Akshayakumar Dash

Fantasy Inspirational Others

3  

Akshayakumar Dash

Fantasy Inspirational Others

ବଟ ଭାଇ

ବଟ ଭାଇ

3 mins
240


ଆମ ପଡିଶା ବଡଭାଇ ବଟ ଭାଇ । ବିଜୁଳି ଆଲୋକ ଭିଭାଗର କର୍ମଚାରୀ ।ଯେତେବେଳେ ସମୟ ପାଏ ତାଙ୍କ ଘର ଆଡ଼େ ବୁଲି ଆସେ । ସେମିତି ନିର୍ଦ୍ଦିଷ୍ଟ ସମୟରେ ନୁହେଁ । କେତେବେଳେ ସକାଳୁ ତ ଆଉ କେତେବେଳେ ମଧ୍ୟର୍ବୀକାଳୀନ ସମୟ, ସନ୍ଧ୍ୟା ତ ରାତି । ସଦାବେଳେ ବଟ ଭାଇଙ୍କ ଗୋଟିଏ କଥା, ଅଖି ବସ । ବଟ ଭାଇର କୌଣସି କାମ ଥିଲେ ସେ କରୁଥିବେ ମୁଁ ତାଙ୍କ ଖଟ ଉପରେ ବସି ଟିଭି ଦେଖୁଥିବି ବା ସେଠାରେ ଶୋଇପଡ଼େ । ମତେ କାହିଁକି ସେଠାରେ ଭଲ ଲାଗେ । ଘରେ ରହିବାକୁ ମୋଟେ ଭଲ ଲାଗେନାହିଁ । ଭାଉଜ ପାନ ଖଣ୍ଡେ ଭାଙ୍ଗି ହାତରେ ବଢେଇ ଦିଅନ୍ତି । ଆଗରୁ ପାନ ଖାଇବାର ଅଭ୍ୟାସ ଥିଲା ।ପାନକୁ ଚୋବେଇ ଛେପ ପକେଇ ଶୋଇପଡ଼େ ତାଙ୍କ ଖଟ ଉପରେ । ତାଙ୍କର ଗୋଟିଏ କୋଠରୀ ଥିଲା ।ଆଉ ଗୋଟିଏ ରୋଷେଇ ଘର । ରୋଷେଇ ଘର ଲାଗି ଉଚ୍ଚା ପିଣ୍ଢା । ଖରାଦିନେ ଏହି ପିଣ୍ଢାରେ ବସିଲେ ନିଦ ଆସେ । ବଟ ଭାଇ କାମ ସାରି ଆସନ୍ତି। ମତେ ଉଠାନ୍ତି। ଭାଉଜଙ୍କୁ କୁହନ୍ତି ଅଖିକୁ ଚାହା ଦିଅ । ଓ ନିଜେ ପାନ ଡାଲା ପାଖରେ ବସି ପାନ ଭଙ୍ଗାନ୍ତି । ମତେ ଗୋଟିଏ ଦେଇ ନିଜେ ଖାଆନ୍ତି । ଦିନେ ଦିନେ ଭାଉଜ ଓ ବଟ ଭାଇ କୌଣସି କାମ କରୁଥିବେ ଦେଖି ମୁଁ ତାଙ୍କ ପାନ ଡାଲା ପାଖରେ ବସି ପାନ ଭାଙ୍ଗି ଦିଏ ଓ ନିଜେ ଚୋବାଏ । କଦବାଏ କେମିତି ତାଙ୍କ ଘରେ ଆମିଷ ,ମାଛ, କି ମାଂସ, ଅଣ୍ଡା ତରକାରୀ ଭାଉଜ ରାନ୍ଧିଥିଲେ, ବଟ ଭାଇ ଖାଇବାକୁ ଡାକନ୍ତି । ଦୁଇ ଜଣଙ୍କର ପତ୍ର ପଡେ ।

ସେଦିନ ଥାଏ ରବିବାର ଭାଲୁକୁଣୀ ଓଷା । ମୁଁ ତାଙ୍କ ଘରକୁ ଯାଇଥାଏ । ବଟ ଭାଇଙ୍କ ତିନି ଝିଅ । ସେମାନେ ପୂଜା କରୁଥିଲେ ।ଭାଉଜ ବସି ପିଲାମାନଙ୍କୁ ଭୋଗ ରାଗ ଯୋଗାଉଥିଲେ । ମତେ ଦେଖି ବଟ ଭାଇ କହିଲେ, ବସ ଭୋଗ ଖାଇ ଯିବୁ । ଝିଅମାନେ ଖୁଦୁରୁକୁଣୀ ଓଷା ବହି ପଢୁଥିଲେ । କିଛି ଲୋକଙ୍କର କୋଳାହଳ ଶୁଭିଲା ।କୋଳାହଳ ଥିଲା ଦୁଇଟି ଘର ଛାଡ଼ି । ଆମେ ଦେଖିବାକୁ ଗଲୁ । ଦେଖିଲୁ , ବିସୁନିଆ କକେଇ ଖୁଡୀଙ୍କୁ ପିଟୁଛନ୍ତି । ଖୁଡୀ ବିକଳରେ ଚିତ୍କାର କରୁଛନ୍ତି । ସେମିତି କିଛି କାରଣ ନଥିଲା । କେବଳ ଛୋଟ ଛୋଟ କଥାରେ ଦୁହିଁଙ୍କ ଝଗଡା । ଖୁଡୀଙ୍କୁ ପିଟିବା ତାଙ୍କର ଯେମିତି ଗୋଟେ ଅଭ୍ୟାସ ।ନିଜ ରାଗକୁ ଖୁଡୀଙ୍କ ଉପରେ ସୁଝାନ୍ତି । ବାଡ଼ି ଧରି ଆଖି ବୁଜି ପିଟି ପକାନ୍ତି । ସବୁ ମାଡ଼ ସହି ଖୁଡୀ ରହିଯାନ୍ତି । ଅଧିକ ଆଘାତ ହେଲେ ଲୋକଙ୍କୁ ଡାକ ପକାନ୍ତି । ବଟ ଭାଇ ଯାଇ କୁସୁନିଆ ଭାଇ ହାତରୁ ବାଡ଼ି ଛଡାଇ ଆଣିଲେ । ଖୁଡୀଙ୍କୁ ଧରି ତାଙ୍କ ଘରକୁ ନେଇଆସିଲେ ।ଖୁଡୀ ବସି କଇଁ କଇଁ କାନ୍ଦୁଥାଏ । ମୁଁ ଯାଇ ବୋଧ କଲି । ମାଡ଼ ବସିଥିବା ଜାଗା ସବୁ ଫାଟି ରକ୍ତ ବହୁଛି । ଆମ ଘରୁ ପଟି ଆଣି ବାନ୍ଧି ଦେଲି ଓ ଔଷଧ ଆଣି ଖାଇବାକୁ ଦେଲି ।ଖୁଡୀଙ୍କ ଅବସ୍ଥା ଦେଖି ସେଦିନ ବହୁତ ଦୁଃଖ ଲାଗିଲା । ବଟ ଭାଇ କୁହନ୍ତି, ଏମାନଙ୍କ ଏହି ନାଟକ ପ୍ରତି ମାସରେ ହୁଏ । ମୁଁ ଯାଇ ଝଗଡା ଭାଙ୍ଗେ । ଦୁଇ ଜଣ ଭଲ ବେଳେ ମତେ ଗାଳିଗୁଲଜ କରନ୍ତି । ଭାଉଜ ବାରଣ କରନ୍ତି ତାଙ୍କ ଝଗଡା ବେଳେ ଯିବାକୁ । ବଟ ଭାଇ କଥା ଶୁଣି ମତେ ବଡ଼ ଆଶ୍ଚର୍ଯ୍ୟ ଲାଗେ । ମଣିଷ କ୍ରୋଧରେ ହିଂସ୍ର ହୋଇଯାଏ । ବିଚାରୀ ମାଡ଼ ଖାଇ କେମିତି ପଡିରହିଛି ? 

ବଟ ଭାଇ ଗ୍ରାମ ମୁରବି । ବହୁ ଲୋକ ନିଜ ଅସୁବିଧା ନେଇ କହିବାକୁ ଆସନ୍ତି । ବଟ ଭାଇ ଧର୍ଯ୍ୟର ସହ ଶୁଣି ତାର ପ୍ରତିକାର କରନ୍ତି । ନିଜ ପଡିଶାଙ୍କ ଭଲମନ୍ଦ ବୁଝନ୍ତି । ଗ୍ରାମର ପର୍ବ ପର୍ବାଣୀ ହେଲେ ବଟ ଭାଇ ଯୋଗ ଦେଇ କାମ ତଦାରଖ କରନ୍ତି । ତଥାପି ତାଙ୍କର ଶତ୍ରୁମାନେ ତାଙ୍କ ବିଷୟରେ ପଦାରେ ତାଙ୍କ ଅନୁପସ୍ଥିତରେ ତାଙ୍କ ବିରୁଦ୍ଧରେ ଗପନ୍ତି । ଯେଉଁମାନେ ତାଙ୍କ ବିରୁଦ୍ଧରେ କୁହନ୍ତି, ସେଇମାନେ ବି ତାଙ୍କ ସାହାଯ୍ୟ ପାଇଁ ଆସନ୍ତି ।ବଟ ଭାଇ ନିଜର ଧର୍ମ ଭାବି ସେମାନଙ୍କୁ ସାହାଯ୍ୟ କରନ୍ତି । ବଟ ଭାଇଙ୍କୁ ଆଖ ପାଖ ଗାଁର ଲୋକମାନେ ନିଷ୍ପତି ବା ନ୍ୟାୟ ପାଇଁ ଡାକନ୍ତି । ବଟ ଭାଇଙ୍କ ଏପରି ସର୍ଵ ଜନ ବିଦିତ ଗୁଣ ପାଇଁ ବହୁଲୋକ ତାଙ୍କ ପରାମର୍ଶ ନେବାକୁ ଆସନ୍ତି । ଆମ ସମାଜରେ ବଟ ଭାଇ ପରି ଲୋକ ଅଛନ୍ତି। 


Rate this content
Log in

Similar oriya story from Fantasy