Exclusive FREE session on RIG VEDA for you, Register now!
Exclusive FREE session on RIG VEDA for you, Register now!

Srimani Priyadarsini

Inspirational


4.0  

Srimani Priyadarsini

Inspirational


ଦାନର ପ୍ରତିଦାନ

ଦାନର ପ୍ରତିଦାନ

6 mins 45 6 mins 45

  


ଭୁବନେଶ୍ୱର ସମ୍ ହସ୍ପିଟାଲ୍ ନିକଟରେ ଲୋକ ମାନଙ୍କର ନାହିଁ ନଥିବା ଭିଡ । ଏକ ଦୁର୍ଘଟଣାରେ ପୂର୍ବତନ ଜିଲ୍ଲାପାଳ ଶ୍ରୀଯୁକ୍ତ ସମୀର କୁମାର ସିଂହ ଙ୍କ ଅବସ୍ଥା ଗୁରୁତର । କେତେବେଳେ ବି କ'ଣ ହୋଇପାରେ । ମୁଣ୍ଡରୁ ପ୍ରଚୁର ରକ୍ତସ୍ରାବ ହେଉଥାଏ । କିଛି ଲୋକ ମନ ଦୁଃଖରେ ବସିଥାନ୍ତି ତ କିଛି ଲୋକ କାନ୍ଦୁଥାନ୍ତି । କାରଣ ସମୀର ଥିଲେ ସହୃଦୟ ବ୍ୟକ୍ତି ଓ ସେମାନଙ୍କର ଭଗବାନ । ତାଙ୍କର କୌଣସି ଗର୍ବ ଅହଙ୍କାର ନଥିଲା । ବସ୍ତି ର ଲୋକମାନଙ୍କୁ ସବୁ ସମୟରେ ସାହାଯ୍ୟ କରିଆସୁଥିଲେ । ତାଙ୍କର କଣ ଟିକେ ହୋଇଗଲେ କାଳେ ସେମାନଙ୍କର ଜୀବନ ମଧ୍ୟ ଦୁର୍ବିସହ ହୋଇପଡିବ, ତେଣୁ କିଛି ଲୋକ ଭଗବାନ ଙ୍କୁ ମଧ୍ୟ ଡାକୁଥାନ୍ତି ।


ଠିକ୍ ଏହି ସମୟରେ ଡାକ୍ତର ଆସି କହିଲେ, ତାଙ୍କର ରକ୍ତ ଦରକାର ଅଛି ବିରଳ ରକ୍ତ । ନହେଲେ ତାଙ୍କର ବଞ୍ଚିବାର ଆଶା କମ୍ ହୋଇଯିବ । ରକ୍ତର ନାମ ପଚାରିବାରୁ ଡାକ୍ତର କହିଲେ ‘ଓଏଚ୍‌ ପଜେଟିଭ’ (ବମ୍ବେ ଫେନୋଟାଇପ) ରକ୍ତ । ରକ୍ତର ନାମ ଶୁଣି ସମସ୍ତେ ତାଜୁବ ହୋଇଗଲେ । ସମସ୍ତେ ରକ୍ତର ନାମ ପ୍ରଥମ ଥର ପାଇଁ ଶୁଣୁଥିଲେ । କିଏ କିଏ ଉପାୟହୀନ ହୋଇ ରକ୍ତ ଯୋଗାଡ଼ କରିବାରେ ଲାଗିପଡିଲେ । କିନ୍ତୁ ଦୁଃଖର ବିଷୟ ରକ୍ତ ଭଣ୍ଡାରରେ ଏପରି ବିରଳ ରକ୍ତ ନଥିଲା ।


ସମସ୍ତଙ୍କ ଦୁଃଖରେ ପୂର୍ଣ୍ଣଚ୍ଛେଦ ପକାଇ, ହସ୍ପିଟାଲ୍ ଭିତରକୁ ପ୍ରବେଶ କଲେ ଜଣେ ସୈାମ୍ୟକାନ୍ତ ଯୁବକ । ବୟସ ପଚିଶି ଛବିଶି ପାଖାପାଖି । ସମସ୍ତେ ଯୁବକକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । ଏ ଯୁବକଟି କିଏ, ହସ୍ପିଟାଲ୍ ଭିତରକୁ ଏପରି ପ୍ରବେଶ କରିବାର ଉଦ୍ଦେଶ୍ୟ ? ଯୁବକ ଜଣଙ୍କ ହସ୍ପିଟାଲ୍ ରେ ଡାକ୍ତରଙ୍କୁ ଖୋଜି ସମୀର ଙ୍କୁ ରକ୍ତଦାନ କରିବାପାଇଁ କହିଲେ । କାରଣ ତାଙ୍କ ପାଖରେ ସେହି ବିରଳ ରକ୍ତ ଥିଲା ।


ଦୁଇ ଦିନପରେ ସମୀର ଭଲ ହୋଇ ଉଠିବସିଲେ । ଲୋକମାନେ ସେହି ଯୁବକଟିର ପ୍ରଶଂସା କରୁଥାନ୍ତି, ଯିଏ ସମୀରଙ୍କ ଜୀବନ ବଞ୍ଚାଇଲା । ସମୀର ସମସ୍ତଙ୍କ ତୁଣ୍ଡରୁ ଯୁବକଟିର କଥା ଶୁଣି ତାଙ୍କ ନିକଟକୁ ଡକାଇଲେ । ଯୁବକକୁ ପାଖରେ ଦେଖି ସମୀର କହିଲେ -" କାହିଁ ପୁଅ ମୋ ଜୀବନ ବଞ୍ଚାଇଲୁ ? ମୋ ଜୀବନକୁ ତିଳେ ମାତ୍ର ଭୟ ନାହିଁ । ଏକୁଟିଆ ମଣିଷ ମୁଁ ପଚିଶି ବର୍ଷ ହେବ, ପରିବାରକୁ ହରାଇ ଦେଇଛି । କ'ଣ ଦରକାର ଏ ଜୀବନ ?"


ବାବୁ ଆପଣ ଆପଣଙ୍କ ଦାନର ପ୍ରତିଦାନ ପାଇ ସାରିଛନ୍ତି । ତେଣୁ, ସେପରି କଥା ତୁଣ୍ଡରେ ଧରନ୍ତୁ ନାହିଁ । ପରିବାର ନଥିଲେ ଏହି ଗରିବ ଲୋକମାନେ ଅଛନ୍ତି, ଆପଣଙ୍କର କ'ଣ ଟିକେ ହୋଇଗଲେ ଏମାନେ କିପରି ବଞ୍ଚିବେ ଭାବିଛନ୍ତି ? ଆପଣ ମୋତେ ଚିହ୍ନି ପାରୁନାହାନ୍ତି କି ବାବୁ ! ମୁଁ ପରା ଖବରକାଗଜ ବିକୁଥିବା ସେଇ ଛୋଟ ପୁଅ ଅମର ! ଯିଏ ପନ୍ଦର ବର୍ଷ ତଳେ ହଜାର ଟଙ୍କା ପାଇଁ ଆପଣଙ୍କୁ କେତେ କାକୁତି ମିନତି ହୋଇ ମାଗିଥିଲା । ବାପାଙ୍କୁ ତ କେବେ ଦେଖି ନାହିଁ, ସେଇ ହଜାର ଟଙ୍କା ମାଆର ଔଷଧ ନେବାପାଇଁ ମାଗିଥିଲି । ଆପଣଙ୍କ ସାହାଯ୍ୟ ଦ୍ଵାରା ମୋ ମାଆର ଜୀବନ ବଞ୍ଚିଗଲା ବାବୁ, ସେଥିପାଇଁ ମୁଁ ଆପଣଙ୍କ ନିକଟରେ ଚିରଋଣୀ ।


ଅମରର କଥା ଶୁଣି ସମୀର ତାଙ୍କ ଅତୀତକୁ ଫେରିଗଲେ । ପନ୍ଦର ବର୍ଷ ତଳେ କେନ୍ଦ୍ରାପଡା ବସ୍ ଷ୍ଟାଣ୍ଡ ରେ ବସ୍ କୁ ଅପେକ୍ଷା କରିଥିବା ବେଳେ ଆଠ ନଅ ବର୍ଷର ପିଲାଟିଏ କାନ୍ଦ କାନ୍ଦ ହୋଇ ସମସ୍ତଙ୍କୁ ଖବର କାଗଜ ବିକି ତାର ପଇସା ଆଣି ପୁଣି ଅଧିକ ପଇସା ମାଗୁଥିଲା । ସେଥିପାଇଁ ଅନେକ ଲୋକ ତାକୁ ମାଡ଼ ମାରୁଥିଲେ । ସମୀର ତାକୁ ପାଖକୁ ଡାକି ଏତେ ପଇସା କ'ଣ ହେବ ବୋଲି ପଚାରିବାରୁ ପିଲାଟି ଉତ୍ତର ଦେଇଥିଲା -" ମାଆର ଦେହ ବହୁତ ଖରାପ, ଡକ୍ଟର ବାବୁ କହିଛନ୍ତି ଔଷଧ ପାଇଁ । ହଜାରେ ଟଙ୍କା ଲାଗିବ । ଏତେ ଟଙ୍କା ଯୋଗାଡ କରିବାକୁ ମୁଁ ଅସମର୍ଥ ବାବୁ ।"


ପିଲାଟିର କଥା ଶୁଣି ସମୀର ଙ୍କ ହୃଦୟ ତରଳି ଗଲା । ପକେଟ୍ ରୁ ହଜାର ଟଙ୍କା କାଢି ପିଲାଟିର ହାତକୁ ବଢାଇ ଦେଲେ । ପିଲାଟି ଖୁସି ହୋଇ ପଇସା କୁ ଧରି ଏତେ ଜୋରରେ ଧାଇଁଲା, ଯେମିତି ତା' ମାଆର ଜୀବନ ତା ପାଇଁ ବହୁତ ମୂଲ୍ୟବାନ । ଏହି ଘଟଣାର କିଛିଦିନ ପରେ ସେ ଆଇ.ଏ.ଏସ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି ବୋଲି ଜାଣିଲେ । ପରେ ପରେ କେନ୍ଦ୍ରାପଡ଼ା ଆସି ସେଇ ପିଲାଟିକୁ ବହୁତ ଖୋଜିଲେ କିନ୍ତୁ ନପାଇ ନିରାଶ ହୋଇ ଫେରିଯାଇଥିଲେ ।


"ତୁ ସେଇ ପିଲା ନା ! ଆରେ, ମୁଁ ତୋତେ ବହୁତ ଖୋଜିଛି ! କ୍ଷମା କରିଦେ ଅମର, ମୁଁ ତୋତେ ପାଇ ପାରିଲି ନାହିଁ । ଆଉ ହଁ, ମୁଁ ସେତେବେଳେ ଆଇ. ଏ. ଏସ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲି କେବଳ ତୋ ପାଇଁ, ସେ ସଫଳତା ର ଶ୍ରେୟ ତୋ ନିକଟକୁ ଯିବ । ଏହା ମୋର ଦାନର ପ୍ରତିଦାନ ଥିଲା । ମୁଁ ଜାଣିଛି " ଜଣକୁ ସାହାଯ୍ୟ କଲେ ବା କିଛି ଦାନ କଲେ, ତାହା ମଧ୍ୟ ପ୍ରତିଦାନ ସ୍ୱରୂପ ତୁମ ନିକଟକୁ ନିଶ୍ଚୟ ଫେରିବ ।" ତୁ ମୋତେ ଆଗରୁ ଦେଖା କଲୁନାହିଁ କାହିଁକି ? ଆଉ ହଁ, ତୋର ମାଆ କେମିତି ଅଛନ୍ତି ?


ଆପଣଙ୍କ ସେଇ ହଜାର ଟଙ୍କା ମୋ ପାଇଁ ମୂଲ୍ୟବାନ ଆଜ୍ଞା, ଯାହା ଫଳରେ ମୋ ମାଆ ମୃତ୍ୟୁ ମୁଖରୁ ଫେରିଆସିଲା । ମୋର ପରିବାର ବୋଲି କେହି ନାହିଁ, କେବଳ ମାଆ ! ତା'ର ଯଦି କିଛି ହୋଇଯାଇଥାନ୍ତା, ତାହାଲେ ମୁଁ ସମ୍ପୂର୍ଣ୍ଣ ବେସାହାରା ହୋଇପଡ଼ିଥାନ୍ତି ବାବୁ । ଆପଣଙ୍କ ନିକଟକୁ ବହୁତ ଥର ଆସିଛି, କିନ୍ତୁ ଗେଟ୍ ନିକଟରୁ ଫେରିଯାଇଛି । କାରଣ ଆପଣଙ୍କ ଜଗୁଆଳି କେବେ ପ୍ରବେଶ କରାଇଦିଅନ୍ତି ନାହିଁ । ଆଉ ମୋତେ ଯିଏ ଏତେବଡ଼ ସାହାଯ୍ୟ କରିଛନ୍ତି ତାଙ୍କୁ କିପରି ଭୁଲିଯିବି ? ଦିନେ ଆପଣଙ୍କ ଫଟୋ ଖବକାଗଜରେ ଦେଖି ଠିକଣା ଗୁଡ଼ିକ ପାଖରେ ରଖିଥିଲି । ବସ୍ତିର ଜଣେ ଲୋକଙ୍କ ସହାୟତାରେ ଆପଣଙ୍କ ସବୁ ଖବର ରଖୁଥିଲି । ସେଇ ଲୋକ ଜଣକ ମୋ ନିକଟକୁ ଯୋଗାଯୋଗ କରି ଆପଣଙ୍କ ଅବସ୍ଥା ଶୋଚନୀୟ ବୋଲି କହିଥିଲେ । ତେଣୁ ଚାଲିଆସିଥିଲି ହସ୍ପିଟାଲ୍, ଯେତେବେଳେ ଜାଣିଲି ଆପଣଙ୍କ ଦେହରେ ‘ଓଏଚ୍‌ ପଜେଟିଭ’ (ବମ୍ବେ ଫେନୋଟାଇପ) ରକ୍ତ ଦରକାର ! ମୁଁ ମଧ୍ୟ ମୋର ରକ୍ତ ପରୀକ୍ଷା କରି ଜାଣିଲି ମୋ ନିକଟରେ ମଧ୍ୟ ସେହି ବିରଳ ରକ୍ତ ଅଛି । ତେଣୁ କାଳବିଳମ୍ବ ନ କରି ଆପଣଙ୍କୁ ଆପଣଙ୍କ ଦାନର ପ୍ରତିଦାନ କରିଦେଲି । ଆଶାକରେ ଏବେ ସୁସ୍ଥ ଥିବେ ।


ଧନ୍ୟବାଦ ପୁଅ, ମୁଁ ବଞ୍ଚିଛି ତ ଏଇ ଲୋକଙ୍କ ପାଇଁ ବଞ୍ଚିଛି । ମୋର ପରିବାର କେବେଠୁ ଉଜୁଡି ଯାଇଛି, ସେ ପରଠାରୁ ଏଇ ଲୋକମାନେ ହିଁ ମୋର ପରିବାର । ସେହି ସମୟରେ ଡାକ୍ତର ଆସି କହିଲେ -" ସାର୍, ଆପଣ ଏବେ ସମ୍ପୂର୍ଣ୍ଣ ଭାବରେ ସୁସ୍ଥ । ଧନ୍ୟବାଦ ଅମର ସାର୍ ଙ୍କୁ ରକ୍ତଦାନ କରିଥିବାରୁ, ମୁଁ ଏବେ ତାଙ୍କୁ ଡିସଚାର୍ଜ କରିଦେଉଛି । ଠିକ୍ ଭାବରେ ଦେଖା ଶୁଣା କରିବେ ।"


ଅମର ପ୍ରାୟ ପାଞ୍ଚଦିନ ସମୀର ବାବୁଙ୍କ ନିକଟରେ ରହି ନିଜ ଘରକୁ ଯିବାକୁ ବାହାରିଲା । ସମୀର ବାବୁ ମନଦୁଃଖ ରେ କହିଲେ - ଅମର ତୁ ଚାଲିଯିବୁ ? ବ୍ୟସ୍ତ ହୁଅନ୍ତୁ ନାହିଁ ବାବୁ, ମୁଁ ଏଇ ଭୁବନେଶ୍ୱର ଆପଣଙ୍କ ନିକଟରେ ଅଛି । ଆଇ.ଏ.ଏସ କୋଚିଂ ନେଉଛି । ପାଞ୍ଚଦିନ ହେଲାଣି ମାଆ ମଧ୍ୟ ମୋତେ ନ ଦେଖି ଡହଳବିକଳ ହେଉଥିବ । ମୁଁ ମଝିରେ ମଝିରେ ଆସି ଆପଣଙ୍କୁ ଦେଖା କରିଦେଇ ଯାଉଥିବି, ଏବେ ବିଦାୟ ଦିଅନ୍ତୁ ବାବୁ ।


ଆରେ ଅମର ଶୁଣ, ତୁ ଓ ତୋର ମାଆ ଏଠାରେ ରହିଲେ କିଛି ଅସୁବିଧା ହେବ କି ? ଯଦି ନା, ତେବେ ଚାଲ ତୋ ମାଆଙ୍କୁ ଏଠାକୁ ନେଇ ଆସିବା । ମୋତେ ବି ଏକୁଟିଆ ଭଲ ଲାଗୁ ନାହିଁ, ତୁ ଏଠାରେ ରହିଲେ ତୋ ସହ କଥା ହୋଇ ଦିନ ଗୁଡ଼ିକ କଟିଯିବ । ଆଉ ହଁ ତୋ କୋଚିଂ ଖର୍ଚ୍ଚ ମୁଁ ଉଠାଇବି ତୁ ବ୍ୟସ୍ତ ହେବାର ଦରକାର ନାହିଁ । କାହିଁକି ବାବୁ ଏତେ ସାହାଯ୍ୟ କରୁଛ, କ'ଣ ଦେଇ ତୁମକୁ ଶୁଝିବି ? ଓଃ ସାହାଯ୍ୟ କିଛି ନାହିଁ, ତୁ ଚାଲିଲୁ ଆଗ ।


ସମୀର ଙ୍କ କାର ଆସି ଏକ ବସ୍ତି ନିକଟରେ ଅଟକିଲା । ସମୀରଙ୍କୁ ଅମର ଏକ ଘର ନିକଟକୁ ଆସିବା ପାଇଁ କହିଲା । ଘର କହିଲେ ଭୁଲ୍ ହେବ, ପାଲ ଦରି ରେ ତିଆରି ଘର ଟିଏ । ସମୀର କହିଲେ ଏ କ'ଣ ଅମର ତୁ ଏଠାରେ ରହୁଛୁ ହେଲେ ମୋତେ ତାର କିଛି ବି ଖବର ନାହିଁ !


ବାବୁ, ଆମେ ମାତ୍ର ତିନି ମାସ ହେବ କେନ୍ଦ୍ରାପଡ଼ା ରୁ ଭୁବନେଶ୍ୱର ଚାଲି ଆସିଛୁ । ଘରଟିଏ କରିବାକୁ ପାଖରେ ଏତେ ଅର୍ଥ ନାହିଁ । କୋଚିଂ ସହ ମୁଁ ଚାକିରିଟିଏ ମଧ୍ୟ ଖୋଜି ବୁଲୁଛି, ତଥାପି ସବୁଆଡୁ ନିରାଶ ହେବାକୁ ପଡୁଛି । ମାଆ କିଛି ଫଳ ମୂଳ ବିକ୍ରି କରୁଛି, ସେଇଥିରେ ମୋର କୋଚିଂ ଖର୍ଚ୍ଚ ସହ କଷ୍ଟମଷ୍ଟେ ଦୁଇ ଜଣ ଚଳି ଯାଉଛୁ । ଏବେ ଆସନ୍ତୁ ବାବୁ, ଭିତରକୁ ଆସନ୍ତୁ । ମାଆ ଓ ମାଆ ଦେଖିଲୁ ଦେଖିଲୁ କିଏ ଆସିଛନ୍ତି ।


ଅମରର ମାଆ ଝାଡୁ ଟିଏ ଧରି "ତୁ ପାଞ୍ଚ ଦିନ ହେବ ମୋତେ ନ ଜଣେଇ କେଉଁଠି ଥିଲୁ" କହି ଧାଇଁ ଆସିଲା ବେଳେ ସମୀର ଙ୍କୁ ଦେଖି ଅଟକି ଯାଆନ୍ତି । ସମୀର ବାଷ୍ପ ରୁଦ୍ଧ ଗଳାରେ କହି ଉଠନ୍ତି -" ପୁଷ୍ପା ତୁମେ ?" ଅମର ର ମାଆ ମଧ୍ୟ ସମୀର ଙ୍କୁ କୋଳାଗ୍ରତ କରି ଅଶ୍ରୁଳ ନୟନ ରେ କହିଲେ -" ସମୀର ତୁମେ ? କେଉଁଠି ଥିଲ ତୁମେ ?"


ମାଆ ଏ କ'ଣ କରୁଛୁ ? ଏ ହେଉଛନ୍ତି ପୂର୍ବତନ ଜିଲ୍ଲାପାଳ ସମୀର କୁମାର ସିଂହ, ଆଉ ମୋତେ ତୋ ଔଷଧ ପାଇଁ ହଜାର ଟଙ୍କା ଦେଇଥିବା ବ୍ୟକ୍ତି । "ଅମର ଏ ତୋ ବାପା ରେ ! ତିରିଶ ବର୍ଷ ତଳେ ନଦୀରେ ଡଙ୍ଗା ବୁଡି ଆମେ ହଜିଯାଇଥିଲେ । ତୋତେ ସିନା ମୋ ପଣତ କାନିରେ ବାନ୍ଧି ଦେଇଥିଲି, ହେଲେ ତୋ ବାପାଙ୍କ ହାତକୁ ଭୁଲରେ ଛାଡ଼ି ଦେଇଥିଲି । ଅନେକ ଖୋଜିବା ପରେ ନିରାଶ ହେବାରୁ, ଭାଗ୍ୟକୁ ଆଦରି ତୋତେ ଧରି ବଞ୍ଚିଲି । ଆଉ ତୁ ଆଜି ତୋ ବାପାଙ୍କୁ ଫେରାଇ ଆଣିଲୁ !"


ଅମର ତା'ର‌ ପିତାମାତାଙ୍କୁ ଏକାଠି ଦେଖି ଖୁସି ହେଉଥିଲା । ଆଉ ସମୀର ଓ ପୁଷ୍ପା ମଧ୍ୟ ଦୁହେଁ ଦୁହିଁଙ୍କୁ ବହୁତ ଦିନ ପରେ ପାଇ ଥିବାରୁ ଅମର ଉପରେ ଖୁସି ହେଉଥିଲେ । ଜିଲ୍ଲାପାଳ ସମୀର ଙ୍କୁ ଦେଖିବା ପାଇଁ ବାହାରେ ଭିଡ଼ ଲଗାଇଥିବା ବସ୍ତିର ଲୋକମାନେ ମଧ୍ୟ ଖୁସି ହୋଇ କହୁଥିଲେ - " ଏ ତ ପ୍ରକୃତରେ ଦାନର ପ୍ରତିଦାନ" ।



Rate this content
Log in

More oriya story from Srimani Priyadarsini

Similar oriya story from Inspirational