ଦେବୀ
ଦେବୀ
ରିକ୍ସାଟା ଆସିଲାନି। କେମିତି କଲେଜ୍ ଯିବ ଭାବୁଥିଲା ରଶ୍ମି। ବର୍ଷାର ପ୍ରାଦୁର୍ଭାବ ବଢ଼ି ଚାଲିଛି। ଭାରି ଅମାନିଆ ଏ ବର୍ଷା , ଗୋଟେ ଛୋଟ ପିଲାକୁ ବୁଝାଇଲେ ଯେମିତି ବୁଝେ ନାହିଁ , ଠିକ୍ ସେମିତି। ଅବିରତ ବର୍ଷିଚାଲିଛି। କେତେ ସମୟ ଆଉ ଅପେକ୍ଷା କରିବ... ସକାଳ ୮ଟାରେ ପ୍ରାକ୍ଟିକାଲ୍ କ୍ଲାସ୍ ଟା ଅଛି। ତେଣୁ ବ୍ୟସ୍ତ ହେଇ ପଡୁଥିଲା ସେ।
ମା' ଛତାଟିଏ ତା'ର ହାତକୁ ବଢାଇ ଦେଇ କହିଲେ ,"ପଇସା ନେଇ ଯା , ଅଟୋରେ ଚାଲିଯିବୁ।"
ଅଟୋଷ୍ଟାଣ୍ଡକୁ ଆସି ଦେଖିଲା ପୂରା ଖାଲି ଅଛି ଅଟୋ ଗୁଡିକ । ପାସେଞ୍ଜର୍ ହେବାଯାଏଁ ଅପେକ୍ଷା କରିବାକୁ ପଡିବ। ଅପେକ୍ଷା କରିବା ଛଡା ଗତି ଆଉ କିଛି ନାହିଁ। ଯା' ହେଉ ୧୦-୧୫ମିନିଟ୍ ଭିତରେ ଫୁଲ୍ ହୋଇଗଲା ଅଟୋଟି। ଆଶ୍ୱସ୍ତି
ଲାଗିଲା ତାକୁ। କିପରି କଲେଜ ଛକରେ ପହଞ୍ଚିବ ଭାବୁଥିଲା ସେ।
ଏଇ ଅଟୋ ସାଙ୍ଗରେ ତା'ର ଜମା ପଟେନି। ଇଆଡୁ ସିଆଡୁ ପୁଳେ ଲୋକ, ଉତ୍କଟ ମଦ ଗନ୍ଧରେ ମୁଣ୍ଡ ବିନ୍ଧା , ସେଥିରେ ପୁଣି ଯେଉଁ ଘଡଘଡ ଶବ୍ଦ... ଭାବନା ସବୁ ବିକ୍ଷିପ୍ତ ହୋଇଯାଏ ତା'ର। ରିକ୍ସାଟା ନ ଆସିଲେ ଯେତେ ଚିନ୍ତା ସବୁ ଦୁନିଆର ତା'ରି ଉପରେ ମାଡିପଡେ ଯେପରି। ସ୍ୱଳ୍ପ ଦରମାରେ ଘର ଚଳାଇ ବାପା ତା' ଇଛାକୁ ପୂରଣ କରିଛନ୍ତି ସିନା !!! ରିକ୍ସା ରିଜର୍ଭ ହୋଇଥିବାରୁ ଅଧିକ ପଇସା ବାପାଙ୍କୁ ଦେବାକୁ ପଡ଼େ। ସବୁ ଜାଣି ବି ସେ ଏଇ ଅଟୋରେ ଯାଇ ପାରେନି। ଭାବନା ନ ସରୁଣୁ ଅଟୋ ଆସି କଲେଜ ଛକରେ ଠିଆ ହୋଇଗଲା। ପଇସା ଦେଇ ଆଗକୁ ପାଦ ବଢାଇଲା।
ବର୍ଷା ବନ୍ଦ ହୋଇଗଲାଣି। ଛତା ଫିଟାଇବା ଆଉ ଦରକାର ନାହିଁ। ଏଇ ଛକରୁ ପ୍ରାୟ ୨କି:ମି ଚାଲିବାକୁ ପଡ଼େ। କଷ୍ଟ ଲାଗେ ଏତେ ବାଟ ଚାଲିବାକୁ। ଭାବୁଥାଏ କେହିଜଣେ ସାଙ୍ଗ ଦେଖାହୋଇଯଆନ୍ତା କି...ଏତେ କଷ୍ଟ ଲାଗନ୍ତାନି। ହେଲେ କେହି ଦେଖାଯାଉ ନଥିଲେ। ରାସ୍ତାରେ ବୁଲାକୁକୁର ଗୁଡାଏ ଖାଲି ଏପଟ ସେପଟ ହେଉଥିଲେ। ଆଉକିଛି ବାଟ ଗଲାପରେ ଜଣେ ଭଦ୍ରମହିଳା ପାଖଗଳିରୁ ବାହାରିଲେ। ସେ ରଶ୍ମି ସାଙ୍ଗରେ ପାଦ ମିଳାଇ ଚାଲିବାକୁ ଲାଗିଲେ। ମହିଳା ଜଣକ ମଧ୍ୟବୟସ୍କା , ସାଧାରଣ ବେଶଭୂଷା , ପୂରା ସୁନ୍ଦର ନହେଲେ ବି ଅସୁନ୍ଦର ନୁହେଁ। ମୁଣ୍ଡରେ ଚିକଚିକ୍ କରୁଛି ସିନ୍ଦୂର ଟୋପା , ଦାଉ ଦାଉ ହୋଇ ନିଆଁ ଭଳି। ପଚାରିଲେ--
-- କଲେଜ୍ ଯାଉଛ ??
-- ହଁ..., ଡେରି ହୋଇଗଲାଣି।
-- ଏତେ ସକାଳୁ କ୍ଲାସ୍ ଅଛି , ଖାଇକି ଆସିଛୁ ତ ମା' ?
-- ହଁ , ମୋ ମା' ଭୋରୁ ଉଠି ଭାତ କରି ଦିଅନ୍ତି। ଖାଇକି ଆସେ।
ସବୁ ମା' ମାନେ ବୋଧେ ଏମିତି। ପେଟ..., ଭୋକ..., ଖାଇବା... ଏଇସବୁ ଶବ୍ଦ ମାନଙ୍କ ସାଙ୍ଗରେ ଯେପରି ଜନ୍ମ ଜନ୍ମାନ୍ତରର ସମ୍ପର୍କ ସେମାନଙ୍କର।
ଆକାଶରୁ ବରକୋଳିଆ ଟୋପା ସବୁ ପୁଣି ବର୍ଷିବା ଆରମ୍ଭ ହୋଇଗଲା। ରଶ୍ମି ତାଙ୍କୁ ତା' ଛତା ଭିତରକୁ ଚାଲିଆସିବା ପାଇଁ କହିଲା। ଛତା ଭିତରକୁ ଆସି କହିଲେ-- ଭିଜିଯିବୁରେ ମା'...
---- ଆପଣ କୁଆଡେ ଯାଉଛନ୍ତି ଏ ବର୍ଷାରେ ??
---- ଚା' ପତି ଏଇ ପାଖ ଦୋକାନରୁ ଆଣିବାକୁ...ବର୍ଷା ପାଗଟା ତ ସେଥିପାଇଁ।
ଏ ଭିତରେ ବର୍ଷା ବନ୍ଦ ହୋଇଯାଇଥିଲା। କଲେଜ୍ ଠି ପହଞ୍ଚି ସାରିଥିଲା ରଶ୍ମି। ଛତା ବନ୍ଦ କରି କଲେଜ ଭିତରକୁ ପଶିଲା। ଠିକ୍ କଣ୍ଟାକଣ୍ଟି ଟାଇମ୍। ଯା'ହେଉ କ୍ଲାସ୍ ଆରମ୍ଭ ହେଇନଥିଲା। ବସିପଡ଼ିଲା ସେ ଏକ ଦୀର୍ଘଶ୍ୱାସ ନେଇ।
କଲେଜ୍ ଛୁଟି ହେଲା ପରେ ରଶ୍ମିର ଚିନ୍ତା ଗୁଡିକ ପୁଣି ଅଙ୍କୁରିତ ହୋଇଗଲେ। ଚାଲିବାକୁ ହେବ ପୁଣି ଏତେ ବାଟ ... କେହି ଜଣେ ଦେଖା ହୋଇ ଯାଆନ୍ତା କି ସକାଳ ଭଳିଆ !!! ଶରୀରଟା ବୋଝ ଲାଗନ୍ତାନି। ନାଇଁ... ତାକୁ ଚାଲିବାକୁ
ପଡ଼ିବ। ଲକ୍ଷ୍ୟସ୍ଥଳରେ ପହଞ୍ଚିଗଲେ ଯେତେସବୁ ଚିନ୍ତାର ପରିସମାପ୍ତି ଘଟିବ।
---- ରଶ୍ମି , ଏ ରଶ୍ମି....ଆରେ ଶୁଣ୍ ତ।
ତାକୁ କେହି ପଛରୁ ଡାକୁଛି ??? ନାଁ...ଏଇଟା ତା'ର ଭ୍ରମ।
ନାଇଁ... କେହି ଜଣେ ଡାକିଲା। ବୁଲିପଡ଼ି ଅନାଇ ଦେଖେ ତ ...ସୁ୍ରଭି ଅପା। ଏଇ କଲେଜରେ ଲେକ୍ଚରର୍ ଅଛନ୍ତି। ତା' ଘରଠୁ କିଛି ଦୂରରେ ସୁରଭି ଅପାଙ୍କ ଘର। ତା'ସାଙ୍ଗରେ ରିକ୍ସାରେ କଲେଜ୍ ଆସନ୍ତି। ସେଇଠି ଠିଆ ହୋଇଗଲା ସେ , ତା' ନିକଟରେ ପହଞ୍ଚିବା ପର୍ଯ୍ୟନ୍ତ।
---- ତୁ ସକାଳେ କଲେଜ୍ ରୋଡ୍ ରେ ଆସିଲା ବେଳେ ପଛ ଅଟୋରୁ ଓହ୍ଲାଇଲି ମୁଁ। ତରତର ଥିଲୁ , ଡାକିଲିନି। ସେଇ ସ୍ତ୍ରୀ ଲୋକଙ୍କୁ ଚିହ୍ନିଲୁ କେମିତି ??
--- ସେଇ ବରଗଛ ଥିବା ପାଖ ଗଳିରୁ ବାହାରିଲେ। ବାସ୍ !!
ତା'ପରେ ଚିହ୍ନା ପରିଚୟ।
--- ନାଇଁ , ତା' ସାଙ୍ଗରେ ଆଉ କଥା ହେବୁନି। ଭଲ ନୁହେଁ ସେ ସ୍ତ୍ରୀ ଲୋକ... ପ୍ରଷ୍ଟିଚ୍ୟୁଟ୍ ଜଣେ।
ରଶ୍ମି ଭାବୁଥିଲା-- କ'ଣ ହେଲା ଯେ କଥା ହୋଇଗଲେ... କେତେ ସୁନ୍ଦର ତା' ମା'ଙ୍କ ଭଳି 'ଖାଇକି ଆସିଚୁ ତ ମା'... ବୋଲି ପଚାରିଲେ...!
ଅଟୋଷ୍ଟାଣ୍ଡକୁ ଆସି ଦୁଇ ଜଣ ଯାକ ସାଂଗ ହୋଇ ଘରକୁ ଫେରିଲେ। ଘରେ ପହଞ୍ଚି ଖାଇସାରି ସେ ସ୍ତ୍ରୀ ଲୋକଙ୍କ ବିଷୟରେ ଭାବୁ ଭାବୁ କେତେବେଳେ ଆଖି ଲାଗିଯାଇଛି, ଆଉ ଆଖି ଫିଟିଲା ବେଳକୁ ସକାଳ ୬ଟା ବାଜିଲାଣି।
କଲେଜ୍ ଯିବାପାଇଁ ବାହାରିବା ବେଳକୁ ରିକ୍ସା ଆସି ଦୁଆର ମୁହଁରେ ବେଲ୍ ବଜେଇଲା। ଆଶ୍ୱସ୍ତି ଲାଗିଲା ତାକୁ। ଓହୋଃ , ଅଟୋର ଝିଞ୍ଜଟ୍ ରୁ ମୁକ୍ତି ମିଳିଗଲା। ଆଗକୁ ଫାଇନାଲ୍ ପରୀକ୍ଷାଟା ଅଛି। ଅଚିନ୍ତାରେ ପଢ଼ିହେବ।
ଯେତେବେଳେ ପାଠସବୁ ବୁଝାପଡନ୍ତିନି ନା...ଭାରି ବିରକ୍ତ ଲାଗେ ଠିକ୍ ଅଡ଼ୁଆ ସୂତା ଖିଅ ଭଳି। ଆଗକୁ ପଢିହେଉନି ଆଉ। ସାର୍ ଙ୍କ ଘରକୁ ଯାଇ ବୁଝିଆସିଲେ ହୁଅନ୍ତା ଭାବି ବାହାରିଲା। କିନ୍ତୁ ଆଜି ତ ରିକ୍ସା ଆସିବନି... ଅଟୋରେ ଯିବାଛଡା ଆଉ କିଛି ଗତି ନାହିଁ ଭାବି ଅଟୋଷ୍ଟାଣ୍ଡ୍ ଆଡ଼କୁ ପାଦ ବଢାଇଲା। ଯା'ହେଉ ଶୀଘ୍ର ଫୁଲ୍ ହୋଇଗଲା ଅଟୋ।
କଲେଜ୍ ଛକରେ ପହଞ୍ଚି ପଇସା ଦେଇ ଆଗକୁ ପାଦ ପକାଇଲା। ଇସ୍ !!! କେତେ ଖରା ହେଉଛି... ଛତାଟା ତ ସେ ଆଣିନାହିଁ। ଦ୍ୱିପ୍ରହର ସମୟ। କଷ୍ଟ ଲାଗିବ ଏତେବାଟ ଚାଲିବାକୁ। ଭାବନା ସବୁକୁ ସ୍ଥଗିତ କରି ଆଗକୁ ଆଗକୁ ବଢ଼ିବାରେ ଲାଗିଲା। ଖରାବେଳଟା, ରାସ୍ତାସବୁ ନିଛାଟିଆ ଲାଗୁଥିଲା। କିଛିବାଟ ଗଲାପରେ ପଛରୁ ସାଇକେଲ୍ ବେଲ୍ ବଜାଇବାର ଶବ୍ଦ ଶୁଣି ସେ ସାଇଡ୍ ହୋଇଗଲା। ପଛକୁ ଅନାଇ ଦେଖେ ତ କାଳିଆ କିଟିକିଟି ପିଲାଟେ ପାନ ଚୋବାଇ ପାଟି ଲାଲ୍ କରି ପିଲାଟେ ସାଇକେଲ୍ ଚଲାଇ ଆସୁଛି। ଦାନ୍ତ ଦି'ଧାଡି ଦେଖାଇ ହସିଦେଲା ତାକୁ ଅନାଇ। ଜହ୍ନି ମଞ୍ଜି ଭଳି ରଙ୍ଗକୁ ଲାଲ୍ ପାନଖିଆ ଦାନ୍ତ... ଭାରି କଦର୍ଯ୍ୟ ଦେଖା ଯାଉଥିଲା। ଚିହ୍ନା ମୁହଁ ତ କାଇଁ ଲାଗୁନି !!! ତେବେ ହସିଲା କାହିଁକି ??? କିଛି ଭାବି ପାରିଲାନି ସେ...ଆଗକୁ ଆଗକୁ ପାଦ ପକାଇଲା। ରାସ୍ତା ପୂରା ନିଛାଟିଆ। ଦୁଇ କଡ଼ରେ ଖାଲି ଗଛ ଆଉ ପଡିଆ ଜମି ସବୁ। ଗୋଟେ ବି ଘର ନାହିଁ ଏଇଠି। ଆଗକୁ କିଛି ବାଟ ଗଲାପରେ ଯାଇ ଗୋଟେ ଗଳି। ଘର ସବୁ ଅଛି ସେଇ ଗଳିରେ। ସେତିକି ପର୍ଯ୍ୟନ୍ତ ଗଲେ ସିନା... ଭାରି ଭୟ ଲାଗୁଥିଲା ତାକୁ। ଜୋର୍ ଜୋର୍ କରି ଚାଲିବାକୁ ଲାଗିଲା ସେ। ପିଲାଟା ତା' ପାଖାପାଖି ପହଞ୍ଚି ଗଲାଣି ଯେ...
ଚମକି ପଡ଼ି ଅନାଇଲା ତାକୁ ଏକ ଭୀତତ୍ରସ୍ତ ହରିଣୀ ଭଳି , ଯେତେବେଳେ ସେ ଏକ ପ୍ରଶ୍ନ କଲା---
---- କୁଆଡେ ଯାଉଛ ??
---- କଲେଜ...
---- ଆଜି ତ କଲେଜ୍ ନାହିଁ।
---- ନାଇଁ , ମୁଁ କିଛି ବୁଝିବାକୁ ଯାଉଛି ସାର୍ ଙ୍କ ପାଖକୁ।
ପିଲାଟି ସାଇକେଲରୁ ଓହ୍ଲାଇ ପଡ଼ି ପାଖକୁ ଲାଗି ଆସି ସାଇକେଲରେ ବସି ତା ସାଙ୍ଗରେ ଯିବାପାଇଁ କହିଲା। ରଶ୍ମି ପିଲାଟିର ଉଦ୍ଦେଶ୍ୟକୁ ଠିକ୍ ବୁଝିପାରିଲା। କିଛି ଉତ୍ତର ନଦେଇ ଆହୁରି ଜୋରରେ ଚାଲିବାକୁ ଲାଗିଲା। ସେ ପିଲାଟି ଆଉକିଛି କହିବା ପୂର୍ବରୁ ଗଳିପାଖ ହୋଇ ଯାଇଥିଲା।ଯୋଗକୁ ସେ ଭଦ୍ରମହିଳା ବାହାରୁଥିଲେ ଗଳି ଭିତରୁ। ସେ ବୋଧେ ତା ମୁହଁରୁ କିଛି ଜାଣିପାରିଲେ। କହିଲେ ,"ମା'ରେ ବହିଟା ଛାଡ଼ି ଯାଇଛୁ ସେଦିନ। ଚାଲ୍ ନେଇ ଆସିବୁ।" ରଶ୍ମି ବୁଝି ପାରିଲା ଇଙ୍ଗିତରେ ତାଙ୍କ କଥାକୁ। ହଁ...ଆଣ୍ଟି ଚାଲନ୍ତୁ କହି ତାଙ୍କ ସାଙ୍ଗରେ ଗଳି ଭିତରକୁ ପଶିଗଲା। ପିଲାଟି ଚୁପଚାପ୍ ସାଇକେଲରେ ବସି ଚାଲିଗଲା। ରଶ୍ମି ଦୀର୍ଘଶ୍ୱାସ ନେଇ ତାଙ୍କ ଘରୁ ପାଣିଗ୍ଲାସ୍ ଟେ ଢକଢକ କରି ପିଇଦେଲା।ଯାଉଛି ଆଣ୍ଟି ଆଉ ଦିନେ ନିଶ୍ଚିତ ଆସିବି କହି କଲେଜ୍ ମୁହାଁ ହେଲା। ରଶ୍ମି ଭଗବାନ୍ ଙ୍କୁ ଧନ୍ୟବାଦ ଦେବ କ'ଣ ... ଏଇ ମହୀୟସୀ ମହିଳାଙ୍କୁ କୋଟି ପ୍ରଣାମ କରୁଥିଲା ତା' ଆତ୍ମାରୁ ... ହୃଦୟରୁ।
ରଶ୍ମିର ଫାଇନାଲ୍ ପରୀକ୍ଷା ସରିଲାଣି। ମନ ଓ ମସ୍ତିଷ୍କରେ ବାରଂବାର ଗୋଟିଏ ପ୍ରଶ୍ନ ତାକୁ ଆନ୍ଦୋଳିତ କରୁଥିଲା। ସେ ଭଦ୍ରମହିଳା କେତେ ସୁନ୍ଦର ତା' ମା'ଙ୍କ ଭଳି ସ୍ନେହ ବୋଳା କଥାବାର୍ତ୍ତା କରୁଥିଲେ। କ'ଣ ପାଇଁ ସେଦିନ ସୁରଭି ଅପା ମନାକଲେ କଥାବାର୍ତ୍ତା କରିବାକୁ ?? ସମ୍ମାନ ହାନି ଭୟରେ ... ସେଦିନ ଦ୍ୱିପ୍ରହର ବେଳେ ସେ ନଥିଲେ ଆଜି କି ସମ୍ମାନ ଥାଆନ୍ତା ଯେ ତା'ର ?? ଯେଉଁ ସମାଜ ତାଙ୍କୁ ଘୃଣ୍ୟ ଚକ୍ଷୁରେ ଦେଖୁଛି ତାଙ୍କ ଲାଗି ତ ସେଦିନ ନିରାପଦରେ ସେ ଘରକୁ ଫେରିପାରିଲା। ମା'ଙ୍କୁ ଘରେ ଯାଇ ଜଣାଇଥିଲା। ମା' କହିଲେ ,"କେଉଁ ପରିସ୍ଥିତିରେ ଜୀବନ କାହାକୁ କୁଆଡେ ଟାଣିନିଏ କହିହେବନି। ଅବସ୍ଥା ଚକ୍ରରେ ପଡ଼ି ହୁଏତ ସେ କ'ଣ କରିଥାଇପାରନ୍ତି।"
ହଁ ...ମା' ଯାହା କହୁଛନ୍ତି ଠିକ୍ ହେଇଥିବ ବୋଧେ। କିନ୍ତୁ ଥରେ ଯାଇ ଆଣ୍ଟିଙ୍କୁ ପଚାରିଲେ ତ ସବୁ ପ୍ରହେଳିକାର ପରିସମାପ୍ତି ଘଟନ୍ତା !!!
ଆଜି ରବିବାର। ରିକ୍ସାକୁ କହିଛି ଆସିବାକୁ। ଠିକ୍ ସମୟରେ ରିକ୍ସା ଆସି ପହଁଚିଲା। ରିକ୍ସାରେ ବସି ସେଇ ଆଣ୍ଟିଙ୍କ ଘରଠି ପହଞ୍ଚାଇବାକୁ କହିଲା। ଦୁଆର ମୁହଁରେ ପହଞ୍ଚି କଲିଂବେଲ୍ ମାରିଲା। ଆଣ୍ଟି କବାଟ ଖୋଲି ହସହସ ମୁହଁରେ ଭିତରକୁ ଡ଼ାକିନେଲେ। ଶୁଭ୍ର ଶାଢ଼ୀ ପରିଧାନ ସାଙ୍ଗକୁ ମୁଣ୍ଡର ସିନ୍ଦୂର ଟୋପାଟିରେ ସେ ଦେବୀ ଭଳି ଲାଗୁଥିଲେ।
ଝରକାର ଧଳା ପରଦାଟି ଆଡେଇ ତାକୁ ପାଖରେ ପଡିଥିବା ଏକ ଚେୟାରରେ ବସିବା ପାଇଁ କହିଲେ ସେ। ଛୋଟିଆ ଛୋଟିଆ ଦୁଇଟି ରୁମ୍। ବଡ଼ ରୁମ୍ ଟି ସବୁକିଛିର ସମ୍ମିଶ୍ରଣ ଥିଲା...ମାନେ ରୋଷେଇ, ଖାଇବା ପିଇବା, ବସାଉଠା ଇତ୍ୟାଦି। ରୋଷେଇ ପାଖାପାଖି ସିଲେଇ ମେସିନ୍ ଟିଏ ଅଛି। ତା' ପାଖକୁ ଲାଗି ଅତି ଛୋଟ ରୁମ୍ ଟେ , ଯେଉଁଠି ଏକ ବୃଦ୍ଧ କଙ୍କାଳସାର ଲୋକଟିଏ ଶୋଇ ରହିଛି। ପାଖରେ ଆଉ ଗୋଟେ ଛୋଟ ରୁମ୍ , ବାଥରୁମ୍ ବୋଧେ। ଗୋଟେ ପ୍ଲେଟ୍ ରେ ବିସ୍କୁଟ ୪ଖଣ୍ଡ ଦେଇ ଚା' ବସାଇଲେ ଗ୍ୟାସ୍ ରେ। ଛୋଟିଆ ଗ୍ୟାସ୍ ଚୁଲାଟିଏ। ଚା' ଦୁଇ କପ୍ ଥୋଇଦେଇ ମୋ ପାଖରେ ଆସି ବସିଲେ।
ରଶ୍ମି ମନରେ ଉଙ୍କି ମାରୁଥିବା ପ୍ରଶ୍ନସବୁ ଜିଭ ଅଗକୁ ଆସି ପୁଣି ଫେରିଯାଉଥିଲେ। ତା' ମୁହଁର ଭାବନା ଗୁଡିକୁ ସେ ଅନାୟାସରେ ପଢିପାରିଲେ ବୋଧେ।
---- କ'ଣ ପଚାରିବୁ ବୋଲି ଭାବୁଛୁ କିରେ ମା' ?
---- ଟିକେ ଛେପ ଢ଼ୋକି... ଯାହା ଶୁଣୁଛି ସବୁ ଆପଣଙ୍କ ନାଁରେ ସେ ସବୁ କ'ଣ ସତ୍ୟ ??
ଟିକେ ବି ବିଚଳିତ ନ ହୋଇ ଦୃଢ଼ ଓ ସ୍ପଷ୍ଟ ଭାବରେ ସେ କହିଲେ ,"ହଁ ରେ ମା' ସବୁ ସତ୍ୟ। ସେ ପଟ ରୁମ୍ ରେ ଯିଏ ଶୋଇଛନ୍ତି ସେ ମୋ ସ୍ୱାମୀ ତପନ୍। ଆଜି ଯାହାପାଇଁ ଏ ସମାଜ ମୋତେ ଘୃଣ୍ୟ ଚକ୍ଷୁରେ ଦେଖୁଛି ତା'ର କାରଣ ଏଇ ମୋ ସ୍ୱାମୀ... ଯାହାକୁ ସମାଜ କୁହେ ନାରୀର 'ଇହ ଆଉ ପରକାଳର ଦେବତା'। ଯାହା ହାତଧରି ବାହାହୋଇ ଆସିଲି , ରକ୍ଷକ ହେବା ପରିବର୍ତ୍ତେ ଭକ୍ଷକ ସାଜିଲା ସେ। ବିଗତ ୬ମାସ ଧରି ଶେଯରେ ପଡ଼ିରହିଛନ୍ତି। ମୋ କର୍ତ୍ତବ୍ୟ ମୁଁ କରୁଛି , କେବଳ ଭଗବାନଙ୍କୁ ଡାକୁଛି ଭଲରେ ଭଲରେ ଆଉ କଷ୍ଟ ନପାଇ ଚାଲିଯାଆନ୍ତୁ। ପୁଅଟିଏ ଅଛି ମୋର।ଭଲ ପଢେ ବୋଲି ତାକୁ ବାହାରେ ହଷ୍ଟେଲରେ ରଖି ପଢାଉଛି। ସିଲାଇ କରି ଘର ଚଳାଉଛି। କିଛି ଲୋକ ସିଲାଇ କରିବାକୁ ଦିଅନ୍ତି , ଆଉ କିଛି ଲୋକ ଘୃଣା କରି ଆଡ଼େଇ ହୋଇ ଯାଆନ୍ତି।"
ଯେତେବେଳେ ୧୫ବର୍ଷର ହୋଇଥିଲି ମୋ ମା' ମୋତେ ବାହାଘର ଦେଇଥିଲା। ତପନ୍ ରିକ୍ସା ଚଲାଉଥିଲା...ଆଉ ଆଗକୁ କିଛି ଶୁଣିବାକୁ ଇଛା ନଥିଲା ରଶ୍ମିର। ଏକ ମା'ର ଚରିତ୍ର, ଶରୀର , ମନ ଆଉ ହୃଦୟ ଆଉଥରେ କ୍ଷତାକ୍ତ ହେବାକୁ ଚାହୁଁନଥିଲା ସେ। ରଶ୍ମି ମନରେ ଉଙ୍କି ମାରୁଥିଲା ଏକ ପ୍ରଶ୍ନ--
--- ଦେବୀ ପୂଜାରେ ମା' ଦୁର୍ଗାଙ୍କ ପାଇଁ ଏଇ ଦ୍ଵାରରୁ ମାଟି କାହିଁକି ନିଆଯାଏ ??? ସେତେବେଳେ ଏ ସମାଜ ପାପ ପୂଣ୍ୟର ହିସାବ ତ କାଇଁ ରଖେନି !!!
ନାଁ... ଆଉ କିଛି ଶୁଣିବା ଦରକାର ନାହିଁ। ସେଦିନର ଘଟଣା ପରେ ଆଉ କ'ଣ ମଣିଷ ଚିହ୍ନିବା ବାକି ରହିଲା !!!
ରଶ୍ମିର ମନରେ ଓ ହୃଦୟରେ ସବୁବେଳ ପାଇଁ ସେ ଦେବୀ ହୋଇ ରହିଗଲେ। ତାଙ୍କ ପାଦଧୂଳି ନେଇ ମୁଣ୍ଡରେ ମାରି ବାହାରିଲା ବେଳକୁ ରିକ୍ସା ଆସି ବେଲ୍ ବଜେଇଲା। ରିକ୍ସାରେ ବସି ଫେରିବାବେଳକୁ ଛଳଛଳ ଆଖିରେ ହାତ ହଲାଉଥିଲେ ସେ !!!
