Kanan Bala Nayak

Tragedy

3  

Kanan Bala Nayak

Tragedy

ଛାଇ

ଛାଇ

4 mins
201



     ଆଜି ବଣକୁ ନଗଲେ ହବନି।ଦେଖୁନୁ ବାହାରେ କେମିତି ଟାଇଁ ଟାଇଁ ଖରା ହେଉଛି।ଏଇ ଖରାଟାରେ କେମିତି ବଣକୁ ଯିବୁ କହିଲୁ। ରାସ୍ତା କଡ଼ରେ ଯେଉଁ ଝଙ୍କାଳିଆ ଗଛ ସବୁ ଥିଲା, ସବୁ ତ ରାସ୍ତା ଚଉଡ଼ା ହେବା ନାଁରେ ବଳି ଚଢ଼ିଗଲା।ଆଗରୁ ମୁଣ୍ଡରେ କାଠ ବୋଝ ମୁଣ୍ଡାଇ ବଣରୁ ଫେରିବା ବେଳେ, ରାସ୍ତା କଡ଼ରେ ଥିବା ଗଛ ତଳେ ବସି ଟିକେ ବିଶ୍ରାମ ନେଇ ଯାଉଥିଲୁ।ହେଲେ ଏବେ କଣ କରିବୁ କହିଲୁ?ସ୍ବାମୀ ରତିଆକୁ ପ୍ରଶ୍ନ କରୁଥିଲା ସ୍ତ୍ରୀ ସୁମି।


   ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାର ଇନ୍ଦପାହୀ ଗାଁର ବାସିନ୍ଦା ରତିକାନ୍ତ ଓରଫ୍ ରତିଆ। ଘରେ ପାଞ୍ଚ ପ୍ରାଣୀ କୁଟୁମ୍ବ । ସ୍ତ୍ରୀ ସୁମିତ୍ରା ଓରଫ୍ ସୁମି, ଦୁଇ ଝିଅ ଓ ଗୋଟେ ପୁଅ।ଜାତିରେ ଖଡିଆ। ଘର ବୋଲି କହିଲେ ବାପ ଜେଜେ ଅମଳର ଝାଟି ମାଟି ନଡା ଛପର‌ ଘର ଟିଏ। ଏତେ ପର୍ଯ୍ୟନ୍ତ ସବୁ ସରକାରୀ ଯୋଜନାରୁ ବଞ୍ଚିତ।ସରକାରୀ ବାବୁ ମାନେ ଆସି କଣ ସବୁ ଲେଖା ଲେଖି କରି ନେଇ ଯାଇଛନ୍ତି।ହେଲେ ଏ ପର୍ଯ୍ୟନ୍ତ କିଛି ସୁବିଧା ତାକୁ ମିଳିନି। 


     ଜଙ୍ଗଲରୁ ଶୁଖିଲା କାଠ, ପତ୍ର ଓ ଅନ୍ୟାନ୍ୟ ଜଙ୍ଗଲ ଜାତ ଦ୍ରବ୍ଯ ସଂଗ୍ରହ କରି ତାକୁ ବିକ୍ରି କରି ପରିବାର ଚଳାଏ।ତେଣୁ ଦିନେ ବଣକୁ ନଗଲେ ଆର ଦିନ ଚଳିବାକୁ କଷ୍ଟ ହୋଇପଡ଼େ।ଗଲା ବର୍ଷ ପର୍ଯ୍ୟନ୍ତ ସବୁ କିଛି ଠିକ୍ ଠାକ୍ ଥିଲା।ହେଲେ ଏ ବର୍ଷ ରାସ୍ତା ଓସାରିଆ କରିବେ ବୋଲି ସହରୀ ବାବୁମାନେ ଆସି ତାଙ୍କ ଗାଁରୁ ସହରକୁ ଓ ଜଙ୍ଗଲକୁ ଯାଇଥିବା ରାସ୍ତା କଡ଼ର ସବୁ ଗଛକୁ କାଟି ଦେଇଛନ୍ତି। କାହିଁ କେତେ ବର୍ଷର ପୁରୁଣା ଗଛ ସବୁକୁ ତାଙ୍କ ଆଖି ଆଗରେ ଇଲେକ୍ଟ୍ରି କରତରେ କାଟି ତଳେ ପକାଇ ଦେଲେ।


    ରତିଆ ସହ ଅନ୍ୟ ଗ୍ରାମବାସୀମାନେ ଗଛ ଗୁଡ଼ିକୁ ନ କାଟିବା ପାଇଁ ବହୁତ ନେହୁରା ହୋଇଥିଲେ ।ଗଛ ଗୁଡ଼ିକ କାଟି ଦେଲେ ଖରା ସମୟରେ ସେମାନେ କେଉଁଠି ବିଶ୍ରାମ ନେବେ, ସେ କଥା ପଚାରି ଥିଲେ।ହେଲେ ସହରୀ ବାବୁ ମାନେ କିଛି ଶୁଣି ନଥିଲେ।କହିଥିଲେ ଗଛ କଟା ହେଲା ପରେ ସରକାରଙ୍କ ତରଫରୁ ତୁମମାନଙ୍କ ପାଇଁ ରାସ୍ତା କଡ଼ରେ ବିଶ୍ରାମ ପାଇଁ ବିଶ୍ରାମସ୍ଥଳୀ ତିଆରି ହେବ।ଗଛ ସବୁ‌ କଟା ହେବାର ବର୍ଷେ ହେଲାଣି। ହେଲେ ବିଶ୍ରାମସ୍ଥଳୀ ନିର୍ମାଣ ହେବାତ ଦୂରର କଥା ତାର ନାଁ ଗନ୍ଧ ବି ନାହିଁ।କି ସେ ସହରୀ ବାବୁମାନଙ୍କର ଆଉ ଦେଖା ଦର୍ଶନ ‌ ମଧ୍ୟ ନାହିଁ।


    ସେଇଥିପାଇଁ ଏଥର ବଣରୁ ଫେରିବା ବେଳକୁ ଗାଁ ଲୋକମାନେ, ଗରମ ଯୋଗୁଁ ନାହିଁ ନ ଥିବା ଅସୁବିଧା ଭୋଗ କରୁଛନ୍ତି।ତଥାପି ଜଙ୍ଗଲକୁ ନ ଗଲେ ତ ହେବନି।ତାଙ୍କ ପରିବାର ଚଳିବ କେମିତି?ପିଲା ଛୁଆ ଖାଇବେ କଣ?ତେଣୁ ବଡ଼ି ଭୋରରୁ ଉଠି ଗଣ୍ଡେ ପଖାଳ ପାଟିରେ ଦେଇ ତୁରାଣି ମୁନ୍ଦେ ପିଇ ବଣକୁ ବାହାରି ଯାଆନ୍ତି ଗାଁ ଲୋକେ।ଆଉ ଦିନ ହେବା ପୂର୍ବରୁ ଫେରି ଆସନ୍ତି।ହେଲେ ଏଇ କେତେ ଦିନ ହେବ ସୂରୁଜ ଦେବତାର ପ୍ରକୋପ ଟା ଏତେ ବଢି ଯାଇଛି ଯେ, ଯେତେ ସକାଳୁ ବାହାରିଲେ ମଧ୍ୟ କାଠ ନେଇ ଫେରିବା ବେଳକୁ ଦିହ ମୁଣ୍ଡ ଝାଇଁ ଝାଇଁ ହୋଇ ଯାଉଛି।ସେଇଥିରେ ପୁଅଟାକୁ ଚାରିଦିନ ହେଲାଣି ଜ୍ବର।  


     ଗାଁ ଡାକ୍ତରଖାନାରୁ ଔଷଧ ଆଣିଥିଲା ଯେ କିଛି କାମ ଦେଉନି।ତେଣୁ ବଣରୁ ଫେରି ସହର ଯାଇ ଭଲ ଡାକ୍ତରକୁ ଦେଖାଇବ।ଗୋଟିଏ ବୋଲି ପୁଅ।ଏଇଆ ଭାବି ରତିଆ ସୁମିକୁ କହିଲା ପଖାଳ ଗଣ୍ଡେ ବାଢି ଦେ ଚଞ୍ଚଳ ଖାଇ ଦେଇ ବଣକୁ ବାହାରି ଯାଏ । ଶୀଘ୍ର ଫେରିଲେ ପୁଅକୁ ସହରୀ ଡାକ୍ତର ପାଖକୁ ନେଇ ଯିବି।ବିଶୁଆ ଦାଦା ବାହାରି ସାରିଲାଣି।ତୁ ଆଉ ମୋତେ ଆକଟ କରନା।ପିଲାଟା ଦେହ ପରା ତାତି କି ଖଇ ଫୁଟୁଛି।ଭଲ ଔଷଧ ଟିକେ ନ ଆଣିଲେ କିମିତି ହେବ କହିଲୁ?ଏତିକି କହି ସୁମିର ଆକଟ ନ ମାନି ବିଶୁଆ ଦାଦା ସହ ବଣକୁ ଚାଲିଗଲା ରତିଆ।ଏତେ ବେଳ ହେଲାଣି ସୂରୁଜ ଦେବତା ମୁଣ୍ଡ ଉପରୁ ଢଳି ଗଲେଣି।ହେଲେ ରତିଆ ବଣରୁ ଲେଉଟୁନି କାହିଁକି?


       ଶୀଘ୍ର ଆସିଲେ ପୁଅକୁ ସହରୀ ଡାକ୍ତର ପାଖକୁ ନେବ କହିଥିଲା।ସୁମିର ମନଟା ଆଉଟୁ ପାଉଟୁ ହେଲା।କିଛି ଅଘଟଣ ଘଟିନି ତ ଆଉ?ଡାହାଣ ଆଖିଟା ବି ଫରକୁଛି। ସୁମି ତା ବଡ଼ ଝିଅକୁ କହିଲା ଟିକେ ତୋ ଭାଇକୁ ଦେଖୁଥା। ମୁଁ ଟିକେ ବିଶୁଆ ଦାଦା ଘରକୁ ଯାଇ ଦେଖେ ସେ ଲେଉଟିଲାଣି ନାଁ ନାହିଁ?ଏତେ ବେଳ ହେଲାଣି, ତୋ ଵା କାହିଁକି ଫେରୁନି ଟିକେ ବୁଝେ।ଠିକ୍ ସେଇ ସମୟରେ ବିଶୁଆ ଦାଦା କୁ ତା ଘର ଆଡ଼କୁ ଦଉଡ଼ି ଦଉଡ଼ି ଆସୁଥିବା ର ଦେଖି ସୁମି କହିଲା ଦାଦା ତୁ ଏକା ଆଇଲୁ ରତିଆ କାଇଁ?କଣ ହେଇଛି ତାର ? କିଛି ଅଘଟଣ ଘଟିନି ତ?


   ବିଶୁଆ ଦାଦା କହିଲା ତୁ ଟିକେ ଖର ବାହାରି ପଡ।ମୋ ପୁଅ ସନିଆ ସାଇକେଲ ନେଇ ଆସୁଛି।ଡାକ୍ତରଖାନା ଯିବା।ସୁମି କହିଲା ଦାଦା କିସ‌ ହେଇଛି କହ?ମୋ ରତିଆ ଦିହରେ ପ୍ରାଣ ଅଛି ତ?ଵିଶୁଆ ଦାଦା କହିଲା ଜଙ୍ଗଲ ମହାପ୍ରୁକୁ ଧନ୍ୟବାଦ୍ ଦେ। ରତିଆ ଦେହରେ ପ୍ରାଣ ଅଛି।ଖାଲି ଚେତା ଚାଲି ଯାଇଥିଲା ଯାହା। ବଣରୁ କାଠ ନେଇ ଲେଉଟିବା ବେଳକୁ ହଠାତ୍ ରତିଆ କହିଲା ତା ଦିହଟା କେନେ ଝିମ୍ ଝିମ୍ ହେଉଛି।ଟିକେ ଛାଇରେ ବସିବୁ ବୋଲି କେତେ ଖୁଜିଲୁ।ହେଲେ ଗଛ ଗୁଟେ ପାଇଲୁ ନାହିଁ।ଗଛ ତ ସବୁ କଟା ସରିଛି। ମୁଇଁ ରତିଆକୁ କହିନି ଟିକେ ଖର ଖର ପାଦ ପକା। ଗାଁ ଦୁଶିଲାଣି ପରା।ହେଲେ ଦୁଇ ଭୁଡା ଚାଲିଛି କି‌ ନାଇଁ,ସେଇଠି ଚେତା ହରେଇ ପଡ଼ିଗଲା।


     ସେଇ ସମୟରେ ଆମ ଗାଁ ର ଆଉ ଦୁଇ ଟା ଲୋକ ସେଇ ରାସ୍ତାରେ ଆସୁଥିଲେ। ତାଙ୍କୁ ଡ଼ାକି ରତିଆକୁ ଗାଁ ଡାକ୍ତରଖାନାରେ ଭର୍ତ୍ତି କରି ଦେଇ, ତୋତେ ଖବର ଦେବାକୁ ଆଇଛି। ଡାକ୍ତର କହୁଛି ବେଶୀ ଖରାରୁ ରତିଆକୁ ଅଂଶୁଘାତ ହେଇଛି।ଆଉ ଏତେ ଖରାରେ ଜଙ୍ଗଲକୁ କେନେ ଗଲ ବୋଲି କହି ଗାଳି ଦେଉଛି।ସେ କିସ ଜାଣିଛି ଜଙ୍ଗଲ କୁ ନ ଗନେ ଆମ ଚୁଲିରେ ଭାତ ହାଣ୍ଡି ବସିବନି ବୋଲି।ବରଷ ବରଷ ଧରି ଆମେ ତ ପୁଣି ଜଙ୍ଗଲ କୁ ଯାଉଥିଲୁ। କାଇଁ କିଛି ତ ହଉ ନଥିଲା।ଏଇ ବର୍ଷ ଗଛ କାଟି ଦେଇଛନ୍ତି ବୋଲି ଏମିତି ହେଲା ।ଆମେ ଯଦି ଟିକେ ଛାଇ ପାଇ ଥାଆନ୍ତୁ ଏମିତି କାହିଁକି ହୋଇ ଥାଆନ୍ତା କହିଲୁ?ତୁ ଆଉ ଡେରି କରନା ଶୀଘ୍ର ବାହାର ।


    ସବୁ କଥା ଶୁଣି ସୁମି ହାତ ଯୋଡ଼ି ଜଙ୍ଗଲ ମହାପ୍ରୁକୁ ଜୁହାର ହୋଇ କହିଲା ତୋତେ କୋଟି କୋଟି ଜୁହାର ଜଙ୍ଗଲ ମହାପ୍ରୁ ତୁ ମୋ ରତିଆର ପ୍ରାଣ ରଖି ଦେଇଛୁ।ଆଉ ସନିଆ ସାଇକେଲ ପଛରେ ବସି ରତିଆ ପାଖକୁ ଡାକ୍ତରଖାନା ଅଭିମୁଖେ ବାହାରି ଯାଇଥିଲା।


Rate this content
Log in

Similar oriya story from Tragedy