Arabinda Rath

Inspirational Tragedy

2.5  

Arabinda Rath

Inspirational Tragedy

ଦେଶପ୍ରେମୀ

ଦେଶପ୍ରେମୀ

11 mins
14.7K


ଲେଖକ- ଅରବିନ୍ଦ ରଥ

ରେଳଗାଡିର ଡବା ଭିତରେ ଯାତ୍ରୀ ମାନଙ୍କ ମଧ୍ଯେ ନାହିଁ ନଥିବା ଉତ୍ସାହ। ସ୍କୁଲ, କଲେଜର ପିଲା ମାନେ ବିଭିନ୍ନ ବେଶ ପୋଷାକରେ ନିଜକୁ ସଜ୍ଜିତ କରି ଖୁସି ଗପରେ ବ୍ଯସ୍ତ । ଅନ୍ଯଯାତ୍ରୀ ମାନେ, ପିଲା ମାନଙ୍କର ମନରେ ଥିବା ଅପୂର୍ବ ଉଦ୍ଦୀପନାକୁ ଲକ୍ଷ କରି ବେଶ୍ ରୋମାଞ୍ଚିତ। ସମସ୍ତଙ୍କ ଗସ୍ତବ୍ଯ ସ୍ଥଳ ହେଲା ଦେଶର ରାଜଧାନୀ ଦିଲ୍ଲୀ । ଆସନ୍ତା କାଲି ସ୍ବାଧୀନତା ଦିବସ ପାଳିତ ହେବ । ପିଲାମାନେ ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନର ଦୃଶ୍ଯ ସ୍ବଚକ୍ଷୁରେ ଦେଖିବେ । ତାହା କଣ କମ୍ ବଡ କଥା !! ପିଲାମାନେ ଦେଶାତ୍ମବୋଧକ ସଙ୍ଗୀତ ମାନ ଗାନ କରିବା ସହ ଅନ୍ତାକ୍ଷରୀ ଖେଳିବାରେ ଲାଗିଛନ୍ତି। ଆଃ କି ମନୋହର ଦୃଶ୍ଯ । ପିଲାମାନଙ୍କୁ ଅପଲକ ନୟନରେ ଚାହିଁ ରହିଛନ୍ତି ଜଣେ ବୃଦ୍ଧ । ବୟସ ପାଖାପାଖି ଷାଠିଏ ହେବ। କୋଳରେ ନିଘୋଡ ନିଦରେ ଶୋଇ ରହିଛି ଏକ ଶିଶୁ ଓ ବୃଦ୍ଧଙ୍କ ପାଖକୁ ଲାଗି ବସିଛି ଜଣେ ନାରୀ, ବୟସ ପାଖାପାଖି ପଚିଶି ହେବ। ତା ଆଖିର ଶ୍ମଶାନର ନୀରବତା ଓ ମୁହଁରେ ହତାଶାଭାବର ମୋଟା ଚାଦର। ସେମାନଙ୍କର ସମ୍ମୁଖପାର୍ଶ୍ବ ସିଟ୍ ରେ ବସିଛନ୍ତି ଜଣେ ସୁସ୍ଥସବଳ ବ୍ଯକ୍ତି। ବେଶ୍ ଧନୀକ ଶ୍ରେଣୀର ଓ ସୌଖିନ୍ ମଧ୍ଯ। ଶୀତ ତାପନିୟନ୍ତ୍ରିତ ବଗିରେ ସିଟ ନ ମିଳିବାରୁ ଭାରତୀୟ ରେଳ ସେବା ଓ ସମସ୍ତ ଯାତ୍ରୀ ମାନଙ୍କ ଉଦ୍ଦେଶ୍ଯରେ ଅସମ୍ଭବ ବିରକ୍ତି ଓ କଟୁ କଥା ମାନ ବର୍ଷଣ କରିଚାଲିଛନ୍ତି ଅବିରତ ।

ସେ ବଗି ଭିତରେ ବିହଙ୍ଗାବଲୋକନ କଲେ, ଜଣା ପଡୁଛି ଯେ ସଭିଏଁ ନିଜ ନିଜ ଦୁନିଆଁରେ ନିମଜ୍ଜିତ । ସେ ସମୟରେ ଅନ୍ଯ ଜଣେ ବେଶ୍ ହୃଷ୍ଟପୃଷ୍ଟ ବ୍ଯକ୍ତିଙ୍କର ଆଗମନ ହେଲା । ବେକରେ ମୋଟା ସୁନାଚେନ୍, ହାତରେ ସୁନାର କଡୁ ଦେଖି ଲାଗୁଛି, ସେ ମଧ୍ଯ କିଛି କମ୍ ସଂଭ୍ରାନ୍ତ ନୁହନ୍ତି। ମୁହଁରେ କୃତ୍ରିମ ହସର ଝଲକ ଖେଳାଇ, ପୂର୍ବରୁ ବସିଥିବା ଧନୀବ୍ଯକ୍ତିଙ୍କ ପାଖରେ ଆସ୍ଥାନ ଜମାଇ ବସିଲେ। ସେ ମଧ୍ଯ ଅନୁରୁପ ଢଙ୍ଗରେ ଦେଶର ଅବସ୍ଥା, ଲୋକ ମାନଙ୍କର ଚଳଣୀ ଓ ସାମାଜିକ ବ୍ଯବସ୍ଥା ଉପରେ ଟିପ୍ପଣୀ ମାନ ଦେଇ ଚାଲିଲେ । ବେନି ଜନଙ୍କର ସମାନ ମାନସିକତା ହେତୁ ଗପସପଟା ବେଶ୍ ଜୋରରେ ଜମିଲା । ଉଭୟଙ୍କ କଥାରୁ ଜଣା ପଡିଲା ପ୍ରଥମେ ବସିଥିବା ବ୍ଯକ୍ତି ଜଣେ ନାମଜାଦା ଡାକ୍ତର । କୌଣସି ସଭାରେ ଯୋଗ ଦେବା ପାଇଁ ଦିଲ୍ଲୀ ଯାଉଛନ୍ତି । ଦ୍ବିତୀୟ ବ୍ଯକ୍ତି ହେଲେ ବିଖ୍ଯାତ ବ୍ଯବସାୟୀ ଓ ସେ ବ୍ଯବସାୟ ବିଷୟକ କାର୍ଯ୍ଯ ନେଇ ରାଜଧାନୀ ଯାଉଛନ୍ତି ।

– ବୁଝିଲେ ଆଜ୍ଞା, ଏ ଦେଶର ଅବସ୍ଥା ଯାହା ହେଲାଣି , ନିଶ୍ବାସ ନେବା କଷ୍ଟ ହୋଇଗଲାଣି। ଦେଖୁ ନାହାଁନ୍ତି, ଲୋକ ସବୁ କେମିତି ପୋକମାଛି ପରି ହେଉଛନ୍ତି। ମୁଁ ସଦାବେଳେ ଫ୍ଲାଇଟ୍ ରେ ଯାଏ ; ଭାଗ୍ଯ ଖରାପ ବୋଲି, ନା ଫ୍ଲାଇଟ୍ ମିଳିଲା ନା ମିଳିଲା ପ୍ରଥମ ଏସି ରେ ସିଟ୍। କି ସ୍ବାଧୀନତା ଦିବସ ପାଳନ କରୁଛନ୍ତି ଯେ ଲୋକମାନେ ହାଉଯାଉ ହୋଇ ରାଜଧାନୀକୁ ଧାଉଁଛନ୍ତି । ଏ ନିଲ୍ଲଠା ପିଲା ମାନଙ୍କୁ ଦେଖିଲେ ମୋ ରକ୍ତ ଗରମ ହୋଇ ଯାଉଛି । ଏମିତି ଦେଶପ୍ରେମର ନିଶା ଏମାନଙ୍କୁ ଘାରି ପକେଇଛି ଯେ ପାଟି ତୁଣ୍ଡ କରି ଟ୍ରେନକୁ ଉଠଉଛନ୍ତି ପକଉଛନ୍ତି । ସତେ କି ଏମାନଙ୍କ ବାପର ସମ୍ପତ୍ତି। ସ୍ବାଧୀନତା ନା ଲେମ୍ବୁଲୁଣ, ଦେଶଟାକୁ ସବୁ ମିଳିମିଶି କି ଶୋଷି ପକଉଛନ୍ତି । ନେତା ଖାଇଗଲେ ଅଧା, ବାକି ଅଧା ଚୋର ଖଣ୍ଟ ଖାଇଗଲେ । ପୁଣି ଦେଶର ସୀମାରେ ଶତୃ ପଶି କେତେ ବେଳେ ନରସଂହାର କଲାଣି, ତ କେତେ ବେଳେ ଆତଙ୍କବାଦୀ ମାନେ ଲୋକ ମାନଙ୍କୁ ବୋମା ପକେଇ ଉଡେଇ ଦେଲେଣି । ମୋ ମତରେ ସେମାନେ ଲୋକଙ୍କୁ ମାରିବାଟା ଅନ୍ଯାୟ ନୁହଁ । ଆପଣ ନିଜେ ଦେଖୁନାହାଁନ୍ତି, ଏ ବଗିରେ ଯେତିକି ଲୋକ ଅଛନ୍ତି, ସେଥିରୁ କିଛି ଲୋକଙ୍କୁ ବାଦ୍ ଦେଇ ବାକିି ଲୋକଙ୍କୁ ମାରିି ଦେଲେ ଦେଶର କଣ କ୍ଷତି ହୋଇଯିବ । ଆରେ ଆମେ ସିନା ଲୋକଙ୍କ ଜୀବନ ବଞ୍ଚେଇ ସେବା କରୁଛୁ, ସେମାନେ କରୁଛନ୍ତି କଣ ଅନ୍ନଧ୍ବଂସ କରିବା ଛଡା । ମୋ ପିଲା ମାନଙ୍କୁ ବିଦେଶରେ ପଢାଉଛି,ସେମାନେ ସେ ଦେଶର ନାଗରିକତ୍ବ ବି ଗ୍ରହଣ କରିସାରିଲେଣି । ଆଉ କିଛି ବର୍ଷ ପରେ ମୁଁ ବି ବିଦେଶରେ ରହିବାର ଯୋଜନା କରିଛି । କିଏ ବଞ୍ଚିବ ଏ ଦେଶରେ ? ଏମାନେ ପୁଣି କହୁଛନ୍ତି, ଆମେ ସ୍ବାଧୀନ ହେଲୁ । ରଖ ହୋ ତୁମ ସ୍ବାଧୀନତା ତୁମ ପାଖରେ, ଆମର ଲୋଡା ନାହିଁ । ମୁହଁ କଠୋର କରି କହିଲେ ଡାକ୍ତରବାବୁ।

– - ଆଜ୍ଞା, ଯାହା କହିଲେ ଶତକଡା ଶହେ ସତ । ପୂର୍ବ ଜନ୍ମରେ କଣ ପାପ କରିଥିଲି ବୋଲି ଏ ଦେଶରେ ଜନ୍ମ ନେଇଛି, ନୋହିଲେ ଅନ୍ଯ କେଉଁ ଦେଶରେ ଥିଲେ ଏତେ ବେଳକୁ କେତେ ଉନ୍ନତି କରିସାରନ୍ତିଣି । ଯୁଆଡେ ଦେଖିବ କେବଳ ସମସ୍ଯା ଛଡା ଆଉ କିଛି ଦିଶୁନି। ନେତା ମାନେ ତ ଦେଶକୁ ଖୋଳ କରିବାରେ ଲାଗିଛନ୍ତି, ଆମ ଲୋକ ମାନେ କି କୌଣସି ଗୁଣରେ କମ୍ ନାହାଁନ୍ତି । ମୁଁ ବେପାର କରୁଛି, ତେଣୁ ଲୋକଙ୍କ ପ୍ରକୃତି ସହ ବେଶି ଭଲ ଭାବରେ ଅଭ୍ଯସ୍ତ । ମାଗଣା ଦେଲେ ଲୋକେ ପିଚୁ ପିଇ ଯିବେ, କିନ୍ତୁ କାମ ଟିକେ କର କହିଲେ ତାଙ୍କର ହଜାର ବାହାନା ବାହାରିବ । କାମଧାମ ନ କରି ଯଦି ଚୋରି, ତସ୍କରି କରି ବଞ୍ଚି ହେଉଛି କାମ କରିବେ ବା କାହିଁକି । ସକାଳୁ ଖବର କାଗଜରେ ଆଖି ବୁଲେଇ ଆଣିଲେ ଦେଖିବେ ଆମ ଦେଶର ଅବସ୍ଥା କଣ ହେଲାଣି । ନରହତ୍ଯା, ରାହାଜାନୀ, ବ୍ଯାଙ୍କ ଡକାୟତି, ଗୋଷ୍ଠୀ ସଂଘର୍ଷ, ରାଜନୈତିକ ଶତୃତାକୁ ନେଇ ହତ୍ଯାକାଣ୍ଡ, ନାନା ବ୍ଯଭିଚାର କଥା ନିତିଦିନିଆ ହୋଇଗଲାଣି । ମାନବିକତା ବୋଲି ଜିନିଷ ଏବେ ଆମ ଦେଶରେ ଲୋପ ପାଇ ସାରିଲାଣି । ଲୋକ ମାନଙ୍କୁ ସୁରକ୍ଷା ଯୋଗାଉଥିବା ଆଇନ୍ ଆଜି ଅପରାଧୀଙ୍କର ପାଦ ତଳେ ମାଡିମକଚି ହୋଇ ପଡିଛି । ପୋଲିସ୍ ମାନେ ତ ଯାହା ସୁରକ୍ଷା ଦେଉଛନ୍ତି ନ କହିବା ଭଲ, ଆମ ବୀର ଜବାନ ମାନଙ୍କ ଅବସ୍ଥା ବି ତଦ୍ରୁପ। ବଜେଟ୍ ରେ ଚାରି ଭାଗରୁ ଏକ ଭାଗ ଦେଶର ସୁରକ୍ଷା ପାଇଁ ଖର୍ଚ୍ଚ ହେଉଛି। କିନ୍ତୁ ଫଳ ମିଳୁଛି କଣ କହିଲେ ଭଲା!! ଯେତେବେଳେ ଦେଖିବେ, ପଡୋଶୀ ରାଷ୍ଟ୍ରରୁ ଅନୁପ୍ରବେଶ ଚାଲିଛି। ଟେଲିଭିଜନ ପରଦାରେ ନିତିଦିନ ଦେଖିବେ ସେଇ ଗୋଟିଏ ଖବର, ପଡୋଶୀ ରାଷ୍ଟ୍ରର ଗୁଳିଗୋଳା ମାଡରେ ଲୋକ ମୃତାହତ ହେଲେ। ମୁଁ ବେଳେବେଳେ ଭାବେ, ଆମ ଜବାନ ମାନେ ସୀମାରେ କରୁଛନ୍ତି କଣ? ଖାଲି ମୁହଁ ଫୁଟାଣି ଯେ ଆମେ ଜବାନ ମାନେ ଦେଶକୁ ମୁଣ୍ଡେଇ ରଖିଛୁ। କିହୋ, ତୁମେ ଯଦି ଏତେ ପାରିବାର , ଲୋକ ମରୁଛନ୍ତି କଣ ପାଇଁ? ମୁଁ ତ ଭାବୁଛି ସାଧାରଣତନ୍ତ୍ର ଦିବସର ପ୍ଯାରେଡ୍ ରେ ଖେଳ କସରତ ଦେଖାଇ ଲୋକଙ୍କୁ ଭୂଆଁ ବୁଲେଇ ଦେଇ ସେମାନେ ବର୍ଷ ତମାମ ନାହିରେ ତେଲ ପକେଇ ଶୋଉଥିବେ । ବାହାସ୍ଫୋଟ ମାରି କହିଲେ ବ୍ଯବସାୟୀ ଭଦ୍ରଲୋକ ।

ଏପରି ରୋଚକ ଆଲୋଚନାରେ କିଛି ତଥାକଥିତ ଭଦ୍ରଲୋକ ଯୋଗ ଦେଇ ଟିପ୍ପଣୀ ମାନ ପ୍ରଦାନ କରିବାରେ ଲାଗିଲେ।

– ଯାହା କହିଲେ ଆଜ୍ଞା! ! ସମସ୍ତେ ଜାଣନ୍ତି ମଦ ମାନେ ମିଲିଟାରି ମଦ। ସେ ମଦର ନିଶା ଅନ୍ଯ କେଉଁଥିରେ ନାହିଁ । ବୋତଲେ ପକେଇଦେଲେ ତ୍ରିଭୂବନ ବୁଲିବା ପରି ଦିଶିବ। ସେଥିରୁ ଟୋପାଏ ମିଳିଲେ ଆମେ ଏତିକି କୃତ୍ଯକୃତ୍ଯ ହୋଇଯାଉଛୁ, ତେବେ ଜବାନ ମାନେ ତ ମିଲିଟାରି ମଦର ନଦୀରେ ଭାସୁଥିବେ । ସେମାନଙ୍କ ପାଦ ଠିକ୍ ରେ ପଡୁଥିବ ଟି ?ଏମନ୍ତ ନିଶାରେ ଚୁର୍ ଥାଇ ସେମାନେ ଯାହା ଦେଶ ସେବା କରୁଥିବେ ସହଜରେ ଅନୁମେୟ । କହିଲେ ଜଣେ ମଧ୍ଯ ବୟସ୍କ ବ୍ଯକ୍ତି ।

– – ସେତିକିରେ କଣ କଥା ସରିଲା କି? ସେମାନଙ୍କର ବିଦେଶୀ ଶକ୍ତି ମାନଙ୍କ ସହିତ ଲୁଚା ଚୋରା ସମ୍ପର୍କ ଅଛି। ନୋହିଲେ କସବ୍ ପରି ଦେଶଦ୍ରୋହୀ ଆମ ଦେଶରେ ପଶି ନର ସଂହାର କିପରି କରି ପାରିଲା ଥରେ ଭାବନ୍ତୁ ତ? ସେ ଦେଶଦ୍ରୋହୀକୁ ସାଙ୍ଗେସାଙ୍ଗେ ନ ମାରି ଜେଲ୍ ରେ ରଖି, ବିଚାର କରି କୋଟି କୋଟି ଟଙ୍କା ଖର୍ଚ୍ଚ କରିବା ପରେ ଫାଶୀଖୁଣ୍ଟରେ ଝୁଲେଇ, କି ପ୍ରହସନ ଚଳାଉଥିଲେ କେଜାଣି ? ସତ କହିଲେ ଆଜ୍ଞା, ଏ ଦେଶରେ ରହିବା ମୁସ୍କିଲ ହୋଇ ଗଲାଣି । ସ୍ବଗତୋକ୍ତି କଲେ ଜଣେ ଜଣେ ଯାତ୍ରୀ ।

– – କଣ କହିବି ଆଜ୍ଞା, ଆମ ଅବସ୍ଥା କିଏ ପଚାରେ ? ଆମେ ହେଲୁ ଦେଶର ଯୁବ ଗୋଷ୍ଠୀ । ପାଠ ପଢିଲୁ ଚାକିରି ନାହିଁ, କହିଲେ ଲାଞ୍ଚ ଦେଲେ ମିଳିବ । ଚାଷ କରିବାକୁ ମନ ନାହିଁ କି ଆଗ୍ରହ ନାହିଁ । ପାଠ ପଢିଛୁ ବୋଲି ବେପାର କରିଲେ ଇଜ୍ଜତ ଯିବ । ଟଙ୍କା ଖର୍ଚ୍ଚ କରି ଏତେ ପାଠଶାଠ ପଢି ଶେଷରେ ବେକାର ହୋଇ ବୁଲୁଛୁ । କି ସ୍ବାଧୀନତା ମିଳିଲା ଆମକୁ କେଜାଣି ? ସେ ସ୍ବାଧୀନତା ନାମକ ଶବ୍ଦର ସଠିକ୍ ଅର୍ଥ ବୁଝାଇ ପାରିବା ପରି ଲୋକ ଟିଏ କାଇଁ ମୋ ନଜରରେ ପଡିନି ଆଜିଯାଏ । ଭଲ ଥିଲା ଆଜ୍ଞା, ଇଂରେଜ୍ ମାନେ ଆମକୁ ଶାସନ କରୁଥିଲେ । କମ୍ ସେ କମ୍ ଲୋକବାକ ଭଲରେ ଚଳୁଥିଲେ । ତାଙ୍କ ପଛରେ ଗୋଡେଇ ସେମାନଙ୍କୁ ସିନା ଘଉଡେଇ ଦେଲେ, କିନ୍ତୁ ଦେଶଟାକୁ ଚଳେଇ ପାରିଲେ କି ? ଆଜି ଦେଶରେ ଇଂରେଜ ମାନେ ଥିଲେ, ଆମେ ସବୁ ବେକାର ନ ବସି, ଚାକିରି ବାକିରି କରି ସାହେବ ହୋଇ ବୁଲୁଥାଆନ୍ତୁ । ଗୋଟିଏ କିମ୍ଭୁତକିମ୍ଭାକାର ବେଶ ବିଶିଷ୍ଟ ପିଲା, ସଂକ୍ଷିପ୍ତ ଭାଷଣ ଦେଇସାରି ଯାତ୍ରୀ ମାନଙ୍କର ମୁହଁକୁ କିଛି ପ୍ରଶଂସା ପାାଇବା ଆଶାରେ ଚାହିଁଲା।

ସେତିକି ବେଳେ ବୃଦ୍ଧଙ୍କ ଆଖିରେ ଭୀଷଣ କ୍ରୋଧର ବହ୍ନି ଜଳି ଉଠୁଥିଲା, ଲାଗୁଥିଲା ସତେ କି ଆଗ୍ନେୟଗିରୀରୁ ଉତ୍ତପ୍ତ ଲାଭା ସ୍ଫୁରିତ ହେଉଛି । ସେ ନିଜର ସମସ୍ତ ଶକ୍ତି ଲଗାଇ ଚିତ୍କାର କରି କହିଲେ-- ବନ୍ଦ କରନ୍ତୁ ଆପଣଙ୍କ ଫାଲତୁ କଥାବାର୍ତ୍ତା ଓ ସମାଲୋଚନା । ଯେଉଁ ବିଷୟରେ ଜ୍ଞାନ ନାହିଁ , ସେ ବିଷୟରେ କହିବାର ଅଧିକାର ଆପଣ ମାନଙ୍କୁ ଦେଲା କିଏ ? ଆପଣ ମାନଙ୍କ ପରି ଦ୍ରୋହୀ ଲୋକ ମାନଙ୍କ ପାଇଁ ଆମ ଦେଶର ଏ ଅବସ୍ଥା ହୋଇଛି । ତାଙ୍କ କୋଳରେ ଶୋଇଥିବା ସାନ ପିଲାଟି ଚମକି ଉଠି ପଡିଲା ଓ ମାଆ କୋଳକୁ ଚାଲିଗଲା। ଟ୍ରେନ୍ ରେ ବସିଥିବା ତଥାକଥିତ ଜ୍ଞାନୀ ଓ ବିଚାରବନ୍ତ ଲୋକ ମାନଙ୍କୁ ବୃଦ୍ଧଙ୍କର କ୍ରୋଧ ଜର୍ଜରିତ ବଚନ କଟୁ ଲାଗିଲା ବୋଧେ, ସେମାନେ ମୁହଁ ଛିଞ୍ଚାଡି ତାଙ୍କ ଆଡକୁ ଦେଖିଲେ ।

– ହୋ ମଉସା , କଥା ଟା କାହିଁକି ଏତେ ବାଧି ଗଲା ଯେ । ତୁମେ କଣ ସ୍ବାଧୀନତା ସଂଗ୍ରାମୀ ନା ତୁମ ମୁଣ୍ଡରେ ଦେଶଟାକୁ ଟେକି ଧରିଛ ମ ! ସମସ୍ତ ଯାତ୍ରୀ ହୋଃ ହୋଃ ହୋଇ ହସି ଉଠିଲେ।

ବୃଦ୍ଧ ବସିବା ସ୍ଥାନରୁ ଉଠି ଛିଡାହେଲେ । କୋହ ଭରା କଣ୍ଠରେ କହିଲେ--- ହଁ ମୁଁ ମୋ ଦେଶକୁ, ମୋ ମାଆ କୁ ମୋ ମୁଣ୍ଡରେ ଟେକି ଧରିଛି । ତା ଛବି ମୋ ହୃଦୟରେ ଅଛି, ଅଛି ମୋର ଆତ୍ମାରେ । ଶରୀରର ପ୍ରତ୍ଯକ ରକ୍ତ ବିନ୍ଦୁ ମୋ ଦେଶ ପାଇଁ ଉତ୍ସର୍ଗ କରିବାକୁ ମୁଁ ପ୍ରସ୍ତୁତ । ଆପଣ ମାନେ ଯାହା ସବୁ କହିଗଲେ ମୁଁ ନୀରବରେ ଶୁଣିଲି, ଆପଣମାନଙ୍କୁ ହାତଯୋଡି ଅନୁରୋଧ କରୁଛି, ମୋର ଦୁଇ ପଦ କଥା ଶୁଣିବା ହୁଅନ୍ତୁ । କେତେ ଯେ ବଳୀଦାନ ଦେବାପରେ ଆମକୁ ସ୍ବାଧୀନତା ମିଳିଛି, ସେ ବିଷୟରେ ନ ଭାବି, ଆପଣ ମାନେ ସ୍ବାଧୀନତା ବିଷୟରେ ଏପରି ଦାୟିତ୍ବହୀନ ମନ୍ତବ୍ଯ ଦେଉଛନ୍ତି, ଭାବିଲେ ଦୁଃଖ ଲାଗୁଛି ।

ମୁଁ ପ୍ରାଇମେରୀ ସ୍କୁଲର ଗରୀବ ଶିକ୍ଷକଟିଏ । କେତେ ବା ଦରମା ପାଉଥିବି , ଆପଣ ମାନେ ଜାଣି ପାରୁଥିବେ । ପୁଅଟିଏ ମୋ ହାତକୁ ଟେକି ଦେଇ, ସ୍ତ୍ରୀ ଆରପାରିକୁ ଚାଲିଗଲା । ମାଆ ଛେଉଣ୍ଡ ପିଲାଟି ପାଇଁ ଉଭୟ ବାପା ଓ ମାଆ ହୋଇ ତାକୁ ବଡ କଲି । ତାକୁ ପିଲା ଦିନରୁ ଶିଖାଇଥିଲି, ମାଆ ଏବଂ ମାଟି ମାଆ ସ୍ବର୍ଗଠାରୁ ମଧ୍ଯ ମହାନ୍ । ଜୀବନର ପରମ ଓ ଚରମ ଲକ୍ଷ ହେଲା ସେମାନଙ୍କୁ ସମ୍ମାନ ଓ ସୁରକ୍ଷା ଦେବା । ଅତି ସାନ ବୟସରୁ ମୋ ପୁଅ ମନ ଭିତରେ ମାଟି ମାଆ ପାଇଁ ଥିଲ ଅହେତୁକ ଭଲ ପାଇବା ଓ ସମ୍ମାନ । ଦେଶପ୍ରେମ ବିଷୟକ କୌଣସି ଉତ୍ସବ ହେଲେ, ସେ ଯାଇ ସବୁଠାରୁ ଆଗରେ ପହଞ୍ଚି ଯାଉଥିଲା । ମୋ ବାପା ଥିଲେ ଜଣେ ସ୍ବାଧୀନତା ସଂଗ୍ରାମୀ, ତାଙ୍କ ବିଷୟରେ ଜାଣିଥିବା କଥା ସବୁ ମୋ ପୁଅକୁ ଗଳ୍ପ ଭାବରେ କହି ଆସୁଥିଲି । ପୁଅ ମୋର ଭଲ ପାଠ ପଢିଲା ଓ ଖେଳକୁଦରେ ମଧ୍ଯ ସମସ୍ତଙ୍କ ଠାରୁ ଆଗରେ ରହିଲା । ମୁଁ ଓ ଅନ୍ଯ ଶିକ୍ଷକ ମାନେ ତା ଭିତରେ ଦେଖି ପାରୁଥିଲୁ ଏକ ଉଜ୍ବଳ ଭବିଷ୍ଯତର ଆଲୋକ । ସହକର୍ମୀ ମାନେ ମୋତେ କହୁଥିଲେ ଯେ ପୁଅ ବଡ ହେଲେ ନିହାତି ଭାବରେ ବହୁତ ବଡ ଅଫିସର ହେବ ଓ ମୋର ସବୁ ଦୁଃଖ ହରଣ କରିବ । କିନ୍ତୁ ନିୟତି ଚାହୁଁଥିଲା ଅନ୍ଯ କିଛି । ପଡୋଶୀ ରାଷ୍ଟ୍ରର ଗୁଣ୍ଡାଗିରି ବଢି ଚାଲିଥିଲା ଓ ସେ ଖବର ଶୁଣିବା ମାତ୍ରେ ମୋ ପୁଅ ଭୀଷଣ ପ୍ରତିକ୍ରିୟାଶୀଳ ହୋଇ ଉଠୁଥିଲା । ଅନେକ ଥର ତା ଆଖିରେ ଦେଖିଛି ପ୍ରତିଶୋଧର ଜାଜ୍ଜୁଲ୍ଯମାନ ବହ୍ନି।

– – ଥରେ ସେ ମୋତେ ଆସି କହିଲା ବାପା ମୁଁ ଭାବୁଛି ଭାରତୀୟ ସେନାରେ ଯୋଗଦେବି । ଅନେକ ଚିନ୍ତା କରିବା ପରେ ମୁଁ ସ୍ଥିର କଲି, ମୋ ସରା ଜୀବନ ଦେଶ ମାତୃକାର ସୁରକ୍ଷାରେ ନିୟୋଜିତ କରିବି ।

ମନା କରିବାର କୌଣସି ଯୁକ୍ତିଯୁକ୍ତ କାରଣ ନ ଥିଲା, ବରଂ ମୁଁ ଗର୍ବର ସହିତ ତା ନିଷ୍ପତ୍ତି ସହର୍ଷେ ମାନିନେଲି। ସେ ଯେ ସ୍ବାଧୀନତା ସଂଗ୍ରାମୀଙ୍କ ବଂଶର ଦାୟାଦ ; ସ୍ବାଧୀନଚେତା ହେବା ତାର ଅସ୍ଥିମଜ୍ଜାଗତ । ପୁଅ ମୋର ଭାରତୀୟ ସେନାରେ ଯୋଗ ଦେଲା । ଜଣେ ଅତି କୁଶଳୀ ଯୋଦ୍ଧା ଭାବରେ ନିଜକୁ ପ୍ରତିପାଦିତ କରିବାରେ ସଫଳ ହେଲା। ତା ନେତୃତ୍ବରେ ଅନେକ ବାର ସୀମାରେ ପଡୋଶୀ ରାଷ୍ଟ୍ରର ଗୁଣ୍ଡାଗିରୀକୁ ମୁହଁ ତୋଡ୍ ଜବାବ୍ ଦେଇଥିଲେ ଜବାନ ମାନେ। ନିଜର ଅନିଚ୍ଛା ସତ୍ବେ , ମୋ ନିଷ୍ପତ୍ତିକୁ ସମ୍ମାନ ଜଣାଇ ବିବାହ ବନ୍ଧନରେ ଆବଦ୍ଧ ହେଲା। ବିବାହର କିଛି ଦିନ ପରେ ଆରମ୍ଭ ହୋଇଗଲା ସୀମାରେ ଯୁଦ୍ଧ। ପଡୋଶୀ ରାଷ୍ଟ୍ରର ସୈନ୍ଯ ମାନେ କାରଗିଲରେ ନିଜର ଆଧିପତ୍ଯ ବିସ୍ତାର କରିବାରେ ଲାଗିଥିଲେ।

ମୁଁ ଓ ବୋହୂ ହସହସ ମୁହଁରେ ବିଦାୟ ଦେଲୁ ପୁଅକୁ।

ଗଲାବେଳେ ସେ କହିଥିଲା-- ଏତେ ଦିନର ସ୍ବପ୍ନ ମୋର, ପୂରଣ ହେବାକୁ ଯାଉଛି ବାପା। ପିଲା ଦିନରୁ ମନରେ କୁହୁଳି ଆସୁଥିବା ଅସନ୍ତୋଷର ବଜ୍ର ଶତୃ ମାନଙ୍କ ଉପରେ ବର୍ଷଣ କରିବାର ବେଳ ଆସିଗଲା। ମୋତେ ଆଶିର୍ବାଦ ଦିଅ, ମାତୃଭୂମିର ସୁରକ୍ଷା ଏବେ ମୋ ହାତରେ।

" ବିଜୟୀ ଭବ" କହି ପୁଅକୁ ମୋର ପଠାଇଲି ଯୁଦ୍ଧଭୂମି କୁ। ଜଣେ ସୈନିକର ବାପା ଭାବରେ ଗର୍ବରେ ମୋ ଛାତି ଚଉଡା ହୋଇଯାଉଥିଲା ସତ ; କିନ୍ତୁ ମନର ନିଭୃତ ଗହ୍ବରରେ ଲୁଚି ବସିଥିବା ଜଣେ ଗରୀବ ଶିକ୍ଷକ ବାପାର ମନରେ ଆସୁଥିଲା ଅସମ୍ଭବ ଭୟ ଓ ଆଶଙ୍କା। ଯଦି ମୋ ପୁଅର କିଛି ହୋଇଯାଏ ତେବେ?? କିନ୍ତୁ ମନର ଆଶଙ୍କାକୁ ଦୂରେଇ, ବୋହୂ କହିଲା-- ବାପା, ଆପଣଙ୍କ ପୁଅ କୌଣସି ସାଧାରଣ ବ୍ଯକ୍ତି ନୁହଁନ୍ତି। ତାଙ୍କ ସହ ଏତିକିି ଦିନ ରହିବା ଭିତରେ ମୁଁ ଦେଖି ପାରିଛି, ଦେଶ ପାଇଁ ତାଙ୍କ ମନରେ ଥିବା ଗଭୀର ପ୍ରେମ ଓ ଉତ୍ସର୍ଗିକୃତ ଭାବନା। ସେ ଜଣେ ଯୋଦ୍ଧା ଓ କୌଣସି ଭାବରେ ତାଙ୍କୁ ପାରିବାରିକ ବନ୍ଧନରେ ବାନ୍ଧି ରଖିବାର ଅର୍ଥ ହେଲା, ତାଙ୍କ ସ୍ବାଧୀନତାକୁ ଦମନ କରିବା। ତାଙ୍କୁ ଜୀବନସାଥୀ ଭାବରେ ପାଇ ମୁଁ ଗର୍ବିତ।

କାରଗିଲ ଯିବା ପରେ ପୁଅ ମୋର ଓ ଗର୍ଭବତୀ ପତ୍ନୀର ଖବର ବୁଝୁଥିଲା । ଟେଲିଭିଜନ୍ ଓ ଖବରକାଗଜରୁ ଆମ ଜବାନ ମାନଙ୍କ ଅପୂର୍ବ ସାହାସ ଓ ଶୌର୍ଯ୍ଯ ଦେଖି ମନରେ ଆନନ୍ଦର ଝରଣା ବୋହିଚାଲିଥିଲା। ଭାରତୀୟ ସେନାର ପ୍ରବଳ ଆକ୍ରମଣରେ ଶତୃ ସୈନ୍ଯ ଛତ୍ରଭଙ୍ଗ ଦେଇ ପଳାୟନ କରୁଥିଲେ। ମୋତେ ଲାଗୁଥିଲା ପୁଅ ମୋର ଶତୃ ପକ୍ଷର ସମସ୍ତ ଅପମାନ ଓ ପ୍ରବଞ୍ଚନାର ପ୍ରତିଶୋଧ ନେଇସାରି ସଗର୍ବେ ଘରକୁ ଫେରିବ। ସେ ଫେରିଲା ସତ,କିନ୍ତୁ କଫିନ୍ ଭିତରେ ତ୍ରିରଙ୍ଗାର କୋଳରେ। ସେଦିନ ମୋ ଆଖିରେ ଲୁହ ନ ଥିଲା, ମୁଁ ଗର୍ବିତ ଥିଲି। ମୋ ପୁଅ ମାଟି ମାଆର ଟେକ ରଖିବାକୁ ପ୍ରାଣ ଉତ୍ସର୍ଗ କରି ଶହିଦ୍ ହୋଇଗଲା। ପୁଅର ସାଥୀ ଜବାନ୍ ମୋତେ କହିଲେ ସମସ୍ତ ବୃତ୍ତାନ୍ତ।

ସେଦିନ ପାହାଡ ଉପରୁ ଶତୃ ପକ୍ଷର ସେନା ଅବିରତ ଗୁଳିଚାଳନା କରି ଚାଲିଥିଲେ। ସେସବୁ ଖାତିର ନକରି ମୋ ପୁଅ ଅନ୍ଯ ସୈନ୍ଯମାନଙ୍କ ନେତୃତ୍ବ ନେଇ କାଳପୁରୁଷ ପରି ପାହାଡ ଚଢି ଚାଲିଥିଲା। ଗୋଡ, କାନ୍ଧ ଓ ପିଠିରେ ଗୁଳି ବାଜି ତାକୁ ଭୁପତିତ କରିବାକୁ ଚେଷ୍ଟା କରିଥିଲା ସତ, କିନ୍ତୁ ଶରୀରର କ୍ଷତ ଅପେକ୍ଷା ମାତୃ ଭୂମିର ସୁରକ୍ଷା ମୋ ପୁଅ ପାଇଁ ବଡ ଥିଲା। ଉପରେ ପହଞ୍ଚିବା ପରେ ଆହୁରି ଭୟଙ୍କର କ୍ରୁଦ୍ଧ ରୂପରେ ସେ ଲଢି ଚାଲିଲା ସୈନ୍ଯ ମାନଙ୍କ ସହ। ଜଣ ପରେ ଜଣ କରି ପାଖାପାଖି ପନ୍ଦର ଜଣ ଶତୃ ସୈନ୍ଯଙ୍କ ହୃଦସ୍ପନ୍ଦନରେ ବିରାମ ଦେବା ପରେ ଅଚାନକ ପଛ ପଟରୁ ଶତୃ ଆକ୍ରମଣ କଲେ। ପୁଅର ପଛରେ ଥିଲେ ପାଞ୍ଚ ଜଣ ଭାରତୀୟ ସୈନିକ, ଯେଉଁମାନେ ଗମ୍ଭୀର ରୂପରେ କ୍ଷତାକ୍ତ ଥିଲେ। ସେମାନେ ଯୁଦ୍ଧ କରିବା ଅବସ୍ଥାରେ ନ ଥିଲେ। ଶେଷରେ ପୁଅ ମୋର ନେଲା ଚରମ ନିଷ୍ଟତ୍ତି। କ୍ଷତାକ୍ତ ସୈନ୍ୟ ମାନଙ୍କୁ ସୁରକ୍ଷିତ ସ୍ଥାନରେ ରଖି, ଏକାକୀ ହାତରେ କିଛି ବୋମା ଧରି ହସି ହସି ଶତୃ ମାନଙ୍କ ମେଳକୁ ଚାଲିଗଲା। ସେମାନେ ପୁଅକୁ ନିରସ୍ତ୍ର ଦେଖି ମାରିଦେବା ପାଇଁ ଝପଟି ଆସିଲେ। ଦଶଜଣ ଶତୃ ସୈନ୍ଯ ପୁଅର ଶରୀରକୁ ବିଦୀର୍ଣ୍ଣ କରିଚାଲିଲେ ସେମାନେ ଧରିଥିବା ତୀକ୍ଷଣ ଭୁଜାଲି ଦ୍ବାରା। ଅଚାନକ ଶୁଭିଲା ବିସ୍ଫୋରଣର ପ୍ରଚଣ୍ଡ ଶବ୍ଦ। ମୋ ପୁଅ ଓ ଶତୃ ସୈନ୍ଯଙ୍କର ଶରୀରର କ୍ଷୁଦ୍ରାତିକ୍ଷୁଦ୍ର ଅଂଶ ବିକ୍ଷିପ୍ତ ହୋଇପଡିଥିଲା ଯୁଦ୍ଧସ୍ଥଳରେ। ମୋ ପୁଅ ଯୁଦ୍ଧଭୂମିରେ ବୀରଗତି ପ୍ରାପ୍ତ ହେଲା। ଯୁଦ୍ଧରେ ଶତୃ ରାଷ୍ଟ୍ର ପରାସ୍ତ ହେଲେ ଓ କାରଗିଲ ପାହାଡ ଉପରେ ଉଡିଲା ତ୍ରିରଙ୍ଗା ଧ୍ବଜା।

ମାତୃ ଭୂମିକୁ ଦେଇଥିବା ବଚନ ରକ୍ଷା କରି ସେ ଶହୀଦ୍ ହେଲା, ମାତ୍ର ମୋ ନାତି ବାପର ମୁହଁ ଦେଖି ପାରିଲାନି, ବୋହୁ ବିଭାଘରର ଅଳ୍ପ ଦିନ ଭିତରେ ବିଧବା ହେଲା। କିନ୍ତୁ ଆମେ କେବେ କାହାକୁ ଦୋଷ ଦେଇନାହୁଁ। ନା ମୋର ଦେଶକୁ, ନା ଏ ବ୍ଯବସ୍ଥା କୁ , ନା ମୋର ଭାଗ୍ଯ କୁ। ନିଜର ମାଆକୁ କଣ କିଏ ଦୋଷ ଦେଇପାରେ? ମୋ ମାଆ ଗରୀବ ହୋଇପାରେ, ଅନ୍ଯ ମାନଙ୍କ ପରି ଅତ୍ଯାଧୁନିକ ନ ହୋଇପାରେ ; କିନ୍ତୁ ସେ ମୋର ମାଆ। ତାକୁ ହତାଦର କରିବି କିପରି? ଆମ ଦେଶର ଜବାନ୍ ମାନେ ଅହର୍ନିଶି ସୀମାରେ ଜଗିରହି ଆମକୁୁ ସୁରକ୍ଷା ଦେଉଛନ୍ତି ବୋଲି ସିନା ଆମେ ଶାନ୍ତିରେ ଜୀବନ ବଞ୍ଚିପାରୁଛେ, ନଚେତ୍ ଅବସ୍ଥା କଣ ହୁଅନ୍ତା ଥରେ ଭାବି ଦେଖନ୍ତୁ। ସିଆଚେନ୍ ପରି ବରଫାବୃତ୍ତ ଉତ୍ତୁଙ୍ଗ ପର୍ବତ ଉପରେ ଆମର ସେନା ରକ୍ତକୁ ବରଫ କରିଦେବା ପରି ଥଣ୍ଡାରେ ଜାଗ୍ରତ ରହି, ଦେଶକୁ ସୁରକ୍ଷା ଦେଉଛନ୍ତି। ସେମାନେ ଶତୃ ସେନାର ଗୁଳିରେ ନୁହଁ, ବରଂ ଅତ୍ଯଧିକ ଥଣ୍ଡାରେ ମୃ ତ୍ଯୁବରଣ କରୁଛନ୍ତି। କଣ ସେମାନଙ୍କର ବଳୀଦାନ ନିରର୍ଥକ? ଜବାନ ମାନଙ୍କର ତ୍ଯାଗ ଓ ବଳୀଦାନର ପ୍ରତିଉପହାର କଣ ସେମାନଙ୍କ ବିରୁଦ୍ଧରେ କୁତ୍ସାରଟନା ଓ ସମାଲୋଚନା? ଆମେ ବେକାର ବୋଲି ଚିତ୍କାର ନ କରି, ଦେଶସେବାରେ ନିଜକୁ ଉତ୍ସର୍ଗ କରି ସେନାରେ ଭର୍ତ୍ତି ହେବା ବିଷୟ କେତେ ଜଣ ଚିନ୍ତା କରୁଛନ୍ତି? କେହି କରିବେନି, କାରଣ ସମସ୍ତଙ୍କର ନିଜ ଜୀବନ ପ୍ରତି ରହିଛି ଅସମ୍ଭବ ଲୋଭ। ଥରେ ନିଜର ମାନସମନ୍ଥନ କଲେ ଜାଣି ପାାରିବେ ଯେ , ଆପଣ ମାନଙ୍କର ଅବଦାନ ଦେଶ ପାଇଁ କଣ? ଯଦି ଅବଦାନ ନାହିଁ, କୁତ୍ସାରଟନା କରିବାର ଅଧିକାର କିଏ ଦେଲା ଆପଣ ମାନଙ୍କୁ? ବାକ୍ଯବାଣ ପ୍ରୟୋଗ କରିବା ଅତି ସହଜ, ଥରେ ଶତୃ ଗୁଳିକୁ ସାମନା କରିବା ବିଷୟ ଭାବନ୍ତୁ ତ! ! ଯଦି ମନରେ ଦେଶ ପାଇଁ ତିଳେମାତ୍ର ପ୍ରେମ ଥିବ, ଜାତୀୟ ସଙ୍ଗୀତ ଶୁଣିଲେ ମନପ୍ରାଣ ରୋମାଞ୍ଚିତ ହୋଇ ଉଠିବ। ଉଡୁଥିବା ତ୍ରିରଙ୍ଗାକୁ ଦେଖିବା ମାତ୍ରେ, ମାନସପଟରେ ଭାସି ଉଠିବ ସଂଗ୍ରାମୀ ମାନଙ୍କ ତ୍ଯାଗ ଓ ତିତିକ୍ଷା ର ଅମରଗାଥା।

ଏବେ ଆପଣ ମାନେ ବିଚାର କରନ୍ତୁ, ଆପଣ ମାନଙ୍କର କଟୁକ୍ତି ଓ ସମାଲୋଚନା କେତେ ଦୂର ଯୁକ୍ତିଯୁକ୍ତ। ଦେଶପ୍ରେମୀ କିଏ, ଆପଣ ମାନେ କୁହନ୍ତୁ।

ଟ୍ରେନ୍ ର ବଗି ଭିତରେ ଶ୍ମଶାନର ନୀରବତା, ସମସ୍ତଙ୍କ ଆଖିରେ ଲୁହ। ବୃଦ୍ଧ ଜଣଙ୍କ ଝୁଲା ବ୍ଯାଗ୍ ରୁ ପୁଅର ଫଟୋଚିତ୍ର କାଢି ସମସ୍ତଙ୍କୁ ଦେଖାଇ ସ୍ଯାଲୁଟ୍ ମାରିଲେ। ତାଙ୍କ ପଛେପଛେ ଅନ୍ଯଯାତ୍ରୀ ମାନେ ସେ ବୃଦ୍ଧଙ୍କୁ ଓ ତାଙ୍କର ବୀରପୁତ୍ରଙ୍କ ଉଦ୍ଦେଶ୍ଯରେ ସଲାମ୍ ଭରିଲେ। ସେ ବ୍ଯବସାୟୀ ଓ ଡାକ୍ତର ବୃଦ୍ଧଙ୍କ ପାଖକୁ ଆସି ପାଦତଳେ ପଡି କ୍ଷମାପ୍ରାର୍ଥନା ପୂର୍ବକ କହିଲେ-- କ୍ଷମା କରିବେ ଆଜ୍ଞା, ଆମର କଥା ଓ ବ୍ଯବହାର ପାଇଁ ଆମେ ଅନୁତପ୍ତ। ଜଣେ ବୀର ସୈନିକଙ୍କ ବିଶାଳ ହୃଦୟବିଶିଷ୍ଟ ପିତା ଭାବରେ ଆମକୁ କ୍ଷମା କରିଦେବେ ଆଶା କରୁଛୁ।

ସେତିକି ବେଳକୁ ପିଲା ମାନଙ୍କର ସମବେତ କଣ୍ଠରୁ " ସାରେ ଜାହାଁ ସେ ଆଚ୍ଛା, ହିନ୍ଦୋସ୍ତାଂ ହମାରା" ସଙ୍ଗୀତ ଝରି ଆସିଲା । ଦେଶପ୍ରେମର ଭାବନାରେ ସମଗ୍ର ଅଞ୍ଚଳଟି ମୋହଗ୍ରସ୍ତ ହେବା ପରି ଲାଗୁଥିଲା।

ସମାପ୍ତ


Rate this content
Log in

Similar oriya story from Inspirational