ଚାଟ ବାଲାର କାହାଣୀ
ଚାଟ ବାଲାର କାହାଣୀ
ସୁରେନ୍ଦ୍ର ବାବୁଙ୍କ ସାନ ଝିଅ ବାହାଘରର ଚାରି ଦିନ ପରେ ନିଜର ଦୁଇ ପୁଅ ରାହୁଲ ଆଉ ଗୁଗୁଲକୁ ଘରର ଗେଟ ସମ୍ମୁଖରେ କାହା ସହିତ ବଡ଼ ପାଟିରେ କଥା ହେବାର ଦେଖି ପାଖକୁ ଡାକି ପଚାରିଲେ ,ବାବୁରେ କାହା ସହ ଏତେ ବଡ ପାଟିରେ କଥା ଲାଗୁଛ,କଣ ହେଇଛି କି ? ଆଉ ବାହାଘରରେ ଯାହାର ଯାହା ବାକି ବୁକର ଥିଲା ସବୁ ଦେଇ ଦାଇ ଦେଲ ତ?
ଦୁହେଁ "ହଁ ଦେଇ ଦେଲୁ ଯେ ,ହେଲେ......... ।
ହେଲେ..... ହେଲେ ପୁଣି କଣ ? ସୁରେନ୍ଦ୍ର ବାବୁ ପଚାରିଲେ ।ଗୁଗୁଲ କହିଲା ବାପା ସମସ୍ତଙ୍କ ପାଉଣା ତ ତୁଟି ଗଲା, ହେଲେ ସେ ଚାଟ ଵାଲା ନରେଶ ଭାଇଟା ଜମା ନଉନାହିଁ ।ଭାଇ ତାକୁ ଡ଼ାକି ଥିଲେ, କାମ ବି ଠିକ ଠାକ କଲା ।ସମସ୍ତେ ତା ଚାଟର କି ପ୍ରଶଂସା କରୁଛନ୍ତି ।ହେଲେ ଭାଇ କହିବା ଅନୁଯାୟୀ ସେ ୪୫୦୦ ଟଙ୍କା କହୁଥିଲା, ଭାଇ ତାକୁ ୪୦୦୦ ଟଙ୍କା କହିଥିଲେ।ସେ ରାଜି ହୋଇ ଆସିଥିଲା ହେଲେ ଟଙ୍କା ଦେଲେ ନେଉନାହିଁ ।
ଆରେ ସେ ଗରିବ ପିଲାଟି, ସାରା ରାତି ଖଟିଛି । ଟଙ୍କା ୫୦୦ ଟା କାଟିବାରୁ ବୋଧେ ମନ ଦୁଃଖ କରୁଛି ।ତାକୁ ତାର ପାଉଣା ଦେଇ ସସମ୍ମାନ ରେ ବିଦା କର ସୁରେନ୍ଦ୍ର ବାବୁ ଦୁଇ ପୁଅଙ୍କୁ କହିଲେ।ତାପରେ ସେମାନେ ଚାଲିଲେ ନରେଶ ପାଖକୁ ।କିନ୍ତୁ ନରେଶ ଟଙ୍କା ନ ନେଇ ଫେରାଇ ଦେଇଥିଲେ ସେମାନଙ୍କୁ ।।
ସୁରେନ୍ଦ୍ର ବାବୁ ପଚାରିଲେ ସେ ଏବେ ନେଇକି ଗଲା ତ ?ଦୁହେଁ ନା କହିଲେ, ସେ ସମ୍ପୂର୍ଣ୍ଣ ଟଙ୍କା ନେବାକୁ ମନା କଲା ।ସେ କେବଳ ଆପଣଙ୍କୁ ଦେଖା କରିବାକୁ ଚାଁହୁଛି ।ମୋତେ ଦେଖା କରିବାକୁ, ହେଲେ ... କଣ ପାଇଁ ? ନା ଆମେ ଜାଣିନାହୁଁ ବାପା।
ହଉ ମୋତେ ଯଦି ସେ ଦେଖା କରିବାପାଇଁ ଚାଁହୁଛି ଯାଅ ତାକୁ ମୋ ପାଖକୁ ଡାକିଦିଅ ।ଗୁଗୁଲ ଡାକିବା କ୍ଷଣି ନରେଶ ଗେଟ ଭିତରକୁ ପ୍ରବେଶ କଲା ।ଘର ଭିତରକୁ ଆସିବା ମାତ୍ରେ ଦୁଆର ମୁହଁ ଘରେ ବସିଥିଲେ ସୁରେନ୍ଦ୍ର ବାବୁ ।ନରେଶ ସ୍ରଷ୍ଟାଙ୍ଗ ପ୍ରଣିପାତ କଲା । ସୁରେନ୍ଦ୍ର ବାବୁ ପଚାରିଲେ ଆରେ ବାବୁ ତୁମେ ତୁମର ପାଉଣା ନେଲନାହିଁ ,ଆଉ ମୋତେ ଦେଖା କରିବାପାଇଁ ଜିଦ କରୁଛ ? କଣ ମୋ ପୁଅ ମାନେ କିଛି ଅଲଗା କହିଥିଲେ କି ?ଯଦି କହିଥିଲେ ତେବେ ମୋ ଆଗରେ କୁହ ମୁଁ ସବୁ ପଇଠ କରିଦେବି।ନରେଶ କୋହ ଭରା ଓଠରେ ନା ସାର ମୋର ପାଉଣା ମୁଁ ପାଇ ସାରିଛି ,ଆଉ ଦରକାର ନାହିଁ ।ମୋର ଆପଣଙ୍କ ଆଶ୍ରିବାଦ ଟିକିଏ ଦରକାର ଥିଲା ,ତେଣୁ ଆପଣଙ୍କୁ ଦେଖା କରିବାକୁ ଚାଲି ଆସିଲି। ପାଉଣା ପାଇସାରିଛୁ ଆଉ ମୋ ଆଶ୍ରିବାଦ ଏ ସବୁ ମୁଁ କିଛି ବୁଝି ପାରୁନି ବାବୁ ।
ଏବେ ନରେଶ କହିବାକୁ ଲାଗିଲା ମୋତେ ବାବୁ ଡାକନ୍ତୁ ନାହିଁ ସାର ।ମୁଁ ଆପଣଙ୍କ ସେହି ହତଭାଗା ଛାତ୍ର ନରେଶ ।ଆଉ ଆପଣଙ୍କ ମନେ ଥିବ ,ଆପଣ ଦୀର୍ଘ୧୭ ବର୍ଷ ତଳେ ଆମ ଲେଖନପୁର ସ୍କୁଲ ରେ ଦଶମ ଶ୍ରେଣୀ ପରୀକ୍ଷା ଚାଲିଥିବା ସମୟରେ ପରିଦର୍ଶକ ହିସାବରେ ଆସିଥିଲେ।ସେଦିନ ଭୂଗୋଳ ପରୀକ୍ଷା ଥିଲା ।ଆପଣ ଆମ କକ୍ଷରେ ପ୍ରବେଶ କରି ମୋ ପାଦର ପଛପଟେ ପଡିଥିବା କପିଟିକୁ ଜବତ କରି ମୋତେ ପରୀକ୍ଷା ଗୃହରୁ ବାହାର କରିବା ସହ ଅବଶିଷ୍ଟ ପରୀକ୍ଷା ରୁ ବଂଚିତ କଲେ ।କେତେ କାକୁତି ମିନତୀ ହେଇଥିଲି ମୁଁ ଯେ ନିର୍ଦ୍ଦୋଷ ବୋଲି ।ମୋର ପ୍ରଧାନ ଗୁରୁଜୀ ,ଗୁରୁମା ସମସ୍ତେ ଆପଣଙ୍କୁ ମୋ ବିଷୟରେ କହିଲେ, ହେଲେ ଆପଣ କିନ୍ତୁ ସେଦିନ ଭୂଗୋଳ ପରୀକ୍ଷାରୁ ନୁହେଁ ବରଂ ମୋ ଜୀବନ ଭୂଗୋଳ ଉପରେ ନାଲି ଛକି ଟାଣି ଦେଲେ ।ଯେତେ ଲିଭେଇବାକୁ ଚେଷ୍ଟା କଲେ ମଧ୍ୟ ସେ ନାଲି ଛକି ଜମା ଲିଭିଲା ନାହିଁ । ସେହି ଦିନ ଠାରୁ ମୋ ଜୀବନରେ ଅନ୍ଧାର ଘୋଟିଗଲା ।ମରିବାକୁ ଚେଷ୍ଟା କରି ମଧ୍ୟ ମରି ପାରିଲି ନାହିଁ କେବଳ ମୋ ବାପାଙ୍କ ସ୍ନେହ, ଶ୍ରଦ୍ଧା ଆଉ ଭଲ ପାଇବା ପାଇଁ।
କିଛି ଦିନ ପରେ ଆପଣ ଆଉ ମୋ ସ୍କୁଲର ଗୁରୁମା କୌଣସି ଏକ ସ୍ଥାନରେ ଏକତ୍ରିତ ସମୟରେ କଥା ପ୍ରସଙ୍ଗରେ ମୋ ବିଷୟରେ ଆପଣ ପଚାରିଲେ ।ମୋ ବିଷୟରେ ତଥା ମୋ ପରିବାର ବିଷୟରେ ଜାଣିବା ପରେ ମୋ ପାଖକୁ ଧାଇଁ ଆସିଥିଲେ ଆପଣ ।ମୋ ଘରେ ଭଲ ଆସନଟିଏ ବି ନଥିଲା ଆପଣଂକୁ ବସିବାକୁ ଦେବାପାଇଁ ।ଆପଣ କିନ୍ତୁ ମୋତେ କୋଳେଇ ନେଲେ।ସେଦିନ ମୋତେ ଯେମିତି ଲାଗିଲା ମୋ ଜୀବନର ମୂଲ୍ୟବାନ ସାର୍ଟିଫିକେଟ ମୋତେ ମିଳିଗଲା ।ତା ପରେ ଆପଣ ମୋ ସାବତ ମାଆଠାରୁ ଅପମାନ ପାଇ ଫେରିଥିଲେ ।ଫେରିବା ସମୟରେ ମୋତେ ୧୫୦୦ ଟଙ୍କା ଦେଇ କହିଥିଲେ ଯା ଏଥିରେ ନିଜ ଭାଗ୍ୟର ଭବିଷ୍ୟତ ମନ୍ଦିର ଗଢ଼ିନେବୁ ।ସେଦିନ ମୋତେ ଲାଗିଲା ଯେମିତି ମୋତେ ମୋ ଜୀବନର ମୂଲ୍ୟବାନ ଟ୍ରଫି ମିଳିଗଲା ।
କିଛି ଦିନ ପରେ ମୋ ସାବତ ମାଆର ଦୟାହୀନ ଅସହ୍ୟ ଅତ୍ୟାଚାର କୁ ସହ୍ୟ କରି ନ ପାରି ବାପା ଅଣଲେଉଟା ରୁକୁଣା ରଥ ପରି ଘରୁ କୁଆଡ଼େ ଚାଲିଗଲେ ।ବହୁତ ଜାଗା ଖୋଜି ଗଲି ମୁଁ ମୋ ବାପାଙ୍କୁ ଫେରେଇବା ପାଇଁ ।ଏ ବିଶାଳ ଜନ ସମୁଦ୍ର ଭିତରେ ମୋତି ଟିକୁ ପାଇବାକୁ ଅସମର୍ଥ ହେଲି ମୁଁ ।ସେହି ଦିନ ଠାରୁ ମୋ ଜୀବନ ପୁରା ଅନ୍ଧକାରମୟ ହେଇଗଲା ।ଯେଉଁ ଘରୁ ମୋ ଦେବତା ଚାଲିଗଲେ ,ସେ ଘରକୁ ଫେରିବା କୁ ଇଛା ହେଲା ନାହିଁ।ଆପଣ ଦେଇଥିବା ଟ୍ରଫି ରୂପକ ଟଙ୍କାକୁ ଲଗେଇ ରାସ୍ତା କଡରେ ଠେଲା ଗାଡ଼ିରେ ଚାଟ ବିକିବା ଆରମ୍ଭ କଲି।ସେହି ଦିନ ଠାରୁ ଆଜି ଯାଏ ସେହି ଠେଲା ଗାଡ଼ି ମୋ ଜୀବନ ବୋଲି ବୁଝିନେଲି ।
ଦୀର୍ଘ ୧୭ ବର୍ଷ ପରେ ସେଦିନ ଯେତେବେଳେ ବାହାଘରରେ ଆପଣଙ୍କୁ ଦେଖିଲି ମୋ ମନକୁ ସ୍ଥିର କରି ରଖି ପାରିଲି ନାହିଁ ।ମନେ ପଡ଼ିଲା ମୋ ପିଲାଦିନ କଥା ,ମୋ ବାପାଙ୍କ କଥା ।ଇଛା ହେଲା ଆପଣଙ୍କ ପାଦ ଛୁଇଁ ଆତ୍ମତୃପ୍ତି ଲାଭ କରିବାକୁ ।ଆଉ ଆଜି ସେ ସୌଭାଗ୍ୟ ପାଇ ମୁଁ ମୋ ବାପା ଙ୍କୁ ଆପଣଙ୍କ ଭିତରେ ପାଇ ପାରିଲି । ସବୁ ଶୁଣି ସାରିବା ପରେ ସୁରେନ୍ଦ୍ର ସାର ଲୁହ ଭରା ଆଖିକୁ ବନ୍ଦ କରି ନରେଶକୁ ନିଜ ଆଡ଼କୁ ଟାଣି ନେଇ ଛାତିରେ ଜାବୁଡି ଧରିଲେ ।ସେତେବେଳକୁ ସୁରେନ୍ଦ୍ର ସାରଙ୍କ ଆଖିରୁ ଦୁଇଟୋପା ଲୁହ ଆସି ନରେଶ ଗାଲରେ ପଡ଼ି ତା ଜୀବନ ଭୂଗୋଳରେ ପଡିଥିବା ଛକିକୁ ଲିଭେଇବାକୁ ଚେଷ୍ଟା କରୁଥିଲା ।
(ସମାପ୍ତ)
ଶିବରାମ ଦଳେଇ
ଲେଖନପୁର,ସାଲେପୁର
କଟକ.