Upendra Mahala

Inspirational

4  

Upendra Mahala

Inspirational

ଛଳମୟ ଚିତ୍ରପଟ

ଛଳମୟ ଚିତ୍ରପଟ

7 mins
271



ମୋ ପିଲାଦିନର କଥା। ସେତେବେଳେ ଅଣା, ସୁଉକି ଚଳୁଥିଲା । ବର୍ତ୍ତମାନର ଭାରତୀୟ ମୁଦ୍ରା ଉପଲବ୍ଧ ନ ଥିଲା। କଣା ପଇସାକୁ ଅ।ଙ୍ଗୁଳିରେ ପୁରାଇ ଅ।ନନ୍ଦ ପାଉଥିଲୁ । ଥରେ ଗାଆଁରେ ଯାତ୍ରା ହେଉଥିଲା। ମେଳା ପଡିଥିଲା। ଘରର ବଡପୁଅ ମୁଁ। ବୟସ ସାତ କି ଆଠ ହେବ। ଜଣେ ସାନ ଭାଇଙ୍କୁ ଧରି ରାତି ପ୍ରାୟ ଅ।ଠଟା ବେଳେ ଯାତ୍ରା ଦେଖି ବାହାରିଲୁ। ଘର ଲୋକେ ଗଲେ ନାହିଁ। ପଡିଶା ଲୋକ ଓ ସାଂଗଙ୍କ ସହ ମିଶି ଆମେ ଯାଇଥିଲୁ। ବୋଉ ମୋତେ ଓ ମୋ ସାନ ଭାଇକୁ ମଟର, ଚଣା ଖାଇବା ଲାଗି ଗୋଟିଏ ଲେଖାଏ ସୁଉକି (ଚାରି ଅଣା) ଦେଇଥିଲେ। ମୋ ପାଖରେ ଆଗରୁ ଦଶ ପଇସାର ମୁଦ୍ରା ଥିଲା। ପେଣ୍ଟ ପକେଟରେ ଯତ୍ନର ସହ ତାକୁ ରଖିଥିଲି ।

ସେଦିନ ମୋ ନିର୍ବୁଦ୍ଧିଆ ସାନଭାଇକୁ ମଜାରେ କିଭଳି ଠକିଥିଲି ସେକଥା ଭୁଲିନି। ତାକୁ କହିଲି , " ଦେଖ ମୋ ପାଖରେ ଗୋଟେ ବଡ ଦଶ ପଇସା ଅଛି । ତୁ ସେଇଟା ନେଇ ତୋ ସାନ ପଇସାଟା ଦେ। ବଡ ପଇସାରେ ବହୁତ ମଟର ମିଳିବ। " ବଡ ସାଇଜର ଦଶ ପଇସା ଦେଖି ସାନ ଭାଇର ଆଖି ଝଲସି ଉଠିଲା। ଲୋଭରେ ମୋତେ ସୁଉକିଟି ଦେଇ ଦଶ ପଇସା ନେଇଗଲା।

ମେଳାରେ ବୁଲି ଆମେ ଭଜା ମଟର କିଣି ଖାଇଲୁ। ସାନ ଭାଇକୁ ଠକି ତାଠାରୁ ସୁଉକିଟି ଆଣିଥିବାରୁ ମନଟା ଘାଣ୍ଟି ହେଲା। ଦଶ ପଇସାରେ କିଣିଥିବା ଭଜା ମଟର ଖାଇ ବେଶ୍ ଖୁସିଥିଲା ମୋ ସାନଭାଇ। ତେବେ ମୋ ଆଖିକୁ ତା ମୁହଁ କାହିଁକି କେଜାଣି କାନ୍ଦ କାନ୍ଦ ଦିଶିଲା !!

ଏକ ଅପ୍ରତିହତ ଗ୍ଳାନି ମୋ ମନକୁ ଅସ୍ଥିର କରିଦେଲା । ମୁଁ ତାକୁ ସୁଉକିଟି ଫେରାଇ ଦେଲି। ଅନ୍ୟ ସୁଉକିରେ କିଣିଥିବା ଭଜା ମଟରରୁ ଅଧାରୁ ବେଶି ଭାଗ ଦେଲି। ସେ ମଟର ଖାଇ ସାରିବା ପରେ ଯାତ୍ରା (ଅପେରା) ଅ।ରମ୍ଭ ବେଳକୁ ମୋ କୋଳରେ ଶୋଇ ପଡିଥିଲା।

ଯାତ୍ରା ନାଟକ ସରିବା ବେଳକୁ ଭୋର ହୋଇଯାଇଥିଲା। ବାପା ମେଳାରେ ପହଞ୍ଚି ବମ୍ବେଇ ଲଡୁ କିଣି ଦେଲେ। ସାନଭାଇ ରଖିଥିବା ସୁଉକିରେ ତାକୁ ମଟର, ଚୁଚୁମା (ଲଙ୍ଗଳା ଲଜେନନ୍ସ) କିଣିଦେଲି। ମୋ ପାଖରେ ପଇସା ନ ଥିବାରୁ କିଛି ନ କିଣି ଘରକୁ ଫେରିଲି।

ସାନଭାଇ ଯାଚିଥିଲା, " ଭାଇ ତୁମେ ମୋ ମଟର ଖାଅ।" ମୁଁ ତାକୁ ଗେଲ କରି କହିଲି " ତୁ ଖାଅ।। ମୁଁ ଢେରେ ଖାଇଛି।"

ନିର୍ବୁଦ୍ଧିଅ। ସାନଭାଇକୁ କୌତୂହଳରେ କାହିଁକି ଠକିଥିଲି ଜାଣେନି। ଜୀବନରେ ସେ ଭୁଲ ଆଉ କେବେ କରିନି। ବରଂ ନିଜେ ନ ଖାଇ ସାନମାନଙ୍କୁ ଖୁଆଇ ଆନନ୍ଦ ପାଇଛି।

ଆଜିକାଲି ସମୟ ଏମିତି ଯେ ଅନେକ ଲୋକ ଅନ୍ୟକୁ ଛଳନାରେ ଠକିବାକୁ ଖୁସି ପାଉଛନ୍ତି। ପେଶାଦାର ଲୁଟେରା ସାଜୁଛନ୍ତି। ପରିବାରର ସମ୍ପର୍କ ଭୁଶୁଡି ପଡୁଛି। ହାଟବଜାରରେ ଭେଜାଲ ଜିନିଷ ଠାରୁ ଆରମ୍ଭ କରି ମାପଓଜନରେ ଠକେଇ କରାଯାଉଛି। ଯିଏ ଯାହାକୁ କୌଶଳରେ ଠକି ପାରିଲା ସେ ବୁଦ୍ଧିମାନ, ରୋଜଗାରିଆ ବିବେଚିତ ହେଉଛି। ବର୍ତ୍ତମାନ ଆମେ ଦେଖୁଛେ, ଠକେଇର ଅନେକ ରୂପ। ସରକାରୀ ଯୋଜନାରେ ଠକେଇ ସୀମା ଟପିଛି। ନୂଆ ତିଅ।ରି ପୋଲ ବିଭିନ୍ନ ସ୍ଥାନରେ ଗଳି ପଡୁଛି। ମରୁଛନ୍ତି ଶ୍ରମିକ। ଭିତ୍ତିଭୂମି ଯୋଜନା ନିର୍ମାଣ କାମରେ ସ୍ଥାୟିତ୍ୱ ନାହିଁ। ଗରିବଙ୍କୁ କାମ ଯୋଗାଇବା ବାହାନାରେ ଦଲାଲମାନେ କମିଶନୀ ଆଦାୟ କରୁଛନ୍ତି। ଜଣେ ଶ୍ରମିକର ଦିନକୁ ମଜୁରି ପ୍ରାୟ ୫୦୦ ଟଙ୍କା। ଦଲାଲମାନେ ୪୫୦ ଟଙ୍କା ଦେଇ ୫୦ ଟଙ୍କା ପକେଟରେ ଭରୁଛନ୍ତି। ଏକଥା ସରକାର କିମ୍ବା ଗଣମାଧ୍ୟମ କାହାରି ଆଖିରେ ପଡୁନି। ମେହନତ କରି କାମ କରୁଥିବା ଲୋକେ ଠକେଇର ଶିକାର ହେଉଥିଲେ ବି ମୁହଁ ଖୋଲି କିଛି କହୁ ନାହାନ୍ତି।

କେବଳ ଦଲାଲ ନୁହନ୍ତି ବଡବଡ ସରକାରୀ, ଅର୍ଦ୍ଧସରକାରୀ ଓ ବେସରକାରୀ ସଂସ୍ଥାରେ କାମ କରୁଥିବା ଶ୍ରମିକ, କର୍ମଚାରୀଙ୍କୁ କମ୍ ପ୍ରାପ୍ୟ ଦେଇ କେତେକ ମାଲିକ ଅସତ ଉପାୟରେ ପୁଞ୍ଜି ବଢାଉଛନ୍ତି। କଳାଧନରେ ଆଲିସାନ ବଙ୍ଗଳା, ସୁରମ୍ୟ କୋଠାବାଡି, ବିଳାସପୂର୍ଣ୍ଣ ଗାଡି କିଣି ପଞ୍ଚତାରକା ହୋଟେଲ, ମଲ୍, ବାର ଓ ରେସ୍ତୋରାଁକୁ ଯାଇ ଅୟସ କରୁଛନ୍ତି। ସେମାନଙ୍କ ଷ୍ଟାଟସ ଦେଖିବା ଭଳି !!

ଖାଲି ସହର ନୁହେଁ ଗାଆଁରେ କୁଶଳୀ ବଡବାବୁ ଗୋଷ୍ଠୀ ଭର୍ତ୍ତି। ରାଜନୀତିର ଛଳ ସାମାଜିକ ଜୀବନର ଚେହେରା ବଦଳାଇ ଦେଇଛି। ସରକାରୀ ଅଫିସରେ ଟଙ୍କା ଫିଙ୍ଗିଲେ ଗରିବ ଲୋକଙ୍କୁ ଠକି ଜମିବାଡି ହାତେଇବା ଭଳି ବେଅ।ଇନ କାମ ହୋଇପାରୁଛି। ମୋ ଗାଆଁର ଜଣେ ମାନସିକ ବିକୃତ ଲୋକଠାରୁ କେତେକ ବ୍ୟକ୍ତି ପ୍ରାୟ ଦଶ ଏକରରୁ ଅଧିକ ଜମି କିଣିନେବା ଘଟଣା ପ୍ରତ୍ୟକ୍ଷ କରିଛି।

ପିଲାଦିନେ ଗାଆଁରେ ଦାରିଦ୍ର‌୍ୟର କରୁଣ, ନଗ୍ନ ଚେହେରା, ମହାଜନୀ କାରବାରରେ ଶୋଷଣ ଅତି ନିକଟରୁ ଦେଖିଛି। ଅନେକ ଲୋକ ଓଳିଏ ଖାଇ ଆର ଓଳି ଉପାସ ରହିବା କଷ୍ଟ ଅଙ୍ଗେ ନିଭାଇଛି।

କିଛିବର୍ଷ ତଳେ ସରକାରଙ୍କ ବିଭିନ୍ନ ସାମାଜିକ କଲ୍ୟାଣ ଯୋଜନା ସାଙ୍ଗକୁ ଟଙ୍କିକିଅ। ଚାଉଳ ବଣ୍ଟାଯିବା ପରେ ଗରିବ ଲୋକେ ଆଶ୍ୱସ୍ତ ହୋଇଛନ୍ତି। ରାଜନୈତିକ ବାଛବିଚାରରୁ ବାଦ ପଡିଥିବା ଲୋକଙ୍କୁ ଛାଡି ଦେଲେ ଅନ୍ୟମାନେ ଭଲରେ ଚଳୁଛନ୍ତି। "ଚତୁର ଶ୍ରେଣୀ"ର ଲୋକେ କୌଶଳରେ ନାନା ସରକାରୀ ସୁବିଧା ହାତେଇ କୋଢିଆ ପାଲଟି ଯାଇଛନ୍ତି। ଗାଆଁ ଗଣ୍ଡାରେ ଚାଷ କାମ ଲାଗି ଶ୍ରମିକ ମିଳୁନାହାନ୍ତି। ଚାଷଜମି ଥିବା ଲୋକେ ଭାଗଚାଷକୁ ଜମି ଲଗାଇ ଚଳୁଛନ୍ତି। ଚାକିରିବାକିରି ଓ ବେପାର ବଣିଜ କରୁଥିବା ଲୋକେ ଏକପ୍ରକାର ଭଲ ସ୍ଥିତିରେ ଅଛନ୍ତି। ସବୁଠୁ ବେଶି ଦୁର୍ଭାଗ୍ୟ ଓ ସରକାରୀ ପ୍ରତାରଣାର ଶିକାର ହେଉଛନ୍ତି ମଧ୍ୟବିତ୍ତ, କୃଷକ ଓ ଗରିବ ସବର୍ଣ୍ଣ ଜାତିର ଲୋକେ।

ମୁଁ ପିଜି କଲାବେଳେ ବିଶ୍ବବିଦ୍ୟାଳୟରେ ମାସିକ ଫିଜ୍ ଥିଲା ମାତ୍ର ଏଗାର ଟଙ୍କା। ଏବେ ପିଲାଙ୍କୁ ତଳ ଶ୍ରେଣୀରୁ ପଢାଇବା ସକାଶେ ମାସକୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି। ଶିକ୍ଷା ବ୍ୟବସ୍ଥାର ବ୍ୟବସାୟୀକରଣ ସମାଜ ଜୀବନକୁ ଶକ୍ତ ଧକ୍କା ଲଗାଇଛି। ସରକାରୀ ସ୍କୁଲରେ ପାଠପଢା କଥା ଛାଡ। ସେହିପରି ବଡବଡ କମ୍ପାନୀ, ବ୍ୟାବସାୟିକ ସଂସ୍ଥା ନାନା ଉପାୟରେ ମାଟି, ପାଣି, ଜଙ୍ଗଲ ଭଳି ପ୍ରାକୃତିକ ସମ୍ପଦ ଲୁଟି, ଅ।ୟକର ଫାଙ୍କି ପେଟ ବଢାଉଛନ୍ତି। ଶ୍ରମିକ, କର୍ମଚାରୀଙ୍କୁ ଉଚିତ ପ୍ରାପ୍ୟ ନ ଦେଇ, ପରିବେଶ ଓ ସାମାଜିକ ସୁରକ୍ଷା କାମ ନ କରି ପୁଞ୍ଜି ଠୁଳ କରି ଚାଲିଛନ୍ତି। ତ୍ରୁଟିପୂର୍ଣ୍ଣ ଶାସନ ବ୍ୟବସ୍ଥା କିଛି ବି କରି ପାରୁନି। ଲାଞ୍ଚଖଚ ସବୁସ୍ତରରେ ସୀମା ଟପିଯିବା ଭଳି ଲାଗୁଛି।

ଆୟକର ଠକେଇର ଗୋଟେ ରୂପ ଦେଖନ୍ତୁ। ଗରିବ ଘରର ପିଲାଟେ କଷ୍ଟରେ ପାଠପଢି ଚାକିରି କଲେ ଆୟକର ବାନ୍ଧିବାକୁ ପଡୁଛି। ଯେଉଁମାନଙ୍କର ବହୁ ପୈତୃକ ସମ୍ପତ୍ତି କିମ୍ବା ବ୍ୟବସାୟ ଅଛି ସେମାନଙ୍କଠାରୁ କେବଳ ଚାକିରି ଦରମା ଟଙ୍କାକୁ ହିସାବ କରି ଅ।ୟକର କଟାଯାଉଛି। ଏଭଳି ତ୍ରୁଟିପୂର୍ଣ୍ଣ ନୀତି ଯୋଗୁ ଆୟକର ଆଦାୟ ଓ ଧରପଗଡ ପ୍ରହସନ ପାଲଟିଛି। ଚାକିରି କରିଥିବା ଗରିବ ଘରର ପୁଅ ପକ୍ଷେ ମାସକୁ ଟଙ୍କାଟିଏ ଜମା ରଖିବା ସମ୍ଭବ ହେଉନି। ଧନୀମାନେ ଦିନକୁ ଦିନ ଅଧିକ ଧନୀ ହେଉଥିବା ବେଳେ ଘାଣ୍ଟି ହେଉଛନ୍ତି ଗରିବ ଚାଷୀ, ମଧ୍ୟବିତ୍ତ ସମ୍ପ୍ରଦାୟ।

ଜାତୀୟକରଣ ଓ ଘରୋଇ ବ୍ୟାଙ୍କ ଲୁଟେରାଙ୍କ ଗୁରୁ ପାଲଟିଛନ୍ତି। ମହାଜନୀ କାରବାର ଭଳି ଚକ୍ରବୃଦ୍ଧି ହାରରେ ସୁଧ ଆଦାୟ କରାଯାଉଛି। ଗରିବ ଲୋକଟିଏ ନିଜ ପିଲାକୁ ଉଚ୍ଚଶିକ୍ଷା ଦେବା ଲାଗି ଷ୍ଟଡି ଲୋନ କରିବାକୁ ବାଧ୍ୟ ହେଉଛି। ଅଥଚ ସେମାନଙ୍କଠାରୁ ଅଧିକ ହାରରେ ସୁଧ ଆଦାୟ କରାଯାଇ ହଇରାଣ କରାଯାଉଛି। ପାଠପଢା ପରେ ଚାକିରି ମିଳି ନ ଥିଲେ ମାଆ ବାପା ନୟାନ୍ତ। ଏକ ଗଣତାନ୍ତ୍ରିକ ଦେଶରେ ଷ୍ଟଡି ଲୋନ ଉପରୁ ଅଧିକ ସୁଧ ଅ।ଦାୟ କିଭଳି ନ୍ୟାୟସଙ୍ଗତ ବ୍ୟବସ୍ଥା ବୁଝା ପଡୁନାହିଁ। ୠଣ କରିଥିବା ପିଲାମାନେ ପାଠପଢି ୠଣ ଶୁଝିବା ଚିନ୍ତାରେ ଅଳ୍ପ ପଇସାରେ ଚାକିରି କରି ବିଭିନ୍ନ ସଂସ୍ଥା ଓ କମ୍ପାନୀରେ ଏକପ୍ରକାର ବିକ୍ରି ହୋଇ ଯାଉଛନ୍ତି।

ଆମ ଦେଶରେ ଅର୍ଥନୀତିରେ ଅସଙ୍ଗତି ଓ ତ୍ରୁଟି ଜଳଜଳ ହୋଇ ଦିଶୁଛି। ଭବିଷ୍ୟତରେ ଏହାର ଗତି କୁଆଡେ କାହାକୁ ଜଣା ନାହିଁ। ଚିନ୍ତାର କଥା ହେଲା ସରକାର ସବୁ କର୍ପୋରେଟ କମ୍ପାନୀ ଓ ଘରୋଇ ସଂସ୍ଥାକୁ ଫୁଲାଫାଙ୍କିଆ କରି ଛାଡି ଦେଉଛନ୍ତି। କାହାରି ବେକରେ ପଘା ନାହିଁ କି ମୁହଁରେ ତୁଣ୍ଡି ନାହିଁ। କଳାଧନ ସଞ୍ଚୟ ବଢ଼ି ବଢ଼ି ଚାଲିଛି।

ସରକାରୀ ସଂସ୍ଥାରେ ଆଗ ଠିକା ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବା ପରେ ବେସରକାରୀ ସ୍ତରରେ ନିଯୁକ୍ତି ପ୍ରତାରଣା, ଛଳନା ଓ ଶୋଷଣ ବଢିଛି। ଅନେକ ସଂସ୍ଥା ବେକାର ଯୁବତୀ ଯୁବକଙ୍କୁ ଠିକାରେ ନିଯୁକ୍ତି ଦେଇ ଲୁଟୁଛନ୍ତି। କାହାକୁ ସାମାଜିକ ସୁରକ୍ଷା ମିଳୁ ନାହିଁ। ସରକାରଙ୍କ ପାଖରେ ଠିକାଶ୍ରମିକ ଓ କର୍ମଚାରୀଙ୍କର କୌଣସି ହିସାବ ନାହିଁ। ଶହଶହ ସଂସ୍ଥାରେ ଅଡିଟ ହେଉନି କହିଲେ ଚଳେ। ଯେଉଁଠି ହେଉଛି, ସେଠି ଟଙ୍କାପଇସା କାରବାରରେ ସତ୍ୟ ଲୁଚି ଯାଉଛି। ବେକାରୀ ସମସ୍ୟା ଓ କାମଧନ୍ଦା ଅଭାବ ଯୋଗୁ ରାଜ୍ୟ ବାହାରକୁ ଯାଉଥିବା ଶ୍ରମିକ, କର୍ମଚାରୀଙ୍କ ନିର୍ଯ୍ୟାତନାର ଅନ୍ତ ହେଉନାହିଁ । ଅନେକ କରୁଣ କାହାଣୀ ପଦାକୁ ଅ।ସୁଛି। ମହାମାରୀ କୋଭିଡ ସଂକ୍ରମଣ ପରେ ଦାଦନ ଶ୍ରମିକଙ୍କ ବାସ୍ତବ, କରୁଣ ଚିତ୍ର କିଭଳି ଦୟନୀୟ ତାହା ପ୍ରଥମ କରି ପଦାକୁ ଆସିଲା। ଲକ୍ ଡାଉନ ଯୋଗୁ ଅନେକେ ଚାକିରି ଓ କାମଧନ୍ଦା ହରାଇଲେ। ସରକାରଙ୍କ ପାଖରେ ସାମର୍ଥ୍ୟ ଓ ସୂଚନା ନ ଥିବାରୁ ସମସ୍ୟା ଅସମାହିତ ହୋଇ ରହିଛି। ବିକାଶର ନାରା ଦେଉଥିବା ସରକାରଙ୍କ ଅନୀତି, ଉଦାସୀନତା, ଦାୟିତ୍ୱହୀନତା ଓ ବାସ୍ତବ ଛଳମୟ ଚେହେରା ସାମନାକୁ ଆଣିଛି ମହାମାରୀ କରୋନା।

ଆମ ରାଜ୍ୟରେ ଚିଟଫଣ୍ଡ ଓ କେତେକ ବିଲଡରଙ୍କ ଠକେଇ କଳଙ୍କିତ ଅଧ୍ୟାୟ ଯୋଡିଛି। ପ୍ରଶାସନର ଆଖି ଅ।ଗରେ ଠକମାନେ ବିଭିନ୍ନ ସଂସ୍ଥା ଖୋଲି କିଭଳି ଲୋକଙ୍କୁ ଲୁଟିଲେ ଓ ସରକାର ତାହା ଜାଣିଲେ ନାହିଁ ସେ ନେଇ ଢେରେ ପ୍ରଶ୍ନ ରହିଛି, ଯାହାର ଉତ୍ତର ଏଯାଏ ମିଳିନି। ଭୂ-ପ୍ରକୃତି ଠାରୁ ଆରମ୍ଭ କରି ଦେଶର ମାନବ ସମ୍ବଳକୁ ନାନା କୌଶଳରେ ଲୁଟ କରାଯାଉଛି। ଠକେଇ ସାଂଗକୁ ନାଗରିକ ଅଧିକାରରୁ ବଞ୍ଚିତ ହେଉଥିବା ଲୋକେ କାହା ଉପରେ ଭରସା ନ ରଖି ନିରବ ରହିବାକୁ ଉଚିତ ମଣୁଛନ୍ତି।

ଏକ ଅଙ୍ଗେନିଭା କଥା କହୁଛି। ଭଦ୍ରକ କଲେଜରେ ପଢୁଥିବା ବେଳେ ପରିବାରର ଅଭାବୀ ସ୍ଥିତି ଯୋଗୁ ଫୁଲ୍ ବା ପାର୍ଟ ଟାଇମ ଜବ୍ ଖୋଜୁଥିଲି। ସେତେବେଳେ ସ୍ଥାନୀୟ ନୂଆ ବଜାରରେ ଏକ ଘରୋଇ ବ୍ୟାଙ୍କ ଶାଖା ଭଡାଘରେ ଖୋଲିଲା। ସେମାନେ କ୍ଲରିକାଲ ଷ୍ଟାଫ ନିଯୁକ୍ତି ଦେବେ ବୋଲି ଆକର୍ଷଣୀୟ ଢଂଗରେ ପ୍ରଚାର କଲେ। ମୁଁ ଯୋଗାଯୋଗ କରିବାରୁ ସେମାନେ ସିକ୍ୟୁରିଟି ଟଙ୍କା ଦୁଇ ହଜାର ଦେଲେ ଚାକିରି ମିଳିବ ବୋଲି କହିଲେ। ମୁଁ ଘରେ ଏକଥା କହି ଧାନ ଚାଉଳ ବିକି ସିକ୍ୟୁରିଟି ବାବଦକୁ ଜମା କଲି। ମିଳିଲା ଖଣ୍ଡେ ଜାଲ୍ ରସିଦ। ସେ ସମୟରେ ଦୁଇ ହଜାର ଟଙ୍କାର ମୂଲ୍ୟ ଢେରେ। ବ୍ୟାଙ୍କ ଶାଖାର କର୍ମକର୍ତ୍ତା କାହାକୁ ନିଯୁକ୍ତି ଦେବା ଦୂରେ ଥାଉ, କିଛି ଦିନପରେ ସହରରୁ ରାତାରାତି ଉଭାନ ହୋଇଗଲେ। ମୋ ଭଳି ଅନେକ ଆଶାୟୀ ଯୁବକ ଠକେଇର ଶିକାର ହେଲେ। ଆମେ ଥାନାରେ ଅଭିଯୋଗ କଲୁ। ପୋଲିସ ଠକଙ୍କୁ ଧରିବା ଦୂରେ ଥାଉ, "ଶ୍ରୀକୃଷ୍ଣଙ୍କ ଶେଷ ହସ" ଭଳି ସୁନ୍ଦର ପଣିଆର ହସ ହସି ଅଭିଯୋଗକୁ ପବନରେ ଉଡାଇ ଦେଲେ।

ନିଯୁକ୍ତି ଠକେଇର ଶିକାର ହେବା ପରେ ଏଭଳି ଅନ୍ୟାୟ ଓ ଶୋଷଣ ବିରୋଧରେ ସ୍ବର ଉତ୍ତୋଳନ କରି ସାରା ଜୀବନ ଲଢିବାକୁ ଶପଥ ନେଇଥିଲି। ପିଜି ପଢି ସାରିବା ପରେ କଲେଜରେ ଅଧ୍ୟାପନା ଚାକିରି ଛାଡି ଅନ୍ୟାୟ, ଅନୀତି ଲୋକଲୋଚନକୁ ଆଣିବା ସକାଶେ ପ୍ରିଣ୍ଟ ମିଡିଅ।ରେ କାର୍ଯ୍ୟ ଆରମ୍ଭ କଲି। ବ୍ୟବସ୍ଥାଗତ ତ୍ରୁଟି ଓ ଅନାଚାର ବିରୋଧରେ ମୋ ଲେଖନୀ ଥିଲା ଶାଣିତ। ଦୀର୍ଘ ପଇଁତିରିଶ ବର୍ଷର ଚାକିରି ଓ ଲେଖାଲେଖି ସାଧନା କାଳରେ ସମାଜରେ ସେମିତି କିଛି ଗୁଣାତ୍ମକ ପରିବର୍ତ୍ତନ ଦେଖିଲିନି। ବରଂ ଯେଉଁ ଗଣମାଧ୍ୟମ ଜଗତରେ ପଶି ଲଢେଇ କରୁଥିଲି, ସେହି ଜଗତର ବାସ୍ତବ ଚିତ୍ର ମୋତେ ବିଚଳିତ କରିଛି। କେତେକ ଗଣମାଧ୍ୟମ ସଂସ୍ଥାରେ ଗଣତନ୍ତ୍ରର ଅ।ଦୌ ଚିହ୍ନବର୍ଣ୍ଣ ନାହିଁ। ଚାକିରି ଜୀବନରୁ ସେବାନିବୃତ୍ତ ହେବା ପରେ ରୋଗ ଓ ଆର୍ଥିକ ଅନଟନରେ ପଡି କେତେକ ବରିଷ୍ଠ ସାମ୍ବାଦିକ, ଅଣସାମ୍ବାଦିକ ଅକାଳମୃତ୍ୟୁ ବରଣ କରିବା ନଜିର ରହିଛି। ସେବାନିବୃତ୍ତ କର୍ମଚାରୀଙ୍କ ଇପିଏଫଓ ପେନସନ ଇସ୍ୟୁକୁ ନେଇ ନ୍ୟାୟାଳୟର ରାୟକୁ ପାଳନ ନ କରି କେନ୍ଦ୍ର ସରକାର ରିଭ୍ୟୁ ପିଟିସନ ଦାଖଲ କରି ଛଳନାର ଖେଳ ଖେଳୁଛନ୍ତି। ଏହା ବିରୋଧରେ ଦେଶବ୍ୟାପୀ ଆନ୍ଦୋଳନ ଚାଲିଛି। ଅନେକ ଗଣମାଧ୍ୟମରେ ଏ ଖବର ପ୍ରକାଶ ପାଉ ନ ଥିବାରୁ ସରକାର ମଜା ଉଠାଉଛନ୍ତି।

ଚତୁର୍ଥ ସ୍ତମ୍ଭର ଦୁରବସ୍ଥା ଓ ସାମ୍ବାଦିକତା ଭଳି ପବିତ୍ର ବୃତ୍ତି ପାଇଁ ଅଣଦେଖା ଗଣତନ୍ତ୍ରର ଭବିଷ୍ୟତ ପାଇଁ କିଭଳି ଅନିଷ୍ଟକର, ତାହା ଚିନ୍ତା କରିବାର ବେଳ ଆସିଛି। କେବଳ ଗଣମାଧ୍ୟମ ନୁହେଁ, ଅନ୍ୟ ଘରୋଇ ଓ ସରକାରୀ ସଂସ୍ଥାରେ ଠିକା ଶ୍ରମିକଙ୍କ ଦୁର୍ଦ୍ଦଶା ଏକାଭଳି। ଦେଶ ଓ ସମାଜ ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଉଥିବା ସାହିତ୍ୟିକଙ୍କ ସର୍ବନିମ୍ନ ସ୍ୱାର୍ଥ ଓ ସାମାଜିକ ସୁରକ୍ଷା ନେଇ ଚିନ୍ତା କାହାରି ନାହିଁ। କଳାଧନରେ ଦିନକୁ ଦିନ ସହରରେ ବଢିଚାଲିଛି ଉଚ୍ଚଉଚ୍ଚ ଅଟ୍ଟାଳିକା। ଛୋଟ ହୋଇଯାଉଛି ମଣିଷ ପଣିଆ। କେଉଁଠି ବି ଆଇନର ଶାସନ ନାହିଁ। ଖାଲି ଛଳନା ଓ ପ୍ରତାରଣା। ଲୁଟେରା ସାଜି ଅନ୍ୟକୁ ଠକିବା ମାନସିକତା ସବୁସ୍ତରରେ ମାଡି ଚାଲିଛି। "ଦୋମୁହାଁ ଚରିତ୍ର"ର ମଣିଷଙ୍କ ଭିଡ ଓ ଠକେଇ ମାନସିକତା ଯେଭଳି ବଢୁଛି ସେକଥା ଭାବିଲେ ଆଜି ବି ମୋ ସାନ ଭାଇର ପିଲାଦିନ କାନ୍ଦୁରା ମୁହଁ ଆଖି ଅ।ଗରେ ସଜଳ ହୋଇଉଠେ !!

*******



Rate this content
Log in

Similar oriya story from Inspirational