ଭୁଲ ହୋଇଗଲା ତୋତେ ଭଲ ପାଇ
ଭୁଲ ହୋଇଗଲା ତୋତେ ଭଲ ପାଇ
ଆମ ଗାଁ ବାରି ତଳ ଗଡିଆ ହୁଡାରେ ଠିଆ ହୋଇ ଡାକ ଦେଲେ, ଆର ଗାଁ ନଈ ପଠା ଆମ୍ବ ତୋଟାକୁ ଶୁଭେ। ଫଗୁଣ ଆସିବା ବେଳ ହେଲେ, ଗାଁ ଗାଁ ରେ ଦୋଳ ବିମାନ ର ଯାତ, ଆଉ ମେଳଣ।
ମନ ଭାରି ଡହଳ ବିକଳ ହୁଏ, ବୁଲିଯିବା ପାଇଁ। ଆଜି ଭାରି ମନେ ପଡୁଛି, ସୁମନର।
ଝୁଲ ଦେଇ ର ବାହାଘରକୁ ସାତ ଦିନିଆ କୁଣିଆ ହୋଇ ଯାଇଥିଲା ସୁମନ। ସେତେବେଳକୁ ସେ କଲେଜ ପଢୁଆ ପିଲା। ଯୁକ୍ତ ଦୁଇ ପରୀକ୍ଷା ସରି ଥିବାରୁ, ଯିବା ପାଇଁ ସମସ୍ତେ କହିଥିଲେ।
ନୂଆ ଜାଗା ହେଲେବି, ଗାଁ ପାଖ ହୋଇ ଥିବାରୁ, ସୁମନ ମନା କରି ନଥିଲା। ବନ୍ଧୁ ବାନ୍ଧବ ସମସ୍ତେ, ଖୁବ ମଜା କରିଥିଲେ। ସୁମନ ବି ଖୁବ ଖୁସି ଥିଲା।
ବୟସ ର ତାରୁଣ୍ୟ ଭଲ ପାଇବା ର ପହିଲି ନିଶାରେ ସୁମନ ଅନୁଭବ କରିଥିଲା, ହୃଦୟ ରେ।
ଝୁଲ ଦେଇ ର ସାନ ନଣନ୍ଦ ସୀମା ।ସହର ରେ ରହି ପଢ଼ୁଥିବା ସହରୀ ଢାଞ୍ଚାର ଏକ କଣ୍ଢେଇ ଟିଏ।ମଫସଲି ସୁମନ ର ସରଳତା ସହରୀ ବନ୍ଧନ ରମାଦକତା ଳରେ କୈଶୋର ବୟସର ବାଟହୁଡା ଇସାରା। ସମ୍ପର୍କ ତ ଏମିତି ଏକ ମାୟା ଜାଲ, ଛନ୍ଦି ଦିଏ ଭାବନାର କ୍ଷଣିକ ମୁହୂର୍ତ୍ତରେ।
ଗଢିନିଏ ଆଶାର ତାଜ ମହଲ କଳାର ପାଗୋଡା କୋଣାର୍କ ର ସ୍ବପ୍ନ ଭରି। ବାସ ଏକ ଭବିଷ୍ୟତ ର ସ୍ବପ୍ନ, ସାକାର କରିବା ପାଇଁ ଦୃଢ଼ ନିଶ୍ଚୟ।
ପ୍ରେମ ଯେ ଏମିତି ଏକ ମହୁଲି ନିଶା, ସମୟ କେତେବେଳେ ଆସେ, କେତବେଳେ ଯାଏ ଜାଣି ହୁଏନା। ଫଗୁଣ ର ଇସାରା ରେ, ସମ୍ପର୍କ କୁ ସାଉଁଟି ସାଉଁଟି ବିତିଗଲା ଚାରି ପାଞ୍ଚ ବରଷ।
କେବେହେଲେ ଅନୁତାପ, ଅନୁଶୋଚନା ନଥିଲା କାହାରି ମନରେ ନା ସୁମନର ନା ସୀମା ର।
ସାତ ଜନମ କୁ ସାକ୍ଷୀ ରଖି, ବିବାହ କରିବାର ନିଷ୍ପତ୍ତି।
ବୋଧେ ଭଲ ପାଇବାର, ଏଇ ହେଉଛି ଶେଷ ପ୍ରାପ୍ୟ। ଅସୁବିଧା ବି କଣ ଯେ?
ସମୟ ର ଉଜୁଡା ସୁଅରେ, ସୁମନ ରୋଜଗାର କରିବା ପାଇଁ ସୁରଟ ଗଲାବେଳେ, ସୀମା କଥା ଦେଇଥିଲା ଫେରିଲା ପରେ ଜୀବନ ସାଥୀ କରିବାର ନିର୍ଭର ପ୍ରତିଶୃତି। ଜୀବନ ର ସତ୍ୟ, ପ୍ରେମ ପ୍ରୀତି ର ମଧୁର ସଙ୍ଗୀତ ଗାଇବା ପାଇଁ, ବଚନ ହିଁ ଏକ ପରିଚୟ। ସମୟ କିନ୍ତୁ ଏମିତି ଏକ ଚକ୍ର ଟିଏ, ଆଗକୁ ମାଡିଚାଲେ ଅନେକ ସ୍ବପ୍ନ ର ଇସାରା ରେ।
ପଛକୁ ଫେରିବାକୁ ଚାହିଁନି କି ଅତୀତ କୁ କେବେ ଓଲଟାଇନି। ସେମିତି,ହଜିଗଲା ସବୁ ସ୍ମୃତି ଗାଁ ଗଡ଼ିଆର ହୁଡାରେ ଆଉ ନଈ ପଠା ଆମ୍ବ ତୋଟାରେ ।
ଫଗୁଣ ର ଚଇତାଳି ବାଆ ବୋହିଲା ବେଳକୁ,
ସୁରଟ ଫେରନ୍ତା ଗାଉଁଲି ସୁମନ, ଗାଁ ମୁଣ୍ଡ ତୋଟାରେ ଅନୁଭବ କରି ପାରିଲା କାରଣ ତୁଣ୍ଡ ବାଇଦ ସହସ୍ର କୋଶ। ଜମିଦାର ଘର ପୁଅ ତରୁଣ ବାବୁଙ୍କ ଘରେ ଚାଲିଛି ଭୋଜି ଭାତ ର ମଉଜ।
ଫେରିଗଲା ସୁମନ ସେଇ ଅଧା ବାଟରୁ
କେବଳ ଲୁହ ଟିକକ ପୋଛି ପୋଛି, ଆଉ କଇଁ କଇଁ ହୋଇ କାନ୍ଦୁଥିବା ଥରିଲା ଓଠରେ
କହୁଥିଲା
, 'ଭୁଲ ହୋଇଗଲା ତୋତେ ଭଲ ପାଇ '।
