Arjuni charan Behera

Inspirational Others

4  

Arjuni charan Behera

Inspirational Others

ଚାଣକ୍ୟ ଚନ୍ଦ୍ରଗୁପ୍ତ ଭେଟ

ଚାଣକ୍ୟ ଚନ୍ଦ୍ରଗୁପ୍ତ ଭେଟ

4 mins
410



ଖ୍ରୀଷ୍ଟପୂର୍ବ ତିନି ଶହ ଶତାବ୍ଦୀର କଥା l ମଗଧରେ ସେତେବେଳେ ରାଜପଣ କରୁଥାନ୍ତି ନନ୍ଦ ବଂଶର କ୍ଷତ୍ରିୟ ରାଜାମାନେ l ପୁରାଣ ବର୍ଣ୍ଣନା ଅନୁଯାୟୀ ନନ୍ଦବଂଶୀ ମାନଙ୍କ ଶାସନ କଳି ଯୁଗ ଆରମ୍ଭରେ ହେବ ଓ ଏହିଠାରୁ ରାଜରାଜୁଡ଼ା ଶାସନର ଅନ୍ତଃ ହେବ l ନନ୍ଦବଂଶରେ ଜଣେ ମହାନ୍ ରାଜା ଥିଲେ ସର୍ବାର୍ଥସିଦ୍ଧି l ସେ ଥିଲେ ଅମିତ ପରାକ୍ରମୀ ଏବଂ କ୍ଷମତାଶାଳୀ l କୁହାଯାଏ ତାଙ୍କ ସୈନ୍ୟ ବାହିନୀ ନଅକୋଟି ଏକଶହ ଯୋଦ୍ଧାଙ୍କ ଦ୍ବାରା ପୁଷ୍ଟ ଥିଲା l ତାଙ୍କ ଅନେକ ମନ୍ତ୍ରୀଙ୍କ ମଧ୍ୟରେ ସବୁଠାରୁ ଚତୁର ବିଜ୍ଞ ଓ ବିଶ୍ଵସ୍ତମନ୍ତ୍ରୀ ଥିଲେ ବ୍ରାହ୍ମଣ ରାକ୍ଷସ l ନନ୍ଦ ରାଜା ସମସ୍ତ ରାଜ କାର୍ଯ୍ୟରେ ତାଙ୍କର ପରାମର୍ଶ ଲୋଡୁଥିଲେ l 

ମହାରାଜା ସର୍ବାର୍ଥ ସିଦ୍ଧିଙ୍କର ଦୁଇ ରାଣୀ ଥିଲେ, ସୁନନ୍ଦା ଏବଂ ମୂରା l କନିଷ୍ଠା, ସୂଦ୍ରା ରାଣୀ ମୂରା ଥିଲେ ଅନିନ୍ଦ୍ୟ ସୁନ୍ଦରୀ l ମୂରାଙ୍କୁ ରାଜା ଅତ୍ୟନ୍ତ ଭଲ ପାଉଥିଲେ l ଦିନେ ରାଜପ୍ରାସାଦରେ ଜଣେ ସାଧୁ ପହଞ୍ଚିଲେ l ରାଜା ରାଣୀ ସାଧୁଙ୍କ ଉପଯୁକ୍ତ ସତ୍କାର କଲେ l ରାଜା ସାଧୁଙ୍କ ପାଦ ସେବା କରି ତାଙ୍କ ଚରଣୋଦକକୁ ରାଣୀମାନଙ୍କ ଉପରେ ସିଞ୍ଚି ଦେଲେ l ସେହି ଚରଣୋଦକରୁ ନଅ ଗୋଟି ବୁନ୍ଦା ବଡ଼ରାଣୀ ସୁନନ୍ଦାଙ୍କ ଉପରେ ପଡ଼ିଲା l ଗୋଟିଏ ବୁନ୍ଦା ପଡ଼ିଲା ସାନ ମୁରାଙ୍କ ଉପରେ l

ସୁନନ୍ଦା ଗୋଟିଏ ମାଂସପିଣ୍ଡୁଳା ଜନ୍ମକଲେ l ତାକୁ ନେଇ ମନ୍ତ୍ରୀ ରାକ୍ଷସ, ନଅଟି ତୈଳ କୁମ୍ଭରେ ରଖି ଦେଲେ l କାଳକ୍ରମେ ସେଥିରୁ ନଅଟି ସନ୍ତାନ ଜନ୍ମ ହେଲେ ଯେଉଁ ମାନେ ପରିଚିତ ହେଲେ ନବ ନନ୍ଦ ଭାବରେ l ରାଣୀ ମୁରାଙ୍କ ଗର୍ଭରୁ ସର୍ଵଗୁଣ ସମ୍ପନ୍ନ ଗୋଟିଏ ପୁଅ ଭୂମିଷ୍ଠ ହେଲା,ମାତା ମୁରାଙ୍କ ନାମ ଅନୁସାରେ, ସେ ମୌର୍ଯ୍ୟ ପରିଚିତ ହେଲେ l ନବ ନନ୍ଦଙ୍କ ମଧ୍ୟରେ ଜ୍ୟେଷ୍ଠ ଥିଲେ ଧନନନ୍ଦ l

ବୃଦ୍ଧାବସ୍ଥା ଉପନୀତ ହେବାରୁ ରାଜା ସର୍ବାର୍ଥସିଦ୍ଧି ରାଜ୍ୟଭାର ଧନନନ୍ଦଙ୍କୁ ସମର୍ପି ଦେଲେ l ମୌର୍ଯ୍ୟ ରହିଲେ ତାଙ୍କର ସେନାପତି l ମୌର୍ଯ୍ୟଙ୍କର ଶହେ ପୁତ୍ର ହେଲେ l ଏକଶହ ପୁତ୍ରଙ୍କ ଭିତରୁ ଚନ୍ଦ୍ରଗୁପ୍ତ ଥିଲେ ସବୁଠାରୁ ଚତୁର l ଅନ୍ୟ ପୁତ୍ର ମାନେ ମଧ୍ୟ ନନ୍ଦଙ୍କ ପୁତ୍ରମାନଙ୍କଠାରୁ ବିଦ୍ୟା ବୁଦ୍ଧିରେ ଆଗୁଆ ଥିଲେ l ନନ୍ଦମାନେ ତେଣୁ ଈର୍ଷା ପରାୟଣ ହୋଇ ଚନ୍ଦ୍ରଗୁପ୍ତ ଓ ତାଙ୍କ ପୁତ୍ର ମାନଙ୍କୁ ରାସ୍ତାରୁ ହଟେଇ ଦେବାକୁ ଚାହୁଁଥାନ୍ତି l ତେଣୁ କୌଶଳ କରି ଦିନେ ନନ୍ଦରାଜା ଚନ୍ଦ୍ରଗୁପ୍ର ଓ ତାଙ୍କର ପୁତ୍ର ମାନଙ୍କୁ ଶୁଳି ଦେବା ପାଇଁ ଆଣି ବନ୍ଦିକରି ରଖିଲେ l

ଏହି ସମୟରେ ସିଂହଳର ରାଜା ଉପହାର ରୂପେ ନନ୍ଦ ରାଜାଙ୍କ ନିକଟକୁ ଏକ ସୁନ୍ଦର ଲାଖ ନିର୍ମିତ ସିଂହର ମୂର୍ତ୍ତୀ ପଠାଇଥାନ୍ତି l ପିଞ୍ଜରା ବଦ୍ଧ ସେହି ମୂର୍ତ୍ତିଟି ଖୁବ୍ ଜୀବନ୍ତ ଥାଏ l ନନ୍ଦ ରାଜା ଘୋଷଣା କଲେ, କେହି ଯଦି ଏ ସିଂହକୁ ପିଞ୍ଜରା ନଖୋଲି ଦୋଉଡ଼ାଇ ଦେଇ ପାରିବ ସେ ପୁରସ୍କୃତ ହେବ l ଏହା ଶୁଣି ଚନ୍ଦ୍ରଗୁପ୍ତ କହିଲେ,ମୁଁ ଏହି କାର୍ଯ୍ଯ କରି ପାରିବି l ଏଥି ପାଇଁ ତାଙ୍କୁ ବନ୍ଦି ଘରୁ ଅଣା ଗଲା l ଚତୁର ଚନ୍ଦ୍ରଗୁପ୍ତ ଗୋଟିଏ ଲୁହାଛଡ଼ ଗରମ କରି ଆଣି ପିଞ୍ଜରାରେ ଲଗାଇଦେବାରୁ ପିଞ୍ଜରା ଏବଂ ସିଂହ ତରଳି ଲାଖରେ ପରିଣତ ହୋଇଗଲେ l ଏଥର ଚନ୍ଦ୍ରଗୁପ୍ତ ବନ୍ଦିମୁକ୍ତ ହୋଇ ପୁନର୍ବାର ରାଜ ଦରବାରରେ ଅବସ୍ଥାପିତ ହେଲେ l ତାଙ୍କ ଠାରେ ସମସ୍ତ ରାଜକୀୟ ଗୁଣ ଓ ଠାଣି ରହିଥିଲା l ଏଥି ପାଇଁ ସର୍ବଦା ନନ୍ଦ ରାଜାଙ୍କ ଈର୍ଷାର ପାତ୍ର ହୋଇ ରହିଥିଲେ ସେ l ଇଆଡ଼େ ଚନ୍ଦ୍ରଗୁପ୍ତଙ୍କ ହୃଦୟରେ ମଧ୍ୟ ପ୍ରତିଶୋଧର ବହ୍ନି ଜଳୁଥାଏ l

ସେତେବେଳେ ଭାରତ ବର୍ଷରେ ପାଣ୍ଡିତ୍ୟରେ ବହୁ ସୁଖ୍ୟାତି ଥାଏ ଚଣକଙ୍କ ପୁତ୍ର ଚାଣକ୍ୟଙ୍କର l ବହୁ ଶାସ୍ତ୍ରବିତ୍ ଚାଣକ୍ୟ ତକ୍ଷଶିଳା ବିଶ୍ଵବିଦ୍ୟାଳୟରେ ଜ୍ୟୋତିଷ,ରାଜନୀତି,ଅର୍ଥନୀତି ଓ କୂଟନୀତିରେ ଆଚାର୍ଯ୍ୟ ଥିଲେ l ସେ ପରିଚିତ ଥିଲେ, ଆଚାର୍ଯ୍ୟ ବିଷ୍ଣୁଗୁପ୍ତ ଓ କୋଟିଲ୍ୟନାମରେ l ଦିନେ ଗୁରୁକୁଳ କାର୍ଯ୍ୟରେ ସେ ପାଟଳୀପୁତ୍ର ଯାଇଥାନ୍ତି ଶୁଣିଲେ, ରାଜା ଧନନନ୍ଦ ବ୍ରାହ୍ମଣମାନଙ୍କୁ ବହୁ ଦାନଦକ୍ଷିଣା ଦେଉଛନ୍ତି l ଦାନଆଶାରେ ସେ ଯାଇ ଧନନନ୍ଦଙ୍କ ଦରବାରରେ ପହଞ୍ଚିଲେ l ଦରବାରରେ ଗୋଟିଏ କୁତ୍ସିତ ବ୍ରାହ୍ମଣ ବସିଥିବା ଦେଖି, ତାଙ୍କୁ ସେଠାରୁ ତଡ଼ିଦିଅ ବୋଲି, ଧନନନ୍ଦ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଲେ l ଏଥିରେ ପ୍ରତିବାଦ କରିବାରୁ କର୍ମଚାରୀ ମାନେ ଚାଣକ୍ୟଙ୍କୁ ତାଙ୍କ ମୁଣ୍ଡରେ ଥିବା ଚୁରକିକୁ ଧରି ଧକ୍କାମାରି ତଳକୁ ଗଡ଼ାଇଦେଲେ l କ୍ରୋଧିତ ଚାଣକ୍ୟ ସେଇଠି ଠିଆ ହୋଇ ତାଙ୍କର ଚୁରକିକୁ ଉନ୍ମୁକ୍ତ କରିଦେଇ କହିଲେ,"ଆଜି ଠାରୁ ଏ ଜଟା ମୋର ଉନ୍ମୁକ୍ତ ରହିଲା, ମୁଁ ଏ ନନ୍ଦବଂଶକୁ ଧ୍ଵଂସ କଲେ ଯାଇ ଏଥିରେ ଗଣ୍ଠି ପଡ଼ିବ l

ମହାରୋଷରେ ଚାଣକ୍ୟ ନନ୍ଦ ଦରବାରରୁ ଫେରି ଆସୁଥାନ୍ତି, ବାଟରେ ଗୋଟିଏ କୁଶବୁଦା ଉପରେ ତାଙ୍କ ଗୋଡ଼ ପଡ଼ି ଗଲା l ଗୋଟିଏ ତୀକ୍ଷଣ କୁଶ ତାଙ୍କ ପାଦରେ ଟପ୍ କରି ଫୁଟିଯାଇ ପ୍ରଚୁର ରକ୍ତ ସ୍ରାବ ସହ ଅସହ୍ୟଯନ୍ତ୍ରଣା ହେଲା l ସେ ପାଖରେ ଦେଖିଲେ ଜଣେ ଦହି ବିକାଳି ବସି ଦହି ବିକୁଛି l ତା' ପାଖରୁ ସେ ହାଣ୍ଡି ହାଣ୍ଡି ଦହି କିଣିଆଣି କୁଶ ବୁଦା ମୁଳରେ ଢାଳିବାରେ ଲାଗିଲେ l ପ୍ରତିଶୋଧ ଚିନ୍ତାରେ ଚନ୍ଦ୍ରଗୁପ୍ତ ବୁଲୁ ଥିଲା ବେଳେ ଏହି ଦୃଶ୍ୟ ଦେଖିଲେ l ଚାଣକ୍ୟଙ୍କୁ ଏପରି କରୁଥିବା କାରଣ ସେ ପଚାରିବାରୁ ଚାଣକ୍ୟ କହିଲେ,ମୁଁ ଏହି କୁଶ ବୁଦାର ମୂଳୋତ୍ପାଟନ ଚାହେଁ l ସମ୍ପୂର୍ଣ୍ଣ ବିନାଶ !!! ଏଥିପାଇଁ ଏହା ମୂଳରେ ମୁଁ ଦହି ଢାଳୁଛି l ପିମ୍ପୁଡ଼ି ମାନେ ଦହିଲୋଭରେ ଆସି ଏହାର ମୂଳକୁ ଖାଇ ଏହାକୁ ସମ୍ପୂର୍ଣ୍ଣ ରୂପେ ଧ୍ୱଂସ କରିବେ l

ଚନ୍ଦ୍ରଗୁପ୍ତ ଜ୍ଞାନଦୀପ୍ତ ଚାଣକ୍ୟଙ୍କ ଚେହେରା ଦେଖି ବୁଝିଗଲେ ଏ କୌଣସି ସାଧାରଣ ବ୍ୟକ୍ତି ନୁହଁନ୍ତି l ଏଇ ହିଁ ମୋର ପ୍ରକୃଷ୍ଠ ଗୁରୁ l କୁଶ ବୁଦାକୁ ଧ୍ଵଂସ କରିବା ପାଇଁ ଏହାଙ୍କ ଜିଦ୍ ମୋତେ ନନ୍ଦ ବଂଶର ମୂଳୋତ୍ପାଟନ କରିବା ସ୍ବପ୍ନରେ ନିଶ୍ଚୟ ସହାୟକ ହେବ l ଚାଣକ୍ୟଙ୍କୁ ତାଙ୍କର ସମସ୍ତ ଅନ୍ତର୍ବେଦନା ଚନ୍ଦ୍ରଗୁପ୍ତ ଜଣାଇଲେ l ସମସ୍ତ ରାଜ ଲକ୍ଷଣ ଯୁକ୍ତ ଚନ୍ଦ୍ରଗୁପ୍ତଙ୍କୁ ପାଇ କୌଟିଲ୍ୟ କହିଲେ,' ତୁମେ ହିଁ ମୋର ଉପଯୁକ୍ତ ଶିଷ୍ୟ l ମୋର ଓ ତୁମର ଲକ୍ଷ୍ୟ ଏକ l ଚନ୍ଦ୍ରଗୁପ୍ତଙ୍କୁ ସେ ଶିଷ୍ୟ ରୂପେ ଗ୍ରହଣ କରି ତାଙ୍କୁ ସମସ୍ତ ରଣନୀତି, ରାଜନୀତି ଓ କୂଟନୀତି ଶିକ୍ଷାଦେଲେ l ପରବର୍ତ୍ତୀ କାଳରେ ସେ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ବୋଲାଇ ନନ୍ଦରାଜାଙ୍କୁ ଗାଦିଚ୍ୟୁତ କରି ପାଟଳୀପୁତ୍ରର ରାଜ ସିଂହାସନ ଅଧିକାର କଲେ

ଏବଂ ଭାରତରେ ପ୍ରତିଷ୍ଠା କଲେ ବିଶାଳ ମୌର୍ଯ୍ୟ ସାମ୍ରାଜ୍ୟ l



Rate this content
Log in

Similar oriya story from Inspirational