ବର୍ଣ୍ଣ ଭେଦର ନିପାତନ
ବର୍ଣ୍ଣ ଭେଦର ନିପାତନ
ଦୀର୍ଘ ଚାରି ଦଶନ୍ଧି ପୂର୍ବର ଘଟଣା । ଅନ୍ଧାର ରାତି । ଘନ ଜଙ୍ଗଲ ମଝିରେ ସରୁ ରାସ୍ତାଟିଏ । ରାମବାବୁଙ୍କ ନୂଆ ପୋଷ୍ଟିଙ୍ଗ ଏକ ଆଦିବାସୀ ଗାଁରେ । ନା ତାର ମାଥିଲି । ରାସ୍ତା ଉପରେ ତାଙ୍କ ବୁଲେଟ ମୋଟର ସାଇକେଲର ଚକ ରାଜକୀୟ ଭଙ୍ଗୀରେ ଗଡ଼ି ଗଡ଼ି ଚାଲିଥାଏ ଗୁମ ଗୁମ ଆୱାଜରେ । ପ୍ରଧାନ ଶିକ୍ଷକର ପଦବୀ ମିଳିବା ପରେ ବଦଳି ହେଲା । ମାତ୍ର ରାମବାବୁ ପୂର୍ବରୁ ସେହି ପାର୍ବତ୍ୟ ଅଞ୍ଚଳର ଆବ ହାୱା ବିଷୟରେ ସମ୍ପୂର୍ଣ୍ଣ ଅପରିଚିତ । ଯାହାବି ହେଉ କର୍ମ କ୍ଷେତ୍ରରେ ଯୋଗ ଦେବାକୁ ପଡ଼ିବ ଯେନ ତେନ ପ୍ରକାରେ । ବୁଲେଟ ଚାଲିଥାଏ ସାଡ଼େ ଛ ଫୁଟ ଉଚ୍ଚତା ବିଶିଷ୍ଟ ରାମ ବାବୁଙ୍କ ବଳିଷ୍ଠ କଳେବଳକୁ ବହନ କରି ମାଥିଲି ଅଭିମୁଖେ । ଆକାଶରେ କାଳି ଅନ୍ଧାରି ଜହ୍ନ ଏ ଯାଏଁ ଉଠିନି । ବଣୁଆ ଜାଗା । ହିଂସ୍ର ଜନ୍ତୁଙ୍କ ରାଜା ମହାବଳର ଏକଛତ୍ର ଶାସନ । ପୂର୍ବରୁ ରାମବାବୁ ଆଭାସ ପାଇଥିଲେ । ଅଥଚ ପ୍ରତ୍ୟକ୍ଷ ଅନୁଭବୀ ନୁହନ୍ତି । ବୁଲେଟର ହେଡ ଲାଇଟ ଆଲୁଅରେ ରାସ୍ତା ଫର୍ଚ୍ଚା ଦିଶୁଥାଏ । ବସନ୍ତର ପ୍ରସ୍ଥାନ ଓ ଗ୍ରୀଷ୍ମର ଆଗମନର ଅସ୍ପଷ୍ଟ ପରିପ୍ରକାଶ । ରାସ୍ତା କଡ଼ ଗଛ ଉପରେ ପେଚକ ପକ୍ଷୀର ହୁ ହୁ ସ୍ୱରରେ ରାମବାବୁଙ୍କ ଭାବନାର ଖିଅ କଟିଗଲା । ହାତ ଘଣ୍ଟାକୁ ଚାହିଁ ଦେଖିଲେ ରାତି ଆଠଟା । ଜିପି ଏସ ଦେଖି ଜାଣିଲେ ତାଙ୍କର ଗନ୍ତବ୍ୟ ସ୍ଥକରେ ପହଞ୍ଚିବାକୁ ଆଉ ପାଞ୍ଚ କିଲୋମିଟର ବାକି । ବଡ଼ ବ୍ୟସ୍ତ ଲାଗୁଥାଏ । ଗାଡ଼ି ରୋକିବାକୁ ଭୟ ଲାଗୁଥାଏ । ଶୂନଶାନ ଜାଗା । ମଝିରେ ମଝିରେ ଜଙ୍ଗଲୀ ବଳିଆ କୁକୁରର ଭୋ ଭୋ ଆଉ ପହରିକିଆ ବିଲୁଆର ହୁକେ ହୋ ସ୍ବରରେ ସାରା ଜଙ୍ଗଲ ପ୍ରକମ୍ପିତ । ତାଙ୍କର ଅନ୍ତରଙ୍ଗ ବନ୍ଧୁଙ୍କ କଥା ମନେ ପଡ଼ିଗଲା ଯିଏ କି ତାଙ୍କୁ ଜଙ୍ଗଲର ମହାରାଜା ଅର୍ଥାତ ବ୍ୟାଘ୍ର ମହାଶୟଙ୍କ ଚତୁରତା ସମ୍ବନ୍ଧରେ ଜଣାଇଥିଲେ । ମଟର ସାଇକେଲର ଶବ୍ଦ ବ୍ୟାଘ୍ର ମହାଶୟଙ୍କୁ ଉତ୍ତେଜିତ କରେ ଓ ସାମରିକ କୌଶଳ ପ୍ରୟୋଗ କରି ସେ ଆକ୍ରମଣ କରନ୍ତି ।
ଅବିବାହିତ ତାରୁଣ୍ୟତାତା ରେ ଭରପୁର ଥିଲା ରାମବାବୁଙ୍କ ମନ । ପାଖରେ ଥିଲା ଲାଇସେନ୍ସ ଦିଆ ପିସ୍ତଲ । ତେଣୁ ଖାତିର ନକରି ନେଟ ଇଣ୍ଡିକେଟର ଦେଖି ଆଗେଇ ଚାଲିଲେ । ପରିସ୍ରା ଲାଗିବାରୁ ଗାଡ଼ି ବ୍ରେକ ମାରିଲେ ସେ ଘଞ୍ଚ ଅରଣ୍ୟର ଅଙ୍କା ବଙ୍କା ରାସ୍ତା ଉପରେ । ବାଁ ପାଖରେ ଗୋଟିଏ କୁଦ ଉପରେ ରଡ଼ ନିଆଁ ଭଳି ଦୁଇଟି ଆଖି ଦେଖାଗଲା । ପକେଟରେ ଥିବେ ଟର୍ଚ୍ଚ ମାରି ଦେଖିଲେ ଗୋଟାଏ ମହାବଳ ବାଘ । ସାନ ପାସ ସାରି ଗାଡ଼ି ଷ୍ଟାର୍ଟ କଲାମାତ୍ରେ ବାଘଟି ତାଙ୍କ ଉପରକୁ ଝାମ୍ପ ମାରିଲା । ବାଘ ତାଙ୍କର କାନ୍ଧଟିକୁ କାମୁଡ଼ି ଧରିଲା । ମୁଣ୍ଡରେ ହେଲମେଟ ଥିବାରୁ ଜୀବନଟା ବଞ୍ଚିଗଲା । ଅବସର ପ୍ରାପ୍ତ ସାମରିକ ଅଫିସର ରାମବାବୁ ବିଚଳିତ ନହୋଇ ପକେଟରୁ ପିସ୍ତଲ ବାହାର କରି ଫାୟାର କରିବାରୁ ବାଘଟି ଛାଡ଼ି ଜଙ୍ଗଲ ଭିତରକୁ ପଳେଇଲା । କିନ୍ତୁ ରକ୍ତାକ୍ତ କାନ୍ଧ ତାଙ୍କୁ ବିଚଳିତ କରି ପକେଇଲା । ହଠାତ ଲକ୍ଷ୍ୟ କଲେ ଏକ କ୍ଷୀଣ ଆଲୋକର ଶିକ୍ଷା ଅନତି ଦୂରରେ । ଯେକୌଣସି ମତେ ଯନ୍ତ୍ରଣା ସହ୍ୟ କରି ନିଜର ସାମରିକ ଜୀବନରେ ଲାଭ କରିଥିବା ଅଭିଜ୍ଞତାକୁ କାମରେ ଲଗାଇ ବୁଲେଟ ଷ୍ଟାର୍ଟ କଲେ ଓ ଆଲୋକ ଶିକ୍ଷା ଆଡ଼କୁ ଗଲେ । ସାମ୍ନାରେ ଏକ ଆଜବେଷ୍ଟସ ଘର । ଘର ସାମ୍ନାରେ କାଠ ବଲ୍ଲା ଜଳୁଥାଏ । ନିଆଁ ପାଖରେ ବସିଥିବା ଆଦିବାସୀ ଜଣକ ରାମବାବୁଙ୍କ ରକ୍ତାକ୍ତ ଶରୀର ଦେଖି ପାଖକୁ ଆସି ତାଙ୍କ ହାତ ଧରି ଘର ଭିତରକୁ ନେଇ ହେଂସ ଉପରେ ଶୁଆଇ ଦେଇ ନିଜ ଝିଅକୁ ଡାକିଲେ । ଭାଷା ଭୁଝି ପାରୁ ନଥିବାରୁ ପରସ୍ପର ଇଶାରାରେ ଭାବ ଦିଆ ନିଆ କଲେ ଆଦିବାସୀମାନେ ସରଳ ଓ ପରୋପକାରୀ । ତତକ୍ଷଣାତ ବିଳମ୍ବ ନକରି ବାଘ କାମୁଡ଼ା ଘା ଯାଗାରେ ଜଡ଼ି ବୁଟି ଲଗାଇ ଆଦିବାସୀ କୁମାରୀ ରଗଡି କନା ପଟି ବାନ୍ଧିଦେଲା । ଘା ଶୁଖିବା ପାଇଁ ଗୋଟାଏ ଚେରକୁ ବାଟି ରାମବାବୁଙ୍କୁ ପିଆଇ ଦେଲା । ପାଖରେ ବସି ତାଙ୍କ ଗୋଡ଼ ହାତ ଆଉଁସି ଦେଲା ।
ରାତି ଦିଟା ବାଜିଲା । ଚେର ମୂଳି ଓଷଧ ଖାଇଲା ପରେ ଟିକେ ସୁସ୍ଥ ଅନୁଭବ କଲେ । କିନ୍ତୁ ଗୋଟାଏ କଥା ରାମ ବାବୁଙ୍କୁ ବଡ଼ ଅସୁବିଧାରେ ପକାଇଲା । ଭାଷା ନବୁଝି ପାରିବା । ଆଦିବାସୀ ଭାଷା ସହରୀ ଶିକ୍ଷିତ ଲୋକଙ୍କୁ ଜଣା ନଥାଏ । ମାସେ ଆଦିବାସୀ ଗାଁରେ ରହିବା ପରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଗଲେ ରାମବାବୁ । ମାତ୍ର ଆଦିବାସୀ କୁମାରୀ ରଗଡିର କୋମଳ ସ୍ପର୍ଶରେ ସେ ଆତ୍ମହରା ହୋଇଯାଇଥିଲେ । ଅବିବାହିତ ତଥା ବ୍ରହ୍ମଚର୍ଯ୍ୟ ବ୍ରତ ପାଳନ କର୍ତ୍ତା ରାମବାବୁ ରଗଡିର ପାଟିର ଭାଷା ନବୁଝି ପାରିଲେ ସୁଦ୍ଧା ଆଖିର ଭାଷା ବୁଝିପାରିଥିଲେ । ରଗଡିର କୁମାରୀ ମନ ଚଳ ଚଞ୍ଚଳ । ପ୍ରତି ରାତିରେ ସେ ରାମବାବୁଙ୍କ ହାତ ଉଷୁମପାଣି ମିଶା ଚେର ସେକ ଦେଇ ଘା ସ୍ଥାନରେ ମଲମ ଲଗାଇ କନା ବାନ୍ଧେ । ତାପରେ ତାର ହାତ ପାପୁଲି ଅଜାଣତେ ରାମବାବୁଙ୍କ ଗୋଡ଼ ମୋଡ଼ିବାକୁ ବ୍ୟାକୁଳ ହୋଇଉଠେ । ମନ୍ମଥର ଫୁଲ ଶର ଅପାର ଶକ୍ତି ଶାଳୀ । ସଚରାଚର ଜୀବଜଗତର ମନକୁ ସେହି ଶର ବିଦ୍ଧ କରି ଆସୁଛି ସୃଷ୍ଟି ଆରମ୍ଭରୁ । ଏପରିକି ମହଯୋଗୀ ସଦାଶିବଙ୍କ ଧ୍ୟାନ ବି ସେ ଭାଙ୍ଗି ଦେଉଥିଲା । ରାମବାବୁଙ୍କ ପରି ସାଧାରଣ ମାନବ ସେଥିରୁ ବାଦ ଯିବେ କିପରି । ମାତ୍ର ପ୍ରାକ ବୈବାହିକ ମାନସିକ କିମ୍ବା ଶାରୀରିକ ପ୍ରେମରେ ଲିପ୍ତ ହେବା ତାଙ୍କ ଜାତକରେ ନଥିଲା । ସେ ଚାହୁଁଥିଲେ ଜଣେ ଆଦର୍ଶ ଶିକ୍ଷକ ସାଜି ଲକ୍ଷ୍ୟ ଲକ୍ଷ୍ୟ ଛାତ୍ରୀ ଛାତ୍ରୀମାନଙ୍କ ଭବିଷ୍ୟତ ଗଢ଼ିବା ପାଇଁ । ତେଣୁ ରଗଡିର କୋମଳ ହାତର ସ୍ପର୍ଶ ଏକାନ୍ତ ବାସରେ ମଧ୍ୟ ତାଙ୍କ ଅକୁମାରୀସ୍ପର୍ଶୀ ଶରୀର ତାଙ୍କର ପବିତ୍ର ଚିତ୍ତକୁ ତିଳେ ସୁଦ୍ଧା କରି ପାରି ନଥିଲା ବିଚଳିତ ଲକ୍ଷ୍ୟ ଭ୍ରଷ୍ଟୀ । ଆଉମଧ୍ୟ ଆଦିବାସୀ ନିୟମର ବହିର୍ଭୁତ ମାନସିକତା ସେ ଲକ୍ଷ୍ୟ କରିପାରିଥିଲେ ରଗଡିର ମାତା ପିତାଙ୍କ କାର୍ଯ୍ୟ କଳାପରୁ । ଅଥଚ ସେମାନଙ୍କ ସରଳ ବିଶ୍ୱାସୀ ମାନସିକତାକୁ ରାମବାବୁ ତାଙ୍କ ରହଣି କାଳରେ କେବେ ହେଲେ ସେ ଘାତକୀ ଧୋକା ଦେଇ ନଥିଲେ । ରଗଡିର କୁମାରୀ ପ୍ରାଣର ପ୍ରେମାସକ୍ତ ଗୁପ୍ତ ଆହ୍ୱାନ ତିଳେ ତିଳେ ଉପଲବ୍ଧି କରି ପାରିଥିଲେ ହେଁ ତାର କୁମାରୀତ୍ବକୁ ଅକ୍ଷୁର୍ଣ୍ଣ ରଖି ସମସ୍ତ ଆଦିବାସୀ ପଲ୍ଲୀବାସୀଙ୍କୁ ଚକିତ କରି ପାରିଥିଲେ । ସେମାନେ ଭୁଲି ଯାଇଥିଲେ ଯେ ରାମବାବୁ ଜଣେ ସହରୀ ବାବୁ । ବରଂ ସେ ସେମାନଙ୍କ ଅତି ଆପଣାର ରାମବାବୁ ।
ପର ଦିନ ସକାଳେ ନିତ୍ୟ କର୍ମ ସାରି ଦେଖିଲେ ପ୍ରାୟ କୋଡିଏଟି ଘର ମିଶାଇ ଏକ ଆଦିବାସୀ ଗାଁ । ଚାରିପାଖରେ ଚାଷ ଜମି । ମୁଖ୍ୟତଃ ଚାଷ କର୍ମ ଓ ଜଙ୍ଗଲ ଜାତ ଦ୍ରବ୍ୟ ଗାଁ ବାଲାଙ୍କ ପ୍ରଧାନ ଜୀବିକା । ରାମବାବୁ ଟିକେ ସୁସ୍ଥ ଅନୁଭବ କଲେ । ତା ପରଦିନ କର୍ମ କ୍ଷେତ୍ରରେ ଯୋଗ ଦେବାକୁ ମନସ୍ଥ କଲେ । କିନ୍ତୁ ରଗଡିର ଘର ଵାଲା ଓ ଗାଁର ମୁଖିଆ କିଛିଦିନ ରହିବାକୁ ତାଙ୍କୁ ଅନୁରୋଧ କଲେ । ମାତ୍ର ରାମବାବୁ ମନା କଲେ । ଚାହୁଁ ଚାହୁଁ ଇତି ମଧ୍ୟରେ ଦୁଇଦିନ ବିତି ଯାଇଛି । ବେସରକାରୀ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବେ ଦାୟିତ୍ୱ ଗ୍ରହଣ କରିବାର ଅଛି । ଏଣେ ମୋବାଇଲ କର୍ତୃପକ୍ଷଙ୍କ ମୋବାଇଲ ଫୋନ କଲ ତାଙ୍କୁ ବିବ୍ରତ କରୁଥିଲା । ସେ ପ୍ରସ୍ଥାନ କରିବା କଥା ଇଶାରାରେ ଜଣେଇ ଦିନେ ସକାଳୁ ମାଥିଲି ଅଭିମୁଖେ ବାହାରିପଡ଼ିଲେ । ବାଟରେ ଥିବା କ୍ଲିନିକରେ ଟି ଟି ନେଇ ଉଚ୍ଚବିଦ୍ୟାଳୟରେ ପହଞ୍ଚି ଦାୟିତ୍ୱ ଗ୍ରହଣ କଲେ । ସମସ୍ତ ସହକର୍ମୀଙ୍କୁ ଜଙ୍ଗଲରାଜ ମହାବକଙ୍କ କର୍ତୃତ୍ୱ ତାଙ୍କ ଦୁର୍ଦଶା ଓ ବନବାସ କଥା ଜଣାଇଦେଇ ଶିକ୍ଷାଦାନ ଆରମ୍ଭ କଲେ । ଚାହୁଁ ଚାହୁଁ ଧାନ କଟା ଛୁଟି ପଡ଼ିଗଲା । ରାମବାବୁ ତାଙ୍କର ଜୀବନ ଦାତା ସେହି ରଗଡିର ଗାଁକୁ ବୁଲି ବାହାରିଲେ । ସାଙ୍ଗରେ ଜଣେ ଜନଜାତି ଭାଷାବିତଙ୍କୁ ନେଲେ ଯିଏ କି ତାଙ୍କର ଜଣେ ସହକର୍ମୀ । ଏଥର ତାଙ୍କର କିଛି ଅସୁବିଧା ହେଲାନି କାରଣ ସେ ମଧ୍ୟ ଅଧା ଅଧି ଭାଷା ଶିଖି ଯାଇଥିଲେ । ଯାହା ବୁଝି ନପାରିଲେ ଭାଷାବିତ ତାଙ୍କୁ ବୁଝେଇ ଦିଅନ୍ତି ।
ଦିନେ ରଗଡିର ବୋଉ ବାପା ଦୁହେଁ ରାମବାବୁଙ୍କୁ କହିଲେ, " ଆଛା ପୁଅ ତୁମେ ବାହାହେଇଚ । " ରାମବାବୁ କହିଲେ " ନା " । ପୁଣି ପ୍ରଶ୍ନ ଆସିଲା, " ତୁମ ବାପା ବୋଉ ଅଛନ୍ତି? " ପୁଣି ଉତ୍ତର, " ହଁ " । ରାମବାବୁ ଟିକେ ଅଧୈର୍ଯ୍ୟ ହୋଇ ପଡ଼ି କହିଲେ, " କଣ କହିବାର ଅଛି ଖୋଲା ଖୋଲି କହିଦିଅ । ସମଝଦାରକୁ ଇସାରା କାଫି । ରାମବାବୁ ସେମାନଙ୍କ ମନର କଥା ଜାଣି ପାରିଥିଲେ ବି ଏପରି କହିଥିଲେ । ଏ ମଧ୍ୟରେ ଜଣେ କୌପୁନି ପିନ୍ଧା ଦେଶିଆ ହାତରେ ମହୁଲି ପୂର୍ଣ୍ଣ ଏକ ମାଟି ପାତ୍ର ହାତରେ ଧରି ପହଞ୍ଚିଲେ । ପ୍ରଥମେ ରାମବାବୁଙ୍କୁ ଯାଚିଲେ । ତାଙ୍କର ଅନିଚ୍ଛା ରଗଡିର ବାପାବୋଉଙ୍କ ଅତିଥି ସତ୍କାର ଆଗରେ ହାର ମାନିଯାଇଥିଲା ଓ ସେ ଗୋଟିଏ ଛୋଟ ମାଟି ସରାରେ ଚା ପିଇଲା ପରି ପିଇବାକୁ ଆରମ୍ଭ କଲେ । ସାମରିକ ବିଭାଗରେ କାର୍ଯ୍ୟରତ ଥିବା ବେଳେ ଅଭ୍ୟସ୍ତ ଥିବାରୁ ରାମବାବୁଙ୍କୁ ମହୁଲିର ଖୁମାର ପ୍ରଭାବିତ କରି ପାରି ନଥିଲା । ମହୁଲି ସେବନପରେ ବାର୍ତ୍ତାଳାପର ଅସର ଜମିଲା । ରଗଡିର ବାପା କହିଲେ, " ପୁଅ ଆମ ଝିଅ ରଗଡିର ଚେହରା ଆଉ ଗୁଣ ତୁମକୁ କେମିତି ଲାଗୁଚି । ପସନ୍ଦ ଆସୁଛି ତ? " " ହଁ ପୁରାପୁରି ପସନ୍ଦ । ତାର ସେବା ଓ ରୁପଗୁଣରେ ମୁଁ ମୁଗ୍ଧ । " ରାମବାବୁ ଉତ୍ତର ଦେଲେ । ରଗଡି ବାପା ମା ପୁଣି ପଚାରିଲେ, " କଣ ବିଭା ହେବେ ଆମ ଝିଅକୁ । ତୁମେ ସହରୀ ପାଠୁଆ ବାବୁ ଆଉ ଆମେ ବଣୁଆ ଆଦିବାସୀ । ଖାପ ଯଦି ଖାଇବ କୁହ । ଆସନ୍ତା ତିଥିରେ ହାତକୁ ଦୁଇହାତ କରିଦବୁ । "
ରାମବାବୁ କଛି ସମୟ ନୀରବ ରହି କହିଲେ, " ମୁଁ ରାଜି ତୁମ ପ୍ରସ୍ତାବରେ । ମୁଁ ଶିକ୍ଷିତ ସହରୀବାବୁ ହେଲେବି । ଆମ ପରିବାରରେ ଜାତିଆଣ ଭାବ ଆଦୌ ନାହିଁ । ମୋର ବଡ଼ ଭାଇ ଦୁଇଜଣ କୋଲ୍ହ ଓ ସାନ୍ତାଳ ଝିଅଦୁଇ ଜଣଙ୍କୁ ବିଭା ହୋଇଛନ୍ତି । ଆମ ଘରର ବୋହୂର ସମ୍ମାନ ଦେଇଛନ୍ତି କୋଡ଼ିଏ ବର୍ଷ ପୂର୍ବରୁ । ମୁଁ ରଗଡିକୁ ବାହା ହେବି କିନ୍ତୁ ଗୋଟାଏ ସର୍ତ୍ତରେ । " ସର୍ତ୍ତ ରଖିବା କଥା ଶୁଣି ଗାଁର ମୁଖିଆ ଏବଂ ଅନ୍ୟାନ୍ୟ ଗାଁ ଵାଲା ଙ୍କ ମୁହଁ ଟିକେ ଶୁଖିଲା ପରି ଲାଗିଲା । ସମସ୍ତଙ୍କ ଗୋଟାଏ ପ୍ରଶ୍ନ, " କି ସର୍ତ୍ତ ସହରୀ ବାବୁ ଆମକୁ ସଫା ସଫା କହି ପକାଅ । ଆମକୁ ଦୁଃଖ ଦିଅନା ।" ପ୍ରକୃତରେ ଆଦିବାସୀ ଦମ୍ପତି ଓ ଗାଁ ବାଲାଙ୍କ ଆନ୍ତରିକତାର ଭାବ ପ୍ରକାଶ ରାମବାବୁଙ୍କ ମନ ପ୍ରାଣର ଚାହିଦାକୁ ଚରିତାର୍ଥ କରିବାର ପରିସରକୁ ଆହୁରି ବ୍ୟାପଜ କରି ପାରିଥିଲା । ତାପରେ ସେ ପାଟି ଖୋଲିଲେ, " ହଁ ନିଶ୍ଚୟ ତ୍ରିବାର ସତ୍ୟ କରୁଛି ରଗଡିକୁ ବାହା ହେବି । କିନ୍ତୁ ତା ପୂର୍ବରୁ ଆମ ସ୍କୁଲରେ ତାକୁ ପାଠ ପଢ଼େଇବି । ସେ ଶିକ୍ଷିତ ହେଲା ପରେ ଆମ ଘରକୁ ବୋହୁ କରି ନେବି । "
ରଗଡିର ମାବାପା ପଚାରିଲେ, "ଆମ ଝିଅ କେମିତି ପ୍ରତିଦିନ ସ୍କୁଲ ଯିବ । ବଣୁଆ ଜାଗା । ହିଂସ୍ର ଜନ୍ତୁ ପ୍ରବଳ । " ରାମବାବୁ ଉତ୍ତର ଦେଲେ ଡରିବା ଦରକାର ନାହିଁ । ତାର ମା ସହିତ ମୋ ସାଙ୍ଗରେ ଯିବ । ଆମ ସ୍କୁଲ ହଷ୍ଟେଲରେ ରହିବା ବନ୍ଦୋବସ୍ତ କରିଦେବି । ସ୍କୁଲ ଛୁଟି ଦିନଗୁଡ଼ିକରେ ତୁମ ପାଖରେ ଆଣି ଛାଡ଼ି ଦେବି । କଣ ରାଜିତ ।" ଏକଥା ଶୁଣି ରଗଡିର ବାପା ମା କିଛି ସମୟ ଭାବିଲା ପରେ ଉତ୍ତର ଦେଲେ, " ନାଇଁ ବାବୁ ସେଇଟା ଠିକ ହବନି । କାରଣ ଆମେ ତୁମର ସ୍ଵଭାଵ ଜାଣିଛୁ ଏଇ ଦେଢ଼ ମାସ ଆମ ଗାଁରେ ରହିଲା ପରେ । ଆମେ ତୁମ ପାଖରେ ନେହୁରା ହଉଛୁ କି ରଗଡିକୁ ତୁମ ସାଙ୍ଗରେ ନିଅ । " ରାମ ବାବୁ ରଗଡି ମାକୁ ପଚାରିଲେ, " ତୁମେ ଯିବକି ନାହିଁ କୁହ " " ହଁ ବାବୁ ମୁଁ ଯିବି । କିନ୍ତୁ ହଷ୍ଟେଲ ରେ ମୁଁ ମୋ ଝିଅ ସହିତ ରହିବାକୁ ଚାହୁଁନି । ଆମେ ତୁମ କ୍ଵାଟରରେ ତୁମ ପାଖରେ ରହିବୁ । ମୁଁ ପ୍ରତିଦିନ ତୁମକୁ ରୋଷେଇ କରି ଖୁଆଇବି । ଘର କାମ କରିବି ।" ମାନବଧର୍ମୀ ଉଦାର ଚେତା ରାମବାବୁ କହିଲେ, " ହଉ ଠିକ ଅଛି । ମୁଁ ରାଜି । ତୁମର ବ୍ୟବହାର୍ଯ୍ୟ ଜିନିଷଗୁଡ଼ିକୁ ସାଥିରେ ନେଇ ଯିବାକୁ ବର୍ତ୍ତମାନ ବ୍ୟବସ୍ଥା କର । କାଲି ସକାଳୁ ବାହାରିଯିବା । ଏଠୁ ମୋଟେ ତିନି କିଲୋମିଟର ବାଟ । ମୋ ଗାଡ଼ିରେ ଯିବ । " ତାପରେ ରାମ ବାବୁ ଓ ତାଙ୍କ ସହକର୍ମୀ ବନ୍ଧୁ ରଗଡିର ବାପାମାଙ୍କ ଠାରୁ ବିଦାୟ ନେଇ ନିଜ ଘରକୁ ଫେରିଲେ । ନିଜର ପିତା ମାତା ଜ୍ଞାତି କୁଟୁମ୍ବ ସମସ୍ତଙ୍କୁ ନିଜର ବିବାହ ପ୍ରସ୍ତାବ କଥା ଜଣେଇ ଦେଲେ । ଜଣେ ସବର୍ଣ୍ଣ କୁଳୀନ ଶିକ୍ଷିତ ପୁତ୍ର ଏବଂ ଏକ ଜନଜାତି ପ୍ରକୃତି କୋଳରେ ବଢିଥିବା ସୁଶୀଳା ଗୁଣବତୀ କନ୍ୟାଙ୍କ ମଧ୍ୟରେ ସୁସ୍ଥ ପ୍ରଣୟକୁ କେତେଜଣ ରକ୍ଷଣ ଶୀଳ ସହରୀ ଜ୍ଞାତି କୁଟୁମ୍ବ ଅନୁମୋଦନ କରିବାକୁ ଦ୍ଵିଧା ବୋଧ କଲେ । ମାତ୍ର ରାମବାବୁଙ୍କ ଉଦାର ମନୋଭାବ ଯୁକ୍ତ ପିତାମାତା ଓ ଭାଇ ଭଉଣୀ ଉକ୍ତ ପ୍ରସ୍ତାବକୁ କଲେ ମୁକ୍ତ କଣ୍ଠରେ ସ୍ୱୀକାର । ପାରମ୍ପରିକ ଦୃଷ୍ଟିକୋଣ ରହିତ ଯୁଗୋପଯୋଗୀ ଦୃଷ୍ଟିକୋଣର ସୁପୋଷାକ ଥିଲେ ସେମାନେ । ଆଉମଧ୍ୟ ଗାନ୍ଧର୍ବ୍ୟ ଭିତ୍ତିମୂଳକ ପ୍ରଣୟକୁ ଚିରଦିନ ପ୍ରଜାପତ୍ୟ ଦାମ୍ପତ୍ୟ ପ୍ରଣୟରେ ପରିବର୍ତ୍ତନ କରିବା ସେମାନଙ୍କ ଥିଲା ସେମାନଙ୍କ ମହତ ଉଦ୍ଦେଶ୍ୟ । ସୁତରାଂ ସମସ୍ତ ରକ୍ତ ସମ୍ପର୍କୀୟମାନଙ୍କର ସୁସମ୍ମତି ପ୍ରାପ୍ତି ରାମବାବୁଙ୍କ ମନରେ ଖେଳେଇ ପାରିଥିଲା ଆଶାତୀତ ଆନନ୍ଦର ଲହରୀ । ଛୁଟିଟି ନିଜ ଘରେ କଟାଇ ରାମବାବୁ ମାଥିଲିକୁ କଲେ ପ୍ରତ୍ୟାବର୍ତ୍ତନ । ଭାବି ଶ୍ୱଶୁରାଳୟର ସଦସ୍ୟମାନଙ୍କ ପାଇଁ ଶ୍ରୀକ୍ଷେତ୍ରର ପବିତ୍ର ମହାର୍ଦ୍ଧ କୁଡ଼ିଆ ଦଶଟି ନେଇଥିଲେ ସାଙ୍ଗରେ । ଏଥର କିନ୍ତୁ ମଟରସାଇକେଲରେ ନୁହେଁ ବରଂ ନିଜର ପିତା ମାତା ଏବଂ ଭାଷାବିତ ବନ୍ଧୁମାନଙ୍କ ସହିତ ନିଜ ଜିପରେ କରିଥିଲେ ମାଥିଲି ଯାତ୍ରା ।
ପ୍ରାୟ ବାର ଘଣ୍ଟା ପରେ ପହଞ୍ଚିଲେ ସମସ୍ତେ ମାଥିଲିରେ ସକାଳ ସାତଟାରେ । ରଗଡ଼ିର ମାବାପା ଓ ସାହି ପଡ଼ିଶାର ଲୋକେ ଆସି ରୁଣ୍ଡ ହେଲେ । ପାଛୋଟି ନେଇ ଗଲେ ଘରକୁ । ପୂର୍ବରୁ ସହରୀ ବାବୁଙ୍କ ସ୍ୱାଗତ କରିବାକୁ ଘରକୁ ବିଭିନ୍ନ ରକମର ଫୁଲ ପତ୍ରରେ ସଜାଇ ରଖିଥିଲେ ସେମାନେ । ପ୍ରାତଃ ଭୋଜନ ପାଇଁ ବିରିଚାଉଳମୁଗସୋରିଷଫୁଲ ମିଶା ଆଣରେ ତିଆରି ପିଠା ସହିତ କୁଟ୍ରା ମାଂସ ତରକାରୀର ବ୍ୟବସ୍ଥା କରିଥିଲେ ରଗଡିର ମାଆ । ସହରୀ କୁଣିଆମାନେ ସୁଚାରୁ ରୂପେ ଆପ୍ୟାୟିତ ହେଲେ ସେହି ସୁସ୍ୱାଦୁ ଜଳଖିଆ ଖାଇ । ଦୁଇ ପରିବାର ମଧ୍ୟରେ ଆଲୋଚନା ଚାଲିଲା ବିଭାଘର ଉଦ୍ଦେଶ୍ୟରେ । ଶେଷକୁ ଅରଣ୍ୟ ଦେବୀଙ୍କ ମନ୍ଦିର ପ୍ରାଙ୍ଗଣରେ ଉକ୍ତ ଶୁଭ କାର୍ଯ୍ୟ ସମ୍ପାଦନ କରିବାକୁ ନିଆଗଲା ନିଷ୍ପତ୍ତି । ମଧ୍ୟାହ୍ନ ଭୋଜନ ପରେ ସମସ୍ତ ଆଗନ୍ତୁକ ନେଲେ ବିଶ୍ରାମ । ସନ୍ଧ୍ୟାପରେ ଚା ପାନରେ ସହରୀ କୁଣିଆ ଆପ୍ୟାୟିତ । ରାତିରେ ସରୁ ଚକୁଳି ଆଉ ମାଂସଝୋଳ ନୈଶ୍ୟଭୋଜନ । ଜନଜାତି ପରିବାରର ସୁସଜ୍ଜିତ ଅତିଥି ସତ୍କାରତାରେ ସମସ୍ତେ ମୁଗ୍ଧ । ସ୍ୱତନ୍ତ୍ର ବଖରାରେ ପଥଶ୍ରାନ୍ତ ସହରୀ କୁଣିଆଙ୍କ ଶୟନ ବ୍ୟବସ୍ଥା କରିଦେଲେ ରଗଡ଼ିର ମା । ପୂର୍ବରୁ ଦଉଡ଼ି ଭିଡ଼ା ଖଟଦୁଇଟି ସଜାଡ଼ି ରଖା ଯାଇଥିଲା । ରାମବାବୁଙ୍କ ସାଙ୍ଗ ଓ ତାଙ୍କ ପିତାମାତାଙ୍କ ନିମିତ୍ତ । ରାତି ପାହି ସକାଳ ହେଲା । ନିତ୍ୟକର୍ମ ପରେ ରାମବାବୁ, ତାଙ୍କ ବନ୍ଧୁ, ତାଙ୍କ ପିତା ମା,ରଗଡ଼ି ଓ ତାର ମାଆ ଓଗେର ଜିପରେ ବସି ସ୍କୁଲରେ ପହଞ୍ଚିଲେ । ଆସନ୍ତା ଫଗୁଣ ତିଥିରେ ବିବାହ କାର୍ଯ୍ୟ ସନାତନୀ ପ୍ରଥାରେ ଓ ଦେବୀଙ୍କ ମନ୍ଦିରରେ ହେଲା ସମାପନ ।
