Banabihari Mishra

Inspirational Thriller

3  

Banabihari Mishra

Inspirational Thriller

ଢାଲ - ୨

ଢାଲ - ୨

3 mins
450


ସନ୍ଧ୍ୟା ଏବେ ଏକୁଟିଆ ରହୁଥିଲା । ସାଧାରଣ ମଧ୍ୟବିତ୍ତ ପରିବାରର ଝିଅ, ବାହା ମଧ୍ୟ ହୋଇଥିଲା ଗୋଟିଏ ମଧ୍ୟବିତ୍ତ ପରିବାରରେ । ସ୍ବାମୀ ଜଣେ ପ୍ରାଇମେରୀ ସ୍କୁଲର ଶିକ୍ଷକ । ଗୋଟିଏ ସମ୍ପୂର୍ଣ୍ଣ ପରିବାର ତା'ର ଥିଲା । ଶାଶୁ, ଶ୍ବଶୁର, ଦିଅର ଆଉ ନଣନ୍ଦ । ଖୁବ୍ ଖୁସିରେ ସମୟ କଟିଯାଉଥିଲା । ବାହାଘରର ମାତ୍ର ମାସଟିଏ ହେଇଛି, ସନ୍ଧ୍ୟାର ସବୁ ସୁଖ ଉଜୁଡି ଗଲା । ସଡକ ଦୁର୍ଘଟଣାରେ ପରିବାରର ସମସ୍ତ ସଦସ୍ୟ ସେପାରିକୁ ଚାଲିଗଲେ । ଏକୁଟିଆ ରହିଗଲା ସନ୍ଧ୍ୟା । ବାପଘରକୁ ଯିବାପାଇଁ ତା ଘରଲୋକ ବହୁତ ବାଧ୍ୟ କରିବା ସତ୍ତ୍ୱେ ସନ୍ଧ୍ୟା ଏଇଠି ରହିବାକୁ ଶ୍ରେୟ ମଣିଥିଲା ।

ପ୍ରଥମେ ପ୍ରଥମେ ତ ଗାଁ ଲୋକେ ଖୁବ୍ ସମବେଦନା ଜଣୋଉଥିଲେ । କିନ୍ତୁ କିଛି ଦିନ ଗଲାପରେ ପୁରୁଣା ବନ୍ଧୁର ଆଦର ଅଭ୍ୟର୍ଥନାର ମାନ କମିଲାପରି ଧୀରେ ଧୀରେ ସମସ୍ତେ ଦୂରେଇ ଗଲେ । ତଥାପି ସନ୍ଧ୍ୟା ସାହସ ଛାଡି ନଥାଏ । ସମସ୍ତେ ଡୋଳା ଟେକି ଦେଖୁଥାଆନ୍ତି, ସନ୍ଧ୍ୟା ଶ୍ବଶୁର ଛାଡିଯାଇଥିବା ଜମିଜମାର ଦେଖାଶୁଣା କରିବାକୁ ଭୁଆଶୁଣୀ ଓଢଣା ଛାଡି ଅଣ୍ଟାରେ ଲୁଗାଭିଡି ବିଲକୁ ଯାଏ । ସମ୍ପର୍କୀୟ ମଳାଶୁର ଜଣେ ଭାଗଚାଷରେ ଜମିସବୁ ଚାଷ କରନ୍ତି । ସେଇଥିରୁ ଯାହା ମିଳେ, ତାର ପେଟ ଚାଖଣ୍ଡକ ପୁରିବା ପାଇଁ ଯଥେଷ୍ଟ ହେଇଯାଏ ।

ସନ୍ଧ୍ୟା ଗାଁ ଦାଣ୍ଡରେ ଯିବାବେଳେ ଅନୁଭବ କରେ ଅନେକ ଲୋଲୁପ ଦୃଷ୍ଟି ତା ଶାଢ଼ୀ ଭେଦିଯାଇ ତାକୁ ଅସ୍ତବ୍ୟସ୍ତ କରିପକାଏ । ସିଏ ଲକ୍ଷ୍ୟ କରେ ତା ବାପ ବୟସର ମକରା ତାକୁ ଦେଖି ଓଠରେ ଜିଭ ବୁଲାଏ, ପାକୁଆ ପାଟିରେ ଗାଁଟା ଯାକର ଚୈତନ ଅଜା ବି ତା ସହ ଥଟ୍ଟା କରିବାକୁ ଉଚ୍ଚ ପିଣ୍ଡା ଉପରୁ ପଦେ ଦି'ପଦ କହିଦିଏ । ତଥାପି ସେଥିପାଇଁ ସନ୍ଧ୍ୟାର ଖାତିରି ନଥାଏ । ତା କାମରେ ସିଏ, ଆଉ କାହା କଥାରେ ଲାଭ କ'ଣ?

ସେଦିନ ସଞ୍ଜବେଳେ ସନ୍ଧ୍ୟା ବିଲରୁ ଫେରୁଥିଲା । ପାଖ ଗାଁର ବାବୁଲା ଗାଁ ମୁଣ୍ଡରେ ସେଇ ବୁଦୁବୁଦିଆ ଜଙ୍ଗଲ ପାଖରେ ତା ବାଟ ଓଗାଳିଲା । ଚିତ୍କାର କରି ଡକା ପକେଇବାରୁ ଗାଁରୁ ଲୋକ ଦଉଡି ଆସିଥିଲେ ଆଉ ସନ୍ଧ୍ୟା ରକ୍ଷା ପାଇଯାଇଥିଲା । ହେଲେ ତାର ସାହସ ଦୋହଲି ଯାଇଥିଲା । ସିଏ ଖୋଜିଥିଲା ଗୋଟେ ଢାଲ ଯିଏ ତାକୁ ବିପଦ ଆପଦରୁ ରକ୍ଷା କରିପାରିବ ।

ବାବୁଲା, ପଚିଶ କି ଛବିଶ ବର୍ଷର ଭେଣ୍ଡିଆ । କବାଟ ଫାଳ ପରି ଛାତି, ଶାଳଗଜା ପରି ଗୋଡ ଦିଟା, ବଳିଷ୍ଠ ବାହା ଦିଟା ଦେଖିଲେ ଶତ୍ରୁ ଶଙ୍କିଯିବ । ଏ ପାଞ୍ଚଖଣ୍ଡ ଗାଁରେ ତା ଭଳିଆ ଭେଣ୍ଡିଆ ନାହାନ୍ତି । ହେଲେ ପ୍ରକୃତି ଭାରି ଖରାପ । ତା ଡରରେ ଗାଁ ଦାଣ୍ଡରେ ଝିଅ ବୋହୁ ଚାଲିପାରନ୍ତିନି । କେତେ ବଦନାମିଆ କଥ ସନ୍ଧ୍ୟା ବାବୁଲା ନାଁରେ ଲୋକଙ୍କଠୁ ଶୁଣେ । ସେଇଥିପାଇଁ ସେଦିନ ତାକୁ ବାଟ ଓଗାଳିଲା ବେଳେ ଡରରେ ପାଟି କରିଥିଲା ସିନା, ମନେ ମନେ କିନ୍ତୁ ବାବୁଲାର ଏ ବଳିଷ୍ଠ ଚେହେରାକୁ ଦେଖି ତାର ଅତୃପ୍ତ ବାସନା ଜାଗି ଉଠିଥିଲା । ମନର କୋଉ ଗୋଟେ କଣରେ ସେଇ ବଳିଷ୍ଠ ବାହା ଦିଟାରେ ଧରାଦେଇ ଚଉଡା ଛାତିରେ ମୁଣ୍ଡ ଗୁଞ୍ଜିବାର ଇଚ୍ଛଟା ବଳବତୀ ହେଉଥିଲା ।

ଅବଶ୍ୟ ସେଦିନର ଘଟଣା ପରେ ସନ୍ଧ୍ୟାର ବିଲକୁ ଯିବା କମି ଯାଇଥିଲା । ତଥାପି ଯେତେବେଳେ ଯାଏ, ସେଇ ବୁଦୁବୁଦିଆ ଜଙ୍ଗଲିଆ ଜାଗାରେ ଛାତିଟା ତା'ର ଧଡପଡ ହୁଏ । ନିଃଶ୍ବାସ ଅଟକି ଗଲାପରି ଲାଗେ । କନକନ ହେଇ ଏକଡ ସେକଡ ଚାହେଁ । ଜାଣିଶୁଣି ସେଇ ଜାଗାରେ ଟିକିଏ ମଠେଇ ମଠେଇ ଚାଲେ । କାଳେ ସେ ଟୋକାଟା ଆସୁଥିବ କି! ମନେ ମନେ ଭାବେ, ଏଥରକ ଆଉ ସିଏ ପାଟି କରିବନି । ଚୁପଚାପ ନିଜକୁ ସଅଁପି ଦବ । ହଁ ମ, ଏ ସମାଜ କ'ଣ କହିବ ବୋଲି ଧରି ବସିଲେ ତ କଥା ସରିଲା । ଲୋକ ତ ସବୁକଥାରେ କହନ୍ତି । ବାଟରେ ହଗିଲେ କହନ୍ତି, ପୁଣି ଦେଉଳ ତୋଳିଲେ ବି କହନ୍ତି । 

ସେଦିନ ଖଳାରେ ଧାନ ବେଙ୍ଗଳା ହେଉଥାଏ । ମଳାଶୁର ଆଉ ତାଙ୍କ ପୁଅ ବେଙ୍ଗଳା କରୁଥାଆନ୍ତି । ସତ୍ୟ, ମଳାଶୁରଙ୍କ ପୁଅ, ତେଣୁ ସନ୍ଧ୍ୟାର ଦିଅର । କିନ୍ତୁ ସିଏ ଅପା ଡାକେ । କୋଉ ସମ୍ପର୍କରୁ ସତ୍ୟ ତାକୁ ଭାଉଜରୁ ଭଉଣୀ କରେ ସେକଥା ସିଏ ଜାଣେନା । ଆଶ୍ଚର୍ଯ୍ୟ ଲାଗେ ଏମିତି ଛେଳିଗୋତ୍ରିଆ ସମ୍ପର୍କକୁ ଦେଖି । ସଞ୍ଜ ହେବାକୁ ହେଲାଣି । ସତ୍ୟ କହିଲା, "ଅପା ତୁ ଘରକୁ ଯା ଭାରି । ବା ଆଉ ମୁଁ ଧାନ ନେଇ ପଛେ ପଛେ ଯାଉଛୁ ।" 

ସନ୍ଧ୍ୟା ଅନାଗତ ବିପଦ ସତର୍କ କରେଇ ଦେଉଥିବା ସତ୍ୟର କଥାମାନି ଘରକୁ ଫେରିଲା । ବାଟରେ ପୁଣି ସେଇ ବୁଦୁବୁଦିଆ ଜଙ୍ଗଲିଆ ଜାଗା । ଆକାଶରେ ବର୍ଷା ଉଠେଇଥିବାରୁ ସେ ଜାଗାଟା ଟିକେ ଅନ୍ଧାରିଆ ହେଇଯାଇଥିଲା । ସନ୍ଧ୍ୟା ଯାହା ଆଶଙ୍କା କରୁଥିଲା, ଠିକ ସେଇଆ ହିଁ ଘଟିଲା । ଆଗରେ ବାବୁଲା । ମାଛିଅନ୍ଧାରିଆ ସଞ୍ଜ ବେଳଟାରେ ବାବୁଲାର କଳା ମଚମଚ ଦେହଟା ପାହାଡ଼ ଭଳି ତା ବାଟ ଓଗାଳି ଠିଆ ହୋଇଥିଲା ।

ଆଜି କିନ୍ତୁ ସନ୍ଧ୍ୟା ପାଟି କଲାନାହିଁ । ଭାବୁଥାଏ, ଏଇ ଅରଣା ମଇଁଷିଟାକୁ ବଶ କରିପାରିଲେ ତାର ତ ଜୀବନ ସୁଧୁରି ଯିବ, ତାଛଡା ଗାଁର ଅନ୍ୟ ଝିଅ ବୋହୁଙ୍କ ପ୍ରତି ବିପଦ କିଛି ମାତ୍ରାରେ କମିଯିବ । 

-- କାହିଁକି ମୋ ବାଟ ଛେକି ଠିଆ ହେଇଛୁ? ଛାଡ, ମୁଁ ଯିବି ।

-- ମୁଁ ତୋତେ ବହୁତ ଭଲପାଏ । 

ଏତିକି କହି ବାବୁଲା ତାକୁ ଧରି ପକେଇଲା ।

ସନ୍ଧ୍ୟା ନିଃସଙ୍କୋଚ ଭାବରେ କହିଲା, "ମତେ ବାହା ହେଇପାରିବୁ?"

ବଡ ଦମ୍ଭର ସହିତ ବାବୁଲା ସମ୍ମତି ଦେଇଥିଲା । ଆଉ କିଛି ଆଗ ପଛ ନ ଭାବି ସନ୍ଧ୍ୟା ଧରାଦେଇଥିଲା ବାବୁଲାର ନିବିଡ଼ ଆଶ୍ଳେଷ ଭିତରେ ।

ପ୍ରଥମେ ତ ସନ୍ଧ୍ୟାର ଗାଁ ଲୋକ ଆଉ ବାବୁଲାର ଗାଁ ଲୋକ ପ୍ରତିବାଦର ସ୍ବର ଉଠାଇଥିଲେ । କିନ୍ତୁ ପରେ ଉଭୟ ଗାଁର ମୁରବି ସ୍ଥାନୀୟ ଲୋକମାନଙ୍କ ଚେଷ୍ଟା ଫଳରେ ଦୁଇଟି ପ୍ରାଣୀ ଏକାଠି ଘର ସଂସାର ଆରମ୍ଭ କରିବାରେ ସକ୍ଷମ ହେଲେ ।


Rate this content
Log in

Similar oriya story from Inspirational