ଚିରନମସ୍ୟ ଗୁରୁ
ଚିରନମସ୍ୟ ଗୁରୁ
ବହୁତ ପୁରୁଣା କଥା । ଥରେ ଜଣେ ଗୁରୁ ଓ ତାଙ୍କ ଶିଷ୍ୟ ଭାରତର ଏକ ନିର୍ଜନ ପ୍ରାନ୍ତରୁ ଯାତ୍ରା କରୁଥିଲେ । ଘଞ୍ଚ ଅରଣ୍ୟ ଦେଇ ସକାଳୁ ସଞ୍ଜ ଯାକେ ପଦ ଯାତ୍ରା କରି କ୍ଲାନ୍ତ ହେଇ ଯାଇଥିଲେ । ସଞ୍ଜ ନଇଁ ଆସିଲା ବେଳକୁ ଗଙ୍ଗା ନଦୀ କୂଳରେ ଅବସ୍ଥିତ ଏକ ଛୋଟ ଗାଁର ବର୍ହିଦେଶରେ ତାଙ୍କୁ ଗୋଟେ ଛୋଟ କୁଟୀର ଦିଶିଲା । ଗୁରୁ ତାଙ୍କ ଶିଷ୍ୟଙ୍କୁ କହିଲେ, ବତ୍ସ ଆଜି ଆମେ ଏଠି ରାତ୍ରି ଯାପନ କରି କାଲି ବ୍ରହ୍ମ ମୁହୂର୍ତ୍ତରେ ପ୍ରସ୍ତୁତ ହେଇ ପ୍ରସ୍ଥାନ କରିବା ।
ଗୁରୁ ଶିଷ୍ୟ ଦିହେଁ ସେ କୁଟୀର ସାମ୍ନାରେ ଉପସ୍ଥିତ ହେଇ ଡାକ ପକାଇଲେ କିଏ ଅଛ କି ?
ଜଣେ ଚାଷୀ ଗୃହ ଭିତରୁ ବାହାରକୁ ଆସି ହାତ ଯୋଡ଼ି ପ୍ରମାଣ କଲେ । ଗୁରୁ କହିଲେ, ଆମକୁ ଏଠି ଆଜି ରାତିକ ବିତାଇବାକୁ ଅନୁମତି ଦେଲେ ପୁଅ ତୁମର କଲ୍ୟାଣ ହୁଅନ୍ତା !!
ଚାଷୀ କହିଲା, ଗୁରୁ ଦେବ ମୁଁ ଜଣେ ଗରିବ ଚାଷୀ ; ମୋ ପାଖରେ ସେମିତି କିଛି ନାହିଁ ଯୋଉଥିରେ ଆପଣଙ୍କୁ ସମ୍ମାନ ଦେଇ ଆତିଥ୍ୟସେବା କରି ପାରିବି !!
ଗୁରୁ କହିଲେ, ବତ୍ସ ଗୁରୁକୁ କେବେ ଭୂରୀ ଭୋଜନର ଆତିଥ୍ୟସେବା ପାଇଁ ଲାଳସା ନ ଥାଏ । ଶୁଖିଲା ରୁଟି କି ଚାଉଳ ଗଣ୍ଡେରେ ବି ଗୁରୁଙ୍କୁ ଆତ୍ମସନ୍ତୋଷ ମିଳିଥାଏ କାରଣ ଗୁରୁ ତାଙ୍କ ଶିଷ୍ୟ ଠାରୁ କେବଳ ଭକ୍ତି ଓ ବିଶ୍ବାସ ହିଁ ଚାହିଁ ଥାନ୍ତି ।
ଗୁରୁଙ୍କ କଥା ଶୁଣି ଚାଷୀ ଗୁରୁଙ୍କୁ ଘର ଭିତରକୁ ପାଛୋଟି ନେଇ ପାଦ ଧୋଇ ଯାହା ବି ଥିଲା ଗୁରୁ ଶିଷ୍ୟଙ୍କୁ ଖାଇବାକୁ ଦେଲା । ଆଉ ବାକି ବଳକା ନିଜ ଦି ଛୁଆଙ୍କୁ ଦେଇ ଚାଷୀ ଓ ତା ସ୍ତ୍ରୀ ପାଣି ପିଇ ଶୋଇ ପଡିଲେ ।
ଠିକ୍ ଅର୍ଦ୍ଧ ରାତ୍ରରେ ଗୁରୁ ନିଦରୁ ଉଠି ପଡ଼ି ଶିଷ୍ୟକୁ ମଧ୍ୟ ନିଦରୁ ଉଠାଇଲେ । ଦିନ ଯାକର ପଦଯାତ୍ରା ପାଇଁ ଥକି ଯାଇ ଶିଷ୍ୟଟି ନିଘୋଡ଼ ନିଦରେ ଶୋଇ ପଡ଼ିଥିଲେ । ଗୁରୁ ପୁଣି ଥରେ ଶିଷ୍ୟକୁ ଉଠେଇବା ପାଇଁ ଚେଷ୍ଟା କଲେ । ଏଥର ଶିଷ୍ୟ ଆଖି ମଳି ମଳି ଅଧା ନିଦ୍ରାରେ ଥାଇ ଉଠିଲେ । ଗୁରୁ କହିଲେ, ଆମକୁ ଏଇ ମୁହୂର୍ତ୍ତ ରେ ବାହାରି ଯିବାକୁ ହେବ । ଶିଷ୍ୟ ଟିକେ ଆଶ୍ଚର୍ଯ୍ୟ ହେଇ ପଚାରିଲେ ଏତେ ରାତିରେ ଗୁରୁ ଦେବ ?
ଗୁରୁ କହିଲେ , ହଁ ଏବେ ବାହାରିବା ଆଉ ସାଙ୍ଗରେ ଚାଷୀର ଗାଈଟିକୁ ନେଇଯିବ । ଶିଷ୍ୟ ମନେ ମନେ ଭାବିଲେ ଗରିବ ଚାଷୀ ଗାଈ ନେଇଗଲେ ସେ ଚଳିବ କେମିତି ପୁଣି ଏମିତି ତାକୁ ନ କହି ! ହେଲେ ଶିଷ୍ୟ ମୁହଁ ଖୋଲି ଗୁରୁଙ୍କୁ କିଛି ପଚାରି ପାରିଲେନି । ଆଉ ଚୂପଚାପ ଗାଈ ଧରି ସାଙ୍ଗରେ ସେଇ ଅର୍ଦ୍ଧ ରାତ୍ରରେ ବାହାରି ପଳେଇଲେ ।
ଏହା ଭିତରେ ଅନେକ ବର୍ଷ ବିତି ଯାଇଥାଏ । କିନ୍ତୁ ଏମିତି ଗୋଟେ ଦିନ ମଧ୍ୟ ଯାଇନଥାଏ ଯୋଉ ଦିନ ଶିଷ୍ୟ ସେଇ ଗରିବ ଚାଷୀର ଅବସ୍ଥା ବିଷୟରେ ଚିନ୍ତା କରି ନଥିବେ । ପ୍ରତିଦିନ ତାଙ୍କ ଅନ୍ତଃଧ୍ଵନିର ଶଦ୍ଦରେ ସେ ସୁଖ ନିଦ୍ରା ପାଇ ପାରି ନାହାଁନ୍ତି । ହେଲେ କେବେ ମଧ୍ୟ ସାହାସ କରି ଗୁରୁ ଦେବ
ଙ୍କୁ ପଚାରି ନାହାଁନ୍ତି । ଏମିତି ଦିନେ ଭାବିଲେ ସେ ନିଜେ ଯାଇ ସେ ଚାଷୀର ଖବର ନେବେ । ଗୁରୁଙ୍କ ଠାରୁ ଅନୁମତି ନେଇ ଚାଷୀ ଘରକୁ ଗଲେ ।
ହେଲେ ସେଠି ପହଞ୍ଚି ତାଙ୍କ ଆଶ୍ଚର୍ଯ୍ୟର ସୀମା ରହିଲାନି । ଵଣ ଜଙ୍ଗଲ ଓ ଶୁଷ୍କ ହୋଇ ପଡିଥିବା ସ୍ଥାନଟି ଫୁଲ ଫଳ ସବୁଜିମାରେ ଭରି ଉଠିଛି । ଚାଷୀର କୁଟୀର ସ୍ଥାନରେ ଏକ ବଡ଼ ଘର ନିର୍ମାଣ ହେଇଛି । ଶିଷ୍ୟ ଆଶ୍ଚର୍ଯ୍ୟ ହେଇଗଲେ । ମନେ ମନେ ଭାବିଲେ ଚାଷୀ ବୋଧେ ତା ଗାଈ ନ ପାଇ ଜମି କୋଉ ଜମିଦାର କି କୋଉ ସାହୁକାରକୁ ବିକ୍ରି କରି ଦେଇଛି । ତାଙ୍କୁ ବହୁତ ଦୁଃଖ ଲାଗିଲା । ସେ ଚିନ୍ତା କଲେ ଘର ମାଲିକଙ୍କୁ ପଚାରିଲେ ହୁଏତ ଚାଷୀ ବିଷୟରେ କିଛି ଖୋଜ ଖବର ମିଳିବ । ସେ ସେଠୁ ଯାଇ ଘର କବାଟ ଠକ୍ ଠକ୍ କଲେ ।
ଘର କବାଟ ଖୋଲିଲା ବେଳକୁ ସାମ୍ନାରେ ଚାଷୀ ଛିଡ଼ା ହେଇଚି । ସେ ଖୁସିରେ ଶିଷ୍ୟଙ୍କୁ ଘର ଭିତରକୁ ପାଛୋଟି ନେଇ ତାଙ୍କର ଆତିଥ୍ୟସେବା କଲା । ଚାଷୀ କହିଲା, ସେ ଦିନ ରାତିରେ ମୋ ଗାଈ ହଜିନଯାଇଥିଲେ , ହୁଏତ ମୁଁ ଆଜି ଏତେ ବଡ଼ ଫଳ ବିକ୍ରେତା ହେଇ ପାରି ନଥାନ୍ତି ।
କିଛି ସମୟ ରହି ଚାଷୀ ପୁଣି କହିଲା, ସେଦିନର ରାତି ମୁଁ ମୋ ଜୀବନରେ ଭୂଲି ପାରିବନି । ତା ପରଦିନ ସକାଳୁ ଗାଈକୁ ନପାଇ କ'ଣ କରିବି ଜାଣି ପାରୁ ନଥିଲି । ଶେଷରେ ମୋ ଜମିରେ ଥିବା ଫଳ ନେଇ ବିକ୍ରି କରି ପରିବାରର ପେଟ ପୋଷିଲି । ତା'ପରେ ସେଇ ବୃକ୍ଷକୁ ଅଧା କାଟି ଆଉ ସେ ଫଳର ମଞ୍ଜି ବୁଣି ଫଳ ଚାଷ କଲି ଆଉ ଫଳ ବିକ୍ରି କଲି । ଧୀରେ ଧୀରେ ମୋ ଫଳ ଚାଷର ଚାହିଦା ବଢିଲା ଆଉ ମୁଁ ଏବେ ଆଖ ପାଖ କେତେ ଗାଁରେ ଫଳ ବିକ୍ରି କରୁଛି । ସେଦିନ ଗୁରୁଦେବଙ୍କ ପାଦ ଧୂଳି ମୋ ଘରେ ପଡ଼ିବାରୁ ମୋ ଭାଗ୍ୟ ଉଦୟ ହେଲା । ସେତିକିବେଳେ ଶିଷ୍ୟଙ୍କୁ ଖିଆଲ ହେଲା ଯେ ତାଙ୍କ ଗୁରୁ ତ୍ରିକାଳଦର୍ଶୀ । ଗୁରୁଦେବ ଜାଣିଥିଲେ ଗାଈ ଥିବା ପର୍ଯ୍ୟନ୍ତ ଚାଷୀ ଖାଲି କ୍ଷୀର ଉପରେ ହିଁ ନିର୍ଭର କରି ଦୟନୀୟ ଅବସ୍ଥାରେ ରହିବ । ତେଣୁ ଚାଷୀକୁ ଅନ୍ଧାରରୁ ଆଲୋକ ଆଡ଼କୁ ନେବା ପାଇଁ ସେଦିନ ରାତିରେ ତାଙ୍କ ଗୁରୁ ଗାଈ ନେବା ପାଇଁ କହିଥିଲେ । ଏତେ ଦିନ ପରେ ଶିଷ୍ୟଙ୍କୁ ତାଙ୍କ ମନରେ ଥିବା ବିଷାଦରୁ ମୁକ୍ତି ମିଳିଲା ।
ସ୍ବତଃ ପ୍ରବୃତ୍ତ ତାଙ୍କ ହାତ ଗୁରୁଙ୍କ ଉଦ୍ଦେଶ୍ୟରେ ଯୋଡ଼ି ହେଇଗଲା
ଗୁ ର ଅର୍ଥ ଅନ୍ଧାର .....
ରୁ ର ଅର୍ଥ ଆଲୋକ....
ସେଥି ପାଇଁ କହନ୍ତି ଯିଏ ଆମକୁ ଅନ୍ଧାରରୁ ଆଲୋକ ଆଡ଼କୁ ପଥ ଦେଖାନ୍ତି ସେ ହେଉଛନ୍ତି ଗୁରୁ । କାରଣ କେବଳ ଗୁରୁ ହିଁ ଜାଣନ୍ତି କୋଉଠି କେମିତି ଶିକ୍ଷା ଦେଲେ ଶିଷ୍ୟ ଟି ଉଚିତ୍ ମାର୍ଗରେ ଅଗ୍ରସର ହେଇ ପାରିବ ।
ଗୁରୁ କେହି ବି ହେଇ ପାରନ୍ତି ମାତା ପିତା, ଭାଇଭଉଣୀ, ଶିକ୍ଷକ ଶିକ୍ଷୟିତ୍ରୀ କିମ୍ବା ବନ୍ଧୁ ଆଉ ଅପରିଚିତ ବି ;ହଁ ଜୀବନର ଦୋଛକିରେ ବେଳେ ବେଳେ ମିଳିଯାନ୍ତି ଅଜଣା କେହି ସିଏ ମଧ୍ୟ ଆମକୁ ଉଚିତ୍ ମାର୍ଗ ଦେଖେଇ ଥାନ୍ତି । ତେଣୁ ଗୁରୁ ଯିଏ ବି ହୁଅନ୍ତୁ ସର୍ବଦା ଚିରନମସ୍ୟ ।