ଦୌଡ଼
ଦୌଡ଼
ଅନାମ ବାବୁଙ୍କ ମନରେ ଆଜି ସରାଗ ନାହିଁ। କାହା ସହିତ କିଛି ବି କଥାବାର୍ତ୍ତା କରୁ ନାହାଁନ୍ତି। ପୁରା ଚୁପ୍ ଚାପ୍। ତାଙ୍କ ପରି ପ୍ରଗଳ୍ଭ ଲୋକ ଗୁମ୍ ସୁମ୍ ରହିବାଟା କାହାକୁ ଭଲ ଲାଗୁନଥାଏ। ସଭିଏଁ ବିବ୍ରତ ଅନାମ ବାବୁଙ୍କ ନୀରବତାକୁ ନେଇ। ଏମିତି ଅଚାନକ କଣ ଘଟିଗଲା ଯେ ସେ ନିର୍ବାକ ପାଲଟି ଯାଇଛନ୍ତି? ଅଫିସରେ ସହକର୍ମୀମାନେ ଯେତେ ଯାହା ପଚାରିଲେ ମଧ୍ଯ ସବୁଥର ସେ ନିରୁତ୍ତର। ରହସ୍ୟଟି ସଭିଙ୍କୁ ଅଗୋଚର।
ଚପରାସି ନନ୍ଦୁ ଅଫିସ୍ ସାରା ବୁଲି ବୁଲି ମିଠା ବାଣ୍ଟୁଛି। ଆଜି ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ ପାଇଛି ବୋଲି। ଡାଇରେକ୍ଟର ସାର୍ ଙ୍କ ପୁଅ ଫାର୍ଷ୍ଟ କ୍ଲାସ୍ ରେ ପାସ୍ କରିଛି। ସଭିଙ୍କୁ ମିଠା ବାଣ୍ଟି ସାରି ନନ୍ଦୁ ହାବୁଡ଼ିଲା ଅନାମ ବାବୁଙ୍କ ପାଖରେ। ନିଜର ଚିରାଚରିତ ମଜାଳିଆ ଢଙ୍ଗରେ କହିଲା, "ସାରେ! ନିଅନ୍ତୁ ମିଠା। ବଡ଼ ସାରଙ୍କ ପୁଅ ଫାର୍ଷ୍ଟ କ୍ଲାସ୍ ପାଇଛି ମେଟ୍ରିକରେ। ଆସନ୍ତା ରବିବାର ଦିନ ଭୁଆସୁଣୀ ମନ୍ଦିରରେ ଭୋଜି ଅଛି। ଆଗୁଆ ନିମନ୍ତ୍ରଣ ରହିଲା ସପରିବାରେ ଆସିବାକୁ। ବଡ଼ ସାରେ ବି କହିବେ ପରେ..."
ଏଥର ମଧ୍ୟ ଅନାମ ବାବୁ କିଛି ବି କହିଲେ ନାହିଁ। ମିଠା ଖାଇବା ତ ଦୂରର କଥା। ନନ୍ଦୁ କଅଁଳେଇକି ପଚାରିଲା, "ସାର୍... କଣ ହେଇଚି କି ଆପଣଙ୍କର? ଦେହ ଭଲ ନାହିଁ ନା କଣ? ନା ମନ ଭଲ ଲାଗୁନି..."
ଅନାମ ବାବୁଙ୍କୁ ସାପ ଶୁଂଘି ଯାଇଥିଲା। ଆସନ୍ନ ବିପଦର ଆଶଙ୍କାରେ ବାକ୍ ଶକ୍ତି ଶୂନ୍ୟ ହୋଇ ଯାଇଥିଲେ ଯେପରି। ଜୀବନର ଦିନ ସବୁ ଶେଷ ହୋଇ ଯାଇଥିବା ପରି ଲାଗୁଥିଲା ଯେମିତି। ଉଁଚୁଁ କିଛି ବି କହିଲେ ନାହିଁ। ନନ୍ଦୁ ବି ଛାଡିବା ଜନ୍ତୁ ନୁହେଁ! ନିଜର ବାକ୍ ଚାତୁରୀରେ ମଦମତ୍ତ ହସ୍ତୀକୁ ମଧ୍ୟ ବଶୀଭୂତ କରିଦେବ। ତାର ତୀକ୍ଷ୍ଣ ନଜରରୁ କାହାର ଗୁପ୍ତ କଥା ଲୁଚି ରହି ପାରେ ନାହିଁ। ଗର୍ଭସ୍ଥ ଭୃଣ ପୁଅ କିମ୍ବା ଝିଅ ତାହା ବି ସଠିକ ଭାବେ କହି ପାରେ ନନ୍ଦୁ! ରୁଷିଥିବା ଲୋକଙ୍କୁ ମନେଇବା ତାର ବାଁ ହାତର ଖେଳ, ସେଇଥିପାଇଁ ସମସ୍ତେ ତାକୁ ଭଲ ପାଆନ୍ତି ଅଫିସରେ।
ଆଜି ତ ଅନାମ ବାବୁଙ୍କ ମୌନ ବ୍ରତ। କେଜାଣି କାହିଁକି ସକାଳୁ ସକାଳୁ ବିଗିଡି ଯାଇଛି ତାଙ୍କର ମନ। ଗୁମ୍ ସୁମ୍ ହୋଇ ଫାଇଲ୍ ଭିତରେ ମୁଣ୍ଡ ନୁଆଁଇ କଣ ପଢୁଛନ୍ତି ତାଙ୍କୁ ହିଁ ଜଣା। ନନ୍ଦୁ ସେମିତି ଠିଆ ହୋଇ ରହିଥାଏ ହାତରେ ସନ୍ଦେଶ ପ୍ଯାକେଟ୍ ଟାକୁ ଧରି। ଅନାମ ବାବୁ ମିଷ୍ଟାନ୍ନ ପ୍ରିୟ ବୋଲି ତାକୁ ମାଲୁମ। ଭାରତବର୍ଷର ସମସ୍ତ ମିଠାର ନାଁ ତାଙ୍କ ତୁଣ୍ଡ ଅଗରେ। ସେମିତିକା ମିଠା କଥା ବି କହନ୍ତି। ହେଲେ ଯେବେଠାରୁ ଡାଇବେଟିସ୍ ବେମାରୀ ବାହାରିଲାଣି ଟିକେ କମ୍ ଖାଉଛନ୍ତି କିନ୍ତୁ ପୁରା ଛାଡ଼ି ପାରିନାହାନ୍ତି। ଅନ୍ୟ ଦିନ ଗୁଡିକରେ ମିଠା ଦେଖୁ ଦେଖୁ ଡେଇଁ ପଡନ୍ତି ଖୁସିରେ। ହେଲେ ଆଜି ବିଲକୁଲ୍ ଅଲଗା ଅଲଗା ଲାଗୁଛନ୍ତି।
ନନ୍ଦୁ ପୁଣି ଲହରେଇକି ପଚାରିଲା, "ସାରେ... କଣ ଆଜି ହେଇଛି ଆପଣଙ୍କର ଯେ? କିଛି ରାମ୍ କି ବିଷ୍ଣୁ କହୁ ନାହାନ୍ତି। ମୁଁ ଯାଉଛି ତାହେଲେ। ଆର ସେକସନରେ ବି ମିଠା ବାଣ୍ଟିବାର ଅଛି ଆଉ ସମସ୍ତଙ୍କୁ ଭୋଜି ପାଇଁ ନିମନ୍ତ୍ରଣ କରିବାର ବି ଅଛି।"
ଏକଥା ଶୁଣି ଅନାମ ବାବୁ ଉପରକୁ ମୁଣ୍ଡ ଟେକି ଚାହିଁଲେ ନନ୍ଦୁ ଆଡ଼କୁ। ହାତରେ ତାର ଲୋଭନୀୟ ସ୍ବାଦିଷ୍ଟ ସନ୍ଦେଶ! ପାଟିରୁ ଲାଳ ବାହାରି ଆସିଲା! ଅନିଚ୍ଛା ସତ୍ତ୍ବେ ହାତ ବଢ଼ାଇ ଦୁଇ ଚାରୋଟି ପିସ୍ ଉଠାଇ ନେଇ ପାଟିରେ ପକାଇ ଦେଲେ ଅଚାନକ। ନନ୍ଦୁ ଫିକ୍ କିନା ହସି ଦେଲା। ତାର ହସରେ ଟିକେ ଅସହଜ ମନେ କଲେ ଅନାମ ବାବୁ। କିନ୍ତୁ ଏହାକୁ ଠିକ ଭାବେ ଠଉରେଇ ନେଇଥିଲା ନନ୍ଦୁ। ଏହା ହିଁ ହେଉଛି ସଠିକ୍ ମୌକା ସବୁ କଥା ଆଦାୟ କରିବା ପାଇଁ।
ନନ୍ଦୁ ପଚାରିଲା, "ସାରେ, ଆଉ ଦି ଖଣ୍ଡ ନିଅନ୍ତୁ ନା..."
"ନାଇଁ ଥାଉ। ବହୁତ ଖାଇଲଣି। ସୁଗାର ଅଛି ପରା... " ଅନାମ ବାବୁଙ୍କ ମୌନ ବ୍ରତ ଭଗ୍ନ ହୋଇଯାଇଥିଲା ନନ୍ଦୁର ଚାଲବାଜିରେ।
: ସାରେ! ମନ କିଆଁ ଆଜି ଏତେ ନିରସ ଲାଗୁଛି ଯେ...
: ନାଇଁ ସେମିତି କିଛି ନାହିଁ। ଆରେ ଡାଇରେକ୍ଟର ସାର୍ ଙ୍କ ପୁଅ କେତେ ପର୍ସେଣ୍ଟ୍ ମାର୍କ୍ ରଖିଛି ଜାଣିଛୁ କି?
: ଆଜ୍ଞା ପଞ୍ଚସ୍ତରୀ ପାରସେଣ୍ଟ କି କଣ ହେବ ବୋଧେ! ଫୋନ୍ ରେ କାହାକୁ କହୁଥିବାର ମୁଁ ଶୁଣିଛି ଯାହା।
: ଆଚ୍ଛା ହଉ। ତୁ ଏବେ ଯା' ତୋ କାମରେ।
ନନ୍ଦୁ ଚାଲିଗଲା ତା ବାଟରେ ହସି ହସି। ଆଉ ଯିବା ବେଳେ ଟିକେ ରହି ଯାଇ କହିଗଲା, "ସାରେ, ଆପଣଙ୍କ ପୁଅର ରେଜଲଟ କଣ ଖରାପ ହେଇଚି କି? ସେଥିପାଇଁ ମନ ଦୁଃଖ..."
: ନାଇଁ ରେ ପାସ୍ କରିଛି ଯେ ଭଲ ମାର୍କ୍ ରଖି ନଥିବାରୁ ମନଟା କାନ୍ଦୁଛି ମୋର। ଏତେ ସବୁ ଯତ୍ନ ତା ପାଇଁ କଲା ପରେ ବି ମୋ ମୁଣ୍ଡଟାକୁ ତଳେ ପକେଇ ଦେଲା ଅପଦାର୍ଥ କୁଳାଙ୍ଗାରଟା...
: କେତେ ପାରସେଣ୍ଟ ନମ୍ବର...
: ନାଇନ୍ଟିସେଭେନ୍ ପଏଣ୍ଟ ଏଇଟ୍!
: ତାହେଲେ ମିଠାରେ ଚଳିବନି ଆଜ୍ଞା, ପାର୍ଟି ଦର୍କାର ସାରେ ପାର୍ଟି!
: ପାର୍ଟି ନା ଚୋପା... ମୋ ଶଢ଼ୁଙ୍କ ପୁଅ ନାଇନ୍ଟିଏଇଟ୍ ପର୍ସେଣ୍ଟ୍ ରଖିଛି! କୁଳାଙ୍ଗାରଟା ମୋ ନାକ କାଟି ଦେଲା। ଆମ ବଂଶର ନାଁ ବରବାଦ୍ କରିଦେଲା ବଦମାସ୍। ଯେତେବେଳେ ଦେଖ ମୋବାଇଲଟାକୁ ଧରି ଖେଳୁଥିବ। ଫାଜିଲାମିର ସବୁ ସୀମା ପାର। ପାଠରେ କୋଉ ଧ୍ୟାନ ଥିଲା ଯେ ଭଲ ମାର୍କ୍ ରଖିବ...
ପୁଅର ନମ୍ବରକୁ ପ୍ରତିଷ୍ଠାର ସନ୍ତକ ଭାବେ ଧରି ନେଇଥିବା ଅନାମ ବାବୁ ଦୌଡ଼ରେ ପଛରେ ପଡିଯାଇଥିଲେ ନିଜ ଶଢୁଙ୍କ ଠାରୁ। ଅଶାନ୍ତ ଆଗ୍ନେୟଗିରି ପରି ଗରଳ ବାନ୍ତି କରୁଥିଲେ ଭୀଷଣ ହତାଶା ବୋଧରେ। ନନ୍ଦୁ ମୁରୁକି ମୁରୁକି ହସି ଚାଲିଗଲା ଆର ସେକ୍ସନ୍ ଆଡ଼େ ମିଠା ବାଣ୍ଟିବାକୁ....
