Pratap Chandra Mishra

Inspirational

4  

Pratap Chandra Mishra

Inspirational

ଛୁଆଁ ଅଛୁଆଁ

ଛୁଆଁ ଅଛୁଆଁ

7 mins
471



ସୁନ୍ଦର୍ ପୁର ଗାଆଁ ରେ ପ୍ରାକୃତିକ ପରିବେଶ ବେଶ୍ ମନଛୁଆଁ। ଆଧୁନିକତା ର ବଶବର୍ତ୍ତୀ ହେବାକୁ ଅମଙ୍ଗ ହେଲେବି ପରିସ୍ଥିତି ନେଇ ବଞ୍ଚିବା କୁ 

ଗାଁ ଲୋକମାନେ ସହର ମୁହାଁ ହେବାକୁ ବାଧ୍ୟ ହୁଅନ୍ତି। ସେହି ଗାଆଁ ରେ ଅବସ୍ଥିତ ଥିବା ମୁଖିଆ, ପ୍ରଧାନ ବାବୁ ସମସ୍ତଙ୍କର ସୁଖ ଦୁଃଖରେ ସହାୟକ ହୋଇଥାନ୍ତି।ଗାଆଁ ଲୋକମାନେ ପ୍ରାୟତଃ ଚାଷ ଉପରେ ନିର୍ଭର କରି ଜୀବନ ନିର୍ବାହ କରନ୍ତି ।


ପ୍ରଧାନ ବାବୁ ବଡ଼ ଭକ୍ତ ବତ୍ସଳ। ସେ ଗାଆଁ ଦଣ୍ଡକାଳିଙ୍କ ମୁଖ୍ୟ ଭକ୍ତ। ଆଗାଧ ବିଶ୍ୱାସ ରହିଛି ।ନିଘା ନିଷ୍ଠାରେ ବ୍ରାହ୍ମଣ ମାନେ ବି ସରି ହେବେନାହିଁ। ପୁରୁଣା ସଂସ୍କୃତି ଓ ନୀତି ନିୟମରେ ପୁରା କଡା କଡି ଭାବେ ସେ ନିଜକୁ ପରିବେଷଣ କରନ୍ତି। ଗାଁ ର କୌଣସି ନୀଚ ଜାତି ବ୍ୟକ୍ତି ତାଙ୍କ ସାମ୍ନାରେ ମୁଣ୍ଡ ଟେକି ସଳଖି କଥା ହୁଅନ୍ତି ନାହିଁ। ଯଦି ଆବଶ୍ୟକ ପଡେ ଦୂରରେ ରହି କାର୍ଯ୍ୟ ସମ୍ପାଦନ କରନ୍ତି।ଚାକର ବାକର କହିଲେ ନିଜ ସମ୍ପ୍ରଦାୟ ର ବ୍ୟକ୍ତି ମାନେ ତାଙ୍କ ଘରେ ନିୟୋଜିତ ହୋଇଛନ୍ତି। 

ବିଲ ବାଡି କାମ ପାଇଁ ଚାଷୀ ମାନେ ଦାୟିତ୍ୱ ନେଇଛନ୍ତି। ତେବେ ଗାଆଁ ରେ ସବୁ କୁଶଳ ବିଦ୍ୟମାନ। ଗାଁ ମୁଖିଆ ହିସାବରେ ପ୍ରଧାନ ବାବୁ ସମ୍ଭ୍ରାନ୍ତ ଅଟନ୍ତି।ସମସ୍ତେ ତାଙ୍କୁ ଏବଂ ତାଙ୍କ ଚରିତ୍ର ଜାଣି ଯଥା ସମ୍ମାନ ଦିଅନ୍ତି।


ସେହି ଗାଆଁ ର ଆଡୂଆ ସାହି ରେ ମାଧୁରୀ ନାମକ ବାପ ଛେଉଣ୍ଡ ପିଲା ତା ମା କୁ ନେଇ ରହିଥାଏ। ବୁଢୀମା ପ୍ରଧାନ ବାବୁଙ୍କ ଦାଣ୍ଡ ବାରି ସଫା କରେ, ପଦର ରେ କାମ କରେ। ମାସିକ ରୋଜଗାର ପ୍ରଧାନ ବାବୁ ଯାହା ଦିଅନ୍ତି ସୁଖେ ଦୁଃଖେ ଦୁଇ ପ୍ରାଣୀ ଚଳି ଯାଆନ୍ତି।ମାଧୁରୀ କୁ ପନ୍ଦର ବର୍ଷ ହେବ। ମା ବୁଢୀ ହେଲାଣି। ବଳ ଖସି ଆସୁଛି। ଆର୍ଥିକ ସମ୍ବଳତା ଓ ଦାରିଦ୍ର୍ୟ କାରଣ ପୁଣି ପାଠ ପଢାରେ ମନ ନ ଲାଗିବାରୁ ମାଧୁରୀ ଆଉ ପାଠ ପଢା ରେ ମନ ଦେଲା ନାହିଁ। ମା କିନ୍ତୁ ପୁଅ ର ଏତାଦୃଶ ଅବସ୍ଥା ଦେଖି ପ୍ରଧାନ ବାବୁ ଙ୍କୁ କହି ସେ ତାଙ୍କ ଧାନ ମିଲ ରେ କାମରେ ନିଯୁକ୍ତ କରାଇ ଦେଇଛି। ମା ପୁଅ ମିଶି ରୋଜଗାର କରି ଚଳି ଆସୁଛନ୍ତି। କିନ୍ତୁ ମାଧୁରୀ ନୀଚ ଜାତିର। ତେଣୁ ପ୍ରଧାନ ବାବୁ ଙ୍କ ଘର କାମ ଆବଶ୍ୟକ ସ୍ଥଳେ ସେ ଦୂରରେ ରହି ହିଁ କାର୍ଯ୍ୟ ତୁଲାଇ ଥାଏ।

ଯଦି କିଛି ବ୍ୟତିକ୍ରମ ହୁଏ ତେବେ କଠୋର ଦଣ୍ଡ ର ବ୍ୟବସ୍ଥା ବି କରାଯାଇଛି ପ୍ରଧାନ ବାବୁଙ୍କ ଗାଆଁ ରେ।

ମାଧୁରୀ ବେଶ କୌତୁକିଆ ପିଲା।ସେ ପିଲା ଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତଙ୍କର ପ୍ରିୟ । କିଏ କୌଣସି କାମ କରିବା କୁ କହିଲେ କହା କଥାକୁ ଅବମାନନା କରେ ନାହିଁ। ଝଟାପଟ ସେ କାମ ଆବଶ୍ୟକତା ଅନୁସାରେ ସଫଳତାର ସହ କରିଦିଏ।ଗାଆଁ ରେ ଭୋଜି ଭାତ ଉତ୍ସବ ପର୍ବ ପର୍ବାଣୀ ହେଲେ ; ପ୍ରଥମେ ମାଧୁରୀକୁ ଖୋଜା ହୁଏ।କାରଣ ପରିବେଶ ସଫା କରିବା , ଝାଡୁ ମାରିବା,ଆବର୍ଜନା ନିର୍ମଳ କରିବା, ଆଇଁଠା ଖଲି ପତ୍ର ବାହାର କରିବା,କାଠ କାଟି ରନ୍ଧନ ଉପଯୋଗୀ କରିବା ଇତ୍ୟାଦି। କାରଣ ସେ ନ୍ୟୁନ ଜାତି ର। ହାତ ଗଣତି କେତେ ମାଧୁରୀ ସମ୍ପ୍ରଦାୟ ର ଲୋକ ଗାଆଁରେ ରହନ୍ତି। ଅନ୍ୟ ମାନେ ଜୀବିକା ପାଇଁ ଗାଆଁ ଛାଡି ଦୂର ସହରକୁ ଚାଲି ଯାଇଛନ୍ତି।ଏବଂ ଆଉ ଯେତେ ଅଛନ୍ତି ଏଭଳି କାମ କୁ ପସନ୍ଦ କରୁନାହାଁନ୍ତି।ତେଣୁ ମାଧୁରୀ ର ପ୍ରାଧାନ୍ୟ ବେଶୀ। ଏବଂ ଆଗନ୍ତୁକ ବା ଅତିଥି ତଥା ଅନ୍ନଦାତା ,ପ୍ରଧାନ ବାବୁ ଙ୍କ କାମ କହିଲେ ସେ ବିନା ଦ୍ୱିଧାରେ ସରାଗ ର ସହ ମନ ଲଗାଇ କରିଦେଇଥାଏ। ମା କହିଛି ପ୍ରଧାନ ବାବୁ ବଡ଼ ଲୋକ।ତାଙ୍କ ସମ୍ମାନ ରେ ଆଞ୍ଚ ନ ଆସିଲା ଭଳି ସବୁ କାମ କରିବୁ।ଆମେ ତାଙ୍କ ଯୋଗୁଁ ବଞ୍ଚି ରହିଛେ। ଯଦି କିଛି ଅସୁବିଧା ହେବ ଆମକୁ ଗାଁ ରୁ କାଢି ଦେବେ।


ମାଧୁରୀ ବି ମା ର କଥା ମାନି ହସ ଖୁସି ରେ ଜୀବନ ବିତାଉଅଛି।ସବୁ ପରିସ୍ଥିତି ସମାନ ରହେନି।ଗାଆଁ ରେ ମେଳା ଲାଗିଛି। ସମସ୍ତଙ୍କ ଘରକୁ କୁଣିଆ ମୈତ୍ର ଆସିଛନ୍ତି। ପ୍ରଧାନ ବାବୁ ଙ୍କ ଘରେ ତ ଭୋଜି ଚାଲିଛି। ବହୁତ୍ ଅତିଥି ।ମାଧୁରୀ ଗାଆଁ ଟା ଯାକ ଘରେ ଜହ୍ନମାମୁଁ। କିନ୍ତୁ ଅଧିକ ସମୟ ସେ ପ୍ରଧାନ ବାବୁଙ୍କ ଘରେ ଦିଏ। ପୁରା ଦିନ ଏଘର ସେଘର ହୋଇ ରାତି ବଢ଼ିଗଲା। ମାଧୁରୀ ପ୍ରଧାନ ବାବୁ ଙ୍କ ଘରେ ରାତ୍ରୀ ଭୋଜନ ସାରି ସେଦିନ ବହୁତ୍ କ୍ଳାନ୍ତ ହୋଇପଡ଼ିଥିଲା। ପ୍ରଧାନ ବାବୁ ଙ୍କ ଦାଣ୍ଡ ପିଣ୍ଡା ରେ ଖାଇ ସାରି ଟିକେ ଆଶ୍ୱସ୍ତି ପାଇଁ ସେଠି ବସିପଡ଼ିଲା। ଥକ୍କା ମାରିବା ଭିତରେ ସେ ସେଇଠି ନିଘୋଡ଼ ନିଦ ରେ ଶୋଇଗଲା। ପ୍ରଧାନ ବାବୁ ସେହି ରାତି ରେ ମେଳା ରେ ଆୟୋଜନ ହେଉଥିବା ସଭା ଓ ମନୋରଞ୍ଜନ କାର୍ଯ୍ୟ ରେ ଯୋଗଦାନ ଦେବାକୁ ଚାଲି ଯାଇଥିଲେ। ଘର ଲୋକ ମାନେ ରାତି ଅଧିକ ବିତି ଯାଇଥିବା ଯୋଗୁଁ ସେମାନେ ବି ନିଦ୍ରାଗ୍ରସ୍ତ। ରାତ୍ରୀ ର ଅଧା ପ୍ରହର ରେ ପ୍ରଧାନ ବାବୁ ଙ୍କ ବଢିଲା ଝିଅ ସେ ଗାଆଁ ର ନିର୍ମାଲ୍ୟ ନାମକ ପୁଅ କୁ ଭାବ ଦିଆ ନିଆ କରୁଥିଲା।ତେଣୁ ଦୁହେଁ ସେ ରାତ୍ରରେ ଗାଆଁ ଛାଡି ଅନ୍ୟତ୍ର ଚାଲି ଯିବାକୁ ମନସ୍ଥ କରିଥିଲେ। ପ୍ରଧାନ ବାବୁଙ୍କ ଝିଅ ସଜବାଜ ହୋଇ ଆବଶ୍ୟକ ସାମାନ ଓ ଟଙ୍କା ପଇସା ନେଇ ଛଦ୍ମ ବେଶରେ ଘରୁ ବାହାରିଲା ବେଳେ ଅନ୍ୟ ମନସ୍କ ହୋଇ କିଛି ଭୁଲ କରିଦେଲା। ଯଦ୍ୱାରା ଅତର୍କିତ ଆଵାଜ୍ ଦାଣ୍ଡ ପିଣ୍ଡା ରେ ଶୋଇଥିବା ମାଧୁରୀ କୁ ନିଦ୍ରା ଭଙ୍ଗ କରିବା କୁ ବାଧ୍ୟ କଲା। ସେ ଧଡ଼ପଡ ହୋଇ ସଚେତ ହେଲା ବେଳକୁ ପ୍ରଧାନ ବାବୁ ଙ୍କ ଝିଅ ତର ତର ହୋଇ ଘରୁ ବାହାରି ଯାଉଛି। କିଏ ଯାଉଛ?

କ'ଣ ଚୋର କି? ଅନ୍ଧାର ପରିବେଶ ସାଙ୍ଗକୁ ଛଦ୍ମ ବେଶୀ ଝିଅ କିଛି ବୁଝା ପଡୁନି। ମାଧୁରୀ ମନେ ସ୍ଥିର କରିଛି ସୁନସାନ ର ଫାଇଦା ଉଠାଇ ନିଶ୍ଚୟ କିଏ ପ୍ରଧାନ ବାବୁଙ୍କ ଘରୁ ମୂଲ୍ୟବାନ ସାମାନ ନେଇ ଚାଲି ଯାଉଛି। ସେ ପିଛା କଲା। ଏବଂ ବଳବାନ ମାଧୁରୀ ସାମ୍ନା ରେ ଝିଅ ମୁକୁଳି ପାରିବ? ମାଧୁରୀ ସେ ଝିଅ କୁ କାବୁ କରିନେଲା। ଝିଅ ; ଡରରେ ମାଧୁରୀ କୁ ସବୁ ସତ କହିଲା ବେଳକୁ ମାଧୁରୀ ପାଟି ଶୁଣି ପ୍ରଧାନ ବାବୁ ଙ୍କ ଘର ଲୋକ ଆସି ଯାଇଥିଲେ।ଏବଂ ମାଧୁରୀ ପ୍ରଧାନ ବାବୁଙ୍କ ଝିଅ ର ହାତ କୁ କାବୁ କରି ଧରି ଥିବା ସମସ୍ତେ ସ୍ୱଚକ୍ଷୁରେ ଦେଖୁଥିଲେ। ପ୍ରଧାନ ବାବୁଙ୍କ ଝିଅ ମାଧୁରୀ କୁ ନେହୁରା ହୋଇ ଏକଥା କାହାକୁ ପ୍ରକାଶ କରିବାକୁ ମନା କରୁଥିଲା ବେଳେ,ଘର ଲୋକ ଙ୍କ ଆଗରେ ମାଧୁରୀ ନୀଚ ଶ୍ରେଣୀ ର ହୋଇ ପ୍ରଧାନ ଘର ର ଝିଅ କୁ ସ୍ପର୍ଶ କରିଥିବା ଅପରାଧ ରେ ପର ଦିନ କଠୋର ନିଷ୍ପତ୍ତି ସ୍ୱରୂପ ତାକୁ ଗାଆଁ ରୁ ବାସନ୍ଦ କରାଯାଇଥିଲା। ଶେଷ ରେ ଅତିଷ୍ଠ ହୋଇ କାମିକା ମାଧୁରୀ ନିଜ ଭିତରେ ସବୁ ଲୁଚାଇ ସହର କୁ ଜୀବିକା ପାଇଁ ଗାଆଁ ଛାଡି ଦେଇଥିଲା।


ସହର ରେ ମାଧୁରୀ ମୂଲ ଲାଗି ବସ୍ତି ରେ ଜୀବନ ବିତାଉ ଥିଲା। ଗାଁ କଥା ମନ ପକାଇ ଲେ ବିଷର୍ଣ୍ଣ ହୋଇଯାଇଥାଏ। ମା କିନ୍ତୁ ବୁଝାଇ ଦିଏ,ଆମେ ଛୋଟ ଜାତି । କରମ ଆମର ଛୋଟ। ତେଣୁ ସବୁ ଦଣ୍ଡକାଳୀଙ୍କ ଲୀଳା। ମନ ଦୁଃଖ ନ କରି ସମୟ ବିହି ରେ ଆମେ ବଞ୍ଚିବା କୁ ହେବ।କିନ୍ତୁ ମାଧୁରୀ ଆଜିକାଲି ଏ ଜାତିପ୍ରଥା ନେଇ ବିଭ୍ରାନ୍ତି କର ବିଷୟ ରେ ନିଜକୁ ଛୋଟ ଭାବୁନାହିଁ । କାରଣ ସମସ୍ତଙ୍କ କାମ ଗାଆଁ ରେ ନିଃସ୍ୱାର୍ଥ ଭାବେ ସେ କରୁଥିଲା ଓ ବାସନ୍ଦ ହୋଇ ଗାଁ ର ଇଜ୍ଜତ ବଞ୍ଚାଇଲା ଭଳି ମହତ୍ କାମ କଲା। ଭଲ ପାଉ ଥିବା ପ୍ରାଣୀ ଚୋର ପ୍ରକୃତି ଆଦରି ଥିଲେ। ଯଦି ଅସଲ ଭଲ ପାଇବା ସେମାନଙ୍କ ଥିଲା ତେବେ କପଟ କାହିଁକି?ଭୀରୁତା କ'ଣ ପାଇଁ? କିନ୍ତୁ ସେ ନିର୍ଭୟ।

ଜାତି ସିନା ଛୋଟ, ମନ ଟା ଉଚ୍ଚ। ତାର ଗୋଟିଏ ଜାତି ସେ ହିନ୍ଦୁ ଏବଂ ହିନ୍ଦୁ ମାନେ ପର ଉପକାରୀ,ସାହାସୀ ଉଦାର ଶିଳ ତଥା ଅହିଂସା ପ୍ରିୟ। ଏବଂ ସହର ରେ ମା ସାଥେ ଆନନ୍ଦରେ କାଳାତିପାତ କରିବା କୁ ଲାଗିଲା। ମା ର ଦେହ ବିଗିଡ଼ି ବା ଆରମ୍ଭ ହେଲାଣି। ସେ ଋଗ୍ଣା ହେବାକୁ ଯାଉଛି।ବୟସ ଅଧିକ ହେବା ଯୋଗୁଁ ଅସୁସ୍ଥ । ତେଣୁ ମାଧୁରୀ କିଛି ଆଗପଛ ବିଚାର ନ କରି ସହର ରେ ଥିବା ହସ୍ପିଟାଲ୍ ରେ ଭର୍ତ୍ତି କରି ଯତନ କରୁଛି। ସେହି ହସ୍ପିଟାଲ୍ ରେ ମା ପାଖରେ ରହି ସେବା ଯୋଗାଇ ଆସୁଛି। ମଧ୍ୟ ରାତି ରେ ସେହି ହସ୍ପିଟାଲ୍ କୁ ଗୋଟେ ଗୁରୁତର ରୋଗୀ ଆସିଥିଲେ। ଅଷ୍ଟାଙ୍ଗ ଶରୀର ପଟିରେ ଆଚ୍ଛାଦିତ ଥିଲା। ମୁଖ ମଣ୍ଡଳ ଜଣା ପଡୁ ନ ଥିଲା । ସମସ୍ତେ ଭାରି ବ୍ୟସ୍ତ ଥିଲେ। ଜଣା ଯାଉ ଥାଏ ସେ ଜଣେ ବିଶିଷ୍ଟ ବ୍ୟକ୍ତି ଭଳି। ପ୍ରଚୁର ରକ୍ତ ସ୍ରାବ ଯୋଗୁଁ ଡାକ୍ତର; ଉପସ୍ଥିତ ଥିବା ପରିଜନ ଙ୍କୁ ରକ୍ତ ପାଇଁ ଯୋଗାଡ କରିବାକୁ ପରାମର୍ଶ ଦେଇଥିଲେ। କିନ୍ତୁ ଅସମୟରେ କିଏ ଦେବ ? କୋଉଠୁ ଯୋଗାଡ ହେବ ଚାରି ବୋତଲ ରକ୍ତ? ତେବେ ରକ୍ତ ଭଣ୍ଡାର ରୁ ତିନୋଟି ବୋତଲ ରକ୍ତ ଯୋଗାଡ ହୋଇଗଲା। ଆଉ ଗୋଟେ ପାଇଁ ସମସ୍ତେ ଅସ୍ତ ବ୍ୟସ୍ତ ହେଉଥିଲେ। ଏତିକି ବେଳେ ମାଧୁରୀ ସବୁ ବୁଝି ଗଲା। ଆବଶ୍ୟକ ରକ୍ତ ମାଧୁରୀ ରକ୍ତ ସହ ମେଳ ଖାଉଥିବା ବେଳେ ସେ କୌଣସି ସଙ୍କୋଚ ଓ ସ୍ୱାର୍ଥ ବିନା ସେ ଅପରିଚିତ ବ୍ୟକ୍ତିଙ୍କୁ ରକ୍ତ ଯୋଗାଇ ଦେଲା।

 ସେହି ରାତିରେ ସେ ଭଦ୍ର ବ୍ୟକ୍ତି ବଞ୍ଚି ଯାଇଥିଲେ। ମାଧୁରୀ ର ମା ବି ସୁସ୍ଥ ହେଉଥିଲେ। 

 ସକାଳୁ ଅପରିଚିତ ବ୍ୟକ୍ତି ଙ୍କ ସ୍ୱଜନ ହସ୍ପିଟାଲ୍ କୁ ଆସି ଯାଇଥିଲେ। ସେଠାରେ ମାଧୁରୀ ହତବାକ ହୋଇଯାଇଥିଲା। ସେ ଅପରିଚିତ ବ୍ୟକ୍ତି ଆଉ କେହି ନୁହନ୍ତି। ସେ ଗାଆଁ ରୁ ବାସନ୍ଦ କରିଥିବା ପ୍ରଧାନ ବାବୁ। ପ୍ରଧାନ ବାବୁ ଙ୍କ ହୋସ ଆସିଯାଇଥିଲା। ପ୍ରଧାନ ବାବୁ ଙ୍କ ଜୀବନ ବଞ୍ଚାଇଥିବା ମାଧୁରୀ ନିଜ ଗାଁ ପିଲା ବୋଲି ଜାଣି ପାରିଥିଲେ। ଉପସ୍ଥିତ ଡାକ୍ତର ବାବୁ ବିଗତ ରାତି ର ସଙ୍କଟ ବିଷୟରେ ପୁଙ୍ଖାନପୁଙ୍ଖ ଭାବେ ପ୍ରଧାନ ବାବୁ ଙ୍କୁ କହିଦେଇଥିଲେ। ସେତେ ବେଳକୁ ପ୍ରଧାନ ବାବୁ ଙ୍କ ଝିଅ ସେ ଭଲପାଇ ଥିବା ପୁଅ ବି ହସ୍ପିଟାଲ୍ ରେ ପହଞ୍ଚିଥିଲେ।


ମାଧୁରୀ କାକୁତି ମିନତି ହୋଇ କହୁଥିଲା ପ୍ରଧାନ ବାବୁ ଙ୍କୁ,ବାବୁ ତମେ ବୋଲି ଜାଣି ଥିଲେ ପୁଣି ଥରେ ଦୁଃସାହସ କରି ନ ଥାନ୍ତି। ଏବେ ମତେ ସହର ରୁ ବାସନ୍ଦ କର ନାହିଁ। ମୁଁ ତୁମ ଝିଅ କୁ ଛୁଇଁ ଦେଲି ବୋଲି ଗାଁ ରୁ କାଢି ଦେଇଥିଲେ। ଏବେ ମୋ ରକ୍ତ ତୁମ ଦେହ ରେ ପ୍ରବାହିତ ; ଛୁଇଁବା ଅପରାଧ ଠାରୁ ଏହା ଆହୁରି ଗୁରୁତର। ମା ଅସୁସ୍ଥ। ଏଠାରୁ କାଢିଲେ ମୁଁ କୁଆଡ଼େ ଯିବି ବାବୁ? ମୁଁ ଭୁଲ କରିଛି କହି କ୍ରନ୍ଦନ ରତ ଥିଲା ବେଳେ,ପ୍ରଧାନ ବାବୁ ,ମାଧୁରୀ କୁ ପାଖକୁ ଡାକିଲେ ।ମାଧୁରୀ ର ହାତ କୁ ଭିଡ଼ି ଧରିଲେ। ପ୍ରଧାନ ବାବୁ କୋହ ଭରା କଣ୍ଠ ରେ ମାଧୁରୀକୁ କ୍ଷମା କରିଦେ ବୋଲି ଅନୁରୋଧ କରୁଥିଲେ।

ସେ କହୁଥିଲେ ମୋର ଇଜ୍ଜତ ରକ୍ଷା କରି ତୁ ନିଜେ କଷ୍ଟ ସ୍ବୀକାର କଲୁ। ପରିଣାମ ପରିସ୍ଥିତି କୁ ଅନୁଧ୍ୟାନ କରି ମୋ ଝିଅ କୁ ତା ଭଲ ପାଇବା ପୁଅ ସହ ହିଁ ସମୟ କ୍ରମେ ବିବାହ ଦେଲି। ସବୁ ଘଟଣା ଝିଅ ମତେ କହି ଦେଇଛି।ପୂର୍ବରୁ ତୁ ଋଣୀ କରିଦେଇଥିଲୁ ପୁଣି ଆଜି ମୋ ଜୀବନ ବଞ୍ଚାଇ ଆଉଥରେ ଋଣି କରାଇଦେଲୁ। ଆଉ ପାପରେ ଭାଗି ନ କରି ଗାଆଁ କୁ ଫେରିଚାଲ।

ଅଭଳି ଅଭାବନୀୟ ପରିସ୍ଥିତି ଅନୁଧ୍ୟାନ କରି ଡାକ୍ତର ଚୁପ୍ ରହି ପାରି ଲେ ନାହିଁ। ଜାତିପ୍ରଥାର ଅନ୍ତରାଳେ ଆଜି ଗାଆଁ ଗହଳି ରେ ଚାଲୁ ଥିବା ପ୍ରଥା ଅନ୍ଧବିଶ୍ୱାସ ଆମକୁ ହିନ୍ଦୁତ୍ବ ରୁ କାଢି ଜାତି ଭେଦ ରେ ଭାଗ ଭାଗ କରିଦେଇଛି ଯେମିତି ହିନ୍ଦୁ ଙ୍କୁ ପଚାରିଲେ ତୁମେ କି ଜାତି ,ଉତ୍ତର କୁହନ୍ତି ମୁଁ ବ୍ରାହ୍ମଣ, ମୁଁ ଗଉଡ,ମୁଁ ଜଗାଳି,ମୁଁ କୈବର୍ତ୍ତ ଇତ୍ୟାଦି କିନ୍ତୁ ଯଦି ଅନ୍ୟ ରାଷ୍ଟ୍ର ର ବ୍ୟକ୍ତି ଙ୍କୁ ପଚରାଯିବ ତେବେ ସେମାନଙ୍କ ଗୋଟିଏ ଉତ୍ତର; ଜାତି ହେବ ମୁଁ ମୁସଲମାନ, ମୁଁ ଖ୍ରୀଷ୍ଟିଆନ ଇତ୍ୟାଦି।


କିନ୍ତୁ ହିନ୍ଦୁ ରାଷ୍ଟ୍ର ର ଏ ଜାତିଆଣ ଭାବ ଆମକୁ ଏକ ରୁ ଆଣି ଅନେକ ଏବଂ ଧୀରେ ଧୀରେ ଏହି ଅନେକ ଏକ ମାନଙ୍କ ପରିଧି ରେ ନିଶ୍ଚିହ୍ନ ହେବାକୁ ଲାଗୁଛନ୍ତିି। ଏଇ ଯେମିତି ପ୍ରଧାନ ବାବୁ ଙ୍କ ଆବଶ୍ୟକ ବେଳେ ଜାତି ଧର୍ମ ବିନା ଚର୍ଚ୍ଚା ରେ ରକ୍ତ ନେଇ ଜୀବନ ରକ୍ଷା ପାଇ ଗଲେ। ରକ୍ତ ନେଲା ବେଳେ ଛୁଆଁ ଅଛୁଆଁ ଭାବ ଜ୍ଞାତୀ କୁଟୁମ୍ବ ଙ୍କ ମନରେ ଆସିଲା ନାହିଁ। କିଏ ବି ସ୍ୱର ଉତ୍ତୋଳନ କଲେ ନାହିଁ ଅଜଣା ଲୋକର ରକ୍ତ ନୀତି ନିୟମ ର କଡା ପାଳନ କର୍ତ୍ତା କୁ ଦିଆଯିବ ନାହିଁ ବୋଲି।କିନ୍ତୁ ଗାଆଁ ର ସେହି ଛୋଟିଆ କଥା ନେଇ ଗୋଟେ ପରିବାର କୁ ବାସନ୍ଦ କରିବା କେମିତି ସମ୍ଭବ ହୋଇଥିଲା ?


ଡାକ୍ତର ବାବୁ ଙ୍କ ପ୍ରଶ୍ନ ର ଉତ୍ତର ପ୍ରଧାନ ବାବୁ ଙ୍କ ଝିଅ ଜାମାତା ମାଧୁରୀ ଓ ତା ମାଙ୍କ ପାଦ ତଳେ ପଡି ଆମକୁ କ୍ଷମା କରି ଗାଆଁ କୁ ଚାଲ ଫେରି ବୋଲି କହି ନେହୁରା ହେଉ ଥିଲେ। 


ମାଧୁରୀ; ତା 'ମା ର ଶୁଖିଲା ମୁହଁଙ୍କୁ ଡ଼ବ ଡବ ହୋଇ ଅନାଇ ରହିଥିଲା। ମା '' ମାଧୁରୀ ର ମହତ୍ କାମ ପାଇଁ ମନରେ ଗର୍ବ ଅନୁଭବ କରି ତା ମଥା କୁ ସ୍ନେହ ରେ ଆଉଁଶି , ଗାଆଁ ଫେରି ଯିବାକୁ ଆଖିର ଈଶାରା ରେ ସହମତି ଦେଉଥିବା ମାଧୁରୀ ବେଶ୍ ବୁଝି ପାରୁଥିଲା ଓ ଅତ୍ୟନ୍ତ ଖୁସି ଅନୁଭବ କରୁଥିଲା।


 


Rate this content
Log in

Similar oriya story from Inspirational