ଛଳନାର ଫଳ
ଛଳନାର ଫଳ
"ଆହେ ଦୟାମୟ ବିଶ୍ୱ ବିହାରୀ
ଘେନ ଦୟାବହି ମୋର ଗୁହାରୀ"
ନିତି ସକାଳ, ନିତି ସଞ୍ଜରେ, ରାମୁ ଏଇ ପ୍ରାର୍ଥନା ପଢେ, ଆଉ ଈଶ୍ୱର ଙ୍କୁ ଗୁହାରୀ କରେ, ଭଲ ମଣିଷ ଟିଏ ହେବା ପାଇଁ। ବୟସ ମାତ୍ର ଆଠ, ତୃତୀୟ ଶ୍ରେଣୀର ଛାତ୍ର। କେବେ କୌଣସି ଦିନ, ବିଦ୍ୟାଳୟ କୁ ଯିବା ବନ୍ଦ କରେନି। ଯାହା ଶ୍ରେଣୀରେ, ଗୁରୁଜୀ ପଢ଼ାନ୍ତି, ମନଦେଇ ଶୁଣେ, ଲେଖିକରି ଆଣେ। ତୁମ ପରି ଛୋଟ ପିଲାଟିଏ...କବିତାଟି, ରାମୁର ଭାରି ପସନ୍ଦ। ଯେତେବେଳେ ଏକାକୀ ବସେ, ସେଇ ଗୀତ ଟିକୁ ବୋଲୁଥାଏ। ସବୁ ଗୁରୁଜୀ ଗୁରୁମା, ରାମୁ ଉପରେ ଭାରି ଖୁସି। କେମିତି ଖୁସି ହେବେନି, କହିଲ, ପିଲେ..??
ଦଶହରା ଛୁଟିରେ, ରାମୁ ମାମୁଁ ଘରକୁ ବୁଲି ଆସିଥିଲା। ସାଥିରେ ମଧ୍ୟ, ରାମୁର ମାଆ ଆସିଥିଲେ।
ମାମୁଁ ଘରେ ଭାରି ମଜା କଲେ, ସବୁ ପିଲାଏ ମିଶି।ବାରି ଗାଡିଆରେ ବନିସୀ ଧରି ମାଛ ଧରିବା ଠୁଁ, କଇଁ ଫୁଲ ତୋଳିବା, ଗଡିଆ ହୁଡ଼ାର ପିଜୁଳି ଗଛରୁ, ପିଜୁଳି ତୋଳି ଖାଇବା ଏମିତି କେତେ କ'ଣ ।
ଅଜା ଆଈ ମାମୁଁ ମାଇଁ...ସଭିଙ୍କର ଗେଲ୍ହା
ଟିକିଏ ଚଗଲାମି କଲେବି, କେହି ଆକଟ କରନ୍ତିନି, କାରଣ ଏଇ କେଇ ଅଳପ ଦିନକୁ ଆସିଛି, ଛୁଟି ଖୋଲିଲେ, ଯିବ ହେରି ତା ଘରକୁ । ଏମିତି କେଇ କଥାରେ ଆଇର, ରାମୁ ର ମୁହଁ ବଢିଯାଏ ।
ଆଉ କେଇଟା ଦିନ ପରେ, ଛୁଟି ଖୋଲିଯିବ, ରାମୁ ପୁଣି ବିଦ୍ୟାଳୟକୁ ଯିବ, ପୁଣି ନିତିଦିନିଆ କଥା।
ଏପଟ ସେପଟ ପାଣିରେ, ରାମୁକୁ ଥଣ୍ଡା ଧରି, ଜ୍ୱର ହେଲା, ତେଣୁ ମାମୁଁଘରେ ଆଉ କେଇ ଦିନ ରହିବାକୁ ପଡିଲା। କିନ୍ତୁ ଏପଟେ ଛୁଟି ଖୋଲିଲା... ପିଲା ସ୍କୁଲ ଯିବେ। ରାମୁର ମନ ଭାରି ବ୍ୟସ୍ତ।
ସାଙ୍ଗ ସପନିକୁ, ଫୋନ କରି, ବୁଝୁଥାଏ, ଦୈନିକ ପାଠ ପଢା କଥା। ହେଲେ, ସପନି ଟିକିଏ ନଖରା ପ୍ରକୃତିର ଯାହା ଯାହା ପଢା ହୁଏ, ରାମୁକୁ ଠିକ ଭାବେ ଜଣାଏନି, ଛଳନା କରି କିଛି କଥା କୁହେ।
ଏପରିକି ଛୁଟି ଖୋଲିଲା ପରେ ପରୀକ୍ଷା ହେବା କଥାଟି ମଧ୍ୟ କହିଲାନି। ସାଙ୍ଗ ହୋଇ ବି, ରାମୁ ସାଥିରେ ଛଳନା କଲା।
କିଛି ଦିନ ପରେ, ରାମୁର ଦେହ ଭଲ ହୋଇଗଲା, ସେ ନିଜ ଘରକୁ ଫେରି ସ୍କୁଲ ଗଲା, ଆଉ ପାଠ ପଢ଼ାର ସମସ୍ତ ବିଷୟରେ ଅବଗତ ହେଲା। ସପନିର ସବୁ ମିଛ ଫାନ୍ଦ କଥା, ଜାଣିପାରିଲା। ସପନିକୁ କିଛି ନକହି, ମନ ଲଗେଇ ପଢିଲା ଏବଂ ପରୀକ୍ଷାରେ ମଧ୍ୟ ବହୁତ ଭଲ ନମ୍ବର ରଖି ଶ୍ରେଣୀ ରେ ପ୍ରଥମ ହେଲା। କିନ୍ତୁ ସପନି, ମନ ଦେଇ ପଢ଼େନି, ସବୁବେଳେ ଚଗଲାମୀ କରେ, ମିଛ କୁହେ ପରୀକ୍ଷାରେ ମଧ୍ୟ ଭଲ ନମ୍ବର ରଖିଲାନି।
ଶ୍ରେଣୀ ଗୁରୁଜୀ, ଯେତେବେଳେ ସବୁ ପିଲାଙ୍କ ରଖିଥିବା ନମ୍ବର, ଶ୍ରେଣୀରେ ଡାକି କହିଲେ, ରାମୁ ପ୍ରଥମ ହୋଇଥିବାରୁ, ସବୁ ପିଲା ଖୁସିରେ ତାଳି ମାରି ରାମୁକୁ ବାହାବା କଲେ।
ରାମୁ ଠିଆ ହୋଇ, ସମସ୍ତିଙ୍କୁ ହାତ ହଲାଇ, ସ୍ବାଗତକଲା ଆଉ କହିଲା
ସତ କହିବାକୁ କିଆଁ ଡରିବି
ସତ କହି ପଛେ ମଲେ ମରିବି..
ଛଳନା ରେ ନରହୁ ମୋ ମନଟି
ଦିଅ ବିପଦେ ସାହସ ଶକତି
ମିଛ ନ କହିବି କେବେ କାହାକୁ
ଛଳନା ରେ ନରଖିବି ମନକୁ
ମୋତେ ଏତିକି ଶିଖାଅ ଗୁରୁଜୀ...
ଦିଅ ଆଶୀର୍ବାଦ ମୋତେ ପ୍ରଭୁଜୀ ।
ସବୁ ପିଲାଏ ଗଲା ପରେ, ଏକାକୀ ସପନି ବସିଥାଏ, ରାମୁ ତା ହାତ ଧରି ଡାକିଲା, ଆଉ ଦୁହେଁ ସାଙ୍ଗ ହୋଇ ଫେରିବା ସମୟରେ, ସପନି ଆଖିରେ ଲୁହ ଦେଖି, ରାମୁ ନିଜ ରୁମାଲ ରେ ପୋଛିଦେଲା।
ସପନି ବୁଝିପାରିଲା, ସାଙ୍ଗ ହେବ ତ ରାମୁ ଭଳି........ ।
