Bimala Sankar Dash

Inspirational

4  

Bimala Sankar Dash

Inspirational

ଚେନାଏ ହସ

ଚେନାଏ ହସ

5 mins
593



ଘର ଆଗରେ କେହି ଜଣେ ବାବୁ ବାବୁ ବୋଲି ଡାକ ଛାଡୁଥାଏ । ଅମରବାବୁ ବାହାରକୁ ଆସି ଦେଖନ୍ତି ତ ଭିକାରୀ ପରି ଦିଶୁଥିବା ଜଣେ ବୃଦ୍ଧ ଦାଣ୍ଡ ଅଗଣାରେ ଛିଡା ହୋଇଛନ୍ତି । । ଆଖି ଦୁଇଟି ପେଜୁଆ ପେଜୁଆ । ଦେହରେ ମାଂସ ଖଣ୍ଡେ ନାହିଁ । ହାଡ ଉପରେ ଚମଡାଟି ଖାଲି ଢାଙ୍କି ହେଲା ପରି ଦେଖା ଯାଉଛି । ହାତ ଗୋଡ ଖୁବ୍ ଦୁର୍ବଳ ଓ ଥର ଥର । ପେଟ ପିଠି ମିଶିଗଲା ପରି ଲାଗୁଛି ।  


ବୟସ ଆଉ ତାଙ୍କର ଅବୟବ ଦେଖି ସାରିବା ପରେ ଅମରଙ୍କ ମନରେ ଟିକେ ଦୟା ଆସିଲା । କିଛି ସାହାଯ୍ୟ ପାଇଁ ଆସିଛନ୍ତି ଭାବି ସେ କିଛି ଟଙ୍କା ବଢେଇ ଦେଲେ ସେଇ ବୃଦ୍ଧଙ୍କ ଆଡକୁ । 


- ନା ନା ବାବୁ ! ଆପଣ ବୋଧହୁଏ ମୋତେ ଭୁଲ୍ ବୁଝିନେଲେ । ମୁଁ ଭିକାରୀ ନୁହଁ କି କାହା ଭିକରେ ଚଳିବା ଭଳି ଲୋକ ବି ନୁହଁ । ମୁଁ ଖାଲି କିଛି କାମ ମାଗିବାକୁ ଆସିଛି । ଆପଣଙ୍କ ପାଖରେ କିଛି କାମ ଧନ୍ଦା ଥିଲେ ଦିଅନ୍ତୁ ବାବୁ । ଏତିକି ଟିକିଏ ବୁଢାକୁ ଦୟା କରନ୍ତୁ । 


-ବୁଢାଟିର କଥାରେ ଅମର ଚକିତ ହେବା ସହ ଲଜ୍ଜିତ ବି ଅନୁଭବ କଲେ । ମନେ ମନେ ଚିନ୍ତା କଲେ ଏ ବୁଢାଟି କି କାମ କରିପାରିବ ଯେ ଏ ବୟସରେ । ଏ ବୟସ ତ ଘରେ ବିଶ୍ରାମ ନେବାର ବେଳ । ନିଜ ପୁଅ ବୋହୂ, ନାତି ନାତୁଣୀଙ୍କ ସାହାରାରେ ଜୀଇଁ ରହିବାର ବେଳ । କିନ୍ତୁ ବୁଢାଟି ଏ ବୟସରେ କାମ ଧନ୍ଦା ଖୋଜୁଛି । ଟିକେ ଆଶ୍ଚର୍ଯ୍ୟ ହେବା ସହ ଦୁଃଖ ବି ଲାଗିଲା ଅମରଙ୍କୁ ।


ଅମର କିଛି କହିବା ପୂର୍ବରୁ ବୁଢାଟି କହୁଥିଲେ- ମୁଁ ସବୁ କାମ କରି ପାରିବି ବାବୁ ଯେମିତି ବଜାରରୁ ସଉଦା ଆଣି ପାରିବି, ଫୁଲ ଗଛର ଯତ୍ନ ନେଇ ପାରିବି .... ଆଉ ଅନ୍ୟ ଯଦି କିଛି କାମ କରିବାକୁ କହିବେ ସବୁ କରି ପାରିବି ବାବୁ । କିନ୍ତୁ ମୋତେ ଫେରାଇ ଦିଅନ୍ତୁନି ବାବୁ । ଆପଣଙ୍କ ଘରେ କାମରେ ରଖି ଦିଅନ୍ତୁ । ଖବରକାଗଜରେ ଆପଣ ଦେଇଥିବା ବିଜ୍ଞାପନରୁ ଜାଣିବାକୁ ପାଇଲି ଆପଣଙ୍କୁ ଜଣେ ଚାକରର ଆବଶ୍ୟକତା ରହିଛି । ଅନେକ ଆଶା ନେଇ ଏଠାକୁ ଆସିଛି । ଏଇ ଚାକିରୀ ମୋତେ ଦେଇଦିଅନ୍ତୁ ବାବୁ । ଏଥିପାଇଁ ଆପଣଙ୍କୁ ମୋତେ କିଛି ଅଧିକା ଦରମା ଦେବାକୁ ପଡିବନି ବାବୁ ଖାଲି ରହିବାକୁ ଟିକେ ଆଶ୍ରୟ ଆଉ ପେଟକୁ ମୁଠାଏ ଅନ୍ନ । ବାସ୍ ସେତିକି ହେଲେ ମୁଁ ଖୁସି । ଟଙ୍କା ମୋର ଆଉ କଣ ହେବ ଯେ । କେତେଟା ଦିନ ବା ଆଉ ବଞ୍ଚିବି । 


ବୁଢାଟିର କଥା ଶୁଣି ଅମର ଅବାକ୍ ହୋଇଗଲେ । ବୃଦ୍ଧଜଣଙ୍କ ଏ ବୟସରେ କେତେ ଅସହାୟ ..ହାଏ.. ବାପା ସମାନ ମଣିଷକୁ କାମରେ ରଖି କି କାମ ବା ତାଙ୍କ ଦେଇ କରେଇ ପାରିବେ । ଆଉ ଏମିତି କଲେ ପାପ ଲାଗିବ ନି ! ଫେରାଇ ବି ପାରିବେନି ତାଙ୍କୁ ଏମିତି ଅବସ୍ଥାରେ ... ଦ୍ୱନ୍ଦ୍ୱରେ ପଡିଗଲେ କିଛି ସମୟ ପାଇଁ । 


ଶେଷରେ ବୃଦ୍ଧଙ୍କୁ ଆଶ୍ୱାସନା ଦେଇ କହିଲେ- ଆପଣଙ୍କୁ ଯଦି କିଛି ସାହାଯ୍ୟ ଦରକାର ସାଧ୍ୟମତେ ମୁଁ କରିବାକୁ ପ୍ରସ୍ତୁତ କିନ୍ତୁ ଆପଣଙ୍କ ପରି ଜଣେ ବୃଦ୍ଧଙ୍କୁ ଚାକର ରୂପେ ରଖି ପାପ କଦାପି ମୁଣ୍ଡେଇ ପାରିବିନି । 


ବୃଦ୍ଧ କହିଲେ ଏହା ପାପ ନୁହଁ ବାବୁ । ବରଂ ଏମିତି କରି ଏ ବୁଢାକୁ ଆପଣ ପ୍ରକାରାନ୍ତରେ ସାହାଯ୍ୟ ହିଁ ତ କଲେ । ବେଶି ଆଉ ଚିନ୍ତା କରନ୍ତୁନି ବାବୁ । ଏଇ କାମ ମୋତେ ଦେଇ ଦିଅନ୍ତୁ । 


ତତକ୍ଷଣାତ୍ ଅମରବାବୁଙ୍କ ମନେ ପଡିଗଲା ନିଜ ପୁଅ ଅରୁନ୍ କଥା । ବାପା ଚାଲିଯିବା ପରଠୁ ଅରୁନ୍ ଖାଲି ଜେଜେ ଜେଜେ ହେଉଛି । ଜେଜେ ତାକୁ କେତେ କାହାଣି ଶୁଣାଉଥିଲେ, ତା ସହ ବଗିଚାରେ ଖେଳୁଥିଲେ, ଅରୁନର ଖେଳନା ପାଲଟି ଯାଇଥିଲେ ଯେମିତି ବାପା । ଅବୋଧ ଅରୁନ୍ ଜିଦ୍ କରୁଥାଏ ତା'ର କେବଳ ଜେଜେ ବୁଢାଟିଏ ଦରକାର । ଜେଜେଙ୍କ ବିହୁନେ ଅରୁନର ସବୁ ଖୁସି ଯେମିତି ଗୋଟାପଣେ ଅଟକି ଯାଇଛି କେଉଁ ଦିନରୁ । ଜେଜେ କେଉଁ ଖେଳନା ନା ଦ୍ରବ୍ୟ ଯେ ଦୋକାନରୁ କିଣି ଆଣି ଦେଇ ପାରନ୍ତେ ସେ ନିଜ ପୁଅ ପାଇଁ ।  


ବୁଢାଟି ଆଡକୁ ଅମର ନିର୍ନିମେଷ ନୟନରେ ଚାହିଁଲେ । ବୃଦ୍ଧଙ୍କ ଚେହେରାରେ ତାଙ୍କ ବାପାଙ୍କ ପ୍ରତିଛବି ଦେଖାଗଲା । ଚିନ୍ତା କଲେ ବୃଦ୍ଧ ଜଣଙ୍କୁ ଅରୁନ୍ ପାଇଁ ଜେଜେ ବନେଇ ଦେଲେ ଠିକ୍ ହେବ । ହେଲେ ଜଣେ ଅଜଣା ଅପରିଚିତ ଲୋକଟିକୁ ଏମିତି ଘରେ ଆଶ୍ରୟ ଦେବା ବି ଆଦୌ ଠିକ୍ ନୁହଁ । 


ବୃଦ୍ଧ ସଂପର୍କରେ କିଛି ତଥ୍ୟ ହାସଲ ନିମନ୍ତେ ଉତ୍ସୁକତାର ସହ ଅମରବାବୁ କହିଲେ - 

  ଠିକ୍ ଅଛି । ମୁଁ ତୁମକୁ କାମ ଦେବି । ହେଲେ ଆଗ କୁହନ୍ତୁ ଆପଣ କିଏ ? ଆପଣଙ୍କ ପରିଚୟ କ'ଣ ? 


ବୃଦ୍ଧଣକ ଟିକିଏ ଶଂକିତ ହୋଇ ଉତ୍ତର ଦେଲେ-ମୁଁ ଜଣେ ବୃଦ୍ଧ, ଜଣେ ମଣିଷ । ପାଚିଲା ଫଳଟିଏ କେତେବେଳେ ବି ଝରିପଡିବି । ଏତିକି ପରିଚୟ କଣ ଯଥେଷ୍ଟ ନୁହଁ ବାବୁ । ଆଉ କଣ ଅଧିକା ମୋ ସଂପର୍କରେ ଜାଣିବେ ବାବୁ । 


-ହେଲେ ବି, ଆପଣଙ୍କ ଘର, ଆପଣଙ୍କ ପରିବାର ପରିଜନଙ୍କ ବିଷୟରେ ସମ୍ଯକ ଧାରଣା ନ ରହିଲେ ଘରେ ଆପଣଙ୍କୁ ଆଶ୍ରୟ ଦେବା ବି ସମିଚୀନ ନୁହଁ, ଆପଣ ବି ନିଜେ ଚିନ୍ତା କରନ୍ତୁ ତ ମୁଁ ଠିକ୍ କହୁଛି କି ଭୁଲ୍ । 


ଆପଣଙ୍କ କଥା ଏକଦମ୍ ଠିକ୍ ବାବୁ । ମୁଁ ମୋ ସମ୍ପର୍କରେ ସବୁ କହିବି । ହେଲେ କଥା ଦିଅନ୍ତୁ ମୋ ପରିଚୟ ଜାଣିବା ପରେ ଆପଣ ମୋତେ କାମ ଦେବାକୁ ମନା କରିବେନି । 


ଅମରବାବୁ ମୁଣ୍ଡ ହଲାଇ ବୃଦ୍ଧଙ୍କ କଥାରେ ସମ୍ମତି ଜଣାଇଲେ । 


ବୃଦ୍ଧ ଜଣଙ୍କ କରୁଣ କଣ୍ଠରେ ତାଙ୍କ ଅସହାୟତାର କାହାଣୀ ଶୁଣାଇବାକୁ ଲାଗିଲେ । ଦୁଇ ଦୁଇଟି ଯୋଗ୍ୟପୁତ୍ର ବିଦେଶରେ ବଡ ବଡ ଚାକିରୀ କରୁଥିଲେ । ପତ୍ନୀ ଚାଲିଯିବା ପରେ ପୁଅଦୁଇଟିର ମୁହଁ ଚାହିଁ ଜୀଇଁବା ଶିଖି ଯାଇଥିଲେ । କିନ୍ତୁ କିଛି ମାସ ତଳେ କରୋନା ଭୂତାଣୁର ପ୍ରକୋପରେ ସେମାନଙ୍କୁ ଚାକିରୀ ହରାଇବାକୁ ପଡିଥିଲା । ଅଗତ୍ୟା ଭାରତ ଫେରି ଆସିଲେ । ଭାବୁଥିଲେ କିଛି ଗୋଟେ ଛୋଟମୋଟ ଚାକିରୀ କରି ଭାରତରେ ହିଁ ରହିବେ । ହେଲେ ତା ପୂର୍ବରୁ ସେ ଦୁହେଁ ଅଦୃଶ୍ୟ ଭୂତାଣୁର ଶିକାର ପାଲଟି ଯାଇଥିଲେ । ସେମାନଙ୍କ ଚିକିତ୍ସା ପାଇଁ ଘରଦ୍ୱାର ସବୁ ଅର୍ଜିତ ସମ୍ପତ୍ତି ବିକ୍ରି କରି ସର୍ବସ୍ୱ ହରାଇବସିଲେ ସିନା ପୁଅ ଦୁଇଟିକୁ ବଞ୍ଚାଇ ରଖି ପାରିଲେନି । ଏବେ ସେ ସମ୍ପୂର୍ଣ୍ଣ ନିଃସ୍ୱ ଓ ଅସହାୟ । ତାଙ୍କ ଦୁଃଖମୟ ଜୀବନରେ ଚେନାଏ ହସ ସାଉଁଟିବା ପାଇଁ ସେ ଏବେ ବଡଦାଣ୍ଡରେ ଘୂରିବୁଲୁଛନ୍ତି ।


ବୃଦ୍ଧ ଜଣଙ୍କ ଛାତିଥରା କାହାଣୀ ଶୁଣିବାକୁ ଅମରବାବୁଙ୍କ ପାଖରେ ଆଉ ଧୈର୍ଯ୍ୟ ନ ଥାଏ ।


ଟିକିଏ ଆବେଗବୋଳା ସ୍ୱରରେ ଅମର କହିଲେ -ଠିକ୍ ଅଛି ଯେତେଦିନ ଇଚ୍ଛା ସେତେଦିନ ଆମ ଘରେ ଆପଣ ରହିପାରିବେ । ଆପଣଙ୍କୁ ଏଇଠି କିଛି କାମ କରିବାର ଆବଶ୍ୟକତା ନାହିଁ, ଖାଲି ମୋ ପୁଅ ପାଇଁ ଜେଜେର ଅଭିନୟ କରିବାକୁ ପଡିବ । ମୋ ପୁଅର ଖେଳନାଟେ ହୋଇ ତା ଶୁଖିଲା ମୁଁହରେ ହସ ଖେଳାଇବାକୁ ହେବ ... 


ବୁଢାଟି ଖୁସିରେ ଗଦ୍ ଗଦ୍ ହୋଇ କହିଲା - ଅଭିନୟ କଣ ବାବୁ ତା ପାଇଁ ସତସତିକା ଜେଜେ ବୁଢାଟିଏ ମୁଁ ପାଲଟି ଯିବି ...  


ଅମର ବୃଦ୍ଧ ଜଣଙ୍କୁ କୋଳେଇ ନେଇ କହିଲେ ଯଦି ସତସତିକା ଜେଜେ ବୁଢା ହେବ ଆଉ ବାବୁ କାହିଁକି ଯେ ଏଣିକି ମୋତେ ଅମର.. ବୋଲି ହିଁ ଡାକ । 


ଘର ଭିତରୁ ଅରୁନ୍ ଦୌଡି ଆସି ପଚାରିଲା - ପାପା । ଏ କିଏ ? 

- ନୂଆ ଜେଜେ ! ଅତି ଆତ୍ମିକ ଲାଗୁଥିଲା ଅମରବାବୁଙ୍କ ଏ ଉଚ୍ଚାରଣ । 


ଅରୁନ୍ ଏ କଥା ଶୁଣି ଥେଇ ଥେଇ ହୋଇ ନାଚି କହୁଥିଲା- ବାପା ମୋ ପାଇଁ ନୂଆ ଜେଜେ ଆଣିଲେ ...ଏଥର ନୂଆ ଜେଜେଙ୍କ ସହ ଖେଳିବି, ବୁଲିବି, ନାଚିବି, ଗପ ଶୁଣିବି ... 


ବୃଦ୍ଧଜଣଙ୍କ ଅନେକଦିନ ପରେ ମନଖୋଲା ହସଟିଏ ହସି ଅରୁନକୁ ସାଥିରେ ନେଇ ବଗିଚା ଆଡକୁ ଚାଲିଗଲେ ବହୁଦିନରୁ ହଜେଇ ଦେଇଥିବା ଖୁସିର ସନ୍ଧାନରେ ।


ଅମର ଅପୂର୍ବ ଆତ୍ମସନ୍ତୋଷରେ ପଛରୁ କ୍ଷୀଣ ସ୍ୱରରେ ଡାକୁଥିଲେ- "ବାପା ! ବାପା ! ଶୀଘ୍ର ଫେରି ଆସିବ । ଆସିଲେ ଆମେ ସବୁ ଏକାଠି ମିଶିକି ଖାଇବା । ମୁଁ ଅପେକ୍ଷା କରିଛି...  

ଗୋଟାପଣେ ଜଣେ ପର ମଣିଷଟିଏ ଅତି ଆପଣାର ପାଲଟି ଯାଉଥିଲେ ଅମରବାବୁଙ୍କ ପରିବାରରେ ।

ବୁଢାଟିର ଚେନାଏ ହସରେ ଧିରେ ଧିରେ ଅରୁନ୍, ଅମର, ପୁରା ଘରଟି ହସି ଉଠିବାକୁ ଲାଗିଲା । 



Rate this content
Log in

Similar oriya story from Inspirational