STORYMIRROR

Priyadarshini Mishra

Inspirational

4  

Priyadarshini Mishra

Inspirational

ଛଉ

ଛଉ

3 mins
252


   ନାନୀର ପୁଅ ବୋହୂ ଦୁଇଜଣ ଜାକ ଭାରତୀୟ ପ୍ରଶାସନିକ ସେବାର ପଦସ୍ଥ ଅଧିକାରୀ।ଝିଅ ଡାକ୍ତର।ପୁଅ ବୋହୂ ଝିଅ ସମସ୍ତଙ୍କ ପାଇଁ ନାନୀର କଥା ବେଦ ର ଗାର।ନାନୀ ଯାହା କହେ ଦ୍ଵିତୀୟ ପ୍ରଶ୍ନ ବିନା ସେମାନେ ବିନା ଦ୍ବିଧାରେ ତା' କଥା ମାନନ୍ତି।ସତେ ଯେପରି ନାନୀ କଥା ମାନିବା ପାଇଁ ସେମାନଙ୍କ ଜନ୍ମ।ଭାଇ ମଧ୍ୟ ମୁଁ ଜାଣିବାରେ ନାନୀ କଥାକୁ କେବେ କାଟିଦେଇଥିବେ ଏକଥା ମୋର ମନେ ପଡୁନି। ମୋଟ ଉପରେ ନାନୀ ଏ ଦୁନିଆର ସବୁଠାରୁ ସୁଖୀ ମଣିଷଟେ କହିଲେ କିଛି ଭୁଲ ହେବନି।ଏତେ ଭଲ ପାଉଥିବା ଜୀବନସାଥୀ,ଆଜ୍ଞାକାରୀ ପୁଅ ଝିଅ,କୁବେରସମ ଧନ ସମ୍ପତ୍ତି ରୋଗଶୂନ୍ୟ ଘର,ଜଣେ ମଣିଷ ପାଇଁ ଏହାଠାରୁ ଅଧିକ କଣ ଦରକାର।ତେବେ ନାନୀର ଭାଗ୍ୟ ଏପରି ନଥିଲା।ପିଲାଦିନେ ମୋ ନାନୀ ବଡ଼ ଦୁଃଖୀ ଥିଲା।ମୋ ନାନୀର ଏଥିରେ କିଛି ଭୁଲ ଥିଲା ତାହା ନୁହେଁ,ବରଂ ଭଗବାନ ନାନୀ ଭାଗ୍ୟରେ ଦୁଃଖ ଲେଖି ତାକୁ ଜୀବନ ଦେଇଥିଲେ।

  ନାନୀକୁ ରୂପ,ଗୁଣ,ବିଦ୍ୟା ବୁଦ୍ଧିରେ କେହି ଖୁଣି ପାରୁନଥିଲେ। କିନ୍ତୁ ନାନୀର ପାଦଦୁଇଟି ତା'ର ସବୁ ଗୁଣକୁ ଘୋଡେଇଦେବା ପାଇଁ ଯଥେଷ୍ଟ ଥିଲା।ନାନୀର ଦୁଇ ପାଦର ବୁଢା ଆଙ୍ଗୁଠିରେ ଦୁଇଟି ଚାରିଣୀ ଆକୃତିର ଛଉ ଥିଲା।ଛଉ ଦୁଇଟି ବଢୁ ନଥିଲା କିନ୍ତୁ ଯେତେ ଡାକ୍ତର, ଓଷ,ଦିଅଁ, ଦେବତା କଲେ ମଧ୍ୟ ନାନୀ ଦେହରୁ ଲିଭି ନଥିଲା।ମୋ ବୋଉ ଜେଜେମାଠାରୁ ଏଥିପାଇଁ କମ କଥା ଶୁଣିନି।କଥା କଥାରେ ଜେଜେମା ବୋଉକୁ ଖୁଣ୍ଟା ଦିଏ,"ପଢ଼ୁଆଁ ଝିଅ ସେ ପୁଣି ଛଉରୀ।କି ଭାଗ୍ୟ ତୋର।ମୋ ପୁଅଟା ତୋତେ ବାହା ହୋଇ ଦୁଃଖୀ ହୋଇଗଲା।ଏ ଛଉରୀକୁ କିଏ ବାହା ହେବ?ଏ ଛଉରୀକୁ କେମିତି ସାରିବୁ।ଜେଜେମା ମୁହଁରୁ କେବେ ମୁଁ ନାନୀର ନାଁ ଶୁଣିଛି ବୋଲି ମୋର ମନେ ପଡୁନି।ନାନୀ ପାଖରେ କାମ ଥିଲେ ସବୁବେଳେ ଜେଜେମା ଭେରେଣ୍ଡା ରଡି କରି ଛଉରୀ ବୋଲି ହିଁ ଡାକେ। ମୋ ବୋଉକୁ ମଧ୍ୟ ଛଉରୀବୋଉ ବୋଲି ଡାକେ।ସ୍ଥାନ କାଳ ପାତ୍ର ବିଚାର ନକରି ଜେଜେମା ବୋଉକୁ ଛଉରୀବୋଉ ଡାକିଲେ ବୋଉ ଜେଜେମାକୁ କିଛି କହିପାରେନି ସିନା ନୀରବରେ ଲୁହ ଝରାଏ।ବୋଉର ମନକଥା ଆମେ ବୁଝିପାରୁ।ବେଳେବେଳେ ମୋର ଇଚ୍ଛା ହୁଏ ଜେଜେମାକୁ କହିଦେବି,"ତୁ ଘରଲୋକ ହୋଇ ନାନୀକୁ ଛଉରୀ କହୁଛୁ ବାହାର ଲୋକମାନେ କଣ ନ କହିବେ?"କିନ୍ତୁ ପାରେନି।ବଡ଼ଲୋକଙ୍କୁ ଜବାବ ଦେବା ଓଲଟେଇ କଥା କହିବା ଭଲ କଥା ନୁହେଁ ବୋଲି ବୋଉ ପିଲାଦିନରୁ ଶିଖେଇଛି।ହେଲେ ନିଜେ ଅପମାନ ସହି ବଡ଼ଲୋକଙ୍କ ଭୁଲ କଥା ସହୁଥିବା ବୋଉ କଥା ଭାବିଲାବେଳେ ମୋ ମନ ବିଦ୍ରୋହ କରିଉଠେ।କିନ୍ତୁ ବୋଉର ମୁହଁ ଦେଖି ଚୁପ ହୋଇଯାଏ।ନାନୀ କିନ୍ତୁ ସବୁବେଳେ ନିର୍ବିକାର ଥାଏ।ମୁଁ ଥରେ ନାନୀକୁ ପଚାରିଥିଲି,"ନାନୀ ତୁ ଏତେ କଥା କେମିତି ସହିପାରୁଛୁ?"ନାନୀ ଅତି ସରଳ ଭାବେ ବୁଝେଇଦେଇଥିଲା,"ଏ ଦେହ ଥିବା ପର୍ଯ୍ୟନ୍ତ ମୋତେ ଏକଥା ଶୁଣିବାକୁ ହେବ ତେଣୁ ପ୍ରତିକ୍ରିୟା ପ୍ରଦର୍ଶନ କଲେ ଲାଭ କଣ?"

   ନାନୀ ଭଲ ପଢୁଥିଲା।ଡାକ୍ତର ହେଲା।ଜେଜେମାର ସବୁଠାରୁ ଅଧିକ ସେବାଯତ୍ନ କରିବାକୁ ଲାଗିଲା।ବୁଢ଼ୀ ବୟସରେ ନାନୀର ସେବାଯତ୍ନ ପାଇ ଜେଜେମାର ନାନୀ ପ୍ରତି ଭାବ ବଦଳିବାକୁ ଲାଗିଲା।ନାନୀକୁ ଜେଜେମା ତା'ନାଁ ଧରି ଭାଗ୍ୟଲକ୍ଷ୍ମୀ ବୋଲି ଡାକୁଥିଲା। ବୋଉକୁ ମଧ୍ୟ ଛଉରୀବୋଉ ନ ଡାକି ଲକ୍ଷ୍ମୀବୋଉ ଡାକୁଥିଲା କାରଣ ବାପା ନାନୀକୁ ଲକ୍ଷ୍ମୀ ଡାକୁଥିଲେ।ନାନୀର ଛଉ ପାଇଁ ଯେତେବେଳେ ଗୋଟେ ପରେ ଗୋଟେ ପ୍ରସ୍ତାବ ଭାଙ୍ଗିଯାଇଥିଲା ବାପା ବୋଉ ବହୁତ ମନ ଦୁଃଖ କରିଥିଲେ।କିନ୍ତୁ ଜେଜେମା ସମସ୍ତଙ୍କୁ ଧୈର୍ଯ୍ୟ ଦେଇଥିଲା। ଆମ ଲକ୍ଷ୍ମୀ ପାଇଁ ନାରାୟଣ ଭଳି ଜ୍ବାଇଁ ମିଳିବେଲୋ ଲକ୍ଷ୍ମୀବୋଉ ।ତୁ କାହିଁକି ବ୍ୟସ୍ତ ହେଉଛୁ।ସତକୁ ସତ ଅନନ୍ତଭାଇ ଓ ନାନୀର ଯୋଡି ଲକ୍ଷ୍ମୀ ନାରାୟଣ ଯୋଡି ଭଳି ସୁନ୍ଦର।ଅନନ୍ତଭାଇ ନାନୀର ସହକର୍ମୀ ଥିଲେ।ସେ ଯେଉଁଦିନ ତାଙ୍କ ବାପାମାଆଙ୍କ ସହ ପ୍ରସ୍ତାବ ନେଇ ଆମ ଘରକୁ ଆସିଥିଲେ ନାନୀ ସମସ୍ତଙ୍କ ସାମ୍ନାରେ ନିଜ ପାଦର ଛଉ ଅନନ୍ତଭାଇଙ୍କ ବାପାମାଆଙ୍କୁ ଦେଖାଇଥିଲା।ସେତେବେଳେ ମୁଁ ଜେଜେମାର ମୁହଁକୁ ଲକ୍ଷ୍ୟ କରୁଥିଲି।ତା' ଆଖି ଛଳ ଛଳ ହେଇଯାଇଥିଲା।ଯେତେବେଳେ ଅନନ୍ତଭାଇଙ୍କ ବାପାମାଆ କହିଥିଲେ ଆମେ ଏସବୁ ଜାଣିଛୁ। ଭାଗ୍ୟଲକ୍ଷ୍ମୀକୁ ବୋହୁ କରିବାପାଇଁ ଆମେ ଆପଣଙ୍କ ଘରକୁ ଆସିଛୁ,ଜେଜେମା ଆହୁରି ଜୋରରେ କାନ୍ଦି କାନ୍ଦି ଭିତରଘରକୁ ଚାଲିଗଲା।ମୁଁ କିଛି ବୁଝିନପାରି ତା' ପଛେ ପଛେ ଗଲି।ତା'କୁ କହିଲି,'"ଜେଜେମା ଛଉରୀ ବାହା ହେଇଯିବ,ଶାଶୁଘରକୁ ପଳେଇବ,ଭଲ ହେଲା,ତୋ ପୁଅ ଛଉରୀଠାରୁ ରକ୍ଷା ପାଇଯିବେ।ତୁ କଣ ପାଇଁ କାନ୍ଦୁଛୁ।"ଜେଜେମା ମୋ ପାଟିରେ ହାତଦେଇ କହିଲା,"ଛଉ ଟେ ହେଲା ବୋଲି ସେ କଣ ମୋ ଛୁଆ ନୁହଁ।ମୁଁ ତାକୁ ବହୁତ ଭଲ ପାଏ।ମୁଁ ମୋ ଜେଜେମାର ନୂଆ ରୂପ ଦେଖୁଥିଲି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya story from Priyadarshini Mishra

Similar oriya story from Inspirational