ଡୋରି ଲାଗିଛି
ଡୋରି ଲାଗିଛି
ଭୁବନେଶ୍ୱର ଜଟଣୀ, ସେଞ୍ଚୁରିୟନ ୟୁନିଭରସିଟିରେ ଆମେ ଟ୍ରେନିଂ ନେଉଥିଲୁ ସେ ସମୟର କଥା ।
ସେଠୁ ପୁରୀ କମ୍ ସମୟର ବାଟ । ଟ୍ରେନରେ ଗଲେ ଅଧ ଘଣ୍ଟେର ବାଟ । ତେଣୁ ଆମେ ଛଅ ଜଣ ସ୍ଥିର କଲୁ ଟ୍ରେନରେ ପୁରୀ ଯିବାକୁ । ସକାଳୁ ନିତ୍ୟକର୍ମ ସାରି ଗାଧୋଇ ପାଧୋଇ ରେଡ଼ି ହୋଇଗଲୁ । ଆମ ଭିତରୁ କେବଳ ଦୁଇଜଣ ହିଁ ଟ୍ରେନରେ ଯିବା ଆସିବା କରିଛନ୍ତି ଆଗରୁ । ଜଣେ ଅନ୍ତ ଆଉ ଜଣେ ଜଗା । ଜଗା ଯିଏ ସେ ଲୋକାଲ୍ ଟୋକା ତା ଘର ସେଇ ଜଟଣୀରେ ।
ହନୁମାନ ଛକରୁ ଗୋଟେ ଅଟୋ ଧରିଲୁ ଷ୍ଟେସନକୁ ଜଣକ ପନ୍ଦର ଟଙ୍କା ଲେଖା ନେଲା । ଅଟୋରୁ ଓହ୍ଲେଇ ସିଧା ପ୍ଲାଟଫର୍ମ ଭିତରକୁ ପସିଗଲୁ । ଜଣେ ଟିଟିଇରେ ପଚାରି ଦେଲେ କୁଆଡେ ? ସେ ଦାଗୀ ଆସାମୀମାନଙ୍କୁ ଦେଖିବା ପରି ଆମକୁ ଚାହିଁଲା । ତାପରେ କହିଲା ଟିକେଟ ନାଇଁ ପ୍ଲାଟଫର୍ମ ଭିତରେ କଣ ପାଇଁ ପଇଚ ?
ଆମେ ଡରିଗଲୁ । ତେବେ ବଡ଼ ଭୁଲଟାଏ ହୋଇ ଯାଇଛି ଅଜାଣତରେ ତେବେ ।
ଆମେ କହିଲୁ, ସାର୍ ଆମେ ଟ୍ରେନରେ ଆଗରୁ ଯାଇନୁ । ତେଣୁ, ସରି ସାର୍ ଭୁଲ ହୋଇ ଗଲା ।
ସରି ଫରି କିଛି ନାଇଁ ଫାଇନ୍ ଦିଅ ଜଣକା ପାଁସ ଲେଖା ।
ଆମେ ସବୁ ମୁଣ୍ଡରେ ହାତ ଦେଲୁ, କଣ କରିବୁ ଏବେ ? ଫସିଗଲୁ ଭଲକି ଏଠି ।
ଅନ୍ତକୁ ଫୁସ୍ ଫାସ୍ କରି ବହେ ଗାଳି ଦେଲୁ। ଶଳା ତୁତ ଆଗରୁ ଟ୍ରେନରେ ଯାଇଛୁ । କହିଲୁନି ? ଏପଟେ ଆସିଲେ ଫାଇନ୍ ଦେବାକୁ ପଡେ ବୋଲି । ସେ କୁଁ କୁଁ ହୋଇ କହିଲା ମୁଁ କଣ ଜାଣିଛି ଏଠି ଏମିତି ବୋଲି ?
ତାପରେ ସେ ଟିଟିଇ କଡ଼ା ସ୍ୱରରେ କହିଲା, କଣ ଭାବୁଛ ଜଲଦି ଫାଇନ୍ ଦିଅ ।
ସେ ଟିଟିଇର ଡେରି ହୋଇଯାଉଥିଲା ବୋଧେ ଆଉ ଜଣେ ଟିଟିଇକୁ ଆମକୁ ଜିମା ଦେଇ ପଳେଇଲା ।
ତାଠାରୁ ଇଏ ବି ମହା ହିସାବୀ ସେଠି କିଛି ଆଲୋଚନା ନକରି ସିଧା ତାଙ୍କ ଅଫିସକୁ ନେଇଗଲା । ସେଠି କଣ କାଗଜ ଦେଖି କାଲକୁଲେଟରରେ ହିସାବ କଲା ତାପରେ ଆମ ମୁହଁକୁ ଚାହିଁ କହିଲା, ଜଣକା ପାଞ୍ଚ ଶହ ଷାଠିଏ ଟଙ୍କା ଲେଖା ବାହାର କର ।
ଆମେ ତା ପାଖରେ କାକୁତି ମିନତି ହେଲୁ ଆମ ଆଇଡି ବି ଦେଖାଇଲୁ । ସାର୍ ଆମେ ଜାଣିନୁ ଭୁଲରେ ହୋଇଗଲା ଏମିତି ଭୁଲ ଆଉ କେବେ ହେବନି ସରି ସାର୍ । ଏଇ ଦେଖନ୍ତୁ ଆମ ଆଇଡି ଏଇ ସେଞ୍ଚୁରିୟନରେ ଆମେ ଟ୍ରେନିଂ ନେଉଛୁ । ସରି ସାର୍ । ଆମ ପାଖରେ ବି ଏତେ ପଇସା ନାହିଁ ପ୍ଲିଜ୍ ସାର୍ ।
ସେ ସ୍ୱରକୁ ଆଉ ଟିକେ କଡ଼ା କରି କହିଲା, ଦେଖ ସେ ଆକ୍ଟିଂ କରନି ପୋଲିସକୁ ଡାକିଲେ କଣ କଥାଟା ଭଲ ହେବ ? ଭଲରେ ଭଲରେ ପଇସା ଦେଇଦିଅ ।
ଆମେ ଖାଲି କଣ କରିବୁ ଭାବୁଥାଉ, ଆଉ ଜଣେ ଛେରୁଆ ସାଙ୍ଗଟେ ଆମର ସେ ଟିଟିଇର ଗୋଡ଼ ଧରି ପକେଇଲାଣି ସେତେବେଳେକୁ, ସେ କୁଁ କୁଁ ହୋଇ କଣ କହୁଥାଏ କିଛି ବୁଝା ପଡୁ ନଥାଏ ।
ଆମେ ତାକୁ ଦେଖି ହସିବୁ ନା କାନ୍ଦିବୁ କିଛି ବୁଝି ପାରିଲୁନି । ତାପରେ ଆମ ସାଙ୍ଗ ଜଗାଗୁ ଫୋନ୍ କଲୁ ଯିଏ ଲୋକାଲ ଟୋକା ସେଠିକାର । ସେ କିଛି ସମୟ ପରେ ଆସିଲା ବହୁତ କଥାବାର୍ତ୍ତା ଯୁକ୍ତିତର୍କ ବୁଝାସୁଝା ପରେ । ନାଇଁ ନାଇଁ କରି ଶେଷକୁ ଆମ ପ୍ରତି ତାର ଦୟା ହେଲାକି କଣ ଛାତ୍ର ଭାବି ବୋଧେ ଆମ ପାଖରୁ ଶହେ ଟଙ୍କା ନେଇ ଛାଡ଼ି ଦେଲା । ଗୋଟେ ବଡ ଗ୍ରହ କଟିଗଲା ଭାବି ଈଶ୍ୱରଙ୍କୁ ଧନ୍ୟବାଦ ଦେଲୁ ।
ତାପରେ ଟିକେଟ କାଉଣ୍ଟରକୁ ଯାଇ ଟିକେଟ କାଟିଲୁ । କାଟିଲୁ ମାନେ ସେ ଦୁହେଁ କାଟିଲେ ଜଗା ଆଉ ଅନ୍ତ । ଆମେ ଖାଲି ତାଙ୍କୁ ଦେଖୁଥାଉ । ସେ ଯୁଆଡେ ଚାଲିଥାନ୍ତି ଆମେ ତାଙ୍କୁ ଅନୁସରଣ କରୁଥାଉ । ଆଗକୁ କିଛି ଯେମିତି ଭୁଲ ଭଟକା ନହେଉ ସେଥିପ୍ରତି ବେଶ୍ ଯତ୍ନବାନ ରହିବା ପାଇଁ ସେ ଦୁହିଁଙ୍କୁ ଆଗୁଆ କହି ଦେଇଥାଉ ।
ଗୋଟେ ଟ୍ରେନ ଆସିଲା କିଛି ସମୟ ପରେ । ଆମ ପାଇଁ ଏଇ ଟ୍ରେନ କି ନୁହଁ । ସେଥିପାଇଁ ପ୍ରଥମେ ଦୋ ଦୋ ପାଞ୍ଚ ହେଲୁ ତାପରେ ନିଶ୍ଚିତ ହୋଇ ଚଢିଲୁ ।
ଟ୍ରେନଟି ପନ୍ଦର କୋଡ଼ିଏ ମିନିଟ୍ ଭଳି ଚାଲିଛି ଜଗା ବାହାରକୁ ଚାହିଁ ହଠାତ୍ କହିଲା, ଆରେ ପୁରୀ ତ ସେପଟକୁ ବୁଲିବା କଥା ଇଏ କ'ଣ ଏପଟକୁ ଆସିଲା ?
ତାପରେ ଜଣେ ଭଦ୍ରବ୍ୟକ୍ତି ପେପର ପଢୁଥିଲେ ତାଙ୍କୁ ପଚାରିଲୁ । ଭାଇ ଏଇଟା ପୁରୀ ଯିବ ନାଁ ?
ସେ ମନା କରି କହିଲେ, ନାଇଁ ଏଇଟା ନୟାଗଡ଼ ଯିବ ।
ଦେ ମୁଣ୍ଡରେ ହାତ, ଏବେ କ'ଣ କରିବୁ ଗାଡିରୁ ଡେଇଁବୁ ନା ନୟାଗଡ଼ ଯିବୁ ?
କଣ କରିବୁ କିଛି ବୁଝିବା ପୂର୍ବରୁ ହିଁ ଟ୍ରେନଟି କିଛି ସମୟ ପରେ ଗୋଟେ ଛୋଟ ଷ୍ଟେସନରେ ରହିଲା । ଆମେ ଆଗ ପଛ ନଭାବି ସିଧା ଓହ୍ଲେଇ ପଡିଲୁ । ଟ୍ରେନ୍ ଯାଇଥିବା ରାସ୍ତାରେ ପଛକୁ ଚାଲିଲୁ । ଟ୍ରେନ୍ ଲାଇନ୍ ଉପରେ ଚାଲୁଥାଉ ମନ ଖରାପ୍ ପୁରା ପିତା ହୋଇଗଲା । ସକାଳୁ ଗାଧୋଇ ପାଧୋଇ ଫ୍ରେସ୍ ହୋଇ ବାହାରିଥିଲୁ କୁଆଡେ ଏଠି ହେଲା କଣ, ପୁଣି ଯୋଜନା ପନ୍ଦର ଦିନ ଆଗରୁ କରା ଯାଇଥିଲା । ଟ୍ରେନ୍ ଲାଇନରେ ଚାଲୁଥାଉ ବସୁଥାଉ ଫଟୋ ଉଠୋଉଥାଉ । ପରସ୍ପରକୁ ଅଯଥା ଦୋଷ ଦେଇ ଆକ୍ଷେପ କରୁଥାଉ ।
ମୁଁ ପଚାରିଲି ଆଛା ଏ ଟ୍ରେନ ଟିକେଟରେ କେତେ ବେଳ ଯାଏଁ ଯାଇ ପାରିବ ?
ଜଗା କହିଲା, ଟିକେଟ କାଟିବାର ବାର ଘଣ୍ଟା ଭିତରେ ଯାଇ ପାରିବ । ଆଛା ପୁଣି ଫେରି ଟ୍ରେନରେ ଯିବା ନାଁ ପୁରୀ ? ସମସ୍ତଙ୍କ ମନ ବୋଧେ ଦରଭଙ୍ଗା ହୋଇ ସାରିଲାଣି ସେତେ ବେଳକୁ ।
କହିଲେ, ଧେତ୍ ଆଗ ପହଞ୍ଚ ତ ସେଠି । ଛ
ାଡ ଯୋଗ ନାଇଁ ଆଜି ଡୋରି ଲାଗିନି ଲାଗୁଛି, ଡୋରୀ ଲାଗିଲେ ଯେମିତି ହେଲେ ଯାଇ ତମେ ପହଞ୍ଚିବ ।
ସେ ଡୋରି ଫୋରି କଥା ମାର ଗୁଲି ସବୁ ବେକାର କଥା । ତମ ଭୁଲରୁ ତମେ ଯାଇ ପାରିଲନି । ଠାକୁରକୁ କାଇଁ ଦୋଷ ଦେଉଛ ? ଛାଡ ଆଜିକି ଦିନ ବେକାର ଗଲା ଅଯଥା ସମୟ ନଷ୍ଟ ଟିକେଟ ପଇସା ପାଣିରେ ଗଲା । ଛାଡ ..... ।
ଟ୍ରେନ୍ ଲାଇନ୍ ପରେ ତଳକୁ ଗଡ଼ି ପହଞ୍ଚିଲୁ ଗୋଟେ ପିଚୁ ରାସ୍ତାରେ । ସେଠି ଟିକେ ରେଷ୍ଟ ନେଲୁ ।
ଜଗା ଆମ ସାମ୍ନାରେ ଦୁଇଟି ରାସ୍ତା ରଖିଲା । ଯଦି ଏପଟ ଯିବ ସିଧା ମେନ୍ ରାସ୍ତାକୁ ଉଠି ଜଟଣି ଯିବା ଆଉ ଯଦି ଏ ରାସ୍ତାରେ ସିଧା ଯିବ ତେବେ ପୁରୀ । କଣ କରିବା କୁହ ?
ଆଗ ପଛ ହୋଇ ଶେଷରେ ନିଷ୍ପତ୍ତି ହେଲା ପୁରୀ ଯିବାକୁ ।
ହେଲେ କୋଉଥିରେ ଯିବୁ ? ଇଏତ ମେନ୍ ରୋଡ଼ ନୁହେଁ ଯେ ଗାଡ଼ି ପଛକୁ ପଛ ମିଳି ଯିବ । କାଁ ଭାଁ ଗାଡ଼ି ଗୋଟେ ଅଧେ ଯାଉଛି ।
ଦୁଇଟା ତିନିଟା କାର୍ ଗଲା ହାତ ଦେଖେଇବାକୁ ସାହସ ହେଲାନି । କାଳେ କୋଉ ଭିଆଇପି ଯାଉଥିବ । କେତେ ସମୟ ପରେ ଗୋଟେ ଚାରି ଶହ ସାତ ଆସିଲା, ପଛରେ ତା'ର ଗୋଡ଼ି ଭର୍ତ୍ତି । ହାତ ଦେଖେଇଲୁ ସେ ଅଟକିଲା ।
ଆମ ଛଅ ଜଣକୁ ଦେଖି ସେ ବାଣ୍ଟି ଦେଲା । ତିନି ଜଣ ଡାଲାରେ ବସ । ଆଉ ତିନି ଜଣ କେବିନରେ । କେବିନରେ ଯିଏ ବସିବା କଥା ବସନ୍ତୁ ମୁଁ କିନ୍ତୁ ଡାଲାରେ ବସିବା ମଜାଟା ହାତ ଛଡା କରିବାକୁ ଚାହିଁଲିନି ।
ଗାଡ଼ିଟି ଅଧ ଘଣ୍ଟା ରହିଲା ଗୋଟେ ଯାଗାରେ । ସେଠି ଗୋଟେ ଗାଡ଼ିଆରେ ଡ୍ରାଇଭର ଗାଧେଇଲା, ହେଲପର୍ ଗାଡ଼ିରେ ପାଣି ଛାଟିଲା । କିଛି ସମୟ ପରେ ଗାଡ଼ି ପୁଣି ଷ୍ଟାର୍ଟ ହେଲା, ଚାଲିଲା ।
ସତରେ ଦୁଇ ପାଖରେ ପାହାଡ଼ ଗଛ ବୃଶ ଆଉ ମଝିରେ ଛାଇ ଖରାରେ ଲୁଚକାଳି ଖେଳୁଥିବା ପିଚୁ ରାସ୍ତାରେ ଟ୍ରକ୍ ଉପରେ ଆମେ । ଆଉ ତା ସାଙ୍ଗକୁ ଥଣ୍ଡା ପବନ ବାଃ ମଜା ଆସିଗଲା ସତରେ । ସତ କହିବି, ମୁଁ ତ ନିଜକୁ ଫିଲ୍ମି ହିରୋ ଭଳି ଭାବିନେଲି । ସେଲଫି ଉଠେଇଲି ସୁନ୍ଦର କଣ୍ଠ ସ୍ୱରରେ ଆଲବମ୍ ଗାଇଲି ଭଏସ୍ ରେକର୍ଡିଂ କଲି । ସେ ରେକର୍ଡିଂକୁ ବାରମ୍ବାର ଶୁଣି ଖୁସି ହେଲି ।
ପ୍ରାୟ ଘଣ୍ଟା ଦେଢ଼ ଘଣ୍ଟା ପରେ ଚାରି ଶହ ସାତଟି ଯାଇ ପହଞ୍ଚିଲା ପୁରୀ ରୋଡ୍ରେ ।
ଆମେ ଓହ୍ଲେଇଲୁ । ଜଗା ଟ ଟିକେ ଚାଲାକ୍ ଟୋକାଟା ପଇସା ନଦେଇ ଗୋଟେ ପ୍ୟାକେଟ ସିଗାରେଟ ଆଉ ସଫଲ୍ ଆଠ ଦଶଟା ଦୋକାନରୁ କିଣି ଆଣି ଡ୍ରାଇଭରକୁ ଧରେଇ ଦେଲା ।
ଡ୍ରାଇଭର୍ ସେଥିରେ ଖୁସ୍ । ଖୁସ୍ ମାନେ ଦିଲ୍ ଖୁସ୍ ପୁରା ।
ତାପରେ ସେଠୁ ଗୋଟେ ବସ୍ ଧରିଲୁ ସିଧା ମନ୍ଦିରକୁ । ଅଧଘଣ୍ଟା କି ଚାଳିଶ ମିନିଟ ପରେ ଆମକୁ ନେଇ ବଡ଼ ଦାଣ୍ଡରେ ପହଞ୍ଚେଇ ଦେଲା । ଭାବିଲୁ ଆଗ ସମୁଦ୍ର କୂଳ ଯିବୁ ତା ପରେ ଦର୍ଶନ କରିବୁ ।
ଜଗା କହିଲା ହେକ୍ ସମୁଦ୍ର କୂଳକୁ ଗଲେ ଫେରୁ ଫେରୁ ଡେରି ହେବ । ଆଗ ଚାଲ ଦର୍ଶନ ସାରି ଦେବା ତାପରେ ସମୁଦ୍ର କୂଳ ଯିବା । ସେୟା ହିଁ କଲୁ ।
ସେଦିନ ପ୍ରଭୁଙ୍କ ଦର୍ଶନ ବେଶ୍ ମନୋରମ ଥିଲା । ଲୋକ ଗହଳି ଏତେ ନଥିଲା । ଭଲସେ ଦର୍ଶନ କରି ଫେରିଲୁ ।
ତାପରେ ମନ୍ଦିରରୁ ବାହାରି ମହୋଦଧିକୁ ଯିବୁ ବୋଲି ସ୍ଵର୍ଗଦ୍ଵାର ପଟେ ଜଗା ଆମକୁ ନେଇ ଆସିଲା । ଇସ୍ କି ଭୟଙ୍କର ଦୃଶ୍ୟ ସବୁ । କାଠ ଯେତିକି ଆବଶ୍ୟକ ସେତିକି ନଥାଏ ଗୋଟେ ମଣିଷ ଉପରେ । ଆଠ ଦଶ ଖଣ୍ଡ କାଠ ଉପରେ ଜାଣି ଶୁଆଇ ଦେଇଥାନ୍ତି ମୁର୍ଦାରକୁ, କାଠ ଜଳୁଥାଏ ଦୟା କଲାଭଳି ତା ଉପରେ ମୁର୍ଦାରଟି ଜଳୁଥାଏ ଦେହର ଚମଡା ମୁହଁର ଚମଡା ସବୁ ଜଳି ତରଳି ବୋହି ପଡୁଥାଏ ଥରେ ଚାହିଁ ଦେଲେ ଆଉ ଦ୍ୱିତୀୟ ଥର ଚାହିଁ ବାକୁ ସାହସ ନଥାଏ । ତା ସାଙ୍ଗକୁ ସେ ଫୁରକୁଟିଆ ଗନ୍ଧ ଖୁବ୍ ଅବାଗିଆ ଲାଗୁଥାଏ । ଯେତେ ଜଲଦି ସେ ଜାଗା ପାର୍ କରି ପଳେଇ ଆସିଲୁ । ମୁଁ ମନେ ମନେ ଭାବୁଥାଏ କାଠ ଜଳିବା ପରେ ସେ ମୁର୍ଦାରଟି ସଂପୂର୍ଣ୍ଣ ପାଉଁଶ ହେଇ ପାରିବ ତ ? ଏ ଲୋକମାନେ କ'ଣ ପାଇଁ ଏ ସ୍ଵର୍ଗଦ୍ଵାରକୁ ଆଣନ୍ତି କେଜାଣି ଶବ ଦାହ କରିବାକୁ ?
ଆମେ ସିନା ପୁରୀ ଛାଡି ଆସିଲୁ କିନ୍ତୁ ସେ ସ୍ଵର୍ଗଦ୍ଵାରର ଭୟଙ୍କର ଦୃଶ୍ୟ ମୋ ମନକୁ ଗୋଟେ ସପ୍ତାହ ପରି ଆକ୍ରାନ୍ତ କରି ରଖିଲା ।
ତାପରେ ସମୁଦ୍ରରେ ମନ ଭରି ଡିଆଁ ଡେଇଁ କଲୁ ଆଖି ନାଲି ହୋଇ ପୋଡିବା ଯାଏଁ । ପଇସା ସେତେବେଳେକୁ କିଛି ନଥାଏ କହିଲେ ଚଳେ । ଜଗା କହୁଥିଲା ତା ନାନୀ ଘର ଏଇ ପାଖରେ । ନାନୀ ଘରେ ରାତିକ ରହିଯିବୁ ଭାବିଲା ବେଳକୁ ସେ ତା ନାନୀ ପାଖକୁ ଫୋନ୍ କରି କଣ ବୁଝିଲା କେଜାଣି ମନା କରି କହିଲା ନାନୀ ଘରେ ରହି ହେବନିରେ ।
ତାପରେ ସମସ୍ତଙ୍କ ପାଖରେ କେତେ ପଇସା ଅଛି ଝାଡିଝୁଡି ଦେଲାପରେ ବସ୍ ଖର୍ଚ୍ଚ ପରେ ଆଉ ତିରିଶି / ଚାଳିଶି ଟଙ୍କା ବଞ୍ଚିଲା । ସେଥିରେ ଗୁପଚୁପ ଖାଇ ଦେଲୁ ।
ତାପରେ ବସ୍ ଧରି ସେଞ୍ଚୁରିୟନରେ ପହଞ୍ଚିଲା ବେଳକୁ ରାତି ନଅ / ସାଢ଼େ ନଅ ।
କ୍ୟାଣ୍ଟିନରେ ଖାଇବାକୁ ଗଲା ବେଳକୁ ଖାଇବା ଟାଇମ୍ ଓଭର୍/ ହୋଇସାରିଲାଣି ସେତେବେଳେକୁ । ଭୋକରେ ପେଟ କଁ କଁ ହେଲାଣି ସେତେବେଳେକୁ । ଅନୁରୋଧ କଲୁ ଯାହା ହେଉ ଯାହା ପୋଛା ପୋଛି ଥିଲା ଆମକୁ ଦେଲେ । ଜୀବନ ବଞ୍ଚିଗଲା ପରି ଶାନ୍ତି ଲାଗିଲା ।
ବହେ ଗାଳି ଶୁଣିଲୁ ଓ୍ୱାର୍ଡେନ୍ ପାଖରୁ ସେଦିନ ଡେରିରେ ପହଞ୍ଚିଥିଲୁ ବୋଲି ।