Kanan Bala Nayak

Inspirational

4  

Kanan Bala Nayak

Inspirational

ଦେଵୀ

ଦେଵୀ

7 mins
233



  

  ତିନି ଦିନ ହେଲାଣି ସାବିର ହାଣ୍ଡିରେ ଚାଉଳ ପଡିନି । ଆଖିରୁ ଅନବରତ ଲୁହ ଗଡ଼ି ଚାଲିଛି‌ । ସେଇ ଆଖିର ଲୁହ ତା ପେଟର ଭୋକକୁ ମାରି ଦେଇଛି । ସାବିର ବାରବର୍ଷର ଏକ ମାତ୍ର ପୁଅ ରାଜୁକୁ ତିନି ଦିନ ହେଲାଣି ପୋଲିସ ବାନ୍ଧି ନେଇଛି ଚୋରୀ ଅଭିଯୋଗରେ । ତାହା ପୁଣି ଏଣୁ ତେଣୁ ଜିନିଷ ଚୋରୀ ଅଭିଯୋଗ ନୁହେଁ । ଅଭିଯୋଗ ହେଉଛି ତାଙ୍କ ଗ୍ରାମ ଦେବତୀ ମାଆ ଦୁଆରଶୁଣୀଙ୍କ ହୁଣ୍ଡି ଭାଙ୍ଗି ସେଥିରେ ଥିବା ଟଙ୍କା ଓ ମାଆଙ୍କ ଦେହର ଶୋଭା ବର୍ଦ୍ଧନ କରୁଥିବା ଅଳଙ୍କାର ଚୋରୀ ର । ହେଲେ ସାବି ବିଶ୍ୱାସ କରି ପାରୁନି ଯେ ତା ପୁଅ ରାଜୁ ଯିଏ ଗ୍ରାମ ଦେବତୀଙ୍କ ସେବା କରିବାକୁ ନିଜର ପରମ ଧର୍ମ ବୋଲି ଭାବେ, ତାଙ୍କୁ ନିଜ ଜୀବନର ସବୁକିଛି ବୋଲି ଭାବେ ସେ ପୁଣି ତାଙ୍କ ଦେହରେ ହାତ ଦେବ?


   ମାଆଙ୍କୁ ସଜାଡ଼ିବା ପାଇଁ ଯିଏ ବଡ଼ି ଭୋରରୁରୁ ଉଠି ସବୁଦିନ ଫୁଲ ତୋଳେ ସେ ପୁଣି ମାଆଙ୍କ ଶରୀରରୁ ଅଳଙ୍କାର ଚୋରୀ କରି ତାଙ୍କୁ ଶ୍ରୀହୀନ କରି ଦେବ? ଏକଥା ଜମାରୁ ବିଶ୍ୱାସ କରି ପାରୁନଥିଲା ସାଵି । ପୋଲିସ ବାବୁ ମାନଙ୍କୁ ଅନେକ ନେହୁରା ହେଲା । ତା‌ ପୁଅ କେବେ ଏମିତି କରି ପାରିବ ନାହିଁ ବୋଲି, ତାଙ୍କ ହାତ ଗୋଡ଼ ଧରି ତାଙ୍କୁ ବିଶ୍ୱାସ ଦେବାର ଅନେକ ଚେଷ୍ଟା କଲା । ହେଲେ ବିଶ୍ୱାସ ଉପରେ କୌଣସି ଦେଶର ନିୟମ କାନୁନ ଚାଲେନା । ତାକୁ ଦରକାର ପ୍ରମାଣ । ପୁଅ ହାଜତକୁ ଗଲା ପାଖରୁ ସାବିର ମୁଣ୍ଡ କାମ କରୁନି । କଣ କରିବ କାହା ପାଖକୁ ଯାଇ ଗୁହାରି କରିବ କିଛି ଭାବି ପାରୁ ନଥାଏ ସାବି । ବାର ବର୍ଷର ପିଲାଟା ଦୁନିଆ ବିଷୟରେ କ'ଣ ବା ଜାଣିଛି । ପୋଲିସ୍ ବାବୁ ମାନେ ତା ସହିତ କି ଜୁଲୁମ କରୁଥିବେ କେଜାଣି?


  ପୋଲିସ ହାତରେ କୁଆଡେ ପୋଖତ ସୁରାକ ଲାଗିଛି । ମନ୍ଦିରରେ ଲାଗିଥିବା ସି.ସି.ଟିଭି କ୍ୟାମେରାରେ ରାଜୁ ମାଆଙ୍କ ଅଳଙ୍କାର ଚୋରୀ କରୁଥିବାର ଭିଡିଓ ରେକର୍ଡି ହୋଇଛି । ଛଅ ମାସ ହେଲା ରାଜୁ ମାଆଙ୍କ ସେବା କରୁଛି । ରାଜୁର ବାପା ଘୋଡ଼ା ମାତାଲି । ତା ମାଆ ପର ଘରେ ପାଇଟି କରି ଯାହା ଆଣେ ସେଇ ଥିରେ ଘର ଚଳେ । ରାଜୁର ବାପାର ମଧ୍ୟ ତା ମାଆର ସେଇ ପଇସା ଉପରେ ଆଖି । ନିଜେ ଟଙ୍କା ଟେ ଅର୍ଜନ କରି ଘରକୁ କାଣି କଉଡ଼ି ଟେ ଦେବାତ ତ ଦୂରର କଥା, ବେଳେ ବେଳେ ତା ମାଆର ଟଙ୍କାକୁ ମଧ୍ୟ ତାକୁ ମଧ୍ୟ ମାର ଧର କରି ଛଡ଼ାଇ ନିଏ । ଆଉ ମାଲ୍ ପିଇ ଦେଇ କେତେବେଳେ କେଉଁଠି ପଡ଼ିଥାଏ କିଛି ଠିକ୍ ଠିକଣା ନ ଥାଏ । ଛଅ ମାସ ହେଲାଣି ସାବି ମଧ୍ୟ ଆଉ ଆଗ ଭଳି କାମ କରି ପାରୁନି‌ । ପେଟରେ ବେମାରୀ ବାହାରିବା ଯୋଗୁଁ ସରକାରୀ ହସ୍ପିଟାଲରେ ଅପରେସନ ହୋଇଛି । ଡାକ୍ତର କହିଥିଲେ ଭିଟାମିନ ଓ ଭଲ ଖାଦ୍ୟ ଖାଇଲେ ଶୀଘ୍ର ଭଲ ହୋଇଯିବ‌‌ । ହେଲେ ଯାହା ଘରେ ଦିନେ ଚୁଲି ଜଳେ ତ ଆଉ ଦିନେ ଜଳେନି ସିଏ ଭିଟାମିନ କେଉଁଠୁ ପାଇବ? ତେଣୁ ସେ ଆଉ ଆଗ ଭଳି ଛଅ ସାତ ଘରେ କାମ ପାରୁନି । ସେଥିପାଇଁ ଛଅ ମାସ ହେଲା ରାଜୁଟା ଗ୍ରାମ ଦେବତୀଙ୍କୁ ପୂଜା କରୁଥିବା ନନାଙ୍କୁ ସାହାଯ୍ୟ କରି ଆସୁଥିଲା । 


  ମନ୍ଦିର କମିଟି ଵାଲା ତାକୁ କିଛି ଟଙ୍କା ଦେଉଥିଲେ ଓ ଭକ୍ତମାନଙ୍କ ଠାରୁ ଯାହା କିଛି ଦକ୍ଷିଣା ମିଳୁଥିଲା ସେ ଟଙ୍କାରେ ସେ ସାବିକୁ ଘର ଖର୍ଚ୍ଚ ପାଇଁ କିଛି ସାହାଯ୍ୟ କରି ପାରୁଥିଲା । ତା ଉପରେ କୁଆଡୁ ମାଡ଼ି ଆସିଲା ଯେ ଏ ଅଜଣା କରୋନା ବେମାରୀଟା । ମାଲିକ ମାନେ ଆଉ କାମବାଲୀମାନଙ୍କୁ ଘରକୁ ଭିତରକୁ ପୁରାଇ ଦେଉ ନାହାନ୍ତି । ସାବିକୁ ମଧ୍ୟ ଦୁଇ ଘର ଛାଡ଼ି ଅନ୍ୟ ମାନେ କାମ କରିବାକୁ ମନା କରି ଦେଇଛନ୍ତି । ଏଣେ ମନ୍ଦିର ମଧ୍ୟ ବନ୍ଦ । ତେଣୁ ସାବି ଓ ରାଜୁ ଓଳିଏ ଖାଇଲେ ଓଳିଏ ଉପାସ ରହୁଥିଲେ । ତା ଉପରେ ତା ବାପର ଅତ୍ୟାଚାର । ଏଇ ଭିତରେ ପୁଣି ଚୋରୀ ଅଭିଯୋଗରେ ରାଜୁକୁ ତିନି ଦିନ ହେଲାଣି ପୋଲିସ ବାନ୍ଧି ନେଇଛି । ହେଲେ ତା ବାପା, ବାପା ହିସାବରେ କିଛି କରିବା ତ ଦୂରର କଥା ତା ପାଖରେ ଖବର ମଧ୍ୟ ନାହିଁ । 


  ସାବି ପାଖରେ ନାଁ ଅର୍ଥ ଅଛି ନାଁ ଏଇ ପରିସ୍ଥିତିରୁ ଉଦ୍ଧାର କରିବା ପାଇଁ ତା ପାଖରେ କିଏ ଅଛି । ଆଉ ଅସୁସ୍ଥ ଦେହଟାକୁ ନେଇ ସବୁ ବେଳେ ଥାନା ଦଉଡ଼ିବା ପାଇଁ ତା ପାଖରେ କେଉଁ ବଳ ଅଛି । ତଥାପି ଦୁଇଥର ଯାଇ ପୋଲିସ ବାବୁଙ୍କୁ ନେହୁରା ହେଲାଣି । ହେଲେ ସେମାନେ କିଛି ଶୁଣୁ ନାହାନ୍ତି । କ'ଣ କରିବ କିଛି ଉପାୟ ନ ପାଇ ସାବି ସ୍ଥିର କଲା ଯେଉଁ ମାଆର ଅଳଙ୍କାର ଚୋରୀ ଅଭିଯୋଗରେ ରାଜୁକୁ ପୋଲିସ ବାବୁ ମାନେ ବାନ୍ଧି ନେଇଛନ୍ତି, ସେଇ ଜଗତ୍ ମାତା ଜଗତ୍ ଜନନୀଙ୍କ ଶରଣ ପଶିବ । ସେ ତ ଉଦ୍ଧାରକାରିଣୀ ସେ ତାକୁ ନିହାତି ଏଇ ବିପଦରୁ ଉଦ୍ଧାର କରିବେ । ଆଉ ତା ପୁଅକୁ ତା କୋଳକୁ ନିହାତି ଫେରାଇ ଆଣିବେ । ଗୋଟିଏ ମାଆ ଅନ୍ୟ ଗୋଟିଏ ମାଆର ହୃଦୟର ଭାଷା ଓ ଦୁଃଖକୁ ନିହାତି ବୁଝିବ । ମାଆଙ୍କ ମନ୍ଦିର ଭିତରକୁ ଯିବା ସିନା ମନା, କିନ୍ତୁ ମନ୍ଦିର ବେଢ଼ା ବାହାରୁ ତ ମାଆକୁ ତା ଗୁହାରି ଜଣାଇ ପାରିବ । 


 ଏଇ କଥା ଭାବି ସେ ତା ପର ଦିନ ବଡ଼ି ସକାଳୁ ଉଠି ମାଆଙ୍କ ମନ୍ଦିର ପାଖକୁ ଯାଇ ତାଙ୍କୁ ଗୁହାରି ଜଣାଇଲା । ଗୁହାରି ଜଣାଇ ଫେରିବା ସମୟରେ ହଠାତ୍ ସାବିର ମୁଣ୍ଡ ବୁଲାଇ ଦେଲା ଓ ସେ ସେଇଠାରେ ଗଡ଼ି ପଡ଼ିଲା । ଆଖି ଖୋଲିଲା ବେଳକୁ ସେ ନିଜକୁ ଜଣେ ଭଦ୍ର ମହିଳାଙ୍କ ଘରେ ଦେଖିବାକୁ ପାଇଲା‌ । ସେ ଭଦ୍ର ମହିଳାଙ୍କୁ ପଚାରିଲା ମାଆ ମୁଁ ଏଠାକୁ କେମିତି ଆସିଲି? ଆପଣ କିଏ? ଭଦ୍ର ମହିଳା ଜଣଙ୍କ ତାଙ୍କ ପରିଚୟ ଦେଇ କହିଲେ ମୁଁ ପଲ୍ଲବୀ । ପଲ୍ଲବୀ ମିଶ୍ର । ଏଇ ପାଖ ସହରରେ ଓକିଲାତି କରିବା ସହିତ ସମାଜ ସେବା ମଧ୍ୟ କରେ । ମୁଁ ଗୋଟେ କାମରେ ତୁମ ଗାଆଁକୁ ଯାଇଥିଲି । ରାସ୍ତାରେ ତୁମକୁ ବେହୋସ୍ ହୋଇ ପଡ଼ିଥିବାର ଦେଖି ମୋ ସହ ନେଇ ଆସିଲି । କାରଣ ତୁମର ତ ହୋସ୍ ନଥିଲା । ମୁଁ ମଧ୍ୟ ତୁମ ଘର ଦେଖି ନ ଥିଲି । ଆଉ ଏତେ ସକାଳୁ କାହାକୁ ପାଇଲିନି ତୁମ ଠିକଣା ପଚାରିବା ପାଇଁ । ତେଣୁ ତୁମକୁ ମୋ ସହ ନେଇ ଆସିଲି । ସାବି କହିଲା ମାଆ ଏଇ କରୋନା ସମୟରେ ଯେଉଁଠି ଲୋକେ କେହି କାହାକୁ ଛୁଉଁ ନାହାଁନ୍ତି ଆପଣ ମୋତେ ଉଠାଇ ଏଠାକୁ ଆଣିଲେ ? ଆପଣଙ୍କୁ ଡର ଲାଗିଲାନି? ପଲ୍ଲବୀ କହିଲେ କରୋନା ହୁଏତ କିଛି ଲୋକଙ୍କ ଠାରୁ ମାନବିକତା ଓ ସମ୍ବେନଦନଶୀଳତାକୁ ଛଡ଼ାଇ ନେଇଛି, କିନ୍ତୁ ସମସ୍ତଙ୍କୁ ହୃଦୟହୀନ କରି ପାରିନି । ହଉ ଛାଡ଼ ସେ କଥା ଏବେ ତୁମ କଥା କୁହ । ତୁମେ ଏତେ ସକାଳୁ କୁଆଡେ ଯାଇଥିଲ?


   ସାବି ପଲ୍ଲବୀଙ୍କୁ ତା ମଦୁଆ ସ୍ୱାମୀର ମାରପିଟ୍ ଠାରୁ ଆରମ୍ଭ କରି ତା ପୁଅକୁ ପୋଲିସ ବାନ୍ଧି ନେବା ପର୍ଯ୍ୟନ୍ତ ସବୁ କଥା କହିଲା । ଆଉ ତା ପୁଅ କେବେ ଏମିତି କଥା କରି ପାରିବ ନାହିଁ ବୋଲି ମଧ୍ୟ କହିଲା । ପଲ୍ଲବୀ କହିଲେ ହଉ ଠିକ୍ ଅଛି । ତୁମର ଯଦି ତୁମ ପୁଅ ଉପରେ ଏତେ ବିଶ୍ୱାସ ଅଛି ତେବେ ମୁଁ ତୋ ପୁଅର କେସ୍ ଲଢିବି । ଆଉ ତାକୁ ନ୍ୟାୟ ଦେବାର ଚେଷ୍ଟା କରିବି । ପଲ୍ଲବୀଙ୍କ କଥା ଶୁଣି ସାବି ଆଖିରେ ଲୁହ ଆସିଗଲା । ସେ କହିଲା ମାଆ ଆପଣଙ୍କୁ ଫି ଦେବା ପାଇଁ ମୋ ପାଖରେ ଫଟା କଉଡ଼ିଟିଏ ମଧ୍ୟ ନାହିଁ । ପଲ୍ଲବୀ କହିଲେ ମୁଁ କଣ ତୁମକୁ ଫି କଥା କିଛି କହିଲିଣି । ତୁମେ କାହିଁକି ବ୍ୟସ୍ତ ହେଉଛ । ମୁଁ ତୁମ ପାଇଁ ବିନା ପଇସାରେ କେସ୍ ଲଢିବି । ତାପରେ ପଲ୍ଲବୀ ସାବିକୁ ନେଇ ପୋଲିସ ଷ୍ଟେସନ ଗଲେ । ସେଠାରେ ସେ ଯେଉଁ ସି.ସି.ଟିଭି ଫୁଟେଜ୍ ଦେଖିଲେ ସେଥିରେ ରାଜୁ ମାଆଙ୍କ ଅଳଙ୍କାର ଖୋଲୁଥିବା ସ୍ପଷ୍ଟ ରୂପେ ଦେଖା ଯାଉଥିଲା । ପଲ୍ଲବୀ ଭାବିଲେ ସେ ସିନା କେସଟା ହାତକୁ ନେଲେ‌‌, ହେଲେ ରାଜୁକୁ ନିର୍ଦ୍ଦୋଷ ବୋଲି ପ୍ରମାଣିତ କରିବା ସହଜ ନୁହଁ । ତଥାପି ସେ ଥାନା ବାବୁଙ୍କୁ ଅନୁରୋଧ କଲେ ରାଜୁକୁ ଥରେ ଭେଟିବା ପାଇଁ । 


  ଆଉ ରାଜୁ ଠାରୁ ସବୁ କଥା ଶୁଣି ଟିକେ ଶାନ୍ତିରେ ନିଃଶ୍ୱାସ ମାରିଲେ ଓ କେସଟିକୁ ହାତକୁ ନେଇ ସେ କିଛି ଭୁଲ୍ କରି ନାହାନ୍ତି ବୋଲି ଭାବିଲେ‌ । ତା ପରେ ସେ ରାଜୁକୁ ବଞ୍ଚାଇବା ପାଇଁ ନିଜ ପ୍ରସ୍ତୁତିରେ ଲାଗି ପଡ଼ିଲେ । ଆଉ କୋର୍ଟରେ ତାକୁ ନିର୍ଦ୍ଦୋଷ ବୋଲି ପ୍ରମାଣିତ କଲେ । ପ୍ରକୃତରେ ଘଟଣାଟି ଏଇ ପ୍ରକାର ଘଟିଥିଲା । କରୋନା ପାଇଁ ମନ୍ଦିର ବନ୍ଦ ହୋଇଯିବା ପରେ ରାଜୁ ମନ୍ଦିର ନନାଙ୍କ ପାଖକୁ ଯାଇ ସବୁ ବେଳେ ନିଜର ଅଭାବ ଅନଟନ ବିଷୟରେ କହେ‌ । ଆଉ ମନ୍ଦିର ନନା ମଧ୍ୟ ମନ୍ଦିର ବନ୍ଦ ହୋଇ ଯାଇଥିବା ହେତୁ ନାନା ଅସୁବିଧାର ସମ୍ମୁଖୀନ ହେଉଥିଲେ । ତେଣୁ ସେ ହିଁ ରାଜୁକୁ ବୁଦ୍ଧି ଦେଇଥିଲେ ମାଆଙ୍କ ହୁଣ୍ଡି ଭାଙ୍ଗି ସେଥିରେ ଥିବା ଟଙ୍କା ଓ ଅଳଙ୍କାରକୁ ଖୋଲି ଆଣି ତାଙ୍କୁ ଦେବା ପାଇଁ । ବାରବର୍ଷ ପିଲାଟା ରାଜୁ ତାକୁ ଭୁଲାଇବାକୁ ବେଶୀ ସମୟ ଲାଗିନଥିଲା ନନାଙ୍କୁ । ଆଉ ରାଜୁ ସେ ପରି କଲେ ତାକୁ ସେ କିଛି ଟଙ୍କା ଦେବା କଥା ମଧ୍ୟ କହିଥିଲେ । କହିଥିଲେ ଏବେ ତ ମନ୍ଦିର ବନ୍ଦ ଅଛି । କେହି କିଛି ଜାଣି ପାରିବେ ନାହିଁ । ତା ଛଡା ତୋର ମାଆଙ୍କ ପ୍ରତି ଥିବା ଶ୍ରଦ୍ଧାକୁ ସମସ୍ତେ ଜାଣନ୍ତି ‌ । ତେଣୁ ତୋତେ କେହି ସନ୍ଦେହ କରିବେ ନାହିଁ । ମନ୍ଦିର ତ କେବେ ଖୋଲିବ ଜଣା ନାହିଁ । ମନ୍ଦିର ଖୋଲିଲେ କହି ଦେବା ମନ୍ଦିର ବନ୍ଦ ଥିବା ସମୟରେ କିଏ ଗହଣା ଚୋରି କରି ନେଇଛି । 


  ରାଜୁ ମନ୍ଦିରରେ ଲାଗି ଥିବା ସି.ସି. ଟିଭି କ୍ୟାମେରା ଦେଖି ଥିଲେ ମଧ୍ୟ ତା କାମ ବିଷୟରେ ଜାଣି ନଥିଲା‌‌ । ତେଣୁ ସେ ନନାଙ୍କ କଥା ଅନୁସାରେ କାମ କରିଥିଲା । ଆଉ ହୁଣ୍ଡି ଭଙ୍ଗା ଟଙ୍କା ଓ ଅଳଙ୍କାରକୁ ନେଇ ନନାଙ୍କୁ ଦେଇଥିଲା, ନନାଙ୍କଠୁ କିଛି ଟଙ୍କା ପାଇବା ଆଶାରେ । ସେ ଦିନ ଜେଲରେ ରାଜୁ ଠାରୁ ସବୁକଥା ଶୁଣି ପଲ୍ଲବୀ ତାଙ୍କର ଜଣେ ପୋଲିସ ବନ୍ଧୁଙ୍କ ସହାୟତାରେ ନନାଙ୍କୁ ଡରାଇଥିଲେ ଓ ମିଛରେ କହିଥିଲେ ତାଙ୍କର ଓ ରାଜୁର‌ ସବୁ କଥାବାର୍ତ୍ତା ମଧ୍ୟ ସି.ସି.ଟିଭିରେ ରେକର୍ଡ ହୋଇଛି । ଫଳରେ ନନା କେମିତି ରାଜୁକୁ ଶିଖାଇ ନିଜେ ଧରା ନପଡ଼ି ସବୁ ଅଳଙ୍କାର ପାଇଯିବେ ସେ କଥା ସ୍ୱୀକାର କରିଥିଲେ । ଆଉ ରାଜୁ ନିର୍ଦ୍ଦୋଷ ବୋଲି ପ୍ରମାଣିତ ହୋଇ ଥିଲା । ରାଜୁ ଭଳି ଗୋଟେ କୋମଳମୋତି ବାଳକକୁ ଶିଖାଇ ତା ମାଧ୍ୟମରେ ଅପରାଧ ଘଟାଇ ଥିବା ଅପରାଧରେ ନନା ଜେଲ୍ ଯାଇଥିଲେ । 


  ରାଜୁ ନିର୍ଦ୍ଦୋଷ ପ୍ରମାଣିତ ହେଲା ପରେ ସାବିକୁ ଲାଗିଲା ସତରେ ମାଆ ଦୁଆରଶୁଣି ତା ଡ଼ାକ ଶୁଣି ପଲ୍ଲବୀ ମାଡାମଙ୍କ ମାଧ୍ୟମରେ ତା ପୁଅକୁ ଉଦ୍ଧାର କଲେ । ସେଇଥିପାଇଁ ପରା କଥାରେ ଅଛି ଭକ୍ତକୁ ଉଦ୍ଧାର କରିବା ପାଇଁ ଭଗବାନ କୌଣସି ନା କୌଣସି ରୂପରେ ଆସନ୍ତି । ରାଜୁ ସିନା ଅଭାବରେ ପଡ଼ି ନନାଙ୍କ କଥାରେ ପଡ଼ି ମାଆଙ୍କ ଦେହରୁ ଅଳଙ୍କାର ଖୋଲିଥିଲା ହେଲେ ତା ମନରେ ମାଆଙ୍କ ପାଇଁ ଥିବା ଶ୍ରଦ୍ଧାକୁ ମାଆ ଠିକ୍ ଭାବରେ ଜାଣିଥିଲେ ‌ । ତେଣୁ ସେ ପଲ୍ଲବୀଙ୍କୁ ପଠାଇ ତାକୁ ଉଦ୍ଧାର କଲେ । ନହେଲେ ସାବି କିଏ ପଲ୍ଲବୀ କିଏ?ରାଜୁ ନିର୍ଦ୍ଦୋଷ ପ୍ରମାଣିତ ହେଲା ପରେ ସାବି ପଲ୍ଲବୀଙ୍କୁ ଧନ୍ୟବାଦ ଦେବାକୁ ଯାଇ ପଲ୍ଲବୀଙ୍କ ମୁହଁକୁ ଅନାଇବା ବେଳେ ତାକୁ ପଲ୍ଲବୀଙ୍କ ମୁହଁରେ ତାକୁ ମାଆ ଦୁଆରଶୁଣିଙ୍କ ମୁହଁଟା ଦିଶିଯାଉଥିଲା । ଆଉ ସେ ତାକୁ ମଣିଷ ନୁହେଁ ଜଣେ ଦେବୀ ପରି ଲାଗୁଥିଲେ । 



Rate this content
Log in

Similar oriya story from Inspirational