ଚା' ଖର୍ଚ୍ଚ
ଚା' ଖର୍ଚ୍ଚ
କରୁଣା ବୁଢ଼ା ହେଇଗଲାଣି l କାମକୁ ଆଉ ଏତେଟା ପାରୁନି l ଅଧା ଜୀବନ ତାର ଭରତ ବାବୁଙ୍କ କ୍ଷେତ ଖଳାରେ କାମ କରି କରି କଟିଯାଇଥିଲା l ତାଙ୍କରି ଘରେ ଖଟି ପିଟି ପିଲାରୁ ଦରବୁଢ଼ା ହେଇଥିଲା କରୁଣା l ଭରତବାବୁ ପିଲାଦିନୁଁ କରୁଣା କୁ ଦେଖିଆସୁଥିଲେ l କରୁଣା ତାଙ୍କ ସମବୟସ୍କ l ପିଲାଦିନେ ସେ ବହିବସ୍ତାନି ଧରି ସ୍କୁଲ ଯାଉଥିବା ବେଳେ କରୁଣା ତାଙ୍କ ଘର ଗାଈ ଗୋରୁଙ୍କ ଖବର ବୁଝେ, ଖଳାରେ କଚଡ଼ା ପିଟେ, ଶାଗ କିଆରୀ ରେ ପାଣି ମଡାଏ ଆଉ ପୁଣି କେବେ ଭରତବାବୁଙ୍କ ବାପାଙ୍କ ଗୋଡ଼ ହାତ ବଥା ଦରଜ କଲେ ତେଲ ମାଲିସ କରି ତାଜା କରିଦିଏ l କରୁଣା ସମସ୍ତଙ୍କ କାମ ଅନାୟାସରେ କରେ l ସେ ତାର ଅଳ୍ପ କେଇଟଙ୍କା ଦରମା ବ୍ୟତୀତ ବେଶି କିଛି ଦାବୀକରେନି l
ସେହି କରୁଣା ଆଜି ବୃଦ୍ଧ ଅସହାୟ l ଭରତବାବୁ ମଧ୍ୟ ଅବସର ନେଇ ଘରେ ବସିଛନ୍ତି l ତାଙ୍କ ପିଲାମାନେ ପାଠ ପଢ଼ି ବିଦେଶ ରେ ବଡ ବଡ ଚାକିରୀ କରୁଛନ୍ତି l ଘରେ ଏବେ ଭରତବାବୁ ଓ ସ୍ତ୍ରୀ ସୁଶୀଳାଦେବୀଙ୍କ ବ୍ୟତୀତ ଜଣେ ଖାଲି ରୋଷେୟା ନନା l କ୍ଷେତ ବିଲ କାମ ସବୁ ବହୁଦିନରୁ ବନ୍ଦ କରି ଭାଗଚାଷୀ ଙ୍କୁ ଦିଆହୋଇଗଲାଣି l କରୁଣାର ଏବେ ଆଉ ଭରତବାବୁଙ୍କ ଘରେ କିଛି କାମ ନାହିଁ l ସେ ଵି ଅନେକ ଦିନ ଆଗରୁ ଭରତବାବୁଙ୍କ ଘରେ କାମ ଛାଡ଼ି ଅନ୍ୟଲୋକଙ୍କର ବିଲ ବାଡ଼ି କାମ ଧରିସାରିଥିଲା l
ଆଜି ବହୁଦିନ ପରେ ଭରତବାବୁ ଛକରୁ ଗାଁକୁ ଫେରୁଥିବା ବେଳେ କରୁଣା କୁ ଦେଖିଲେ l ସେ ରାସ୍ତାକଡ଼ ବିଲ ର ହିଡ଼ତଳେ ବସି ତଳକୁ ମୁହଁ ହାଣି ଚର ଚର କରି ଘାସ କାଟିପକାଉଥିଲା l ଭରତବାବୁ ବଡ ପାଟି ଟାଏ କରି କରୁଣାର ନାଁ ଧରି ଡାକିଲେ l କରୁଣା ଦାଆଟା ତଳେ ଥୋଇଦେଇ ଲୁଙ୍ଗିଟାରେ ହାତକୁ ପୋଛି ପକାଇ ଆସି ଭରତବାବୁଙ୍କ ସାମ୍ନା ରେ ଠିଆ ହେଲା l ତାର କଙ୍କାଳସାର ଦେହ ଓ ପେଜୁଆ ଆଖିକୁ ଦେଖିଲେ ଜଣାପଡିଯାଉଛି ଯେ ବୟସର ଶକ୍ତ ପ୍ରହାର ତାକୁ ଆହୁରି ଜରାଜୀର୍ଣ୍ଣ କରିପକେଇଛି l
--ହଇରେ କରୁଣା ! ତୁ ଏ ବୟସ ରେ ଆସି ଏଠି ଘାସ କାଟୁଛୁ ? ଦେହରେ ତ ବଳନାହିଁ ଆହୁରି ରୋଜଗାର କରିବାକୁ ମନ? ମତେ ଦେଖେ ଛକରୁ ଘରକୁ ଆସୁ ଆସୁ ଦୁଇଜାଗା ବସି ବସି ଆସିଲିଣି l
--ବାବୁ ଆପଣଙ୍କର ତ ପେନସନ ଅଛି, ଆଉ ଡର କଣ? ଆମକୁ ତ ମଲାଯାଏଁ ଖଟିବାକୁ ପଡିବ l
--କାହିଁକି ତୁମକୁ କଣ ସେ ଭତ୍ତା ଫତା କିଛି ମିଳୁନି ନା କଣ?
--ସିଏ କେତେ କି ? ସମୁଦ୍ର କୁ ପା ଶଙ୍ଖେ l ବଡପୁଅ ଟା ମଣିଷ ହେଲାନି l ନିତି ମଦ ପିଇ ମାତାଲ ହେଇ ଘରକୁ ଫେରୁଛି l ଯାହା ଯୋଉଠୁ ଟଙ୍କେ ଅଧେ ମିଳୁଛି ସବୁ ତା ଅକ୍ତିଆର ରେ l ବୁଢୀ କାଶି କାଶି ରାତିରେ ଶୁଆଇଦେଉନି l ତାକୁ କଫସିରାପ ଟେ ପା କିଣିଦେବାକୁ ପଇସା ଯୁଟେଇ ପାରୁନି l
--ଆଉ କଣ ଏଇ ଘାସ କାଟି ତୁ ସବୁ ସମ୍ଭାଳି ଦେଉଛୁ?
--ବାବୁ ! ଏ ଘାସ କଟା ଟଙ୍କା ଟା କେବଳ ମୋରି ଖର୍ଚ୍ଚ ପାଇଁ l
--କି ଖର୍ଚ୍ଚ କିରେ?
--ଆପଣଙ୍କର ମନେଥିବ ବୋଧେ ବାବୁ ମୁଁ ଆପଣଙ୍କ ଘରେ କାମ କରୁଥିଲା ବେଳେ ନିତି ସକାଳେ ସଞ୍ଜେ ସୁକା ଦୋକାନ କୁ ଯାଉଥିଲି ଚା' ପିଇବାକୁ l ସେଇ ଅଭ୍ୟାସଟା ରହିଯାଇଛି l ତା ଦୋକାନରେ ଦିନକୁ ଥରେ ଯାଇ ବସି ଚା' ନପିଇଲେ କାହିଁକି କେଜାଣି ଜମା ଭଲ ଲାଗେନି l
--ଆରେ ହଁ ହଁ l ଏ ଘାସ କଣ ରୋଜ ବିକ୍ରି ହେଇଯାଏ ?
--ଗାଈ ଗୋରୁ ଆଉ କିଏ ରଖୁଛି ବାବୁ ? କଁl ଭାଁ କେମିତି କାହାର ଅଛି l କୋଉଦିନ ବିକ୍ରି ହୁଏ ତ ଆଉ କୋଉଦିନ ଖାଲି ହାତ l ଯୋଉଦିନ ନହେଲା ସେଦିନ ଚା' ଦୋକାନ କୁ ଯାଏନି l ସୁକା ପଇସା ନଦେଖିଲେ ବାକିରେ ଦେବନି l ବାବୁ ! ଆପଣଙ୍କ ଗୋରୁ ଗୁଡାକ ସବୁ କଣ ବିକ୍ରି ବଟା ହେଇଗଲେ? ଆଉ ଗୋଟେ କି ନଥିବ ବୋଧେ?
ଭରତ ବାବୁ କଣ ଭାବିଲେ କେଜାଣି ଟିକେ ଅନ୍ୟମନସ୍କ ହେଇପଡ଼ି ପୁଣି କହିଲେ, "ନାହିଁ କିଏ କହିଲା l ଅଛି ଗୋଟେ ବାଛୁରୀ l ଘାସ କୋଉଠୁ ପାଉନୁ ତାକୁ ଦେବାକୁ l ଆରେ କରୁଣା ସୁକା କପେ ଚା' କୁ କେତେ ନିଏ କିରେ?
--ବାବୁ ଆଗରୁ ଦୁଇଟଙ୍କା ନେଉଥିଲ l ଏବେ ପାଞ୍ଚେ ନେଉଛି l
--ଆଉ ତୋର ଘାସ ବିଡ଼ାକୁ କେତେ?
--ପାଞ୍ଚ ଟଙ୍କା ତ ମାଗେ l କିଏ ତିନି ତ କିଏ ଦୁଇ ଦିଅନ୍ତି l ବିକିରି ତ କରିବାର ଅଛି ଯିଏ ଯାହା ଦେଲା ରଖିଦିଏ l
--ହଉ ତୁ କାଲି ଠୁ ସଞ୍ଜକୁ ଆମ ଘର ଆଡେ ଘାସ ନେଇକରି ଆସେ l ମୁଁ ଯାଉଛି ସଞ୍ଜ ହେଲାଣି l ଆସିବୁ ମନେ କରିକି l
--ହୋଉ ବାବୁ l ରହିଲି l ଜୁହାର l
ଭରତବାବୁ ବଡ ବଡ ପାଦ ପକେଇ ଘରକୁ ଆସିଲେ l ତହିଁ ଆରଦିନ ଠୁ କରୁଣା ରୋଜ ଘାସ ବିଡ଼ାଟେ ଧରି ଭରତବାବୁଙ୍କ ଗେଟ ଭିତରକୁ ପଶିଯାଏ l ସୁଶୀଳାଦେବୀ ଦୁଇକପ ଚା' ଧରି ଆସନ୍ତି l କରୁଣା ପାଇଁ ପିଣ୍ଡା ଉପରେ ଥୋଇ ଦେଇଯାଆନ୍ତି ଆଉ ଭରତବାବୁଙ୍କ ଚା' ଟା ଟିପୟ ଉପରେ l ଦୁହେଁ ଚା' ପିଅନ୍ତି ଓ ଗପ ଯୋଡନ୍ତି l କେବେ କେବେ ଚା'ସହ ଵିସ୍କିଟ କି ପକୁଡି ଵି କରୁଣା ଖାଏ l ସେଥିରୁ କିଛି ଅଣ୍ଟି ରେ ଖୋସି ନାତି ପାଇଁ ଵି ନେଇଯାଏ l ସବୁଦିନ ଫେରିଲା ବେଳକୁ ଭରତ ବାବୁ କରୁଣା ହାତରେ ପାଞ୍ଚଟଙ୍କିଆ କଏନ୍ ଟିଏ ଧରେଇ ଦିଅନ୍ତି l କେବେ କେମିତି ରେଜା ନଥିଲେ ଦଶ କି କୋଡିଏ ଟଙ୍କିଆ ନୋଟ୍ ଟେ ଦେଇଥିଲେ କରୁଣା ଆରଦିନ ବାକି ଟଙ୍କା ଫେରେଇଦିଏ ନହେଲେ ଘାସ ପଇସା ରୁ କାଟିଦିଏ l ରଖିଦେଲୁନି କାହିଁକି ପଚାରିଲେ କହେ, "ବାବୁ ! ଯେତିକି ପ୍ରାପିଅ ତା ଠୁ ବେଶି ରଖିଲେ ପାପ ଲାଗିବ l ମୋଫତ ଟଙ୍କା କଣ ହଜମ ହୁଏ? "
ଦିନ ପରେ ଦିନ କଟିଗଲା l ଯେତେ ଶୀତ, ଖରା କି ଝଡି ବର୍ଷା ହେଲେ ମଧ୍ୟ କରୁଣାର ଘାସ କଟା ବନ୍ଦ ହୁଏନି କି ତାର ଭରତବାବୁଙ୍କ ଘରକୁ ଆସିବା ଅଟକି ଯାଏନି l କୋଉଦିନ ଦେହ ଠିକ ନଲାଗିଲେ ମଧ୍ୟ ଏମିତି ନହେଲେ ସେ ବିଡ଼ାଟେ ଘାସ କାଟିନେଇ ଭରତଙ୍କ ଘରକୁ ଚାଲିଆସେ l
କରୁଣା କୁ ଦୁଇଦିନ ହେଲା ଥଣ୍ଡା ଜର l ଘାସ କାଟିବାକୁ ଯାଇପାରିନି l ଦୁଇଦିନ ପରେ ଟିକେ ଦେହ ଠିକ ଲାଗିବାରୁ ସଞ୍ଜ ନଇଁଲା ବେଳକୁ ଘାସବିଡ଼ାଏ ଧରି ସେ ଧୀରେ ଧୀରେ ଆସି ଭରତବାବୁଙ୍କ ପିଣ୍ଡା ରେ ଠିଆ ହେଲା l କବାଟ ଭିତରୁ ବନ୍ଦ ଅଛି l ସୁଶୀଳା ଓ ଭରତଙ୍କ କଥୋପକଥନ ବାହାରକୁ ଶୁଭାଯାଉଛି l ଭରତବାବୁ ସୁଶୀଳାଙ୍କୁ କରୁଣା ଆସିଥିଲା କି ନାହିଁ ପଚାରୁଛନ୍ତି l ସୁଶୀଳା ଦେବୀ ଚିଡି ଉଠି କହୁଛନ୍ତି,
--କାହିଁକି ତାକୁ ମିଛ କହି ଘାସ ବିଡ଼ାଏ ରଖୁଛ? ବିଡ଼ାଟା ଯାକ ଘାସ ବେକାରଟାରେ ବାଡ଼ି ରେ ପଡିକି ନଷ୍ଟ ହେଉଛି l ସେ ଆଉ କାହାକୁ ବିକିଲେ ହେଲେ କୋଉ ଗାଈ କି ବାଛୁରୀ ଖାଆନ୍ତା l
--ସେ କଣ ଆଉ କୋଉଠି ବିକୁନଥିବା କି ? ମୁଁ ଖାଲି ବିଡ଼ାଏ ରଖୁଛି ନାଁ ତା ଚା' ଖର୍ଚ୍ଚ ପାଇଁ l
--କାହିଁକି ରଖୁଛ?ସେଇମିତି ପାଞ୍ଚଟଙ୍କା ଟେ ଦେଇଦେଲେ ହୁଅନ୍ତାନି ? ମୁଁ ଦିନି କୋଉଠୁ ଗାଈ ଖୋଜିବି ସେ ଘାସ କୁ ଖୁଏଇବା ପାଇଁ?
--ତମେ କଣ ଜାଣିନ?ସେ ସେମିତି ରଖିବନି l ତା ଚା' ଖର୍ଚ୍ଚ ସେ ନିଜେ ଉଠେଇବାକୁ ଚାହେଁ l
ଦୁହିଁଙ୍କ କଥା ଶୁଣି କରୁଣା ଚୁପ୍ ଚାପ୍ ପଳେଇ ଯାଉଥିଲା ରୋଷେଇଆ ବନ ଝରକା ସେପଟୁ ଦେଖି ପକେଇ ଡାକ ଟେ ପକେଇଦେଲା, "ଆରେ କରୁଣା ଭାଈ ! ଦୁଇଦିନ ହେଲା କୁଆଡେ ଯାଇଥିଲ କି ? ବାବୁ ଖୋଜୁଥିଲେ l"
ଭରତବାବୁ ରୋଷେଇଆ ର ପାଟିଶୁଣି କବାଟ ଖୋଲି ବାହାରକୁ ଆସି ଦେଖିଲେ କରୁଣା ତରତର ହେଇ ଗେଟ୍ ବାହାରକୁ ପଳାଉଛି l ପଛରୁ ଡାକିଲେ ବି ତାକୁ ଆଉ ଶୁଭାଗଲା ନାହିଁ ବୋଧେ l କରୁଣା ସେହି କେହି ସେକେଣ୍ଡ୍ ଭିତରେ ଗେଟ୍ ସାମ୍ନାରୁ ଅନ୍ତର୍ଧ୍ୟାନ ହେଇଗଲା l
ସେଇଦିନୁଁ କରୁଣା ଆଉ ଭରତଙ୍କ ଘର ଆଡେ ଆସୁନଥିଲା l କିଛିଦିନ ଉତ୍ତାରେ କରୁଣାର ଦୁଆରେ ପିଲାଟିଏ ଯାଇ ତାକୁ ଡାକ ପକେଇଲା l କରୁଣା କୁ ବାହାରକୁ ଆସିବା ଦେଖି କହିଲା, " ଭରତବାବୁ ପଠେଇଛନ୍ତି l ଏବେ ଚାଲ "l
କରୁଣା ଡରି ଡରି ଯାଇ ଭରତଙ୍କ ପିଣ୍ଡାତଳେ ଠିଆ ହେଲା l କିଛି ସମୟ ପରେ ଭରତବାବୁ ଘର ପଛପଟ ବଡ଼ିଆଡୁ ଛୋଟ ବାଛୁରୀଟିଏ ଧରି ପିଣ୍ଡା ପାଖକୁ ଆସିଲେ l ଘର ଆଗ ଖୁଣ୍ଟରେ ବାଛୁରୀଟିକୁ ବାନ୍ଧି ଦେଇ ତା ମୁଣ୍ଡ ଆଉ ପିଠି ଆଉଁଶି ପକେଇଲେ l କରୁଣା ଆଡକୁ ଦେଖିଲେ ନାହିଁ କିମ୍ବା ଶବ୍ଦଟିଏ ବି ପାଟିରୁ ବାହାର କଲେନାହିଁ l
କରୁଣା ଏଥର ପାଟି ଖୋଲିଲା l ଖୁବ୍ ଧୀରେ କହିଲେ, "ବାବୁ ! ମୋତେ ଡାକିଥିଲେ? "
ଭରତବାବୁ ଧୀର ଅଥଚ ଗମ୍ଭୀର ଗଳାରେ କହିଲେ, "ତୋର ବୋଧେ ଚା' ପାଣି ପାଇଁ ଟଙ୍କା ଟା ଯୋଗାଡ଼ ହେଇଯାଉଥିବ l ନୁହେଁ ? ଆଉ ଘାସ କାଟୁଛୁ ନାଁ ବନ୍ଦ କରିଦେଲୁଣି ? ଯଦି କାଟୁଥାଉ କାଲିଠୁ ବିଡ଼ାଏ ଘାସ ଆଣି ଆସିପାରିବୁ ଏଇ ଟିକି ବାଛୁରୀ ଟି ପାଇଁ ? କେବଳ ବିଡ଼ାଟେ କାଟିବୁ l ଦେହ ତୋର ଭଲ ରହୁନି l ବେଶି ଲୋଭ କରିବୁନି l "
କରୁଣା ଆଖିରୁ ଲୁହ ଝର ଝର ହେଇ ଖସି ପଡୁଥିଲା l ଗାମୁଛା ରେ ମୁହଁ କୁ ପୋଛିପକେଇ ଭରତଙ୍କ ଗୋଡ଼ କୁ ଧରି ପକେଇ କହିଲା, "ବାବୁ ! ମୋର ଭୁଲ ହେଇଛି l ମୁଁ ସ୍ୱାର୍ଥପର ହେଇଯାଇଥିଲି l ମୁଁ ଖାଲି ମୋ କଥା ଭାବୁଥିଲି l ମୋତେ କ୍ଷମା କରନ୍ତୁ ବାବୁ l"
ଭରତବାବୁ ବାଛୁରୀକୁ ଛାଡ଼ି କରୁଣାକୁ ଧରିଲେ l ତାକୁ ତଳୁ ଉଠେଇ ଆଣି ପିଣ୍ଡାରେ ବସେଇଲେ l ସୁଶୀଳାଙ୍କ ନିର୍ଦେଶ ପାଇ ବନ ଦୁଇକପ ଚା' ଆଣି ପିଣ୍ଡାରେ ଥୋଇଲା l ସୁଶୀଳା ଦ୍ୱାର ସେପଟୁ ଥାଇ ଦେଖୁଥିଲେ ଅନେକ ଦିନ ପରେ ଆଜି ଭରତବାବୁ କେମିତି ଖୁସି ଖୁସି ଚା' କପ୍ ଟାକୁ ଫୁଙ୍କି ଫୁଙ୍କି ପିଉଥିଲେ ଆଉ କରୁଣାଠୁ ବଜାର ବିଷୟରେ କଣ ଗୋଟେ ପଚାରି ବୁଝୁଥିଲେ l
ଲୋପାମୁଦ୍ରା ମିଶ୍ର