puspanjali das

Inspirational

3  

puspanjali das

Inspirational

ଛାତ ଉପର ବଗିଚା

ଛାତ ଉପର ବଗିଚା

5 mins
30



  ଦୀର୍ଘ ଚାରିବର୍ଷ ପରେ ଲତିକା ଅନିଚ୍ଛା ସତ୍ତ୍ୱେ ତାଙ୍କ ଦ୍ବିତଳ ପ୍ରାସାଦର ଛାତ ଉପରକୁ ଆସିଥିଲେ । ହାତରେ ଥିଲା ପ୍ଲାଷ୍ଟିକ ଡାଲାଟିଏ, ଆଉ ମନରେ ଅସରନ୍ତି ଭାବନା ! ଝିଅ ଲିଜାର ଅନୁରୋଧକୁ ଆଡେଇ ନ ପାରି, ନିଜର ସବୁ ଅସନ୍ତୋଷକୁ ମନ ଭିତରେ ଗୋଟିଏ ପଟେ ରଖି, ବହୁ କଷ୍ଟରେ ପାହାଚ ସବୁ ଚଢି ଚଢି ଚାଲି ଆସିଥିଲେ, ଯଦିଓ ମନ ଭିତରେ ବହୁ ଦିନରୁ ବୋହୂ ଲିତାର ସର୍ଜିତ ବଗିଚାଟି ଦେଖିବାର ଲାଳସାଟା ମଧ୍ୟ ରହି ଯାଇଥିଲା, ଯାହାକୁ ସେ ନିଜର ଆର୍ଥ୍ରାଇଟିସ ରୋଗର ବାହାନା କରି ଏତେ ଦିନ ପର୍ଯ୍ୟନ୍ତ ଆଡେଇ ଆସିଥିଲେ ! 

      ଛାତ ଉପରକୁ ଉଠି ଆସି କ୍ଷଣେ ରହିଯାଇଥିଲେ ! ଆଖି ପୁରାଇ ଭଲ କରି ଥରେ ଚାରିଆଡକୁ ଦେଖି ଦେଇଥିଲେ, ନିଜ ଆଖିକୁ ପ୍ରଥମେ ବିଶ୍ୱାସ କରି ପାରିନଥିଲେ ! ଏତେ ପାଠ ପଢିଥିବା ଝିଅଟିର ହାତରେ ଏମିତି ଜାଦୁ ଥିବ ଯେମିତି ଭାବି ପାରିନଥିଲେ ! ଏତେ ବଡ଼ ଛାତଟିକୁ ଶୃଙ୍ଖଳିତ ସୁନ୍ଦର ବଗିଚାଟିଏର ନିଖୁଣ ଆକାର ଦେଇଦେଇଥିଲା ! ବୋନସାଇ ଫଳ ଗଛଗୁଡିକ ସହିତ ପ୍ରାୟ ସବୁ ପ୍ରକାର ପନି ପରିବା ଓ ଫୁଲ ଗଛର କୁଣ୍ଡ ଗୁଡିକରେ ସଜ୍ଜିତ ବଗିଚାଟି ସତେ ଯେମିତି ହସି ହସି ତାଙ୍କୁ ସ୍ୱାଗତ କରୁଥିଲା ! ଏତେଦିନ ପରେ ମୁକ୍ତ ବାୟୁ ସାଙ୍ଗରେ ଫୁଲ, ଫଳ ଓ ପନି ପରିବାର ବାସ୍ନା ସବୁ ଯେମିତି ତାଙ୍କୁ ନୂଆ ଜୀବନ ଦେଇ ଦେଉଥିଲା ! ଝିଅର ଅନେକ ଦିନରୁ ବୁଝାଉଥିବା କଥାଗୁଡିକ ଯେମିତି ବୁଝିପାରୁଥିଲେ ! ସତରେ ଏତେଦିନ ପର୍ଯ୍ୟନ୍ତ ସେ ଏସବୁ ଠାରୁ ଦୂରରେ କାହିଁକି ରହିଥିଲେ, ନିଜେ ବି ଠିକ୍ କରି ଜାଣିପାରୁନଥିଲେ ! ସାମାନ୍ୟ ଜିଦ୍ଦି, ନା ଅସନ୍ତୋଷ ! ନିଜର ପ୍ରଶ୍ନରେ ନିଜେ ଯେମିତି ଛନ୍ଦି ହୋଇ ପଡୁଥିଲେ ! 

   ଡାଲାଟିକୁ ଧରି ପ୍ରଥମେ କୋଉଠୁ ତୋଳିବା ଆରମ୍ଭ କରିବେ ଭାବି କିଛି ସମୟ ଚୁପଚାପ ଛିଡା ହୋଇ ଯାଇଥିଲେ । ଫୁଲଗୁଡିକ ଦେଖି, ଠାକୁର ପୂଜା ପାଇଁ ନେଇଯିବାର ଇଚ୍ଛାଟା ଯଦିଓ ପ୍ରବଳ ଥିଲା, ହେଲେ ହାତରେ ଥିବା ଗୋଟିଏ ଡାଲାକୁ ଦେଖି, ପ୍ରଥମେ କିଛି ପରିବା ତୋଳିବାର ନିଶ୍ଚିତ କରିଥିଲେ। ଭେଣ୍ଡି, ବାଇଗଣ, ବିଲାତିତକ ତୋଳୁ ତୋଳୁ ଭାବନାର ଖିଅଟା ତାଙ୍କର କିଛି ବର୍ଷ ତଳକୁ ଚାଲି ଯାଇଥିଲା । ଏଇ ବଗିଚାଟିର ଆରମ୍ଭ କରିବାକୁ ସେଦିନ ଲିତାର ଅନୁମତିକୁ ଯଦିଓ ଅନୁମୋଦନ ଦେଇଥିଲେ, ହେଲେ ନିଜର ଅସନ୍ତୋଷକୁ ଲୁଚାଇ ପାରିନଥିଲେ । ପୁଅ ରିତେଶ ଆଗରେ ନିଜର ଅସନ୍ତୋଷକୁ କଥା ପ୍ରସଙ୍ଗରେ ବାହାର କରିଦେଇଥିଲେ, ଯାହା ଲିତାର କାନରେ ସେଦିନ ପଡିଯାଇଥିଲା । ବାହାଘର ଆରମ୍ଭରୁ ଯଦିଓ ଲିତା ତା'ଶାଶୁଙ୍କର ପସନ୍ଦ ଯୋଗ୍ୟ ନୁହେଁ ବୋଲି ଜାଣିଥିଲା, ତା'ଜାତି ଓ ଶରୀରର ରଙ୍ଗର ଅସନ୍ତୋଷଟାକୁ କିଛି କରି ନପାରିବାରେ ନିଶ୍ଚିତ ଥିଲେ ମଧ୍ୟ ନିଜର ସବୁପ୍ରକାର ବୁଦ୍ଧି ବିବେକ ଖଟାଇ ଦେଇଥିଲା ଶାଶୁ ଶଶୁରଙ୍କର ସ୍ନେହାଶିଷ ଟିକକ ପାଇବା ପାଇଁ ! ନୈଷ୍ଠିକ ବ୍ରାହ୍ମଣ ପରିବାରର ବୋହୁ ହେବା ପାଇଁ ଚାଷି ଘରର ଝିଅ ଲିତାକୁ ଗ୍ରହଣ କରିବାକୁ ଲତିକାଙ୍କୁ ସବୁଠାରୁ ବେଶି ଅସନ୍ତୁଷ୍ଟ ହେବାକୁ ପଡିଥିଲା ! ଯଦିଓ ବାପ ହିସାବରେ ରଜତ ପୁଅର ପସନ୍ଦକୁ ଗ୍ରହଣ କରି ନେଇଥିଲେ, ହେଲେ ଶ୍ୟାମାଙ୍ଗି ଲିତାର ରଙ୍ଗଟି ଯୋଗୁଁ ଯେମିତି ମନ ଭିତରେ କୋଉଠି ଟିକିଏ ଅସନ୍ତୋଷ ରହିଯାଇଥିଲା ! ଲିତା ଘରକୁ ବୋହୁ ହୋଇ ଆସିବାର ଅଳ୍ପ ଦିନ ପରେ, ଛାତ ଉପରଟିରେ ବଗିଚା କରିବାର ପ୍ରସ୍ତାବଟା କିନ୍ତୁ ରଜତ ଖୁସି ଖୁସିରେ ଗ୍ରହଣ କରିନେଇଥିଲେ । ଅବଶ୍ୟ ଜାଣିଥିଲେ ଲତିକାଙ୍କ 'ଚଷା ଘରର ଝିଅ'ର ଆକ୍ଷେପଟା ଲିତାକୁ ଶୁଣିବାକୁ ପଡିପାରେ ! ଏସବୁ ଭାବୁ ଭାବୁ, ଲତିକାଙ୍କର ସେଦିନ ରିତେଶ ଆଗରେ କହୁଥିବା କଥାଟି ବାରମ୍ବାର ମନେ ପଡିଯାଉଥିଲା-'ନୈଷ୍ଠିକ ବ୍ରାହ୍ମଣ ଘରେ ଏଥର ଚାଷ ହେବ, 'ଚାଷୁଣି'ର ଆଖ୍ୟାଟା ପାଇଯିବି ! 'ଯଦିଓ ହସି ହସି ଏତକ ସେଦିନ କହିଦେଇଥିଲେ, ହେଲେ ନିଜର ଅସନ୍ତୋଷ ଓ ଲିତା ପ୍ରତି କଟାକ୍ଷଟା ରିତେଶ ବେଶ୍ ହୃଦୟଙ୍ଗମ କରିପାରିଥିଲା ।

   ପରିବା ଓ ଫୁଲ ତକ ତୋଳିସାରି, ଧୀରେ ଧୀରେ ଲତିକା ଶିଡିରେ ତଳକୁ ଓହ୍ଲାଉଥିଲେ ଆଉ ଭାବନାର ଖିଅଟା ତାଙ୍କର କେତେ କୁଆଡେ ଚାଲିଯାଉଥିଲା । କରୋନା ମହାମାରୀର ଭୟଟା ଯେମିତି ସେଇ ଭାବନା ଭିତରେ ପୁଣି ଗୁଡେଇ ତୁଡେଇ ହୋଇ ଯାଉଥିଲା ! ଝିଅ ଲିଜାର କଥା ଭାବି ଭାବି ଵ୍ୟସ୍ତ ଓ ବିବ୍ରତ ହୋଇ ପଡୁଥିଲେ।ଅଳ୍ପ କେତୋଟି ଘର ଛାଡ଼ି ଝିଅ ତାଙ୍କର ସପରିବାର ରହିଲେ ମଧ୍ୟ, ପରିସ୍ଥିତି ତାଙ୍କୁ କେମିତି ବାନ୍ଧି ପକାଇଛି, ଅନେକ କିଛି କରିବାକୁ ଚାହିଁକି ବି କିଛି କରିପାରୁନାହାନ୍ତି ! ତା'ରି ଫ୍ଲାଟଟି ପାଖରୁ କିଛି ବାଟ ପର୍ଯ୍ୟନ୍ତ, ଏରିଆଟି କଣ୍ଟେନମେଣ୍ଟ ଜୋନ୍ ଘୋଷିତ ହୋଇଯାଇଥିବାରୁ, ଝିଅର ପରିବାର ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଜ୍ୱାଇଁ ତାଙ୍କର ରାଜ୍ୟ ବାହାରେ ଚାକିରୀ କରିଥିବାରୁ, ଶାଶୁ ଶଶୁରଙ୍କୁ ନେଇ ପୁରା ପରିବାରଟିର ଦାୟିତ୍ୱ ଲିଜାକୁ ହିଁ ନେବାକୁ ପଡୁଛି । ତା' ଛଡା ଏଇ କରୋନା କଟକଣାରେ ରୋଗିଣା ଶାଶୁ ଶଶୁରଙ୍କ ଦେଖାଶୁଣା କରିବାକୁ ଯାଇ ଲିଜାକୁ ଅନେକଥର ଯେ ବାପ ଘରର ସାହାଯ୍ୟ ନେବାକୁ ପଡୁଛି, ଏକଥା ମଧ୍ୟ ଲତିକା ଜାଣୁଛନ୍ତି । ସେଦିନ ବି ସେମିତି ବାଧ୍ୟ ହୋଇ ଲିଜାକୁ କିଛି ପରିବା ପଠାଇବାକୁ ଲତିକାଙ୍କୁ କହିବାକୁ ପଡିଥିଲା । ଲତିକା ମଧ୍ୟ ଖୁସି ହୋଇ ବାଡ଼ି ପରିବା କିଛି ପଠାଇବାର ବ୍ୟବସ୍ତା କରିଦେବାକୁ ରାଜି ହୋଇ ଯାଇଥିଲେ । ଜାଣିଥିଲେ, ଛାତ ଉପରୁ ସଜ ପରିବା କିଛି ଦେବାରେ ଅସୁବିଧା ହେବନି, ଯଦିଓ ସବୁପ୍ରକାର କଟକଣାକୁ ମାନି କାହା ହାତରେ ପଠାଇବା ପାଇଁ ବ୍ୟବସ୍ଥା କରିବାରେ କେବଳ ସାମାନ୍ୟ ଅସୁବିଧା ହୋଇ ପାରେ ! ଲତିକାଙ୍କର ଉପରକୁ ଯାଇ ହାତରେ ତୋଳିବାର କୁଣ୍ଠାକୁ ଅନୁଭବ କରିପାରି ଲିତା କାମର ଆଳରେ ରହିଯାଇ ତାଙ୍କୁ ପ୍ରଥମ ଥର ପାଇଁ ଅନୁରୋଧଟିଏ କରିଦେଇଥିଲା, ଯୋଉଥି ପାଇଁ ତାଙ୍କୁ ବାଧ୍ୟ ହୋଇ ଛାତ ଉପରକୁ ଆସିବାକୁ ପଡିଥିଲା ! 

    ଯଦିଓ ଗତ କିଛି ମାସର ଅନୁଭୂତି ଲତିକାଙ୍କର ଅସନ୍ତୋଷ କିଛିଟା ପରିମାଣରେ ଧୋଇ ଦେଇ ସାରିଥିଲା, ହେଲେ ମୁହଁରେ ଲିତାକୁ କିଛି ଜଣାଇ, ତାର ପ୍ରଶଂସା କରିବାର କୁଣ୍ଠା ବୋଧଟା ଯେମିତି ଯାଇନଥିଲା ! 'କରୋନା ମହାମାରୀର ପ୍ରକୋପରୁ ରକ୍ଷା ପାଇବା ପାଇଁ ବାହାରୁ ପରିବା ପତ୍ର ନ କିଣି, ଲିତାର ଛାତ ଉପର ବଗିଚାଟି ପ୍ରାୟ ସବୁ ପ୍ରକାର ପନିପରିବାର ଚାହିଦାଟା ପୂରଣ କରିଦେବାକୁ ଯେମିତି ସକ୍ଷମ ହୋଇ ଯାଇଥିଲା ! ଲିତାର ବଗିଚାଟିର ଯତ୍ନ ନେବାର ଆପ୍ରାଣ ଚେଷ୍ଟାକୁ ମଧ୍ୟ ଲତିକା ମର୍ମେ ମର୍ମେ ଅନୁଭବ କରିପାରିଥିଲେ । ଚାକିରୀରେ ବ୍ୟସ୍ତ ରହୁଥିବା ଲିତା କିନ୍ତୁ ଯଥେଷ୍ଟ ସମୟ ପାଇପାରିଥିଲା, ଲାକଡାଉନ୍ ଯୋଗୁଁ, ଘରୁ ଅଫିସ କାମ କରି, ପରିବାରର ଯତ୍ନ ସାଙ୍ଗକୁ ଛାତ ଉପରେ ସର୍ଜିତ ବଗିଚାଟିର ମଧ୍ୟ ଠିକ ଭାବରେ ଯତ୍ନ ନେଇପାରିଥିଲା । ବଗିଚା କାମରେ ରୁଚି ରଖି ଥିବା ଲିତାର ଏତେ ବର୍ଷର ପରିଶ୍ରମ ଯେମିତି ସାର୍ଥକ ହୋଇଯାଇଥିଲା ! 

    ଲିଜା ଘରକୁ ପଠାଇବାପାଇଁ ପରିବା ବ୍ୟାଗଟି ସଜାଡୁ ସଜାଡୁ, ଲତିକା ସାମାନ୍ୟ ଅନ୍ୟମନସ୍କ ହୋଇଯାଇଥିଲେ, ହଠାତ ନିଜ କାନ୍ଧରେ ଲିତା ହାତର ସ୍ପର୍ଶରେ ପ୍ରକୃତିସ୍ଥ ହୋଇଥିଲେ । ପାଖରେ ଠିଆ ହୋଇଥିଲା ଲିତା, ହାତରେ ଥିଲା ତାର ଗୋଟିଏ ପ୍ଲାଷ୍ଟିକ ଡାଲା, ଯୋଉଥିରେ ଗୋଛାଏ ଶାଗ, କାଗେଜି ଲେମ୍ବୁ କେତୋଟି ଓ କିଛି କଞ୍ଚା ଲଙ୍କା । କିଛି କହିବାପୁର୍ବରୁ ଲିତା କହିଉଠିଥିଲା-ବୋଉ, ଏତକ ମୁଁ ସକାଳୁ ନେଇ ଆସିଥିଲି ଛାତ ଉପରୁ, ଘର ପାଇଁ କିଛି ରଖିଛି, ଆଉ ଏତକ ଲିଜା ଅପାଙ୍କ ଘରକୁ ପଠାଇଦେବେ । ଆପଣ ଏସବୁ ଆଣିନାହାନ୍ତି, ଅପାଙ୍କର ଦରକାର ଥିବ । ଲତିକା କିଛି କହିବାକୁ ଯାଉଥିବା ଦେଖି ଲିତା ସଙ୍ଗେ ସଙ୍ଗେ କହିପକାଇଲା–କଞ୍ଚା ଲଙ୍କା ଦିଅନ୍ତିନି, ସେଥିପାଇଁ ଛୋଟ ପୁଡ଼ିଆ ଟିରେ ଟିକେ ଗୁଡ଼ ମୁଁ ସେ ଲଙ୍କା ସାଙ୍ଗରେ ରଖି ଦେଇଛି, ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ । ଅପାଙ୍କୁ ପଚାରି ଯଦି କହିବେ କିଛି ପୂଜା ପାଇଁ ଫୁଲ ମଧ୍ୟ ପଠାଇ ଦିଅନ୍ତୁ । ଲିତାର କଥା ଶୁଣି, ଲତିକାଙ୍କର ଖୁସି ଓ କିଛିଟା ଗ୍ଲାନିରେ ଯେମିତି କଣ୍ଠରୋଧ ହୋଇ ଯାଉଥିଲା ! ଏତେ ଟିକିନିଖି କରି ସିଏ ମଧ୍ୟ ମନେପକାଇ ପାରିନଥିଲେ, ହେଲେ ତାଙ୍କ ପାଖରୁ କେବେ ଆତ୍ମୀୟତା ନ ପାଇଥିବା ଝିଅଟି ଯେ ତାଙ୍କ ପରିବାର ସଙ୍ଗେ ସଙ୍ଗେ ତାଙ୍କ ଝିଅ ପରିବାରର ଛୋଟ ଛୋଟ ଆବଶ୍ୟକତାକୁ ମଧ୍ୟ ମନେ ପକାଇ ପାରୁଛି, ଏକଥା ଭାବି ଭାବି ନିଜକୁ ଧିକ୍କାର କରିବାକୁ ଲାଗିଥିଲେ, ନଇଁପଡ଼ି ବ୍ୟାଗ ଟିରେ ପରିବା ରଖୁଥିବା ଲିତାର ମୁଣ୍ଡ ଉପରକୁ ହାତ ତାଙ୍କର ମନକୁ ମନ ଚାଲିଯାଇଥିଲା ! ତା'ମୁଣ୍ଡରେ ଆଶୀର୍ବାଦର ହାତ ବୁଲାଇ ଆଣୁ ଆଣୁ ଆଖିରେ ଆଖିଏ ଲୁହ ତାଙ୍କର ଆସିଯାଇଥିଲା । ସତେ ଯେମିତି ଲିତା କେଉଁ କାଳରୁ ଏଇ ଟିକକ ପାଇଁ ତରସିକି ରହିଥିଲା, ଲତିକାଙ୍କ ହାତଟିକୁ ଧରି ପକାଇ ଜୋରରେ ତାଙ୍କୁ କୁଣ୍ଢେଇ ପକାଇଥିଲା, ଆଉ ଉଭୟେ କେହି କାହାକୁ କିଛି ନ କହିଲେ ମଧ୍ୟ, ପରସ୍ପରର ହୃଦୟର କଥା ଅନୁଭବ କରିପାରୁଥିଲେ, ସତେ ଯେମିତି ସବୁ ଅଭିମାନ, ଅସନ୍ତୋଷ ସେ ଲୁହରେ ଧୋଇ ହୋଇ ଯାଇଥିଲା ! 

  ଅନ୍ୟ ରୁମରେ ହଠାତ ଲ୍ୟାଣ୍ଡଲାଇନଟି ବାଜି ଉଠିଥିଲା ଓ ଲତିକା ଫୋନଟିକୁ ଉଠାଇବାକୁ ଚାଲି ଯାଇଥିଲେ । ଅନ୍ୟପଟୁ ପାଖ ପଡୋଶୀଙ୍କର ସ୍ୱର ଭାସି ଆସିଥିଲା-ତୁମେ ଭାଗ୍ୟବାନ ଲତିକା, ଲକ୍ଷ୍ମୀ ପରି ବୋହୁଟିଏ ପାଇଛ । ଏଇ ଲକ୍ ଡାଉନ୍, ସଟ୍ ଡାଉନ୍ ବେଳେ ତୁମମାନଙ୍କର କେତେ ଯତ୍ନ ନେଉଛି, ତା'ଛଡା ତୁମ ଛାତ ଉପର ବଗିଚାଟି ତ ତୁମର ସବୁ ପ୍ରକାର ପରିବାପତ୍ରର ଆବଶ୍ୟକତା ପୂରଣ କରିଦେଉଛି ! ଆମେ ଦେଖୁନ, ପରିବା ଟିକେ ପାଇଁ କେତେ ହଇରାଣ ହେଉଛୁ, କେତେ ଡରି ଡରି ଧୋଇ ଧୋଇ ଜୀବନ ଅଧା ହେଉଛି ! ଲତିକାଙ୍କର ମନେପଡିଯାଇଥିଲା ସେଇ ପଡୋଶୀଙ୍କର କିଛି ବର୍ଷ ତଳର କଥାଗୁଡିକ । ଲିତାକୁ ବୋହୁ ବେଶରେ ସେଦିନ ଦେଖି ମୁହଁ ବୁଲାଇ ତାଙ୍କ ଅନ୍ୟ ପଡୋଶୀଙ୍କ ଆଗରେ କହିଚାଲିଥିଲେ-ଦେଖୁନ, କେମିତି ରାଜାପୁଅ ଭଳି ରିତେଶକୁ ଏମିତି କାଳୀ ଚଷା ଘର ଝିଅଟିଏ ହାତରେ ଛନ୍ଦି ଦେଲେ ! ସେଦିନ ଲତିକାଙ୍କର ମନ ଭିତରଟା ସେତକ ଶୁଣି ବିଷେଇ ଯାଇଥିଲା, ନିଜର ଅସନ୍ତୋଷଟା ଯେମିତି କେଇଗୁଣ ବଢି ଯାଇଥିଲା ! ହେଲେ, ଆଜି ସେସବୁ ମନେ ପଡି ମୁହଁରେ ସରୁ ହସଟିଏ ଖେଳେଇ ଯାଇଥିଲା, ଯୋଉଥିରେ ଅସନ୍ତୋଷର ଚିହ୍ନଟିଏ ବି ନ ଥିଲା ! ! ଫୋନଟିକୁ ରଖିଦେଇ ଉଠିଯାଇଥିଲେ ପରିବା ବ୍ୟାଗଟି ଲିଜା ଘରକୁ ପଠାଇବାର ବ୍ୟବସ୍ଥା କରିବାକୁ...



Rate this content
Log in

Similar oriya story from Inspirational