Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Sachidananda Kar

Romance

2.5  

Sachidananda Kar

Romance

ବର୍ଷା ସୁନ୍ଦରୀ ଓ ମୁଁ

ବର୍ଷା ସୁନ୍ଦରୀ ଓ ମୁଁ

2 mins
413



            ଟିକେ ଆଗରୁ ପୂର୍ବାକାଶ ବେଶ୍ ନିର୍ମଳ ଥିଲା। କୁଆଡ଼େ ଥିଲେ କେଜାଣି ବାଦଲ ସବୁ ଆସି ଜମା ହେଲେ।ଧୀରେଧୀରେ ଗାଢ କଳା ରଙ୍ଗର ଦିଶିଲା ପୂର୍ବାକାଶ। ଆରମ୍ଭ ହେଲା ବିଜୁଳି, ଘଡଘଡି - ସତେ ଯେମିତି ବାଣ,ରୋଶଣୀ।କିଏ ଅତି ଗୁରୁତ୍ୱ ଥିବା ଜଣେ ଆସୁଥିବା ମନେହେଲା। ଶୁଭିଲା ଝିପିଝିପି ଝଙ୍କାର।

କିଏ ? କିଏ ଆସୁଛି ?


ଦେଖିଲାବେଳକୁ ବର୍ଷା।ସତେ ତ ! ବର୍ଷା ଇଏ !ବେଶ୍ ବିମୋହିତ କରିଦେଲା ଭଳି ରୂପ ! ଶାନ୍ତ ଶୀତଳ ସମୀରଣ ବହୁଥିଲା। ମୁଁ ଶିହରି ଗଲି।ଅପଲକ ତା' ଆଡେ ଚାହିଁ ରହିଲି। ଘର ଫେରା ଗୋରୁପଲ ଅଣନିଃଶ୍ବାସୀ ହୋଇ ଦୌଡୁଥିଲେ।ବାଟୋଇ ଭାଇଟି ଛତା ଖୋଲୁଥିଲା।ବିଲରେ ଚଷାପୁଅ ତରତର ହେଉଥିଲା।ଗଛ,ଚଢେଇ,ଆକାଶ, ନଈ,ସମୁଦ୍ର, ପାହାଡ଼, ପର୍ବତ - ସମସ୍ତେ ଅଲଗା ଅଲଗା ଦିଶୁଥିଲେ।

ଝିପିଝିପି ଝଙ୍କାର କ୍ରମଶଃ ବଢି ଚାଲିଥିଲା। କୁଆଡ଼େ ଆସିଛି ଏ ବର୍ଷା ! କାହାକୁ ଖୋଜୁଛି ! ମୋତେ ନା ଆଉ କାହାକୁ ! ତାକୁ ଦେଖି ମନ ଭିତରେ ଏଇ ସବୁ କଥା ଗଣୁଗୁଣେଇବାକୁ ଲାଗିଲି । କେବେ ଦିନେ ବର୍ଷାକୁ ଚିଠି ଖଣ୍ଡିଏ ଲେଖିଥିବା ହଠାତ୍ ମୋର ମନେପଡିଲା।

ତା'ର ଆଖି,ଓଠ,କୁନ୍ତଳ ଓ ଶ୍ୟାମଳ ରଙ୍ଗର ଢେର୍ ବର୍ଣ୍ଣନା କରିଥିଲି ଚିଠିରେ।ତାକୁ ଭଲପାଏ ବୋଲି ଲେଖିଥିଲି।ତା'ର ସୁନ୍ଦର ରୂପ ଆଖିରେ ଦେଖିବା ପାଇଁ ଚାହିଁଥିଲି।ଭିଜିବାକୁ ଇଚ୍ଛା ରଖିଥିଲି ତା' ପ୍ରେମମଧୁରେ।

ତା'ପରେ ପ୍ରତୀକ୍ଷା।


ଏଇ ପ୍ରତୀକ୍ଷାଟା ତ ସବୁବେଳେ ଦୁଃଖଦାୟକ।ମନରେ ଦୁଃଖ ଆସୁଥିଲା।ଭୁଲି ସାରିଥିଲି ସେକଥା। ହେଲେ ଆଜି ତାକୁ ସାମ୍ନାରେ ଦେଖିବା ପରେ ସବୁ ମନେ ପଡୁଥିଲା।ମନରେ ଆଉ ସନ୍ଦେହ ନ ଥିଲା।ଲାଗୁଥିଲା ଯେମିତି ଏ ବର୍ଷା ଆଉ କାହା ପାଖକୁ ନୁହେଁ, ମୋ ପାଖକୁ ହିଁ ଆସିଛି।ମୋତେ ହିଁ ଖୋଜୁଛି। ଏବେ ମୋ ଭିତରେ ତା' ପ୍ରତି ଥିବା ପ୍ରେମ ଏକ ଅମାନିଆ ନଈ ହୋଇ ବହିବାକୁ ଆରମ୍ଭ କଲା।ତା' ସହିତ ସଂପର୍କ ନିବିଡ କରିବାକୁ ଓ ତା' ସାଥିରେ ପ୍ରେମାଳାପରେ ହଜିବାକୁ ମୁଁ ବ୍ୟସ୍ତ ହୋଇପଡିଲି। ଗୋଟେ ଭାରି ମନୋଇ ଝିଅ ପରି ଦିଶୁଥିଲା ସେ।ଲାଗୁଥିଲା ବେଶ୍ ଅଭିମାନୀ।ତା' ଆଡୁ ଆଖି ଫେରାଇ ପାରୁ ନ ଥିଲି।

ମୋତେ ବେଶ୍ ଆମୋଦିତ ଓ ଉତ୍ତେଜିତ କରୁଥିଲା ତା'ର ଝିପିଝିପି ଝଙ୍କାର।ମୁଁ ଧୀରେଧୀରେ ତା'ର ହୋଇ ଯାଉଥିଲି।


ଏବେ ତାକୁ ସ୍ବାଗତ କରିବି ଭାବିଲି। ଗୋଲାପ ଫୁଲଟିଏ ଖୋଜିଲି। ଘର ପଛପଟ ଫୁଲ ବଗିଚାକୁ ଦୌଡିଲି।କେତେ ଯେ ଖୋଜିଲି,ହେଲେ ଗୋଟିଏକି ଗୋଲାପ ପାଇଲି ନାହିଁ।ସବୁତକ ଗୋଲାପ କୁଆଡ଼େ ଉଭାନ ହୋଇ ଯାଇଥିଲା ଯେମିତି।ନିରାଶ ହୋଇ ଫେରିଲି।


ଆସି ଦେଖେ ତ ଆଉ ସେ ନାହିଁ।ଆଉ ଶୁଭୁନାହିଁ ତା'ର ଝିପିଝିପି ଝଙ୍କାର।ବେଶ୍ ନିର୍ମଳ ଦିଶୁଛି ପୂର୍ବାକାଶ।ଶାନ୍ତ ଲାଗୁଛି ପରିବେଶ।


କୁଆଡ଼େ ଗଲା ଏ ବର୍ଷା ?


ଯଦି ମୁଁ ନୁହେଁ, ତେବେ ଆଉ କାହା ପାଖକୁ ଆସିଥିଲା ?


ପାଖକୁ ଆସି ପୁଣି ଫେରିଗଲା କାହିଁକି ?


କାହିଁକି ଧରା ଦେଲାନାହିଁ ?


ଏଇ ସବୁ ପ୍ରଶ୍ନକୁ ନେଇ ମନ ଆନ୍ଦୋଳିତ ହେଲା।କଲିଜା ଦୁଇ ଫାଳ ହୋଇଯିବ କି ! ସେମିତି ଲାଗିଲା। ସୁନ୍ଦରୀ ଝିଅମାନେ ସହଜରେ କାହାକୁ ଧରା ଦିଅନ୍ତି କ'ଣ ! ଏମିତି ଭାବି ନିଜକୁ ସମ୍ଭାଳି ନେଲି।



Rate this content
Log in