Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

ବଳରାମ ବାରିକ

Inspirational

5.0  

ବଳରାମ ବାରିକ

Inspirational

ଛତା ବାଗାଳି

ଛତା ବାଗାଳି

4 mins
542


ସମସ୍ତେ ତାକୁ ଶ୍ରଦ୍ଧାରେ "ଛୋଟା ଭାଇ" ବୋଲି ଡାକନ୍ତି। ଛୋଟା ଭାଇ ସମସ୍ତଙ୍କ ପ୍ରିୟ। ୨୬ ଇଁଚିଆ ରାଲେ ସାଇକେଲଟି ତାର ଭ୍ରାମ୍ୟମାନ ଦୋକାନ। ହ୍ୟାଣ୍ଡେଲରେ ଦୁଇଟି ସିମେଣ୍ଟ ଜରି ଅଖାର ବ୍ୟାଗ୍। କ୍ୟାରିଅରର ଦୁଇପଟରେ ମଧ୍ୟ ଦୁଇଟି ତାଳି ପକା ବ୍ୟାଗ୍ ଟାଙ୍ଗିଥାଏ ସେ। ସାଇକେଲର କ୍ରସ୍ ବାର୍ ରେ ବନ୍ଧା ହୋଇଥାଏ ଛତା ଗୁଡିକର ବେଣ୍ଟ । ନୂଆ ପୁରୁଣା ସବୁ ସେଇ ଗୋଟିଏ ଜାଗାରେ ବନ୍ଧା ହୋଇଥାଏ । ଆଗରେ ଟଙ୍ଗା ଯାଇଥିବା ବ୍ୟାଗ୍ ମଧ୍ୟରୁ ଗୋଟିଏରେ ଛତା ମରାମତି ଜିନିଷ ଆଉ ଗୋଟିକରେ ରଙ୍ଗ ବେରଙ୍ଗର ଛତା କପଡା ପସିଥାଏ। ପଛ ବ୍ୟାଗ୍ ଦୁଇଟାଯାକ ଭଙ୍ଗା ଛତାରେ ଭରିଛି।

ଛୋଟା ଭାଇକୁ ଯିଏ ଯେଉଁଠି ଡାକିଲା ସେଇଠି ଅଟକି ଯାଏ ଓ ଦୋକାନ ମେଲାଇ ବସିଯାଏ। କାହାରିକୁ ମୋଟୁରୁ ନିରାଶ କରେ ନାହିଁ। ପଚି ସଢି ଖତ ଖାଇଯାଇ ଥିବା ଛତାକୁ କୁ ବି ସେ ନୂଆ ଆଉ ବ୍ୟବହାର ଉପଯୋଗୀ କରିଦିଏ। ଭଣ୍ଡାରୀ ଦେଖିଲେ ଯେପରି ଗାଁ ଲୋକଙ୍କ ଆଣ୍ଠୁରୁ ନଖ ବାହାରି ଆସେ ସେମିତି ଛୋଟା ଭାଇକୁ ଦେଖିଲେ ଗାଁ ଲୋକ ଓଳିତଳ ଓ ତିନି ପୁରୁଷ ଅମଳିର ବୋକୋଚା ଖୋଲି ଭଙ୍ଗା ତୁଟା ଛତା ତାକୁ ମରାମତି କରିବାକୁ ବଢ଼େଇ ଦିଅନ୍ତି। ମରାମତି ବାବଦକୁ ଯିଏ ଯାହା ଟଙ୍କା ଦେଲା ସେ ନେଇଯାଏ। ଯାହାର ଅଧିକ କାମ ଦରକାର ପଡେ ତାକୁ ସିଧା ସଳଖ କଣ କଣ ଜିନିଷ ନୂଆ ଲାଗିଲା କହିଦିଏ ଓ ତାର ଦାମ୍ ମଧ୍ୟ ବତେଇ ଦିଏ। ଅନେକ ଲୋକ ଭାବନ୍ତି ଛୋଟା ଭାଇ ଭୁଲ ରେ ଅଧିକ ପଇସା ନେବ ନାହିଁ ସେଥିପାଇଁ ସେ ଯେତିକି ମାଗେ ତାକୁ ସେତିକି ମିଳିଯାଏ।

ବର୍ଷା ମାସକୁ ଛାଡ଼ି ଅନ୍ୟ ମାସ ଗୁଡ଼ିକରେ ଛୋଟା ଭାଇର ବେପାର ଅଲଗା ପ୍ରକାର। ଗାଁ ଲୋକ ଯିଏ କୋଠା ଘର ତିଆରି ଆରମ୍ଭ କରନ୍ତି ତାଙ୍କ ଘରକୁ ନିୟମିତ ଯାଏ। ଖାଲି ସିମେଣ୍ଟ ବସ୍ତା ଯୋଗାଡ଼ କରିବା ପାଇଁ।

କେହି କେହି ଖାଲି ବସ୍ତା ବାବଦକୁ ଟଙ୍କା ମାଗନ୍ତି ଆଉ କେତେଜଣ ସେମିତି ବିନା ପଇସାରେ ଅଖା ସବୁ ଦେଇ ଦେଇ ସୌଭାଗ୍ୟଶାଳୀ ବଳି ଓ କର୍ଣ ହେବାର ଗୌରବ ନିଜକୁ ନିଜେ ଦେଇ ଦିଅନ୍ତି। 

କହି ହୁଅନ୍ତି ମୁଁ ପରା ୫୦ ଟା ବସ୍ତା ଦାନ କରିଦେଲି  

ସେହି ସିମେଣ୍ଟ ଅଖାଗୁଡିକ ସଂଗ୍ରହ କରି ତାକୁ ତାକୁ ଧୋଇ ଶୁଖାଇ ବିଭିନ୍ନ ମାପର ବ୍ୟାଗ୍ ତିଆରି କରେ ଛୋଟା ଭାଇ। ଏହି କାମରେ ତାକୁ ବେଶୀ ସାହାଯ୍ୟ କରେ ରୁନି ଭାଉଜ।

୧୦ ଟଙ୍କିଆ ବ୍ୟାଗ୍ ରୁ ନେଇ ୪୦ ଟଙ୍କିଆ ବ୍ୟାଗ୍ ତିଆରି ତା କାରଖାନା ରେ ।

"ଛୋଟା "ଭାଇ ସପ୍ତାହରେ ଦୁଇ ପାଳି ହାଟକୁ ବ୍ୟାଗ୍ ଗୁଡିକ ନେଇ ଯାଏ। ଯଥା କଥାକି ବ୍ୟାଗ୍ ଗୁଡିକ ବିକ୍ରି ହୋଇଯାଏ। ଦୁଇ ପଇସା ମିଳେ । ପରିବାର ଚଳିଯାଏ । ଛତା ଉପରେ ଭରଷା କରି ରହିଲେ ଘର ଚଲାଇବା ମୁସ୍କିଲ ହୋଇଯିବ।। ରୁନି ଭାଉଜ ଛୋଟା ଭାଇକୁ ସବୁ ସମୟରେ ସହଯୋଗ କରିଥାଏ।

      ସକାଳ ହେଲେ ପଖାଳ କଂସା , ଆଳୁ ପୋଡା, କଞ୍ଚା ଲଙ୍କା ,ଲୁଣ ସାଙ୍ଗକୁ ଆମ୍ବୁଲ ଫଡାଟିଏ ଥାଳିଆରେ ରଖିଦିଏ। ଆଳୁପୋଡାରେ ଲଙ୍କା ଓ ଆମ୍ବୁଲ ଦଳି ଦେଲେ ଯେଉଁ ବାସ୍ନା ଆସେ ତାକୁ ଦେଖି ପରା ପେଟ ଅଧା ପୂରିଯାଏ। ରୁନି ଭାଉଜ କାମିକା ଝିଅଟେ ତାକୁ ବାପା ମା ବିଦା କଲାବେଳ ଯେଉଁ କଥା କହିଥିଲେ ସବୁ ଅକ୍ଷରେ ଅକ୍ଷରେ ପାଳନ କରେ।


ଏତେ ଗୁଡ଼େ ସିମେଣ୍ଟ ଅଖା ପ୍ରତିଦିନ ସିଲେଇ କରେ ଛୋଟା ଭାଇ କିନ୍ତୁ ନିଜ କାନ୍ଥକୁ ବର୍ଷା ଦାଉରୁ ବଞ୍ଚେଇବାକୁ ଚାଳ ଉପରେ ଖଣ୍ଡେ ଜରି ବିଛାଇ ପାରେ ନାହିଁ। ବର୍ଷା ହେଲା ମାତ୍ରେ ଘରେ ପାଣି ପସିଯାଏ। ବାଧ୍ୟ ହୋଇ ଯୌତୁକରେ ପାଇଥିବା ପିତ୍ତଳ ମାଣ୍ଡିଆ, ଗରା ସବୁ ଘର ଅଗଣାରେ ସଜାଇ ରଖିଦିଏ। ଘର ସାରା ବର୍ଷା ପାଣିରେ ଭରିଯାଏ । ପିଲା ଦୁଇଟା କାଗଜ ଦଙ୍ଗା ମାଣ୍ଡିଆରେ ଭସାନ୍ତି। କେତେ ଆଉ କାହା କାହା ପାଖରେ ଗୁହାରୀ କରିବ ସେ ? ଯିଏ ଆସୁଛି କହୁଛି ହଁ ତୋତେ ଘର ମିଳିଯିବ।

ସରପଞ୍ଚଙ୍କ ଘରକୁ କେତେ ଥର ଦୌଡ଼ିଛି ଆଶ୍ୱାସନା ପାଇଛି କିନ୍ତୁ ଘର ପାଇନି। ମିଳି ନାହିଁ ବୋଲି ଦୁଃଖରେ ଭାଙ୍ଗି ପଡ଼ିନାହିଁ ସେ ନିଜର କର୍ତ୍ତବ୍ୟ କରିଚାଲିଛି। ଯୁଧ୍ୟରତ ସୈନିକ ପରି।


ଗତ ରବିବାର ଦିନ ହାଟରେ ମୋ ସାଙ୍ଗରେ ଛୋଟା ଭାଇର ସାକ୍ଷାତ ହୋଇଗଲା। ପିଲା ଦିନୁ ସେ ଯେଉଁ ଜାଗାରେ ନିଜ ପସରା ମେଲେଇ ବସେ ସେଇଠି ହିଁ ବସିଛି। ମୁଁ ପହଞ୍ଚିବା ବେଳକୁ ସେ ଗୋଟେ ଫଟା ଛତା ସିଲେଇ କରୁଥିଲା।

ତାକୁ ପଚାରିଲି ।

-ଛୋଟା ଭାଇ କେମିତି ଅଛୁ ?

-ଚିହ୍ନି ପାରିଲି ନାହିଁ  

-ଆରେ ଭାଇ ମୁଁ ଅକ୍ଷୟ

-ଓଃ ଅର୍ଜୁନ ଦାଦା ପୁଅ ତ ?

-ହଁ 

-ତୁମେ ପରା ଭୁବନେଶ୍ୱର ରେ ଚାକିରୀ କରିଛ ?

-ହଁ

-ଆଉ ପିଲା ଛୁଆ ସମସ୍ତେ ଭଲ ଅଛନ୍ତି ?

-ହଁ ଭାଇ ଚାଲିଛି ସେମିତି । ଆଉ ତୁମ ବେପାର କେମିତି ଚାଲିଛି ?


-କଣ ଆଉ କହିବି ? ଆଉ ଆଗଭଳି ସେମିତି ବେପାର ନାହିଁ । ଯେବେଠୁ ସମସ୍ତେ ରେନିକୋଟ୍ ପିନ୍ଧିବା ଆରମ୍ଭ କଲେ ମୋ ପରିବାର ଦେହରେ ପୋଷାକ ଖଣ୍ଡେ ପିନ୍ଧେଇବାକୁ ଟଙ୍କା ପାଉନି। ଚାରି ପରାଣି କୁଟୁମ୍ବ ପାଳିବା ମୋ ପାଇଁ କଷ୍ଟ ହେଲାଣି। ମୋ ବେପାର ପୁରା ମାନ୍ଦା। ତୁମେ ତ ଭୁବନେଶ୍ୱର ରେ ଚାକିରୀ କରିଛ । ମୋ ପାଇଁ କାମ ଗୋଟେ ଦେଖନ୍ତନି କୁଲି ମଜୁରୀ କାମ ହେଲେ ବି ଚଳନ୍ତା। ଦେଖୁନ ଶେଷରେ ଏ ବ୍ୟାଗ୍ ଗୁଡା ବସି ବିକୁଛି । କାଁ ଭାଁ ସେମିତି କେତେବେଳେ କାମ ଆସେ।

ମୁଁ ତ ଛତା ବାଗାଏ । ସେ କାମରେ ମୋତେ ଆନନ୍ଦ ମିଳେ ,ଦୁଇ ପଇସା ବି ରୋଜଗାର ହେଇଯାଏ। ହେଲେ କଣ କରିବି ନିଜେ ଦଇବ ଦାଉ ସାଧୁଛି କହିବି କାହାକୁ ଶୁଣିବ କିଏ ?


ଛୋଟା ଭାଇର ଦୁଃଖ ଶୁଣି ତାର ଅଭିଯୋଗ ମୋତେ ବି ଯୁକ୍ତିଯୁକ୍ତ ଲାଗିଲା। ମୁଁ ଦେଖିଛି ତାର କର୍ତ୍ତବ୍ୟ ନିଷ୍ଠା। ନିଜର ସିନା ଗୋଟେ ଗୋଡ଼ ପୋଲିଓ ଯୋଗୁଁ ଅକାମି ହେଇଯାଇଛି କିନ୍ତୁ ବଡ଼ ଯତ୍ନରେ ସେ ଛତା ଗୁଡିକର ଭଙ୍ଗା ଗୋଡ଼ ଓ ପଞ୍ଜରାକୁ ଠିକ୍ କରିଦିଏ।

ଭୁବନେଶ୍ୱର ରେ ବ୍ୟବହାର କରୁଥିବା ଦୁଇ ଚାରିଟା ଛତା ମୁଁ ମରାମତି କରିବାକୁ ନେଇ ଆସିଥିଲି । ବେଶୀ ଖରାପ ହେଇ ନଥିଲା କାହାର ଗୋଟେ ଟାଙ୍କ ଛିଣ୍ଡି ଯାଇଛି ତ କାହାର ସ୍ପ୍ରିଂଗ ଟିକେ ଢିଲା ହୋଇଯାଇଛି।

ଛତା ଚାରିଟାକୁ ଦେଖି ଛୋଟା ଭାଇ ଖୁସି ହୋଇଗଲା।

ଯାହା ହେଉ ତାକୁ କାମ ଟିକେ ମିଳିଗଲା, ସେ କରିବାକୁ ଭଲ ପାଉଥିବା କାମଟା । ମୁଁ ଟିକେ ମୋବାଇଲ ଖେଳାଉ ଖେଳାଉ ପନ୍ଦର ମିନିଟ୍ ରେ ଛତା ଚାରିଟା ବାଗେଇ ଦେଲା । ଖୋଲି କି ଦେଖାଇ ଦେଲା ମଧ୍ୟ। ଛତା ଚାରିଟା ଯାକ ପୁରା ବ୍ୟବହାର ଉପଯୋଗୀ ହୋଇଗଲା।

କେତେ ଟଙ୍କା ନପଚାରି ମୁଁ ସିଧା ୧୦୦ ଟଙ୍କା ବଢ଼େଇ ଦେଲି । ସେ ବୋଧେ ଭାବିଲା ମୋ ପାଖରେ ଖୁଚୁରା ପଇସା ନାହିଁ।

ମୋତେ ୬୦ ଟଙ୍କା ଫେରାଇ ଦେଲା। ମୁଁ କହିଲି, ଆରେ ଭାଇ ସବୁତକ ଟଙ୍କା ରଖିଦେ । ମୋ ଛତା ତ ନୂଆ ହେଇଗଲା। ଏବେ ନୂଆ ଛତା କିଣିଥିଲେ ୩୦୦ ଟଙ୍କା ଲାଗିଥାନ୍ତା।

ଛୋଟା ଭାଇ ଅତ୍ୟନ୍ତ ସନ୍ତର୍ପଣ ରେ ମନା କଲା। କହିଲା

ମୋର ଯେତିକି ଜିନିଷ ଲାଗିଲା ଓ ମଜୁରୀ ମିଶିଇ ମୁଁ ରଖିଲି। ମୋ ବାପା ପରା ମଲାବେଳକୁ ମୋତେ କହି ଯାଇଥିଲା ...

କାହାରି ଠାରୁ ତୋ ମୂଲରୁ ଅଧିକ ନେବୁ ନାହିଁ । ଭଗବାନ ଅସନ୍ତୁଷ୍ଟ ହେବେ । ତା ଛଡା ଅନ୍ୟକୁ ଠକି ଭଣ୍ଡି ନେଲେ ସେ ଟଙ୍କା ପାଖରେ ରହେନି । ଚୋର ,ଖଣ୍ଟ କିମ୍ବା ବଇଦ ଖାଇ ଯାଆନ୍ତି।

ଛୋଟା ଭାଇର ଦର୍ଶନଶାସ୍ତ୍ର ଜ୍ଞାନ ଦେଖି ମୁଁ ଆକ୍ତାମାକ୍ତ।

ଅନୁଭଵ କଲି । ସତରେ ତ ଆଜିର ଏ ଠକାମୀ ,ଭଣ୍ଡାମୀ ଦୁନିଆରେ ଛୋଟା ଭାଇ ପରି ଗୁଣବତ୍ତା ଯୁକ୍ତ କାମ କିଏ ବା କରିବ ଯଦି କରୁଥିବେ ଖୁବ୍ ଅଳ୍ପ ଥିବେ। ତା ଛଡା ,ନିଜ କାମର ସଠିକ୍ ମୂଲ୍ୟାୟନ କିଏ ବା କରୁଛି। ନିଜ ପ୍ରାପ୍ୟ ଠାରୁ ଦୁଇଗୁଣ ଅଧିକ ମାଗନ୍ତି ସମସ୍ତେ। ଏ ସହର ଗୁଡା ତ ଜହର ରେ ଭର୍ତ୍ତି। ଏଠି ଜଣେ ଅନ୍ୟ ଜଣକୁ ଚିତ୍ତା କାଟି ଖୁସି ହେଉଛି...

ବୋଧହୁଏ.. ଛୋଟା ଭାଇ ଭଳି ଅଜସ୍ର ଲୋକ ଏ ଦୁନିଆକୁ ଦରକାର


Rate this content
Log in