁ ସାହାଯ୍ୟ କରିବା ପାଇଁ କାହାର କେମିତି ଅପେଣ୍ଡିକ୍ସ ବଦଳରେ କିଡନୀ କାଟିକି ନେବାରେ ସାହାଯ୍ୟ କରନ୍ତି। ଯଦି ତାକୁ ପାପ ବୋଲି କୁହାଯାଏ ତେବେ ଏମିତି ପାପକୁ ନଷ୍ଟ କରିବା ପାଇଁ ପରା ସେ ନିତି ଧର୍ମ ପୋଖରୀରେ ବୁଡ଼ ପକାନ୍ତି


   ସତରେ ମାନିବାକୁ ପଡିବ ବଡ଼ବାବୁଙ୍କ ବୁଦ୍ଧିକୁ। ଆଜି ଯାଏଁ କୋଉଠି ବି ଧରା ପଡି ନାହାନ୍ତି। ନା vigilance ଜାଲରେ ନା ନିଜ ବିବେକ ପାଖରେ। ବୋଧହୁଏ ଧର୍ମ ପୋଖରୀରେ ନିତି ବୁଡ଼ ପକାନ୍ତି ବୋଲି କି କ'ଣ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Classics