ବୟସ ତ ଗଲାଣି
ବୟସ ତ ଗଲାଣି
ଦୟାନିଧି ବାବୁ ଜଣେ ଶ୍ୱାସରୋଗୀ,ପୋଷ୍ଟାଲ୍ ଚାକିରି ରୁ ଅବସର ନେଇଛନ୍ତି । ତାଙ୍କ ଘର ନିକଟରେ ତାଙ୍କର ଖଣ୍ଡିଏ ଜାଗା ଥିଲା ,ସେ ଜାଗାଟି ଅନାବନା ଗଛରେ ଜଙ୍ଗଲ ର ଭ୍ରମ ସୃଷ୍ଟି କରୁଥିଲା । ପୁଅ ଦୁଇଜଣ ପାଠପଢା ସାରି ଖଣ୍ଡିଏ ଲେଖାଏ ଛୋଟ କାଟିଆ କର୍ମ ସଂସ୍ଥାନ ପାଇ ସେଥିରେ ବ୍ୟସ୍ତ ଥାନ୍ତି । ସେ ପୋଷ୍ଟାଲ୍ ଚାକିରି ରେ ଥିବା ବେଳେ ଜଣେ ସଚ୍ଚୋଟ କର୍ମଚାରୀ ଭାବରେ ତାଙ୍କୁ ଅନ୍ୟ କେଉଁ କାମ ପାଇଁ ସମୟ ମିଳୁନଥିଲା । ଏବେ ଅବସର ନେବା ପରେ ସେ ଭାବିଲେ ,ମୁଁ ଏ ଖାଲି ପଡିଥିବା ଜାଗା ଟିକୁ ବିଭିନ୍ନ ପ୍ରକାରର ଗଛରେ ଭରପୁର କରିଦେବି। ପ୍ରତିଦିନ ସକାଳେ ଓ ଓପରବେଳା ଜାଗାଟି ରେ ଗଛ ଲଗାଇ ତାର ଯତ୍ନ ନିଅନ୍ତି । ଗଛରେ ପାଣିଦେବାପାଇଁ ନଳକୂପ ଟିଏ ବସାଇଥାନ୍ତି । ଉତ୍ତର ବୟସରେ ଅକ୍ଳାନ୍ତ ପରିଶ୍ରମ କରିବା ଯୋଗୁ, ବେଳେ ବେଳେ ପୁରୁଣା ଶ୍ଵାସ ରୋଗଟି ବାହାରି ପଡୁଥାଏ । ସ୍ତ୍ରୀ ତାଙ୍କର କୁହନ୍ତି ଆଉ କୋଉ ବୟସ ଅଛି ଯେ ଗଛ ଲଗାଇ ,ସେଥିରୁ ଆମ୍ବ,ପଣସ,ଲେମ୍ବୁ, ବେଲ ପ୍ରଭୁତି ଫଳ ଖାଇବ ? ଖାଲି ଏଇଥିରେ ଘାଣ୍ଟି ହୋଇ, ପୁରୁଣା ଶ୍ଵାସ ରୋଗଟି କୁ ନିମନ୍ତ୍
ରଣ କରି ଆଣୁଛ। ସ୍ତ୍ରୀ ଙ୍କର ଏହି କଥା ଶୁଣି ଦୟାନିଧି ବାବୁ କହିଲେ, ତୁମେ ଏ କଣ କହୁଛ ସାବିତ୍ରୀ ? ମୁଁ ହୁଏ କିମ୍ବା ତୁମେ ,ଜୀବନ କାଳ ଭିତରେ ଯେତେ ଫଳ ପନିପରିବା ଖାଉଛନ୍ତି ସେ ଗଛଗୁଡିକ କଣ ଆମେ ଲଗାଇ ଥିଲେ ? ଅନ୍ୟ କେଉଁ ସଜ୍ଜନମାନେ ଗଛ ଲଗାଇ ଥିଲେ, ତହିଁରୁ ଅମଳ ହେଉଥିବା ଫଳ,ଫୁଲ, ପନିପରିବା ଯେମିତି ଆମେ ଖାଉଛେ ,ସେକଥା ଭାବିଲ ,ଆମେ ଯଦି ଭାବିବା ଆମର ବୟସ ନାହିଁ ଏ ଗଛର ଉତ୍ପାଦ ଖାଇବାକୁ, ତେବେ ଏ ସଂସାର ରେ ପିଢି ପରେ ପିଢି ତିଷ୍ଠି ରହି ପାରିବ ତା?ଈଶ୍ବର ଆମକୁ ଅନନ୍ୟ ସମ୍ଭାରର ଗନ୍ତାଘର ଦେଇଛନ୍ତି । ସର୍ବଂସହା ମାତା ବସୁମତୀ ପାଖରେ ଆମେ ଚିର ଋଣୀ। ଈଶ୍ବରଙ୍କ ନିତ୍ୟ,ନୈମିତ୍ତିକ, ଅକଳ୍ପନୀୟ ଭାବରେ ପ୍ରବାହିତ ହେଉଥିବା ଏ ଧାରାକୁ ସମ୍ମାନ ଦେଇ, ସେହି ପଥରେ ଅନୁପ୍ରାଣିତ ହେଲେ ତାର ସୁଦୂରପ୍ରସାରୀ, ସୁମଧୁର, ସୁଫଳରୁ ବଞ୍ଚିତ ହେବେ ନାହିଁ ଆମ ଆଗାମୀ ଯୁବ ପିଢି । ଏ କଥା ଟି ସାବିତ୍ରୀ ଙ୍କ ମନରେ ପ୍ରଭାବ ପକାଇଲା । କଥାର ବାସ୍ତବତାକୁ ଅନୁଭବ କରି, ସେ ମଧ୍ୟ ଅବସର ସମୟରେ ସ୍ବାମୀ ଙ୍କ ସହିତ ସହଯୋଗ କରିବାକୁ ମନସ୍ଥ କରିଲେ ।