ଦ୍ୱନ୍ଦ
ଦ୍ୱନ୍ଦ
ଦୁଇ ଦିନ ଜୀବନ ଭିତରେ ଏମିତି ଅନେକ ମୋଡ଼ ଆସେ ଯେତେବେଳେ ସଠିକ୍ ନିଷ୍ପତ୍ତି ନେବା କଠିନ ହୋଇଯାଏ। ଠିକ୍ ସେହିଭଳି କିଛି ଘଟିଥିଲା ସୌଦାମିନୀ କ୍ଷେତ୍ରରେ। ବାପା-ମାଆଙ୍କର ଗୋଟିଏ ବୋଲି ଝିଅ। ରୂପରେ ଗୁଣରେ କମ୍ ନୁହେଁ। ବିଦ୍ୟା ବୁଦ୍ଧିରେ ମଧ୍ୟ କମ୍ ନୁହେଁ। ବିବାହ ବୟସ ଉପନୀତ ହେବାରୁ ଗୋଟିଏ ଭଲ ବର ଭଲ ଘର ସନ୍ଧାନରେ ବାପା ଚିନ୍ତିତ ଥିଲେ। ଭଗବାନଙ୍କ କୃପାରୁ ସହରର ବିଶିଷ୍ଟ ଶିଳ୍ପପତି ଅନୀଲ ବାବୁଙ୍କ ଘରୁ ସୌଦାମିନୀ ପାଇଁ ପ୍ରସ୍ତାବ ଆସିଲା। କଲେଜ ଯିବା ବାଟରେ ସୌଦାମିନୀର ଭାବି ଶ୍ୱଶୁର ତାକୁ ଦେଖି ନିଜର ଏକମାତ୍ର ପୁତ୍ର ପାଇଁ ବୋହୂ କରିବାକୁ ନିଷ୍ପତ୍ତି ନେଇଥିବା ମଧ୍ୟସ୍ଥି ମାଧ୍ୟମରେ କହି ପଠାଇ ଥିଲେ। ଏଭଳି ପ୍ରସ୍ତାବକୁ ବା କେଉଁ ଝିଅର ବାପା ପ୍ରତ୍ୟାଖ୍ୟାନ କରି ପାରିବେ? ଠିକ୍ ସେଇଆ ହେଲା। ଯଥାରୀତି ଅନୁଯାୟୀ ବିବାହ କାର୍ଯ୍ୟ ବହୁ ଧୁମଧାମରେ ସମ୍ପାଦିତ ହୋଇଗଲା। ଝିଅ ବିଦା ହୋଇ ବାପଘର ଏରୁଣ୍ଡି ଡେଇଁ ପରଗୋତ୍ରୀ ହୋଇ ଚାଲିଗଲା। ଏକା ରହିଗଲେ, ତା'ର ବାପା ମାଆ। କିଛି ଦିନ ପରେ ଅଷ୍ଟମଙ୍ଗଳାରେ ସୌଦାମିନୀ ଜ୍ୱାଇଁ ସହିତ ତା'ର ବାପଘରକୁ ଆସିଥାଏ। ବାପାମାଆଙ୍କ ପାଦ ଭୂମିରେ ଲାଗୁ ନ ଥିଲା। ଝିଅ ଜ୍ୱାଇଁ ପ୍ରଥମ ଥର ଘରକୁ ଆସିଛନ୍ତି। ସୌଦାମିନୀ ମୁହଁକୁ ଦେଖି କିନ୍ତୁ ତା'ର ମାଆ ଠଉରେଇ ନେଲେ, କିଛି ଗୋଟାଏ ଘଟିଛି। ନ ହେଲେ ନୂଆ ଭୁଆସୁଣୀ ଝିଅଟାର ମୁହଁ ଝଟକିବା ପରିବର୍ତ୍ତେ ମଳିନତା ସ୍ପଷ୍ଟ ଭାବରେ ଦୃଶ୍ୟମାନ। କ'ଣ ହୋଇଛି ବୋଲି ପଚାରିବାକୁ ଝିଅକୁ ହାତ ଧରି ଟାଣି ନେଲା ମାଆ ଶୋଇବା ଘରକୁ। କବାଟ ଆଉଜେଇ ପଚାରି ବସିଲେ, "ସବୁ ଠିକ୍ ତ ଝିଅ? ଶାଶୁଘର କେମିତି? ଶୁଣିଛି ଚାକର ପୂଜାରୀଙ୍କ ଅଭାବ ନାହିଁ। ତୋତେ ରାଣୀ ଭଳିଆ ଲାଗୁଥିବ ସେଠି। ଗୋଟିଏ ବୋଲି ପୁଅ ବି।ତୁ କ'ଣ ସେଠି ଖୁସି ନାହୁଁ ଯେ, ମୁହଁ ଶୁଖେଇ ଆସିଛୁ?" ମାଆର ଏମିତି କଥା ଶୁଣି ଯେତେ ମନକୁ ଦୃଢ଼ କରି ଆସିଥିଲା ସୌଦାମିନୀ, କିଛି ଜଣେଇବ ନାହିଁ ବୋଲି, ଶୁଣୁଶୁଣୁ ଭୋ ଭୋ ହୋଇ କାନ୍ଦି ପକେଇଲା। କହିଲା, "ମୁଁ ତ ସେଠି ରାଣୀ ଭଳିଆ ଅଛି ଲୋ ମାଆ! ଚିନ୍ତା ତୁମ ଦୁଇଜଣଙ୍କ ପାଇଁ ମୋର ଏଇ ଘରୁ ଯିବା ଦିନ ଠାରୁ।ନା ସେଠି କିଛି କହି ପାରୁଛି ଖୋଲିକି, ନା ଏ ଚିନ୍ତା ମନରୁ ଯାଉଛି।ଦୋ ଦୋ ପାଞ୍ଚ ହୋଇ ମୋତେ ନିଦ ହେଉ ନାହିଁ। ବେଳେ ବେଳେ ଲାଗୁଛି ମୋ ଦ୍ୱାରା କିଛି ଭୁଲ ହୋଇଯାଇନି ତ! ଶାଶୁ ଶ୍ୱଶୁର ମୋର ବହୁତ ଭଲ।ସତେ ଯେମିତି ତୁମ ଦୁହିଁଙ୍କ ଛାଇ। କିନ୍ତୁ ମୋ ମନ ସେଠି ରହୁ ନାହିଁ। ତୁମ ଦୁହିଁଙ୍କ ଚିନ୍ତାରେ ଯେ, ମୁଁ ଗଲା ପରେ ତୁମର କିଏ ଦେଖାଶୁଣା କରିବ? ବାପା ତ ଉଚ୍ଚ ରକ୍ତଚାପ ରୋଗୀ। ତୋର ବି ବୟସ ହୋଇ ଗଲାଣି। ଘରେ ଏକା ଦୁହେଁ କେମିତି ସବୁ ସମ୍ଭାଳିବ?" ସୌଦାମିନୀ ଏତିକି କହି ଖଟ ଉପରେ ବସି ପଡ଼ିଲା। ମାଆ ତା'ର "ଏଇ ଗୋଟିଏ କଥା" କହି ଝିଅ ପାଖରେ ବସି ପଡ଼ି କହିଲେ, "ଆଲୋ ହୁଣ୍ଡି! ତୁ ଆମ ପାଇଁ ଚିନ୍ତା କରନି।ତୋର ଶାଶୁ ଶ୍ୱଶୁର ଏତେ ଭଲ ଯେ, ଆଜି ପରା ତୁମ ଦୁହିଁଙ୍କ ସହିତ ତାଙ୍କ ଘରକୁ ଚାଲି ଯିବାକୁ ଆମକୁ ଅନୁରୋଧ କରିଛନ୍ତି। ତୋତେ କହିବାକୁ ମନା କରିଥିଲେ। ତୁ କ'ଣ ଭାବୁଛୁ, ଏକା ମୁଁ ତୋର ମନ ଭିତରେ କ'ଣ ଭାବନା ପଢ଼ିପାରେ ବୋଲି? ତୋ ଶାଶୁ ମଧ୍ୟ ପଢ଼ି ସାରିଛନ୍ତି ତୋ ମନ କଥା। ରାଣ ନିୟମ ପକେଇ ପରା ଆଜି ତାଙ୍କ ଘରକୁ ତୁମ ଦୁହିଁଙ୍କ ସହିତ ଚାଲି ଯିବାକୁ କହିଛନ୍ତି।" ଏତିକି ଶୁଣୁଶୁଣୁ ସୌଦାମିନୀର ଚକ୍ଷୁଦ୍ୱୟ ଚକମକ କରି ଉଠିଲା ଠିକ୍ ଆକାଶର ତାରା ପରି। କେମିତି ଘରକୁ ଫେରି ଶାଶୁଙ୍କୁ ପାଦ ଛୁଇଁ ମୁଣ୍ଡିଆ ମାରି ଧନ୍ୟବାଦ ଜ୍ଞାପନ କରିବ ଭାବୁଥାଏ। ସତରେ ତାର ଗୋଟିଏ ବଡ଼ ବୋଝ ମନରୁ ହାଲୁକା ହୋଇଗଲା। ଆଜିକାଲି ଦୁନିଆରେ ଝିଅମାନଙ୍କୁ କେତେ କ'ଣ ସହିବାକୁ ପଡ଼ୁଛି ଶାଶୁଘରେ। କିନ୍ତୁ ତା'ର ଶାଶୁଘର ନିଆରା। ସମ୍ପର୍କର ହାନି ନ ହେଉ ବୋଲି ଆଉ ସମାଜର ଅବାଞ୍ଛିତ ପ୍ରଶ୍ନବାଣର ଶିକାର ନ ହେବା ପାଇଁ ମଧ୍ୟ ତା'ର ବାପଘର ଲୋକଙ୍କ ପାଇଁ ଶାଶୁଘର ଲୋକ ବ୍ୟବସ୍ଥା କରି ରଖିଥିଲେ। ସିନା ଝିଅ ଶାଶୁଘରେ ବାପା-ମାଆ ଜଳପାନ ନିଷେଧ, ମୃତ୍ୟୁବତ୍ ଅବସ୍ଥାନ ତ ଗର୍ହିତ ଅପରାଧ। କିନ୍ତୁ ତା'ର ବାପାମାଆଙ୍କ ପାଇଁ ପାଖରେ ଗୋଟିଏ ଘର କିଣି ଚାକର ଦୁଇଟି ଖଞ୍ଜି ଦେଲେ ତା'ର ଶାଶୁଘର ଲୋକେ। ଗୋଟିଏ ହତା ଭିତରେ ଦୁଇଟି ପରିବାର। ଚିନ୍ତା ମଧ୍ୟ ଉଭେଇ ଗଲା ସୌଦାମିନୀ ମନରୁ ବାପାମାଆଙ୍କୁ ନେଇ। ଏବେ ଖୋଲା ରାସ୍ତା ପଡ଼ିଥିଲା ତା ଆଗରେ ତା'ର ଜୀବନସାଥି ସହିତ, ନିର୍ଦ୍ବନ୍ଦ୍ବରେ ନବବିବାହିତ ଦମ୍ପତି ଭାବରେ ସଂସାରରେ ଆଗକୁ ପାଦ ବଢ଼ାଇବା ପାଇଁ।