puspanjali das

Inspirational

4  

puspanjali das

Inspirational

ବୋଉ

ବୋଉ

5 mins
283



    ହାତରେ ଚା'କପେ ଓ ମାସିକିଆ ମ୍ୟାଗାଜିନ୍ ଟି ଧରି,ଅନିଷା ଷ୍ଟଡିରୁମ କୁ ଚାଲି ଆସିଥିଲା।ଚା'କପ୍ ଟିରେ ଓଠ ଲଗାଇ ମ୍ୟାଗାଜିନ୍ ଟିଖୋଲି,ପଢ଼ିବାର ପ୍ରୟାସରେ କେବଳ ଆଖି ବୁଲାଇ ଆଣୁ ଥିଲା।ଯଦିଓ ପଢିବାକୁ ତାର ଆଗ୍ରହ ସବୁବେଳେ ଥାଏ,ଅନେକ କାମ ଭିତରେ ବି ଅଳ୍ପ ସମୟ ବାହାର କରି ପଢ଼ିଥାଏ,ହେଲେ,ଗତ କିଛି ଦିନର ପରିଶ୍ରମ ଟା ଯେମିତି ତା'ର ଧୈର୍ଯ୍ୟ କମାଇ ଦେଇଥିଲା!ଚା'କପ୍ ଟି ସାରିବା ଭିତରେ କେବଳ ଟିକିଏ ପୃଷ୍ଠା ପରେ ପୃଷ୍ଠା ଓଲଟାଇ ଚାଲିଥିଲା!ଏତିକିବେଳେ ଶ୍ରୀ ରୁମ୍ ଭିତରକୁ ପସିଆସିଥିଲା 'ମାମା' 'ମାମା' ଡାକି ଡାକି ,ଆଉ ଜୋର ରେ କୁଣ୍ଢେଇ ପକାଇ କହି ପକାଇଲା-ମୁଁ ଜାଣିଥିଲି ମାମା,ୟୁ ଆର ଦି ବେଷ୍ଟ!

     ହଠାତ୍ ଶ୍ରୀ ର ଏମିତି କଥାରେ ଅନିଷା ଚମକି ପଡି କହି ପକାଇଲା-ଆରେ,କ'ଣ ହେଲା ?କାଲିର ପ୍ରଶଂସା କଣ ସରିବନି ?କେତେଥର କହିବୁ?ଏଥର ଶ୍ରୀ ନିଜକୁ ସହଜ କରିନେଇ ପାଖରେ ବସିପଡି କହିଚାଲିଲା-ଜାଣିଛୁ ମାମା,ମୋ ସାଙ୍ଗ ମାନଙ୍କ ଭିତରେ ଏତେ ଜୋରରେ କଥା ଚାଲିଛି ଯେ ,ତୁ ବିଶ୍ୱାସ କରି ପାରିବୁନି !କାଲି ର ବର୍ଥଡେ ପାର୍ଟି ରେ ସମସ୍ତେ ତୋ ହାତ ତିଆରି କେକ,ଚିଙ୍ଗୁଡ଼ି ଚପ୍,ଆଉ ନିମ୍ କି,ମୁଡିକି,ଫ୍ରୁଟ୍ ସାଲାଡ଼୍,ସବୁ ଜିନିଷ ର ଏତେ ପ୍ରଶଂସା କରୁଛନ୍ତି ଯେ,ତୁ ଭାବି ପାରିବୁନି!ଶ୍ରୀ ର ମାମା ଭଳିଆ କେହି ରାନ୍ଧି ପାରିବେନି ବୋଲି ସମସ୍ତେ କହୁଛନ୍ତି, ଆଉ ଏମିତି ପାର୍ଟି କାହା ଘରେ ହୋଇ ନ ଥିଲା ବୋଲି ମଧ୍ୟ କଥାବାର୍ତ୍ତା କରୁଛନ୍ତି!ୟୁ ଆର ଦ ବେଷ୍ଟ ମାମା!ଏତେ ଜଣ ଙ୍କ ପାଇଁ ତୁ ଏମିତି ସବୁ ହାତ ରେ ତିଆରି କରିକି ଖୁଆଇ ପାରିବୁ ବୋଲି ମୁଁ ବି ଭାବି ପାରି ନ ଥିଲି! ଅବଶ୍ୟ ପ୍ରତି ବର୍ଷ ତୁ ଆମ ସମସ୍ତଙ୍କ ପାଇଁ ଏମିତିସବୁ ଅନେକ ପ୍ରକାର କରୁଥିଲୁ,ହେଲେ ଏତେ ଜଣ ଙ୍କ ପାଇଁ, ଏତେ କମ ଦିନ ଭିତରେ ....ଏଥର ଅନିଷା ନବମ ଶ୍ରେଣୀରେ ପଢ଼ୁଥିବା ଶ୍ରୀ କୁ ପ୍ରଥମ ଶ୍ରେଣୀରେ ପଢ଼ୁଥିବା ଛୁଆଟି ଭଳି କୋଳ କୁ ଟେକି ଆଣି କହି ପକାଇଲା-ଏତିକି କଥା ଶୁଣି ଏତେ ଖୁସି ହେଉଛୁ?ଆଉ ମୋ ବୋଉ ଭଳିଆ ହୋଇଥିଲେ କେତେ ଖୁସି ନ ହଉଥାନ୍ତୁ ?? ମୋ 'ବୋଉ' ତ ସବୁଠାରୁ ନିଆରା ଥିଲା!ସବୁଥିରେ ଆଗୁଆ ଥିଲା!ତା'ଭଳି କଣ ମୁଁ ଟିକିଏ ବି ହୋଇ ପାରିଲି ?ସିଏ ତ ଦୁନିଆ ର ବେଷ୍ଟ ମମ୍ ଖାଲି ନଥିଲା,ପୁରା ସୁପର ମମ୍ !!ଖାଲି ମୁଁ କହୁନି ମ,ତା'ବାପଘର,ଶାଶୁଘର ,ଉଭୟ ଗାଁ ରେ କିଏ ତାକୁ ଭଲ ନ ପାଉଥିଲା କହିଲୁ ??ଅନିଷାର ମୁହଁ ରୁ ସତେ ଯେମିତି ତା'ବୋଉର କଥା ସବୁ ବାହାରିବାକୁ ଛଟପଟ ହେଉଥିଲେ....

      ଶ୍ରୀ ଏଥର ଅନିଷା ର କୋଳରୁ ଉଠିଆସି ତା'ପାଖରେ ପଡିଥିବା ଚେୟାର ଟିରେ ବସିପଡି କହିପକାଇଲା-ସତରେ ମାମା ? ହଁ,ତୁ ତ ବହୁତ ଥର ତୋ ବୋଉ କଥା କହୁ।ସବୁକଥାରେ ତା'ଉଦାହରଣ ଦେଉ!ମୁଁ କେବେ ଭଲ କରି ଶୁଣେନି,ଆଜି କିନ୍ତୁ ଗୋଟି ଗୋଟି କରି ସବୁ ଶୁଣିବି,କେମିତି ତୋ ବୋଉ 'ସୁପର ମମ୍'ଥିଲା!ମୋ ମମ୍ ର ପ୍ରଶଂସା ସାଙ୍ଗରେ ମୋ ଆଈ ର ବି ପ୍ରଶଂସା ଟିକିଏ ଯୋଡି ହେଇଯିବ,ଯେତେବେଳେ ମୁଁ ସେକଥା ସବୁ ମୋ ସାଙ୍ଗ ମାନଙ୍କୁ କହିଦେବି!

       ଅନିଷା ସାମାନ୍ୟ ହସିଦେଇ କହିଚାଲିଲା-ହଉ ତା'ହେଲେ ଶୁଣେ।ମୋ ବୋଉ ଜମା ପାଠ ପଢ଼ିନଥିଲା କହିଲେ ଚଳିବ,ସ୍କୁଲ ନ ଯାଇ, ଖାଲି ଯାହା ଘରେ ପଢ଼ାପଢ଼ି କିଛି କରିଥିଲା,ହେଲେ ତା'ଅକ୍ଷର ଦେଖିଲେ କେହି ବିଶ୍ୱାସ କରିପାରିବେନି ଯେ ସିଏ ସତରେ ସ୍କୁଲ ଜମା ଯାଇନ ଥିଲା ବୋଲି!ବାଇଗଣ ମଞ୍ଜି ପରି ,ପ୍ରିଣ୍ଟ କରିଲା ଭଳିଆ !ଆମ ପାଞ୍ଚ ଭାଇ ଭଉଣୀ ଙ୍କୁ ଷଷ୍ଠ/ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ,ଓଡ଼ିଆ,ଇତିହାସ, ଭୂଗୋଳ, ସବୁ ପଢ଼ାଇ ପାରୁଥିଲା!ଆମେ ସେତେବେଳେ କଣ ବୋଉ ଆମର କେତେ ପାଠ ପଢିଥିଲା,ନ ପଢିଥିଲା,ଜାଣୁଥିଲୁ!ଏବେ ସିନା ତୁମେ ସବୁ ଏଡ଼େ ଟିକିଏ ବେଳୁ,ବାପା ମା ଙ୍କ କେତେ ପାଠ,କଣ କ୍ୱାଲିଫିକେସନ ସବୁ ଜାଣୁଛ! କବିତା ଲେଖିବାରେ ତ ମୋ ବୋଉ ଧୁରନ୍ଧର ଥିଲା,କାହା ବାହାଘର ହେଲେ ବୋଉ ପାଖରୁ ଗୀତ ଲେଖିକି ସମସ୍ତେ ନେଉଥିଲେ।ଭଜନ,ଜଣାଣ ଲେଖିକି କେତେ କାହାକୁ ଦେଇଛି।ସେ ସମୟ ରେ ଗୀତିନାଟ୍ୟ ମଧ୍ୟ ମୋ ବୋଉ ଲେଖିଥିଲା,ଯାହାକୁ ମୋ ବାପା ଓ ତାଙ୍କ ସାଙ୍ଗ ମାନେ ନାଟ୍ୟ ରୂପାନ୍ତର କରି ଗାଁ ରେ କରିଥିଲେ,ମୋ ଆଈ ସେକଥା କହୁଥିଲା!

          ଅନିଷା ର କଥାର ଶ୍ରୋତ କୁ କାଟି କି ଶ୍ରୀ ଏଥର କହିଉଠିଥିଲା-ଆରେ,ସେଇଥିରେ ତୋ ବୋଉ ସୁପର ମମ୍ ହୋଇଗଲା?ଅନିଷା ସଙ୍ଗେ ସଙ୍ଗେ କହିପକାଇଲା-ଆଲୋ,ନାଇଁ,ଟିକିଏ ଧୈର୍ଯ୍ୟ ଧରିକି ଶୁଣେ,କହିଲୁ ପା,ଆଜି ସବୁ ଗୋଟି ଗୋଟି କରି ଶୁଣିବୁ ବୋଲି,ଆରମ୍ଭ କରୁ କରୁ ଅଧର୍ଯ୍ୟ!ଅସଲ କଥା ତ ଏପର୍ଯ୍ୟନ୍ତ କହିନି।ହଉ ଶୁଣେ,ଯେତେବେଳେ ମୋ ବୋଉ ବାହା ହୋଇ ତା'ଶାଶୁ ଘର କୁ ଆସିଥିଲା,ସେତେବେଳେ ଗାଁ ରେ ପ୍ରବଳ ଜାତି ଅଜାତି,ଛୁଆଁ ଅଛୁଆଁ ଭେଦଭାବ ଥିଲା।ହାଡ଼ି,ପାଣ,ବାଉରୀ,କଣ୍ଡରା ଛୋଟ ଜାତି ର ଲୋକଙ୍କୁ ଛୁଇଁବା ମନା ଥିଲା।ହେଲେ ମୋ ବୋଉ,ସେଇ ଗାଁ ର ଦୁଇଟି ଅଛୁଆଁ ଅନାଥ ପିଲାଙ୍କୁ ନିଜ ହାତରେ ନିମ୍ବ ଗଛ ର ଛେଲି ଓ ପତ୍ର ପାଣିରେ ଶିଝାଇ,ସେଇ ପାଣିରେ ଗାଧେଇ ଦେଇ ସବୁ କାଛୁ କୁଣ୍ଡିଆ ରୁ ମୁକ୍ତ କରିଦେଇଥିଲା।ତା'ଶାଶୁ ଶଶୁର ନ ଥିଲେ ବି କିଛି ବୟୋଜ୍ୟେଷ୍ଠ ଗୁରୁଜନଙ୍କୁ ଅସନ୍ତୁଷ୍ଟ କରିଦେଇଥିଲା,ହେଲେ ପିଲା ଦୁଇଟି ଙ୍କୁ ସୁସ୍ଥ କରି ସେମାନଙ୍କର ଦେଖାଶୁଣା କରି ବଡ଼ କରିଥିଲା।ଅବଶ୍ୟ ସେସବୁଥିରେ ମୋ ବାପା ଙ୍କର ପୂର୍ଣ୍ଣ ସହଯୋଗ ପାଇଥିଲା!ବାପା ମୋର ପିଲାଟି ବେଳୁ ଅନାଥ ହୋଇଯାଇ,ବହୁ କଷ୍ଟରେ ନିଜ ଗୋଡ଼ରେ ନିଜେ ଠିଆ ହୋଇଥିଲେ,ସେଥିପାଇଁ ତାଙ୍କ ଦୁର୍ବଳତା ସବୁବେଳେ ଗାଁ ର ସେଇ ଅନାଥ ପିଲା ମାନଙ୍କ ପାଇଁ ରହିଥିଲା।ଯଦିଓ ସମସାମୟିକ ରୀତିନୀତି ର ବିରୁଦ୍ଧ ରେ ବୋଉ ମୋର ଠିଆ ହୋଇଥିଲା, ହେଲେ ତାର ସେଇ ପଦକ୍ଷେପ କେତେଜଣ ଙ୍କ ର ଦୃଷ୍ଟିକୋଣ ବଦଳାଇ ଦେଇଥିଲା।ଲୁଚିଛପି ହେଉ ପଛକେ,କେତେଜଣ ଆଗେଇ ଆସିଥିଲେ ସେ ଅନାଥ ପିଲା ଦୁଇଟି ଙ୍କୁ ସାହାଯ୍ୟ କରିବା ପାଇଁ।ଆଉ ଯେତେବେଳେ ଗାଁ ରେ କିଛି ବର୍ଷ ପରେ ମହାମାରୀ ହଇଜା ର ପ୍ରାଦୁର୍ଭାବ ରେ ଶହ ଶହ ଲୋ୍କ ମୃତ୍ୟୁ ମୁଖରେ ପଡିଥିଲେ,ସେତେବେଳେ ମୋ ବୋଉ ଅଣ୍ଟା ରେ ଲୁଗା ଭିଡି ବାପା ଙ୍କ ସାଙ୍ଗରେ ରୋଗୀ ମାନଙ୍କର ସେବାରେ ଲାଗିପଡିଥିଲା।ବାପା ମୋର ଏକୁଟିଆ ଡାକ୍ତର ହୋଇ ସେ ସମୟ ରେ ଏତେ ରୋଗୀ ଙ୍କ ଚିକିତ୍ସା କରିବା କଷ୍ଟକର ହୋଇ ପଡ଼ିଥିଲା,ହେଲେ ବୋଉ ର ପୂର୍ଣ୍ଣ ସହଯୋଗ ଯୋଗୁଁ ଅନେକ ଙ୍କ ଜୀବନ ରକ୍ଷା ହୋଇ ଯାଇଥିଲା।ଆଉ ଯୋଉ କେତେଜଣ ମୋ ବୋଉ ଉପରେ ପୂର୍ବରୁ ଅସନ୍ତୁଷ୍ଟ ଥିଲେ,ସେମାନଙ୍କ ର ପ୍ରିୟପାତ୍ରୀ ହୋଇ ଯାଇଥିଲା।

      ଏଥର ଶ୍ରୀ ଆଉ ଟିକିଏ ପାଖକୁ ଚେୟାର ଟିକୁ ଘୁଞ୍ଚାଇ ଆଣି ଅନିଷା ର ମୁହଁ କୁ ଏକଲୟ ରେ ଚାହିଁ ରହିଲା,ଆଉ ଧିରେ କରି କହିପକାଇଲା, ଆହୁରି କିଛି ତୋ ବୋଉ ର ଗୁଣ ଥିଲା?ଅଳ ପ ହସିକି ଅନିଷା କହିଚାଲିଲା-ହଁ ଲୋ,ମୋ ବୋଉ ର କଥା କହି ବସିଲେ,ସରିବନି!ଶ୍ରୀ ର ମୁଣ୍ଡ କୁ ଆଉଁସି ଦେଉ ଦେଉ କହି ଚାଲିଲା-ମୋ ବୋଉ,ଗାଁ ର ସ୍ତ୍ରୀ ଲୋକ ଙ୍କୁ ଏକାଠି କରି ହାତ ରେ ଡାଲା,କୁଲା,ବାଉଁସିଆ,ପାପୋଛ ଆଦି ଶିଖାଇ ଘର ର ଅନେକ ଛୋଟ ଛୋଟ ଜିନିଷ କରି କେମିତି ଦୁଇ ପଇସା ରଖି ପାରିବେ,ସେକଥା ଶିଖାଇ ଦେଇଥିଲା।ଗାଁ ରୁ ଆସି କଟକ ରେ ରହିବାର ଅନେକ ବର୍ଷ ହୋଇ ଯାଇଥିଲେ ସୁଦ୍ଧା,ଯେତେବେଳେ ଗାଁ କୁ ମୁଁ ବୋଉ ସାଙ୍ଗରେ ଯାଉଥିଲି,ସେତେବେଳେ ତାର ଭୁରି ଭୁରି ପ୍ରଶଂସା ମୁଁ ସମସ୍ତଙ୍କ ମୁହଁ ରୁ ଶୁଣିବାକୁ ପାଉଥିଲି।କେହି କେହି ତ କହିବାର ଶୁଣିଥିଲି ଯେ-ଅନି ବୋଉ(ଅନିଷା ର ବୋଉ)କୁ କୋଉ କଥା ଅଜଣା!!'ଜୋତା ସିଲାଇ ଠାରୁ ଚଣ୍ଡୀପାଠ 'ଯାଏ ସବୁଥିରେ ଧୁରନ୍ଧର!ତାକୁ ଶୁଣି ବୋଉ କୁ ମୁଁ ପଚାରି ଦେଇଥିଲି-ତତେ କଣ ସତରେ ଜୋତା ସିଲାଇ ଆସେ ବୋଉ?ଆଉ ଚଣ୍ଡୀପାଠ କ

ଣ ??ବୋଉ ମୋର ହସିକି ବୁଝାଇ ଦେଇଥିଲା -ମା,ଚଣ୍ଡୀ ଙ୍କୁ ସନ୍ତୁଷ୍ଟ କରିବା ପାଇଁ ମନ୍ତ୍ର ପଢ଼ାଯାଏ,ତାକୁଇ କୁହନ୍ତି,ହେଲେ ଠାକୁର ପୂଜା ଶ୍ରଦ୍ଧା ରେ କରିଲେ,ଚଣ୍ଡୀପାଠ ବି ଦରକାର ପଡେନି।ଆଉ ଜୋତା ସିଲାଇ କଣ ବହୁତ ବଡ଼ କଥା ଟା?ତୋର ସେଦିନ ଜୋତା ଟା କିଏ ସିଲାଇ କରିଥିଲା?ସତରେ,ଅନିଷା ର ମନେ ପଡିଯାଇଥିଲା-ସେଦିନ ସ୍କୁଲ ଗଲା ବେଳେ ତର ତର ହୋଇ ଜୋତା ହଳକ ପିନ୍ଧୁ ପିନ୍ଧୁ ଗୋଟାଏ ପଟ ଛିଣ୍ଡି ଯାଇଥିବା ଦେଖି ତା'କାନ୍ଦ ବାହାରି ପଡିଥିଲା, ଯୋଉଥି ପାଇଁ ଡାମ୍ଫଣ ଟିଏ ନେଇ ବୋଉ ସଙ୍ଗେ ସଙ୍ଗେ ସିଲେଇ କରିଦେଇଥିଲା!"ପରେ ଅବଶ୍ୟ ଖୁଡି ପାଖରୁ ବୁଝି ଥିଲା ଯେ ,'ଜୋତା ସିଲାଇ ରୁ ଚଣ୍ଡୀପାଠ' ର ଅର୍ଥ!ବୋଉ ତାର ରୋଷେଇବାସ,ପିଠାପଣା କରି ସାଇଭାଇ ଙ୍କୁ ବଣ୍ଟା କୁଣ୍ଟା କରିବାରେ ପଛାଉ ନ ଥିଲା,ତା'ହାତ ତିଆରି ପିଠା କୁଆଡେ ଯିଏ ଥରେ ଖାଇଛି,ଜମା ଭୁଲେନି!ବାଡ଼ି ବଗିଚା ରେ ବିଭିନ୍ନ ଫୁଲ ଫଳ ଗଛ ଲଗେଇକି ସୁନ୍ଦର ଭାବରେ ବାଡ଼ି ଟିକୁ ସଜେଇକି ରଖୁଥିଲା,ସମସାମୟିକ ପରିବା ଗଛ ସବୁ ଲଗାଇ,ଘର ର ସମସ୍ତଙ୍କ ଖାଇବା ପିଇବା କୁ ଜଗିବା ସାଙ୍ଗରେ ବାପାଙ୍କୁ ପରୋକ୍ଷ ଭାବରେ ଆର୍ଥିକ ସାହାଯ୍ୟ ମଧ୍ୟ କରିପାରୁଥିଲା।ତାକୁ ଦେଖି ଗାଁ ର କେତେ ସ୍ତ୍ରୀ ଲୋକ ମଧ୍ୟ ନିଜ ନିଜ ବାଡ଼ି ବଗିଚା ରେ ଫୁଲ ଫଳ ,ପରିବାଗଛ ଲାଗେଇବାକୁ ଆଗ୍ରହ କରୁଥିଲେ।ନଡ଼ିଆ ପତ୍ର ରୁ ଝୁଣୁକା ବାହାର କରି ଖଡିକା ଝାଡୁ କରିବାର କୌଶଳ ଠାରୁ ସପ ହାତରେ ବୁଣିବାର କଳା ମଧ୍ୟ ବୋଉ କୁ ତାର ଜଣାଥିଲା,ଯାହାକୁ ଗାଁ ର କେତେ ସ୍ତ୍ରୀ ଲୋକ ଶିଖିଥିଲେ।ଦରକାର ପଡିଲେ ପୁରୁଷ ମାନଙ୍କ ର କାମକୁ ମଧ୍ୟ କରିବାକୁ ପଛଉନଥିଲା!ବଢ଼େଇ,ରାଜ ମିସ୍ତ୍ରୀ ମାନଙ୍କ ର କାମ ତଦାରଖ କରୁ କରୁ ସେସବୁ ଶିଖିଯାଇ ,ଦରକାର ପଡ଼ିଲେ କାର୍ଯ୍ୟକାରୀ କରିଦେଉଥିଲା!ସବୁଠୁ ବଡ଼ କଥା ଥିଲା ଯେ,ଗାଁ ଲୋକ ଙ୍କୁ ସାହାଯ୍ୟ କରିବାକୁ ସବୁବେଳେ ଆଗଭର ଥିଲା।ନିଜର ହେଉ ବା ପର ଲୋକ,କେହି ବି ତା' ଦୁଆରୁ ଖାଲି ହାତରେ ଯାଉନଥିଲେ।ସମସ୍ତଙ୍କ ର ସୁବିଧା ଅସୁବିଧାରେ ବୋଉ ଠିଆ ହେଇ ଯାଉଥିଲା,ଯୋଉଥି ପାଇଁ ତାକୁ ଗାଁ ର ସମସ୍ତେ ବହୁତ ଭଲ ପାଉଥିଲେ।

      ଶ୍ରୀ ର ପାଟି ରୁ ହଠାତ୍ ବାହାରି ଆସିଥିଲା-ସତରେ ମମ୍ ,ତୋ ବୋଉ କୁ ସିନା ମୁଁ ଦେଖିନି,ହେଲେ ଭାବୁଛି,ସିଏ ନିଶ୍ଚୟ ଭାରି ସାହସୀ ଥିବ!ଆଉ ଜଣେ ମଣିଷ ର ଏତେ ସବୁ ଭଲ ଗୁଣ!!ବାପ୍ ରେ !"ରିଏଲ୍ଲୀ, ତୋ ବୋଉ ସତରେ ଗୋଟେ ସୁପର ମମ୍!ଏତକ କହି ଅନିଷା କୁ ପୁଣି କୁଣ୍ଢାଇ ପକାଇଲା ଶ୍ରୀ!"ଖୁସୀ ରେ ଆଖି ଦୁଇଟି ଯେମିତି ତାର ଚକ୍ ଚକ୍ କରୁଥିଲା!!

      



Rate this content
Log in

Similar oriya story from Inspirational