Nityananda Nandi

Inspirational Thriller

4  

Nityananda Nandi

Inspirational Thriller

ଛେଳି ଛୁଆ

ଛେଳି ଛୁଆ

4 mins
243



ଦୁଇ ଦିନ ହେଲା କାମକୁ ଯାଇନି ମାଧିଆ ମନକୁ ମାରି ଘରେ ବସିଛି। ଛେଳି ଛୁଆ ଚୋରି ହୋଇଯାଇଛି ବୋଲି ବୋଧେ । ତିନି ମାସର ଛୁଆଟି। ଛେଳି ଛୁଆ ପାଇଁ ଯେତିକି ବ୍ୟସ୍ତ ନୁହେଁ ମାଧିଆ, ତା'ଠୁ ବେଶି ବ୍ୟସ୍ତ ଛୋଟ ଝିଅ ଗେଲି ପାଇଁ , କାନ୍ଦୁଛି ରାହା ଧରି। 

ତିନି ବର୍ଷର ଝିଅ , ଛେଳି ଛୁଆ ହିଁ ତା ଜୀବନ। ଦିନ ସାରା ତାରି ପଛରେ ଗୋଡେଇ ହୁଏ। ତାକୁ କୁଣ୍ଢେଇ ଧରି ବାରଣ୍ଡାରେ ଶୋଇଯାଏ। ମନେ ମନେ ବାଡ଼ି ସାରା ଖୋଜୁଛି ଛେଳି ଛୁଆକୁ। ଓଳିପଛକୁ ଯାଇ ହାଣ୍ଡି ଭିତରକୁ ଅନାଉଛି ତ ଘସି ଭାଡି ତଳକୁ ନଇଁ ପଡି ଦେଖୁଛି। କଥା କହି ଶିଖିନି ବୋଲି କିଛି କହୁନି ସିନା, ମନ ଭିତରେ କିନ୍ତୁ ଭାରି ଦୁଃଖ ଛେଳି ଛୁଆ ପାଇଁ। 


ସୂକ୍ଷ୍ମ ସୂକ୍ଷ୍ମ ମନ ଗ୍ରନ୍ଥିକୁ ନେଇ ସମ୍ପର୍କ ଗଢେ ବୋଲି ଗେଲି କୁଆଡୁ ବୁଝିବ !! ଅତି ଅନ୍ତରଙ୍ଗ କାହାର ଏମିତି ଅନୁପସ୍ଥିତି ଶୂନ୍ୟତା ଛାଡି ଯାଇ ମନକୁ କଷ୍ଟ ଦିଏ। ପରିତ୍ୟକ୍ତ ବାଇ ଚଢେଇର ବସା ଭିତରଟା ମମତା ଶୂନ୍ୟ ଲାଗେ ... ଗେଲି ମନ ଭିତରେ ଅଜସ୍ର ଆଘାତ। 


ଭୋର ଚାରିଟାରୁ ଉଠିଲା ମାଧିଆ। ଗାଆଁର ପ୍ରାୟ ପ୍ରତି ଘରକୁ ଯାଇ ଗୁହାଳ ପାଖରେ କାନ ଡେରି ଦୁଇ ଦୁଇ ମିନିଟ ଛିଡା ହେଲା। କିଛି ଟେର୍ ପାଇଲାନି ସେ। ଘରେ ଆସି ବାରଣ୍ଡାରେ ବସିଲା ମାଧିଆ।  ବାରଣ୍ଡାରେ ଝୁଲୁଥିବା ଦୋଳିରେ ଶୋଇ ଯାଇଛି ଗେଲି। ତା ଗୁଲୁ ଗୁଲିଆ ମୁହଁ ଉପରେ ପରାଜୟର ଗ୍ଲାନି ବିଛେଇ ହୋଇ ପଡ଼ିଛି। ଅନେକ କିଛି ଜିତିବା ଆଗରୁ ହାରି ଯିବାଟା ତିକ୍ତତା ସୃଷ୍ଟିକରେ ମନଭିତରେ। ଗେଲି କଣ ଏତେ କଥା ବୁଝି ପାରିବ ??? ଖାଲି ଏତିକି ଜାଣିଛି , ଛେଳି ଛୁଆଟି ତା ପାଖରେ ଆଉ ନାହିଁ। ଗେଲିର ଏଇ ଦୁର୍ଦ୍ଦଶା ଦେଖି ମାଧିଆକୁ କଷ୍ଟ ହେଲା।


ବିଦୁ ରଣା ସାଥିରେ ହିଡ ବାଡକୁ ନେଇ ଜୋରଦାର ଝଗଡା ହୋଇଥିଲା ଦୁଇଦିନ ଆଗରୁ। ସନ୍ଦେହ ହେଲା। ସେ ବୋଧେ ଚୋରି କରି ନେଇଛି ମୋ ଛେଳି ଛୁଆକୁ। ବିଦୁ ରଣାକୁ ଯାଇ ପଚାରିଲା, ଆରେ ବିଦୁ ! ଆମ ଛେଳି ଛୁଆକୁ ତୁ ହି ନେଇଛୁ। କାନ୍ଦି ପକେଇଲା ବିଦୁ। " ମୁଁ କାହିଁକି ତୋ ଛେଳି ଛୁଆକୁ ନେବି କହିଲୁ। ହିଡ଼ ବାଡକୁ ନେଇ ଝଗଡା ହେଲା ବୋଲି ମୁଁ କଣ ଏତେ ନିଷ୍ଠୁର ହେବି।"


ଗାଆଁ ପୋଲିସ ଚୌକିରେ ଯାଇ ଗୋଡ଼ ଭାଙ୍ଗି ଠିଆ ହେଲା ମାଧିଆ, ହାବିଲଦାର କହିଲା କେଜିଏ ମଟନ ନେଇ ଆ..

ତୋ ଛେଳି ଛୁଆକୁ ଆମେ ଖୋଜି ଦେବୁ। ଶହେ ଟଙ୍କାର ଛେଳି ଛୁଆ ପାଇଁ ପାଞ୍ଚ ଶହ ଟଙ୍କାର ଖାସି ମାଂସ ! ସ୍ନେହ ମମତାରେ ଗଢି ଉଠି ଥିବା ସମ୍ପର୍କର ମୂଲ୍ୟାୟନ ସମ୍ଭବ ନୁହେଁ ସତ କିନ୍ତୁ ମାଂସ ପାଇଁ ପାଞ୍ଚ ଶହ ଟଙ୍କା ? ମାଧିଆ ପରି ଦିନ ମଜୁରିଆ ପାଇଁ ଏତେ ସହଜ ନ ଥିଲା। ମାଂସ ବଦଳରେ ଜୀବନ୍ତ ଛେଳି ଛୁଆ ! ଜୀବନ୍ତ ଛେଳି ଛୁଆକୁ ପାଇବା ପାଇଁ ଆଉ ଗୋଟେ ବୟସ୍କ ଛେଳିର ହତ୍ୟା ବି ଜରୁରୀ, କେତେ ଅଦ୍ଭୁତ ଏଇ ସମୀକରଣ ! ପୋଲିସ ଚୌକିକୁ ଆସି କିଛି ଲାଭ ହେଲାନି..


ପାଖ ଗାଆଁ କାଞ୍ଜି ହାଉସରେ ଯାଇ ପଚାରିଲା। ସେମାନେ କହିଲେ ଆରେ ପାଗଳ କାଞ୍ଜି ହାଉସକୁ ଛେଳି ଛୁଆ କେମିତି ଆସିବ ? ପାଞ୍ଚଦିନ ବିତିଗଲାଣି, ଯେ ଚୋରି କରିଛି ସେ ତାକୁ ମାରି ହଜମ କରି ସାରିଥିବ। ଏତେଦିନ କେହି କଣ ଲୁଚେଇ ରଖେ ଛେଳି ଛୁଆକୁ !


ଝିଅ ଗେଲିର ମନ ଭାଙ୍ଗି ପଡ଼ିଛି ବୋଲି ମାଧିଆ ଭାଙ୍ଗି ପଡ଼ିଛି। ଝିଅ ପାଇଁ କାମକୁ ନ ଯାଇ ଦୁଇ ଦିନ ହେଲା ଘୁରି ବୁଲୁଛି ଗାଆଁ ଦାଣ୍ଡରେ । କଣ୍ଢେଇ ନୁହେଁ ଯେ ଝିଅକୁ ବୁଝେଇ ହେବ। ଗୋଟାଏ ଜୀବନ୍ତ ଛେଳି ଛୁଆକୁ ମନ ଦେଇ ସାରିଛି ଗେଲି। ସମ୍ପର୍କର ସେତୁଟିଏ ବନ୍ଧା ହୋଇ ଯାଇଛି ଦୁଇ ଛୁଆଙ୍କ ଭିତରେ !! ଜୁଆର ଓ ଭଟ୍ଟା ଭିତରେ, ବିରହର କିଛି ମୁହୂର୍ତ୍ତ ଯେତିକି ସତ,ଗେଲିର ଶୂନ୍ୟ ମନ ଭିତରେ ପ୍ରତିଟି ସମୟ ସେତିକି ଯନ୍ତ୍ରଣା ଦାୟକ। ଛେଳି ଛୁଆଟି ହିଁ ଦରକାର ଗେଲି ପାଇଁ, ସେ ଆଉ କିଛି ବୁଝେନି...  


ଗାଆଁ ରୁ ଯାଇ ସହରରେ ଓକିଲାତି କରେ ଛୋଟା ଓକିଲ। ତା ଘରେ ଯାଇ ବସିଲା। "ଶହେ ଟଙ୍କା ଛେଳି ପାଇଁ କୋର୍ଟ କଚେରୀ। ଦୁଇ ଚାରି ହଜାର ପାଣିରେ ପଡ଼ିବ। ଏମିତି ଛୋଟ ଛୋଟ ଘଟଣାକୁ ଭୁଲି ଯିବାକୁ ହୁଏ ମାଧିଆ"

କେମିତି ଭୁଲିବ ସେ !! ଗେଲିକୁ ବୁଝେଇବା ସମ୍ଭବ ନୁହେଁ ! ନା ସେ କଥା କହି ଶିଖିଛି ନା ବୁଝେଇଲେ ସେ ବୁଝି ପାରିବ। ବୁଝିବାର ବୟସ ହୋଇନି।

ଛୋଟା ଓକିଲର କଥା କିନ୍ତୁ ମନକୁ ପାଇଲା ନାହିଁ।


ବାହାଘର ମୁଦିଟିକୁ ଗାଆଁ ବଣିଆକୁ ହଜାରେ ଟଙ୍କାରେ ବିକି ଦେଇ ସିଧା ଚାଲିଲା ବାରିକପୁର ଗୋରୁ ହାଟକୁ। ଆଠ ଶହ ଟଙ୍କା ଦେଇ କିଣି ନେଇ ଆସିଲା ଛେଳି ଛୁଆଟିଏ।

କଳା ଛେଳି ଛୁଆକୁ ଦେଖି ଗେଲି ଧଙ୍କି ଧଙ୍କି କାନ୍ଦିଲା, ତା ଛେଳି ଛୁଆର ରଙ୍ଗ ଅଲଗା। ମୁଣ୍ଡ ହଲେଇ ତା ଭାଷାରେ ସେ ବାପାଙ୍କୁ ଇଙ୍ଗିତ କଲା ଏଇଟା ମୋ ଛେଳି ନୁହଁ !!

ମାଧିଆର ମୁଣ୍ଡ କାମ କଲା ନାହିଁ। କେମିତି ବୁଝେଇବ ସେ ଗେଲିକୁ। ପାଞ୍ଚଦିନ ବିତି ଗଲାଣି ଏହା ଭିତରେ। କାମକୁ ଯାଇନି। 

ଗେଲି କାନ୍ଦି କାନ୍ଦି ଦୋଳିରେ ଶୋଇ ଯାଇଛି। ମଞ୍ଚା ବଦଳେଇ ଦେଲେ ଜୀବନ୍ତ ଜହ୍ନି ଲତାର ଫୁଲ ମାନେ ସୌନ୍ଦର୍ଯ୍ୟ ହରେଇ ବସନ୍ତି। ଅସଜଡା ଲାଗେ ଜହ୍ନି ଗଛର ଲତା ସବୁ। ପ୍ରଥମ ମଞ୍ଚାଟି ଯେତେ ଭଙ୍ଗା ତୁଟା ହେଲେ ବି ଅତି ନିଜର ଲାଗେ...ଜହ୍ନି ଲତାକୁ। 


ସ୍ତ୍ରୀ ଲବଙ୍ଗ ସାଥିରେ ଆଲୋଚନା କଲା ମାଧିଆ। ଟିଫିନ୍ ବାକ୍ସରେ କଦଳୀ ମଞ୍ଜା ତରକାରୀ ଭରି ଦେଇ ଲବଙ୍ଗ କହିଲା ଯାଅ ! ଗାଆଁ ମୁଖିଆଙ୍କ ଘରେ ଦେଇ ଆସ। ତାଙ୍କୁ କୁହ, ସେ ହିଁ ବୁଝିବେ !!


ବିରୋଧୀ ଦଳକୁ ଭୋଟ ଦିଏ ବୋଲି ତାଙ୍କର ଭାରି ରାଗ ମାଧିଆ ଉପରେ। ତଥାପି ଲବଙ୍ଗର କଥା ମାନି ମଞ୍ଜା ତରକାରୀ ନେଇ ପହଞ୍ଚିଲା ମୁଖିଆଙ୍କ ଘରେ, ଖାସ୍ ନିଜ ଝିଅର ଖୁସି ପାଇଁ। ତାଙ୍କ ସ୍ତ୍ରୀଙ୍କୁ ତରକାରୀ ଧରେଇ ଦେଇ କାନ୍ଦି ପକେଇଲା ମାଧିଆ। ଆମ ଛେଳି ଛୁଆକୁ କିଏ ଚୋରି କରି ନେଇଛି। ଦାଦାଙ୍କୁ କହିବ ଟିକେ ବୁଝିବେ, ତାଙ୍କୁ ସମସ୍ତେ ଭୟ କରନ୍ତି ଆମ ଗାଆଁରେ।

 

ଠିକ୍ ଅଛି ମାଧିଆ ! ସେ ଆସନ୍ତୁ ମୁଁ କହିବି। କିଛି ନା କିଛି ରାସ୍ତା ବାହାରିବ। ନ ହେଲେ ଗାଆଁ ସାରା ଡେଙ୍ଗୁରା ପିଟିବାର ବ୍ୟବସ୍ଥା କରିବେ...

**

ତା ପରଦିନ ମାଧିଆ ଓ ଲବଙ୍ଗ ନିଦରୁ ଉଠି ଦେଖିଲେ ଗେଲି ପାଖରେ ନାହିଁ। କୁଆଡେ ଗଲା ଆମ ଗେଲି !

ବାଉଳି ଚାଉଳି ହେଲେ ମାଧିଆ ଓ ଲବଙ୍ଗ। ରୋଷେଇ ଘର , ଓଳି ପଛ ସବୁଆଡେ ଘାଣ୍ଟି ପକେଇଲେ। ଗେଲି ଉଠି ପଳେଇ ଯାଇଛି କୁଆଡେ ?

ହେଇ ଦେଖ ଆମ ଗେଲି ତା ଛେଳି ଛୁଆକୁ ଧରି ଶୋଇ ଯାଇଛି ଏଇ ଦୋଳି ଭିତରେ ! ଛେଳି ଛୁଆଟିକୁ କିଏ ନିଶ୍ଚୟ ବାଡ଼ି ଭିତରେ ଛାଡି ଦେଇଯାଇଛି। କିନ୍ତୁ କିଏ ? କାହିଁକି ? ଖୁସିରେ ଚିଲଉ ଥିଲା ଲବଙ୍ଗ.... 

ମାଧିଆ ଥରେ ଅନଉଥାଏ ଝିଅ ଗେଲି ଆଉ ଛେଳି ଛୁଆକୁ, ଥରେ ଅନଉଥାଏ ଲବଙ୍ଗକୁ, ଆକାଶରୁ ମେଘ ଅପସରି ଗଲେ ନୀଳ ଆକାଶ ତା ଅସ୍ତିତ୍ଵକୁ ଫେରିପାଏ। ଚଢ଼େଇ ଛୁଆର ଚିଁ ଚିଁ କଳରବରେ ଉତ୍ସବ ମୁଖରିତ ହେଲା ହାତ ପା'ନ୍ତା ଆକାଶଟା ।

ଲବଙ୍ଗ କୁଣ୍ଢେଇ ଧରିଲା ମାଧିଆକୁ ଖୁସିରେ ଦାଦା କେତେ ଭଲ ଲୋକ କହିଲ, ଆଗ ଥରକୁ ତାଙ୍କୁ ହିଁ ଭୋଟ ଦେବା ! ମାଧିଆର ଆଖି ଜକେଇ ଆସିଲା,କାହିଁକି କେଜାଣି ନିଜେ ବି ଜାଣିନି !

ଭାବୁଥିଲା ଲବଙ୍ଗର ସ୍ନେହଭରା ମଞ୍ଜା ତରକାରୀ କେତେ ବଦଳେଇ ଦିଏ ମଣିଷକୁ, ଦାଦା କେତେ ଉପକାର କଲେ ଆମ ପାଇଁ। ଭାବୁଥିଲା "ଆମେ ଭଲ ହେଲେ ଦୁନିଆ ଭଲ" ।




  


Rate this content
Log in

Similar oriya story from Inspirational