ବୋଉ ...
ବୋଉ ...
ସଦ୍ୟ ଉନ୍ମୋଚିତ ହୋଇଥିବା ଗଳ୍ପ ସଂକଳନ 'ଚାରୁ ଚିତ୍ରପଟ'କୁ ମୋର ବୋଉଙ୍କୁ ଉତ୍ସର୍ଗ କରି ମୁଁ ଯାହା ଲେଖିଛି ନିମ୍ନରେ ରଖୁଛି ---
" ଯାହାଙ୍କ ସ୍ନେହ, ଶ୍ରଦ୍ଧା ଓ ଆଶୀର୍ବାଦରୁ ମୁଁ ଆଜି ଏଇ ଦୁନିଆର ରାସ୍ତାରେ ଏତିକି ବାଟ ଆସିପାରିଛି, ସେହି ପରମ ପୂଜ୍ୟ ମୋର ବାପା ସ୍ୱର୍ଗତ ପୂର୍ଣ୍ଣାନନ୍ଦ ବେହେରାଙ୍କ ସଜଳ ସ୍ମୃତିଚାରଣ କରି ମୋର ବୋଉ ଶ୍ରୀମତୀ ଶୈଳବାଳା ବେହେରାଙ୍କ କରକମଳରେ ଏହି ଗଳ୍ପ ସଂକଳନ 'ଚାରୁ ଚିତ୍ରପଟ'କୁ ଉତ୍ସର୍ଗ କରୁଛି ।"
କେବଳ ମୋତେ କାହିଁକି, ମୋ ସହିତ ମୋର ଆଉ ତିନି ଭାଇ ଓ ଚାରି ଭଉଣୀଙ୍କୁ ବାପା ଓ ବୋଉ ମିଶି ଏଇ ଦୁନିଆର ରାସ୍ତାରେ ଚାଲିବା ଶିଖେଇବା ସହିତ ମଣିଷ କରିଛନ୍ତି l ୧୯୯୬ ମସିହାରେ ଅର୍ଥାତ୍ ଆଜକୁ ୨୪ବର୍ଷ ତଳେ ଭୟଙ୍କର କ୍ୟାନସର୍ ଜନିତ ରୋଗରେ ବାପାଙ୍କର ଏ ଦୁନିଆରୁ ବିଦାୟନେବା ଏବଂ ତା' ପରଠାରୁ ବୋଉ ଆମ ପରିବାରର ମେରିଖୁଣ୍ଟ ପାଲଟିଯାଇ ସବୁ ପୁଅ, ବହୁ, ଝିଅ, ଜ୍ୱାଇଁ, ନାତି ଓ ନାତୁଣୀ ସମସ୍ତଙ୍କୁ ଗୋଟେ ସୁତ୍ରରେ ବାନ୍ଧିରଖିପାରିବା - ଆଜିକା ଯୁଗରେ ଏ କିଛି କମ୍ କଥା ନୁହେଁ l ଏମିତିରେ ମୋ ବୋଉର ପଠପଢା ଏତେ ବେଶିନୁହେଁ l ଭାରତଛାଡ଼ ଆନ୍ଦୋଳନ ବର୍ଷ ଅର୍ଥାତ୍ ୧୯୪୨ ମସିହାରେ ବୋଉର ଜନ୍ମ l ବୋଉର ଜନ୍ମର ୬ବର୍ଷ ପରେ ବୋଉ ଏବଂ ଆଉ କିଛି ପିଲାଙ୍କୁ କେବଳ ପାଠ ପଢାଇବା ଲକ୍ଷରେ ମାମୁଁଘର ଅଜା ନିଜ ଜମି ଦାନ କରି ଏକ ଚାଟଶାଳୀ ଖୋଲାଇଥିଲେ ଯାହା ଏବେ କନ୍ଦରାପାଟି ଗୋପାଳ ଉ.ପ୍ରା. ବିଦ୍ୟାଳୟ ଭାବରେ ସରକାରଙ୍କ ଦ୍ୱାରା ପରିଚାଳିତ ହେଉଛି l ବୋଉର ବାପାଙ୍କ ନାମ ଗୋପାଳ ବେହେରା ହେତୁ ତାଙ୍କରି ସ୍ମୃତି ରକ୍ଷା କରିବା ଉଦ୍ଦେଶ୍ୟରେ ସେଇ ସ୍କୁଲର ନାମ ଏପରି ହୋଇଛି l ବୋଉର ପାଠ କହିଲେ ସେଇ ଚାଟଶାଳୀର ପାଠ ହିଁ ସବୁକିଛି l
ଜଣେ ଓଡ଼ିଶା ପ୍ରଶାସନିକ ସେବାର ଅଧିକାରୀ ଭାବରେ ବାପାଙ୍କର ମିଳୁଥିବା ମାସିକ ବେତନରେ ଚାରି ପୁଅ ଓ ଚାରି ଝିଅ ମୋଟ ଆଠ ଜଣଙ୍କୁ ଲାଳନ ପାଳନ କରି ପାଠ ପଢାଇବାରେ ବୋଉର ଭୂମିକା ଖୁବ୍ ଗୁରୁତ୍ୱପୂର୍ଣ୍ଣ ଥିଲା l ମୋର ଠିକ୍ ମନେ ଅଛି, ବାପାଙ୍କର ଦରମା ମାସର ୧୦ ତାରିଖ ବେଳକୁ ଶେଷ ହୋଇଯାଏ, ଏବଂ ତା'ପରେ ଧାର ଉଧାରରେ ଘର ଚଳେ l ପହିଲାରେ ବାପା ଦରମା ପାଇବାମାତ୍ରେ ପୂର୍ବରୁ କରାଯାଇଥିବା ଧାର ଶୁଝିବା ସହିତ ଆମ ସମସ୍ତଙ୍କର ପାଠପଢା ବାବଦକୁ ଟିୟୁସନ୍ ଫି କୁ ଆଗ ଦିଆଯାଏ , ଅାଉ ଯାହା ରହିଲା ଆଗକୁ ମାସସାରା ଚଳିବା ପାଇଁ ବାସ୍ତବରେ ପ୍ରର୍ଯ୍ୟାପ୍ତ ନଥିଲା l ସେତବେଳେ ଆମ ସମସ୍ତଙ୍କର ଆବଶ୍ୟକତାକୁ ପୁରଣକରି ବାପା ବୋଉ କେମିତି ସଂସାର ଚଳାଉଥିବେ କେବଳ ସେଇ ଦୁଇଜଣ ହିଁ ଜାଣିଥିବେ l
ବାପାଙ୍କ ଜୀବଦ୍ଦଶା ଭିତରେ ମୋର ବଡ଼ ଭଉଣୀ ଓ ବଡ଼ଭାଇ କେବଳ ଏଇ ଦୁଇଜଣଙ୍କର ବିବାହ ହୋଇଥିଲା l ଭାଇ ଓ ମୁଁ ସ୍ୱଳ୍ପ ବେତନ ପାଉଥିବା ଅଧ୍ୟାପକ ହୋଇଥିବା ବେଳେ ବୋଉ ପାଉଥିବା ଫାମିଲି ପେନସନ୍ ହିଁ ଆମ ପରିବାରର ଆୟ ଥିଲା l ମୋ ବଡ଼ଭାଇ ଲୋକନାଥ ବେହେରା ଗଣିତର ଅଧ୍ୟାପକ ହୋଇଥିବାରୁ କିଛି ପିଲାଙ୍କୁ ଘରୋଇ ଟିୟୁସନ୍ କରି ରୋଜଗାର ବଢାଇ ଘର ଚଳେଇବା ସହିତ ସବୁ ସାନ ଭାଇ ଭଉଣୀମାନଙ୍କୁ ପଢାଇ ବିବାହ କରାଇବାରେ ପ୍ରମୁଖ ଭୁମିକା ନିର୍ବାହ କରିଛନ୍ତି l ଏମୁତି କୁହାଯାଏ ଯେ, ଯଦି ବାପା ମା ଙ୍କର ଆଶୀର୍ବାଦ ଯେଉଁ ପାଲାମାନଙ୍କ ଉପରେ ଥାଏ ସେମାନେ ବହୁତ ଭଲରେ ରହିଥାନ୍ତି l ଏଇକଥା ଶହେ ପ୍ରତିଶତ ଆମ ଚାରି ଭାଇ ଓ ଚାରି ଭଉଣୀଙ୍କ କ୍ଷେତ୍ରରେ ପ୍ରତିଫଳିତ ହୋଇଛି, ଯେଉଁଥିପାଇଁ ଆମେ ସମସ୍ତେ ନିଶ୍ଚିତ ଭାବରେ ଆଜି ଯିଏ ଯେଉଁଠି ବି ଅଛୁ ଭଲରେ ଅଛୁ l
ମୋ ପୁଅ ସୋନୁ ଆଉ ବୋଉ ଭିତରେ ସମୟେ ସମୟେ ଯେଉଁ କଥାବାର୍ତ୍ତା ହୁଏ ତାକୁ ଶୁଣିଲେ ଯେକେହି ବି ହସି ହସି ବେଦମ୍ ହେବେ l ମୁଁ ଯଦି ସେଇକଥା ପାଇଁ ସୋନୁ ଉପରେ ବିଗିଡ଼ିବା ଆରମ୍ଭକରେ ବୋଉ ମୋତେ ତାଗିଦ୍ କରି କହେ, " ସିଏ ମୋ ନାତି , ତୁ କାଇଁ ତା'ର ମୋର କଥା ଭିତରେ ପଶୁଛୁ l "
ସୋନୁ ତୃତୀୟ ବା ଚତୁର୍ଥ ଶ୍ରେଣୀରେ ପଢିବାବେଳେ ଗୋଟେ ଖୁବ୍ ଅଦ୍ଭୁତ କଥା ବୋଉକୁ ପଚାରିଲା l ସେ ପଚାରିଥିବା କଥାଟା ଥିଲା , " ଆଛା ମାଆ, ମୋ ମାମା ( ଆମ ସମୟରେ ଆମେ ବୋଉ ଡ଼ାକୁଥିବା ବେଳେ ଆଜିକାର ପିଲାମାନେ ମାମା ଡ଼ାକୁଛନ୍ତି ) ମୋତେ ଏତେ ଆକଟରେ ରଖିଛି l କୁଆଡେ ଯଦି ଘରୁ ଟିକେ ବାହାରକୁ ଯାଉଛି, ଭାରି ବ୍ୟସ୍ତ ହେଉଛି l ତୋର ଆଠଟା ପିଲାଙ୍କୁ ତୁ କେମିତି ସମ୍ଭାଳୁଥିଲୁ ? କିଏ କୁଆଡେ ବାହାରକୁ ଗଲେ କେମିତି ହିସାବ ରଖୁଥିଲୁ ?"
ସୋନୁର ଏଇ ଚପଳାମି କଥାରେ ମୋ ବୋଉ ଗୋଟେ ମନ ଖୋଲା ହସ ହସିଦିଏ କେବଳ l ଯେଉଁ ହସରେ ତା'ର ଆଠ ପୁଅ ଝିଅଙ୍କ ସହିତ ସେମାନଙ୍କର ସବୁ ପିଲାଙ୍କ ପ୍ରତି ମଧ୍ୟ ଯେମିତି ଆଶୀର୍ବାଦ ଝରିପଡ଼ୁଥାଏ l ଏଇଥିପାଇଁ ତ କୁହାଯାଏ ଗୋଟିଏ ମାଆର ଯଦି ଗୋଟିଏ ପିଲା ତା'ର ପିଲା ପ୍ରତି ଯେତିକି ସ୍ନେହ ମମତା, ଠିକ୍ ସେମିତି ଅଧିକପିଲାର ମାଅାର ସ୍ନେହ ମମତା ମଧ୍ୟ ତା'ର ସବୁ ପିଲାଙ୍କ ପ୍ରତି କୌଣସି ବାବଦରେ ବି କମ୍ ହୁଏନାହିଁ l ସତରେ ମାଆର ସ୍ନେହ ସବୁ ପିଲାଙ୍କ ପ୍ରତି ସମାନଥାଏ l କେବେ ବି ବାଣ୍ଟିହୋଇ କମ୍ ବେଶି ହେବାର ପ୍ରଶ୍ନ ହିଁ ଉଠେନାହିଁ l
ଗତକଲି ବିଶିଷ୍ଟ ସାହିତ୍ୟିକ ପ୍ରଫେସର ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କ ସହୀଦନଗରସ୍ଥିତ ବାସଭବନରେ ମୋର ଗଳ୍ପ ସଂକଳନ ' ଚାରୁ ଚିତ୍ରପଟ ' କୁ ଉନ୍ମୋଚିତ କରିସାରିବାପରେ ଆଜି ବହିର ଦ୍ୱିତୀୟ କପି ମୋ ବୋଉ ହାତରେ ଦେଲି l ବୋଉର ଆଖି ପ୍ରଥମେ ଥିବା ଉତ୍ସର୍ଗ ଉପରେ ପଡ଼ିବାରୁ ବାପାଙ୍କ ନାମ ଦେଖି ଆଖି ଛଳଛଳ ହୋଇଗଲା l ୭୯ ବର୍ଷରେ ଅଖିର ପାଓ୍ୱାର କମିଥିଲେ ବି ଧୀରେ ସୁସ୍ଥେ ସେ ବହି ପଢୁଥାଏ l
ଜଗନ୍ନାଥଙ୍କ କୃପାରୁ ବୋଉ ସୁସ୍ଥ ରହି ଏମିତି ମେରିଖୁଣ୍ଟ ହୋଇ ଆମ ପରିବାରକୁ ଏକାଠି ବାଂଧିରଖି ସମସ୍ତଙ୍କୁ ଆଶୀର୍ବାଦ ଦେଉଥାଉ l