Nityananda Nandi

Classics Inspirational

4  

Nityananda Nandi

Classics Inspirational

ଛାଡ଼ପତ୍ର

ଛାଡ଼ପତ୍ର

6 mins
323



କାମବାଲି ରଞ୍ଜିତା କପେ ନାଲି ଚା ଟିପୟ ଉପରେ ରଖୁ ରଖୁ କହିଲା, ମଉସା ! ଖବର କାଗଜ ଓଲଟା ଧରି ପଢୁଛ କେମିତି !

ମୁଁ ତାକୁ ଦେଖି ହସି ଦେଲି, କେମିତି କହି ଥାଆନ୍ତି ମୁଁ ଅନ୍ୟ ମନସ୍କ  ଅଛି। ବୋହୂ ଛାଡପତ୍ର ନୋଟିସ ପଠେଇଛି ପୁଅ ପାଖକୁ। ଖାଲି ଅନ୍ୟ ମନସ୍କ ନ ଥିଲି, ବିବ୍ରତ ମଧ୍ୟ ଥିଲି ମୁଁ। ଦୁଇ ବର୍ଷ ଆଗରୁ ବାହାଘର, ଝରଣାଙ୍କ ପକ୍ଷପାତ ରୋଗ , ତା ପରେ ବୋହୂମାଙ୍କ ଛାଡ ପତ୍ର ନିଷ୍ପତ୍ତି, କାହିଁକି କେଜାଣି ମୋ ପାଦ ତଳ ଭୂଇଁ ଅତଡା ଖାଇବା ପରି ଖସି ଯାଉଥାଏ ଆହୁରି ତଳକୁ। ରଚକାଏ ପବନ ଆସିଲା କୋଉଠୁ କେଜାଣି, ତାଳ ବରଡା ର ରୁକ୍ଷ ଶବ୍ଦ ଆସି ମୋ କର୍ଣ୍ଣ ଗହ୍ୱରକୁ ଧକ୍କା ଦେଲା । ଝାପସା ଝାପସା ମନେ ପଡ଼ୁଥିଲା ମୋ ଜୀବନର ଗଳ୍ପ ସବୁ।


ପୁଅ ପଙ୍କଜ୍, ବୋହୂ ପଙ୍କଜା। କାହା ସହିତ ପ୍ରଥମେ କଥା ହେବି , କଣ କଥା ହେବି ଭାବି ପାରୁ ନ ଥାଏ। ସେମାନେ କଣ ଛୋଟ ପିଲା ଯେ କହିଲେ ବୁଝିବେ। ଫୋନ ଲାଗିଲା ବେଳକୁ ରଞ୍ଜିତା କହିଲା, ମଉସା କବାଟ ଲଗେଇ ଦିଅ। ଅନ୍ୟମନସ୍କ ହେଇ ଫୋନ କାଟି ଦେଲି। କବାଟ ବନ୍ଦ କରି ଆସିଲା ବେଳକୁ ଫୋନ ବାଜିଲା। କାହାକୁ ଫୋନ ଲଗେଇ ଥିଲି ମନେ ନାହିଁ।ବୋଧେ ପୁଅକୁ !!! ସେ ହିଁ ଫୋନ କରିଛି ବୋଧେ।


ଫୋନ ଉଠେଇ କହିଲି, ତୁ ଆଜି କିଛି କହିବୁ ନାହିଁ, ମୁଁ କହିବି, ତୋତେ ଶୁଣିବାକୁ ହେବ ..


ବାହାଘର ପରେ ତୋ ବୋଉକୁ ନେଇ ମୁଁ ରାଜସ୍ଥାନ ଯାଇଥିଲି ବୁଲିବାକୁ। ଭାରି ଜିଦ୍ କଲା ସେ ଓଟ ଉପରେ ବସିବ। ମୁଁ ରାଗିଲି। ଆଖିରେ ଲୁହ ଦେଖି ମୋତେ ଭାରି ଦୟା ହେଲା ତା ଉପରେ। ଓଟ ଦୁଇ ଚାରିପାଦ ଯାଇଛି କି ନାହିଁ ତୋ ବୋଉ ଖସି ପଡିଲା ଓଟ ପିଠି ଉପରୁ, ସିଧା ତଳକୁ। ମୁହଁ ମାଡି ଭୂଇଁରେ ପଡିଲା ତୋ ବୋଉ..। ଭର୍ତ୍ସନା କରି କରି କହିଲି, ଇଚ୍ଛା ହେଉଛି ଘରକୁ ଫେରି ଛାଡପତ୍ର ଦେଇ ଦେବାକୁ। ଏତେ କଷ୍ଟ ପାଉଥିଲା ଯେ ଗାଳି ଦେବାକୁ ଇଚ୍ଛା ଥାଇ କି ବି କିଛି କହି ପାରିଲି ନାହିଁ। ରାଜସ୍ଥାନ ବୁଲା ଠପ୍। ହୋଟେଲ ରୁମ ଭିତରେ ସେବା ଶୁଶ୍ରୁଷା କଲି ତୋ ବୋଉର। ପାଞ୍ଚ ସାତ ଦିନ ଭିତରେ ସେ ତା ହୃଦୟ ଏମିତି ଦେଇ ବସିଲା ଯେ ମୁଁ ବି ତା ସହିତ ବାନ୍ଧି ହେଇଗଲି କାହିଁକି କେଜାଣି। ରାଜସ୍ଥାନରୁ ଫେରିବା ବେଳେ ସେ ମୋତେ ପଚାରିଲା ସତରେ କଣ ତୁମେ ମୋତେ ଛାଡ଼ପତ୍ର ଦେଇଦେବ। ମୋ ଆଖିରୁ ଦୁଇ ଟୋପା ଲୁହ ବହି ଆସିଲା। ସେ ମୋ ଆଖିରୁ ଲୁହ ପୋଛି ଦେଲା, ମୁଁ ହସିଦେଲି। ଜହ୍ନରେ ବି ଦାଗ ଥାଏ ପଙ୍କଜ୍ !! ସେଇଥି ପାଇଁ ବୋଧେ ସୁନ୍ଦର ଲାଗେ ଜହ୍ନଟା। ଦାଗ ନ ଥିବା ସୂର୍ଯ୍ୟର ଗର୍ବ ବି ସେମିତି। ନା ଦେଖିହୁଏ ନା ଦେଖିବାକୁ ଇଛା ହୁଏ ସୂର୍ଯ୍ୟକୁ। କେହି ସମ୍ପୂର୍ଣ୍ଣ ନୁହଁନ୍ତି, ତୋ ବୋଉର ଅସମ୍ପୂର୍ଣ୍ଣତା ଭିତରେ ସୌନ୍ଦର୍ଯ୍ୟର ଯେମିତି ଝଲକ ଥିଲା, ବର୍ଷା ଭିଜା ମାଟି ପରି ସେତିକି ମହକ ଥିଲା ତା ଭିତରେ। 


ତୋ ବାହାଘର ପରେ କାହିଁକି କେଜାଣି, ଜ୍ଞାନ ହରେଇ ବସିଲା ତୋ ବୋଉ। ଦୁଇ ବର୍ଷ ହେଲାଣି କଣ୍ଢେଇ ପରି ବସି ରହିଛି, ନା କିଛି ମନେ ଅଛି ନା କିଛି କହି ପାରୁଛି। ଡାକ୍ତର କହୁଥିଲେ ସେ କେବେ ପଡି ଯାଇଥିଲେ କି ! ଓଟ ପିଠିରୁ ପଡି ଯାଇଥିଲା ବୋଲି କହି ବାକୁ ଭାରି ଲାଜ ଲାଗିଲା। କାଲି ସେଇ କଥା ତୋ ବୋଉ ଆଗରେ କହୁଥିଲି, କୁଆଡେ ଯଦି ଜ୍ଞାନ ଫେରି ଆସିବ। ମୋ କଥା ଶୁଣି ଖାଲି ହସିଲା, ବାସ୍ । ମସ୍ତିଷ୍କର ସୂକ୍ଷ୍ମ ତନ୍ତୁ ଭିତରେ ଜୀବନର କେତେ ବଡ ଇତିହାସ ଟି ଲୁଚି ରହିଥାଏ। ଅଳ୍ପ ଆଘାତରେ ସବୁ ଶେଷ, କିଛି ମନେ ପଡେନି। ଖାଲି ନିଃଶ୍ୱାସ, ପ୍ରଶ୍ୱାସ ଆଉ ଛୁଇଁ ଦେଲେ ଜୀବନ ଥିଲା ପରି ଲାଗେ। ତୋ ବୋଉ ଏବେ ଯନ୍ତ୍ର ଚାଳିତ ମଣିଷଟିଏ। ଲାଗୁଛି ଯେମିତି ଦିନ ସାରା କଣ୍ଢେଇ ସାଥିରେ ମୁଁ ଖେଳୁଛି। ତମେ ସବୁ ଚାକିରୀ ଜାଗାରେ, ତୋ ବୋଉର ସେବା ମୁଁ କରିବି ନାହିଁ ତ କିଏ କରିବ। ପ୍ରତିଦିନ ସକାଳ ଠୁ ରାତି ପର୍ଯ୍ୟନ୍ତ କଣ ନ କରିଛି ସେ ଆମ ପାଇଁ। ମୋ ପାଇଁ ବାର ବାର ନାଲି ଚା, ତୋ ହୋମ ୱାର୍କ୍, ସ୍କୁଲ ବେଗ ଠୁ ଆରମ୍ଭ କରି ମୋ ଚଷମା ଖୋଜିବା ପର୍ଯ୍ୟନ୍ତ ଏକ ପ୍ରଶସ୍ତ ଗଳ୍ପର ନାୟିକା ହିଁ ତୋ ବୋଉ। ଆଜି ଯାହା କହିଲେ ଖାଲି ହସୁଛି । ସମୟର ହାତ ଧରି ଅବଶିଷ୍ଟ ଦୂରତା କୁ ଅତିକ୍ରମ କରିବାକୁ ହେଲେ ବୋଉର ହାତ ଛାଡି ହେଇ ଯାଉଛି। ତୋ ବୋଉର ହାତ ଧରି ଚାଲିଲେ ସମୟ କଣ ଅପେକ୍ଷା କରିବ !! ଜୀବନର ଅଦ୍ଭୁତ ଏଇ ଦି ଛକି, ମୁଁ କିନ୍ତୁ ତୋ ବୋଉ ସହିତ ହିଁ ଚାଲିବାର ସିଦ୍ଧାନ୍ତ ନେଇଛି, ବାସ୍। 


ଜାଣିଛୁ ! ତୁ ସେତେବେଳେ ଛୋଟ ହେଇଥାଉ। ଶୋଇବା ପୁର୍ବରୁ କିଛି ନା କିଛି ବାହାନା କରି ବହୁତ ଝଗଡା କରେ ତୋ ବୋଉ, ପ୍ରାୟ ସବୁଦିନ। ମୁଁ ବି ନାରାଜ ହେଇ ଶୋଇଯାଏ। ସକାଳୁ ଉଠି ମୁଁ ଆଖି ଖୋଲି ପାରେନି। ଆଖି ରୋଗ ଥିଲା। ନେଞ୍ଜରା ଯୋଗୁଁ ଆଖି ଯୋଡି ହେଇ ଯାଏ, ସବୁଦିନ। ତୋ ବୋଉ ପିନ୍ଧି ଥିବା ଶାଢୀ କାନିକୁ ଧୀରେ ଧୀରେ କରି ଛାପି ଦିଏ ମୋ ଆଖି ଉପରେ। ତା ଶାଢୀ କାନିର ଉଷ୍ମତା ପାଇ ଆଖି ଖୋଲି ହେଇଯାଏ। ଆଖି ଖୋଲି ତୋ ବୋଉକୁ ଦେଖେ, ହସି ଦିଏ। ଯେମିତି କାଲି ରାତିରେ କିଛି ଝଗଡା ହେଇନି। ଖାଇସାରି ସ୍କୁଲ ଯିବାବେଳେ ପ୍ରତିଦିନ ତୋ ବୋଉର କାନିରେ ମୁହଁ ପୋଛିଦିଏ। ମୁହଁ ପୋଛି ବାକୁ ଭୁଲିଗଲେ ତୋ ବୋଉ ମୋ ମୁହଁ ପୋଛି ଦିଏ ତା ଲୁଗା କାନିରେ। ପଙ୍କଜ୍ ! ଗୋଟାଏ ନାରୀର ପଣତ କାନିରେ ଖାଲି ମା ନୁହେଁ କେତେବେଳେ ଭଉଣି ତ କେତେବେଳେ ସ୍ତ୍ରୀ ରୂପରେ ଜଣେ ମହିଳାଙ୍କ ସ୍ନେହ ଶ୍ରଦ୍ଧାର ମହକ ଆସେ। ମହାଭାରତର କୁନ୍ତୀ, ଗାନ୍ଧାରୀଙ୍କଠୁ ଆରମ୍ଭ କରି ସବୁ ମା ମାନଙ୍କ ପଣତ କାନିରେ ଯେତିକି ସ୍ନେହ ଥିଲା, ଠିକ୍ ସେତିକି ଥିଲା ତୋ ବୋଉର ଲୁଗା କାନିରେ । ମଉକା ପାଇଲେ କେତେବେଳେ କେମିତି ତୋ ବୋଉର ହୃଦୟକୁ ମୁଁ ଜିତିନିଏ, ବାସ୍। ନିଜର ହେଇଯାଏ ସେ, ଗାଳି ଗୁଲଜ ମସଲା ପରି ସୁସ୍ୱାଦୁ କରେ ଆମ ସମ୍ପର୍କକୁ। ଅତି ସରଳ ଏ ଜୀବନର ମାନସାଙ୍କ, ଖାଲି ବୁଝିଲେ ହିଁ ହେଲା।  


ପରିଣତ ବୟସରେ ବାପା ଘରକୁ ଯିବା ପୂର୍ବରୁ ତୋ ବୋଉ ଚିନି, ମିଠା ଡବା ଲୁଚେଇ ଦେଇଯାଏ। ମୁଁ ଡାଇବେଟିକ୍। ମିଠା ପାଇଁ ମୋର ଭାରି ଲୋଭ। ତୋ ବୋଉ ଫେରିବା ପରେ ମୁଁ ଚିତ୍କାର କରେ। ଏତେ ଅବିଶ୍ବାସ କାହିଁକି ? ଅନେକ ଗାଳି ଗୁଲଜ କରେ ମୁଁ ତୋ ବୋଉକୁ। କାନ୍ଦ କାନ୍ଦ ହୋଇ ଚିନି ଡବା, ମିଠା ଡବା ମୋ ଆଗରେ ଥୋଇ ଦେଇଯାଏ। ଖାଅ, ଯେତେ ଖାଇବ !!! ବୁଝିଲା ବେଳକୁ ଭିତରେ ଲୁଚି ରହିଥିବା ରହସ୍ୟ ଏତେ ମିଠା ଯେ ମୋତେ ଆଉ ମିଠା ଖାଇବାକୁ ଇଚ୍ଛା ହୁଏନି। ସେ କୁଆଡେ ଚାହୁଁଥିଲା ସୁଗାର କଣ୍ଟ୍ରୋଲ କଲେ ମୁଁ ବେଶି ଦିନ ବଞ୍ଚିବି। ସମ୍ପର୍କର କିଛି ସର୍ତ୍ତ ଭିତରେ ଲୁଚି ରହିଥିବା ସ୍ନେହ ଅତୁଳନୀୟ। ସତରେ କିଛି ଜିନିଷର ଓଜନ ଏତେ ପ୍ରଖର ଯେ ମାପିବା ସମ୍ଭବ ନୁହେଁ।


ଆଜି ତୋ ବୋଉକୁ କହୁଥିଲି, ବୋହୂ ଆମ ପୁଅକୁ ଛାଡପତ୍ର ଦେବାର ଯୋଜନା କରିଛି। ତା କପାଳ ଉପରେ କୁଞ୍ଚନ ଦେଖି ମୁଁ ଆଶ୍ଚର୍ଯ୍ୟ ହେଇଗଲି। ଭାବିଲି, ଜ୍ଞାନ ଫେରି ଆସିଲା ବୋଧେ। ଦେଖିଲା ବେଳକୁ ତୋ ବୋଉ ହସୁଛି। ମୁଁ କଣ କହିଲି କିଛି ବୁଝିନି। ତୋ ପ୍ରେମ ବିବାହର କଥା ଶୁଣି କେତେ ଖୁସି ହେଇଥିଲା ସେଦିନ। ମୁଁ ବିରୋଧ କରିଥିଲି, ତୋ ବୋଉ କଣ କହିଲା ଜାଣିଛୁ। ବିରୋଧ କରନି, ବୋହୂର ଫଟୋ ଦେଖିବା ପରେ ଲାଗୁଛି ଯେମିତି ପଙ୍କଜା, ବୋହୂ ନୁହେଁ, ଆମ ଝିଅ। ବସ୍ତିର ଝିଅ ହେଲେ ବି ପଙ୍କ ରୁ କଣ ପଦ୍ମ ଫୁଟେନି, ସେଇଥି ପାଇଁ ବୋଧେ ଝିଅର ନାଁ ପଙ୍କ ଜା। କାହିଁକି କେଜାଣି ପଙ୍କଜା ଭିତରେ ମୁଁ ମୋର ଜଣେ ଝିଅ କୁ ଆବିଷ୍କାର କରିଥିଲି। ଅନ୍ଧ ଭାବେ ସମୁଦ୍ର ରାସ୍ତାରେ ଯାତ୍ରା ଓ ଆମେରିକା ଆବିଷ୍କାର ପରି ଅଚାନକ ବୋହୂ ରୂପରେ ଝିଅକୁ ପାଇବା ସେତିକି ଖୁସି ଦେଇଥିଲା, ପଙ୍କଜ୍।


ପଙ୍କଜ୍ ! ହଠାତ୍ ବୋହୂ କାହିଁକି ଛାଡପତ୍ର ଦେବାକୁ ଯୋଜନା କଲେ ବୁଝି ପାରୁନି। ତୁ ଯେତେବେଳେ ଘରକୁ ଏକା ଆସୁ, ଏଇଟା ପଙ୍କଜା ବୋଉ ପାଇଁ କିଣିଛି। ସେଇଟା ପଙ୍କଜା ତମ ପାଇଁ କିଣିଛି। ଆମେ ଖୁସି ହେଇଯାଉ। ତେବେ ଏଇ ସବୁ କଣ ମିଛ ଥିଲା....ଆମ ଦୃଷ୍ଟିରେ ପଙ୍କଜା କେତେ ଭଲ ବୋଲି ଜଣେଇବାର ଏକ ବୃଥା ପ୍ରୟାସ ଥିଲା ବୋଧେ...


ପଙ୍କଜ୍ !! ମନେ ଅଛି ନା.. ବାହାଘର ବର୍ଷେ ପରେ ହଠାତ୍ ତୋ ପାଖରୁ ଫୋନ ଆସିଲା। ତୁ କହିଲୁ ବାପା କୋଟିଏ ଟଙ୍କାର ଟର୍ମ ଇନ୍ସୁରାନ୍ସ ନେଇଛି, ପଙ୍କଜାର ଅଜାଣତରେ। ଯଦି କଛି ଆପତ୍ତି ନ ଥାଏ, ପଙ୍କଜାକୁ ନୋମିନି ରଖୁଛି। ଭାବି ନିଅ, ଏଇଟା ମୋ ତରଫରୁ ତା ପାଇଁ ଉପହାରଟିଏ। କେବେ ବି ଜାଣିବନି ସେ। କେତେବେଳେ ଯଦି ମୋର କିଛି ହେଇଯାଏ, ବିଚାରି ପଙ୍କଜାକୁ ସାରା ଜୀବନ ହଇରାଣ ହେବାକୁ ପଡିବ ନାହିଁ। କଣ ଅଭାବ ଥିଲା ଯେ ଆମେ ମନା କରି ଥାଆନ୍ତୁ। ତେବେ, ଏତେ ଭଲ ପାଉ ଯେତେବେଳେ ଭୁଲ ବୁଝାମଣାର ପ୍ରଶ୍ନ ଉଠୁଛି କୋଉଠୁ !!


ମନେ ଅଛି ନା, ନାଲି ଟୁକୁ ଟୁକୁ ସାଧବ ବୋହୂ ପରି ପଙ୍କଜା ଯେତେବେଳେ ତା ଘରୁ ପାଦ ବାହାର କରି ଟ୍ୟାକ୍ସି ରେ ବସିଲା, ଲୁହକୁ ଚାପି ରଖିବାର ବୃଥା ପ୍ରୟାସ ପରେ ନିୟନ୍ତ୍ରଣ ହରେଇ ଅଚାନକ ତା ବାପା ଭୋ ଭୋ ହେଇ କାନ୍ଦିଲେ। ତାଙ୍କୁ ମୁଁ କୋଳେଇ ନେଇ କହିଲି, ଆଜିଠୁ ମୁଁ ତା ବାପା। ତମେ ଦୁଃଖ କରନି। କହ ପଙ୍କଜ୍ କେମିତି ମୁଁ ରକ୍ଷା କରିବି ମୋ ପ୍ରତିଶୃତି କୁ। ଝିଅ ପାଇଁ ସଞ୍ଚିତ ସାରା ଜୀବନର ସ୍ନେହ, ମମତା ବିଦାୟୀ ବେଳା ର ଲୁହର ସାନ୍ଦ୍ରତାକୁ କେତେ ବଢେଇ ଦିଏ ଜାଣିଛୁ। ଅଚାନକ ଏକ ସୁମଧୁର ସମ୍ପର୍କରେ ଏତେ ବଡ ଶୂନ୍ୟତା, ତା ବାପା କଣ ସହି ପାରିବେ !!  କହ ପଙ୍କଜ୍, ମୁଁ କଣ କରିବି ???


ବାପା ! ମୁଁ ପଙ୍କଜ ନୁହେଁ ପଙ୍କଜା

ବୋହୂ !

ମୁଁ ତେବେ ଏତେ ପର୍ଯ୍ୟନ୍ତ କାହା ସାଥିରେ କଥା ହେଉଥିଲି। ଜମାରୁ ବ୍ୟସ୍ତ ହୁଅନ୍ତୁ ନାହିଁ ବାପା, ମୁଁ ଛାଡ଼ପତ୍ର ଦେଉନାହିଁ। ଆପଣଙ୍କ ଜୀବନ ଗଳ୍ପ ଆପଣଙ୍କ ମୁହଁରୁ ଶୁଣିବାର ସୌଭାଗ୍ୟ ଅର୍ଜନ କଲି। ତା ପରେ କଣ କାହାକୁ ଛାଡ଼ପତ୍ର ଦେଇ ହୁଏ। ଏତେ ଆଡଜଷ୍ଟ କରିଛନ୍ତି ଆପଣ ମୋ ଶାଶୁଙ୍କ ସାଥିରେ, ମୁଁ କାହିଁକି ପାରିବିନି !! ଏବେ ଖୁସି ତ...

ମୋ ହାତରୁ ଫୋନ୍ ଖସି ପଡିଲା।

ମୁଁ ଯାଇ ଝରଣାଙ୍କୁ କହିଲି, ଆଦୌ ବ୍ୟସ୍ତ ହୁଅନି, ବୋହୂ ଆମ ପୁଅକୁ ଛାଡ଼ପତ୍ର ଦେଉନାହିଁ। କିଛି ନ ବୁଝି ନିର୍ବୋଧ ଶିଶୁଟିଏ ପରି ଖାଲି ହସିଦେଲେ ଝରଣା।


Rate this content
Log in

Similar oriya story from Classics