Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra
Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra

Arati Sahoo

Classics Inspirational Thriller


3  

Arati Sahoo

Classics Inspirational Thriller


ପରଶମଣୀ

ପରଶମଣୀ

6 mins 277 6 mins 277

ତସ୍ମୈ ଶ୍ରୀ ଗୁରବେ ନମଃ ...


  ମାଧବ ସାର୍ ପାଟିରୁ ହୁଫ୍ ହୁଫ୍ ଆବାଜ କରି ଖୁରୁପିଟାରେ ବଗିଚାରେ ମାଟି ଖୋଳି ଖୋଳି ଚାଲିଛନ୍ତି । ତାଙ୍କର ପୋଷା ବତକ ଦଳ ନିଜର ଚିଆଁ ମାନଙ୍କୁ ଧରି ଅପୂର୍ବ ଠାଣିରେ ହଲି ହଲି କଡ଼ କଡ଼ ଶବ୍ଦ କରି ତାଙ୍କ ପଛେ ପଛେ ଖୋଳା ମାଟିରୁ ଜିଆ ଖାଇ ଖାଇ ଗୋଡେଇଛନ୍ତି ।


 ସାରଙ୍କର ଶ୍ଵାସ ବେମାରୀ ପିଲାଦିନୁ । ସେଥିପାଇଁ ତାଙ୍କର ମାଆ କୁଆଡ଼େ ଅଫିମ ଗୁଳା ଭିତରେ ଜୀବନ୍ତ ଓଡ଼ସ ପୂରେଇ ଖୋଇଦେଉଥିଲେ , ବାତ ପିତ୍ତ କଫ କୁପିତ ହେବନାହିଁ ଓ ସେ ଆରାମରେ ଶୋଇବେ ବୋଲି । ସାର୍ ନିଜେ ଏକଥା କହୁଥିଲେ ।


 ବାର୍ଦ୍ଧକ୍ୟ ଜନିତ ଚେମଡି଼ ଯାଇଥିବା କପାଳରୁ ବୋହୁଥିବା ଝାଳ ଗାଲ କିମ୍ବା କଲି ଆଡ଼େ ନ ବୋହି  ଆଖି ଭିତରକୁ ପଶେ , ଝୁଲି ଯାଇଥିବା ଭୃଲତା ଦେଇ । ଆଖି ପୋଡ଼ି ଉଠେ ଆଉ ଗାନ୍ଧୀ ମାର୍କା ଚଷମା ଜାଲଜାଲୁଆ ହେଇଯାଏ । ଚଷମା କାଢ଼ି ତାକୁ ନିଜର ଆଣ୍ଠୁ ଲୁଚୁ ନଥିବା ଧୋତୀରେ ପୋଛୁ ପୋଛୁ ଧଡ଼। ଆଡ଼କୁ ନଜର ଯାଏ । ଆଖି କୁଞ୍ଚେଇ ବେକ ଆଗେଇ ଦେଖିବାକୁ ଚେଷ୍ଟା କରନ୍ତି ସାର୍ । କିଏ ସେ ଆସିଛି ଏଡ଼େ ବଡ଼ ଗାଡ଼ିରେ । ପୁଅ ତ ବିଦେଶରେ , ବିଦେଶୀ ଲୋକଙ୍କ ସେବାରେ ନିୟୋଜିତ । ତାକୁ ଲାଗିଲା ଭାରତରେ ଅବସର ନାହିଁ ଉନ୍ନତି ପାଇଁ । ଯାହାର ଯାହା ଇଚ୍ଛା । ବର୍ଷକୁ ବର୍ଷ ତ ଆସୁଛି । ଖବର ଜବର ତ ନେଉଛି । ସୁବିଧା ଅସୁବିଧା ତ ବୁଝୁଛି । ଆଉ କଣ , ଅଭାବ ତ ନାହିଁ । କୁନି କୁନି ପିଲାମାନେ ଏବେବି ଆସୁଛନ୍ତି ତାଙ୍କ ଠାରୁ ଜ୍ଞାନ ନେବାପାଇଁ । 


 ଚଷମା ପିନ୍ଧି ଠିଆ ହେଲେ ସେ ଆଣ୍ଠୁ ଉପରେ ହାତ ଭରା ଦେଇ । କଙ୍କାଳ ରଟରଟେଇ ଯାଉଛି । ସିଧା ହେବାକୁ କିଛି ସମୟ ଦରକାର । 


 କିଏ ଇଏ ପଶି ଆସୁଛନ୍ତି ? ସୁଦର୍ଶନ ଭଦ୍ରବ୍ୟକ୍ତି ଜଣକ ଆସି ତାଙ୍କ ପାଦତଳେ ସାଷ୍ଟାଙ୍ଗ ପ୍ରଣିପାତ ମୁଦ୍ରାରେ ଶୋଇଗଲେ , ସେଇ ମାଟି ଉପରେ । 


- କିଏ ବାପା ତୁମେ ? 


-ଏ ଅଧମକୁ ଚିହ୍ନନ୍ତୁ ସାର୍ । ନ ଚିହ୍ନି ପାରିଲେ ବି କିଛି କଥା ନାହିଁ ।


- ଆରେ ବାପା , ନବେ ବର୍ଷ ବୟସରେ କଣ ଶରୀରର କୌଣସି ଅବୟବ ବୋଲ ମାନନ୍ତି ? ପାଚିଲା ପତର , ନଈ କହୁଛି ଆ ଆ , ଘର କହୁଛି ଯା ଯା । ସାର୍ କହୁଛୁ ମାନେ ମୋର କୌଣସି ପୁରାତନ ଛାତ୍ର ହେଇଥିବୁ ।


 - ସାର୍ ମୁଁ ଷେଣ୍ଢ , ଓରଫ ଅନନ୍ତ ଜ୍ଞାନେଶ୍ଵର ବେହେରା । ଓରଫ ରାଣ୍ଡିପୁଅ ଅନ୍ତା ।


 ବର୍ତ୍ତମାନ ଚିତ୍ରପଟ ସମ୍ପୂର୍ଣ୍ଣ ସଫା ହୋଇଗଲା । ନଖ ଦର୍ପଣରେ ଦେଖିଲା ପରି ମାଧବ ସାରଙ୍କୁ ଅତୀତର ଘଟଣାବଳୀ ଏକ ଏକ କରି ଦୃଶ୍ୟମାନ ହେବାକୁ ଲାଗିଲା । 


 ବିଧବା ମାଆର ନୟନ ପିତୁଳା ଅନନ୍ତ । ଚାରିପାଞ୍ଜିରୁ ବାହାର ସିଏ । ସାକ୍ଷାତ ବିଛୁଆତି । ଚାଲତା ଶଗଡ଼ରେ ହାତ ଦେବ । ସାଇକଲ ଚକା ଭିତରକୁ ଲଟୁ ଫୋପାଡ଼ି ତାଳି ମାରିବ ଚାଳକ ଚିତପଟାଙ୍ଗ ମାଇଲେ । ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେଉଥିବା ବ୍ରାହ୍ମଣ ଗୋସେଇଁଙ୍କ ଅଞ୍ଜୁଳି ମଧ୍ୟକୁ ଜିଅନ୍ତା ଚେଙ୍ଗ ଗଡି଼ଶା ପକେଇବ । ଧୁମ୍ ଖରାବେଳେ ଛୁଆଙ୍କୁ , ମାଇପି ମାନଙ୍କୁ ଭୂତ ହେଇ ଡରେଇବ । ଏମିତି ତାର ଦୁଷ୍ଟାମୀ ଓ ହଇରାଣିଆ ଗୁଣ ଦିନକୁ ଦିନ ବଢ଼ି ଚାଲିଥାଏ । ଗାଁ ଲୋକେ ତା ଦାଉରୁ ଅତିଷ୍ଠ ହୋଇ ପଡ଼ନ୍ତି ହେଲେ ବିଧବା ମାଆର ମୁହଁକୁ ଦେଖି ସହ୍ୟ କରନ୍ତି । ସେ ଷେଣ୍ଢ ନାଁରେ କୁକ୍ଷାତ ଥିଲା । ଦିନେ ତ ଅତି ହୋଇଗଲା ।


 ସନେଇ ପୁଅ ଚଗଲାକୁ ଅନ୍ତା କହିଲା ,


- ତୁ କିମ୍ଭିର ହ , ମୁଁ ମାଙ୍କଡ଼ ହେଇ ତୋ ପିଠିରେ ବସି ଜାମୁକୋଳି ଆଣିବି ପୋଖରୀ ଆରକୁଳର ମିଠା ଜାମୁକୋଳି ଗଛରୁ । ଦୁହେଁ ସାଙ୍ଗ ହେଇ ଖାଇବା । 


ଭୋଳା ଚଗଲା ଜାମୁକୋଳି ଲୋଭରେ ରାଜି ହେଇଗଲା । ଏ ଚଣ୍ଡ କଣ କଲା ନା , ମଝି ପୋଖରୀରେ ପହଞ୍ଚି ତାକୁ ଉବେଇ ଟୁବେଇ ଆକ୍ତା ମାକ୍ତା କରି ପକାଇଲା । ମରି ଯାଇଥାନ୍ତା ଟୋକାଟା , ଭଲେ ବାମନା ଶଗଡ଼ିଆ ଦେଖି ପକାଇଲା ।


 ସେଦିନ ପ୍ରଥମ ଥର ପାଇଁ ଗାଁ ଲୋକେ ତାକୁ ଉତ୍ତମ ମଧ୍ୟମ ଦେଇ ତା ମାଆ ପାଖରେ ନାଲିସ କଲେ । ତା ମାଆ ବି ତାକୁ ବହେ ଛେଚି , ତାକୁ ଧରି ଆସିଲା ମାଧବ ମାଷ୍ଟର କତିକି । 


- ଅବଧାନେ , ଏକୁ ସମ୍ଭାଳନ୍ତୁ । ମୋ ଦେଇ ହେଉ ନାହିଁ ଆଉ । ଏ ଟୋକାକୁ ମଣିଷ କରି ଦେଉନ୍ତୁ ପଣ୍ଡିତେ । ଆପଣଙ୍କ ପୁଅର କୋଟି ପରମାୟୁ ହେଉ , ସେ ଉନ୍ନତି କରୁ , ଆଗକୁ ବଢୁ ।


 ମାଧବ ସାର୍ । ଖୁବ୍ କଡ଼ା ଶିକ୍ଷକ । ଛାଟରେ ପିଟି ପାଠ ଆଦାୟ କରିବା କଳା ତାଙ୍କୁ ଖୁବ୍ ଆସେ । ଅମଣିଷ ଗଛରେ ମଣିଷ ଫଳେଇବାର ନଜିର ବି ଅଛି । ତୋଜୋଦିପ୍ତ ଆଖିରେ ଆଖି ମିଶିଗଲେ ଛୁଏ ମୁତି ପକାନ୍ତି । ପିଲାଟିକୁ ଭଲ କଲେ ମୁହଁରେ କେବେ ପ୍ରଶଂସା କରନ୍ତି ନାହିଁ । ଭଲ ପିଲା ମାନଙ୍କର ଘରକୁ ଖବର ଯାଏ ଯେ ପିଲାଟି ଭଲ କରୁଛି । ବୁଝିବା ଲୋକେ ବୁଝୁଥିଲେ । ଅବୁଝା ଯିଏ ତାକୁ ବୁଝେଇବ କିଏ ।


  ସେ କହୁଥିଲେ , ମଣିଷ କୋଳି ଭଳିଆ ହେବା ଉଚିତ ନୁହେଁ , ଉପର ନରମା ଚକ୍ ଚକ୍ , ଭିତର କଠୋର ଗୁଠୁଲି , ନା ରସ ନା ଶଷ । ବରଂ ନଡ଼ିଆ ହେବ , ଉପର କଦର୍ଯ୍ୟ , କୁରୂପ , କଠୋର ଭିତରଟା ସଫା , ରସ ଶଷରେ ପରିପୂର୍ଣ୍ଣ ।


 ହେଲେ , ସିଏ ଅନ୍ତା ଷେଣ୍ଢଟି । କାହାକୁ ଡରିଲା ବାଲା ନୁହେଁ । ମାଡ଼ ଖାଇ ଖାଇ ନୋଳା ଫାଟିଲେ କେତେ ନା ଆଣ୍ଠୁତଳେ ଗୋଡି଼ ପଶି ନହୁନୁହାଣ ହେଲେ କେତେ । କୁକୁର ଲାଙ୍ଗୁଡ଼ ପଛେ ଫୁଙ୍କନଳି ଭିତରେ ଅନ୍ତତଃ ସିଧା ରହିବ କିନ୍ତୁ ଅନ୍ତା ତା ଭିତରେ ବି ନିଜ କାରସ୍ତାନି ଦେଖେଇବ ।


 ମାଧବ ସାରଙ୍କର ଆତ୍ମବିଶ୍ବାସ କିନ୍ତୁ ଅସମ୍ଭବ ଭାବରେ ବେଶି । କେତେ କେତେ ଖେଚଡ଼ଙ୍କୁ ମଣିଷ କରି ଦେଇଛନ୍ତି , ଆଉ ଏ ମେଞ୍ଚଡ଼ ବଳେଇ ଯିବ ନା । ଏମିତି ବି ଲୋକେ କହନ୍ତି ଅବଧାନଙ୍କ ହାତଟା ପରଶମଣୀ । ପଥରକୁ ଛୁଇଁଲେ ସୁନା ।


 ଚାଲିଲା , ଷେଣ୍ଡକୁ ଗାଈ ଵନେଇବାର ଉପକ୍ରମ । ଅନ୍ତାକୁ ଅନନ୍ତ ଜ୍ଞାନେଶ୍ଵର ଵନେଇବାର ତପସ୍ୟା । ନିଇତ୍ ଦଣ୍ଡର ଅଭିନବ ଉପାୟ ଆବିଷ୍କାର ହେଲା , ମାନ ବଢ଼ିଲା , ଅବଧି ବଢ଼ିଲା । ଇଆଡେ ଅନ୍ତା ନିଇତ୍ ଅଭିନବ ଚଗଲାମି ଖେଚଡାମି ଉଦ୍ଭାବନ କଲା , ସେ ମଧ୍ୟ ତା ବଦମାସିର ମାନ ଓ ଅବଧି ବଢ଼ାଇ ଦେଲା । ଗୁରୁ ଶିଷ୍ୟ ଭିତରେ ସାପ ନେଉଳର , ବିଲେଇ ମୂଷାର ସାପ ସିଡ଼ି ଖେଳ ଚାଲିଲା । ଅନ୍ୟ ପିଲାଙ୍କର ଅବସ୍ଥା ପଛେ , ବିରି ମାଡ଼ ଦେଖି କୋଳଥ ଚୋପା ହେଉଥାଉ , ଅନ୍ତ ଯଥା ପୂର୍ବଂ ତଥା ପରଂ । 


 ଦିନେ ଅନ୍ତ ଭାବିଲା , ଦେଉଛି ବୁଢ଼ାକୁ ପାନେ । ତାର ସବୁ ପଣ୍ଡିତାମୀ ଛଡେଇ ଦେଉଛି । ବହୁତ ହେଇଗଲା । ଆଉ ନୁହେଁ । 


 ସାର୍ ଆସିବା ପୂର୍ବରୁ ସମସ୍ତଙ୍କ ଅଗୋଚରରେ ଚଉକି ତଳେ ଥୋଇଦେଲା ଲଙ୍କାବାଣ ମାଳେ । ସାର୍ ଚଉକିରେ , ପିଲାଏ ତଳେ । ସେଦିନ ସୁନା ପିଲାଟି ପରି ଅନନ୍ତ ସାରଙ୍କ ଟେବୁଲକୁ ଲାଗି ବସିଲା । ଯେମିତି କୋଉ ପିଲାର ନଜର ବାଣରେ ନପଡୁ ଏମିତି ବି ମୁଶ୍କିଲରେ ଆଠ ଦଶୁଟା ପିଲା । ଭୟରେ ଶେଥା ପଡ଼ି ସାବଧାନ ମୁଦ୍ରାରେ । ଦୃଷ୍ଟି ନାକସିଧା ସାରଙ୍କ ଆଖିରେ । ପ୍ରଥମେ ହସ୍ତାକ୍ଷର ଖାତା ଦେଖା । ଅନ୍ତା ବି ପ୍ରଥମ ଥର ପାଇଁ ଖୁବ୍ ପରିଶ୍ରମ କରି ଗୋଲ ଗୋଲ ହସ୍ତାକ୍ଷର ଲେଖିଛି । ସାରଙ୍କ ହାତକୁ ବଢ଼ାଇ ଦେଲା ଖାତା । ସାର୍ ନିଜର ସଫଳତାରେ ବିଭୋର । ଭୋଳ ହେଇ କହି ପକାଇଲେ , ପରିଶ୍ରମ ସଫଳ ହେଲା ରେ ମୋର । ତୋ ମାଆର ଦୁଃଖ ଗଲା , ତୋ ବାପର ଆତ୍ମା ......


ଠୋ ଠା , ଢୋ ଢା , ଫଟ ଫାଟ , ଚର୍ରର ଚର୍ରର ।


 ଛିନ୍ ଛତ୍ର ହେଇଗଲା ଶ୍ରେଣୀ ଗୃହ । ସାରଙ୍କର ଧୋତୀର ନିଆଁକୁ ଲିଭେଇବା ପାଇଁ ତରତର ହେଇ ପାଣି ଆଣିବାରେ ଲାଗିଗଲେ ସମସ୍ତେ । ସାର୍ କିନ୍ତୁ ହଲଚଲ ନ ହେଇ ମୂର୍ତ୍ତି ବତ୍ ବସିଥାନ୍ତି , ଯେମିତି କିଛି ହେଇ ନାହିଁ । ଅନ୍ତା ମଧ୍ୟ ସାରଙ୍କର ପ୍ରତିକ୍ରିୟାହୀନ ରୂପ ଦେଖି ଜଡ଼ବତ୍ ଠିଆ ହେଇ ରହିଲା । ନିଆଁ ତ ଲିଭିଲା , ଅଳ୍ପ ଲାଗିଥିଲା । କିନ୍ତୁ ସାରଙ୍କ ହୃଦୟରେ ଲାଗିଥିଲା ଆତ୍ମବିଶ୍ବାସ ଧୂଳିସାତ୍ ହେଇଯିବାର ଅଲିଭା ନିଆଁ , ଆଉ ଅନନ୍ତର ହୃଦୟରେ ପ୍ରଥମ ଥର ପାଇଁ ପଶ୍ଚାତାପର ନିଆଁ କୁହୁଳୁଥିଲା । 


 ଶ୍ରେଣୀରେ ଶ୍ମଶାନର ନିରବତା , ଗମ୍ଭୀର ବାତାବରଣ । ସାର୍ ଆସ୍ତେ କିନା ଡାକିଲେ ଅନନ୍ତକୁ ।


 ନିଜର ପ୍ରିୟ ପାର୍କର ଫାଉଣ୍ଟେନ ପେନଟି ତା ସାର୍ଟର ବୋତାମ ଘରାରେ ଖୋସି ଦେଇ କୋମଳ ସ୍ଵରରେ କହିଲେ ,


- ବାପ ଅନ୍ତା , ମୁଁ ହାରିଲି । ତୁ ଜିତିଲୁ । ମୁଁ ତୋତେ ଗୁରୁ ଭାବି ଗୁରୁ ଦକ୍ଷିଣା ଦେଉଛି । ମୋତେ ତୋଠାରୁ ଏହି ଶିକ୍ଷା ମିଳିଲା ଯେ ଆତ୍ମବିଶ୍ବାସ ବଳରେ ଜଣକୁ ମଣିଷ କରିବାର ଆସ୍ପର୍ଦ୍ଧା ଏକ ମସ୍ତବଡ଼ ଭୁଲ । ଶେଷକୁ ଏଇଆ ଯେ , ଘୁଷୁରୀ ପ୍ରକୃତି ଓ ମଣିଷ ପ୍ରକୃତି ହିଁ ଠିକ୍ । ତୁ କେବେ ଅନନ୍ତ ଜ୍ଞାନେଶ୍ଵର ହେଇ ପାରିବୁ ନାହିଁ । 


ଝରଝର ଲୁହ ବୋହି ଯାଇଥିଲା ଅନ୍ତାର । ସେହି ମୁହୂର୍ତ୍ତରେ ଅନ୍ତାର କାୟାକଳ୍ପ ହୋଇଗଲା । ସେହି ପଦେ କଥା ତାକୁ ଅନନ୍ତ ଜ୍ଞାନେଶ୍ଵର ବନେଇଦେଲା । ସାର୍ କିନ୍ତୁ କେବେ ତାକୁ ଷେଣ୍ଢ ବ୍ୟତୀତ ଆଉ କିଛି ବୋଲି ଡାକିଲେ ନାହିଁ । ସେ ଷଷ୍ଠ ଶ୍ରେଣୀ ପରେ କଟକ ପଳେଇଗଲା ତା ମାମୁଁ ଚାକିରୀ କଲାରୁ , ତା ମାଆ ସହିତ ।


 ଆଉ ଆଜି ସେ ଜିଲ୍ଲା କଲେକ୍ଟର । ଆଜି ଆସିଛି ସେ ତାର ଗୁରୁଦକ୍ଷିଣା ଫେରେଇବା ପାଇଁ । ଆଉ ଗୁରୁ ଦକ୍ଷିଣା ଦେବାପାଇଁ ବି । 


 ସାରଙ୍କର ଝାଳୁଆ ଗେଞ୍ଜିରେ ଖୋସିଦେଲା ସେହି ପାର୍କର କଲମ । 


- ଆଜି ତ ମୋତେ ଅନନ୍ତ ବୋଲି ଡାକନ୍ତୁ ସାର୍ । ଆଉ ଆଜ୍ଞା ଦିଅନ୍ତୁ ମୁଁ କିପରି ଭାବେ ଗୁରୁ ଦକ୍ଷିଣା ଦେଇ ପାରିବି ।


 ସାର୍ ଗଦଗଦ ହେଇ ଅନନ୍ତର ମୁଣ୍ଡକୁ ଚାପି ଧରିଲେ ଛାତି ଉପରେ । ଆଖିରୁ ଝରି ପଡ଼ିଲା ଆତ୍ମସନ୍ତୁଷ୍ଟିର ଲୁହ । 


- ତୁ ହିଁ ତ ମୋର ସର୍ବଶ୍ରେଷ୍ଠ ଗୁରୁଦକ୍ଷିଣା ଅନନ୍ତ ଜ୍ଞାନେଶ୍ଵର । ଆଜି ପୁଣି ମୋର ଆତ୍ମବିଶ୍ବାସ ଫେରି ଆସିଛି । 


ବତକଦଳ ଜିଆ ଖାଇବା ଭୁଲି ଲମ୍ବା ବେକକୁ ଆହୁରି ଲମ୍ବେଇ ଆତ୍ମସ୍ଥ ହୋଇ ଦେଖୁଥିଲେ ଗୁରୁଶିଷ୍ୟ ମିଳନର ଏ ଅଭିନବ ଦୃଶ୍ୟ ।


 ତେବେ , ପରଶମଣି ଅଛି କି ସତରେ ? ??



Rate this content
Log in

More oriya story from Arati Sahoo

Similar oriya story from Classics