Priyadarshini Mishra

Inspirational

3  

Priyadarshini Mishra

Inspirational

ଚାଷ

ଚାଷ

4 mins
207



ଆମ ଗାଁ ମଧିଆର ପୁଅ କାଳେ ବିଦେଶରେ ଥିଲା।ବହୁତ ଟଙ୍କା ରୋଜଗାର କରୁଥିଲା।ଏବେ ଗାଆଁକୁ ପଳେଇ ଆସିଛି।କଥା କ'ଣ କି ମାଧିଆର ପୁଅଟା ଭାରି ଭଲ ପିଲାଟିଏ। ସେଇ ଗୋଟିଏ ବୋଲି ପୁଅ ମାଧିଆର।ପରିବାର କହିଲେ ମାଧିଆ ତା' ସ୍ତ୍ରୀ ଗୌରୀ ଓ ତାଙ୍କର ଏକୋଈର ବଳା,ଏକମାତ୍ର ପୁଅ ଶଙ୍କର।ମାଧିଆ ଆମ ବିଲ(କ୍ଷେତ)ରେ ରଇତ ଅଟେ। ରଇତ ମାନେ ଆମ ଚାଷ ଜମିକୁ ଚାଷ କରେ।ମୂଲ,ମୂଲିଆ ବିହନ, ଖତ ପିଡ଼ିଆ ସବୁ ତା'ର।ଧାନ ବିକା ହେଲା ପରେ ଆମ ଭାଗ ପଇସା ଆକାରରେ ଘରେ ଆଣି ଦେଇଯାଏ।ଆମର ଦୋଫସଲି ବିଲ।କେନାଲ ପାଣିର ସୁବିଧା ଥିବାରୁ ଧାନ ପରେ ଡାଲିଜାତୀୟ ଫସଲ ମଧ୍ୟ ଭଲ ହୁଏ।ତେଣୁ ଧାନ ବିକା ହେଲା ପରେ ଯେମିତି ମାଧିଆ ଆମ ଭାଗର ଟଙ୍କା ଆଣି ଆମକୁ ଦେଇଯାଏ, ସେହିପରି ମୁଗ,ବିରି ବିକ୍ରି ହେଲା ପରେ ଆମ ଭାଗ ଟଙ୍କା ଘରେ ଆଣି ଦେଇଯାଏ।ସହରରେ ଥିଲେ ମଧ୍ୟ ବିଲବାଡି ବୁଝିବା ଧନ୍ଦାରୁ ଆମେ ମୁକ୍ତ ଥିଲୁ ଏଇ ମାଧିଆ ପାଇଁ। ମାଧିଆ ମୋର ସମସାମୟିକ। ମୁଁ ଉଚ୍ଚ ରକ୍ତଚାପ ମଧୁମେହ ଆଦି ରୋଗଗ୍ରସ୍ତ।ମାଧିଆ କିନ୍ତୁ ସମ୍ପୂର୍ଣ୍ଣ ସୁସ୍ଥ। ଘରକୁ ଯେତେବେଳେ ଆସେ କହେ ଗାଁର ବିଶୁଦ୍ଧ ପାଣିପବନ ସାର ପିଡ଼ିଆ ଦିଆ ହୋଇନଥିବା ଖାଦ୍ୟ ହିଁ ତା' ସୁସ୍ଥତାର ରହସ୍ୟ। ମୁଁ ହସିଦିଏ।ମୋତେ କେବଳ ରୋଗ ନୁହେଁ ସହରୀ ରୋଗ ହୋଇଛି।ଗାଁରେ ରହିଲେ ମୋର ସହରୀ ରୋଗ ବିନା ଔଷଧରେ ଛାଡିଯିବ।କିନ୍ତୁ ଗାଁ ଛାଡି ଆସିବାର ଏତେ ବର୍ଷ ପରେ ପୁଣି ଗାଁରେ ରହିବା, କହିବାକୁ ଗଲେ ଗାଁରେ ପରିବେଶ ସହ ଖାପ ଖୁଆଇ ଚଳିବା କଥାଟି ଭାବିଲା ବେଳକୁ ମୋ ମୁଣ୍ଡ ଭାରି ହୋଇଯାଏ।ସେ ଯାହାହେଉ ଔଷଧ ସମୟରେ ଖାଇ ଦେହକୁ ଯତ୍ନ ନେଇ ଚଳିହେବ ସିନା ଗାଁରେ ଚଳିହେବ ନାହିଁ। ତାଛଡା ଶ୍ରୀମତୀଙ୍କର ମଧ୍ୟ ଗାଁରେ ରହିବାକୁ ଆଦୌ ଇଚ୍ଛା ନାହିଁ। ପିଲାମାନେ ନିଜ ନିଜ କର୍ମ କ୍ଷେତ୍ରରେ ନିଜ ନିଜ ଜୀବନରେ ବ୍ୟସ୍ତ।ତେଣୁ ଆମେ ବୁଢା ବୁଢ଼ୀ ଦୁହେଁ ଏଇଠି ପଡିରହିଛୁ।କାରଣ ସହରର ଏହି ଘରର ଯତ୍ନ ତଥା ରକ୍ଷଣାବେକ୍ଷଣ ମଧ୍ୟ ଆବଶ୍ୟକ। ଇଚ୍ଛା ହେଲେ ପିଲାଙ୍କ ପାଖକୁ ମାସେ ଦୁଇମାସ ବୁଲିବା ପାଇଁ ଯାଉ।ଗାଁକୁ ଯିବାର ମୋର ଇଚ୍ଛା ଥିଲେ ମଧ୍ୟ ପରିସ୍ଥିତି ଚାପରେ ମୋର ଇଚ୍ଛା ଅନ୍ୟମାନଙ୍କ ଆଗରେ ପ୍ରକାଶ କରେ ନାହିଁ। ତାଛଡା ସହର ପରି ଗାଁରେ ଡାକ୍ତର ସୁବିଧା ଉପଲବ୍ଧ ନହେବା ଗାଁକୁ ନଯିବାର ଏକ ପ୍ରମୁଖ କାରଣ ଅଟେ।ମୁଁ ମୋ ବିଷୟରେ କହୁକହୁ ମାଧିଆ କଥାଟିକୁ ଅଧାରେ ଛାଡ଼ିଦେଇଛି।ମାଧିଆର ପୁଅ ଶଙ୍କର ପିଲାବେଳରୁ ମେଧାବୀ ଛାତ୍ର ଥିଲା।ବୃତ୍ତି ପାଇ ନିଜସ୍ୱ ଚେଷ୍ଟାରେ ଉଚ୍ଚଶିକ୍ଷା ଲାଭ କରିଥିଲା।

     ଏକ ବୈଦେଶିକ କମ୍ପାନୀ ଶଙ୍କରର ଲୁକ୍କାୟିତ ପ୍ରତିଭା ଜାଣିପାରି ତାକୁ ନିଜ କମ୍ପାନୀରେ ଚାକିରୀ ଦେଇଥିଲେ।ଶଙ୍କର ଅଧିକ କଥା ଜାଣିବା ପାଇଁ ହେଉ ଅବା ଅଧିକ ଟଙ୍କା ପାଇବା ପାଇଁ ହେଉ ଚାକିରୀରେ ଯୋଗ ଦେଇଥିଲା।ସିଏ ଗାଁ ଛାଡି ଯିବ ବୋଲି ଜାଣିବାରୁ ମାଧିଆ ଓ ଗୌରୀ ବହୁତ ମନ ଦୁଃଖ କରିଥିଲେ। ତା'କୁ ବହୁତ ବୁଝାଇଥିଲେ।ଶଙ୍କର କିନ୍ତୁ ନିଜ ଜିଦରେ ଅଟଳ ଥିଲା। ଗୌରୀ ଏଥିପାଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ ମଧ୍ୟ ତା'କୁ କିଛି ଫରକ ପଡିନଥିଲା।ପରିଶେଷରେ ନିଜ ବାପା ମାଆଙ୍କୁ ସେ କଣ କହି ବୁଝାଇଲା କେଜାଣି ସେମାନେ ମଧ୍ୟ କିଛି କହିନଥିଲେ। ସେ ବିଦେଶ ଚାଲିଗଲା।ଏମିତି ଗଲା ଯେ ଦୁଇ ବର୍ଷ ପର୍ଯ୍ୟନ୍ତ ଫେରିଲାନି।ଗାଁଲୋକେ କୁହା କୁହି ହେଉଥିଲେ ସେ କାଳେ ସେଇଠାରେ ବାହା ହୋଇ ନିଜସ୍ୱ ପରିବାରରେ ସୁଖରେ ଥିଲା।ମାଧିଆ ଓ ଗୌରୀ କିନ୍ତୁ ଅବିଚଳିତ ଥିଲେ।ସତେ ଯେମିତି ଗାଁ ଲୋକଙ୍କ କଥା ସେମାନେ ଶୁଣି ପାରୁନଥିଲେ।ଥରେ ମୁଁ ମାଧିଆକୁ ଏ ବିଷୟରେ ପଚାରିଥିଲି ସେ ନିଜ ଓଠରେ ଧାରେ ସରୁ ହସ ଫୁଟେଇ କଥା ବୁଲେଇଦେଇଥିଲା।ମୋ ମନରେ ଶଙ୍କର ପ୍ରତି ନାନା ଖରାପ ଭାବନା ଆସିଥିଲା।ଯିଏ ନିଜ ବାପା ମାଆଙ୍କୁ ପଚାରେନାହିଁ ସିଏ କି ପ୍ରକାର ଭଲ ପିଲା?କେବଳ ପାଠ ଭଲ ପଢିଲେ ଜଣେ ଭଲ ହୋଇଯାଏନାହିଁ।ତା'ପାଖରେ ମାନବିକତା ରହିବା ନିହାତି ଜରୁରୀ।ତେବେ ଶଙ୍କର ଏମିତି ଏକୁଟିଆ ହଠାତ ଗାଁରେ ପହଁଚିଯିବାରୁ ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ।ସମସ୍ତେ ପୁଣି କୁହାକୁହି ହୋଇଥିଲେ କାଳେ ଶଙ୍କର ବାହା ହୋଇଥିବା ବିଦେଶୀନିଜଣକ ଶଙ୍କରକୁ ଛାଡି ଆଉ ଜଣକୁ ବାହା ହୋଇଯିବାରୁ ସେ ଫେରିଆସିଲା।ମାଧିଆ ଓ ତା'ର ପରିବାର ସବୁ ଶୁଣି ଚୁପ ରହି ଗାଁଲୋକଙ୍କ ସନ୍ଦେହ ଯେ ସତ ସେ କଥା ପ୍ରମାଣିତ କରୁଥିଲେ।ମୁଁ କିନ୍ତୁ ମାଧିଆକୁ କେବେ କିଛି ପଚାରିନଥିଲି। ମୁଁ ଭାବିଲି ତା'ର ଦୁଃଖ ମୁଁ କମ କରିପାରିବିନି ବଢ଼େଇକି ଲାଭ କଣ ପାଇବି।

     ପରେ ମୁଁ ଶୁଣିବାକୁ ପାଇଲି ମାଧିଆର ପୁଅ ଗାଁର ସହରମୁହାଁ ଲୋକଙ୍କ ବିଲଗୁଡିକ କିଣିଥିଲା।କେବଳ ମୋ ବିଲ ପାଇଁ ମୋ ସହ କଥା ହୋଇପାରିନଥିଲା।ସବୁ ଵିଲରେ ସମନ୍ବିତ କୃଷି ଦ୍ୱାରା ଖାଦ୍ୟ ଉତ୍ପାଦନ ବଢ଼ାଇବା ସହିତ ଗାଁର ଅନେକ ବେକାର ଯୁବକଙ୍କୁ ରୋଜଗାରକ୍ଷମ କରାଇପାରିଥିଲା।ମୋତେ ଲାଗିଲା ମୁଁ ଶଙ୍କରକୁ ବୁଝିନଥିଲି କିମ୍ବା ଭୁଲ ବୁଝିଥିଲି।ଏବର୍ଷ ମାଧିଆ ମୋ ବିଲର ଟଙ୍କା ଦେବାକୁ ଘରକୁ ଆସିବାରୁ ମୁଁ ତା'କୁ ସବୁ କଥା ପଚାରିଥିଲି ଓ ସେ ମୋତେ ସବୁ ସତ କଥା କହିଥିଲା।ସବୁକଥା ଶୁଣି ମୋତେ ବହୁତ ଖୁସି ଲାଗୁଥିଲା। ମୁଁ ଭାବୁଥିଲି ଆଜିକାଲି ଏମିତି ପିଲା ମଧ୍ୟ ଅଛନ୍ତି ଯେଉଁମାନେ ନିଜର ପରିବାରର ସୁଖ ଚିନ୍ତା କରିବା ସହ ଗାଁର ମଙ୍ଗଳ କଥା ଚିନ୍ତା କରନ୍ତି।

     ମାଧିଆ କହିଥିଲା ଶଙ୍କର କୃଷି ଉପରେ ନୂତନ ଜ୍ଞାନ ଆହରଣ ପାଇଁ ବିଦେଶ ଯାଇଥିଲା।ପ୍ରଥମେ ସେମାନେ ଶଙ୍କରକୁ ବିଦେଶ ଛାଡିବା ସପକ୍ଷରେ ନଥିଲେ।ଶଙ୍କର ସେମାନଙ୍କୁ ଦୁଇ ବର୍ଷରେ ଫେରି ଆସିବାର ପ୍ରତିଶ୍ରୁତି ଦେଇଥିଲା।ନିଜ ଗାଁରେ ଚାଷବାସ କରି ନିଜ ଭାଇବନ୍ଧୁମାନଙ୍କୁ ଅଧିକ ରୋଜଗାରକ୍ଷମ କରିବା ଲକ୍ଷ୍ୟରେ ସେ ବିଦେଶ ଯିବାକୁ ଚାହୁଁଥିଲା।ସେ ଯିବା ପରେ ଗାଁଲୋକଙ୍କ ଅନେକ କଥା ଆମେ ଶୁଣିଥିଲୁ କିନ୍ତୁ କିଛି ଉତ୍ତର ଦେଇନଥିଲୁ କାରଣ ଆମ ପୁଅ ଉପରେ ଆମର ଭରସା ଥିଲା।ସେ ମଧ୍ୟ ଆମ ଭରସା ଭାଙ୍ଗିନଥିଲା।ଯେଉଁ ଆଶା ନେଇ ସେ ଯାଇଥିଲା ଫେରିଆସି ସେସବୁ ଆଶା ଫଳବତୀ କରିପାରିଲା। ଯେଉଁ ଗାଁଲୋକ ତାକୁ ଖରାପ କହୁଥିଲେ ଆଜି ତା'ର ଗୁଣଗାନ କରୁଛନ୍ତି।ପିଲାଟିଦିନରୁ ସେ କହୁଥିଲା ଚାଷ କାମ ଯାହାର ସବୁ ସୁଖ ତାହାର।ରୋଜଗାର ସହିତ ମାଟି ମା'ର ସାନ୍ନିଧ୍ୟ ଲାଭ କରିବାର ଚାଷ ଠାରୁ ବଡ଼ ପନ୍ଥା ନାହିଁ ବୋଲି ସେ ପିଲାଦିନରୁ ଅନୁଭବ କରିପାରିଥିଲା।ମୁଁ ତାକୁ ଗୋଟିଏ କଥା ବାରମ୍ବାର କହିଥିଲି ମାଟିମାଆ ପାଖେ ପାଖେ ରହିଲେ ମାଟିମାର କଥା ବୁଝିଲେ ତୋର କିଛି ଅସୁବିଧା ହେବନି,ସୁସ୍ଥ ରହିବୁ,ଆଜିକାଲିର ସହରୀ ରୋଗ ତୋ ପାଖ ମାଡିବନି।ସେ ମୋ'କଥା ଅକ୍ଷରେ ଅକ୍ଷରେ ମାନେ।ତା'ର ପରିଣତି ଆଜି ସମସ୍ତଙ୍କ ଆଖି ସାମ୍ନାରେ।ମୁଁ ଏସବୁ ଶୁଣି ମାଧିଆକୁ କେବଳ ଏତିକି କହିଥିଲି ମୋ ବିଲ ଶଙ୍କର କେବେ କିଣିବରେ ମାଧିଆ?


Rate this content
Log in

Similar oriya story from Inspirational